ପୁରୀ( ଦ କୁଇଭର ):- ୧୭ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳଚହଳରେ ଭରି ଉଠିଛି। ସେପଟେ ଗୁରୁବାରଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଯେଉଁମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ହବିଷିଆଳି ଶିବିରରେ ମାଗଣାରେ ରହିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି, ସେମାନେ ୪ଟି ହବିଷିଆଳି ଶିବିରରେ ରହିବେ। ସେଠାରେ ହବିଷିଆଳିମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ। ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ପ୍ରତିବର୍ଷ ଭଳି ଚଳିତବର୍ଷ ବି କାର୍ତ୍ତିକ ବ୍ରତ ପାଳନ କରୁଥିବା ମା’ମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯା’ଆସ ଓ ମହାପ୍ରଭୁଙ୍କ ରାଈଦାମୋଦର ବେଶ ଦର୍ଶନ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେପଟେ କେଉଁ ଶିବିରରେ କେଉଁ ଜିଲ୍ଲାର ହବିଷିଆଳି ରହିବେ, ତା’ର ସାରଣୀ ମଧ୍ୟ ପ୍ରସ୍ତୁତ ହୋଇଛି। ଚଳିତବର୍ଷ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ଦୈନିକ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ବ୍ରତଧାରୀ। ଚଳିତବର୍ଷ ବି ସମାନ ବ୍ୟବସ୍ଥା ଆପଣାଇଛି ପ୍ରଶାସନ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ଣ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାଳଧୂପ ନୀତିକାନ୍ତି ଆରମ୍ଭ ହୋଇସାରିଛି। ଏହି ଅବସରରେ ମହାପ୍ରଭୁ ଦୈନିକ ସକାଳୁ ରାଈଦାମୋଦର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ପ୍ରତିଦିନ ଭୋର୍ ୪ଟାରେ ଦ୍ବାରଫିଟା ନୀତି ସଂପନ୍ନ ହେବ। ଦୈନନ୍ଦିନ ନୀତିକାନ୍ତି ପରେ ରାତି ୧୨ଟା ସୁଦ୍ଧା ପହୁଡ଼ କରିବାକୁ ଚୂଡ଼ାନ୍ତ ହୋଇଛି। ସେପଟେ ଏଥର ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ପାଳିତ ହେବ। ସେହି ଅନୁସାରେ ୪ ଦିନ ମହାପ୍ରଭୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ। ନଭେମ୍ବର ୧୧ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ ଓ ହରିଉତ୍ଥାପନ ନୀତି, ନଭେମ୍ବର ୧୩ରେ ବାଙ୍କଚୁଡ଼ ବେଶ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ନଭେମ୍ବର ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୧୫ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
No comments yet.
Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟରେ ପ୍ରଦୂଷଣକୁ ନେଇ ସ୍ଥିତି ଗମ୍ଭୀର ହେଉଛି । ଏକଥା ନୁହେଁ ଯେ, ପ୍ରଦୂଷଣ ହଠାତ ବଢ଼ିଛି । ମାତ୍ର ପ୍ରଦୂଷଣ ବିରୋଧରେ ସ୍ୱର ତୀବ୍ର ହେଉଛି । ସରକାରରେ ବାରଭାଇ ଆଖଡ଼ା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବିରୋଧ ବଢ଼ିଲାଣି । ପ୍ରଦୂଷଣକୁ ବିରୋଧ କରି ରାଜ୍ୟ କଂଗ୍ରେସ ତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଭିତରେ ପଶିଯାଇଥିଲା । ଅଫିସ ଭିତରେ ନାରାବାଜି ବି କଲା । ଏବେ ପ୍ରଦୂଷଣକୁ ନେଇ ରାଉରକେଲା ସେକ୍ଟର ୩ରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଙ୍କୁ ବିରୋଧ କରାଗଲା । କେବଳ ସେତିକି ନୁହେଁ, ବେଦାନ୍ତ ପାଉଁଶ ପାଇଁ ମୋହନ ସରକାରର ମନ୍ତ୍ରୀଙ୍କ ୧୦୦କୋଟିର ଡିଲ ମୋହନଙ୍କ ମୁଣ୍ଡରେ କଳଙ୍କ ବୋଳିଛି । ଯାହା ସ୍ପଷ୍ଟ କରୁଛି ସ୍ଥିତିକୁ ମ୍ୟାନେଜ କରିପାରୁ ନାହାନ୍ତି ମୋହନ ସରକାର ।
ରାଜ୍ୟରେ ପ୍ରଦୂଷଣର ସ୍ଥିତି ଭୟଙ୍କର । ଶିଳ୍ପସଂସ୍ଥା ଗୁଡ଼ିକ ଚଳାଇଛନ୍ତି ଆତଙ୍କରାଜ । ପାଣି ହେଉ କି ପବନ ବା ମାଟି ସବୁଠି ଏମାନଙ୍କର ଦୌରାତ୍ମ୍ୟ ଚାଲିଛି । ଚାଲାକ ବେପାରୀ ଦଲାଲ ଅଫିସରଙ୍କୁ ହାତ କରି ରାଜ୍ୟ ପରିବେଶକୁ ଧ୍ୱଂସ କରି ଚାଲିଛନ୍ତି । ଏକଥା ନୁହେଁ ଯେ, ଏସବୁ ଦୌରାତ୍ମ୍ୟ ଗତ ୬ମାସ ମଧ୍ୟରେ ବଢ଼ିଛି । ନବୀନ ସରକାର ସମୟରେ ବି ପ୍ରଦୂଷଣ ଥିଲା, ମାତ୍ର ସେ ମ୍ୟାନେଜ କରିନେଉଥିଲେ । କାରଣ ନବୀନ ସରକାରରେ ନବୀନଙ୍କ ତୃତୀୟ ମହଲା ହିଁ ଥିଲା ସର୍ବେସର୍ବା । ସେଠାରେ ନବୀନ ହୁଅନ୍ତୁ କି ଭିକେ ପାଣ୍ଡିଆନ ନେଉଥିଲେ ନିଷ୍ପତ୍ତି । ତାଙ୍କ ବିନା କେହି ବି ମୁଣ୍ଡ ପୂରାଇ ପାରୁନଥିଲେ । କାହାର ସ୍ୱର ଶୁଭୁ ନଥିଲା । ତେଣୁ ଦୁର୍ନୀତି ହେଲେ ବି ଚପି ରହୁଥିଲା । ପ୍ରଦୂଷଣକୁ ଚାପି ଦିଆଯାଉଥିଲା । ଲୁଟକୁ ନଜର ଦିଆଯାଉ ନଥିଲା । ସବୁର ହିସାବ କେବଳ ଗୋଟିଏ ସ୍ଥାନରେ ରହୁଥିଲା । ଲାଗୁଥିଲା ସରକାର ଚାଲିଛି ।
ହେଲେ ଏବେ ବିଜେପିରେ ଚାଲିଛି ବାର ଭାଇ ଆଖଡ଼ା । ଏଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହେଲେ ନିଦେ୍ର୍ଦଶ କାଳେ ଚାଲିଛି ଅନ୍ୟଠୁ । ଏଠି ଅଧାରୁ ଅଧିକ ଅଫିସର କାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ । ତେଣୁ ମୋହନଙ୍କ ନିଦେ୍ର୍ଦଶରେ କିଛି ବି ଚାଲୁନାହିଁ । ମୋହନଙ୍କ ଜାଣିବା ପୂର୍ବରୁ ଅନେକ କାମ କାଳେ ହୋଇଯାଉଛି । ମନ୍ତ୍ରୀମଣ୍ଡଳରେ ଶୃଙ୍ଖଳା ନାହିଁ । ଏହାର ନମୂନା ହେଉଛି ଧାନ କିଣା ପ୍ରସଙ୍ଗ । ଏଥିରେ ଯୋଗାଣ ମନ୍ତ୍ରୀ ବି କହିବେ, ପୂର୍ତ୍ତ ମନ୍ତ୍ରୀ ବି କହିବେ, ରାଜସ୍ୱ ମନ୍ତ୍ରୀ ବି କହିବେ ଆଉ କୃଷିମନ୍ତ୍ରୀ ବି କହିବେ । ବାସ୍ତବରେ ଧାନ କିଣାର ଉତ୍ତରଦାୟିତ୍ୱ କାହାର ତାହା ଲୋକେ ଏବେ ଦ୍ୱନ୍ଦରେ ।
