ପାରଳାଖେମୁଣ୍ଡି ( ଦ କୁଇଭର ) : ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ବର ପଂଖଓ୍ବାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ । ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିବାସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ବିକାଶ କାମର ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ପଂଖଓ୍ବାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ଏହା ସହ ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଅମୃତ ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ।
No comments yet.
State
ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ । ଭୋଗ କହିବାକୁ ନେଇ ଯାତ୍ରା ଅଧିକାରୀ ,ତାଙ୍କ ପୁଅଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା ।ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଜଗଦୀଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।ଚିକିତ୍ସିତ ଅବସ୍ଥାରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳ ଓ ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣା ସ୍ଥଳରୁ ଆକ୍ରମଣକାରୀ ବାପା ଓ ପୁଅକୁ କାବୁ କରିଛି । ଥାନାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l
State
ଭୁବନେଶ୍ୱର ( ଦ କୁଇଭର ):- ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା। ଏହା ଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇ ପାରିବ।
ତେବେ ରବିବାର ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ବିନିଯୋଗ କରାଯିବ।
State,National
ଦ କୁଇଭର ବ୍ୟୁରୋ :- ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ ୮୯ ବର୍ଷ ପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଇଆସୁଛି ।
ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଉତ୍କଳ ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଂଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି ।
Education
ଦ କୁଇଭର ବ୍ୟୁରୋ :- ସ୍କୁଲ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ l ପିଲା ଖାଇବେ ପୁଷ୍ଟିକର ଲଡୁ ସହ ଅଣ୍ଡା । ଶିଶୁ ବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲା ସାମିଲ ।ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ ।ଯାହା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମଧ୍ୟାହ୍ନ ଭୋଜନ ପାଇବେ । ପିଲାଙ୍କୁ ସ୍କୁଲରେ ଦିଆଯିବ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା । ଶିଶୁବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମିଳିବ । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ( Mukhyamantri Poshan Yojana)ରେ ବଜେଟ୍ରୁ ଖର୍ଚ୍ଚ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏଣିକି ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମିଳିବ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବା ସହିତ ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମଧ୍ୟାନ ଭୋଜନାରେ ଦିଆଯିବ । ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ମିଳିବ ।ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ଏହା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏପ୍ରିଲ ପହିଲାରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦିଆଯିବ । ଏହା ସହିତ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଲଡୁ ସହିତ ଅଣ୍ଡା ମଧ୍ୟ ଦିଆଯିବ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବାକୁ ଥିବା ଲଡ଼ୁ ପାଚିକା ତଥା ସହାୟିକାମାନେ ପ୍ରସ୍ତୁତ କରିବେ । ପ୍ରଧାନମନ୍ତ୍ରୀ ପୋଷଣ ଅଧୀନରେ ଅନ୍ତର୍ଭୁକ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଲଡ଼ୁ ମିଳିବ । ଗୋଟିଏ ଲଡ଼ୁ ପାଇଁ ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଲଡ଼ୁ ପିଛା ସାମଗ୍ରୀ ପାଇଁ ୩ ଟା ୨୪ ପଇସା ଓ ପ୍ରସ୍ତୁତି ଖର୍ଚ୍ଚ ୨୬ ପଇସା ଧାର୍ଯ୍ୟ କରାଯାଇଛି । ମାଣ୍ଡିଆ, ଚୁନା, ଗୁଡ଼, ଚିନାବାଦାମ, ଘିଅ, ରାଶି, ଗୁଜରାତି ଓ ଅଳେଇଚ ଏହି ଲଡ଼ୁ ପ୍ରସ୍ତୁତ ପାଇଁ ଆବଶ୍ୟକ । ଲଡ଼ୁ ପାଇଁ ଆବଶ୍ୟକ ସାମଗ୍ରୀ ସ୍ଥାନୀୟ ବଜାରରୁ ସାପ୍ତାହିକ ଓ ୧୫ ଦିନିଆ ଭିତ୍ତିରେ ସ୍କୁଲର ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରି କିଣିବାର ବ୍ୟବସ୍ଥା କରିବେ ।
ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଯେଭଳି ଭାବରେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରତି ଲଡୁ ପିଛା ୩ ଟଙ୍କା ୫୦ ପଇସା ରେ ପୁଷ୍ଟିକର ଲଡୁ ଯୋଗାଇ ଦେବେ । ଛାତ୍ରଛାତ୍ରୀଙ୍କ ଆନୁମାନିକ ସଂଖ୍ୟା ସମ୍ବଳିତ ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ସହିତ ବିଭାଗକୁ ପରବର୍ତ୍ତୀ ସମୟରେ ଏହାକୁ ସେୟାର କରିବେ। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସାର ପାଇଁ ସମସ୍ତ ଜିଲ୍ଲାପାଳଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ "ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଲଡୁ ବଣ୍ଟନ"ର ଚିତ୍ର ସେୟାର କରିବାକୁ ଅନୁରୋଧ କରାଯାଇଛି ।
ପୂର୍ବରୁ ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବ ଏବଂ କେହି ମଧ୍ୟ ଭୋକରେ ରହିବେନି ସେନେଇ ଏହି ବ୍ୟବସ୍ଥା କରାଯାଉଛି । ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ମିଳିବ । ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏଥିପାଇଁ ବର୍ଷକୁ ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ ହେବ ।
National
ଦ କୁଇଭର ବ୍ୟୁରୋ :- ସୀମାନ୍ତ ଛତିଶଗଡ଼ରେ ଶନିବାର ଗୋଟିଏ ଦିନରେ ୧୭ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍ ଜଗଦୀଶ ରହିଥିବା ପୁଲିସ ସୂଚନା ଦେଇଛି। ସୁକମା ଜିଲ୍ଲା କେରଲାପାଲ ଥାନା ଅନ୍ତର୍ଗତ ଗୋଙ୍ଗୁଡ଼ା, ନେଣ୍ଡୁମ, ଉପମପଲ୍ଲୀ ଗାଁ ନିକଟରେ ନକ୍ସଲ କ୍ୟାମ୍ପ କରିଥିଲେ। ସୂଚନା ମିଳିବା ପରେ ଶୁକ୍ରବାର ରାତିରେ ଲମ୍ବା ଅପରେସନ୍ ନିମନ୍ତେ ଗୁଳିଗୋଳା ଧରି ଜଙ୍ଗଲରେ ପଶିଥିଲେ ଡିଆର୍ଜି ଏବଂ ସିଆରପିଏଫ୍ ଯବାନ। ଶନିବାର ସକାଳ ପ୍ରାୟ ୮ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ ଅପରେସନ୍ କରିଥିଲେ ଯବାନ। ଘଟଣାସ୍ଥଳରୁ ୧୭ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେହିପରି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜ, ଦନ୍ତେୱାଡ଼ା ଡିଆଇଜି କମଳଲୋଚନ, ଏସ୍ପି କିରଣ ଚୌହାନ, ସିଆରପିଏଫ୍ ଡିଆଇଜି ଆନନ୍ଦ ସିଂ ଅପରେସନ୍ର ସବିଶେଷ ତଥ୍ୟ ଦେଇଛନ୍ତି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ଜଗଦୀଶ କୁହଡାମି ଓରଫ ବୁଦରା ନିହତ ହୋଇଛି। ଷ୍ଟେଟ୍ ଜୋନାଲ୍ କମିଟି ସଦସ୍ୟ ଜଗଦୀଶ ନାଁରେ ଡଜନେରୁ ଅଧିକ ଆପରାଧିକ ମାମଲା ରହିଛି। ଝିରମ ଘାଟି ହମ୍ଲାର ସେ ମାଷ୍ଟର ମାଇଣ୍ଡ୍ ଥିଲା। ତା’ ନାଁରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ତେବେ ଘଟଣାସ୍ଥଳରୁ ଏକେ-୪୭ ସହ ଇନ୍ସାସ୍ ରାଇଫଲ୍, ଏସ୍ଏଲ୍ଆର, ୩୦୩ ରାଇଫଲ୍, ରକେଟ୍ ଲଞ୍ଚର, ବିଜିଏଲ୍ ଲଞ୍ଚର୍ ସମେତ ବିପୁଳ ବିସ୍ଫୋରକ ଜବତ ହୋଇଛି। ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ଜଣ ଡିଆର୍ଜି ଯବାନ ଏବଂ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି।
State
