Join Us To Make A Difference

The Drops💧

ଆଜିଠୁ ଲଘୁଚାପ ବର୍ଷା: ୫ ଜିଲ୍ଲାରେ ଛେଚିବ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠୁ ଲଘୁଚାପ ବର୍ଷା: ୫ ଜିଲ୍ଲାରେ ଛେଚିବ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Published by:Jyotshna Kumari
#state

ଦକୁଇଭର ବ୍ୟୁରୋ :- ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହା ଯୋଗୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେହିଭଳି ଆସନ୍ତାକାଲି ଶୁକ୍ରବାର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସେହିଭଳି ୭ ତାରିଖ ଶନିବାର ଗଣେଶ ପୂଜାରେ ମଧ୍ୟ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

City

ଜାଭିୟର୍ସ ହାଇ ସ୍କଲରେ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବୃକ୍ଷ ରୋପଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା'ପ୍ରତି ସମ୍ମାନ ଓ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡାଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା,ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ସେହିପରି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

District

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ କୋର୍ଟରେ ୨୦୨୫ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧ ହଜାର ୩୪୬ଟି ମାମଲାର ସମାଧାନ ହୋଇଥିବାବେଳେ ୧୨ କୋଟି ୮୫ ଲକ୍ଷ ୭୧ ହଜାର ୯୭୯ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଜାରି କରାଯାଇଛି। ଗଞ୍ଜାମ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ୭୫ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ସମାଧନ କରାଯାଇ ବୀମା କମ୍ପାନି ଗୁଡ଼ିକୁ ମୋଟ ୫ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା,୯୭ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୧ କୋଟି ୫୧ ଲକ୍ଷ ୭୧ ହଜାର ୮୫୯ ଟଙ୍କା ପୁନରୁଦ୍ଧାର ହୋଇଥିଲା, ମୋଟ ୮୫ଟି ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା, ମୋଟ ୨୨୦ଟି ବ୍ୟାଙ୍କ ସଂପର୍କିତ ମାମଲାର ସମାଧାନ କରାଯାଇ ୨ କୋଟି ୩୩ ଲକ୍ଷ ୧୧ ହଜାର ୧୩ ଟଙ୍କା ଆଦାୟ କରାଯାଇଥିଲା,ଅନ୍ୟାନ୍ୟ ଦେୱାନି ମାମଲା ୧୦୧ଟି ସମାଧାନ କରାଯାଇ ୨ କୋଟି ୧୪ ଲକ୍ଷ ୪୦ ହଜାର୧୫୧ ଟଙ୍କା ଆଦାୟ କରାଯାଇଥିଲା, ସେହିପରି ମୋଟ ୯୫୬୮ଟି ରେଭେନ୍ୟୁ ମାମଲାର ସମାଧାନ କରାଯାଇ ୭୨ ହଜାର ୭୨୬ ଟଙ୍କା ଆଦାୟ କରାଯାଇଥିଲା, ୫୦ଟି ଅପରାଧିକ ମାମଲାର ସମାଧାନ କରାଯାଇଥିବାବେଳେ ୨୩୨ଟି ଟିପିଏସଓଡ଼ିଏଲ୍ ମାମଲାର ସମାଧାନ ହୋଇ ୩୦ ଲକ୍ଷ ୪୨ ହଜାର ୪୦୨ ଟଙ୍କା ଆଦାୟ କରାଯାଇଥିଲା, ମୋଟ ୧୭ଟି ପିୟୁଏସ୍ ମାମଲାରେ ୫୯ ଲକ୍ଷ ୫୮ ହଜାର ୮୩୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ କରାଯାଇଥିଲା। ଏଥିରେ ଦ୍ବିତୀୟ ଏମଏସିଟି ବିଶ୍ବଜିତ୍ ଦାଶ, ପ୍ରଥମ ଏଡିଜେ ନରେଶ ମହାନ୍ତି, ଦ୍ଵିତୀୟ ଏଡିଜେ ଆୟୁଷମାନ ମହାନ୍ତ, ତୃତୀୟ ଏଡିଜେ ବିବଶ୍ବତ ଗୌତମ ପ୍ରମୁଖ ଦୁର୍ଘଟଣା ସଂପର୍କିତ ମାମଲାରେ ଅଂଶ ଗ୍ରହଣ କରିଥିଲେ । ରେଜିଷ୍ଟ୍ରର ସୌଦାମିନୀ ସିଂ ନୋଡାଲ ଅଫିସର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