ସେହିପରି ରାଜସ୍ୱ ମନ୍ତ୍ରୀ ବେଦାନ୍ତ ପାଉଁଶ ବା ଶିଳ୍ପ ପ୍ରଦୂଷଣ କଥା ଉପରେ କହିବେ, ପ୍ରଦୂଷଣ ବୋର୍ଡର କାମ କଥା ବି ସେ କହିବେ ଆଉ ଶିଳ୍ପ ପ୍ରଦୂଷଣର ପ୍ରତିକାର ବି ସେ କହିବେ । ଏସବୁ ପ୍ରକ୍ରିୟା ସ୍ପଷ୍ଟ କରୁଛି ବିଜେପି ସରକାରରେ ମୁରବୀ ବୋଲି କେହି ନାହିଁ । କିଏ ମୋହନଙ୍କ କଥାରେ ଚାଲିଛି ତ ଆଉ କିଏ ଧର୍ମେନ୍ଦ୍ରଙ୍କ କଥାରେ । ଦଳର ଅଧିକାଂଶ ବିଧାୟକଙ୍କୁ କାଳେ ଧର୍ମେନ୍ଦ୍ରଙ୍କ ସମର୍ଥନ ଥିବାରୁ ସେମାନେ ମନଇଚ୍ଛା ବୟାନବାଜି ଚଳାଇଛନ୍ତି । ଏହି ବିଶୃଙ୍ଖଳାରୁ ବେଶ ଲାଭ ଉଠାଇବାକୁ ବସିଲେଣି ବିରୋଧୀ । ରାଜ୍ୟରେ ପ୍ରଶାସନ ବି ଢ଼ିଲା ହୋଇଗଲାଣି । ସରକାରଙ୍କ ପ୍ରତି ଡର କାହାର ରହୁନାହିଁ । ଯେଉଁଥିପାଇଁ କଂଗ୍ରେସ ନେତାମାନେ ପ୍ରଦୂଷଣକୁ ବିରୋଧ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଭିତରେ ପଶି ହଙ୍ଗାମା କଲେ । ଏବେ ରାଉରକେଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଲୋକେ ବିରୋଧ କଲେ । ସେହିପରି ବେଦାନ୍ତ ପ୍ରଦୂଷଣ ନେଇ ଲୋକେ ମୋହନଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେଣି । ସେଠି କାଳେ ପ୍ରଦୂଷଣ କରିବା ପାଇଁ ୧୦୦କୋଟିର ଡିଲ ନେତାଙ୍କ ସହ ହୋଇଛି । ଏପରି ଅନେକ ପ୍ରସଙ୍ଗ ଏବେ ମୋହନ ସରକାରଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କଲାଣି । ଯାହାର ଫାଇଦା ବିରୋଧୀ ବିଜେଡି ନେବାକୁ ବସିଛି ।
ବିଜେଡି ବିରୋଧରେ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ସେଥିରେ ନୀରବ ରହିଛି ବିଜେପି । ଏବେ ମନ୍ତ୍ରୀ ଓ ବିଧାୟକମାନେ କେଉଁଠି କି ଲାଭ ପାଇବେ ସେହି ଚିନ୍ତାରେ ଘୁରି ବୁଲୁଥିବାରୁ ସରକାରୀ ବ୍ୟବସ୍ଥା ଚୁଲିକି ଗଲାଣି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ନଆସିଲେ, ସରକାର ଖୁବଶୀଘ୍ର ବଦନାମ ହେବ ଓ ବିଜେପି କ୍ଷତି ସହିବ ବୋଲି କୁହାଯାଉଛି । ଦେଖାଯାଉ ରାଜ୍ୟ ବିଜେପି ସଂଗଠନ ମୁଖିଆ ଏସବୁକୁ ଧ୍ୟାନ ଦେଇ ପ୍ରତିକାର କରୁଛନ୍ତି ନା ନୀରବ ହୋଇ ସରକାରକୁ ବଦନାମ ହେବାକୁ ଛାଡ଼ି ଦେଉଛନ୍ତି?
State,Politics
ବ୍ରହ୍ମଗିରି(ଦ କୁଇଭର): ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲାଣି ପ୍ରଶ୍ନ । ସେ କାହାକୁ ନେଇ କରୁଛନ୍ତି ରାଜନୀତି? ତାଙ୍କ ରାଜନୀତିର ଉତ୍ସ କିଏ? ବିଜେପି କର୍ମୀ, ଦଳର ସଂଗଠନ, ସାଧାରଣ ଜନତା ନା ନିଜର ବୋକଚାବୁହା ଗୋଷ୍ଠୀ? କାହା ସ୍ୱାର୍ଥରେ ଉପାସନା । ନା ନିଜର ପତିଆରା ଓ ଦବଦବା ରଖିବା ପାଇଁ ସେ ବିଜେପି ସଂଗଠନକୁ ବି ଦଳି ମକଚି ଦେଉଛନ୍ତି? ଏଭଳି ଚର୍ଚ୍ଚା ଏବେ ବ୍ରହ୍ମଗିରିରେ ଜୋର ଧରିଲାଣି । କ୍ଷମତାକୁ ଆସିବାର ମାତ୍ର ୬ମାସ ମଧ୍ୟରେ ଉପାସନା ଯେ କେବଳ ବିବାଦୀୟ ହେଉ ନାହାନ୍ତି ବରଂ ଲୋକଙ୍କ ଭରସା ବି ହରାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ହେଉଛନ୍ତି ଜଣେ ଉଦୀୟମାନ ରାଜନେତା । ରାଜନୀତିରେ ଲମ୍ବା ଭବିଷ୍ୟତ ରହିଛି ତାଙ୍କର । ବିଜେପି ଭଳି ଜାତୀୟ ଦଳରେ ସେ ବ୍ରେକ ପାଇବା ସହ ବିଜେଡିକୁ ହରାଇ ଜିତିଥିଲେ । ପୂରା ବିଜେପି ସଂଗଠନ ତାଙ୍କ ପାଇଁ ଲାଗିଥିଲା । ନିର୍ବାଚନ ବେଳେ ବିଜେପି ସଂଗଠନ ଶରଣରେ ଥିବା ଉପାସନା ଜିତିବା ପରେ କାଳେ ନିଜସ୍ୱ ସଂଗଠନ ଆରମ୍ଭ କରିଦେଲେଣି । ତାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର କିଛି ସମର୍ଥକଙ୍କୁ ନେଇ ଗଢ଼ିଥିବା ଗୋଷ୍ଠୀକୁ ନେଇ ଚଳାଇଛନ୍ତି ରାଜନୀତି । ବିଜେପି ସଂଗଠନ ତାଙ୍କ ପାଇଁ ଗୁରୁତ୍ୱ ରଖୁନାହିଁ । ବିଶେଷ କରି ଆରଏସଏସ ମଧ୍ୟ ତାଙ୍କ ପାଇଁ ବ୍ରହ୍ମଗିରିରେ ଉପାସନାଙ୍କ ପାଇଁ ସେପରି ସ୍ଥିତି ରଖୁନାହିଁ । ଯାହାକୁ ନେଇ ଆରଏସଏସ ସଦସ୍ୟମାନେ ବି ତାତିଲେଣି । ହେଲେ ଖାମଖିଆଲି ଉପାସନାଙ୍କର କାଳେ ସେଥିପ୍ରତି ଗୁରୁତ୍ୱ ନାହିଁ ।
କେବଳ ସେତିକି ନୁହେଁ, ନିର୍ବାଚନ ପୂର୍ବରୁ କାହାର ଛୁଆ କାଖଉଥିଲେ ତ କାହା ଘରେ ବସି ଗପୁଥିଲେ । ବୟସ୍କଙ୍କ ସହ କଥା ହୋଇ ସମସ୍ୟା ବୁଝୁଥିଲେ । ହେଲେ ନିର୍ବାଚନ ଜିତିବା ପରେ ଆଉ ଲୋକଙ୍କ ପାଖରେ ତାଙ୍କୁ କାଳେ ଦେଖିବାକୁ ମିଳୁନାହିଁ । ନା ବ୍ରହ୍ମଗିରି ଲୋକେ ଦରକାର ନା ବିଜେପି ସମର୍ଥକମାନେ ଦରକାର । ଏବେ ତାଙ୍କ ଲୁଲୁ ସେନା ହିଁ ବ୍ରହ୍ମଗିରିରେ କାଳେ ସର୍ବେସର୍ବା । ସେମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଉପାସନା ବି ତାଙ୍କରି ପରାମର୍ଶରେ କାମ କରୁଥିବା କୁହାଯାଉଛି । ଏହା କରି ସେ କାଳେ ତାଙ୍କ ବାପାଙ୍କ ସଂଗଠନକୁ ପ୍ରାଧାନ୍ୟ ଦେଇ ବିଜେପିକୁ ତଳକୁ ଠେଲୁଛନ୍ତି ।
ଉପାସନାଙ୍କର ଏହି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ିଲାଣି । ବିଜେପି ସରକାରରେ ଲୁଲୁ ଗୋଷ୍ଠୀ ବା ଉପାସନାଙ୍କ ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପ୍ରଭାବ ବିଜେପିର ପୁରୁଣା କର୍ମକର୍ତ୍ତା, ସଂଗଠକ ମାନଙ୍କୁ ପ୍ରଭାବିତ କରୁଛି । ମାତ୍ର ଉପାସନା ବିଧାୟିକା ବୋଲି ସମସ୍ତେ ନୀରବ ରହୁଛନ୍ତି । ନିର୍ବାଚନର ୬ମାସ ମଧ୍ୟରେ ଉପାସନାଙ୍କ ଉପରୁ ଲୋକେ ଭରସା ହରାଇଥିବା କହୁଛନ୍ତି । ଏମିତି ଚାଲିଲେ, ବିଜେପି ବ୍ରହ୍ମଗିରିରେ ତାର ସଂଗଠନ ସୁଦୃଢ଼ କରିବ କ’ଣ ଦୁର୍ବଳ ହେବ । ଉପାସନାଙ୍କ ପୂର୍ବରୁ ତାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମୟରେ ବି ବିଜେପି ଦୁର୍ବଳ ହେଉଥିଲା । ଆରଏସଏସ କୌଣସି ପ୍ରକାର ସ୍ଥିତିକୁ ସମ୍ଭାଳି ରଖିଥିଲା । ଏବେ ଏମପି ସମ୍ବିତ ପାତ୍ରଙ୍କ ପ୍ରୋତ୍ସାହନ ଯୋଗୁ ଉପାସନା କାଳେ ଲୋକଙ୍କୁ ଭୁଲିବା ଆରମ୍ଭ କରିଛନ୍ତି ।
ଉପସାନାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ର ବ୍ରହ୍ମଗିରି ବାସୀଙ୍କ ପାଇଁ ବେଶ ତତ୍ପର ଥିଲେ । ବକ୍ସିଙ୍କ ପରିବାରର ଦାୟଦ ଭାବେ ଲୁଲୁ ସର୍ବଦା ଲୋକଙ୍କୁ ପ୍ରାଧାନ୍ୟ ଦେଉଥିଲେ । ମାତ୍ର ଏବେ ଉପାସନାଙ୍କ କାମ କାଳେ ଲୁଲୁ ଆଭିମୁଖ୍ୟକୁ ବିରୋଧ କରୁଥିବା କୁହାଯାଉଛି । ଦେଖାଯାଉ ଉପାସନା ବିଜେପିକୁ ସୁଦୃଢ଼ କରୁଛନ୍ତି ନା ନିଜ କ୍ୟାମ୍ପକୁ ବଳ ଦେଇ ଆଗକୁ ପତିଆରା ବଢ଼ାଉଛନ୍ତି ।
International,National
ଦ କୁଇଭର ବ୍ୟୁରୋ :- ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।
ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
State
ଛତ୍ରପୁର( ଦ କୁଇଭର ):- ଘରୋଇ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦେଇ ମାରିଥିବା ଅଭିଯୋଗ ନେଇ ଗଞ୍ଜାମ ଏସପିଙ୍କୁ ଭେଟିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କମାପଲ୍ଲୀ ଗ୍ରାମବାସୀ l ସୂଚନା ମୁତାବକ, କଳାଯମୁନା ସାଇ ସରସ୍ୱତୀ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର କିରଣ ପ୍ରଧାନଙ୍କ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୃତ୍ୟୁ ଘଟିଥିଲା l ହଷ୍ଟେଲରେ ଥିବା ସମୟରେ କିରଣଙ୍କ ପେଟ କାଟିବା ଯୋଗୁ ପ୍ରଥମେ ଛତ୍ରପୁର ଏଵଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା l ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଘଟଣା ପରେ ପୁଅକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ କିରଣଙ୍କ ବାପା ପ୍ରହ୍ଲାଦ ପ୍ରଧାନ l ପୋଷ୍ଟମଟମ ରିପୋର୍ଟରେ ମଧ୍ୟ ବିଷ ଖାଇ ମୃତବରଣ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ପୋଲିସ କାହିଁକି ଉକ୍ତ ଘଟଣାର ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ l ହଷ୍ଟେଲରେ ଅନ୍ୟଜଣେ ଛାତ୍ର ବିସ୍କୁଟରେ ବିଷ ଦେଇଥିବା ପରିବାର ଲୋକେ କହିଥିବା ବେଳେ ସ୍କୁଲ ଗେଟ ନିକଟରୁ ଏକ ବିଷ ସିସି ମଧ୍ୟ ଜବତ ହୋଇଥିଲା l ହେଲେ ଉକ୍ତ ଘଟଣାକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠିଛି l ଏଣୁ ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗଞ୍ଜାମ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଗ୍ରାମବାସୀ l
State
ଭୁବନେଶ୍ୱର(ଦ କୁଇଭର): ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ୁଛି ଯମର ଜାଲ । ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଏହି ଜାଲ ରହୁଛି । ସାମାନ୍ୟ ନଜର ହଟିଲେ ବା ଅସାବଧାନତା ହେଲେ ଗଡ଼ିଯାଉଛି ମୁଣ୍ଡ । କେତେ ଯେ ଲୋକ ଏହି ଜାଲରେ ପଡ଼ି ଜୀବନ ହାରୁଛନ୍ତି ତାହା ପ୍ରତିଦିନ ନଜରକୁ ଆସୁଛି । ରବିବାର ସକାଳୁ ସକାଳୁ ରାଜ୍ୟରେ ୫ ଜୀବନ ନେଇଛି ଏହି ଯମଜାଲ । ଏହି ଜାଲ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପଡ଼ିବ ବୋଲି କୁହାଯାଉଛି । ସାବଧାନ ନହେଲେ ଏମିତି ମୁଣ୍ଡ ଗଡ଼ିବ ବୋଲି ଆକଳନ କରାଗଲାଣି ।
ଯମର ଜାଲ ଅର୍ଥାତ ଘନ କୁହୁଡ଼ି । ଗତ ଦୁଇଦିନ ଧରି ରାଜ୍ୟରେ ଶୀତର ଲହରୀ ବହିଲାଣି । ଉପାନ୍ତ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଲାଣି । ରାଜଧାନୀରେ ତାପମାତ୍ରା ରାତିରେ ୧୭ଡିଗ୍ରୀ ତଳକୁ ଖସିଲାଣି । ଶୀତ ବଢ଼ିବା ସହ ଏବେ ବିଭିନ୍ନ ସ୍ଥାନରେ କୁହୁଡ଼ି ବିଶେଷ କରି ଜଙ୍ଗଲିଆ ସ୍ଥାନରେ ଘନ କୁହୁଡ଼ି ପଡ଼ିଲାଣି । ବିଳମ୍ବିତ ରାତି ହେଲେ ଘନ କୁହୁଡ଼ି ପଡ଼ୁଛି ଓ ଏହା ସକାଳ ୭ଟା ପର୍ଯ୍ୟନ୍ତ ପ୍ରାୟ ଲାଗି ରହୁଛି । କୁହୁଡ଼ି ଯୋଗୁ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ସାମାନ୍ୟ ଅସାବଧାନତା ହିଁ ଘଟାଉଛି ଦୁର୍ଘଟଣା ଆଉ ନେଉଛି ଜୀବନ ।
ରବିବାର କୋରାପୁଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଓଲଟି ପଡ଼ିଥିଲା । ସେହିପରି କେନ୍ଦ୍ରାପଡ଼ାରେ କୁହୁଡ଼ି ଯୋଗୁ ଦେଖା ନଯିବାରୁ ଗାଡ଼ି ପିଟି ହୋଇ ୨ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କର ଜୀବନ ଯାଇଛି । ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟିଛି । କୁହୁଡ଼ି ଯୋଗୁ ଅନେକ ଅଘଟଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଲାଣି । କୁହୁଡ଼ି ଆସନ୍ତା ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପ୍ରାୟ ଲାଗି ରହିବ । ଶୀତ ପଡ଼ିଥିବା ଯାଏ ଏପରି ସମସ୍ୟା ରହିବ ଓ ଦୁର୍ଘଟଣାକୁ ନିମନ୍ତ୍ରଣ କରିବ । ତେଣୁ ଗାଡ଼ି ଚଳାଇବା ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲ ରୁ ଲଗାତାର ଭାବେ ଚୋରି କରୁଥିବା ମୋବାଇଲ ଚୋର କୁ ଗିରଫ କରିଛି ବୈଦ୍ୟନାଥପୂର୍ ଥାନା ପୋଲିସ । ତା ପରେ ନିକଟରୁ ୩୪ଟି ଚୋରି ମୋବାଇଲ କୁ ଜବତ କରିଛି ପୋଲିସ। ଗିରଫ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣାପୁର ଗ୍ରାମର ଏଲ୍ ଶିବା ରେଡ୍ଡୀ। ଶିବା ଏମକେସିଜି ହସ୍ପିଟାଲ ର ଶିଶୁ ବିଭାଗ କୋଠା ରୁ ଜଣେ ସମ୍ପର୍କୀୟ ଙ୍କ ମୋବାଇଲ ଚୋରି କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲା । ଶିବା ବିଭିନ୍ନ ସମୟରେ ଏମକେସିଜି ହସ୍ପିଟାଲର ବିଭିନ୍ନ ବିଭାଗ କୋଠରୀରୁ ରୋଗି ଓ ତାଙ୍କ ସମ୍ପର୍କୀୟ ଙ୍କ ମୋବାଇଲ ଚୋରି କରି ନେଉଥିଲା । ଚୋରି କରିବା ପରେ ସେହି ମୋବାଇଲ ଗୁଡ଼ିକୁ ମେଡିକାଲ୍ କଲେଜ ଖେଳ ପଡିଆ ନିକଟରେ କମ୍ ଦରରେ ବିକ୍ରୟ କରୁଥିଲା ବୋଲି ବ୍ରହ୍ମପୁର ଏସ ପି ଡ଼ା, ଶ୍ରବଣା ବିବେକ ଏମ୍ ସୂଚନା ପ୍ରଦାନ କରିଛନ୍ତି।
