ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।
ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
No comments yet.
State
ଗଞ୍ଜାମ ( ଦ କୁଇଭର):- ଆରମ୍ଭ ହେଲା ପୋଲିସ ର ଅପରାଧ ସଫେଇ ଅଭିଯାନ! ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ଯକଳାପ କୁ ନେଇ ବାରମ୍ବାର ପୋଲିସ ର ସୁରକ୍ଷା ବ୍ଯବସ୍ଥା ଉପରକୁ ଅଙ୍ଗୁଳି ଉଠିବା ପରେ ଏବେ ଆକ୍ସନ ମୋଡ ରେ ପୋଲିସ। ଜିଲ୍ଲାରେ ବନ୍ଧୁକ ଧରି ଆତଙ୍କ ରଚିବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବାର ଯୋଜନା କରୁଥିବା ୧୮ ଅଭିଯୁକ୍ତ କୁ କାବୁ କରି ୧୭ ଟି ବନ୍ଧୁକ ୬୬ ଟି ଅଫୁଟା ଗୁଳି ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗଞ୍ଜାମ ପୋଲିସ ଜିଲ୍ଲାର ଏହି ଅଭିଯାନ ପୋଲିସ କୁ ଆଗକୁ ସାମନ୍ଯ ଆଶ୍ବସ୍ତ ଦେବ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ଅଭିଯାନ କେବେ ହାତକୁ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର।
State
ବ୍ରହ୍ମପୁର( ଦ କୁଇଭର):- ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୦. ୦୫. ୨୫ ରିଖ ଶନିବାର ଦିନ ବ୍ରହ୍ମପୁର ଜିଲ୍ଲା ଓ ସିଭିଲ କୋର୍ଟ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ କୋର୍ଟ ଗୁଡିକରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି,ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି କୋର୍ଟରେ ବିଚାରଧୀନ ଅଛି ଅଥବା କୌଣସି ବିବାଦ ର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା'ହେଲେ ଲୋକ ଅଦାଲତ ର ସାହାର୍ଯ୍ୟ ନେଇପାରିବେ l ଏହା ସହିତ ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କରାଯିବ l ସରଳ ଓ ସହଜ ସମାଧାନ ତଥା ଆର୍ଥିକ ଏବଂ ସମୟ ଉପଚୟରୁ ମୁକ୍ତି ପାଇବା ପାଇଁ ଏହି ସୁଯୋଗର ଲାଭ ଉଠାନ୍ତୁ l ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ l
National,State
ଦ କୁଇଭର ବ୍ୟୁରୋ:- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି...' କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ। ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଶନିବାର ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଯାଇଥିବା ଏବଂ ତାଙ୍କ ସୁଗାର କମ୍ ହୋଇଯିବାରୁ ଟ୍ରେନରେ ଚଢିବା ବେଳେ ପଡିଯାଇ ଆହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ଜୁଏଲ ଓରାମ। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ସେ ଜବଲପୁରରେ କାର୍ଯ୍ୟକ୍ରମ ସାରି ଗତକାଲି ରାତିରେ ଦିଲ୍ଲୀ ଫେରିଆସି ନିଜ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି।
Shree Jagannath
