Banner Ad

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ
Published by : Jyotshna Kumari
#Politics
Nov 21, 2024, 8:04 AM

ଯାଜପୁର( ଦ କୁଇଭର ):- ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନିଜେ ବିଧାୟକ ଶ୍ରୀ ସାହୁ କହିଛନ୍ତି । ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।


ଆକ୍ରମଣ ସଂପର୍କରେ ଗଣାମାଧ୍ୟମକୁ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା । ଏହି ସମୟରେ ମୋ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲା । ହଠାତ୍ କିଛି ଲୋକ ଠେଙ୍ଗା ଓ ଟେକା ପଥରରେ ମୋ ଉପରେ ଓ ମୋ କାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ରମଣକାରୀ ମାନେ ବବି ଦାସଙ୍କ ନାଁ ନେଇ ମୋ ଉପରେ ଆକ୍ରମଣ କରିଥିଲେ’।ପିଏସ୍‌ଓ ଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ । ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ’ ।

ଯାଜପୁର ମାଇନର ମିନେରାଲ ବିଭାଗର ଡିଡିଏମ୍ ଅଫିସକୁ କାରରେ ଯାଉଥିଲେ ବିଧାୟକ । ଯାଜପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସଂନ୍ଧନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଏନେଇ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣା ଘଟିବା ସମୟରେ ମୁଁ ସେ ସ୍ଥାନରେ ନଥିଲି । ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।’

Leave a Comment

Comments

No comments yet.

Best Biofloc Fish Farming

ad
Read more

Politics

ଦୀପାଳୀଙ୍କ ଅକଲ ଗୁଡ଼ୁମ୍

Blog Thumbnail

ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ଅକଲ ଗୁଡ଼ୁମ ହୋଇଗଲାଣି । ବାପା ସ୍ୱର୍ଗତ ନବ ଦାସଙ୍କ ଦେହାନ୍ତ ପରେ ଭାବିଥିଲେ ଉଭୟ ରାଜନୈତିକ ଓ ବ୍ୟବସାୟିକ ସାମ୍ରାଜ୍ୟକୁ ସୁରକ୍ଷିତ ରଖିଦେବେ । ହେଲେ ସବୁ ଫସର ଫାଟିଗଲା । ବିଧାୟକ ଟଙ୍କଧରଙ୍କ ମାଡ଼ରେ ଦୀପାଳୀଙ୍କ ଗଡ଼ ଛାରଖାର ହୋଇଗଲା । ରାଜନୈତିକ ସାମ୍ରାଜ୍ୟ ଧୂଳିସାତ ହେବା ପରେ ଏବେ ଦୀପଳୀଙ୍କ ପରିବାରର ବେପାର ଚିନ୍ତା ଘାରିଛି । ସେପଟେ ଟଙ୍କଧର ଲଗାତର ମାଡ଼ ମାରି ଚାଲିଛନ୍ତି । ରାଜନୀତିରେ ଦୀପଳୀଙ୍କୁ ଶୂନ କରିବା ପରେ ଏବେ ତାଙ୍କ ବେପାର ସାମ୍ରାଜ୍ୟକୁ ଧୂଳି କରିବାକୁ ଲାଗିଛନ୍ତି । ପ୍ରଥମ ମାଡ଼ ଦେଇଛନ୍ତି ପାଉଁଶ ପାଣ୍ଠି । ମାସିକ କୋଟି କୋଟି ଟଙ୍କାର ପାଣ୍ଠିକୁ ହଠାତ ମାଡ଼ କରିଦେଇଛନ୍ତି । ଯାହା ଦୀପାଳୀଙ୍କ ବେପାର ସାମ୍ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏବେ ଟ୍ରାନ୍ସପୋର୍ଟ ବେପାର ଉପରେ ମାଡ଼ ହେବ ବୋଲି ଯୋଜନା ଚାଲିଛି ।

ଟଙ୍କଧର ଏବଂ ନବଙ୍କ ବିରୋଧୀ ମାନଙ୍କର କ୍ରମାଗତ ମାଡ଼ରେ ଏବେ ଛାନିଆ ହେଲେଣି ଦୀପାଳୀ ଓ ତାଙ୍କ ଭାଇ ବିଶାଲ ଦାସ । ହଜାର ହଜାର କୋଟିର ମାଲିକ ଥିବା ଏହି ଦୁଇଜଣ ଏବେ କାଳେ ଥଳକୂଳ ପାଉ ନାହାନ୍ତି । କେମିତି ବି ହେଲେ ନିଜ ସାମ୍ରାଜ୍ୟ ବଞ୍ଚାଇବାକୁ ଜୀ ଜାନ ଲଗାଇ ଦେଇଛନ୍ତି । ବିଜେଡି ତ ସୁରକ୍ଷା ଦେଇ ପାରିବ ନାହିଁ, ବିଜେପି ତାଙ୍କୁ ଅପଣଉ ନାହିଁ । ଏପରିକି ବିଜେପିରେ ପ୍ରଭାବ ରଖୁଥିବା ବିଶାଲଙ୍କ ଶ୍ୱଶୁର ବି ଏପର୍ଯ୍ୟନ୍ତ ସହଯୋଗ କରି ନାହାନ୍ତି । କୌଣସି ପ୍ରକାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମର୍ଥନ ଟିକେ ପାଇ ଏପର୍ଯ୍ୟନ୍ତ ରହିଛନ୍ତି । ହେଲେ ସୁରେଶଙ୍କ ସହଯୋଗ କାଳେ ବେଶୀଦିନ ରହିବ ନାହିଁ । ତେଣୁ ସେମାନେ ଏବେ ଭାଳି ହେଉଛନ୍ତି କେଉଁ ରାସ୍ତା ଆପଣେଇବେ?

ରାଜନୀତିରେ ଥିବା ବେଳେ ଦୀପାଳୀ କିମ୍ବା ବିଶାଲ ଇନ୍ଦ୍ରଚନ୍ଦ୍ର ମାନୁ ନଥିଲେ । ସବୁ ତାଙ୍କ ପାଦତଳେ ବୋଲି ଭାବୁଥିଲେ । ନା ସାମାଜିକ ଦାୟିତ୍ୱ ତୁଲାଇଥିଲେ ନା କୌଣସି ସଂଗଠନ ଗଢ଼ିଥିଲେ । କେବଳ ପାଣ୍ଠି ସଂଗ୍ରହରେ ଲାଗିଥିଲେ । ଏହି ପରିବାର ପାଖରେ ଟଙ୍କା ତ କାଳେ ପ୍ରଚୁର ଅଛି, ହେଲେ ଏବେ ସୁରକ୍ଷା ଦେବାକୁ କେହି ନାହିଁ । ଏଣେ ତେଣେ ବୁଲୁଛନ୍ତି । ଅଯଥାରେ ମୁଣ୍ଡ ପିଟି ଟଙ୍କା ଢ଼ାଳୁଛନ୍ତି । ଯେମିତି ଟଙ୍କଧରଙ୍କ ବିଧାୟିକ ହେବାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ହାଇକୋର୍ଟରେ ମାମଲା ଲଢ଼ୁଛନ୍ତି । ଭାବିଛନ୍ତି ହାଇକୋର୍ଟ ଭୟ ଦେଖାଇ ସେ ତାଙ୍କ ସାମ୍ରାଜ୍ୟକୁ ସୁରକ୍ଷିତ ରଖିପାରିବେ । ହେଲେ ଦୀପାଳୀ ଭୁଲି ଯାଇଛନ୍ତି ସେ ଟଙ୍କଧରଙ୍କ ବିରୋଧରେ ନୁହେଁ ବିଜେପି ଭଳି ଜାତୀୟ ଦଳ ବିରୋଧରେ ଲଢ଼ୁଛନ୍ତି । ସରକାର ବିରୋଧରେ ଲଢ଼ି ଠିକଣା ସମୟରେ ଜିତିବାର ରେକର୍ଡ ଆଜି ପର୍ଯ୍ୟନ୍ତ ନାହିଁ । ବରଂ ଟଙ୍କଧରଙ୍କ ସହ ଲଢ଼େଇ ତାଙ୍କୁ କାଳେ ମହଙ୍ଗା ପଡ଼ିବା ଆରମ୍ଭ କଲାଣି । ପାଉଁଶ ମାଡ଼ ପରେ ଏବେ ଟ୍ରାନ୍ସପୋର୍ଟ ଓ ପରେ ତାଙ୍କ କମ୍ପାନୀ ଉପରେ ମାଡ଼ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

