କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।
No comments yet.
Politics
ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।
National
ଦ କୁଇଭର ବ୍ୟୁରୋ :- ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୧ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଆସି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୨୫ତାରିଖ ସକାଳୁ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଟକ ଗସ୍ତ କରିବେ ରାଷ୍ଟ୍ରପତି । କଟକ ଠାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ପରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିକାଶ ମୂଳକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମ ପରେ କଟକ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ କରିବେ । ଏହାପରେ ତୁଳସୀପୁର ସ୍ଥିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ତୁଳସୀପୁରରୁ ବାହାରି ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପହଞ୍ଚିବେ । ଆଦିକବି ସାରଳା ଦାସଙ୍କ ୬୦୦@ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କଳିଙ୍ଗ ରତ୍ନ ଆୱାର୍ଡ଼ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ସେହି କାର୍ଯ୍ଯକ୍ରମ ପରେ ଭୁବନେଶ୍ବର ଫେରି ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ ଫେରିଯିବେ ଦ୍ରୌପଦୀ ମୁର୍ମୁ ।
State
ମୋହନା( ଦ କୁଇଭର ):- ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l
State
ଦ କୁଇଭର ବ୍ୟୁରୋ :-:ଆସୁଛି ରଙ୍ଗର ପର୍ବ ହୋଲି । ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ଆଇଜିଙ୍କ ସହ ଡିସିପି ଓ ସିପିଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଆଡଭାଇଜାରି ଜାରି ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନେ ପ୍ରସ୍ତୁତି ରହିଛନ୍ତି । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ତେବେ ଅସାମାଜିକ ଓ ଅପରାଧିକ ତତ୍ତ୍ବ ଗତିବିଧି ଉପରେ ନଜର ରଖିବ ପୋଲିସ ,ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି,,ପକେଟମାର, ମହିଳାଙ୍କ ପ୍ରତି ଅସଦାଚରଣ ବା କମେଣ୍ଟ ପାସ ଭଳି ପରିସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି,ମେଳଣ ସମୟରେ ଯେପରି ଲାଠି, ବାଣ ପ୍ରଦର୍ଶନ ବା ଅନ୍ୟାନ୍ୟ ଅଶୋଭନୀୟ ପ୍ରଦର୍ଶନ ନ କରାଯିବ ତା ଉପରେ ନଜର ରଖିବ ପୋଲିସ,,ଦୋଳ ମେଳଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବ,,ଜଳାଶୟ, ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ଆଲର୍ଟ ସହ ଫୋର୍ସ ମୁତୟନ କରାଯିବ,,ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ରେସ୍କ୍ୟୁ ଟିମ୍ ଆଲର୍ଟ ରହିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, "ହୋଲି ପାଇଁ ଆମର ଯେଉଁ ଆଡଭାଇଜରି ଦିଆଯିବା କଥା ତାହା ପଠା ସରିଛି । ସେଥି ପାଇଁ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯିବା କଥା ସେ ସବୁ କରାଯାଉଛି ।
ଅନ୍ୟପକ୍ଷରେ ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ। ମଦ୍ୟପାନ କରି କୌଣସି ବ୍ୟକ୍ତି ନଦୀ କିମ୍ବା ପୂଲ୍କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ପିସିଆର l ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।
Education,State
ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Politics
ଭୁବନେଶ୍ୱର(ଦ କୁଇଭର): ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ପ୍ରସଙ୍ଗରେ ପୂରା ଚୁପ ରହିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହା ଉପରେ ଉପମୁଖ୍ୟମନ୍ତ୍ରୀ କହିବେ ବୋଲି କହି ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବାକୁ ଯାଇ ଦିନରେ ଲ ଣ୍ଠନ ଲଗାଇ ଖୋଜିଥିଲା । ଆଜି ଦିନ ସାରା ଜୟନାରାୟଣଙ୍କ ତାତି ପୂରା ବିଧାନସଭାକୁ ଅଚଳ କରିଦେଲା । ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ହାନୀ, ପାଣିର ଅଭାବ, ବର୍ଜ୍ୟ ବୋଝ, ଶିକ୍ଷକ ଓ ଅନ୍ୟ ମାନଙ୍କ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତର ପ୍ରସଙ୍ଗ ଥିଲେ ମଧ୍ୟ ତାକୁ ଧ୍ୟାନ ନଦେଇ ପାଲା ଚାଲିଛି । ଓଡ଼ିଶାରୁ ପରିଚୟ ପାଇଥିବା ଜୟନାରାୟଣ ଏବେ ଓଡ଼ିଶା ପିଠିରେ ଚୁରୀ ମାରିବାକୁ ବସିଛନ୍ତି । ତାଙ୍କର ଏହି ଆଭିମୁଖ୍ୟରେ ବିଜେପି ନୀରବ ରହିବା ହିଁ ବିତର୍କର କାରଣ ହୋଇଛି ।
ବିଧାନସଭାରେ ଚାଲିଛି ଫୁଲ ତାମସା । ଗୋଟେ ପ୍ରହସନ ଚଳାଇଛନ୍ତି ସରକାର । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବାସ୍ତବରେ ତର୍ଜମା ସାପେକ୍ଷ । ତାଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ବିଧାୟକ ପ୍ରସ୍ତାବ ନଦେଇ ସିଧା ଅସମ୍ମାନ କରିବା ବା ବିରୋଧ କରିବା ଆଦୌ ଗ୍ରହଣୀୟ ନୁହେଁ । ଆଇନରେ ତ୍ରୁଟି ଥିଲେ ଅପରାଧ କରାଯାଏ ନାହିଁ । ଏ ଜ୍ଞାନ ଜୟନାରାୟଣଙ୍କର ନିଶ୍ଚିତ ଥିବ । ଆଇନ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଏ । ହେଲେ ସରକାରୀ ଦଳର ବିଧାୟକ ରାଜ୍ୟ ସଂଗୀତକୁ ଅସମ୍ମାନ କରିବା ଓ ରାଜ୍ୟ ବିରୋଧରେ ବିଦ୍ରୋହ କରିବା ଭଳି କଥା କହି ଅପରାଧ ତ ନିଶ୍ଚିତ କରିଛନ୍ତି । ହଁ ହୁଏତ ତାଙ୍କ କଥାରେ ଯଥାର୍ଥତା ଥାଇ ପାରେ । ମାତ୍ର ତାଙ୍କ କଥା କହିବାର ରାସ୍ତା ଠିକ ନୁହେଁ ।