ପୁରୀ( ଦ କୁଇଭର):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଆଜି ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି । ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ । ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ହୋଇଛି । ଫଳରେ ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ । ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଷ୍ପତ୍ତି ଫଳରେ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରକୁ ବଳ ମିଳିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହିତ ଆଞ୍ଚଳିକ ବିକାଶ ଏବଂ ଅଞ୍ଚଳକୁ ସାମଗ୍ରିକ ଯୋଗାଯଗ କ୍ଷେତ୍ରରେ ଅନେକ ସୁଧାର ଆସିଯିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କର ଯାତାୟତର ବ୍ୟବସ୍ଥା ରହିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ପୁରୀକୁ ଅଧିକରୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ଆସିବା ସହ ପର୍ଯ୍ୟଟନ ଓ ଅର୍ଥନୀତି କ୍ଷେତ୍ରରେ ପୁରୀ ବେଶ ସମୃଦ୍ଧ ହେବ l
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୬ ତମ ମ୍ୟାଚ୍ରେ ବାଜି ମାରିଲା ଗୁଜୁରାଟ । ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ମାଟି ୱାଙ୍ଖେଡେ ଷ୍ଟାଡିୟମରେ ହରାଇଛି ଗୁଜରାଟ ଟାଇଟାନ୍ସ । ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍ କରିଥିଲା ମୁମ୍ବାଇ । ୧୫୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଗୁଜରାଟ ପ୍ଲେୟର୍ସ । ୧୮ ଓଭର ବେଳକୁ ଗୁଜୁରାଟ ୬ ୱିକେଟ ହରାଇ ୧୩୨ ରନ କରିଥିବା ବେଳେ ବର୍ଷା ପାଇଁ ଖେଳ କିଛି ସମୟ ସ୍ଥଗିତ ରହିଥିଲା । ୧୯ ତମ ଓଭରରେ ଗୁଜୁରାଟକୁ ୧୪୭ ରନର ଟାର୍ଗେଟ ଦିଆଯାଇଥିଲା । ୧ ଓଭରେ ୧୫ ରନ ଲକ୍ଷ୍ୟ ରଖି ଖେଳିଥବା ଗୁଜୁରାଟ ୩ ୱିକେଟ ଥାଇ ମ୍ୟାଚ୍କୁ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭରୁ ଖରାପ ପ୍ରଦର୍ଶନ ଥିଲା ପ୍ରଥମ ଓଭରରେ ହିଁ ରିଆନ ରିକେଲଟନ ୨ଟି ବଲ ଖେଳି ମାତ୍ର ୨ ରନ କରି ଆଉଟ ହୋଇଥିଲେ । ସେପଟେ ୧୫୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜୁରାଟ । ଟାର୍ଗେଟର ପିଛା କରି, ଗୁଜରାଟ ଟାଇଟାନ୍ସ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ପରେ ମ୍ୟାଚ୍ ପୁନରାରମ୍ଭ ହେବା ପରେ, ମୁମ୍ବାଇ ଇଣ୍ଡିଆନ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଲଗାତାର ଗୁଜରାଟ ଟାଇଟାନ୍ସର ୫ ୱିକେଟ୍ ନେଇଥିଲା । କିନ୍ତୁ ପୁଣିଥରେ ବର୍ଷା ହେବା ଫଳରେ ମ୍ୟାଚ କିଛି ସମୟ ସ୍ଥଗିତ ରହିଥିଲା । ପୁଣିଥରେ ମ୍ୟାଚ୍ ଆରମ୍ଭ ହେବା ପରେ ଗୁଜରାଟକୁ ଗୋଟିଏ ଓଭରରେ ୧୫ ରନ୍ ଆବଶ୍ୟକ ଥିଲା । ଏପରି ପରିସ୍ଥିତିରେ, ଗୁଜରାଟ ଟାଇଟାନ୍ସ ହାର ନ ମାନି ୧ ଓଭରରେ ୧୫ ରନ କରି ୩ ୱିକେଟ ଥାଇ ବିଜୟୀ ହୋଇଛି ।
National
