ଦ କୁଇଭର ବ୍ୟୁରୋ:- ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ । ପାଗ ଅନୁକୂଳ ଥିବାରୁ ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ମେ' ୨୪ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମୀ । ଆଜି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ପ୍ରଦାନ କରିଛି । ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗୋଟିଏ ପଟେ ବଙ୍ଗୋପ ସାଗରରେ ଲଘୁଚାପ ବଳ ଗୋଟାଉଥିବା ବେଳେ ଓଡିଶାରେ ମୌସୁମୀ ପ୍ରବେଶ କରିଛି । ଲଘୁଚାପ ବପର୍ତ୍ତମାନ ଓ୍ୱେଲ ମାର୍କରେ ପରିଣତ ହୋଇଛି । ଜୁନ ମାସରେ ସାଧାରଣତଃ ମୌସୁମୀ ଆସୁଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିଛି । ଦକ୍ଷିଣ ପଶ୍ଚିମ ମୋସୁମୀ ବାୟ ଦକ୍ଷିଣ ଓଡିଶାର କିଛି ଅଞ୍ଚଲରେ ପ୍ରବେଶ କରିଛି ।
ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି, "ଓଡିଶାକୁ ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସମ୍ପୂର୍ଣ୍ଣ ମାଲକାନାଗିରି, କୋରାପୁଟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ସମ୍ପୁର୍ଣ୍ଣ ଅନୁଗୁଳ ରହିଛି ।"ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିଛି।ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଝଟକା ଝଟକା ପବନ ମଧ୍ୟ ବହିବା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି ।
No comments yet.
Business,National
ଦ କୁଇଭର ବ୍ୟୁରୋ:- ଜୁନ୍ ୧ ତାରିଖରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି। ଏହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଭଳି ପ୍ରତିଷ୍ଠାନଗୁଡ଼ିକୁ ଲାଭ ଦେବ। ଦର ହ୍ରାସ ଯୋଗୁ ବ୍ୟବସାୟ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ଲଗାତାର ତୃତୀୟ ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା।
Politics,National
ଦ କୁଇଭର ବ୍ୟୁରୋ:- ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମମତା ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଆଉ ଏଥର ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ବିଜେପିର କର୍ମକର୍ତ୍ତାକୁ ଆହ୍ବାନ ଦେଇଛନ୍ତି । ଯଦି ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛ, ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ଏବଂ ଯଦି ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ଶାହ । ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି । ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି… ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି । ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି । ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ… ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି ।
ତେବେ ହିଂସାର ପଥ ଆପଣାଉଥିବା ଟିଏମସିକୁ ଚେତାବନୀ ଦେବା ସହ ମମତାଙ୍କୁ ଚାଲେଞ୍ଜ ଦେଇଛନ୍ତି ଶାହ । ଦିଦି ଯଦି ସାହସ ଅଛି ନିର୍ବାଚନ ଲଢି ଦେଖ । ପହଲଗାମ୍ ଆତଙ୍କୀ ହମଲା ପରେ ଅପରେସନ ସିନ୍ଦୂର ହେଲା । ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରାଗଲା ହେଲେ ସେଘଟଣା ଦିଦିଙ୍କୁ ବାଧିଲା । ମୁଁ ବେଙ୍ଗଲର ମାତୃଶକ୍ତିଙ୍କୁ ଅନୁରୋଧ କରିଛି ଆଗାମୀ ନିର୍ବାଚନରେ ସିନ୍ଦୂରର ଶକ୍ତି ମମତାଙ୍କୁ ବୁଝାଇ ଦିଅନ୍ତୁ… ଦିଦି ଜାଣନ୍ତୁ ସିନ୍ଦୂରର ଅପମାନ କରିବା କେତେ ଭୟଙ୍କର ହୁଏ ବୋଲି ।
State
ଗଞ୍ଜାମ( ଦ କୁଇଭର):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା'ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।
Farming,Business,State
ଦ କୁଇଭର ବ୍ୟୁରୋ:- ଓମଫେଡ଼ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ହୋଇଛି ।ଏଥିରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିଛନ୍ତି ।ଏହା ସହ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ନେଇ ମଧ୍ୟ ଘୋଷଣା କରିଛନ୍ତି ।ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-2ମିଲ୍କ, ଏ-2ଘିଅର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ,ମଇଁଷି ଉଦ୍ୟୋଗ ବିକାଶ,ମାଈ ବାଛୁରୀ ପାଳନ,ଗୋ-ମଇଁଷିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,"ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ । ଏହା କେବଳ ଏକ ଆୟର ଉତ୍ସ ନୁହେଁ,ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ । ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି,‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’।"ସେ ଆହୁରି ମଧ୍ୟ କହିଛନ୍ତି,"‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି । ପ୍ରାଣୀ କଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ।ସହାନୁଭୂତି,ସମ୍ବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି । ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ।"
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋୖସୁମୀ ଆସିବା ସତ୍ତ୍ବେ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପାଗ ଶୁଖିଲା ରହିବା ସହ ବର୍ଷାର ଦେଖା ଦର୍ଶନ ନାହିଁ । କେବଳ ମୟୂରଭଞ୍ଜକୁ ଛାଡିଦେଲ ଆଉ ସମସ୍ତ ଜିଲ୍ଲାରେ ଶୁଖିଲା ପାଗ । ବର୍ଷା ବଦଳରେ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ମୌସୁମୀ ଜନିତ ବର୍ଷା ଏବେ ଆରମ୍ଭରୁ ନିରାଶ କରିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ କହିଛନ୍ତି ‘‘ଆସନ୍ତା ୧୦ଦିନ ଧରି ମୋସୁମୀ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନିଷ୍କ୍ରିୟ ରହିବ। ରାଜ୍ୟକୁ ପଶ୍ଚିମ ପବନ ବହୁଥିବାରୁ ମୋସୁମୀର ଏକ ଚାଦର ଓଡିଶା ଉପରେ ଘେରି ହୋଇଛି। ଆସନ୍ତା ୧୦ ତାରିଖରୁ ବା ୧୨ତାରିଖ ଆଡକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେତେବେଳକୁ ପ୍ରାୟ ୪ରୁ ୫ଦିନ ଯାଏ ବର୍ଷା ଲାଗି ରହିବ । ଅର୍ଥାତ୍ ଏଭଳି ଗରମ ଓ ଗୁଳୁଗୁଳି ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୫ ତାରିଖ ପର୍ଯନ୍ତ ତାପମାତ୍ରା ଏଇ ଭଳି ଭାବେ ବୃଦ୍ଧି ରହିବ’’।