ରାଜ୍ୟ ସରକାର ବା ବିଜେପି ସରକାର ଏହାକୁ ଧ୍ୟାନ ଦେଇ ପାରିଥାନ୍ତା । ଗୃହରେ ହେଉ କି ଗୃହ ବାହାରେ ହେଉ ଦଳ ଏପରି କିଛି କହି ପାରିଥାନ୍ତା । ଏହାକୁ ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହି ପାରିଥାନ୍ତା । ଜୟନାରାୟଣ ମନ୍ତ୍ରୀ ନୁହନ୍ତି ଯେ, ସମସ୍ୟା ହୋଇଥାନ୍ତା । ଜଣେ ବିଧାୟକଙ୍କ କଥାକୁ ଏକପାଖିଆ କରାଯାଇ ପାରିଥାନ୍ତା । ମାତ୍ର ତାହା କରୁନାହିଁ ବିଜେପି । ଏହାଦ୍ୱାରା ପଶ୍ଚିମ ଓ ଉପକୂଳ ମଧ୍ୟରେ ବିଭେଦ ବଢ଼ୁଛି । ସବୁଠାରୁ ବଡ଼ କଥା ହେଉଛି ଏପରି ଏକ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବି ଆଡ଼େଇ ଯାଇଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ସେ ହିଁ କହିବେ । ହେଲେ ଉପମୁଖ୍ୟମନ୍ତ୍ରୀ ବି ନୀରବ ବସିଛନ୍ତି । ଗୃହରେ ଏତେ ହୋ ହଲ୍ଲା ହେଲାଣି, ମୁଖ୍ୟମନ୍ତ୍ରୀ ବି ମୁହଁ ଖୋଲୁ ନାହାନ୍ତି । ଫଳରେ ବିଧାନସଭା ଚାଲି ପାରୁ ନାହିଁ କି ଲୋକଙ୍କ ପ୍ରସଙ୍ଗ ଆସି ପାରୁନାହିଁ ।
ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ରଙ୍କର ରାଜ୍ୟ ବରୋଧୀ ଆଭିମୁଖ୍ୟକୁ ଯଥାର୍ଥ କହିଛନ୍ତି ତାଙ୍କ ଝିଅ । ସେ ବି ବାପାଙ୍କ ଭଳି ରୋକଠୋକ କହିଛନ୍ତି, ଯଦି ଉକ୍ରଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ହେଲା, ତେବେ ରାଜ୍ୟ ସଂଗୀତରେ କେବଳ ଉକ୍ରଳ କାହିଁକି ରହିବ? କାହିଁକି କୋଶଳ ଓ କଳିଙ୍ଗର ନାମ ରହିବ ନାହିଁ । ତାଙ୍କର ଯୁକ୍ତି ଅକାଟ୍ୟ । ହେଲେ ଏହା ଏକ ବିରାଟ ପ୍ରସଙ୍ଗ । ଏହା ଉପରେ ତର୍ଜମା କରାଯିବା ଆବଶ୍ୟକ । ସମୀକ୍ଷା ଓ ତର୍କବିତର୍କ ପରେ ହିଁ ଏଦିଗରେ ପଦକ୍ଷେପ ନିଆଯିବା କଥା । ମାତ୍ର ଓଡ଼ିଶା ବିରୋଧରେ ବିଦ୍ରୋହ, ବା ଓଡ଼ିଶାରେ ମିଶିବା ଭୂଲ ବୋଲି କହି ବିଭେଦ ସୃଷ୍ଟି କରିବାକୁ ନାପସନ୍ଦ କରାଯାଉଛି । ଯେଉଁ ଓଡ଼ିଶା ଜୟନାରାୟଣଙ୍କୁ ପରିଚୟ ଦେଇଛି, ସେହି ଓଡ଼ିଶା ପିଠିରେ ଛୁରୀ ମାରି ଜୟନାରାୟଣ ନିଜକୁ ବଡ଼ ନେତା କହିବାକୁ ଚାହୁଁଥିଲେ ତାହା କେବେ ହେବନାହିଁ । ଜୟନାରାୟଣଙ୍କ ପ୍ରସଙ୍ଗରେ ବିଜେପି ଚୁପ ରହି ତାଙ୍କ କଥାକୁ ସମର୍ଥନ ଦେଉଥିବା ସ୍ପଷ୍ଟ ହେଉଛି । ଏଦିଗରେ ବିଜେପି ତାର ଆମୁଖ୍ୟକୁ ସ୍ପଷ୍ଟ ନକଲେ ବିଜେଡି ଓ କଂଗ୍ରେସର ଅଭିଯୋଗ ମିଥ୍ୟା ନୁହେଁ ବୋଲି କୁହାଯିବ ନାହିଁ କି? ଦେଖାଯାଉ ବିଜେପି ଜୟନାରାୟଣଙ୍କ ପ୍ରସଙ୍ଗରେ ମୁହଁ ଖୋଲି ରାଜ୍ୟ ସ୍ୱାର୍ଥକୁ ଦେଖୁଛି ନା ଗୃହରେ ଏପରି ତାମସା ଚାଲୁ ରହୁଛି?