ଦ କୁଇଭର ବ୍ୟୁରୋ:- ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର । ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ । ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ନକ୍ସା ପ୍ରସ୍ତୁତ ସରିଛି। କେବଳ ଠିକ୍ ସମୟକୁ ଅପେକ୍ଷା କରିଛି ସେନା। ଏସବୁ ଭିତରେ ରାଫେଲ ତାର ପରାକ୍ରମ ଦେଖାଇଛି। ଆକାଶ ପଥରୁ ଆକ୍ରମଣ ହେଲେ ସାଇରନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍କାକଆଉଟ ଭଲି ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ କେମିତି ବର୍ତ୍ତିଲେ ସେ ନେଇ ବି ତାଲିମ ଦିଆଯିବ । ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାରି ଭିତରେ ଆତଙ୍କବାଦର ଅନ୍ତ କରିବାକୁ ଭାରତକୁ ଖୋଲା ସମର୍ଥନ ଦେଇଛନ୍ତି ଋଷ ଓ ଜାପାନ।
International,National
ଦ କୁଇଭର ବ୍ୟୁରୋ :- ଅପରେସନ୍ ସିନ୍ଦୂର’କୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି।କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାଧ୍ୟକ୍ଷମାନଙ୍କ ସହ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଜଣାଯାଇଛି। ସେ ଆଜି ଯୁଦ୍ଧସ୍ଥିତିର ସମୀକ୍ଷା କରିବେ।
State,Politics
ଦ କୁଇଭର ବ୍ୟୁରୋ:- ଆଟାଚ ହେବ ରାଜା ଚକ୍ରଙ୍କ ସମ୍ପତ୍ତି । ରାଜା ଚକ୍ରଙ୍କ କ୍ରସର ୟୁନିଟ ଓ ଅନ୍ୟ ଜାଗାରେ STFର ଚଢ଼ାଉ । କେନ୍ଦୁଝର ଓ ଆଖପାଖ ଅଞ୍ଚଳରେ STFର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରୁଛି। ରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ ହେବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି । ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରା ଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
National,International
ଦ କୁଇଭର ବ୍ୟୁରୋ:- ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ନିଦ ହଜିଯାଇଛି। ଭାରତର ପ୍ରତିଶୋଧର ଭୟରେ ପାକିସ୍ତାନ ଥରୁଛି। ଅନୁମାନ କରାଯାଉଛି, ଏଥର ପାକିସ୍ତାନ ଭାରତର ପ୍ରତିଶୋଧକୁ କେବେ ଭୁଲିପାରିବ ନାହିଁ। ପହଲଗାମ ଆକ୍ରମଣ ମଧ୍ୟ ପିଓକେରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ କରିଥିଲେ। ତେଣୁ, ଏଥର ଭାରତୀୟ ସେନା କେବଳ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାକୁ ଟାର୍ଗେଟ କରିବ। ଆଶା କରାଯାଉଛି ଏଥର ପାକିସ୍ତାନ ପାଇଁ ଏକ ସ୍ଥାୟୀ ସମାଧାନ କରାଯାଇପାରିବ। ପାକିସ୍ତାନ ଭୟ କରୁଛି ଯେ, ଏଥର ପିଓକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ସହିତ, ସେଠାରେ ଭାରତୀୟ ସେନାକୁ ମଧ୍ୟ ମୁତୟନ କରାଯାଇପାରେ। ତେଣୁ, ପିଓକେରେ ଯୁଦ୍ଧ ପାଇଁ ପ୍ରସ୍ତୁତି ନିରନ୍ତର ଚାଲିଛି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସ୍ତ୍ର ବ୍ୟବହାର ପାଇଁ ତାଲିମ ଦିଆଯାଉଛି। ପାକିସ୍ତାନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସରକାର ପର୍ଯ୍ୟଟକମାନଙ୍କୁ ପିଓକେ ଯିବାକୁ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ ଭାରତର କାର୍ଯ୍ୟାନୁଷ୍ଠାନ ମଧ୍ୟ କାରଣ ବୋଲି କୁହାଯାଉଛି। ଏହି କାରଣରୁ ପାକିସ୍ତାନ ଏବେଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି। ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପିଓକେ ହରାଇବାର ଭୟ ଏତେ ପ୍ରବଳ ହୋଇଛି ଯେ, ଲାଉଡସ୍ପିକରରୁ ଆଜାନ ମଧ୍ୟ ବନ୍ଦ କରିଦିଆଯାଇଛି।