Education
ଦ କୁଇଭର ବ୍ୟୁରୋ :- ଆସିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ । ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରଖ ଯାଏଁ ଚାଲିବ ଦଶମ ପରୀକ୍ଷା । ସେହିଭଳି ଫେବ୍ରୁଆରୀ ୧୫ରୁ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏହା ପୂର୍ବରୁ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ ସାରିଛି । ଫେବ୍ରୁଆରି ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ । ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା । ଜାନୁଆରି ୨ରୁ ୧୨ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା ।
State
ଦ କୁଇଭର ବ୍ୟୁରୋ :- ସରିଲା କାର୍ତ୍ତିକ ଆରମ୍ଭ ହେଲା ମାର୍ଗଶିର । ଗତକାଲି ସଂକ୍ରାନ୍ତି ଥିବାରୁ ଆଜି ଜମିବ ଅସଲ ଛାଡଖାଇ । ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । ତେଣୁ ଅନେଇ ବସାଇଥିଲେ ପାଟିରେ ଟିକେ ଆମିଷ ପାଣି ବଜାଇବାକୁ । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗିଛି । ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡି, କଙ୍କଡ଼ା, ମଟନ ଓ ଚିକେନରେ ଭରି ରହିଛି ଆମିଷ ବଜାର । ଆଉ ଲୋକମାନେ ନିଜ ପସନ୍ଦ ମୁତାବକ ଆମିଷ ବୋହି ନେଉଛନ୍ତି ଘରକୁ।ଅନ୍ୟପଟେ ଆଜି ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁର , ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୮୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।
State
ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦଶନ୍ଧି ଧରି ପୋଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କ ଏବେ ପାଠରେ ବେଶ୍ ଆଗ୍ରହ ଦେଖାଦେଉଛି । ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ MA କରିବାକୁ ପାଠ ପଢୁଛନ୍ତି ବ୍ରହ୍ମପୁର ଜେଲରେ ଆଜୀବନ ସଜା କାଟୁଥିବା ସବ୍ୟସାଚୀ । ଏଥିପାଇଁ ତାଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚଳାଇଛନ୍ତି ଉଦ୍ୟମ lଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ । ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ MA କରିବେ । ସବ୍ୟସାଚୀଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ପରୀକ୍ଷା ଦେବେ ।ଏଥିପାଇଁ ସମସ୍ତଙ୍କୁ ଜେଲ୍ ପକ୍ଷରୁ ଷ୍ଟଡି ମାଟେରିଆଲ ଯୋଗାଇ ଦିଆଯାଉଛି । ଜେଲ୍ ଶିକ୍ଷକ ବି ପଢିବାରେ ସହଯୋଗ କରୁଛନ୍ତି ।
ସବ୍ୟସାଚୀ ପଣ୍ଡା ଓରଫ ଶରତ ଓରଫ ସୁନୀଲ । ଓଡ଼ିଶା ମାଓବାଦୀ ପାର୍ଟିର ମୁଖ୍ୟ, କୁଖ୍ୟାତ ମାଓବାଦୀ । ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ୧୮ ଜୁଲାଇ ୨୦୧୪, ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ଗିରଫ ହୋଇଥିଲେ ସବ୍ୟସାଚୀ । ସେବେଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି । ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି । ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି । ବାସ୍ତବରେ ସବ୍ୟସାଚୀଙ୍କ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଅନ୍ୟ କଏଦୀଙ୍କ କ୍ଷେତ୍ରରେ ଦିଗଦର୍ଶନ ସୃଷ୍ଟି କରିବ l
Shree Jagannath,State
ଭୁବନେଶ୍ୱର(ଦ କୁଇଭର): ମହାପ୍ରଭୁଙ୍କ ପ୍ରିୟ ତୁଳସୀକୁ ଅସମ୍ମାନ କରାଯାଉଛି । ଜଣେ ଶିଶୁଙ୍କୁ ଭଗବାନ କହି ତାଙ୍କରି ପାଦ ତଳେ ତୁଳସୀ ଦିଆଯାଉଥିବା ଅଭିଯୋଗ ପରେ ଉତ୍ତେଜନା ବଢ଼ିଲାଣି । ଖଣ୍ଡଗିରି ସ୍ଥିତି ଶ୍ରୀ ବୈକୁଣ୍ଠ ଧାମ ନାମକ ଏକ ଆଶ୍ରମରେ ହିନ୍ଦୁ ଭାବନା ପ୍ରତି ଆଘାତ ଦିଆଯାଉଥିବା କୁହାଯାଉଛି । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗିଛି । ସ୍ଥାନୀୟ କିଛି ଯୁବକ ଏହାକୁ ବିରୋଧ କରି ଆଶ୍ରମ ନିକଟରେ ହୋ ହଲ୍ଲା କରିଥିଲେ । ପରେ ପୋଲିସ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଛି ।
ପୂର୍ବରୁ କେନ୍ଦ୍ରାପଡ଼ାର ସାରଥୀ ନିଜକୁ ଭଗବାନ କହି ପାଦରେ ତୁଳସୀ ରଖୁଥିଲେ । କିଛି ଭଣ୍ଡ ଓ ପାଖଣ୍ଡ ତାଙ୍କୁ ସମର୍ଥନ କରୁଥିଲେ । ମିଥ୍ୟା ପ୍ରଚାର ଯୋଗୁ ଅନେକ ଅନ୍ଧବିଶ୍ୱାସୀ ତାଙ୍କୁ ଭଗବାନ ଭାବି ପୂଜା କରୁଥିଲେ । ନାନା ଲୀଳା ଖେଳା କରୁଥିଲେ । ତାଙ୍କ ଅସଲ ଚେହେରା ପଦାକୁ ଆସିବା ପରେ ଜେଲ ଯିବାକୁ ପଡ଼ିଥିଲା । ଏହାପରେ ଅନେକ ବିବାଦ ଉଠିଥିଲା । ଏବେ ସାରଥୀଙ୍କର ଆଉ ଚିହ୍ନବର୍ଣ୍ଣ ନାହିଁ ।
ଏବେ ବଜାରକୁ ଆସିଛନ୍ତି ଆଉ ଜଣେ ବାଳୁତ ବାବା । ତାଙ୍କୁ ସାମ୍ନାରେ ରଖି ହିନ୍ଦୁ ଭାଗାବେଗ ସହ ଖେଳ ଖେଳାଯାଉଛି । ଭଗବାନ ଦର୍ଶାଇ ଲୋକଙ୍କୁ ଭକୁଆ କରାଯାଉଥିବା ଅଭିଯୋଗ ହୋଇଛି । ଆଶ୍ରମରେ ବାଳୁତ ବାବାଙ୍କ ପାଦ ତଳେ ତୁଳସୀ ରଖାଯାଉଛି । ତୁଳସୀ ଯିଏ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି ହୁଏ, ତାହା ହିନ୍ଦୁ ମାନଙ୍କ ପାଇଁ ବେଶ ପବିତ୍ର । ସେହି ପବିତ୍ର ତୁଳସୀକୁ ଧାରଣ କରିବାର କ୍ଷମତା ଆଉ କାହାର ନାହିଁ । ହେଲେ ଏଠି ବାଳୁତ ବାବା ତୁଳସୀ ପାଦରେ ରଖୁଥିବାରୁ ପ୍ରତିକ୍ରିୟା ବଢ଼ୁଛି । ଦେଖାଯାଉ ଏପରି କାର୍ଯ୍ୟରୁ ବାଳୁତ ବାବା ଦୂରଉଛନ୍ତି ନା ପୁଣି ପାଖଣ୍ଡ ନଟକ କରୁଛନ୍ତି?