ଦୀପାଳୀ ତାଙ୍କ ସୁରକ୍ଷା ପାଇଁ ଯେତେ ବି ପ୍ଲାନ କରୁଛନ୍ତି ତାହା ଫେଲ ମାରୁଛି । ପରିପକ୍ୱତା ନଥାଇ ପ୍ରଚୁର ଧନ ଧରି ବୁଲିବା ସେମାନଙ୍କୁ ଧିରେ ଧିରେ ଅଶହାୟତା ଆଡ଼କୁ ଟାଣି ନେଉଛି । ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଦୀପାଳୀ ଓ ବିଶାଲ ଟଙ୍କଧରଙ୍କ ସହ ନଲଢ଼ି ନିଜକୁ ସଶକ୍ତ କଲେ ହିଁ ସୁରକ୍ଷିତ ରହିପାରିବେ । ନହେଲେ ଆସନ୍ତା ୫ବର୍ଷ ପରେ ଦୀପାଳୀ ଓ ବିଶାଲଙ୍କ ସ୍ଥିତି ନଥିବ ବୋଲି କହୁଛନ୍ତି । ଦେଖାଯାଉ ଦୀପାଳୀ ତାଙ୍କ ଉଭୟ ସାମ୍ରାଜ୍ୟ ରଖି ପାରୁଛନ୍ତି ନା ଅର୍ଥର ଅହଂକାରରେ ସବୁ କିଛି ହଜାଇ ଦେଉଛନ୍ତି?


State,Politics

ନେତାଙ୍କ ପେଣ୍ଟ ଖୋଲିଦେଲେ ଜିଲ୍ଲପାଳ

Blog Thumbnail

କେନ୍ଦ୍ରାପଡ଼ା(ଦ କୁଇଭର): ରାଜ୍ୟ ଓ ଜାତୀୟ ରାଜନୀତିରେ ସର୍ବଦା ଚର୍ଚ୍ଚିତ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନେତା ମାନେ ଅକର୍ମା । ଏହାର ପ୍ରମାଣ ଜିଲ୍ଲାର ଆଣ୍ଠେଇଥିବା ବିକାଶ ହିଁ ଦେଉଛି । ଯଦି ନେତାମାନେ ଯୋଗ୍ୟ ହୋଇଥାନ୍ତେ, ତେବେ ଜିଲ୍ଲା ଏତେ ପଛରେ ନଥାନ୍ତା? ଜିଲ୍ଲାରେ ଏତେ ଦୁର୍ବଳ ଭିତ୍ତିଭୂମି ନଥାନ୍ତା? ଏମିତି କିଛି ପ୍ରଶ୍ନ ଉଠାଇ ଜିଲ୍ଲାର ଦଳମତ ନିର୍ବିଶେଷରେ ସମସ୍ତ ନେତାଙ୍କ ପେଣ୍ଟ ଖୋଲି ଦେଇଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ କୌଣସି ଜିଲ୍ଲାପାଳ ରାଜନେତା ମାନଙ୍କୁ ଆଇନା କେବଳ ଦେଖାଇ ନାହାନ୍ତି, ଅନ୍ୟ ଜିଲ୍ଲାପାଳ ମାନଙ୍କ ପାଇଁ ଉଦାହରଣ ବି ସୃଷ୍ଟି କରିଛନ୍ତି । ବୃତ୍ତିରେ ଜନସେବା ସବୁଠୁ ଆଗରେ ରହିବା ଆବଶ୍ୟକ ବୋଲି ସେ ଦେଖାଇ ଦେଇଛନ୍ତି ।

କେନ୍ଦ୍ରାପଡ଼ାର ବହୁ ତହୁଁ ବଡ଼ ତହୁଁ ବଡ଼ ନେତା ଅଛନ୍ତି । କିଏ ଜାତୀୟ ସ୍ତରରେ ତାଡ଼ି ପକାଉଥିବା କହୁଛନ୍ତି ତ ଆଉ କିଏ ରାଜ୍ୟ ସ୍ତରରେ ଉଖାଡ଼ି ପକାଉଥିବା ଦେଖାଉଛନ୍ତି । ଏପରି କାଢ଼ୁଆପଣ ଦେଖାଉଥିବା ନେତା ମାନଙ୍କ ମଧ୍ୟରେ ଅଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରତାପ ଦେବ, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜୟ ମହାପାତ୍ର, ଗଣେଶ୍ୱର ବେହେରା, ଧ୍ରୁବଚରଣ ସାହୁଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି, ଶ୍ରୀକାନ୍ତ ଜେନା, ଏପରିକି ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ରାପଡ଼ା ରାଜନୀତି ସହ ଜଡ଼ିତ । ଏମାନଙ୍କ ମଧ୍ୟରୁ ଅନେକ ବେଶ ପ୍ରଭାବୀ ବୋଲି ଦେଖାନ୍ତି । ଆଜି ବି ଏମାନେ କଥା ଛଳରେ ନିଜକୁ କାଢ଼ୁଆ ବୋଲି ଦେଖାଇ ଦିଅନ୍ତି ।

ହେଲେ ଏପରି କାଢ଼ୁଆ ନେତାଙ୍କର ବାସ୍ତବିକ ଚିତ୍ର ଦେଖାଉଛି କେନ୍ଦ୍ରାପଡ଼ା ଜିଲ୍ଲା ବିକାଶର ବିକିଳିଆ ଚିତ୍ର । ଏମାନଙ୍କ ପେଣ୍ଟ ଖୋଲି ଦେଲା ବାତ୍ୟା । ଅଳ୍ପ ପବନରେ ଅନେକ ଜନବସତି ଦୋହଲି ଗଲା । ରାସ୍ତାଘାଟ କଥା ଥରେ ବୁଲିଲେ ଜଣାପଡ଼ୁଛି, କେତେ ବିକାଶ ଏମାନେ କରିଛନ୍ତି । ଆଜି ବି ୫୨ଟି ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବିଜୁଳୀ ଏଠି ଲୁଚକାଳି ଖେଳେ । ଖରାଦିନରେ ବିଜୁଳୀ କେବଳ ବୁଲିବାକୁ ଆସେ । ପାଣି ପାଇଁ ବର୍ଷା ଦିନେ ବି ଲାଗୁଛି ଖଣ୍ଡଯୁଦ୍ଧ । ଶିକ୍ଷା କଥା ନକହିବା ଭଲ । ଏଠି ଅଧିକାଂଶ ପିଲା ଦାଦନ ଖଟିବାକୁ ଯାଉଛନ୍ତି । ଯାହାର ପ୍ରମାଣ ଖୋଦ ସାଂସଦ ବୈଜୟନ୍ତ । ପ୍ରାୟ ପ୍ରତିମାସ ସେ ବିଭିନ୍ନ ସ୍ଥାନରୁ ଅଟକ ଦାଦନଙ୍କୁ ଉଦ୍ଧାର କରୁଛନ୍ତି ନହେଲେ ମୃତଦେହ ଫେରାଇବାରେ ସହଯୋଗ କରୁଛନ୍ତି । ଏସବୁ ଚିତ୍ର ଦେଖିବା ପରେ କେହି ସୁଚିନ୍ତିତ ବ୍ୟକ୍ତି କହିବେ କି ଏଠାକାର ନେତାମାନେ କର୍ମଠ? ଏମାନେ ପାରିବାର?

କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ଚିକ୍ରାର କରି କହୁଛି ଅଯୋଗ୍ୟ ନେତା ମାନଙ୍କ ଅସଲ ଚରିତ୍ର । କେମିତି ନିଜ ବିକାଶ ପାଇଁ ଜିଲ୍ଲାର ବିକାଶକୁ ବନ୍ଧା ପକାଇ ଦେଇଛନ୍ତି ଏମାନେ । ଲୋକେ ମରନ୍ତୁ ପଛେ ଏମାନେ ନିଜ ସ୍ୱାର୍ଥ ପାଇଁ ଲାଗିଛନ୍ତି । ଏହି ଚିତ୍ରକୁ ବୋକଚାବୁହା ନେତା ଓ ଅଫିସରମାନେ ଖୋଲୁ ନଥିଲେ । ହେଲେ ଏବେ ଜିଲ୍ଲାପାଳ ଥିବା ସ୍ମୃତିରଞ୍ଜନ ପ୍ରଧାନ ନେତା ମାନଙ୍କ ଅକର୍ମାପଣକୁ କେଞ୍ଚିଛନ୍ତି । ଦେଖାଇଛନ୍ତି ଏମାନଙ୍କ ଯୋଗ୍ୟତା ଆଉ ନେତା ହେବାକୁ ଏମାନେ କେତେ ପାରଙ୍ଗମ । ଏପରି ସାହସ ଯଦି ପ୍ରତି ଅଫିସରମାନେ ଦେଖାନ୍ତେ, ତେବେ ରାଜନୀତିରେ ଦୁର୍ନୀତି ମୂଳପୋଛ ହୋଇଯାଆନ୍ତା ବୋଲି କୁହାଯାଉଛି । ଦେଖାଯାଉ ଜିଲ୍ଲାପାଳଙ୍କ ଏହି କଥାକୁ ନେତାମାନେ କେତେ ଦେହକୁ ନେଇ ବିକାଶକୁ କେଉଁ ଦିଗକୁ ନେଉଛନ୍ତ?