ଏଥର ଭାରତର ଟାର୍ଗେଟରେ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାସ୍ଥଳ ବୋଲି ବିଶ୍ୱାସ କରାଯାଉଛି। ଯଦି ପାକିସ୍ତାନ ପିଓକେ ହରାଏ, ତେବେ ସେ ବହୁତ ପଶ୍ଚାତାପ କରିବ। ଏହି ଭୟ ଯୋଗୁ ଲୋକମାନେ ପିଓକେରେ ରାସନ ସଂଗ୍ରହ କରିବା ଆରମ୍ଭ କରିସାରିଛନ୍ତି। ଏପରିକି ସମଗ୍ର ଅଞ୍ଚଳର ସମସ୍ତ ହୋଟେଲ ଏବଂ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ପିଓକେରେ ଅନେକ କଟକଣା ଲାଗୁ କରାଯାଇଛି ଏବଂ ସମଗ୍ର ଅଞ୍ଚଳ ଏକ ବଡ଼ ଯୁଦ୍ଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି। ପାକିସ୍ତାନ ପିଓକେକୁ ଅବରୋଧ କରିଛି। ଏଠାରେ ଅତ୍ୟାବଶ୍ୟକୀୟ ଔଷଧ, ରାସନ ସାମଗ୍ରୀ ଏବଂ ଗ୍ୟାସ ସିଲିଣ୍ଡର ପହଞ୍ଚାଯାଇଛି। ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଲୋକମାନେ ରାସନ ଏବଂ ଜରୁରୀ ଔଷଧ ମହଜୁଦ କରୁଛନ୍ତି। ପ୍ରଶାସନ ସମଗ୍ର ଅଞ୍ଚଳରେ ଅନେକ କଟକଣା ଜାରି କରିଛି। ପ୍ରଶାସନ ପ୍ରାୟ ୧୦୦୦ ମଦ୍ରାସାକୁ ବନ୍ଦ କରିଦେଇଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଏହାକୁ ଆତଙ୍କବାଦୀ ତାଲିମ କେନ୍ଦ୍ର କହି ଆକ୍ରମଣ କରିପାରେ। ଏହା ବ୍ୟତୀତ, ସମସ୍ତ ହୋଟେଲ ଖାଲି ପଡ଼ିଛି ଏବଂ ବନ୍ଦ କରିଦିଆଯାଇଛି। ବିବାହ ଉତ୍ସବ ପାଇଁ ହଲ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଆତସବାଜି ଉପରେ ମଧ୍ୟ ପ୍ରତିବନ୍ଧକ ଅଛି ଏବଂ ସବୁଠାରୁ ବଡ଼ କଥା ହେଉଛି, ଏବେ ପିଓକେରେ ଲାଉଡସ୍ପିକରରେ ଆଜାନ ଦେବାକୁ ମଧ୍ୟ ନିଷେଧ କରାଯାଇଛି।
ପିଓକେକୁ ନେଇ ପାକିସ୍ତାନ ପୁଣି ଥରେ ଭୟ ଏବଂ ଆତଙ୍କରେ ଅଛି। ଭାରତକୁ ପିଓକେକୁ ପୁଣି ଥରେ ଦଖଲ କରିବାର ସୁଯୋଗ ମିଳିଛି। ପାକିସ୍ତାନ ଦ୍ୱାରା ବଳପୂର୍ବକ ପିଓକେ ଦଖଲ କରାଯାଇଥିଲା। ଏବେ ସେହି ପାକିସ୍ତାନ ଅଧିକୃତ କଶ୍ମୀରରେ ତ୍ରିରଙ୍ଗା ଉଡିବାକୁ ଯାଉଛି। କାରଣ ଏଥର ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିବା ସହିତ, ଏହାକୁ ସବୁଦିନ ପାଇଁ ପୋଛି ଦେବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।
Sports
ଦ କୁଇଭର ବ୍ୟୁରୋ:- ଚଳିତ ଆଇପିଏଲ ସିଜିନର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ ର ଦମଦାର ବିଜୟ । ୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍ କରି ୩୭ ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ ୪୮ ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍ ଗୋଟିଏ ଚୌକା ଏବଂ ୪ ଟି ଛକା ସହାୟତାରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରିଷଭ ପନ୍ତ ୧୭ ବଲ୍ ଖେଳି ୨ ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ କରି ଆଉଟ ହୋଇଥିଲେ । ମୋଟ ୨୦ ଓଭର ଖେଳି ୭ ୱିକେଟ ହରାଇ ୩୭ ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।
State,Shree Jagannath