State
ବଡ଼ବିଲ( ଦ କୁଇଭର ):- ସରକାରଙ୍କ ପକ୍ଷରୁ ଅବୈଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର, ବିକ୍ରି ଉପରେ କଟକଣା ରହିଛି। ଏ ସମ୍ପର୍କରେ ବଡବିଲ ପୌର ପାଳିକା ପକ୍ଷରୁ ସହର ମଧ୍ୟରେ ଏହିସବୁ ଜିନିଷ ବ୍ୟବହାର ତଥା ବିକ୍ରି ପାଇଁ ବାରଣ କରିବାକୁ ପୂର୍ବରୁ ପ୍ରଚାର କରା ଯାଇଥିଲା। ମାତ୍ର ଅତ୍ୟାବଧି ବଡବିଲ ସହର ମଧ୍ୟରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ଚାଲୁଥିବା ଖବର ପାଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ପୌରପାଳିକାର ଟିମ୍ ମଙ୍ଗଳବାର ଅପରାହ୍ନରୁ ବଡବିଲ ସହରର ମାର୍କେଟ ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ଦୋକାନ ଗୁଡ଼ିକରେ ଚଢାଉ କରି ବିପୁଳ ପରିମାଣରେ ଅବୈଧ ପଲିଥିନ,ପ୍ଲାଷ୍ଟିକ ଗ୍ଲାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଏହି କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ଚେତାବନୀ ଦିଆଯାଇଛି, ଯଦି ଆଗକୁ କୌଣସି ଦୋକାନୀ, ବ୍ୟବସାୟୀ ବା ଜନ ସାଧାରଣ ଏହି ଅବୈଧ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ବା ବ୍ୟବହାର କରନ୍ତି ହେଲେ ମୋଟା ଅଙ୍କର ଜରିମାନା ଆଦାୟ ସହ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ ଜଣାଇ ଦିଆ ଯାଇଛି।
State,Politics
କେନ୍ଦ୍ରାପଡ଼ା(ଦ କୁଇଭର): ରାଜ୍ୟ ଓ ଜାତୀୟ ରାଜନୀତିରେ ସର୍ବଦା ଚର୍ଚ୍ଚିତ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନେତା ମାନେ ଅକର୍ମା । ଏହାର ପ୍ରମାଣ ଜିଲ୍ଲାର ଆଣ୍ଠେଇଥିବା ବିକାଶ ହିଁ ଦେଉଛି । ଯଦି ନେତାମାନେ ଯୋଗ୍ୟ ହୋଇଥାନ୍ତେ, ତେବେ ଜିଲ୍ଲା ଏତେ ପଛରେ ନଥାନ୍ତା? ଜିଲ୍ଲାରେ ଏତେ ଦୁର୍ବଳ ଭିତ୍ତିଭୂମି ନଥାନ୍ତା? ଏମିତି କିଛି ପ୍ରଶ୍ନ ଉଠାଇ ଜିଲ୍ଲାର ଦଳମତ ନିର୍ବିଶେଷରେ ସମସ୍ତ ନେତାଙ୍କ ପେଣ୍ଟ ଖୋଲି ଦେଇଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ କୌଣସି ଜିଲ୍ଲାପାଳ ରାଜନେତା ମାନଙ୍କୁ ଆଇନା କେବଳ ଦେଖାଇ ନାହାନ୍ତି, ଅନ୍ୟ ଜିଲ୍ଲାପାଳ ମାନଙ୍କ ପାଇଁ ଉଦାହରଣ ବି ସୃଷ୍ଟି କରିଛନ୍ତି । ବୃତ୍ତିରେ ଜନସେବା ସବୁଠୁ ଆଗରେ ରହିବା ଆବଶ୍ୟକ ବୋଲି ସେ ଦେଖାଇ ଦେଇଛନ୍ତି ।
କେନ୍ଦ୍ରାପଡ଼ାର ବହୁ ତହୁଁ ବଡ଼ ତହୁଁ ବଡ଼ ନେତା ଅଛନ୍ତି । କିଏ ଜାତୀୟ ସ୍ତରରେ ତାଡ଼ି ପକାଉଥିବା କହୁଛନ୍ତି ତ ଆଉ କିଏ ରାଜ୍ୟ ସ୍ତରରେ ଉଖାଡ଼ି ପକାଉଥିବା ଦେଖାଉଛନ୍ତି । ଏପରି କାଢ଼ୁଆପଣ ଦେଖାଉଥିବା ନେତା ମାନଙ୍କ ମଧ୍ୟରେ ଅଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରତାପ ଦେବ, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜୟ ମହାପାତ୍ର, ଗଣେଶ୍ୱର ବେହେରା, ଧ୍ରୁବଚରଣ ସାହୁଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି, ଶ୍ରୀକାନ୍ତ ଜେନା, ଏପରିକି ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ରାପଡ଼ା ରାଜନୀତି ସହ ଜଡ଼ିତ । ଏମାନଙ୍କ ମଧ୍ୟରୁ ଅନେକ ବେଶ ପ୍ରଭାବୀ ବୋଲି ଦେଖାନ୍ତି । ଆଜି ବି ଏମାନେ କଥା ଛଳରେ ନିଜକୁ କାଢ଼ୁଆ ବୋଲି ଦେଖାଇ ଦିଅନ୍ତି ।
ହେଲେ ଏପରି କାଢ଼ୁଆ ନେତାଙ୍କର ବାସ୍ତବିକ ଚିତ୍ର ଦେଖାଉଛି କେନ୍ଦ୍ରାପଡ଼ା ଜିଲ୍ଲା ବିକାଶର ବିକିଳିଆ ଚିତ୍ର । ଏମାନଙ୍କ ପେଣ୍ଟ ଖୋଲି ଦେଲା ବାତ୍ୟା । ଅଳ୍ପ ପବନରେ ଅନେକ ଜନବସତି ଦୋହଲି ଗଲା । ରାସ୍ତାଘାଟ କଥା ଥରେ ବୁଲିଲେ ଜଣାପଡ଼ୁଛି, କେତେ ବିକାଶ ଏମାନେ କରିଛନ୍ତି । ଆଜି ବି ୫୨ଟି ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବିଜୁଳୀ ଏଠି ଲୁଚକାଳି ଖେଳେ । ଖରାଦିନରେ ବିଜୁଳୀ କେବଳ ବୁଲିବାକୁ ଆସେ । ପାଣି ପାଇଁ ବର୍ଷା ଦିନେ ବି ଲାଗୁଛି ଖଣ୍ଡଯୁଦ୍ଧ । ଶିକ୍ଷା କଥା ନକହିବା ଭଲ । ଏଠି ଅଧିକାଂଶ ପିଲା ଦାଦନ ଖଟିବାକୁ ଯାଉଛନ୍ତି । ଯାହାର ପ୍ରମାଣ ଖୋଦ ସାଂସଦ ବୈଜୟନ୍ତ । ପ୍ରାୟ ପ୍ରତିମାସ ସେ ବିଭିନ୍ନ ସ୍ଥାନରୁ ଅଟକ ଦାଦନଙ୍କୁ ଉଦ୍ଧାର କରୁଛନ୍ତି ନହେଲେ ମୃତଦେହ ଫେରାଇବାରେ ସହଯୋଗ କରୁଛନ୍ତି । ଏସବୁ ଚିତ୍ର ଦେଖିବା ପରେ କେହି ସୁଚିନ୍ତିତ ବ୍ୟକ୍ତି କହିବେ କି ଏଠାକାର ନେତାମାନେ କର୍ମଠ? ଏମାନେ ପାରିବାର?
କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ଚିକ୍ରାର କରି କହୁଛି ଅଯୋଗ୍ୟ ନେତା ମାନଙ୍କ ଅସଲ ଚରିତ୍ର । କେମିତି ନିଜ ବିକାଶ ପାଇଁ ଜିଲ୍ଲାର ବିକାଶକୁ ବନ୍ଧା ପକାଇ ଦେଇଛନ୍ତି ଏମାନେ । ଲୋକେ ମରନ୍ତୁ ପଛେ ଏମାନେ ନିଜ ସ୍ୱାର୍ଥ ପାଇଁ ଲାଗିଛନ୍ତି । ଏହି ଚିତ୍ରକୁ ବୋକଚାବୁହା ନେତା ଓ ଅଫିସରମାନେ ଖୋଲୁ ନଥିଲେ । ହେଲେ ଏବେ ଜିଲ୍ଲାପାଳ ଥିବା ସ୍ମୃତିରଞ୍ଜନ ପ୍ରଧାନ ନେତା ମାନଙ୍କ ଅକର୍ମାପଣକୁ କେଞ୍ଚିଛନ୍ତି । ଦେଖାଇଛନ୍ତି ଏମାନଙ୍କ ଯୋଗ୍ୟତା ଆଉ ନେତା ହେବାକୁ ଏମାନେ କେତେ ପାରଙ୍ଗମ । ଏପରି ସାହସ ଯଦି ପ୍ରତି ଅଫିସରମାନେ ଦେଖାନ୍ତେ, ତେବେ ରାଜନୀତିରେ ଦୁର୍ନୀତି ମୂଳପୋଛ ହୋଇଯାଆନ୍ତା ବୋଲି କୁହାଯାଉଛି । ଦେଖାଯାଉ ଜିଲ୍ଲାପାଳଙ୍କ ଏହି କଥାକୁ ନେତାମାନେ କେତେ ଦେହକୁ ନେଇ ବିକାଶକୁ କେଉଁ ଦିଗକୁ ନେଉଛନ୍ତ?
National
ଦ କୁଇଭର ବ୍ୟୁରୋ :- ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର କୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମ ସୂଚନା ଅନୁସାରେ, ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ୩ ଦିନ ଧରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗଦେବା ପରେ ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ତା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରି ସଡ଼କ ପଥରେ ନିଜ ଜନ୍ମମାଟି ଉପରବେଡ଼ା ଗାଁକୁ ଯିବେ। ୭ ତାରିଖ ସକାଳେ କିଛି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ କଲେଇକୁଣ୍ତା ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
Politics,State
ଯାଜପୁର( ଦ କୁଇଭର ):- ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନିଜେ ବିଧାୟକ ଶ୍ରୀ ସାହୁ କହିଛନ୍ତି । ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ଆକ୍ରମଣ ସଂପର୍କରେ ଗଣାମାଧ୍ୟମକୁ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା । ଏହି ସମୟରେ ମୋ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲା । ହଠାତ୍ କିଛି ଲୋକ ଠେଙ୍ଗା ଓ ଟେକା ପଥରରେ ମୋ ଉପରେ ଓ ମୋ କାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ରମଣକାରୀ ମାନେ ବବି ଦାସଙ୍କ ନାଁ ନେଇ ମୋ ଉପରେ ଆକ୍ରମଣ କରିଥିଲେ’।ପିଏସ୍ଓ ଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ । ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ’ ।
ଯାଜପୁର ମାଇନର ମିନେରାଲ ବିଭାଗର ଡିଡିଏମ୍ ଅଫିସକୁ କାରରେ ଯାଉଥିଲେ ବିଧାୟକ । ଯାଜପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସଂନ୍ଧନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଏନେଇ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣା ଘଟିବା ସମୟରେ ମୁଁ ସେ ସ୍ଥାନରେ ନଥିଲି । ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।’
Shree Jagannath
ଦ କୁଇଭର ବ୍ୟୁରୋ :- ଆଜି ମାର୍ଗଶୀର ମାସର ପ୍ରଥମ ମାଣବସା ଗୁରୁବାର l ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଠି ଚଳ ଚଞ୍ଚଳ l ପ୍ରତ୍ୟେକ ଓଡ଼ିଆ ଘରେ ଏହି ମାଣବସା ଗୁରୁବାର ପାଳନ କରାଯାଇଥାଏ l ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ l ପ୍ରତ୍ୟେକ ଓଡ଼ିଆ ଘର ର ବୋହୁ ଭୋର ସମୟରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ମାଁ ଲକ୍ଷ୍ମୀ ଙ୍କୁ ନିଷ୍ଠାର ସହିତ ପୂଜା କରିଥାନ୍ତି l ତା ପୂର୍ବ ଦିନ ଅର୍ଥାତ ବୁଧବାର ଦିନ ରାତିରୁ ଘର ଦ୍ୱାର ସଫା ସୁତୁରା କରି ଦେଇଥାନ୍ତି l ମା ଲକ୍ଷ୍ମୀଙ୍କ ପୂଜା ନିଷ୍ଠାର ସହିତ ପାଳନ କଲେ ଧନ ଧାନ୍ୟ ରେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି l ମାର୍ଗଶୀର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୋଇଥାଏ l ଚାଷୀ ତାର ଖଳାକୁ ଧାନ ଆଣିଥାଏ l ଧାନ ର ଶିଶାରେ ବେଣୀ ବାନ୍ଧି କରି ଶୁଖାଇ ଯତ୍ନ ସହକାରେ ରଖିଥାଏ l ଧାନକୁ ଲକ୍ଷ୍ମୀ ଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ l ଗାଁ ମାନଙ୍କରେ ମହିଳା ମାନେ ମାଟିଘରକୁ ଗୋବର ରେ ଲିପା ପୋଛା କରି ନୂଆ ଚାଉଳ ( ଅରୁଆ ) ପିଠାଉ ରେ ଝୋଟି ଏବଂ ଲକ୍ଷ୍ମୀ ପାଦ ଚିତ୍ର ଆଙ୍କନ୍ତି l ଏହି ମାଣବସା ଗୁରୁବାର ସମଗ୍ର ଓଡିଶା ସହିତ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ରେ ପାଳନ କରାଯାଉଛି l ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ l ପିଠା ପଣା ଓ ଫଳ ମୂଳ ଭୋଗ ଲକ୍ଷ୍ମୀ ଙ୍କ ପାଖରେ ଲଗାଯାଏ l ବିଭିନ୍ନ ପାଳିରେ ଭିହ୍ନ ଭିହ୍ନ ପିଠା ପଣା ମାଁ ଲକ୍ଷ୍ମୀ ଙ୍କ ପାଖରେ ଭୋଗ ଲଗାଯାଇଥାଏ l ମଧ୍ୟାହ୍ନ ସମୟରେ ଅନ୍ନ ଭୋଗ ଲଗାଯାଏ l ଏହି ଦିନ ମା ଲକ୍ଷ୍ମୀ ଙ୍କ ପାଖରେ ଲକ୍ଷ୍ମୀ ପୁରାଣ ବୋଲାଯାଇଥାଏ l ଏହି ଦିନର ଭୋଗ ଘର ର ସମସ୍ତ ସଦସ୍ୟ ଖାଇଥାନ୍ତି l ଏହା ଅନ୍ୟ କାହାକୁ ଦେବାର ନିୟମ ନାହିଁ l
