Join Us To Make A Difference

The Drops💧

ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ : ମୁଖ୍ୟମନ୍ତ୍ରୀ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହା ଉପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୌଣସି ପରିସ୍ଥିତିରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେବା ସହିତ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ଼ୁଅର (ଏସ‌୍ଓପି) ବା ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ୨୦୨୪ ଜୁନରୁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତିଭିତ୍ତିକ ପରୀକ୍ଷା ସଂକ୍ରାନ୍ତ ଅନିୟମିତତା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିଛନ୍ତି। ଏହା ସହିତ ପୂର୍ବ ସରକାର ଅମଳରୁ କ୍ରମାଗତ ଭାବେ ଚାଲିଥିବା ପରୀକ୍ଷା ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ପ୍ରକ୍ରିୟ‌ା ଆରମ୍ଭ ହୋଇଯାଇଛି। ଏସ୍‌ଆଇ ପରୀକ୍ଷା ବାତିଲ ହେବା ପରେ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା, ଦାୟିତ୍ୱ ହସ୍ତାନ୍ତରିତ ହୋଇଥିବା ଆଉଟ୍‌ସୋର୍ସିଂ ସଂସ୍ଥା ଏବେ ସନ୍ଦେହ ଘେରରେ ଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଚାଲିଛି। ଓଡ଼ିଶାରେ ୨୦୨୧ରୁ କାୟାବିସ୍ତାର କରିଥିବା ଏକ ସଂସ୍ଥା ଏକାଧିକ ପରୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏଥିରୁ ଅନେକ ଅନିୟମିତତା କାରଣରୁ ବାତିଲ ହୋଇଥିଲା, ସେସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହା ଛଡ଼ା ପରୀକ୍ଷା ଅନିୟମିତତା କାରବାରରେ ଲିପ୍ତ ଥିବା କିଛି ପ୍ରଭାବଶାଳୀଙ୍କ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଘଟଣା ସହିତ ଜଡ଼ିତ ୧୧୯ ଜଣଙ୍କ ଗିରଫ ପରେ ଏଥିରେ ସଂପୃକ୍ତ କିଛି ପ୍ରଭାବଶାଳୀଙ୍କୁ ଖୋଜା ଚାଲିଛି।

Comments

Leave a Comment

Comments

No comments yet.

State

କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର

Blog Thumbnail

ଦ କୁଇଭର ବ୍ୟୁରୋ :- କାର୍ତ୍ତିକ ମାସ ଆରମ୍ଭରୁ ଚିନ୍ତା ବଢାଇଲାଣି ପରିବା ଦର । କାର୍ତ୍ତିକ ମାସରେ ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା ରହିଥିବା ବେଳେ ଦର ଏବେ ଆକାଶ ଛୁଆଁ ହୋଇଛି । ଧାର୍ମିକ ମାସ କାର୍ତ୍ତିକରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି 20ରୁ 30 ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।ଯେଉଁ ପରିବା କିଛି ଦିନ ପୂର୍ବରୁ ସ୍ୱାଭାବିକ ଦରରେ ବିକ୍ରୟ ହେଉଥିଲା, ତାହା ଏବେ ବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି । ଯାହାକି ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଶହେ ଦୁଇ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ 1000ରୁ ଅଧିକ ଲାଗୁଛି । ତେବେ ସରକାର ଏହି ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।

City

ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆନ୍ତର୍ଜାତୀୟ ବଧିର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବଧିର ସଂଘର ସଭାପତି ଅନିଲ କୁମାରଙ୍କ ନେତୃତ୍ୱରେ ଓଡିଶା ଆଶ୍ସୋସିଏସନ ଅଫ ଦ ଡେଫ ଏବଂ ଡମ ସଂଘର ୬୮ ତମ ଅନ୍ତର୍ଜାତୀୟ ବଧିର ଦିବସ ଏବଂ ଗଞ୍ଜାମ ଜିଲ୍ଲା ବଧିର ସଂଘର ୪୦ ତମ ବାର୍ଷିକ ଉତ୍ସବ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ବ୍ରହ୍ମପୁର ସହର ସ୍ଥିତ ଗଞ୍ଜାମ କଳା ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି। ବଧିର ସମ୍ପ୍ରଦାୟର ଅଧିକାର, କ୍ଷମତା ଏବଂ ଚ୍ୟାଲେଞ୍ଜ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ଯୋଗାଯୋଗ ତଥା ଅନ୍ତର୍ଭୁକ୍ତି ପାଇଁ ସାଙ୍କେତିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହାର ସଦସ୍ୟ ଏବଂ ସମର୍ଥକଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦିଆଯାଉ,ଯେଉଁମାନେ ଶ୍ରବଣ ଅକ୍ଷମ ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ସମାଜରେ ବିଭିନ୍ନ ଅନୁଷ୍ଠାନରେ ବିଦ୍ୟାଳୟ, ମେଡିକାଲ ଭଳି ଅନୁଷ୍ଠାନରେ ଏହି ସଙ୍ଘର ପିଲାଙ୍କୁ ନିଯୁକ୍ତି ଦିଆଯାଉ, ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ଦାବି କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କେ.ଆଦିତ୍ୟ କୁମାର,ଅଳକା ନନ୍ଦ ଯୋସୀଙ୍କ ସମେତ ବହୁ ସଂଘର ସଦସ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