ବ୍ରହ୍ମପୁର( ଦ କୁଇଭର ):- :- ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଶେଷରେ ଚଳିତ ବର୍ଷର ନବ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି l ଶେଷ ହୋଇଛି ରାଜ୍ୟର ପ୍ରତ୍ୟେକ ବାର ଆସୋସିଏସନର ନିର୍ବାଚନ l ପ୍ରତ୍ୟେକ ବାର ଆସୋସିଏସନ ଭଳି ବ୍ରହ୍ମପୁର ସ୍ଥିତ ଗଞ୍ଜାମ ବାର ଆସୋସିଏସନ ରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ସହ ଶନିବାର ଚଳିତ ବର୍ଷର ଶେଷ ହୋଇଛି ୨୦୨୫ ବାର ନିର୍ବାଚନ । ନବ ନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ଙ୍କ ଫଳାଫଳ ଘୋଷଣା ହୋଇସାରିଛି l ଗଞ୍ଜାମ ଓକିଲ ସଂଘ ନିର୍ବାଚନ ରେ ସଭାପତି ଭାବେ ମନୋଜ କୁମାର ପଟ୍ଟନାୟକ,ଉପସଭାପତି ଭାବେ ଟି.କେ ରେଡ୍ଡୀ, ସମ୍ପାଦକ ଭାବେ ଟି. ଭେଙ୍କଟ ରାଓ, ଯୁଗ୍ମ ସଂପାଦକ ଭାବେ ଅସିତ୍ ସାବତ ନିଜ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ମାତ ଦେଇ ବିଜୟୀ ହୋଇଛନ୍ତି l ତେବେ ଗଞ୍ଜାମ ବାର ଆସୋସିଏସନ ରେ ମୋଟ ୧୪୪୩ ଜଣ ଓକିଲ ଶନିବାର ନିଜ ନିଜର ମତ ସାବ୍ୟସ୍ତ କରିଥିବା ବେଳେ କିଛି ଜଣ ଅନୁପସ୍ଥିତ ରହିଥିବା ମଧ୍ୟ ଜଣାପଡିଛି l ତେବେ ସର୍ବାଧିକ ୭୧୭ ଭୋଟ ପାଇ ଗଞ୍ଜାମ ବାର ଆସୋସିଏସନ ର ଉପ-ସଭାପତି ଭାବେ ଜୟ ଯୁକ୍ତ ହୋଇଛନ୍ତି ବରିଷ୍ଠ ଓକିଲ ଶ୍ରୀ ଟି.କେ ରେଡ୍ଡୀ l ତେବେ ଏନେଇ ଗଞ୍ଜାମ ବାର ର ସମସ୍ତ ଓକିଲ ମହଲ ରେ ଖୁସି ର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି l ସମସ୍ତ ନବ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ମହଲରୁ ଶୁବେସ୍ଛାର ସୁଅ ଛୁଟିଛି l
Politics,State
ଦ କୁଇଭର ବ୍ୟୁରୋ :-:ନବୀନଙ୍କ ମନ୍ତ୍ରୀ କଣ ଥିଲେ ଲାଞ୍ଚୁଆ ? ଲାଞ୍ଚ ନେଇ ନିଜର ତହବିଲ ବଢ଼ାଉଥୁଲେ କି ? ଆୟ ତ ନଥିଲା, ଆୟ କର ବି ତ ଦେଖାଉନଥିଲେ । ଏତେ ଟଙ୍କା ଆସିଲା କେମିତି ନବୀନ ବାବୁଙ୍କ ମନ୍ତ୍ରୀଙ୍କ ପାଖରେ । ନବୀନ ବାବୁଙ୍କ ମନ୍ତ୍ରୀ ଚାନ୍ଦା ନେଉଥୁଲେ । ଏମିତି ବି ଚର୍ଚ୍ଚା ଜୋର ଧରିଛି । ଏମିତି କଥା ଆମେ ଫାଙ୍କାରେ କହିନୁ ବା ତାଙ୍କୁ ବଦନାମ କରିବା ପାଇଁ ବି କୁହାଯାଉନାହିଁ । ଠୋସ ପ୍ରମାଣ ଆସିଛି । ଆଉ ପ୍ରମାଣ ନିଜେ ଦେଇଛି ସାଇବର କ୍ରାଇମ ଥାନା । ସେ କାଳେ ଅନଲାଇନ ଟ୍ରେଡିଙ୍ଗରେ ୧ କୋଟି ୪୦ ଲକ୍ଷ ଟଙ୍କା ଲୁଟର ଶିକାର ହୋଇଛନ୍ତି । ସାଇବର ଅପରାଧୀମାନେ ତୁଷାରଙ୍କ ଏକାଉଣ୍ଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ନେଇଯାଇଥିଲେ । ଏବେ ସେମାନଙ୍କୁ ଗିରଫ କରାଯାଇଛି । ୧୯ ଲକ୍ଷ ଟଙ୍କା ଉଦ୍ଧାର ବି କରାଯାଇଛି ।
ଏବେ ଆସିବା ପ୍ରସଙ୍ଗକୁ, ଆମେ ଏଠି କହୁଛୁ ନବୀନ ବାବୁଙ୍କର ପୂର୍ବତନ ଗୃହ ଏବଂ କ୍ରୀଡା ମନ୍ତ୍ରୀ ତଥା ଏବେକାର କାକଟ ପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କ କଥା । ନିର୍ବାଚନ ବେଳେ ଦାଖଲ କରିଥିବା ତାଙ୍କ ଆପି ଡେଭିଟକୁ ଦେଖିବା ତାଙ୍କର ସମ୍ପତି ଏତେ ନୁହେଁ । ବର୍ତମାନ ଦରମା ଲକ୍ଷେ ଟଙ୍କା । ସେ ବିଧାୟକ ହେବା ପୂର୍ବରୁ ବି ତାଙ୍କ ଆୟ ଦେଖାଉନଥିଲେ । ମନ୍ତ୍ରୀ ହେଲାପରେ ବି ଆୟ ଦେଖାଉନଥିଲେ । ଗତ ନିର୍ବାଚନରେ ଯାହା ଦାଖଲ କରିଛନ୍ତି, ତାଙ୍କ ଆୟ ପ୍ରମାଣ ସେଥିରେ କୌଣସି ପ୍ରକାର ଏତେ ତାଙ୍କର ଜମି ଦେଖାଯାଇ ନାହିଁ । ଏବେ ତାଙ୍କ ଏକାଉଣ୍ଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଖୋଦ ସାଇବର କ୍ରାଇମ ଅଧିକାରୀ ମାନେ କହୁଛନ୍ତି । ସେ ବି ମାନୁଛନ୍ତି ।
କିନ୍ତୁ ପ୍ରଶ୍ନ ହେଉଛି, ଏତେ ଟଙ୍କା ତୁଷାରଙ୍କ ପାଖରୁ ଆସିଲା କେଉଁଠୁ ? ତାଙ୍କ ଏକାଉଣ୍ଟକୁ ଏତେ ପଇସା ଦେଲା କିଏ ? କେଉଁ ସ୍ଥାନରୁ ସେ ପଇସା ଆଣିଲେ ? ଅବଶ୍ୟ ପୂର୍ବତନ ମନ୍ତ୍ରୀ ହିସାବରେ ସେ ପଇସାକୁ ଏପଟ ସେପଟ କରିବାରେ କିଛି ବଡ଼ କଥା ନୁହେଁ । କୌଣସି ପ୍ରକାର ଧାର ଆଣିଥିବା ବି ଦେଖେଇ ଦେଇ ପାରନ୍ତି । କିନ୍ତୁ ବିଧାୟକ ଅନଲାଇନ ଟ୍ରେଂଡିଙ୍ଗ କରୁଛନ୍ତି, ତା ଧିଅରୁ ପଇସା ଆୟ କରୁଛନ୍ତି, ଏକଥା ତ ସମସ୍ତେ ଜାଣିବା ଦରକାର । ଯଦି ସେ କେଉଁଠୁ ଋଣ ବା ଧାର ଆଣିନଥାନ୍ତି । ତାହେଲେ କଣ ଚାନ୍ଦାରୁ ଆୟ କରିଛନ୍ତି ଏତେ ଟଙ୍କା । ଯାହାକୁ ଲୁଚେଇ ରଖିଥିଲେ । ମନ୍ତ୍ରୀ ପଦ ଯିବା ପରେ ଏବେ ବାହାର କରୁଛନ୍ତି ଗୁପ୍ତ ଧନକୁ । ଦେଖାଯାଉ ମୋହନ ସରକାର ତୁଷାରକାନ୍ତିଙ୍କ ସମ୍ପତି ଉପରେ ତଦନ୍ତ କରିବେ ନା ଚୁପଚାପ ରହିଯିବେ ।