Shree Jagannath,State
ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ଗଜପତି ଜିଲ୍ଲା ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍ ପ୍ଲାଜାଠାରେ ବିଜୁ ଜନତାଦଳର ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାରଳାଖେମୁଣ୍ଡି ବରିଷ୍ଠ ନେତା ବସନ୍ତ ଦାଶ, ପ୍ରଦୀପ ନାୟକ , ଜି. ତିରୁପତି ରାଓ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ , ଗବରା ତିରୁପତି ରାଓଙ୍କ ସମେତ ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ ବିଜେଡି କାଉନ୍ସିଲର ମାନେ ଉପସ୍ଥିତ ରହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ନିସ୍ବାର୍ଥ ଭାବେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ମୋଟା ଅଙ୍କର ଆର୍ଥିକ ସହଯୋଗ ଲାଗି ନିବେଦନ କରାଯିବ ବୋଲି ଉପସ୍ଥିତ ନେତା କର୍ମୀ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଯଦି ଅଧିକ ଅର୍ଥର ଆବଶ୍ୟକ ପଡ଼େ ତେବେ ତିରୁପତି ପାଣିଗ୍ରାହୀ ନିଜେ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହରବାସୀ ମଧ୍ୟ ନିର୍ମାଣରେ ସହଯୋଗ ଜାରି ରଖନ୍ତୁ ବୋଲି କହିଥିଲେ ତିରୁପତି ପାଣିଗ୍ରାହୀ। ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ ସହଯୋଗ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ତେବେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାଯାଏ ସହଯୋଗର ହାତ ବଢ଼ାଇବାକୁ ସାଧାରଣ ଜନତା, ନେତା, କର୍ମୀମାନଙ୍କୁ ତିରୁପତି ଆହ୍ବାନ କରିଛନ୍ତି ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ସହରର ନଗରମପଲ୍ଲୀ ସାହିର ଏକ ଭଡ଼ା ଘରେ ସ୍ବାମୀର ତଣ୍ଟି କାଟି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ତ୍ରୀ ହାରୀ ରଇତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଜତିନ୍ଦ୍ର କୁମାର ପଣ୍ଡା। ସୂଚନା ପ୍ରକାରେ ଗୁଣୁପୁର ଥାନା ଅନ୍ତର୍ଗତ ମାଛଖୁଣ୍ଟି ଗାଁ ଠାରୁ ଆସି ସ୍ବାମୀ ସ୍ତ୍ରୀ ଦୁହେଁ ଦୁଇ ମାସ ହେଲା ନଗରମପଲ୍ଲି ସାହିରେ ଭଡ଼ାଘରେ ରହୁଥିଲେ । ପାରଳାଖେମୁଣ୍ଡି ସହରରେ ଚାକିରି ମିଳିବ କହି ସ୍ତ୍ରୀ ହାରୀ ରଇତ ସ୍ବାମୀ ମେଦେଲା ଜଗଦିଶକୁ ସାଥିରେ ନେଇ ଚାଲି ଆସିଥିଲେ। ଅନେକ ସମୟରେ ସ୍ବାମୀ ସ୍ତ୍ରୀ ପରସ୍ପରଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ହାର ରଇତ ଉକ୍ଷିପ୍ତ ହୋଇ ଏକ ଛୁରା ସାହାଯ୍ୟରେ ସ୍ବାମୀଙ୍କୁ ଆକ୍ରମଣ କରି ହତ୍ୟା କରି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଅଭିଯୁକ୍ତ ସ୍ବୀକାର କରିଛି। ପୋଲିସ ଆଗରେ ହତ୍ୟାର ଡେମୋ ଦେଖାଇବା ସହ ହତ୍ୟାରେ ବ୍ୟବହୃତ ଛୁରା ସହ ପର୍ଯ୍ୟାପ୍ତ ପ୍ରମାଣ ପାଇଥିବା କହିଛନ୍ତି ଏସପି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।
State
ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ବିଜେଡି ସଦସ୍ୟ । ପୁଣି ଗୃହକାର୍ଯ୍ୟ ଚଳାଇ ଦେଲେନି ବିରୋଧୀ । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛି କଂଗ୍ରେସ । ଏଣୁ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ । ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ହେଉହେଉ ଜଳସେଚନ ଉପରେ ଗୃହରେ ଉତ୍ତର ରଖୁଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ । ପୋଲାଭରମ ପ୍ରସଙ୍ଗରେ ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ । ପୋଲାଭରମ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି,ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି lଶେଷରେ ବାଧ୍ୟ ହୋଇ ବାଚସ୍ପତ୍ତି ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।