State
ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି ।ଜୟୀରାମ ସାମଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରିଛି ଓଡ଼ିଆ ସିନେ ଜଗତ । ୨୦୨୧ ବର୍ଷ ପାଇଁ ଶ୍ରୀନିବାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ଓଡ଼ିଆ ସିନେମାର ମହାନ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି । ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
Education,Health & lifestyle
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଛାତ୍ରୀ ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଗୋଛାବାଡ଼ି ଅଞ୍ଚଳ ର ରୂପାଲି ନାୟକ। ସରକାରୀ ଆଇଟିଆଇ ର କମ୍ପ୍ୟୁଟର ବିଭାଗର ଡିପ୍ଲୋମା ଛାତ୍ରୀ ଭାବେ ପଡ଼ୁଥିବା ବେଳେ ପଲିଟେକନିକ୍ ଲେଡିସ ହଷ୍ଟେଲ ରେ ରହୁଥିଲେ। ଆଜି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ରୂପାଲି ଙ୍କୁ ଏମ୍ କେ ସି ଜି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
State,Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା ଚାଲିଛି । କେବଳ ପାୱାର କରିଡର ନୁହେଁ, ପ୍ରଶାସନିକ ସ୍ତରରେ ବି ଟୁପୁରୁ ଟାପର ଚାଲିଛି । ଆଉ ୭ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା । ହେଲେ ସେ ଆସିବେ ତ? ଯଦି ଆସିବେ କେଉଁ ରୁପରେ ପ୍ରଶାସିକା ହୋଇ ଆସିବେ ନା ବିଜେଡିର ଅଫିସିଆଲ ନେତ୍ରୀ ହୋଇ ଆସିବେ? ଏ ଚର୍ଚ୍ଚା ଏବେ ଭିତରେ ଭିତରେ ଗୁମୁରୁଛି ।
ସୁଜାତା ଆର କାର୍ତ୍ତିକେୟନ ବା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ । ଦୀର୍ଘଦିନରୁ ସେ ବେଶ ବିବାଦୀୟ ହୋଇ ରହିଥିଲେ । ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ବିଜେପି । ନିର୍ବାଚନ ବେଳେ ସେ ପକ୍ଷପାତିତା କରୁଛନ୍ତି, ତାଙ୍କ ପ୍ରଶାସିକା କ୍ଷମତାକୁ ବିଜେଡି ପାଇଁ ନିୟୋଜିତ କରୁଛନ୍ତି । ଏମିତି ଅନେକ ଅଭିଯୋଗ ଆଣି ସୁଜାତାଙ୍କ ପ୍ରଶାସନିକ ଭାବମୂର୍ତ୍ତୀକୁ କଳଙ୍କମୟ କରିଦେଇଥିଲେ । ଏପରିକି ଅଭିଯୋଗ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ପାଇବା ପରେ ନିର୍ବାଚନ କମିସନ ତାଙ୍କୁ ଦାୟିତ୍ୱରୁ ହଟାଇ ବିନା ଦାୟିତ୍ୱରେ ରଖିଥିଲେ । ମିଶନଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ କରିଦେଲେ ସରକାର ।
ଏହାପରେ ତାଙ୍କ ପ୍ରତି ଅଡ଼ୁଆ ବଢ଼ିବା ସେ ବାସ୍ନା କାଳେ ବାରି ପାରିଲେ । ତେଣୁ ବିନା ବାଦଲରେ ବର୍ଷା ଭଳି ମାଟି୍ରକ ପରୀକ୍ଷା ସମୟ ହୋଇ ନଥିଲେ ମଧ୍ୟ ସେ ତାଙ୍କ ଝିଅର ପରୀକ୍ଷା ପ୍ରସ୍ତୁତି ଦର୍ଶାଇ ୧୮୦ଦିନ ଛୁଟିରେ ଚାଲିଗଲେ । ବିଜେଡି ସରକାର ଥିବା ବେଳେ କେହି କିଛି ଜାଣିବା ପୂର୍ବରୁ ସୁଜାତାଙ୍କର ଛୁଟି ୨୦୨୪ ମେ ୩୧ ତାରିଖ ଠାରୁ ୨୦୨୪ ନଭେମ୍ବର ୨୬ ପର୍ଯ୍ୟନ୍ତ ଅନୁମୋଦିତ ହୋଇଯାଇଥିଲା । ସର୍ବଭାରତୀୟ ସେବା ରୁଲ ୧୯୫୫ର ଧାରା ୧୮-ଘ ଅନୁଯାୟୀ ତାଙ୍କୁ ଏହି ଛୁଟି ଅନୁମୋଦନ କରାଯାଇଥିଲା । ତାଙ୍କ ଛୁଟି ସମ୍ପର୍କରେ ଜଣାପଡ଼ିବା ବେଳକୁ ସେ ଭାରତ ଛାଡ଼ି ଇଟାଲୀରେ ଥିଲେ । ବେଶ ଘଣ୍ଟା ଚକଟା ହେଲା ରାଜ୍ୟରେ । ଗଣମାଧ୍ୟମ ଜୁନ ୭ ତାରିଖ ଖବର ପାଇବା ପରେ ନାନା ଖବର ପ୍ରଚାର ହେଲା ।
ଏବେ ସବୁ କିଛି ଥମି ଯାଇଛି । ଆଉ କିଛି ସୋର ଶବ୍ଦ ନାହିଁ । ଇତିମଧ୍ୟରେ ସୁଜାତାଙ୍କର ଛୁଟି ସରି ସରି ଆସିଲାଣି । ନଭେମ୍ବର ୨୭ ତାରିଖ ଦିନ ସେ ପୁଣି ଓଡ଼ିଶା ପ୍ରଶାସନିକ କ୍ଷେତ୍ରରେ ଯୋଗଦେବେ ବୋଲି ନିଦେ୍ର୍ଦଶନାମା କହୁଛି । ହେଲେ ସେ ଆସିବେ କି ନାହିଁ ସେନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ନବୀନଙ୍କ ସରକାରରେ ଯଦି ଦଳୀୟ ସମର୍ଥନ କରି ସବୁଠୁ ବିବାଦୀୟ ହୋଇଥାନ୍ତି, ତେବେ ସେ ହେଉଛନ୍ତି ସୁଜାତା । ଏବେ ମୋହନ ସରକାରରେ ସେ ଆସି କାର୍ଯ୍ୟରେ ଯୋଗଦେବେ ନା ଭିନ୍ନ ଭିନ୍ନ କାର୍ଯ୍ୟପନ୍ଥା ନେବେ?