State
ପାରଳାଖେମୁଣ୍ଡି ( ଦ କୁଇଭର ) : ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ବର ପଂଖଓ୍ବାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ । ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିବାସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ବିକାଶ କାମର ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ପଂଖଓ୍ବାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ଏହା ସହ ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଅମୃତ ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ।
State
ଭୁବନେଶ୍ୱର( ଦ କୁଇଭର ):- ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ ହେବ । ପ୍ରକଳ୍ପରେ ଖର୍ଚ୍ଚ ହେବ ୧ କୋଟି ୬୫ ଲକ୍ଷ ୩୦୩ କୋଟି ଟଙ୍କା । ନିଯୁକ୍ତି ପାଇବେ ୫୧ ହଜାର ୯୪୯ ଜଣ ବୋଲି ସୂଚନା ମିଳିଛି । ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।ରାୟଗଡ଼ାରେ ବେଦାନ୍ତ ୨ଟି ପ୍ରକଳ୍ପ ପ୍ରତିଷ୍ଠା କରିବ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜେଏସ୍ଡବ୍ଲ୍ୟୁ । ବିନିଯୋଗ ହେବ ୩୫ ହଜାର କୋଟି ଏବଂ ୮୦୦୦ ଯୁବକଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝର ଓ ଭଦ୍ରକରେ ମଧ୍ୟ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସହରର ୟୁନିଅନ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ଏକ ଆଳୁ, ପିଆଜ ବୋଝେଇ ଟ୍ରକରେ ଗତ ରାତିରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଛନ୍ତି। ପାଖରେ ଥିବା ଗୋଦାମରେ ଖାଲି କରିବାକୁ ଡ୍ରାଇଭର ଜଣକ ଟ୍ରକକୁ ଲଗାଇ ଗାଡି ଭିତରେ ଶୋଇ ପଡିଥିଲେ। ମାତ୍ର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଏହା ଜାଣି ଟ୍ରକ ଡ୍ରାଇଭର ଓ ହେଲପର ମିଶି ନିଆଁ ଲିଭାଇଥିଲେ । ଦୁର୍ବୃତ୍ତ ମାନେ ଲୁଟ କରିବାକୁ ଆସି କାହାରିକୁ ନ ପାଇ ଏହି କାଣ୍ଡ ଘଟାଇଥିବା ଆଶଙ୍କା କରା ଯାଉଥିବା ବେଳେ ଏପରି ଦୁର୍ବୃତ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
Education
ଭୁବନେଶ୍ୱର( ଦ କୁଇଭର ):-- ଯେଉଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଯାଇଛି ସେ ସବୁ ଖୋଲିବା ନେଇ କିଛି ବ୍ୟବସ୍ଥା ରହିଛି ନା ନାହିଁ,ଏନେଇ ଗୃହରେ ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ଏହାର ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ତରବରିଆ ଭାବରେ, ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସମୁଦାୟ ୫୬୩୨ଟି ସ୍କୁଲ ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨୧୨୫ଟି ସାଟେଲାଇଟ୍ ସ୍କୁଲ ବି ମିଶ୍ରଣ କରାଯାଇଛି । ସଂରକ୍ଷିତ ଅଞ୍ଚଳ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ, ସ୍କୁଲ ଖୋଲିବାକୁ ବିଚାର କରାଯିବ । ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ସେ ଆହୁରି କହିଛନ୍ତି,ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ପିଅନ ଓ କିରାଣୀର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବନ୍ଦ ହୋଇଥିବା ସ୍କୁଲ୍ ସବୁ ଖୋଲିବ ।
State