ସେହିପରି ଆସନ୍ତା ସାତ ଦିନ ପାଇଁ ଟ୍ବିନି ସିଟିରେ ହିଟ୍ ଓ୍ବେଭ ଆଲର୍ଟ। ସର୍ବାଧିକ ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ତାପମାତ୍ରା । ଭୁବନେଶ୍ୱରରେ ଆସନ୍ତା ସାତ ଦିନ ପାଇଁ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ । ଦୁଇ ତିନି ଦିନ ଯାଏଁ ୪୦ରୁ ୪୧ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେହିପରି କଟକରେ ୩୯ ଡିଗ୍ରି ତଥା ୪୦ ପର୍ଯ୍ୟନ୍ତ ତାପମାତ୍ରା ଆଗାମୀ ଦୁଇ ତିନ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨ ରୁ ୬ ଯାଏଁ ଏହ ସବୁ ଜିଲ୍ଲାରେ ପାରଦ ଉପରମୁହାଁ ରହିବ । ୧୧ ଜିଲ୍ଲାରେ ତାତି ବଢିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ଜୁନ 1ରୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୪ଡିଗ୍ରୀ ସେଲସିୟସ ଡିଗ୍ରୀ ରେକର୍ଡ କରଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜରେ ୬୦ପ୍ରତିଶତରୁ କମ ବର୍ଷା ହୋଇଥିବା ବେଳେ ବାକି ସାରା ରାଜ୍ୟର ସମସ୍ତ ଜିଲ୍ଲା ପୁରା ଶୁଖିଲା ରହିଛି। ଅର୍ଥାତ୍ ସାରା ରାଜ୍ୟରେ ୧୦୦ ପ୍ରତିଶତ ବିନା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗର ରେକର୍ଡ କହୁଛି।
State
ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୫ ବର୍ଷ ର ବ୍ୟବଧାନ ପରେ ୧ ମାର୍ଚ୍ଚ ୨୦୨୭ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜାତିଗତ ଗଣନା କରାଯିବ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଜନଗଣନା ଆଇନ-୧୯୪୮ ଏବଂ ଜନଗଣନା ନିୟମ-୧୯୯୦ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଗତ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଜାତିଗତ ଜନଗଣନାରେ ସ୍ୱଚ୍ଛତା ଏବଂ ନିରନ୍ତରତା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଏ ବାବଦ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ରାଜ୍ୟ ପୂର୍ବରୁ ସ୍ୱଚ୍ଛ ପ୍ରକ୍ରିୟାରେ ଜାତିଗତ ସର୍ଭେ କରିଛନ୍ତି, କିନ୍ତୁ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ। ଏହି ଅସଙ୍ଗତି ସନ୍ଦେହ ସୃଷ୍ଟି କରିଛି ଏବଂ ସାମାଜିକ ସଦ୍ଭାବନାକୁ ଖରାପ କରିବା ଆଶଙ୍କା ଥିବାରୁ ଏ ଦିଗରେ ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ଜାତିଗତ ଜନଗଣନା କରାଯିବାକୁ ବୈଷ୍ଣବ ଗୁରୁତ୍ବାରୋପ କରିଥିଲେ।
୨୦୧୧ ପରେ ଭାରତ ଏବେ ପ୍ରଥମ ଜନଗଣନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାତିଗତ ଜନଗଣନା ଘୋଷଣା ବେଶ୍ ଗୁରୁତ୍ବପୂର୍ଣ୍ଣ। ଶେଷ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା- ଏପ୍ରିଲରୁ ସେପ୍ଟେମ୍ବର ୨୦୧୦ ପର୍ଯ୍ୟନ୍ତ ଗୃହ ତାଲିକାକରଣ ଓ ଗୃହ ଜନଗଣନା ଏବଂ ଫେବୃଆରି ୨୦୧୧ରୁ ଜନସଂଖ୍ୟା ଗଣନା ହୋଇଥିଲା। ୨୦୨୧ ଜନଗଣନା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଆଗାମୀ ଜନଗଣନାରେ ଜାତିଗତ ତଥ୍ୟକୁ ଅନ୍ତର୍ଭୁକ୍ତ କରିବା ଏକ ଐତିହାସିକ ପଦକ୍ଷେପ ହେବ। ବିଶେଷକରି ଭାରତରେ ଶେଷ ବ୍ୟାପକ ଜାତିଭିତ୍ତିକ ଗଣନା ୧୮୮୧ରୁ ୧୯୩୧ ମଧ୍ୟରେ ବ୍ରିଟିସମାନେ କରିଥିଲେ। ୟୁପିଏ ସରକାରଙ୍କ ଅଧୀନରେ ୨୦୧୧ରେ ହୋଇଥିବା ସାମାଜିକ-ଅର୍ଥନୈତିକ ଓ ଜାତିଗତ ଜନଗଣନା (ଏସ୍ଇସିସି)ରେ ଜାତିଗତ ତଥ୍ୟ ସଂଗ୍ରହ କରାଯାଇଥିଲା, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କିମ୍ବା ବ୍ୟବହାର କରାଯାଇ ନଥିଲା। ଆଗାମୀ ଜନଗଣନାରେ ସ୍ବତନ୍ତ୍ର ଭାବେ ଜାତିଗତ ସ୍ତମ୍ଭ ମଧ୍ୟ ରହିବ। ପ୍ରତ୍ୟେକ ଘରେ ପହଞ୍ଚିବା ପରେ ଜନଗଣନା କର୍ମୀମାନେ ସମସ୍ତଙ୍କ ଜାତି ପଚାରିବେ। ତୁଷାରପାତ ହେଉଥିବା ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବରରୁ ଜନଗଣନା ଆରମ୍ଭ ହେବ। ବାକି ରାଜ୍ୟ ଗୁଡ଼ିକରେ ଏହା ୨୦୨୭ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।