City

ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଦୈନିକ ଖବର କାଗଜ ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ଶିଳ୍ପାଞ୍ଚଳ ସ୍ଥିତ ଅନୁପମ ଭାରତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଲେଖିକ ହୟଗ୍ରୀବ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ । ସୁଦାମ ଦାସ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ପରିଚାଳକ କୁରେଶ ପଣ୍ଡା, ସହ ସମ୍ପାଦକ ହରିଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ। ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଏହି ଅବସରରେ ଅନୁପମ ଭାରତ ରେ ନିଜର ଦୀର୍ଘ ଜୀବନ ର କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଜଗନ୍ନାଥ ଙ୍କ ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁପମ ଭାରତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

State

ସରିଲା ସର୍ବଦଳୀୟ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ। ‌ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିବା, ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଏଥର ମାଳମାଳ ପ୍ରସଙ୍ଗ ଧରିକି ବସିଛନ୍ତି। ହେଲେ ବିଧାନସଭା ଯେପରି ସୁରୁଖୁରରେ ଚାଲିବ, ଗୃହ କାର୍ଯ୍ୟ ପରିଚାଳନାରେ ସବୁ ଦଳ ସହଯୋଗ କରିବାକୁ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ଏହି ଅଧିବେଶନର ଅବଧି ମାତ୍ର ୭ଦିନ ଥିବାରୁ କେଉଁ ଦିନ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେନେଇ ବାଚସ୍ପତି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Crime

ଅବକାରୀ କବଜାରେ ଗଞ୍ଜେଇ ମାଫିଆ,୬ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟ ବାହାରକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ,୧ ସ୍କୁଟି, ୩ଟି ଚାରି ଚକିଆ ଗାଡି, ୮ଟି ମୋବାଇଲ ଫୋନ ଜବତ ସହ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି l


ସୂଚନା ପ୍ରକାରେ,କନ୍ଧମାଳରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଖଲ୍ଲିକୋଟ ଘାଟି ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ l ବିହାର,ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ(୨ଜଣ ପେଶାଗତ ଗଞ୍ଜେଇ ଚାଲାଣକାରୀ) ମୋଟ ୬ ଜଣଙ୍କୁ କାବୁ କରିଛି ଅବକାରୀ ଗୁଇନ୍ଦା ବିଭାଗ l ଏସବୁ ଗଞ୍ଜେଇ, ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି କରାଯାଇଥିଲା l ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନରୁ ଗଂଜେଇ ମାଫିଆଙ୍କ ଟେର ମିଳିଥିବା ବେଳେ ଅଧିକ ତଦନ୍ତ କରୁଛି ଅବକାରୀ ଗୁଇନ୍ଦା ବିଭାଗ l ଯେଉଁଥିରେ ବ୍ରହ୍ମପୁର, କୋଦଳା ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଜଣା ପଡ଼ିଥିବା ବେଳେ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୁର୍ତିକାନ୍ତ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

State,Shree Jagannath

ଆଜି ବିଶ୍ୱକର୍ମା ପୂଜା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନେରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ । ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।


ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।

City

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଅବସରପ୍ରାପ୍ତ ନିଶ୍ଚେତକ ବିଭାଗ ପ୍ରାଧ୍ୟାପକ ଡା. ହରିହର ପଟ୍ଟନାୟକଙ୍କ ପରଲୋକ ହୋଇଛି।ଶନିବାର ଭୋର ୫ଟା ସମୟରେ ସିଦ୍ଧାର୍ଥ ନଗର ତୃତୀୟ ଲାଇନ୍ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଡ଼ାକ୍ତର ପଟ୍ଟନାୟକଙ୍କୁ ମୃତ ବେଳକୁ ୮୮ ବର୍ଷ ହୋଇଥିବା ବେଳେ ଦୀର୍ଘ ୩୦ , ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି।ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲର ନିଶ୍ଚେତକ ବିଭାଗରେ ପ୍ରାଧ୍ୟାପକ ରହିଥିଲେ। ଡ଼ା ପଟ୍ଟନାୟକ ବହୁ ଗରିବ ରୋଗୀଙ୍କ ପାଇଁ ସୁବିଧାରେ ଅସ୍ତ୍ରୋପଚାର ଓ ଚିକିତ୍ସା ବ୍ୟବସ୍ଥା କରିବା ସହ ଅତ୍ୟନ୍ତ ପରୋପକାରୀ ଏବଂ ମିଷ୍ଟଭାଷୀ ଡାକ୍ତର ଭାବେ ପରିଚିତ ଥିଲେ।ଅବସର ନେବା ପରେ ମଧ୍ୟ ବହୁ ସଂଗଠନ ସହ ଜଡ଼ିତ ରହି ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରୁଥିଲେ। ମୃତଶଯ୍ୟାରେ ଦୁଇପୁଅ ଓ ଦୁଇଝିଅ ରଞ୍ଜନ କୁମାର ପଟ୍ଟନାୟକ, ରଞ୍ଜିତ କୁମାର ପଟ୍ଟନାୟକ, ରଶ୍ମୀ ରେଖା କାନୁନଗୋ, ସସ୍ମିତା ରାୟ, ଜ୍ବାଇଁ,ନାତିନାତୁଣୀଙ୍କ ସମେତ ବହୁ ଆତ୍ମୀୟ ସୃଜନ ଉପସ୍ଥିତ ରହିଥିଲେ।ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର,ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,ବରିଷ୍ଠ ବିଜେଡ଼ି ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,କର୍ପୋରେଟର ସମୀର ମିଶ୍ର,ତିରୁପତି ପାତ୍ର,ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଡାକ୍ତର,ରାଜନେତା ,ବୁଦ୍ଧିଜୀବିଏବଂ ଏମ କେ ସି ଜି ମେଡ଼ିକାଲ୍ କଲେଜ ନିକଟରେ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ।

ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି।

International

ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ । ସଂସଦ ଭାଙ୍ଗିବା ସହ ନୂଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୬ ମାର୍ଚ୍ଚ ୫ ତାରିଖରେ ହେବ ନିର୍ବାଚନ । ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ପ୍ରତିବାଦ । ଏଭଳି ପ୍ରତିବାଦ ପରେ ମାତ୍ର ୪ ଦିନରେ ବଦଳିଗଲା ନେପାଳ ସରକାର । ଅଶାନ୍ତ ନେପାଳର ମଙ୍ଗ ଧରିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ କରାଇଛନ୍ତି ଶପଥ ପାଠ । ଜେନ-ଜିଙ୍କ ଆନ୍ଦୋଳନ ପରେ ଓଲି ସରକାରର ପତନ ଘଟିଥିଲା । ପରେ ସେନା ନିୟନ୍ତ୍ରଣରେ ଶାସନ ଭାର ରହିଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁଶୀଲା କାର୍କି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କ ପ୍ରଥମ ପସନ୍ଦ ନଥିଲେ ସୁଶୀଳା । କାଠମାଣ୍ଡୁର ମେୟର ବାଲେନ୍ ଶାହ ଥିଲେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ, ଯିଏ ଏହି ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ବାଲେନ୍ ଦାୟିତ୍ବ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ପରେ ସୁଶୀଳାଙ୍କ ନାଁ ସାମ୍ବାକୁ ଆସିଥିଲା । ତା’ପରେ ବାଲେନ୍ ମଧ୍ୟ ସୁଶୀଳାଙ୍କୁ ନିଜର ସମର୍ଥନ ଦେଲେ । ଆଉ ଏଥିସହ ନେପାଳରେ ରାଜନୈତିକ ସଂକଟରେ ବିରାମ ଲାଗିଛି ।

District,City

୧୯ ରେ ଗଡିବ ତୀର୍ଥଯାତ୍ରୀ ଟ୍ରେନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୯ତାରିଖରେ ଅଯୋଧ୍ୟା ଓ ବାରଣାସୀକୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଗଡ଼ିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନମ୍ବର ପ୍ଲାଟଫର୍ମ ପହଞ୍ଚି ସେଠାରେ ଜିଲ୍ଲାର ବରିଷ୍ଟ ଅଧିକାରୀ, ରେଳବାଇ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ। ଏହାପରେ ଦିନକୁ ପୂର୍ବରୁ ବରିଷ୍ଠ ନାଗରିକମାନେ ରହିବା ପାଇଁ ଆୟୋଜିତ ହୋଇଥିବା ସ୍ଥାନ ବୁଲି ଦେଖୁଥିଲେ। ବରିଷ୍ଠ ନାଗରିକ କିପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇବେ ଏବଂ ସୁଚାରୁ ରୂପେ ଯାତ୍ରା କରି ଫେରିବେ। ସେ ନେଇ ସମସ୍ତ ଅଧିକାରୀମାନେ ଧ୍ୟାନ ଦେବାକୁ ବିଭାଗୀୟ ଅଧୁକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବିଏମ୍‌ସି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଓ ଆଶୀର୍ବ।ଦ ପରିଡ଼ା, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହଂସଦା, ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗ। ପ୍ରସାଦ ବ୍ରହ୍ମା, ଆର୍‌ପିଏଫ୍‌ ଥାନା ଅଧିକାରୀ ସି. ଭେଙ୍କଟ ରମଣା ଓ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Crime,State

ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୧୦ ନକ୍ସଲ ନିହତ ହୋଇଥିବା ସୂଚନା

Blog Thumbnail

ମାଲକାନଗିରି,(ଦ କୁଇଭର)- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।

Entertainment,Education,City

ଜାଭିୟର୍ସ ହାଇ ସ୍କୁଲରେ ହିନ୍ଦୀ ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):-ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶନିବାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହିନ୍ଦୀ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ଡିଏଭି ପବ୍ଲିକ ସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ପାଳନ ସଂପର୍କରେ ସୂଚନା ଦେଇ,ଆଜିର ଯୁଗରେ ହିନ୍ଦୀ ଶିକ୍ଷାର ଆବଶ୍ୟକତା ନେଇ ଆଲୋକ ପାତ କରିଥିଲେ । ପ୍ରତି କ୍ଷେତ୍ରରେ ହିନ୍ଦୀ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିବା ସହ ସମସ୍ତେ ମାତୃଭାଷା ସହ ହିନ୍ଦୀ ଭାଷା ପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ କେ.ସି ପଣ୍ଡାଙ୍କ ସମେତ ବିଦ୍ୟାଳୟ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

National

ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏନଡିଏର ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା ।

State

କଟିବ ଧନୀ ଲୋକଙ୍କ ରାସନ କାର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଲକ୍ଷାଧିକ ମୃତକ (ଭୂତ)ଙ୍କ ନାଁରେ ଉଠୁଥିଲା ରାସନ ଚାଉଳ। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ମାଗଣା ଚାଉଳ ନେଉଥିଲେ। ଯୋଗାଣ ବିଭାଗ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ପରେ ଭୂତ କାର୍ଡ କେଳେଙ୍କାରୀ ଧରାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫.୭୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ଶ୍ରୀ ପାତ୍ର କହିଛନ୍ତି ଯେ ଅଧିକ ରୋଜଗାର କରୁଥିବା ବର୍ଗର ବ୍ୟକ୍ତିଙ୍କୁ ରାସନ କାର୍ଡ ନିଜ ଆଡ଼ୁ ଫେରାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ। ଏହାଭିତରେ ୧ଲକ୍ଷ ୫ହଜାର ଆୟକରଦାତା କାର୍ଡ ଫେରାଇ ସାରିଲେଣି। ବିଗତ ୩-୪ବର୍ଷ ହେବ ରାଜ୍ୟର ୧୪ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବଦେନ କରି କାର୍ଡ ଅପେକ୍ଷାରେ ରହିଥିଲେ। ସେଥିରୁ ୬ ଲକ୍ଷ ଗରିବ ଲୋକଙ୍କୁ କାର୍ଡ ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଅତି ଦରିଦ୍ର ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ କାର୍ଡ ଜରିଆରେ ମାଗଣା ୩୫ କେଜି ଚାଉଳ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଯାଞ୍ଚ ବେ‌ଳେ ଗୋଟିଏ ପରିବାରର ୩ଜଣ ଲୋକ ଏହି କାର୍ଡ ହାତେଇଥିବା ଜଣାପଡ଼ିଥିଲା। ଏଭଳି ତଞ୍ଚକତା କରିଥିବା ଲୋକଙ୍କ କାର୍ଡ କାଟି ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ ଗରିବ ଲୋକଙ୍କ ଅଧିକାରକୁ ମାଡ଼ି ବସିଛନ୍ତି ସେଥିରୁ ବେଦଖଲ କରିବା ଲାଗି ଯୋଗାଣ ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ଦୀର୍ଘମାସ ଧରି ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ହେଲେ ସେପ୍ଟେମ୍ବର ପହିଲା ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୭ ଲକ୍ଷ, ମୟୂରଭଞ୍ଜରେ ୧ ଲକ୍ଷ, କଳାହାଣ୍ଡିରେ ୯୮ ହଜାର, କଟକରେ ୯୫ ହଜାର, ବଲାଙ୍ଗୀରରେ ୯୧ ହଜାରଙ୍କୁ ମିଶାଇ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହାଭିତରେ କେନ୍ଦ୍ର ସରକାର ଇ-କେୱାଇସି ଅବଧିକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି ଅନେକ ଭୂତ ହିତାଧିକାରୀ ଚିହ୍ନଟ ହୋଇପାରନ୍ତି।