Politics,State
ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l
Shree Jagannath,State
ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ସେହିପରି ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି
State
ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।
ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
Shree Jagannath
ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।
ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
State,Politics
ଭୁବନେଶ୍ୱର( ଦ କୁଇଭର ):- ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖାଦେଇଛି । ଆଜି ସାମ୍ବାଦିକ ମାନଙ୍କର ମୋବାଇଲକୁ ବାରଣ କରାଯାଇଛି । ବିଧାନସଭାର ସାମ୍ବାଦିକ ଗ୍ୟାଲେରୀ କୁ ଯିବା ବାଟରୁ ସିକ୍ୟୁରୀଟି ଚେକ ନାମରେ ମୋବାଇଲକୁ ରଖି ଦିଆଯାଇଛି । ଏହାକୁ ନେଇ ତାତିଛନ୍ତି ସାମ୍ବାଦିକ ମାନେ । ଗାନ୍ଧୀମୂର୍ତ୍ତି ପାଖରେ ଧାରଣା ବି ଦେଇଛନ୍ତି । ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା ବି କରିଛନ୍ତି ।
ପ୍ରସଙ୍ଗ ହେଉଛି, ଆମ ଜନପ୍ରତିନିଧି ମାନଙ୍କର ଇଜତକୁ ଲାଗିବା । ଗତକାଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ମାନେ ଧସ୍ତାଧସ୍ତି ହୋଇଥିଲେ, ମାଡ଼ପିଟ ବି ହୋଇଥିଲା, ବିରୋଧୀଙ୍କ ଆଡ଼ୁ ସରକାରଙ୍କ ଟ୍ରେଜେରୀ ବେଞ୍ଚ ଉପରକୁ ଫାଇଲ ଫିଙ୍ଗାଫୋପଡ଼ା ବି ହୋଇଥିଲା । ପୁରା ରଣକ୍ଷେତ୍ର ପାଲଟି ଯାଇଥିଲା ବିଧାନସଭା । କେହି କାହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥିତିରେ ମୋବାଇଲରେ ରେକର୍ଡ କରିନେଇଥିଲେ ସାମ୍ବାଦିକ ମାନେ । ସାମ୍ବାଦିକ ଗ୍ୟାଲେରୀରୁ ସବୁ ରେକର୍ଡ ହୋଇ ଖବର ବାଜିଲା । ଏହାକାଳେ ଆମ ଜନପ୍ରତିନିଧିମାନଙ୍କର ଇଜତକୁ ଲାଗିଯାଇଛି ।
ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ପବିତ୍ର ଗୃହରେ ବା ଆଇନର ମନ୍ଦିରରେ ମାଡ଼ପିଟ ହବା, ଔଦ୍ଧତ୍ୟାମୀ ଦେଖାଇବା, ଅଭାଦ୍ରାମୀ କରିବା । ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କ ମାଡ଼ପିଟ, ତାଙ୍କ ମୂର୍ଖାମୀ, ତାଙ୍କ ଔଦ୍ଧତ୍ୟତା ଜନସାଧାରଣଙ୍କ ପାଖରେ ପହଞ୍ଚିଯିବା । ସେଥି ପାଇଁ ସମସ୍ତେ ଉତକ୍ଷିପ୍ତ ।ଏହାପରେ ନିଜ କାରନାମା ଲୁଚାଇବା ପାଇଁ ସରକାରୀ ଭାବେ ନିର୍ଦେଶ ଦେଇ ମୋବାଇଲ ବନ୍ଦ କରିଦିଆଯାଇଛି । ତେଣୁ ଏ ଜନ ପ୍ରତିନିଧିମାନେ ବିଧାନସଭା ଭିତରେ ମାଡ଼ପିଟ ଲାଗନ୍ତୁ ବା ଗଡ଼ାତଡ଼ା ଲାଗନ୍ତୁ ଆଉ କିଛି ପଦାକୁ ଯିବନି । ନା ମୋବାଇଲ ଥିବ ନା ପଦାକୁ ଯିବ ।
ଏଠି ଆମେ ଆଇନ କଥା କହୁଛୁ । ବିଧାନସଭାର ପ୍ରତେ୳କଟି କାର୍ଯ୍ୟକୁ ସାମ୍ବାଦିକ ମାନେ ଯଦି ରେକର୍ଡ କରିବା ପାଇଁ ଅନୁମତି ଅଛି । କିନ୍ତୁ ଏ ଅନୁମତି ସତ୍ୱେ, ଯଦି ସାମ୍ବାଦିକମାନେ ରେକର୍ଡ କଲେ ତାହେଲେ ଅସୁବିଧା କେଉଁଠି ରହିଲା । ବିଧାସଭା ଭିତରେ ଏମାନଙ୍କ ଅପକର୍ମ, କୁକର୍ମକୁ ଯଦି ସାମ୍ବାଦିକ ମାନେ ଲୋକଙ୍କ ସାମ୍ନାକୁ ଆଣିଲେ, ଏହା କଣ ସାମ୍ବାଦିକ ମାନଙ୍କର ଅପରାଧ । ଏମାନେ ଜନସାଧାରଣଙ୍କ ସମସ୍ୟାକୁ ଛାଡ଼ି ମାଡ଼ପିଟ ଲାଗିଯାଉଛନ୍ତି ରାଜନୀତି କରିବା ପାଇଁ ।