Sports
ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆର୍ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ । ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍ ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍ ମାରିଛି ପଞ୍ଜାବ ଦଳ । ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଙ୍ଗାଲୁରୁ ଦଳର ଓପନିଂ ଯୋଡ଼ି ଦଳ ପାଇଁ ୧୮ ରନ୍ କରିଥିଲେ । ଫିଲ୍ ସଲ୍ଟ ପ୍ରଥମେ ନିଜ ୱିକେଟ୍ ହରାଇଥିଲେ । ଏହାପରେ ମୟଙ୍କ ଅଗ୍ରାୱାଲ୍ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ତେବେ ୫୬ ରନ୍ ଦଳୀୟ ସ୍କୋର୍ ବେଳେ ମୟଙ୍କ ଅଗ୍ରୱାଲ ନିଜ ୱିକେଟ୍ ହରାଇଥିଲେ । ମୟଙ୍କଙ୍କ ୱିକେଟ୍ ପରେ ରଜତ ପଟିଦାର ଓ ବିରାଟଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଯାହା ବଡ଼ ସ୍କୋର୍ କରିବାରେ ସହାୟକ ହୋଇଥିଲା । ଏହାରି ମଧ୍ୟରେ ବିରାଟ କୋହଲି ୪୩ ରନ୍ କରି ନିଜ ୱିକେଟ ହରାଇଥିଲେ । ପାଳି ଶେଷ ବେଳକୁ ରୋମାରିଓ ସେଫର୍ଡ ୯ ବଲ୍ରୁ ୧୭ ରନ୍ କରିଥିବା ବେଳେ ଜିତେଶ ଶର୍ମା ୧୦ ବଲ୍ରେ ୨୪ ରନ୍ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋର୍ ୧୯୦ ରନ୍ରେ ପହଞ୍ଚି ପାରିଥିଲା । ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ ଦଳ । ଶଶାଙ୍କ ସିଂ ୬୧ ରନ୍ର ପାଳି ଖେଳି ଦଳକୁ ବିଜୟ ଦେବାକୁ ସମସ୍ତ ପ୍ରୟାସ କରିଥିଲେ । ଆର୍ସିବି ବୋଲର ଆଜି ଜବରଦସ୍ତ ବୋଲିଂ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଯଶ ଦୟାଲ, ଜୋସ ହେଜେଲଉଡ୍ ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଆର୍ସିବିକୁ ଚାମ୍ପିୟନ କରାଇଛନ୍ତି ।
State
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗସ୍ ଫାଇନାଲରେ ପ୍ରବେଶ କରିଛି। ଏବେ ପଞ୍ଜାବ କିଙ୍ଗସ୍ ଜୁନ୍ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସିଜିନ୍ ର ଫାଇନାଲ୍ ଖେଳିବା ଦେଖିବାକୁ ମିଳିବ। ଏହି ପରାଜୟ ସହିତ, ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଯାଇଛି। ଏହି ସିଜିନ୍ ସାରା ଚମତ୍କାର ପ୍ରଦର୍ଶନ କରିଥିବା ମୁମ୍ବାଇ କ୍ୱାଲିଫାୟର ୨ରୁ ଆଗକୁ ବଢ଼ିପାରି ନାହିଁ l ଏହି ମ୍ୟାଚ୍ ରେ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ଯାଏ। ଶ୍ରେୟସ୍ ତୃତୀୟ ଓଭରରେ କ୍ରିଜ୍ କୁ ଆସିଥିଲେ ଏବଂ ୧୯ ଓଭର ଶେଷ ପର୍ଯ୍ୟନ୍ତ କ୍ରିଜ୍ ରେ ରହି ତାଙ୍କ ଦଳକୁ ବିଜୟୀ କରାଇ ଫାଇନାଲ୍ ରେ ପହଞ୍ଚାଇଥିଲେ। ଏହା ସହିତ ପଞ୍ଜାବ ୧୧ ବର୍ଷ ପରେ ଆଇପିଏଲ୍ ର ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୪ ପରେ, ଏବେ ପଞ୍ଜାବ ଆଇପିଏଲ ୨୦୨୫ ରେ ଦ୍ୱିତୀୟ ଫାଇନାଲ୍ ଖେଳିବାର ଦେଖିବାକୁ ମିଳିବ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହା ସହିତ ଶ୍ରେୟସ ଆୟର ଆଇପିଏଲ ଇତିହାସରେ ୩ଟି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଏବେ ପଞ୍ଜାବ କିଙ୍ଗସକୁ ଆଇପିଏଲ ର ଫାଇନାଲରେ ପହଞ୍ଚାଇଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ କେକେଆର କୁ ୨୦୨୪ର ବିଜେତା ମଧ୍ୟ କରାଇଛନ୍ତି।
Shree Jagannath