International,National

ପ୍ରଧାନମନ୍ତ୍ରୀଙ୍କୁ “ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର” ପ୍ରଦାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।


ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Politics

ବିଜେପିର ବାରଭାଇ ଆଖଡ଼ା

Blog Thumbnail

ଭୁବନେଶ୍ୱର(ଦ କୁଇଭର): ରାଜ୍ୟରେ ପ୍ରଦୂଷଣକୁ ନେଇ ସ୍ଥିତି ଗମ୍ଭୀର ହେଉଛି । ଏକଥା ନୁହେଁ ଯେ, ପ୍ରଦୂଷଣ ହଠାତ ବଢ଼ିଛି । ମାତ୍ର ପ୍ରଦୂଷଣ ବିରୋଧରେ ସ୍ୱର ତୀବ୍ର ହେଉଛି । ସରକାରରେ ବାରଭାଇ ଆଖଡ଼ା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବିରୋଧ ବଢ଼ିଲାଣି । ପ୍ରଦୂଷଣକୁ ବିରୋଧ କରି ରାଜ୍ୟ କଂଗ୍ରେସ ତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଭିତରେ ପଶିଯାଇଥିଲା । ଅଫିସ ଭିତରେ ନାରାବାଜି ବି କଲା । ଏବେ ପ୍ରଦୂଷଣକୁ ନେଇ ରାଉରକେଲା ସେକ୍ଟର ୩ରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଙ୍କୁ ବିରୋଧ କରାଗଲା । କେବଳ ସେତିକି ନୁହେଁ, ବେଦାନ୍ତ ପାଉଁଶ ପାଇଁ ମୋହନ ସରକାରର ମନ୍ତ୍ରୀଙ୍କ ୧୦୦କୋଟିର ଡିଲ ମୋହନଙ୍କ ମୁଣ୍ଡରେ କଳଙ୍କ ବୋଳିଛି । ଯାହା ସ୍ପଷ୍ଟ କରୁଛି ସ୍ଥିତିକୁ ମ୍ୟାନେଜ କରିପାରୁ ନାହାନ୍ତି ମୋହନ ସରକାର ।

ରାଜ୍ୟରେ ପ୍ରଦୂଷଣର ସ୍ଥିତି ଭୟଙ୍କର । ଶିଳ୍ପସଂସ୍ଥା ଗୁଡ଼ିକ ଚଳାଇଛନ୍ତି ଆତଙ୍କରାଜ । ପାଣି ହେଉ କି ପବନ ବା ମାଟି ସବୁଠି ଏମାନଙ୍କର ଦୌରାତ୍ମ୍ୟ ଚାଲିଛି । ଚାଲାକ ବେପାରୀ ଦଲାଲ ଅଫିସରଙ୍କୁ ହାତ କରି ରାଜ୍ୟ ପରିବେଶକୁ ଧ୍ୱଂସ କରି ଚାଲିଛନ୍ତି । ଏକଥା ନୁହେଁ ଯେ, ଏସବୁ ଦୌରାତ୍ମ୍ୟ ଗତ ୬ମାସ ମଧ୍ୟରେ ବଢ଼ିଛି । ନବୀନ ସରକାର ସମୟରେ ବି ପ୍ରଦୂଷଣ ଥିଲା, ମାତ୍ର ସେ ମ୍ୟାନେଜ କରିନେଉଥିଲେ । କାରଣ ନବୀନ ସରକାରରେ ନବୀନଙ୍କ ତୃତୀୟ ମହଲା ହିଁ ଥିଲା ସର୍ବେସର୍ବା । ସେଠାରେ ନବୀନ ହୁଅନ୍ତୁ କି ଭିକେ ପାଣ୍ଡିଆନ ନେଉଥିଲେ ନିଷ୍ପତ୍ତି । ତାଙ୍କ ବିନା କେହି ବି ମୁଣ୍ଡ ପୂରାଇ ପାରୁନଥିଲେ । କାହାର ସ୍ୱର ଶୁଭୁ ନଥିଲା । ତେଣୁ ଦୁର୍ନୀତି ହେଲେ ବି ଚପି ରହୁଥିଲା । ପ୍ରଦୂଷଣକୁ ଚାପି ଦିଆଯାଉଥିଲା । ଲୁଟକୁ ନଜର ଦିଆଯାଉ ନଥିଲା । ସବୁର ହିସାବ କେବଳ ଗୋଟିଏ ସ୍ଥାନରେ ରହୁଥିଲା । ଲାଗୁଥିଲା ସରକାର ଚାଲିଛି ।

ହେଲେ ଏବେ ବିଜେପିରେ ଚାଲିଛି ବାର ଭାଇ ଆଖଡ଼ା । ଏଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହେଲେ ନିଦେ୍ର୍ଦଶ କାଳେ ଚାଲିଛି ଅନ୍ୟଠୁ । ଏଠି ଅଧାରୁ ଅଧିକ ଅଫିସର କାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ । ତେଣୁ ମୋହନଙ୍କ ନିଦେ୍ର୍ଦଶରେ କିଛି ବି ଚାଲୁନାହିଁ । ମୋହନଙ୍କ ଜାଣିବା ପୂର୍ବରୁ ଅନେକ କାମ କାଳେ ହୋଇଯାଉଛି । ମନ୍ତ୍ରୀମଣ୍ଡଳରେ ଶୃଙ୍ଖଳା ନାହିଁ । ଏହାର ନମୂନା ହେଉଛି ଧାନ କିଣା ପ୍ରସଙ୍ଗ । ଏଥିରେ ଯୋଗାଣ ମନ୍ତ୍ରୀ ବି କହିବେ, ପୂର୍ତ୍ତ ମନ୍ତ୍ରୀ ବି କହିବେ, ରାଜସ୍ୱ ମନ୍ତ୍ରୀ ବି କହିବେ ଆଉ କୃଷିମନ୍ତ୍ରୀ ବି କହିବେ । ବାସ୍ତବରେ ଧାନ କିଣାର ଉତ୍ତରଦାୟିତ୍ୱ କାହାର ତାହା ଲୋକେ ଏବେ ଦ୍ୱନ୍ଦରେ ।

ସେହିପରି ରାଜସ୍ୱ ମନ୍ତ୍ରୀ ବେଦାନ୍ତ ପାଉଁଶ ବା ଶିଳ୍ପ ପ୍ରଦୂଷଣ କଥା ଉପରେ କହିବେ, ପ୍ରଦୂଷଣ ବୋର୍ଡର କାମ କଥା ବି ସେ କହିବେ ଆଉ ଶିଳ୍ପ ପ୍ରଦୂଷଣର ପ୍ରତିକାର ବି ସେ କହିବେ । ଏସବୁ ପ୍ରକ୍ରିୟା ସ୍ପଷ୍ଟ କରୁଛି ବିଜେପି ସରକାରରେ ମୁରବୀ ବୋଲି କେହି ନାହିଁ । କିଏ ମୋହନଙ୍କ କଥାରେ ଚାଲିଛି ତ ଆଉ କିଏ ଧର୍ମେନ୍ଦ୍ରଙ୍କ କଥାରେ । ଦଳର ଅଧିକାଂଶ ବିଧାୟକଙ୍କୁ କାଳେ ଧର୍ମେନ୍ଦ୍ରଙ୍କ ସମର୍ଥନ ଥିବାରୁ ସେମାନେ ମନଇଚ୍ଛା ବୟାନବାଜି ଚଳାଇଛନ୍ତି । ଏହି ବିଶୃଙ୍ଖଳାରୁ ବେଶ ଲାଭ ଉଠାଇବାକୁ ବସିଲେଣି ବିରୋଧୀ । ରାଜ୍ୟରେ ପ୍ରଶାସନ ବି ଢ଼ିଲା ହୋଇଗଲାଣି । ସରକାରଙ୍କ ପ୍ରତି ଡର କାହାର ରହୁନାହିଁ । ଯେଉଁଥିପାଇଁ କଂଗ୍ରେସ ନେତାମାନେ ପ୍ରଦୂଷଣକୁ ବିରୋଧ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଭିତରେ ପଶି ହଙ୍ଗାମା କଲେ । ଏବେ ରାଉରକେଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଲୋକେ ବିରୋଧ କଲେ । ସେହିପରି ବେଦାନ୍ତ ପ୍ରଦୂଷଣ ନେଇ ଲୋକେ ମୋହନଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେଣି । ସେଠି କାଳେ ପ୍ରଦୂଷଣ କରିବା ପାଇଁ ୧୦୦କୋଟିର ଡିଲ ନେତାଙ୍କ ସହ ହୋଇଛି । ଏପରି ଅନେକ ପ୍ରସଙ୍ଗ ଏବେ ମୋହନ ସରକାରଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କଲାଣି । ଯାହାର ଫାଇଦା ବିରୋଧୀ ବିଜେଡି ନେବାକୁ ବସିଛି ।