ସରକାର ଏହାକରି ଗଣତନ୍ତ୍ରର କେବଳ କଣ୍ଠରୋଧ କରିନାହାନ୍ତି, ମୌଳିକ ଅଧିକାର କହିବାର ସ୍ୱାଧୀନତା ଉପରେ ବି ହସ୍ତକ୍ଷେପ କରିଛନ୍ତି । ବାକ ସ୍ୱାଧୀନତାକୁ ତାଲା ପକାଇବା ପାଇଁ ଆରମ୍ଭ କରିଛନ୍ତି ମୋହନ ସରକାର । ମୋହନସରକାରଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତତ୍କାଳ ବିଧାସଭାର ପ୍ରତେକଟି କାର୍ଯ୍ୟକୁ ଲାଇଭ କରାଯାଉ ଏବଂ ବିଧାନସଭାରେ ତାଙ୍କ ଲୋକମାନଙ୍କର ପ୍ରତିନିଧିମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସାମ୍ନାକୁ ଅଣାଯାଉ । ଅନ୍ୟଥା ମୋହନସରକାର, କଳଙ୍କିତ ଅଧ୍ୟାୟ ଲେଖିବାର ପ୍ରଥମ ଲେଖକ ହିଁ ହେବେ ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବଢୁଛି ପାରଦର ସ୍ତର ତାପମାତ୍ରା ବୃଦ୍ଧି ସହ ଅସମ୍ଭାଳ ତାତି ଦେଖୁବାକୁ ମିଳୁଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଥିବା ବେଳେ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଟାଇଁ ଟାଇଁ ଖରା । ମଙ୍ଗଳବାର ଠାରୁ ତାତି ବଢୁଥିବା ବେଳେ ଆଗାମୀ ୫ ଦିନରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଚଳିତ ସପ୍ତାହରେ ୩ ଦିନର ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ । ୧୩, ୧୪ ଓ ୧୫ ତାରିଖ ୩ ଦିନ ହିଟୱେଭ ବିଭାଗ ଜାରି କରିଥିବା ବେଳେ ପଶ୍ଚିମ ଓଡିଶା ବା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ । ୩ ଦିନ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଥିବା ବେଳେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲା ପାଇଁ ସତର୍କତା ଜାରି କରିଛି କେନ୍ଦ୍ର। ୧୩ ତାରିଖ ରେ ୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ କୁ ୟେଲୋ ୱାର୍ଣିଂ ଜାରି । ୧୪ ତାରିଖ ଓ ୧୫ ତାରିଖ ରେ ପ୍ରବଳ ଖରା ନେଇ ୮ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଅନୁଗୁଳ ଓ ବରଗଡ଼ କୁ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି," ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକା ମନୋରମା ମହାନ୍ତି ।
State
ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବୁଧବାର ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ପରମ୍ପରା ଅନୁଯାୟୀ ବୁଧବାର ସକାଳୁ ବାଜିଥିଲା ଡେଙ୍ଗୁରା । ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରାଯାଇଥିଲା ମା'ଙ୍କ ଯାତ୍ରା ବିଷୟରେ । ବୁଧବାର ସକାଳୁ ବାପା ଦେଶିବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ। ଏହା ପରେ ଦେଶିବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇବା କାର୍ଯ୍ୟକ୍ରମ ଆରମ୍ଭ କରି ସହରବାସୀଙ୍କୁ ଅବଗତ କରାଯାଇଛି। ଦେଶୀ ବେହେରାଙ୍କ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଯାତ୍ରାର ଦିନ ଧାର୍ଯ୍ୟ କରିଛନ୍ତି l
ଅସ୍ଥାୟୀ ମଣ୍ଡପ ଯାତ୍ରା ତାରିଖ ଘୋଷଣା କରିଛନ୍ତି ବାପା ଦେଶୀବେହେରା l ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୩ ତାରିଖ ଠାରୁ ଆରମ୍ଭ ହେବ ମା'ଙ୍କ ଯାତ୍ରା,୨୬ ଦିନ ବାପା ଘରେ ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା'ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।
ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା' ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା'ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା'ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।