ପୁରୀ( ଦ କୁଇଭର):- ପୁରୀରେ ୨୭ ଜୁନ୍, ୨୦୨୫ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରଥଯାତ୍ରାର ପ୍ରସ୍ତୁତି ପାଇଁ, ସୋମବାର କଟକର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ସୁଗମ ଏବଂ ସୁରକ୍ଷିତ ଭାବରେ ସମ୍ପନ୍ନ ହେବା ପାଇଁ ବ୍ୟାପକ ସୁରକ୍ଷା ଏବଂ ପ୍ରଭାବଶାଳୀ ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଡିଜିପି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନିରନ୍ତର ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।
ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ପ୍ରମୁଖ ରୀତିନୀତିଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ସମୀକ୍ଷା କରାଯାଇଥିଲା:
ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା
ଜୁନ୍ ୨୬ରେ ନବ ଯୌବନ ଦର୍ଶନ
ଜୁନ୍ ୨୭ ତାରିଖରେ ରଥଯାତ୍ରା
ଜୁଲାଇ ୧ ରେ ହେରା ପଞ୍ଚମୀ
ଜୁଲାଇ ୪ ରେ ସନ୍ଧ୍ୟା ଦର୍ଶନ
ଜୁଲାଇ ୫ ରେ ବାହୁଡା ଯାତ୍ରା
ଜୁଲାଇ ୬ ରେ ସୁନାବେଶ
୭ ଜୁଲାଇରେ ଅଧର ପଣା
ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ
ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ।
ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ। ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିୟୋଜନ, ରଣନୈତିକ ସ୍ଥାନରେ ସିସି କ୍ୟାମେରା ସ୍ଥାପନ ଏବଂ ରାସ୍ତା ଡିଭାଇଡର୍, ଡେଲିନେଟର ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ସହିତ ଟ୍ରାଫିକ୍ ପରିଚାଳନା ଯୋଜନା ସମେତ ବିଭିନ୍ନ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ପୁଲିସ ନିୟମିତ ବେଳାଭୂମି ପାଟ୍ରୋଲିଂ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଇଛି। ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଭଳି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବିଘ୍ନ ସୁରକ୍ଷା କଭରେଜ ପାଇଁ ଆରପିଏଫ ସହିତ ଘନିଷ୍ଠ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ହୋଇଥିବା ଅତିରିକ୍ତ ସୁରକ୍ଷା ପଦକ୍ଷେପ ମଧ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ହୋଟେଲ ଏବଂ ଲଜ୍ ଯାଞ୍ଚ, କେ-୯ ସ୍କ୍ୱାଡ୍ ମୁତୟନ ଏବଂ ଦଳାଚକଟା ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଭିଆଇପିଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ବ୍ୟବସ୍ଥା, ପୁଲିସ କର୍ମଚାରୀଙ୍କ ପାଇଁ ରହିବା ସୁବିଧା, ବ୍ୟାରିକେଡିଂ, ଶୃଙ୍ଖଳିତ ଯାନବାହାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ନିର୍ଦ୍ଦେଶକ ଆରପି କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସକେ ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା, ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଏଡିଜି ରାଜେଶ କୁମାର, ଆଇଜି ଏସ. ପ୍ରବୀଣ କୁମାର, ଆଇଜି ଡକ୍ଟର ଦୀପକ କୁମାର, ଆଇଜି ଅନୁପ କୁମାର ସାହୁ, ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଚରଣ ସିଂହ ମୀନା, ଡିଆଇଜି ଡକ୍ଟର କନୱର ବିଶାଲ ସିଂହ, ଡିଆଇଜି ପିନାକ ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍ପି ବିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
State,Farming
ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଦେବଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି । ଏଥିସହିତ ଦେବଗଡ଼ ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଆମ ସରକାର ଆସିବା ପରେ ଆମେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ’’। ସେ ଆହୁରି ମଧ୍ୟ କହିଛନ୍ତି, "ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଆମ ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ l
କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଛନ୍ତି ।
State,Health & lifestyle
ଦ କୁଇଭର ବ୍ୟୁରୋ:- କୋଭିଡ୍-୧୯ ପୁଣି ଥରେ ସାରା ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏଣେ ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି। ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଛି। ଫଳରେ ରାଜ୍ୟଗୁଡ଼ିକ କୋଭିଡ୍ ପରୀକ୍ଷା ବୃଦ୍ଧି ଏବଂ ହସ୍ପିଟାଲ ବେଡ୍ ପ୍ରସ୍ତୁତି ଭଳି ପ୍ରତିରୋଧକ ପଦକ୍ଷେପ ନିଆଯାଉଛି। ଏବେ ଜାଣିବାକୁ ମିଳିଛି ଯେ ପ୍ରାଥମିକ ସ୍ତରରେ ଆକ୍ରାନ୍ତମାନେ ଜ୍ବର ଓ ଡାଇରିଆରେ ପଡୁଛନ୍ତି। ସେହିକାରଣରୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଉଚିତ।
National
ଦ କୁଇଭର ବ୍ୟୁରୋ:- ବାହା ହେଲେ ବିଜେଡିର ପୂର୍ବତନ ପୁରୀ ଏମପି ପିନାକୀ ମିଶ୍ର ଓରଫ ପିନାକୀ ଭାଇନା । ଅତି ଅନ୍ତରଙ୍ଗ ବନ୍ଧୁମାନଙ୍କ ଗହଣରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୈତ୍ରଙ୍କୁ ବିବାହ କରିଛନ୍ତି । ମେ ୩ ତାରିଖ ଜର୍ମାନୀରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ୬୫ବର୍ଷ ବୟସ୍କ ପିନାକୀ ଭାଇନାଙ୍କ ବିବାହ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ସଂସଦରେ କ୍ୟାସ ଫର କ୍ୱରି ଅଭିଯୋଗରେ ଉଭୟଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ତାଙ୍କ ପାଇଁ ନବୀନଙ୍କ ଦେହରେ କଳଙ୍କ ବି ଲାଗିଥିଲା । ସେତେବେଳେ ମହୁଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଏବେ ସବୁ ଚର୍ଚ୍ଚା ସରିଲା । ପିନାକୀ ଭାଇନା ମହୁଆଙ୍କ ସ୍ୱାମୀ ହେଲେ । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଶୋରେ ଚର୍ଚ୍ଚା ଚାଲିଛି ।
ପିନାକୀ ଉଭୟ ରାଜନୀତି ଓ ଓକିଲାତିରେ ବେଶ ଧୁରନ୍ଧର । ୫ଥର ଏମପି ଭାବେ ଲୋକସଭାକୁ ଯାଇଛନ୍ତି ପିନାକୀ । ରାଜନୈତିକ ପରିବାରରୁ ଆସିଥିବା ପିନାକୀ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କେସି ପନ୍ଥଙ୍କ ନାତୁଣୀଙ୍କୁ ବିବାହ କରିଥିଲେ । ଦିଲ୍ଲୀ, ଲଣ୍ଡନ ସମେତ ବିଭିନ୍ନ ସ୍ଥାନରେ ଶହଶହ କୋଟିର ସମ୍ପତ୍ତି ତାଙ୍କର ରହିଛି । ତାଙ୍କ ରାଜନୈତିକ କ୍ୟାରିୟରେ ସର୍ବଦା ସହଯୋଗ କରିଥିବା ପତ୍ନୀଙ୍କୁ ଏବେ ଛାଡ଼ିଛନ୍ତି ପିନାକୀ । ରାଜନୀତି ଛାଡ଼ିବା ସହ ରାଜନୈତିକ କ୍ୟାରିୟରରେ ସହଗାମୀ ହୋଇଥିବା ପତ୍ନୀଙ୍କୁ ଛାଡ଼ି ବଙ୍ଗୀୟ ନେତ୍ରୀଙ୍କୁ ବିବାହ କରିଛନ୍ତି ।
ପିନାକୀ କାଳେ ବଙ୍ଗୀୟ ନେତ୍ରୀ ମହୁଆଙ୍କ ପ୍ରେମରେ ବହୁବର୍ଷରୁ ପଡ଼ିଥିଲେ । ଯାହାକୁ ନେଇ ପାରିବାରିକ ବାଦ ବିବାଦ ବି ଥିଲା । ଲୋକସଭାରେ କ୍ୟାସ ଫର କ୍ୱରି ବିବାଦରେ ମହୁଆ ଫସିବା ସହ ତାଙ୍କ ବନ୍ଧୁ ପିନାକୀ ବି ବିବାଦକୁ ଆସିଥିଲେ । ମାମଲା ଅଟକି ଯାଇଥିଲା, ପରେ ନିର୍ବାଚନରେ ସବୁ କିଛି ନୀରବ ହୋଇଗଲା । ନିର୍ବାଚନର ୧ବର୍ଷ ପରେ ଉଭୟ ମହୁଆ ଓ ପିନାକୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବେଶ ହସ ହସ ମୁହଁରେ ଉଭୟ ଉଭୟଙ୍କ ହାତ ଧରାଧରି ହୋଇ ବାହାରିଛନ୍ତି । ଦେଖାଯାଉ ବୁଢ଼ା ବୟସର ଏହି ବିବାହ କେତେଦିନ ଓ କିପରି ଯାଉଛି ?