ବିଜେଡି ବିରୋଧରେ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ସେଥିରେ ନୀରବ ରହିଛି ବିଜେପି । ଏବେ ମନ୍ତ୍ରୀ ଓ ବିଧାୟକମାନେ କେଉଁଠି କି ଲାଭ ପାଇବେ ସେହି ଚିନ୍ତାରେ ଘୁରି ବୁଲୁଥିବାରୁ ସରକାରୀ ବ୍ୟବସ୍ଥା ଚୁଲିକି ଗଲାଣି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ନଆସିଲେ, ସରକାର ଖୁବଶୀଘ୍ର ବଦନାମ ହେବ ଓ ବିଜେପି କ୍ଷତି ସହିବ ବୋଲି କୁହାଯାଉଛି । ଦେଖାଯାଉ ରାଜ୍ୟ ବିଜେପି ସଂଗଠନ ମୁଖିଆ ଏସବୁକୁ ଧ୍ୟାନ ଦେଇ ପ୍ରତିକାର କରୁଛନ୍ତି ନା ନୀରବ ହୋଇ ସରକାରକୁ ବଦନାମ ହେବାକୁ ଛାଡ଼ି ଦେଉଛନ୍ତି?


Education

ଫେବ୍ରୁଆରୀ ୧୫ରୁ ଆରମ୍ଭ CBSE ପରୀକ୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆସିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ । ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରଖ ଯାଏଁ ଚାଲିବ ଦଶମ ପରୀକ୍ଷା । ସେହିଭଳି ଫେବ୍ରୁଆରୀ ୧୫ରୁ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏହା ପୂର୍ବରୁ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ ସାରିଛି । ଫେବ୍ରୁଆରି ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ । ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା । ଜାନୁଆରି ୨ରୁ ୧୨ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା ।

State

ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଜୟ ଜଗନ୍ନାଥ କନଷ୍ଟ୍ରକସନ ୱାର୍କସ ସଂଘ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦଫା ଦାବିକୁ ନେଇ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଜୟ ଜଗନ୍ନାଥ କନଷ୍ଟ୍ରକସନ ୱାର୍କସ ସଂଘ ଓ ନିର୍ମାଣ ଶ୍ରମିକ ମାନେ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଚିକିଟି ଓ ବ୍ରହ୍ମପୁରର କାର୍ଯ୍ୟରତ ବହୁ ନିର୍ମାଣ ଶ୍ରମିକ ମାନେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇନାହିଁ । ଅଞ୍ଚଳର ଅନେକ ଲୋକେ ଏଥିପୂର୍ବରୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇଁ ଆବେଦନ କରିଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ପତ୍ର ପ୍ରଦାନ କରାଯାଉଛି । ସେହିପରି ବାର୍ଷିକ ଦେୟ ପୈଠର ରସିଦ ବର୍ତ୍ତମାନ ସୁଦ୍ଧା ଶ୍ରମିକଙ୍କୁ ପ୍ରଦାନ କରାନଯିବା ଏକ ପରିତାପର ବିଷୟ । ତୁରନ୍ତ ଏନେଇ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଶ୍ରମିକ ମାନେ । ସଙ୍ଘ ଆବାହକ ରାଜ କୁମାର ମହାପାତ୍ର, ଏଆଇଟିୟୁସି ର ଅଳକନାଥ ମିଶ୍ର ଙ୍କ ନେତୃତ୍ୱରେ ବହୁ ଶ୍ରମିକ ମାନେ ଦୀର୍ଘ ସମୟ ଧରି ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏନେଇ ଏକ ଦାବି ପତ୍ର ଯୁଗ୍ମ ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଛି ସଂଘ ।‌ ଏହି ଅବସରରେ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ଶ୍ରମିକ ମାନେ ସାମିଲ ଥିଲେ । ସେପଟେ ଅଭିଯୋଗର ତଦନ୍ତ କରାଯାଇ ଖୁବଶୀଘ୍ର ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ।



State

ଆରପାରିରେ ପୂର୍ବତନ ମନ୍ତ୍ରୀ ସମୀର ଦେ'

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ପୂର୍ବତନ ମନ୍ତ୍ରୀ ସମୀର ଦେ'ଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସମୀର ଦେ । ସୋମବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ହସ୍ପିଟାଲରେ ସମୀରଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଛନ୍ତି ସମୀର । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର ଦେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କିଛି ବର୍ଷ ପୂର୍ବେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା। ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ଥିଲେ ସମୀର ଦେ ।


ସମୀର ଦେ'ଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି ଯେ, 'ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ'ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ'। ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 'ଏକ୍ସ'ରେ ଲେଖିଛନ୍ତି ଯେ, "ସମୀର ଦେ, ଆମେ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି।

State

ଖତଗଦାରେ ସ୍କୁଲ ଡ୍ରେସ

Blog Thumbnail

କୋରାପୁଟ( ଦ କୁଇଭର ):- ଡମ୍ଫିୟାର୍ଡରେ ପଡ଼ିଛି ଶହ ଶହ ଜୋତା ଓ ଆମେ ଗଢ଼ିବୁ ନୂଆ ଓଡିଶା ଲୋଗ ଲାଗିଥିବା ପୋଷାକ l ସରକାରଙ୍କ ତରଫରୁ ସ୍କୁଲ ପିଲାଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପୋଷାକ ଏବଂ ଯୋତା ବଣ୍ଟନ କରିବା ପରିବର୍ତ୍ତେ ଫୋପାଡ଼ି ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଗାଁ ମଶାଣି ନିକଟରେ ଥିବା ଡମ୍ଫିୟାର୍ଡରେ l ଏ ଘଟଣା ଟି ଆଶ୍ଚର୍ଯ୍ୟ ହେଲେ ବି ସ୍ୱାଭାବିକ l ପ୍ରଥମେ ଜଣେ ଗାଇ ଚୋରାଳି ଏସବୁ ଦେଖିବା ପରେ ଘଟଣା ସାମ୍ମନାକୁ ଆସିଥିଲା l ଆମେ ଗଢ଼ିବୁ ନୂଆ ଓଡିଶା ଲୋଗ ଲାଗିଥିବା ନୂଆ ସ୍କୁଲ ପୋଷାକ ସହ ୩ ଶହ ଜୋତା ପଡ଼ିଥିବା ଦେଖିବାକୁ ମିଳିଛି l

State

ଜୟୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି ।ଜୟୀରାମ ସାମଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରିଛି ଓଡ଼ିଆ ସିନେ ଜଗତ । ୨୦୨୧ ବର୍ଷ ପାଇଁ ଶ୍ରୀନିବାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ଓଡ଼ିଆ ସିନେମାର ମହାନ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି । ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