National

୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦେଶର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକୃଷ୍ଣନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।


ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂରା ମନ୍ତ୍ରୀ ମଣ୍ଡଳଙ୍କ ଉପସ୍ଥିତି ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ରାଜ୍ୟପାଳ ଏବଂ ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାମିଲ ହୋଇଥିଲେ ।

National

ଆଜି ମୋଦୀ ଙ୍କ ଜନ୍ମଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ, ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ।ବିଜେପି ତାଙ୍କ ଜନ୍ମଦିନକୁ 'ସେବା ପକ୍ଷ' ଭାବରେ ପାଳନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ, ଏହାର ବିଷୟବସ୍ତୁ 'ସୁସ୍ଥ ମହିଳା, ସଶକ୍ତ ପରିବାର' ରଖାଯାଇଛି । ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ଭାଡନଗରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତି ପାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଛି, ତାହା ଅର୍ଥନୈତିକ କ୍ଷେତ୍ର ହେଉ, ଅନ୍ତର୍ଜାତୀୟ କୂଟନୀତି, ସାମରିକ ସଶକ୍ତିକରଣ କିମ୍ବା ଡିଜିଟାଲ୍ ବିପ୍ଳବ। ଆଜି ସକାଳ ଠାରୁ ସମର୍ଥକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି।

State

ସିଲ୍ ହେଲା ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ କୋଠା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ ଆଲିସାନ ଘରକୁ ଯାଇ ପୋଲିସ ମାଧ୍ଯମରେ ରହୁଥିବା ଘର ଲୋକଙ୍କୁ ଓ ବ୍ୟବହାର କରୁଥିବା ଆସବାବ ପତ୍ରକୁ ବାହାର କରି ସିଲ୍ କରିଛି ଲଟକା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଘର‌ ବାହାରେ ଲଗାଯାଇଥିବା ନୋଟିସ ମୁତାବକ, PMLA act 2002 ମୁତାବକ । ୦୩ ଜୁଲାଇ ୨୦୨୩ର OC 1895 ଆଧାରରେ ସତ୍ୟ ବିହାରରେ ୧୩୩୮/୧୫୧୦୫ରେ ଥିବା ଘରକୁ ସିଲ୍ କରାଯାଇଛି । ଧାରା ୮(୪)ଇଡିର ହେପାଜତରେ ରହିଥିବା ଉଲ୍ଲେଖ କରାଯାଇଛି । ଏନେଇ ଇଡି ଅଧିକାରୀ ଓ ପୋଲିସ ଉପସ୍ଥିତିରେ ସିଲ୍ ସମୟରେ ଅର୍ଚ୍ଚନାଙ୍କ ବାପା ଓ ଭଉଣୀ ବିରୋଧ କରିଥିଲେ । କିନ୍ତୁ ନିର୍ଦ୍ଦେଶ କପି ଆଧାରରେ ଘରକୁ ସିଲ୍ କରିଥିଲେ ଇଡି ଅଧିକାରୀ । ସେପଟେ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନଥିବା ବେଳେ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି," ଦିଦି ଘରେ ନଥିବା ସମୟରେ ଏଭଳି ଘରକୁ ସିଲ୍ କରାଯାଉଛି । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ ।"


ସୂଚନା ପ୍ରକାରେ,ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଏକ ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଓ ମିଡିଲମ୍ୟାନ ଖଗେଶ୍ବର ଗିରଫ ହୋଇଥିଲେ । ବେଆଇନା ଭାବରେ ଅର୍ଥ ରୋଜଗାର କରିବା ଓ ସେହି ଟଙ୍କାରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ନେଇ ପ୍ରିଭେସନ ଅଫ ମନି ଲଣ୍ଡରି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ଋଜୁ କରି ତାନାଘନା କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ ଗାଡ଼ି ଜବତ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ସିଲ କରିଛି ଇଡି ।

National,International

ନେପାଳରୁ ଉଦ୍ଧାର ହେଲେ ୨୩ ଓଡ଼ିଆ ପର୍ଯ୍ୟଟକ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

State

ଆମ ବସ୍ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜଧାନୀରେ ଗଡୁନି ଆମ ବସ୍। ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ବିଳମ୍ବ ନେଇ କାର୍ଯ୍ୟବନନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ କର୍ମଚାରୀ। ପୋଖରୀପୁଟ ଡିପୋରୁ ଗୋଟେ ବି ବସ୍ ବାହାରିନି । ଠିକ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।