State
ଦ କୁଇଭର ବ୍ୟୁରୋ:- ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ସହ ଦିନରେ ଗରମ, ଅପରାହ୍ଣରେ ବର୍ଷା ଦେଖିବାକୁ ମିଳୁଛି । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଚାଞ୍ଚଲ୍ୟ,ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ l ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଥାନା ଅଞ୍ଚଳ ସୁବାସ ନଗର ପ୍ରଥମ ଲାଇନ ବାସିନ୍ଦା ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ l ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ. ଏମ l
ସୂଚନା ପ୍ରକାରେ,ଗତ ୨୯ ତାରିଖ ପ୍ରାୟ ୩ ଟା ସମୟରେ ମୃତକ ହରିହର ସାହୁଙ୍କ ଝିଅ ମଧୁମିତା ସାହୁ ବି.ଏନ ପୁର ଥାନାରେ ଅଭିଯୋଗ କରିଥିଲେ, ଯେ ତାଙ୍କ ପିତା ସୁବାସ ନଗର ପ୍ରଥମ ଲେନରେ ଥିବା ଘରର ପ୍ରଥମ ମହଲାରେ ଏକା ରହୁଥିଲେ, ସେହି ମହଲାରେ ସୁଦେଷ୍ଣା ଜେନା ନାମକ ଜଣେ ବିଧବା ମହିଳା ଭଡ଼ା ଘରେ ରହୁଥିଲେ। ସେହି ଦିନ ସୁଦେଷ୍ଣା ଜେନା ସକାଳେ ଅଭିଯୋଗକାରୀଙ୍କ ଘରକୁ ଆସି ତାଙ୍କ ପିତା ଗୁରୁତର ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ MKCG, MCHରେ ଭର୍ତ୍ତି କରା ଯାଇଥିବା କହିଥିଲେ। ଅଭିଯୋଗକାରୀ ତାଙ୍କ ପୁଅ ଏବଂ ଝିଅ ସହିତ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ ଏବଂ ତାଙ୍କ ପିତାଙ୍କୁ ଗୁରୁତର ପୋଡ଼ି ଯାଇଥିବା ଦେଖିଥିଲେ. ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ SCB.କଟକକୁ ରେଫର କରାଯାଇଥିଲା। କଟକର ଏସସିବିରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ ହରିହର।
ଘଟଣା ଦିନ ରାତିରେ ପ୍ରାୟ ୨-୩ଟା ସମୟରେ ତାଙ୍କ ଉପରେ କେହି ଜଣେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାର ଦେଖିଥିଲେ ବୋଲି ୩୦ ତାରିଖରେ ହରିହର ତାଙ୍କ ଝିଅକୁ କହିଥିଲେ ବୋଲି ପୁଲିସ କହିଛି l ଆହତ ରୋଗୀ ହରିହର ସାହୁଙ୍କ ବୟାନକୁ ଆଧାର କରି ତଦନ୍ତ କରାଯାଇଥିଲା ଏବଂ ତଦନ୍ତରୁ ଜଣାପଡିଥିଲା ଯେ ଘରର ତଳ ମହଲାରେ ରହୁଥିବା ମହିଳା ମୃତ ହରିହର ସାହୁଙ୍କୁ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିଛନ୍ତି। ହତ୍ୟା ପଛରେ ଉଦ୍ଦେଶ୍ୟ ହେଉଛି ହରିହରଙ୍କ ସମ୍ପତ୍ତି ହଡପ କରିବା l ମୃତକ ହରିହରଙ୍କ ସହ ଅଭିଯୁକ୍ତ ସୁଦେସ୍ନା ଜେନାଙ୍କ ଚାରି ପାଞ୍ଚ ବର୍ଷ ହେଲା ଶାରୀରିକ ସମ୍ପର୍କ ଥିଲା। ସୁଦେସ୍ନା ଜେନାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ହାଇଦ୍ରାବାଦରେ କାମ କରେ। ଯେତେବେଳେ ସୁଦେସ୍ନା ଜେନା ତାଙ୍କ ଝିଅ ଘରକୁ ଯିବାକୁ ଚାହୁଁଥିଲେ, ମୃତକ ତାଙ୍କୁ ବାଧା ଦେଉଥିଲେ ଏବଂ ତାଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଅଧିକାଂଶ ସମୟ ତାଙ୍କ ବିନା ଇଚ୍ଛାରେ ମୃତକ ତାଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରୁଥିଲେ। ଏହା ସହିତ, ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା. ମୃତକ ଜଣେ ଅବସରପ୍ରାପ୍ତ ସରକାରୀ ଆରଆଇ ଏବଂ ତାଙ୍କର ସମ୍ପତ୍ତି ଅଛି। ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ, ସୁଦେସ୍ନା ଜେନା ସୁଚିନ୍ତିତ ଭାବେ ମଧ୍ୟରାତ୍ରିରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଯୋଜନା କରିଥିଲେ l
ଅପରାଧର ପ୍ରମାଣ ହଟାଇବା ପାଇଁ ସେ ମୃତକଙ୍କ ମୋବାଇଲ୍ ଘର ଅଗଣାରେ ଥିବା କୂଅ ପାଖରେ ଫିଙ୍ଗି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ୍ କିରୋସିନ୍ ବୋତଲକୁ ମଧ୍ୟ ନିଆଁରେ ଫିଙ୍ଗି ଦେଇଥିଲେ. ପଡ଼ୋଶୀଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରିବାର ଅଭିନୟ କରିଥିଲେ l ଦୁଇଜଣ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ମୃତକଙ୍କୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୁକ୍ତ ଅଭିଯୋଗ କରିଥିଲେ କିନ୍ତୁ ତଦନ୍ତରେ ମିଛ ବୋଲି ଧରା ପଡିବା ପରେ ପୁଲିସ ସୁଦସନାଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l