National,State

ବ୍ରହ୍ମପୁର ଲର୍ଜରେ ସ୍ତ୍ରୀ ମୃତ,କେରଳରୁ ଅଭିଯୁକ୍ତ ସ୍ୱାମୀ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଗୋଇଲୁଣ୍ଡିର ଏକ ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ସ୍ୱାମୀ ସାମୀଦମୋନ କୁ କେରଳରୁ ଠାବ କରିଛି ବ୍ରହ୍ମପୁର ପୋଲିସ l ପୂର୍ବରୁ ସାମୀଦମୋନ ଗଞ୍ଜାଇ ଚାଲାଣ ମାମଲାରେ ଗିରଫ ହୋଇ କେରଳର ତ୍ରିସୁର ସ୍ଥିତ ଭିୟୁର ଜେଲରେ ରହିଥିବା ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଜାଣିବାକୁ ପାଇଥିଲା । ଗୋଇଲୁଣ୍ଡିରେ ମହିଳା ଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେରଳ ଜେଏମଏଫସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା l କୋର୍ଟ ସାମୀଦମୋନ କୁ ଦୁଇଦିନିଆ ରିମାଣ୍ଡ ନେବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ l ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତ ସାମୀଦମୋନକୁ ରିମାଣ୍ଡରେ ବ୍ରହ୍ମପୁର ଆଣି ପଚରାଉଚରା କରିଛି l ବର୍ତ୍ତମାନ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ସାମିଦମୋନକୁ ଜେରା କରୁଥିଲେ ହେଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିପାରିନଥିବା ଜଣାପଡିଛି l ୨୧ ତାରିଖରେ ରିମାଣ୍ଡ ଅବଧି ଶେଷ ହେବା ପରେ ପୋଲିସ ସାମୀଦମୋନ କୁ କେରଳ କୋର୍ଟରେ ହଜାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି l ରିମାଣ୍ଡ ଅବଧି ଶେଷ ପୂର୍ବରୁ ପୋଲିସ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟକୁ ତାଙ୍କ ସ୍ୱାମୀଙ୍କ ନିକଟରୁ ହାସଲ କରିବ ବୋଲି ବ୍ରହ୍ମପୁର ଏସ ପି ସୂଚନା ପ୍ରଦାନ କରିଛନ୍ତି l ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୧୯ ତାରିଖରୁ କେରଳରୁ ଏହି ଦମ୍ପତ୍ତି ଗୋଇଲୁଣ୍ଡି ର ଏକ ଲଜରେ ରହି ଆସୁଥିଲେ । କ୍ରୀଷ୍ଣାବେଣୀଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଯୋଗୁଁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରକୁ ଆସିଥିବା ବେଳେ ଗତ ନଭେମ୍ବର ୨୫ତାରିଖ ରାତିରେ ତାଙ୍କ ମୃତଦେହ ସେହି ଲଜର ଏକ ରୁମରୁ ଠାବ କରିଥିଲା ପୋଲିସ । କ୍ରୀଷ୍ଣାବେଣୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ତାଙ୍କ ସ୍ବାମୀ ସାମିଦମୋନ ଫେରାର ରହିଥିବା ଜଣାପଡିଥିଲା ।

National

ଆନ୍ଧ୍ରରେ ପୋଲାଭରମ ଉତ୍ସାହ

Blog Thumbnail

ମାଲକାନଗିରି(ଦ କୁଇଭର): ପୋଲାଭରମ ପ୍ରକଳ୍ପକୁ ନେଇ ବେଶ ଉତ୍ସାହୀ ଆନ୍ଧ୍ର । ଉଭୟ ଆନ୍ଧ୍ର ସରକାର ଓ ଜନତା ଏଥିରୁ ପର୍ଯ୍ୟାପ୍ତ ଲାଭ ପାଇବେ ବୋଲି ଖୁସି ହେଉଛନ୍ତି । ହେଲେ ଆନ୍ଧ୍ର ଖୁସିରେ ବଳି ପଡ଼ିଯାଉଛି ଓଡ଼ିଆଙ୍କ ଜୀବନ ଜୀବିକା । ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶାର ୭୩ଖଣ୍ଡ ଗାଁରେ ବିନାଶ ଆସିବା ନିଶ୍ଚିତ । ଏକଥା ଓଡ଼ିଶାର ସବୁ ଦଳର ନେତା ଜାଣନ୍ତି । ତଥାପି ଗରିବ ଆଦିବାସୀଙ୍କ ପାଇଁ ଦରଦ ନାହିଁ । ନା କେହି ପ୍ରଭାବିତ ଗାଁ କଥା ମନେ ପକାଉଛନ୍ତି ନା ପ୍ରତିକାର ପାଇଁ ଚିନ୍ତା କରୁଛନ୍ତି । ନବୀନ ୨୪ବର୍ଷ ଧରି କେବଳ ରାଜନୈତିକ ସୁବିଧା ପାଇଁ ବିରୋଧ ଓ ନୀରବ ରହି ଚାଲିଗଲେ । ଏବେ ମୋହନ ସରକାର ବି ନୀରବ ଅଛନ୍ତି । ଫଳରେ ଆନ୍ଧ୍ର ଉତ୍ସବ ପାଳନ କରୁଛି ଓ ଓଡ଼ିଆ କାନ୍ଧୁଛି ।

ଗୋଦାବରୀ ନଦୀ ଉପରେ ଆନ୍ଧ୍ର ନିର୍ମାଣ କରୁଛି ପୋଲାଭରମ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଗରିବ ଆଦିବାସୀଙ୍କର ବ୍ୟାପକ କ୍ଷତି ହେଉଛି । ଅନେକ ଘରଦ୍ୱାର, ଚାଷ ଜମି ବୁଡ଼ିବା ଥୟ । ଏକଥାକୁ ରାଜ୍ୟ ସରକାର ଜାଣିଛନ୍ତି । ହେଲେ କିଛି କରି ନାହାନ୍ତି । ରାଜ୍ୟରେ ଥିବା ପୂର୍ବତନ ନବୀନ ସରକାରଙ୍କ ନୀରବତା ପାଇଁ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଜାତୀୟ ପ୍ରକଳ୍ପ ଭାବେ ଅନୁମୋଦନ କରିଦେଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରକଳ୍ପର ପୂରା ଲାଭ କେବଳ ଆନ୍ଧ୍ର ପାଇବାକୁ ଯାଉଛି । ହେଲେ କ୍ଷତି ସହିବ ଓଡ଼ିଶା ।

ଏହି ପ୍ରକଳ୍ପକୁ ନେଇ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡ଼ୁ ବେଶ ଉତ୍ସାହୀ । ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ରର ପ୍ରାୟ ସାଢ଼େ ୪ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହେବ । ଏହାବ୍ୟତୀତ ଜଳବିଦୁ୍ୟତ ଉତ୍ପାଦନ ଦ୍ୱାରା ରାଜ୍ୟର ବିଜୁଳୀ ଚାହିଦା ବି ପୂରଣ ହେବ । ଏହି ପ୍ରକଳ୍ପ ଆନ୍ଧ୍ର ବିକାଶର ଚାବିକାଟି ବୋଲି କହିଛନ୍ତି ନାୟିଡ଼ୁ । ଏପରି ପ୍ରକଳ୍ପକୁ ନେଇ ପୂରା ଆନ୍ଧ୍ର ଏବେ ଖୁସି ଅଛି । ସମସ୍ତ ରାଜନୈତିକ ଦଳ ବି ବେଶ ଉତ୍ସାହି । ହେଲେ ଓଡ଼ିଶାର କ୍ଷତି କଥା କେହି ଉଠାଉ ନାହାନ୍ତି ।

କିଛିଦିନ ପୂର୍ବେ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ଯାଇ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ସମ୍ଭାବ୍ୟ କ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ବିଜେଡି ତ ଏତେ ଅଲାଜୁକ ହୋଇଯାଇଥିଲା ଯେ, ୨୪ବର୍ଷ ଧରି ଶାସନ କରିଥିବା ନବୀନଙ୍କୁ ନେଇ ସମ୍ଭାବ୍ୟ କ୍ଷତିର ରିପୋର୍ଟ ପ୍ରଦାନ କରିଥିଲା । କଂଗ୍ରେସ ବି ରିପୋର୍ଟ ପ୍ରସ୍ତୁତ କରି ରଖିଛି । ହେଲେ ଏହି ପ୍ରସଙ୍ଗରେ କିଛି ବି ଆଉ ଆଗଉନାହିଁ । ଆନ୍ଧର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରିରେ ଅନେକ ଗାଁ ପାଣିରେ ବୁଡ଼ିଯିବ । ପ୍ରତି ମୁହୂର୍ତ୍ତରେ ବିପଦ ଓଡ଼ିଶା ଉପରେ ରହିବ । ହେଲେ ଲାଭ ପାଇବ ଆନ୍ଧ୍ର । ଏପରି ସ୍ଥିତିରେ ଓଡ଼ିଶାର ସରକାର ଓ ବିରୋଧୀ ନୀରବ ରହିବା ଅତ୍ୟନ୍ତ ଚିନ୍ତାଜନକ ହୋଇ ପଡ଼ିଛି । ଦେଖାଯାଉ ଲୋକଙ୍କ ସରକାର କହୁଥିବା ମୋହନ ସରକାର ଏଦିଗରେ କିଛି କରୁଛନ୍ତି ନା ବିରୋଧୀ ଥିବା ବିଜେଡି ଓ କଂଗ୍ରେସ କିଛି ପଦକ୍ଷେପ ନେଉଛନ୍ତି?