ଦ କୁଇଭର ବ୍ୟୁରୋ :- ଇଦ୍ ଏବଂ ରାମ ନବମୀ ପାଇଁ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ୍ । ଆଗକୁ ଆସୁଛି ଇଦ୍ ତା ସହିତ ପବିତ୍ର ରାମ ନବମୀ । ଏନେଇ ରାଜ୍ୟରେ ଚଳଚଞ୍ଚଳ ମୁସଲମାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଭାଇ-ଭଉଣୀମାନେ । ଘରେ ଘରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟରେ କିପରି ଭାଇଚାରା ଓ ସଦଭାବନାର ସହ ଇଦ୍,ରାମ ନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ହେବ ସେନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପାଟ୍ରୋଲିଂକୁ ବଢାଯାଇଥିବା ବେଳେ ଅପରାଧୀଙ୍କ ଗତିବିଧିକୁ କଡ଼ା ନଜର ରଖିଛି ପୋଲିସ । ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲା ଏସପି ଓ ଆଇଜି, ଡିଆଇଜିଙ୍କ ସହ ସରିଛି ବୈଠକ । ଏଥିପାଇଁ ଆସନ୍ତା ୧୫ ତାରିଖ ଯାଏଁ କିଛି ନିର୍ଦ୍ଧିଷ୍ଟ ପୋଲିସ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଥିବା ବିିଭାଗ ପକ୍ଷରୁ ସୂଚନା ମିଳିଛି ।ଏନେଇ ସମସ୍ତ ଜିଲ୍ଲା ଏସପି,ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ବିଶେଷ କରି ଯେଉଁସବୁ ଅଞ୍ଚଳ ସମ୍ବେଦନଶୀଳ ସେହି ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।
ଆସନ୍ତା ୧୫ ତାରିଖ ଯାଏ ହୋମଗାର୍ଡ,ଏପିଆର, ଓଆର ଓ ଓଏପିଏଫ ପୋଲିସ କର୍ମଚାରୀମାନଙ୍କର ସାଧାରଣ ଛୁଟି ବାତିଲ କରଯାଇଛି । ଅତି ଆବଶ୍ୟକ କିମ୍ବା ମେଡ଼ିକାଲ କେସରେ ଛୁଟି ନେଇପାରିବେ । ଏନଜିଓ ଓ ଏନସିସି ଭଲ୍ୟୁଣ୍ଟର ମାନଙ୍କୁ ମଧ୍ୟ ଟ୍ରାଫିକ ଓ ଅନ୍ୟ ପରିଚାଳନାରେ ନିୟୋଜନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଓ୍ବାରେଣ୍ଟି ମାନଙ୍କୁ ଧରିବା ଓ ଥାନାରେ ଆସି ହାଜିରା କରାଇବା ଏବଂ ଅଭ୍ୟାସ ଗତ ଅପରାଧୀଙ୍କ ଗତିବିଧି ନଜର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।ପୋଲିସ ଡିଜଙ୍କ କାର୍ଯ୍ୟାଳୟ ପକ୍ଷରୁ ମଳିଥିବା ସୂଚନା ଅନୁସାରେ ଉଭୟ ରାମ ନବମୀ ଓ ଇଦ୍କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ । ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚାଲିଛି । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ନଜର ରଖିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ଡିଜିପି ପରାମର୍ଶ ଦେଇଛନ୍ତି ।
Sports
ଦ କୁଇଭର ବ୍ୟୁରୋ :- ଚଳିତ ଥର ଆଇପିଏଲ୍ର ଅଷ୍ଟମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍ରେ ହରାଇ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଥି ସହ ଆର୍ସିବି ୨ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛି । ଚେନ୍ନାଇ ସୁପର୍ କିଙ୍ଗ୍ସ ସମ୍ମୁଖରେ ୧୯୭ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଘରୋଇ ଦଳ ଲଢ଼ି ପାରି ନଥିଲା । ଦ୍ବିତୀୟ ଓଭରରେ ଜୋସ ହାଜେଲଉଡ୍ ଏବଂ ୧୩ତମ ଓଭରରେ ୟଶ ଦୟାଲ ଦୁଇଟି ଲେଖାଏଁ ପ୍ରମୁଖ ୱିକେଟ୍ ବାହାର କରି ସିଏସ୍କେ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁର ବଡ ବିଜୟ । ଘରୋଇ ମାଟିରେ ସିଏସକେକୁ ଦୀର୍ଘ ୧୭ ବର୍ଷ ପରେ ପରାସ୍ତ କରିବାରେ ସଫଳ ହେଲା ଆରସିବି । ଶୁକ୍ରବାର ଆଇପିଏଲରେ ଖେଳାଯାଇଥିବା ଅଷ୍ଟମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରଜତ ପଟିଦାରଙ୍କ ନେତୃତ୍ବାଧୀନ ଆରସିବିର ଆଇପିଏଲରେ ଏହା କ୍ରମାଗତ ଦ୍ବିତୀୟ ବିଜୟ । ପ୍ରଥମ ମ୍ୟାଚରେ ଦଳ କେକେଆରକୁ ପରାସ୍ତ କରିଥିଲା । ୨୦୦୮ ରେ ଚେନ୍ନାଇର ଚେପକରେ ସିଏସକେକୁ ପରାସ୍ତ କରିଥିଲା ଆରସିବି । ଦ୍ବିତୀୟ ଥର ପାଇଁ ଚଳିତ ସିଜିନରେ ପରାସ୍ତ କରିବାର ସଫଳ ହୋଇଛି ।ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା ।ଟୁର୍ଣ୍ଣାମେଣ୍ଟରେ ଏହା ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବାବେଳେ CSKର ପ୍ରଥମ ପରାଜୟ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିଲା । ସିଏସକେ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ଆରସିବି ବୋଲର । ଫଳରେ ଲୟ ହରାଇ ରନ୍ କରିବାରେ ବିଫଳ ହୋଇଥିଲେ ଚେନ୍ନାଇ ବ୍ୟାଟର । ରଚିନ ରବିନ୍ଦ୍ର ସର୍ବାଧିକ ୪୧ ରନ କରିଥିବା ବେଳେ ଧୋନି ଅପରାଜିତ ୩୦ ଓ ଜାଡେଜା ୨୫ ର କରିଥିଲେ । ଅନ୍ୟ କେହିବି ପଡିଆରେ ଅଧିକ ସମୟ ତିଷ୍ଟି ପାରିନଥିଲେ । ଜୋସ ହେଜେଲଉଡ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ୟସ ଦୟାଲ ୨ଓ ଲିଭିଙ୍ଗଷ୍ଟୋନ ୨ଟି ଓ୍ବିକେଟ ନେଇଥିଲେ ।