ଏମିତି ଚର୍ଚ୍ଚା ଏବେ ଆଇଏଏସ ମହଲରେ ଚାଲିଛି । ପଦ ମର୍ଯ୍ୟାଦାକୁ ଭୁଲି ନବୀନଙ୍କ ପ୍ରତି ଆନୁଗତ୍ୟ ଦେଖାଇଥିବା ଡିଏସ କୁଟ୍ଟେ ଓ ଆଶୀଷ ସିଂଙ୍କ ସ୍ଥିତି ସମସ୍ତେ ଦେଖୁଛନ୍ତି । କେବଳ ସେତିକି ନୁହେଁ ଆହୁରି ଅନେକ ବରିଷ୍ଠ ଅଧିକାରୀଙ୍କ ସ୍ଥିତି ବି ଦେଖାଗଲାଣି । ଅନେକ ଆଇଏଏସ ବି ପଦ ମର୍ଯ୍ୟାଦା ହରାଇ ଏବେ ଘାଣ୍ଟି ହେଉଛନ୍ତି । ଏଭଳି ସ୍ଥିତିରେ ସୁଜାତା ଆସିବେ ନା ନାହିଁ ସେହି ଚର୍ଚ୍ଚା ଚାଲିଛି । ଦୁଇଟି କଥା ଏବେ ଚର୍ଚ୍ଚାରେ ଅଛି, ଭିକେ ପାଣ୍ଡିଆନ ବିଜେପି ସହ ଡିଲ କରି ସୁଜାତାଙ୍କୁ ଭଲ ସ୍ଥାନରେ ରଖି ପାରିବେ, କିମ୍ବା ଭିଆରଏସ ପର୍ଯ୍ୟନ୍ତ ଥଇଥାନ କରିପାରିବେ । ଅନ୍ୟଟି ହେଲା ପୂର୍ବରୁ ସୁଜାତା ବିଜେଡିରେ ଯୋଗଦେବେ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । ହେଲେ ସବୁ କିଛି ଅଙ୍କ ଓଲଟପାଲଟ କରିଦେଲେ ଓଡ଼ିଶାବାସୀ । ପାଣ୍ଡିଆନଙ୍କୁ ବିରୋଧ କରି ପୂରା ଗେମ ଓଲଟି ଗଲା ।
ଏବେ ବି ବିଜେଡି ପାଖରେ ପରପିଢ଼ୀର ନେତା ନାହାନ୍ତି । ବିଜେଡିକୁ ସମ୍ଭାଳିବା ପାଇଁ ନେତା ମିଳୁ ନାହାନ୍ତି । ପାଣ୍ଡିଆନ କାଳେ ପାଣ୍ଠି ମାଡ଼ି ବସିଛନ୍ତି । ତେଣୁ ଅନ୍ୟ କେହି ଚାହିଁଲେ ବି ଦଳକୁ ଚଳାଇବା କଷ୍ଟ ହେବ । ସୁଜାତା ଯଦି ଚାକିରୀକୁ ନଆସନ୍ତି, ତେବେ ପାଣ୍ଡିଆନ ପଛରେ ରହି ତାଙ୍କୁ ଆଗରେ ରଖି ବିଜେଡି ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ସୁଜାତାଙ୍କ ଆଗାମୀ ପନ୍ଥା ନେଇ ଆଇଏଏସ ମହଲରେ ଚର୍ଚ୍ଚା ଚାଲିଛି । ସୁଜାତା ଅଫିସର ହେବେ ନା ନେତ୍ରୀ?
Politics,National
ମୁମ୍ବାଇ(ଦ କୁଇଭର): ମହାରାଷ୍ଟ୍ରରେ କିଏ ସରକାର ଗଢ଼ିବ? କାହାକୁ ଲୋକେ ଦେବେ ଶାସନର କ୍ଷମତା? ଦେଶର ଆର୍ଥିକ ରାଜଧାନୀ ଭାବେ ପରିଚିତ୍ର ମହାରାଷ୍ଟ୍ରରେ ରାଜ କରିବ କିଏ? ଏନେଇ ପ୍ରଶ୍ନ ଯେତିକି ବଢ଼ୁଛି, ଭୋଟଦାତାଙ୍କୁ ଦୁଇଭାଗ କରି ଦ୍ୱନ୍ଦ ସେତିକି ବଢ଼ାଉଛନ୍ତି ରାଜନେତାମାନେ । ମୁସଲମାନ ଧର୍ମଗୁରୁ ଏବଂ ବରିଷ୍ଠ ନେତା ସରଦ ପାୱାରଙ୍କ ଗୋଷ୍ଠୀ ଭୋଟ ଜିହାଦ କହି ମୁସଲମାନ ମାନଙ୍କ ଭୋଟକୁ ହାତେଇବାକୁ ଲଗିଥିବା ବେଳେ ବିଜେପିର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଟୋଗେ ତ କଟୋଗେ ନାରା ଦେଇ ହିନ୍ଦୁଙ୍କୁ ଆହ୍ୱାନ ଦେଇଛନ୍ତି । ମହାରାଷ୍ଟ୍ର କ୍ଷମତା ଯୁଦ୍ଧରେ ଏବେ ହିନ୍ଦୁ ମୁସଲମାନ ଭୋଟଦାତାଙ୍କୁ ନେଇ ଭାଗ ଭାଗ ରାଜନୀତି ଚାଲିଛି ।
ମହାରାଷ୍ଟ୍ରରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବାକୁ ଉଦ୍ୟମ କରୁଛି । ୨୦୧୪ରେ ବିଜେପି ଶାସନ କରୁଥିଲା । ୨୦୧୯ରେ ବିଜେପିକୁ ହଟାଇଥିଲେ ଲୋକେ । ଶିବସେନା ନେତୃତ୍ୱରେ ଏନସିପି ଓ ଅନ୍ୟମାନେ ସରକାର ଗଢ଼ିଲେ । ମାତ୍ର ଏମିତି କୁଟନୀତି ଚଳାଇଲା ବିଜେପି, ଶିବସେନା ସରକାର ଭାଙ୍ଗି ଛାରଖାର ହୋଇଗଲା । ଏହାପରେ ଶିବସେନାକୁ ଭାଙ୍ଗି ସରକାର ଗଢ଼ିଦେଲା ବିଜେପି । ପୁଣି ମହାରାଷ୍ଟ୍ରରେ ବିଜେପିର ଶାସନ ଚାଲିଛି । ଏଥର ପୁଣି ଥରେ ଗାଦି ହାତେଇବାକୁ ବିଜେପି ଜୀ ଜାନ ଲଗାଇ ଦେଇଛି । ମହାୟୁତି ମେଣ୍ଟ ଶାସନକୁ ଆସିବ କି ନାହିଁ ସେନେଇ ଏବେ ବି ଦ୍ୱନ୍ଦ ରହିଛି । ବିଜେପି କରିଥିବା କୁଟନୀତି ଏବଂ ଲଗାତର ଶାସନ କାଳରେ ବିକାଶ ଆଖି ଦୁରୁଶିଆ ହୋଇ ନଥିବା ଦର୍ଶାଇ ଏନସିପି, କଂଗ୍ରେସ, ଶିବସେନା ଭଳି ଦଳର ମହାବିକାଶ ଆଗାଡ଼ି ଲଢ଼େଇ ଚଳାଇଛନ୍ତି ।
ମହବିକାଶ ଆଗାଡ଼ି ପଛରେ କାଳେ ମୁସଲମାନ ସମ୍ପ୍ରଦାୟର ସମର୍ଥନ ରହିଛି । ସେଥିପାଇଁ ଏବେ ଏମାନଙ୍କୁ ଭୋଟ ଦେବା ପାଇଁ ଫତୁଆ ଜାରି କରୁଛନ୍ତି ଅନେକ ମୌଲବି । ବିଜେପିକୁ ଭୋଟ ନଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛି ମହାୟୁତି । ଏହାକୁ ନେଇ ଏବେ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଶରଦ ପାୱାରଙ୍କ ବିବାଦୀୟ ଭୂମିକାକୁ କଡ଼ା ସମାଲୋଚନା କରୁଛି ବିଜେପି । କଂଗ୍ରେସ ସର୍ବଦା ମୁସଲିମ ଭୋଟ ମାଧ୍ୟମରେ କ୍ଷମତାକୁ ଆସୁଥିବା ଦର୍ଶାଇ ମହାୟୁତି ବଟୋଗେ ତୋ କଟୋଗେ ନାରା ଦେଇଛି । ମହାବିକାଶ ଆଗାଡ଼ିର ଭୋଟ ଜିହାଦ ଓ ମହାୟୁତିର ବଟୋଗେ ତୋ କଟୋଗେ ନାରା ସରଗରମ ହେଉଛି । ଦେଖାଯାଉ ମହାରାଷ୍ଟ୍ରରେ ଭୋଟ ଜିହାଦ ବାଜି ମାରୁଛି ନା ହିନ୍ଦୁଙ୍କ ଏକତାର ଡକରା ଫଳ ଦେଉଛି?