State,Politics

ଉପାସନାଙ୍କ ବୋକଚାବୁହା ରାଜନୀତି

Blog Thumbnail

ବ୍ରହ୍ମଗିରି(ଦ କୁଇଭର): ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲାଣି ପ୍ରଶ୍ନ । ସେ କାହାକୁ ନେଇ କରୁଛନ୍ତି ରାଜନୀତି? ତାଙ୍କ ରାଜନୀତିର ଉତ୍ସ କିଏ? ବିଜେପି କର୍ମୀ, ଦଳର ସଂଗଠନ, ସାଧାରଣ ଜନତା ନା ନିଜର ବୋକଚାବୁହା ଗୋଷ୍ଠୀ? କାହା ସ୍ୱାର୍ଥରେ ଉପାସନା । ନା ନିଜର ପତିଆରା ଓ ଦବଦବା ରଖିବା ପାଇଁ ସେ ବିଜେପି ସଂଗଠନକୁ ବି ଦଳି ମକଚି ଦେଉଛନ୍ତି? ଏଭଳି ଚର୍ଚ୍ଚା ଏବେ ବ୍ରହ୍ମଗିରିରେ ଜୋର ଧରିଲାଣି । କ୍ଷମତାକୁ ଆସିବାର ମାତ୍ର ୬ମାସ ମଧ୍ୟରେ ଉପାସନା ଯେ କେବଳ ବିବାଦୀୟ ହେଉ ନାହାନ୍ତି ବରଂ ଲୋକଙ୍କ ଭରସା ବି ହରାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ହେଉଛନ୍ତି ଜଣେ ଉଦୀୟମାନ ରାଜନେତା । ରାଜନୀତିରେ ଲମ୍ବା ଭବିଷ୍ୟତ ରହିଛି ତାଙ୍କର । ବିଜେପି ଭଳି ଜାତୀୟ ଦଳରେ ସେ ବ୍ରେକ ପାଇବା ସହ ବିଜେଡିକୁ ହରାଇ ଜିତିଥିଲେ । ପୂରା ବିଜେପି ସଂଗଠନ ତାଙ୍କ ପାଇଁ ଲାଗିଥିଲା । ନିର୍ବାଚନ ବେଳେ ବିଜେପି ସଂଗଠନ ଶରଣରେ ଥିବା ଉପାସନା ଜିତିବା ପରେ କାଳେ ନିଜସ୍ୱ ସଂଗଠନ ଆରମ୍ଭ କରିଦେଲେଣି । ତାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର କିଛି ସମର୍ଥକଙ୍କୁ ନେଇ ଗଢ଼ିଥିବା ଗୋଷ୍ଠୀକୁ ନେଇ ଚଳାଇଛନ୍ତି ରାଜନୀତି । ବିଜେପି ସଂଗଠନ ତାଙ୍କ ପାଇଁ ଗୁରୁତ୍ୱ ରଖୁନାହିଁ । ବିଶେଷ କରି ଆରଏସଏସ ମଧ୍ୟ ତାଙ୍କ ପାଇଁ ବ୍ରହ୍ମଗିରିରେ ଉପାସନାଙ୍କ ପାଇଁ ସେପରି ସ୍ଥିତି ରଖୁନାହିଁ । ଯାହାକୁ ନେଇ ଆରଏସଏସ ସଦସ୍ୟମାନେ ବି ତାତିଲେଣି । ହେଲେ ଖାମଖିଆଲି ଉପାସନାଙ୍କର କାଳେ ସେଥିପ୍ରତି ଗୁରୁତ୍ୱ ନାହିଁ ।

କେବଳ ସେତିକି ନୁହେଁ, ନିର୍ବାଚନ ପୂର୍ବରୁ କାହାର ଛୁଆ କାଖଉଥିଲେ ତ କାହା ଘରେ ବସି ଗପୁଥିଲେ । ବୟସ୍କଙ୍କ ସହ କଥା ହୋଇ ସମସ୍ୟା ବୁଝୁଥିଲେ । ହେଲେ ନିର୍ବାଚନ ଜିତିବା ପରେ ଆଉ ଲୋକଙ୍କ ପାଖରେ ତାଙ୍କୁ କାଳେ ଦେଖିବାକୁ ମିଳୁନାହିଁ । ନା ବ୍ରହ୍ମଗିରି ଲୋକେ ଦରକାର ନା ବିଜେପି ସମର୍ଥକମାନେ ଦରକାର । ଏବେ ତାଙ୍କ ଲୁଲୁ ସେନା ହିଁ ବ୍ରହ୍ମଗିରିରେ କାଳେ ସର୍ବେସର୍ବା । ସେମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଉପାସନା ବି ତାଙ୍କରି ପରାମର୍ଶରେ କାମ କରୁଥିବା କୁହାଯାଉଛି । ଏହା କରି ସେ କାଳେ ତାଙ୍କ ବାପାଙ୍କ ସଂଗଠନକୁ ପ୍ରାଧାନ୍ୟ ଦେଇ ବିଜେପିକୁ ତଳକୁ ଠେଲୁଛନ୍ତି ।

ଉପାସନାଙ୍କର ଏହି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ିଲାଣି । ବିଜେପି ସରକାରରେ ଲୁଲୁ ଗୋଷ୍ଠୀ ବା ଉପାସନାଙ୍କ ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପ୍ରଭାବ ବିଜେପିର ପୁରୁଣା କର୍ମକର୍ତ୍ତା, ସଂଗଠକ ମାନଙ୍କୁ ପ୍ରଭାବିତ କରୁଛି । ମାତ୍ର ଉପାସନା ବିଧାୟିକା ବୋଲି ସମସ୍ତେ ନୀରବ ରହୁଛନ୍ତି । ନିର୍ବାଚନର ୬ମାସ ମଧ୍ୟରେ ଉପାସନାଙ୍କ ଉପରୁ ଲୋକେ ଭରସା ହରାଇଥିବା କହୁଛନ୍ତି । ଏମିତି ଚାଲିଲେ, ବିଜେପି ବ୍ରହ୍ମଗିରିରେ ତାର ସଂଗଠନ ସୁଦୃଢ଼ କରିବ କ’ଣ ଦୁର୍ବଳ ହେବ । ଉପାସନାଙ୍କ ପୂର୍ବରୁ ତାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମୟରେ ବି ବିଜେପି ଦୁର୍ବଳ ହେଉଥିଲା । ଆରଏସଏସ କୌଣସି ପ୍ରକାର ସ୍ଥିତିକୁ ସମ୍ଭାଳି ରଖିଥିଲା । ଏବେ ଏମପି ସମ୍ବିତ ପାତ୍ରଙ୍କ ପ୍ରୋତ୍ସାହନ ଯୋଗୁ ଉପାସନା କାଳେ ଲୋକଙ୍କୁ ଭୁଲିବା ଆରମ୍ଭ କରିଛନ୍ତି ।

ଉପସାନାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ର ବ୍ରହ୍ମଗିରି ବାସୀଙ୍କ ପାଇଁ ବେଶ ତତ୍ପର ଥିଲେ । ବକ୍ସିଙ୍କ ପରିବାରର ଦାୟଦ ଭାବେ ଲୁଲୁ ସର୍ବଦା ଲୋକଙ୍କୁ ପ୍ରାଧାନ୍ୟ ଦେଉଥିଲେ । ମାତ୍ର ଏବେ ଉପାସନାଙ୍କ କାମ କାଳେ ଲୁଲୁ ଆଭିମୁଖ୍ୟକୁ ବିରୋଧ କରୁଥିବା କୁହାଯାଉଛି । ଦେଖାଯାଉ ଉପାସନା ବିଜେପିକୁ ସୁଦୃଢ଼ କରୁଛନ୍ତି ନା ନିଜ କ୍ୟାମ୍ପକୁ ବଳ ଦେଇ ଆଗକୁ ପତିଆରା ବଢ଼ାଉଛନ୍ତି ।