State,International,National
ଦ କୁଇଭର ବ୍ୟୁରୋ :-:ଦେଖିଲେ ତ ଏ ସବୁ ଉଚ୍ଚ ଅଟ୍ଟାଳିକାର ସ୍ଥିତି । କେଉଁଠି ଅଟ୍ଟାଳିକା ଦୋହଲି ଯାଉଛି ତ ଆଉ କେଉଁଠି ଭୁସୁଡ଼ିପଡୁଛି । ଯେଉଁ ଉଚ୍ଚ ଅଟ୍ଟାଳିକାକୁ ସ୍ୱତନ୍ତ୍ର ଓ ସୁରକ୍ଷିତ ବୋଲି ଦାବି କରାଯାଉଥୁଲା, ତାହା ନିମିଷକେ ମାଟିରେ ମିଶିଯାଉଛି । ଇଏ ହେଉଛି ମିଆଁମାରର ଅବସ୍ଥା । ଭୂମିକମ୍ପ ପ୍ରଭାବରେ କିଭଳି ଧୂଳି ସାଥ ହେଇଯାଉଛି ବଡ଼ ବଡ଼ କୋଠା । ଏହି ଭଳି ସ୍ଥିତି କେବଳ କଣ ମିଆଁମାର ଭିତରେ ସୀମିତ କି ? ଏଭଳି ସ୍ଥିତି ଭୁବନେଶ୍ୱର, କଟକ, ପୁରୀରେ ବି ହୋଇପାରେ । ଏଠାରେ ଗଢ଼ି ଉଠୁଥିବା ଉଚ୍ଚ ଆପାର୍ଟମେଣ୍ଟକୁ ଦେଖିଲେ ଏହା ଜଳ ଜଳ ହୋଇ ଦିଶୁଛି । ଏହି ତିନିଟି ଅଞ୍ଚଳ ଭୂକମ୍ପ ପ୍ରବଣ ଅଞ୍ଚଳରେ ଆସୁଛି । ସରକାରୀ ତଥ୍ୟ କହୁଛି ଏହି ତିନିଟି ଅଞ୍ଚଳ ଭୁକମ୍ପ ପ୍ରବଣ ଅଞ୍ଚଳ -୩ ରେ ରହିଛି । ତଥାପି ଏଠି କୋଠାବାଡ଼ିର ଉଚ୍ଚତା ଉପରେ କୌଣସି ଆଙ୍କୁଶ ନାହିଁ ।
ଏବେ ଆସିବା ପ୍ରସଙ୍ଗକୁ, ସିଧା ସିଧା ଆମେ କହୁଛୁ ଭୁବନେଶ୍ୱରର ଉଚ୍ଚ କୋଠା ବା ଆପାର୍ଟମେଣ୍ଟ ସୁରକ୍ଷା ପ୍ରତି ପ୍ରଶ୍ନ ରହିଛି । ଏବେ ଯୁଆଡେ ଚାହିଁଲେ ବଡ଼ ବଡ଼ କୋଠା । କେଉଁଠି ୨୫ ମହଲା ତ ଆଉ କେଉଁଠି ୩୫ ବା ୪୦ ମହଲା କୋଠା ତିଆରି ହେଉଛି । ପୁରୀ ଓ କଟକରେ ୨୫ ମହଲା ଯାଏଁ କୋଠା ଅନୁମୋଦନ ହେଲାଣି । ବିଲଡର ମାନଙ୍କ ଭିତରେ ଉଚ୍ଚ କୋଠା ନିର୍ମାଣ ପାଇଁ ପ୍ରତିଯୋଗିତା ଲାଗିଛି । ଅନେକଙ୍କର ମୂଳ ଦୁଆ ଠିକ ନାହିଁ । ଯେଉଁଠି ମୂଳଦୁଆ ଠିକ ଅଛି ସେଠି ଲୋକ ବାହାରିବା ସମସ୍ୟା ରହିଛି । ଯଦି ଭୁବନେଶ୍ୱରେ ଭୂମିକମ୍ପ ହୁଏ ଅନେକ ଅଟାଳିକା ତ ଭୁଶୁଡିପଡିବ, ଏହାଦ୍ୱାରା ଅନେକ ଧନ ଜୀବନ ହାନୀ ହେବା ନିଶ୍ଚିତ । ଥରେ ଭାବିଲେ ତ ମିଆଁମାର ଭଳି ସ୍ଥିତି ହେଲେ ବା ଭୁକମ୍ପ ହେଲେ ୩୫ ମହଲାରୁ ଓହ୍ଲେଇ ପାରିବେ ତ ? ଯଦି କିଛି ହେଲା ବଞ୍ଚିବ ତ ଜୀବନ ? କଣ ହେବ ପିଲା ଛୁଆଙ୍କର ? ଉଚ୍ଚ କୋଠାରେ ଘର ନେବା ବେଳେ ଧ୍ୟାନ ନଦେଲେ କେତେବେଳେ ବି ବିପଦ ଆସିପାରେ ।
ଶୁକ୍ରବାର ଦିନ ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୭, ଯାହା ରାଜଧାନୀ ନାୟପିଟାଓ ଏବଂ ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେରେ ବ୍ୟାପକ କ୍ଷତି କରିଥିଲା। ଯାହା ଦ୍ୱାରା ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଛି ତତ ସହିତ ୩୪୦୦ ଲୋକ ଆହତ ହୋଇଛନ୍ତି ଏବଂ ଏବେ ପର୍ଯ୍ୟନ୍ତ ୩୦୦ ଲୋକ ନିଖୋଜ ଅଛନ୍ତି । ପ୍ରକୃତି ଏମିତି ତାଣ୍ଡବ ରଚିଛି ଯେ ମଣିଷ ଭିତରେ କୋକୁଆ ଭୟ ଖେଳି ଯାଇଛି । କିଏ ତା ନିଜ ଲୋକଙ୍କୁ ଖୋଜିଲେ ବି ପାଉନାହାନ୍ତି । ସମସ୍ତେ ମାଟିତଳେ ପୋତି ହେଇଯାଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରିରହିଛି ।
ଅତୀତରେ ଓଡ଼ିଶାରେ କିଛି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ୫.୦ରୁ ଅଧିକ ତୀବ୍ରତା ରାଜ୍ୟ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା। ଏହା ବିଶେଷ କ୍ଷୟକ୍ଷତି କରିନଥିଲା । ଦେଖାଯାଉ ରାଜ୍ୟ ସରକାର ମିଆଁମାରର ସ୍ଥିତି ଦେଖି ଓଡ଼ିଶାକୁ ସୁଧାରଉଛନ୍ତି, ନା ମିଆଁମାର ଭଳି ଓଡ଼ିଶା ଲୋକଙ୍କ ଜୀବନ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ।
International
ଦ କୁଇଭର ବ୍ୟୁରୋ :- ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି । ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ।ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା । ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍କୁ ଇମର୍ଜେନ୍ସି ଜୋନ୍ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।