State
ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି l ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ l ପରିବେଶ ସୁରକ୍ଷା ଜୀବନ ରକ୍ଷା l ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ତେଣୁ "ସବୁଦିନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରିସମାପ୍ତି କରିବା" ଲକ୍ଷ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ଏହି ଅବସରରେ "ବନ୍ୟ ଜନ୍ତୁ ସୁରକ୍ଷା ଆଇନ " ଏବଂ " ପରିବେଶ ସୁରକ୍ଷା ଆଇନ " ସମ୍ବଦ୍ଧରେ ସଚେତନତା ସହ ବୃକ୍ଷରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସଡିଜେଏମ ଶ୍ରୀ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ସବିତା ସାହୁକାର,ଏସିଏଫ ବ୍ରହ୍ମପୁର ସଶ୍ମିତା ବିଶ୍ୱାଳ, ଫରେଷ୍ଟର ସୁମିତ୍ରା କୁମାରୀ ଭୂୟାଁ, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ରାଣୀ ପାଢ଼ୀଙ୍କ ସମେତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ରହିଥିଲେ l
National,Health & lifestyle
ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।
National
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏହି କାରଣରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଜି ଜମ୍ମୁ କାଶ୍ମୀରରେ ବିକାଶ ଏବଂ ସଂଯୋଗୀକରଣର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଏବଂ ଦେଶର ପ୍ରଥମ କେବୁଲ-ଷ୍ଟେ ଅଞ୍ଜି ସେତୁର ଉଦଘାଟନ କରିବେ। ଚମତ୍କାର ସ୍ଥାପତ୍ୟର ନିଦର୍ଶନ ଚେନାବ ରେଲ୍ ବ୍ରିଜ୍। ଯାହାକୁ ଆଜି ମୋଦି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସେତୁ ସହିତ, ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୧ ଟା ସୁଦ୍ଧା ବିଶ୍ୱର ସବୁଠାରୁ ଉଚ୍ଚ ସେତୁର ଉଦଘାଟନ କରିବେ। ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ। ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁର ଉଦଘାଟନ କରିବାର ଗୋଟିଏ ଘଣ୍ଟା ପରେ, ଅର୍ଥାତ୍ ଦିନ ୧୨ଟାରେ ପ୍ରଧାନମନ୍ତ୍ରୀ ମୋଦି କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏନେଇ ରେଳବାଇ କହିଛି ଯେ, ଉଦୟପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ମୋଟ୍ ଲମ୍ବ ପ୍ରାୟ ୨୭୨ କିଲୋମିଟର। ଏବଂ ଏହାକୁ ନିର୍ମାଣ କରିବାରେ ୪୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ ୩୬ଟି ସୁଡ଼ଙ୍ଗ ଏବଂ ୯୪୩ ଟି ସେତୁ ମଧ୍ୟ ଅନ୍ତର୍ଭୁକ୍ତ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଚେନାବ ନଦୀ ଉପରେ ନିର୍ମିତ ୧ କିଲୋମିଟରରୁ ଅଧିକ ଲମ୍ବା ରେଳ ସେତୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ନିର୍ମିତ, ଯାହା ଏଫିଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ସେ କହିଛନ୍ତି ଯେ, ଏହି ସେତୁ ଘଣ୍ଟା ପ୍ରତି ୨୬୦ କିଲୋମିଟର ପବନ ଏବଂ ଭୂକମ୍ପ ଜୋନ୍-V ସହ୍ୟ କରିପାରିବ। ଡିଆରଡିଓ ସହାୟତାରେ ଏହି ବ୍ରିଜ୍ କୁ ବ୍ଲାଷ୍ଟ ପ୍ରୁଫ୍ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୨୭ ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହାର ଲମ୍ବ ୧୩୧୫ ମିଟର ଏବଂ ଏହି ପ୍ରକଳ୍ପ ଅଗଷ୍ଟ ୨୦୦୪ରେ ଆରମ୍ଭ ହୋଇଥିଲା।
Health & lifestyle
ଦ କୁଇଭର ବ୍ୟୁରୋ :- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି।
ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।