State

MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦଶନ୍ଧି ଧରି ପୋଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କ ଏବେ ପାଠରେ ବେଶ୍ ଆଗ୍ରହ ଦେଖାଦେଉଛି । ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ MA କରିବାକୁ ପାଠ ପଢୁଛନ୍ତି ବ୍ରହ୍ମପୁର ଜେଲରେ ଆଜୀବନ ସଜା କାଟୁଥିବା ସବ୍ୟସାଚୀ । ଏଥିପାଇଁ ତାଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚଳାଇଛନ୍ତି ଉଦ୍ୟମ lଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ । ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ MA କରିବେ । ସବ୍ୟସାଚୀଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ପରୀକ୍ଷା ଦେବେ ।ଏଥିପାଇଁ ସମସ୍ତଙ୍କୁ ଜେଲ୍ ପକ୍ଷରୁ ଷ୍ଟଡି ମାଟେରିଆଲ ଯୋଗାଇ ଦିଆଯାଉଛି । ଜେଲ୍ ଶିକ୍ଷକ ବି ପଢିବାରେ ସହଯୋଗ କରୁଛନ୍ତି ।


ସବ୍ୟସାଚୀ ପଣ୍ଡା ଓରଫ ଶରତ ଓରଫ ସୁନୀଲ । ଓଡ଼ିଶା ମାଓବାଦୀ ପାର୍ଟିର ମୁଖ୍ୟ, କୁଖ୍ୟାତ ମାଓବାଦୀ । ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ୧୮ ଜୁଲାଇ ୨୦୧୪, ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ଗିରଫ ହୋଇଥିଲେ ସବ୍ୟସାଚୀ । ସେବେଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି । ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି । ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି । ବାସ୍ତବରେ ସବ୍ୟସାଚୀଙ୍କ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଅନ୍ୟ କଏଦୀଙ୍କ କ୍ଷେତ୍ରରେ ଦିଗଦର୍ଶନ ସୃଷ୍ଟି କରିବ l

State

ହଷ୍ଟେଲରେ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦେଇ ମାରିଥିବା ଅଭିଯୋଗ ନେଇ ଗଞ୍ଜାମ ଏସପିଙ୍କୁ ଭେଟିଲେ କମାପଲ୍ଲୀ ଗ୍ରାମବାସୀ

Blog Thumbnail

ଛତ୍ରପୁର( ଦ କୁଇଭର ):- ଘରୋଇ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦେଇ ମାରିଥିବା ଅଭିଯୋଗ ନେଇ ଗଞ୍ଜାମ ଏସପିଙ୍କୁ ଭେଟିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କମାପଲ୍ଲୀ ଗ୍ରାମବାସୀ l ସୂଚନା ମୁତାବକ, କଳାଯମୁନା ସାଇ ସରସ୍ୱତୀ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର କିରଣ ପ୍ରଧାନଙ୍କ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୃତ୍ୟୁ ଘଟିଥିଲା l ହଷ୍ଟେଲରେ ଥିବା ସମୟରେ କିରଣଙ୍କ ପେଟ କାଟିବା ଯୋଗୁ ପ୍ରଥମେ ଛତ୍ରପୁର ଏଵଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା l ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଘଟଣା ପରେ ପୁଅକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ କିରଣଙ୍କ ବାପା ପ୍ରହ୍ଲାଦ ପ୍ରଧାନ l ପୋଷ୍ଟମଟମ ରିପୋର୍ଟରେ ମଧ୍ୟ ବିଷ ଖାଇ ମୃତବରଣ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ପୋଲିସ କାହିଁକି ଉକ୍ତ ଘଟଣାର ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ l ହଷ୍ଟେଲରେ ଅନ୍ୟଜଣେ ଛାତ୍ର ବିସ୍କୁଟରେ ବିଷ ଦେଇଥିବା ପରିବାର ଲୋକେ କହିଥିବା ବେଳେ ସ୍କୁଲ ଗେଟ ନିକଟରୁ ଏକ ବିଷ ସିସି ମଧ୍ୟ ଜବତ ହୋଇଥିଲା l ହେଲେ ଉକ୍ତ ଘଟଣାକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠିଛି l ଏଣୁ ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗଞ୍ଜାମ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଗ୍ରାମବାସୀ l



Education,Health & lifestyle

ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଛାତ୍ରୀ ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଗୋଛାବାଡ଼ି ଅଞ୍ଚଳ ର ରୂପାଲି ନାୟକ। ସରକାରୀ ଆଇଟିଆଇ ର କମ୍ପ୍ୟୁଟର ବିଭାଗର ଡିପ୍ଲୋମା ଛାତ୍ରୀ ଭାବେ ପଡ଼ୁଥିବା ବେଳେ ପଲିଟେକନିକ୍ ଲେଡିସ ହଷ୍ଟେଲ ରେ ରହୁଥିଲେ। ଆଜି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ରୂପାଲି ଙ୍କୁ ଏମ୍ କେ ସି ଜି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

National

ପୂରା ଭାରତକୁ ଗିଳିବ

Blog Thumbnail

ନୂଆଦିଲ୍ଲୀ(ଦ କୁଇଭର): ପ୍ରଦୂଷଣ ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁର ପ୍ରତ୍ୟେକ୍ଷ ପାଠପଢ଼ା ବନ୍ଦ କରାଯାଇଛି । ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ କରିବେ । ସ୍କୁଲ ବନ୍ଦ କରାଯାଇଛି । ଯାନବାହନ ଚଳାଚଳରେ କଡ଼ା କଟକଣା ଲାଗିଛି । ଏଭଳି ସ୍ଥିତି ହେଉଛି ଭାରତର ରାଜଧାନୀ ବା ମୁଣ୍ଡ କୁହାଯାଉଥିବା ଦିଲ୍ଲୀରେ । ଦିଲ୍ଲୀକୁ ଅଣନିଶ୍ୱାସୀ କରିଦେଲାଣି ପ୍ରଦୂଷଣ । ପୂରା ଦେଶର ମୁଣ୍ଡ ବିନ୍ଧା ବି ବାହାର କରିଦେଲାଣି । କେବଳ ସେତିକି ନୁହେଁ, ପ୍ରଦୂଷଣ ଯୋଗୁ ହରିଆଣାର ଅନେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଛି । ପଞ୍ଜାବ ସ୍ଥିତି ବି ଗମ୍ଭୀର । ଉତ୍ତରପ୍ରଦେଶ ଆଲିଗଡ଼ରେ ଏପରି ଧୂଆଁ ଛାଇଛି ଯେ, ଦିନ ବି ରାତି ଭଳି ଲାଗୁଛି । ପୂରା ସ୍ଥିତି ଗମ୍ଭୀର ହେଲାଣି । କେବଳ ସେଠି ନୁହେଁ, ଓଡ଼ିଶାର ସ୍ଥିତି ବି ସୁରକ୍ଷିତ ନୁହେଁ । ରାଜଧାନୀରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ ଅଧିକ । ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଜଗତସିଂହପୁର ଭଳି ଜିଲ୍ଲା ସ୍ଥିତି ଗମ୍ଭୀର ।

ପ୍ରଦୂଷଣ ନେଇ ବେଶ କିଛିବର୍ଷରୁ ଅନେକ କହୁଥିଲେ । ପ୍ରଦୂଷଣର ଭୟ କଥା କହୁଥିଲେ । ହେଲେ ଆମେ ଏତେ ଖାମଖିଆଲି ହେଲେ ଯେ, ସେସବୁକୁ ନଜର ଦେଲେ ନାହିଁ । ଏବେ ବି ନଜର ଦିଆଯାଉ ନାହିଁ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଥିବା ପ୍ରଶାସନିକ ବ୍ୟବସ୍ଥା ପ୍ରଦୂଷଣକାରୀଙ୍କ ଆଗରେ ବିକି୍ର ହୋଇ ସାରା ଦେଶକୁ ବରବାଦ କରୁଛନ୍ତି । ଅନଭିଜ୍ଞ ରାଜନେତା ଓ ଟଙ୍କା ଗିଳା ଅଫିସରଙ୍କ ପାଇଁ ସବୁ ବ୍ୟବସ୍ଥା ଠପ ହୋଇଗଲାଣି । ଘର ବୁଡ଼ି ଏବେ ପାଣି ଆଣ୍ଠୁଏ ହେଲାଣି । ପୂରା ଦେଶର ମୁଣ୍ଡ ବିନ୍ଧିଲାଣି । ଦଲାଲ ଅଫିସର ଓ ନେତା ମାନଙ୍କ ପାଇଁ ସବୁ ସ୍ଥିତି ବିଗିଡ଼ି ଗଲାଣି ।

ଦିଲ୍ଲୀ ଯାହାକୁ ଭାରତର ମୁଣ୍ଡ କୁହାଯାଏ, ସେଠାରେ ସ୍ଥିତି ସଂଗୀନ । ଲୋକେ ବାହାରକୁ ବାହାରିବାକୁ ବି ଡରୁଛନ୍ତି । ପବନର ମାନ ସବୁଠାରୁ ଖରାପ ହେଲାଣି । ବିଗତ ୫/୭ବର୍ଷ ଧରି ଦିଲ୍ଲୀର ଏହି ସ୍ଥିତି ରହିଥିଲା । ଏବର୍ଷ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦୦ ଅତିକ୍ରମ କଲାଣି । ଏବେ ଏହା ହରିଆଣା, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶକୁ ମାଡ଼ିଗଲାଣି । ଧିରେ ଧିରେ ପୂରା ଦେଶକୁ ଗିଳିବାକୁ ଯାଉଛି । ଓଡ଼ିଶା ସ୍ଥିତି ନକହିବା ଭଲ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦଲାଲ ଅଧିକାରୀମାନେ ଟଙ୍କା ଗିଳି କାଗଜପତ୍ରରେ ପ୍ରଦୂଷଣ ନିୟନ୍ତ୍ରଣରେ ରହିଥିବା କହୁଛନ୍ତି । ମାତ୍ର ବାସ୍ତବ ସ୍ଥିତି ଅତି ଭୟଙ୍କର । ନେତା ମାନେ ଟଙ୍କା ଖାଇ ଶିଳ୍ପ ମାନଙ୍କୁ ସୁରକ୍ଷା ଦେଉଛନ୍ତି ଅଫିସରମାନେ କାଗଜପତ୍ରରେ ରାଜ୍ୟ ସୁରକ୍ଷିତ ବୋଲି କହୁଛନ୍ତି ।

ଓଡ଼ିଶା ଉପରେ ନଜର ପକାଇଲେ ସ୍ଥିତି ଗମ୍ଭୀର ବୋଲି ସ୍ପଷ୍ଟ ହେଉଛି । ଥରେ ରାଜ୍ୟରେ ଥିବା ଶିଳ୍ପ ମାନଙ୍କର ପ୍ରଦୂଷଣ ନେଇ ବାସ୍ତବ ମାପ କରାଗଲେ, ସବୁ ସ୍ଥିତି ପଦାକୁ ଆସିଯିବ । ରାଜଧାନୀର ପ୍ରଦୂଷଣ ଗମ୍ଭୀର । ଭୁବନେଶ୍ୱର ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ଅତିକ୍ରମ କରି ଯାଉଛି । ଅନୁଗୁଳ, ଢ଼େଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର ଭଳି ଜିଲ୍ଲାର ଲୋକେ ପ୍ରତି ମୁହୂର୍ତ୍ତରେ ବିଷ ପିଉଛନ୍ତି । ଏବେଠୁ ଏ ଟଙ୍କାଖିଆ ପ୍ରଦୂଷଣ ବୋର୍ଡର ବାବୁ ମାନଙ୍କୁ ଉଚିତ ଶିକ୍ଷା ନଦେଲେ ଭୁବନେଶ୍ୱର ତଥା ରାଜ୍ୟର ପ୍ରତିଟି ସହର ଓ ଗାଁରେ ଦିଲ୍ଲୀ ଭଳି ସ୍ଥିତି ହେବା ନିଶ୍ଚିତ । ଦେଖାଯାଉ ପ୍ରଦୂଷଣକୁ ନେଇ କଡ଼ା ଆଭିମୁଖ୍ୟ ରଖୁଥିବା ମୋହନ ସରକାର ଏଦିଗରେ ସତର୍କ ହେଉଛନ୍ତି ନା ରାଜ୍ୟକୁ ବିଷ ବଳୟ ଭିତରକୁ ଠେଲୁଛନ୍ତି?


National

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର କୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମ ସୂଚନା ଅନୁସାରେ, ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ୩ ଦିନ ଧରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗଦେବା ପରେ ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ତା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରି ସଡ଼କ ପଥରେ ନିଜ ଜନ୍ମମାଟି ଉପରବେଡ଼ା ଗାଁକୁ ଯିବେ। ୭ ତାରିଖ ସକାଳେ କିଛି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ କଲେଇକୁଣ୍ତା ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

State

ଯମ ବିଛାଇଛି ଜାଲ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ୁଛି ଯମର ଜାଲ । ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଏହି ଜାଲ ରହୁଛି । ସାମାନ୍ୟ ନଜର ହଟିଲେ ବା ଅସାବଧାନତା ହେଲେ ଗଡ଼ିଯାଉଛି ମୁଣ୍ଡ । କେତେ ଯେ ଲୋକ ଏହି ଜାଲରେ ପଡ଼ି ଜୀବନ ହାରୁଛନ୍ତି ତାହା ପ୍ରତିଦିନ ନଜରକୁ ଆସୁଛି । ରବିବାର ସକାଳୁ ସକାଳୁ ରାଜ୍ୟରେ ୫ ଜୀବନ ନେଇଛି ଏହି ଯମଜାଲ । ଏହି ଜାଲ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପଡ଼ିବ ବୋଲି କୁହାଯାଉଛି । ସାବଧାନ ନହେଲେ ଏମିତି ମୁଣ୍ଡ ଗଡ଼ିବ ବୋଲି ଆକଳନ କରାଗଲାଣି ।

ଯମର ଜାଲ ଅର୍ଥାତ ଘନ କୁହୁଡ଼ି । ଗତ ଦୁଇଦିନ ଧରି ରାଜ୍ୟରେ ଶୀତର ଲହରୀ ବହିଲାଣି । ଉପାନ୍ତ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଲାଣି । ରାଜଧାନୀରେ ତାପମାତ୍ରା ରାତିରେ ୧୭ଡିଗ୍ରୀ ତଳକୁ ଖସିଲାଣି । ଶୀତ ବଢ଼ିବା ସହ ଏବେ ବିଭିନ୍ନ ସ୍ଥାନରେ କୁହୁଡ଼ି ବିଶେଷ କରି ଜଙ୍ଗଲିଆ ସ୍ଥାନରେ ଘନ କୁହୁଡ଼ି ପଡ଼ିଲାଣି । ବିଳମ୍ବିତ ରାତି ହେଲେ ଘନ କୁହୁଡ଼ି ପଡ଼ୁଛି ଓ ଏହା ସକାଳ ୭ଟା ପର୍ଯ୍ୟନ୍ତ ପ୍ରାୟ ଲାଗି ରହୁଛି । କୁହୁଡ଼ି ଯୋଗୁ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ସାମାନ୍ୟ ଅସାବଧାନତା ହିଁ ଘଟାଉଛି ଦୁର୍ଘଟଣା ଆଉ ନେଉଛି ଜୀବନ ।

ରବିବାର କୋରାପୁଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଓଲଟି ପଡ଼ିଥିଲା । ସେହିପରି କେନ୍ଦ୍ରାପଡ଼ାରେ କୁହୁଡ଼ି ଯୋଗୁ ଦେଖା ନଯିବାରୁ ଗାଡ଼ି ପିଟି ହୋଇ ୨ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କର ଜୀବନ ଯାଇଛି । ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟିଛି । କୁହୁଡ଼ି ଯୋଗୁ ଅନେକ ଅଘଟଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଲାଣି । କୁହୁଡ଼ି ଆସନ୍ତା ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପ୍ରାୟ ଲାଗି ରହିବ । ଶୀତ ପଡ଼ିଥିବା ଯାଏ ଏପରି ସମସ୍ୟା ରହିବ ଓ ଦୁର୍ଘଟଣାକୁ ନିମନ୍ତ୍ରଣ କରିବ । ତେଣୁ ଗାଡ଼ି ଚଳାଇବା ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।


Education

ଦିଲ୍ଲୀରେ ଆଜିଠାରୁ ଅନଲାଇନ ପାଠ ପଢା

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ । ଅନଲାଇନରେ ପାଠପଢା ଜାରି ରହିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଶୁଣାଣିରେ କୋର୍ଟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି । ଦିଲ୍ଲୀ ସରକାର ରବିବାର ଦିନ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିବା ଏବଂ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଯିବା ନେଇ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ସହରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ୧୦ମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଅନଲାଇନ ମାଧ୍ୟମରେ କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ଆସନ୍ତାକାଲି ଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଫିଜିକାଲ କ୍ଲାସ ମଧ୍ୟ ସ୍ଥଗିତ ରଖାଯାଇଛି ଏବଂ ସମସ୍ତ ପାଠ ପଢା ଅନଲାଇନରେ କରାଯିବ।