ଅନ୍ୟପଟେ ଭୁକମ୍ପ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଖୁବଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି । ଆଉ ୧୪୭ ଗାଁକୁ ଜୁଲାଇ ୧୦ ତାରିଖ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପ୍ରକ୍ରିୟା ବିଚାରାଧୀନ ରହିଛି । ରାଜସ୍ବ ମନ୍ତ୍ରୀଙ୍କ ଏ ସୂଚନା ପରେ ରାଜସ୍ବ ଗାଁ ଅପେକ୍ଷାରେ ଥିବା ଗ୍ରାମବାସୀ ଏହାକୁ ସ୍ବାଗତ କରିଛନ୍ତି । ଜୁଲାଇ ୧୦ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ନୂଆ ସରକାର ଆସିବାପରେ ୨୬୩ପଡ଼ା ଗାଁ ହେଲାଣି ରାଜସ୍ବ ଗ୍ରାମ । ଆଉ ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଏବେ ବିଚାରାଧୀନ ଅଛି ବୋଲି ଗୃହରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଏହି ରାଜସ୍ବ ଗ୍ରାମ ପାଇଁ ୬-୭ ଦିନ ଭିତରେ ସର୍ଭେ ସରିବ । ଏଥିପାଇଁ ଏପ୍ରିଲ ୨୮ରେ ଅଭିଯୋଗର ଶେଷ ତାରିଖ ରହିଛି । ଏପ୍ରିଲ ୩୦ରେ ଏନେଇ ଜିଲ୍ଲାସ୍ତରରେ ଶୁଣାଣି ହେବ । ଜୁଲାଇ ୧୦ ସୁଦ୍ଧା ପୂରା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ଟେକନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍କେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ଦିନରେ ଶେଷ ହେବ । ଅପରପକ୍ଷେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ତେବେ ଯେଉଁ ପଡ଼ା,ଗାଁରେ ୨୫୦ରୁ ଅଧିକ ଲୋକ ଥିବେ ଏବଂ ମୂଳ ରାଜସ୍ବ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ରହିଥିବା । ସେହି ଗ୍ରାମ ରାଜସ୍ବ ମାନ୍ୟତା ପାଇ ପାରିବ । ଏବେ ପ୍ରକ୍ରିୟା ଜାରି ରହିଥିବା ବେଳେ ଗ୍ରାମବାସୀମାନେ ତହସିଲଦାରଙ୍କ ପାଖରେ ଏଥିପାଇଁ ଆବେଦନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟ ସରକାର ଆଉ ୮ଟି ସହରରେ ‘ଆମ ବସ୍’ ଗଡ଼ିବ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଦୁର୍ଘଟଣା ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି। ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି। ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି। ଏଥିସହିତ ସୁରକ୍ଷିତ ଡ୍ରାଇଭିଂ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। କାରଣ ଅଧିକାଂଶ ସମୟରେ ଆମ ବସର ଡ୍ରାଇଭରମାନେ ଦୁର୍ଘଟଣା ଘଟାଉଥିବା ଅନେକ ଅଭିଯୋଗ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ଡ୍ରାଇଭରଙ୍କୁ ଉପଯୁକ୍ତ ତାଲିମ ଦିଆଯିବାପରେ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
National
ବୁବନେଶ୍ୱର(ଦ କୁଇଭର): ପ୍ରାୟ ୨୪ବର୍ଷ ପରେ ଦମ ଦେଖାଇଲା ରାଜ୍ୟ କଂଗ୍ରେସ । ଏମିତି ଦେଖାଇଲା ଯେ, ବିଜେପି ସରକାରକୁ ନାକେଦମ କରିଦେଲାଣି । ପୁଣି ପୁରୁଣା ଢ଼ାଞ୍ଚାରେ କାମ ଆରମ୍ଭ କରିଛି ଦଳ । ହୋ ହଲ୍ଲା କେବଳ ନୁହେଁ, ଧସ୍ତାଧସ୍ତି ଓ ମାଡ଼ପିଟକୁ ଓହ୍ଲାଇ ଆସିଛି । ପୋଲିସକୁ ମାଡ଼ ମାରିବା ପର୍ଯ୍ୟନ୍ତ ବି ଯାଇଛି । ଆଜି ପିସିସି ସଭାପତି ଭକ୍ତ ଦାସ କଂଗ୍ରେସର ଗରମ ଦେଖାଇ ଦେଇଛନ୍ତି । ଲୋୟର ପିଏମଜିରେ ରାଜ୍ୟର ପୂରା କଂଗ୍ରେସ ଏକଜୁଟ ହୋଇ ବିରୋଧ କରିଥିଲେ । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡ଼କୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁକାବିଲା ହୋଇଥିଲା । ନିୟନ୍ତ୍ରଣ ପାଇଁ ପୋଲିସକୁ ପ୍ରଥମେ ପାଣି ଓ ପରେ ଟିୟରଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି । ପୂରା ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି ।
ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ବିରୋଧ କରିଥିଲା କଂଗ୍ରେସ । ବିଧାନସଭାରେ ବିବୃତ୍ତି ଦାବି କରିବା ସହ ଗୃହ କମିଟି ଗଠନ କରି ଅନୁଧ୍ୟାନ କରିବାକୁ ଦାବି କରିଥିଲା । ଦାବିଟି ଅଯଥାର୍ଥ ନୁହେଁ । ମାତ୍ର ବିଜେପି ସରକାର ଏହାକୁ ଗ୍ରହଣ କରିଲେ ନାହିଁ । ନାରୀ ଅସୁରକ୍ଷିତ ୯ମାସରେ ହୋଇ ନାହାନ୍ତି । ବିଜେଡି ସମୟରୁ ନାରୀ ଅପରାଧ ଓ ହିଂସା ବଢ଼ି ଆସିଛି । ଏବେକା ସରକାର ନିୟନ୍ତ୍ରଣ ପାଇଁ ଲାଗିଛନ୍ତି । ଏମିତି ବାଦ ବିବାଦ ମଧ୍ୟରେ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇଲା । ଗୃହ ଚଳାେଇ ଦେଲେ ନାହିଁ କଂଗ୍ରେସର ବିଧାୟକମାନେ । କଂଗ୍ରେସର ଦାବି ବିଜେଡିର ପେଣ୍ଟ ଖୋଲୁଛି । ଦୀର୍ଘ ୨୪ବର୍ଷ ଧରି କ୍ଷମତାର ଲଡ଼ୁ ଖାଇଥିବା ବିଜେଡି ଏବେ ଲଡ଼ୁ ହରାଇବା ପରେ ବିରୋଧ କରୁଛି । ନିଜ ସରକାରର ସବୁ ଦୋଷ ମୋହନ ସରକାରଙ୍କ ମୁଣ୍ଡରେ ବୋଳିବାକୁ ବସିଛି । ବିଜେଡି ସିଧା ଦାବି କଲେ ଲୋକେ ନୀଳବର୍ଣ୍ଣ ଶୃଗାଳ ବୋଲି ଧରିଦେବେ । ସେଥିପାଇଁ ବିଜେଡି କଂଗ୍ରେସକୁ କାଳେ ଆୟୁଧ କରିଛି ।
କଂଗ୍ରେସକୁ ଦେଇ ବିରୋଧ ଓ ଆନେ୍ଦାଳନ କରୁଛି । ପଛରେ ଛିଡ଼ା ହୋଇଛି ବିଜେଡି । ଏପରିକି କାଳେ ବିଜେଡିର ସବୁ ପ୍ରୋତ୍ସାହନ କଂଗ୍ରେସ ପାଇଁ ଅଛି । ବିଜେଡି ସମୟରେ ଦିନେ କାଳେ ଏତେ ସଂକ୍ୟକ କର୍ମୀ ରାଜଧାନୀ ଆସୁନଥିଲେ । ଏବେ ଭକ୍ତଙ୍କ ଡାକରାରେ ପ୍ରତି ଜିଲ୍ଲାରୁ କର୍ମୀ କିପରି ଆସିଲେ । କାହା ପ୍ରୋତ୍ସାହନରେ କଂଗ୍ରେସ ଏତେ ବଳ ପାଇଗଲା । ଏମିତି ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଧାନସଭା ଘେରାଉ କରୁଛି କଂଗ୍ରେସ । ସାରା ରାଜ୍ୟରୁ କର୍ମୀଙ୍କୁ ଡକାଇଛି । ଲୋୟର ପିଏମଜିରେ ସମସ୍ତେ ଏକଜୁଟ ହୋଇଛନ୍ତି । ସାମିଲ ହୋଇଛନ୍ତି ଦଳର ସବୁ ବଡ଼ ବଡ଼ ନେତା । ଅଲୋଡ଼ା ହୋଇ ପଡ଼ିଥିବା କଂଗ୍ରେସ ନେତା ବି ଖଦଡ଼ ପିନ୍ଧି ହାଜର । ଟାର୍ଗେଟ ବିଜେପିକୁ ନାକେଦମ କରିବା ।
କରୁଛନ୍ତି ମଧ୍ୟ । ରାଜ୍ୟ ସାରା କଂଗ୍ରେସ ଦେଖାଇଛି ତାର ଦମ । ଆଜି ବିଧାନସଭା ଆଡ଼କୁ ବଢ଼ୁଥିଲା କଂଗ୍ରେସ ଆନେ୍ଦାଳନ । ବାଟରେ ପୋଲିସ ରୋକିବାରୁ ମୁକାବିଲା ହେଲା । ରଣକ୍ଷେତ ପାଲଟିଗଲା । ପୋଲିସ ସହ ଧସ୍ତାଧସ୍ତି ଚାଲିଲା । ଗତ ୩ଦିନ ଧରି କଂଗ୍ରେସ ସିଧା ପୋଲିସ ସହ ମୁକାବିଲା କରୁଛି । ଆଜି ବି ଚାଲିଲା । ପୋଲିସ ନିୟନ୍ତ୍ରଣ ବାହାକୁ କଂଗ୍ରେସ ଯିବାରୁ ପ୍ରଥମେ ପାଣି ମାଡ଼ କରିଥିଲା । ମାତ୍ର କଂଗ୍ରେସ କର୍ମୀମାନେ ଆହୁରି ତାତିଲେ । ଶେଷରେ ଲୁହବୁହା ଗ୍ୟାସ ପ୍ରୟୋଗ କରି କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇଛି । ହେଲେ କଂଗ୍ରେସ କର୍ମୀମାନେ ଆନେ୍ଦାଳନ ଜାରି ରଖିଛନ୍ତି । ଏତେ ଦିନ ପରେ କଂଗ୍ରେସ ରାଜ୍ୟରେ ତାର ବଡ଼ ଉପସ୍ଥିତି ଦେଖାଇଛି । ହେଲେ ଏହା ନିଜ ବଳରେ ନା, ଉଧାରୀରେ ଚାଲିଛି? ଯଦି ଉଧାରୀରେ ତେବେ କେତେଦିନ ଚଳାଇବ କଂଗ୍ରେସ? ଏମିତି ପ୍ରଶ୍ନ ଜୋର ହେଲାଣି । ଦେଖାଯାଉ କଂଗ୍ରେସ ତାର ଆଭିମୁଖ୍ୟକୁ ଆହୁରି ଶାଣିତ କରୁଛି ନା ଝଲକ ଦେଖାଇ ଦେଇ ନୀରବ ବସୁଛି?
National
ଦ କୁଇଭର ବ୍ୟୁରୋ :- ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ଏପ୍ରିଲ ୧୪କୁ କେନ୍ଦ୍ର ସରକାର ଏକ ସାଧାରଣ ଛୁଟି ଦିବସ ଘୋଷଣା କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଶୁକ୍ରବାର ଏକ ପୋଷ୍ଟରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ସରକାରୀ ଆଦେଶ ନିଶ୍ଚିତ କରିଛି ଯେ, ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସମଗ୍ର ଭାରତରେ ଶିଳ୍ପ ପ୍ରତିଷ୍ଠାନ ସମେତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏପ୍ରିଲ୍ ୧୪, ୨୦୨୫ ରେ ବନ୍ଦ ରହିବ। ଏହି କ୍ରମରେ କୁହାଯାଇଛି ଯେ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ କିମ୍ବା ବିଭାଗ ଏହି ନିଷ୍ପତ୍ତି ସମସ୍ତଙ୍କ ନଜରକୁ ଆଣିପାରିବେ।
ଶେଖାୱତ କହିଛନ୍ତି ଯେ, ସମ୍ବିଧାନର ପ୍ରଣେତା ତଥା ସମାଜରେ ସମାନତାର ଏକ ଯୁଗର ପ୍ରତିଷ୍ଠାତା ଆମର ସମ୍ମାନିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏକ ସାଧାରଣ ଛୁଟିଦିନ ହେବ। ଶେଖାୱତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବା ସାହେବଙ୍କ ପ୍ରତି ଦେଶର ନିଷ୍ଠାପର ଭାବନାକୁ ସମ୍ମାନ ଦେଇଛନ୍ତି।