ପୁରୀ ( ଦ କୁଇଭର):- ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା ।2015 ନବକଳେବର ବଳକା ଦାରୁରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ କରି ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଥିବା ନେଇ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ରାମକୃଷ୍ଣ ଦାସ ମହାପାତ୍ର ଦେଇଥିଲେ ପ୍ରତିକ୍ରିୟା । ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପରେ ସମଗ୍ର ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନମନ୍ତ୍ରୀ । ଦାରୁ' ବିବାଦ ନେଇ ପଚରାଉଚରା ଜାରି । ନିଯୋଗ ସଭାପତି ଉପସ୍ଥିତ । ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ବି ପଚରାଉଚରା ଜାରି ରହିଛି ।
ଅନ୍ୟପଟେପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ କହିଛନ୍ତି । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଭାରତରେ ୪ଟି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ ବୋଲି ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଶୁଭେନ୍ଦୁ ।ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଦାରୁ ଚୋରି ଅଭିଯୋଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୁଦ୍ଧରେ ଥାନାରେ ସେନା ପକ୍ଷରୁ ଏତଲା ଦିଆଯାଇଛି । ତେବେ ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ପ୍ରଭୁ ବଳଭଦ୍ର ରଥ ଉପରୁ ଖସି ପଡିବା ଘଟଣାତଦନ୍ତ ଫଳ ଶୂନ । ଏଣୁ ଏହି ଦାରୁ ଚୋରି ଘଟଣା ର ତଦନ୍ତ ଯଦି ଶୂନ ହୁଏ ତେବେ ଆଗାମୀ ଦିନରେ ଏହି ସରକାର ମଧ୍ୟ ଶୂନ ହୋଇଯିବ।ମହାପ୍ରଭୂ କାହାରିକୁ କ୍ଷମା ଦେବେ ନାହିଁ । ଗତ ସରକାର ଏହି ପରିଣାମ ଭୋଗି ସାରିଛି " ବୋଲି ଚର୍ଚ୍ଚା ଜୋର ଧରିଛି l
Politics,State
ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି
ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l
ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l
Sports
ଦ କୁଇଭର ବ୍ୟୁରୋ:- ଅଧାରୁ ବନ୍ଦ ହେଲା ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୫ ର ୫୮ ତମ ମ୍ୟାଚ୍ । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍କୁ ବନ୍ଦ କରାଯାଇଛି । ଧର୍ମଶାଳା ଷ୍ଟାଡିୟମରେ ବ୍ଲାକଆଉଟ୍ ହୋଇଯାଇଛି । ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଭିତରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ମ୍ୟାଚ ଅଧାରୁ ବନ୍ଦ କରାଯାଇଛି । ତେବେ ମ୍ୟାଚ୍ ବନ୍ଦ ହେବା ବେଳକୁ, ପଞ୍ଜାବ ୧୦.୧ ଓଭର ଖେଳି ଗୋଟିଏ ୱିକେଟ ହରାଇ ୧୨୨ ରନ୍ କରିଥିଲା । ପିବିକେଏସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଟସ୍ ପଡ଼ିବା କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ବିଳମ୍ବ ସତ୍ତ୍ବେ ଓଭରରେ କୌଣସି ହ୍ରାସ କରାଯାଇ ନଥିଲା । ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ୍ ସିଂହ ଯୋଡି ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୭୦ ରନ କରି ପେସ୍ ବୋଲର ଟି ନଟରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପ୍ରଭସିମରନ୍ ସିଂହ ୨୮ ବଲ୍ରୁ ୫୦ ରନ୍ କରିଛନ୍ତି । ୧୦.୧ ଓଭର ବେଳକୁ ଖେଳକୁ ଅଧାରୁ ବନ୍ଦ କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି । ୧୧ଟି ମ୍ୟାଚ୍ ଖେଳି ପଞ୍ଜାବର ୧୫ ପଏଣ୍ଟ ରହିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ରୁ ୧୩ ପଏଣ୍ଟ ପାଇଛି । ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ପୂର୍ବରୁ, ଡିସି ୬ଟି ମ୍ୟାଚ୍ରୁ ଚାରି ଥର ପରାଜୟର ସମ୍ମୁଖୀନ ହୋଇଥିଲା ।
Education
ଦ କୁଇଭର ବ୍ୟୁରୋ:- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆରମ୍ଭ ହୋଇଯାଇଛି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (NEET UG) ଟେଷ୍ଟ ପରୀକ୍ଷା । ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ଯାଏଁ ୩ ଘଣ୍ଟା ଧରି ପରୀକ୍ଷା ଜାରି ରହିବ । ପେନ ଓ ପେପର ଫର୍ମାଟରେ ପରୀକ୍ଷା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଜୁନ ୧୪ ତାରିଖରେ ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପରୀକ୍ଷା ପାଇଁ ୨୨. ୭ ଲକ୍ଷରୁ ଅଧିକ ଡାକ୍ତରୀ ଆଶାୟୀ ପଞ୍ଜିକରଣ କରିଥିଲେ ।ଓଡ଼ିଶାରୁ ପ୍ରାୟ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନୀଟ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। ଓଡିଶାରେ ଭୁବନେଶ୍ବର,କଟକ ,ବରଗଡ଼, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ଯାଜପୁର ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ଅନୁଗୋଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ ଗଂଜାମ, ରାୟଗଡ଼ା, ପାରଳାଖେମୁଣ୍ଡି, ସୁନରଗଡ ବଲାଙ୍ଗୀର ଓ କଳାହାଣ୍ଡି ଭଳି ଜିଲ୍ଲାରେ ନିଟ ପରୀକ୍ଷା ପାଇଁ କେନ୍ଦ୍ର ରହିଛି। ଏହା ସହିତ ବିଶେଷ ଭାବରେ କେନ୍ଦ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ମୋବାଇଲ ଡିଜିଟାଲ ଘଣ୍ଟା ଓ କାଲକୁଲଟତର ନେବା ପାଇଁ ନିଷେଧ କରାଯାଇଛି।ଦେଶର 5ଶହରୁ ଅଧିକ ସହରରେ ୫୪୫୩ କେନ୍ଦ୍ର ଏବଂ ବିଦେଶର ୧୩ଟି ସହରରେ NEET(UG) ୨୦୨୫ ପରୀକ୍ଷା ଆରମ୍ଭ ହୋଇଛି ।
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।
ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।
Politics
ଦ କୁଇଭର ବ୍ୟୁରୋ:- ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଗତ ଏପ୍ରିଲ ୧୯ ରେ ବିଜେଡି ସଭାପତି ନିର୍ବାଚନ ହୋଇଥିଲା। ଯେଉଁଥିରେ ନବୀନ ନିର୍ଦ୍ବନ୍ଦ୍ବରେ ନବମ ଥର ପାଇଁ ନିର୍ବାଚିତ ହେଲେ। ଦଳର ନିୟମ କହୁଛି ୩୫୫ ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ ପରିଷଦ ଓ ୮୧ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତି ନିର୍ବାଚନ ହେବ। କିନ୍ତୁ ସଭାପତି ନିର୍ବାଚନ ସରିଥିଲେ ବି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ କିଏ ଅଛନ୍ତି ତାହା କେହି ଜାଣିନାହାନ୍ତି। ଖୋଦ୍ ଦଳ ଭିତରୁ ଏହାକୁ ନେଇ ଉଠିଲାଣି ଅସନ୍ତୋଷର ସ୍ବର। ଭୁବନେଶ୍ବରର ବିଜେଡି ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କିଛି ତୋଷାମୋଦିଆଙ୍କ କବଳରେ ଦଳ ଅଛି। ଜାଣିଶୁଣି କାର୍ଯ୍ୟକାରିଣୀ ତାଲିକାକୁ ଲୁଚାଯାଉଛି। ସେପଟେ ଦଳ କହୁଛି, ଦକ୍ଷ ଲୋକଙ୍କୁ ଦାୟିତ୍ବ ଦିଆଯିବ, ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ। ଖାଲି ବିଜେଡି ନୁହେଁ। ବିଜେପି ଓ କଂଗ୍ରେସର ବି ରାଜ୍ୟରେ ସମାନ ଅବସ୍ଥା। ଶାସକ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ଏଯାଏ ହୋଇନି। ସେହିପରି ପ୍ରଥମ ଥରେ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲେ ବି ବୋର୍ଡ ଓ ନିଗମ ଅଙ୍କ ଏଯାଏ ଛିଡିନି। ନୂଆ ସରକାରକୁ ଆସନ୍ତା ଜୁନ ୧୨ରେ ବର୍ଷେ ପୂରିବ, ତଥାପି ପଦବି ଖାଲି ପଡିଛି। ଅନ୍ୟପଟେ ପ୍ରାୟ ବର୍ଷେ ଖାଲି ପଡିବା ପରେ ପିସିସି ସଭାପତି ଦାୟିତ୍ବ ଭକ୍ତ ଦାସଙ୍କୁ ମିଳିଛି। କିନ୍ତୁ ଏହା ପରେ ବି ଦଳର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଗଠନ ହୋଇପାରିନି। ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅସଜଡା ଘର ଓ ଅମାନିଆ ନେତା। ତେବେ ଖୁବ ଶୀଘ୍ର ବିବାଦ ଦୂର କରି କମିଟି ଘୋଷଣା ହେବ ବୋଲି କଂଗ୍ରେସ କହିଛି।
Education,State
ଗଞ୍ଜାମ, ପୁରୁଷୋତ୍ତମପୁର ( ଦ କୁଇଭର):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ଚଳିତ ମାସ ୮ ତାରିଖ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରିବା ସହ ଦୁଇ ମନ୍ତ୍ରୀ ଏବଂ ଜିଲ୍ଲାର ବିଧାୟକ ତଥା ସାଂସଦ ମାନେ ଯୋଗଦେବାର ସୂଚନା ହସ୍ତଗତ ହୋଇଛି l ଏନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି l
ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ପ୍ରାକସ୍ବାଧିନତା କାଳରେ ଅର୍ଥାତ ୨୮.୧୦.୧୯୨୫ ମସିହାରେ ସ୍ଥାପନ ହୋଇଥିଲା ଯାହାର ଆଜି ଶହେ ବର୍ଷ ପୂର୍ତ୍ତି ହୋଇସାରିଛି l ତେବେ ଏହି ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବା ସହ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାଏକ, ପଦ୍ମଶ୍ରୀ ଶ୍ରୀ ଗୋପୀନାଥ ସ୍ୱାଇଁ ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ତେବେ ଏ ନେଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦାନ କରିବା ସହ କାର୍ଯ୍ୟକ୍ରମ ସକାଶେ ଭିତ୍ତଭୂମି ଓ ପାରିପାର୍ଶ୍ୱିକ ସ୍ଥିତିର ସମୀକ୍ଷାକରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟନିର୍ବାବାହୀ ଅଧିକାରୀ ମଧୂମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଏବିଡିଓ ନିରାକାର ଜେନା, ଜିଲା ଶିକ୍ଷା ଅଧିକାରୀ ଅଜୟକୁମାର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ କିଶୋରକୁମାର ବେହେରା,ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନ ଛାତ୍ରଛାତ୍ରୀ ଓ ଜନପ୍ରତିନିଧିଙ୍କ ସମେତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ତେବେ ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିବେ ତଥା ଅନ୍ୟ ମନ୍ତ୍ରୀଙ୍କ ସହ ସାଂସଦ ଏବଂ ବିଧାୟକଗଣ ଆସିବେ, ଗ୍ରାମରେ ପ୍ରଥମ ଥର ବିରାଟ ବଡ଼ ଆୟୋଜନ ହୋଇଥିବା ଦେଖି ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ହୋଇଥିବା ସହ ବିଦ୍ୟାଳୟର ଉତ୍ସବ ଯେପରି ସୁଚାରୁ ରୁପେ ହୋଇପାରିବ, ସେଥିପାଇଁ ସମସ୍ତ କାର୍ଯ୍ୟ ମିଳିମିଶି କରିବା ସହ କାର୍ଯ୍ୟକ୍ରମରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଅନବରତ ଉଦ୍ୟମ ଜାରିରଖିଛନ୍ତି ଗାଙ୍ଗଦହଣୀ ଗ୍ରାମବାସୀ ଏବଂ ବିଶେଷକରି ଗ୍ରାମର ଯୁବପିଢ଼ି l
State,Education
ପୁରୁଷୋତ୍ତମପୁର, ଗାଙ୍ଗଦହଣୀ ( ଦ କୁଇଭର):- ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମାଁ ଙ୍କୁ ଦର୍ଶନ କରି ମାଁ ତାରା ତାରିଣୀ ଙ୍କ ପୂଜାଅର୍ଚ୍ଚନା କରିବା ପରେ ଆଶିଷ ଲାଭ କରିଥିଲେ ଏବଂ ମାଁ'ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ଲାଭ କରିଥିବା କହିଥିଲେ । ମାଁ'ଙ୍କ ନିକଟରେ ବିକଶିତ ଓ ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲୋକଙ୍କ ବିକାଶ ସାଙ୍ଗକୁ ମାଆ'ଙ୍କ ନିକଟରେ ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହା ସହିତ ଆନୁସାଙ୍ଗିକ ବ୍ୟବସ୍ତା ପୂରଣ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମାଁ'ଙ୍କ ଦର୍ଶନ ସାରି ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ଗାଙ୍ଗଦହଣୀ ଗ୍ରାମ ରେ ଥିବା ଉନ୍ନୀତ ସରକାରୀ ବିଦ୍ୟାଳୟ ର ଶତବାର୍ଷିକ ସମାରୋହ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅନେକ ଛାତ୍ର ଛାତ୍ରୀ ଙ୍କ ସହ ଉତ୍ତମ ଭବିଷ୍ୟତ ବିଷୟରେ ଚର୍ଚ୍ଚା ପରେ ସାମୁହିକ ସମାରୋହ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାଂସଦ ଅନିତା ଶୁଭଦର୍ଶୀନି,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାଏକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତଥା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସରକାର ବହୁ ପଦକ୍ଷେପ ଗ୍ରହଣ କରିବେ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଦ୍ୟାଳୟ କୁ ଖୁବଶୀଘ୍ର " ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ" ର ମାନ୍ୟତା ଦିଆଯିବ ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁକମ୍ପା କାନୁନଗୋ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବିଦ୍ୟାଳୟ ର ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସେମାନଙ୍କର ପ୍ରତିଭା ପାଇଁ ସନମାନିତ କରାଯାଇଥିଲା l
National
ଦ କୁଇଭର ବ୍ୟୁରୋ:- ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍ର ନାମ ‘ଅପରେସନ୍ ଅଭ୍ୟାସ’ ରଖାଯାଇଛି। ମକ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍ଏଫ୍ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।