State

ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠାରେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଯେତେବେଳେ ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିଲା, ସେହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଅଜ୍ଞତାର ଅନ୍ଧକାର ଓ ଅସମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏଭଳି ଜଣେ ସନ୍ଥ ଥିଲେ, ଯିଏ ଅନ୍ଧ ବିଶ୍ୱାସ, ଜାତିପ୍ରଥା ଓ ସାମାଜିକ କୁସଂସ୍କାରକୁ ଚ୍ୟାଲେଞ୍ଜ କରିବାକୁ ସାହସ କରିଥିଲେ। ଶିକ୍ଷା, ମହିଳା ସଶକ୍ତୀକରଣ ଓ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା। ସ୍ୱାମୀ ଦୟାନନ୍ଦଙ୍କ ଦିଗ୍‌ଦର୍ଶନରେ ବାଲ୍ୟ ବିବାହକୁ ବିରୋଧ, ମହିଳା ଶିକ୍ଷାକୁ ଗୁରୁତ୍ୱ, ବିଧବା ପୁନଃବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆର୍ଯ୍ୟ ସମାଜ ଏକ ନୂଆ ବାର୍ତ୍ତା ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ରେଳ ପ୍ରେକ୍ଷାଳୟରେ ଆୟୋଜିତ ମହାସମ୍ମେଳନ-୨୦୨୫ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ୧୫୦ ବର୍ଷର ଇତିହାସକୁ ଦେଖିଲେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ। ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ବରଂ ଏହା ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ। ଆଜି ଆମେ ମହିଳାଙ୍କ ବିକାଶ ପାଇଁ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ତୃଣମୂଳସ୍ତରରେ ମହିଳାଙ୍କ ନେତୃତ୍ୱ ବିଷୟରେ ଯେଉଁ କାର୍ଯ୍ୟ କରୁଛୁ ତାହା ହେଉଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ମାର୍ଗଦର୍ଶନ। ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ଏବଂ ନିଜ ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ସମାଜସେବୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା, ଆର୍ଯ୍ୟ ପ୍ରତିନିଧି ସଭା ନୂଆଦିଲ୍ଲୀର ଉପସଭାପତି ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

State

୧୧୦୦ ଜଣ ମହିଳାଙ୍କୁ କାର କିଣିବାକୁ ୫ ଲକ୍ଷ ଋଣ ଦେବେ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି,ମହିଳାଙ୍କ ରୋଜଗାର ବଢ଼ାଇବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆମ ସୁବାହକ’ ଯୋଜନା । ଏହି ଯୋଜନାରେ 1100 ଜଣ ମହିଳାଙ୍କୁ କାର୍‌(ଟ୍ୟାକ୍ସି) କିଣିବାକୁ 10 ଲକ୍ଷ ଋଣ ଦେବେ ସରକାର । ଯେଉଁଥିରେ ଲୋନରେ କାର କିଣିବେ ମହିଳା, ସୁଧ ସୁଝିବେ ସରକାର । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।


ଏହି ଯୋଜନାରେ ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇଦେବେ ସରକାର ।ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ,ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ ।ରାଜ୍ଯରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ମହିଳା ଡ୍ରାଇଭରଙ୍କ ସମେତ ସୁଭଦ୍ରା ହିତାଧିକାରୀ, କ୍ରୁଟ, ବସ୍‌ ଡ୍ରାଇଭର, SHG ସଦସ୍ୟାଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ସର୍ବାଧିକ 10 ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ଯୋଗାଇବେ ସରକାର । ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର ।


ରାଜ୍ଯରେ ଥିବା 4ଟି ଡ୍ରାଇଭିଂ ଟ୍ରେନିଂ ପ୍ରତିଷ୍ଠାନରେ 6216 ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇସାରିଛନ୍ତି lସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ lପ୍ରଥମ ବର୍ଷରେ 200, ଦ୍ବିତୀୟ ବର୍ଷରେ 250, ତୃତୀୟ ବର୍ଷରେ 300 ଏବଂ ଚତୁର୍ଥ ବର୍ଷରେ 350 ଜଣ ମହିଳାଙ୍କୁ କାର୍‌ କିଣିବାକୁ 10 ଲକ୍ଷ ଟଙ୍କାର ଋଣ ଦିଆଯିବ lଯେଉଁ ମାନଙ୍କର ବୟସ 21 ରୁ 40 ହେଇଥିବ ଏବଂ ବାର୍ଷିକ ଆୟ ଯାହାର 3 ଲକ୍ଷ ଥିବ ସେମାନେ ଲାଭ ଉଠାଇ ପାରିବେ l ସେହିପରି ଯେଉଁମାନେ କ୍ରୁଟ କିମ୍ବା OSRTCରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ l ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ମାନଙ୍କୁ ଅଗ୍ରାଧିକାର ମଧ୍ୟରେ ସୁଯୋଗ ଦିଆଯିବ lସରକାର ତରଫରୁ ତିନି ଜଣ ସୁବାହକଙ୍କୁ ଜାପାନ ପଠାଯିବ lରାଜ୍ୟରେ ମହିଳା ବାହକ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି lଯେଉଁ ମହିଳା ଡ୍ରାଇଭର ମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଳାଇବାରେ ପ୍ରତିଶ୍ରୁତିବଦ୍ଧ ହେବେ ସେମାନଙ୍କୁ ଜାପାନ ପଠାଯିବ ।ତେବେ ଏହି ଯୋଜନାରେ ଗାଡି କିଣା ବାବଦକୁ 110 କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି l

Politics

ବିଜେପିରେ ଯୋଗଦାନ କଲେ ଜୟ ଢୋଲକିଆ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବି‌ଜେପି ଦଳରେ ମତେ ସାମିଲ କରିଥିବାରୁ, ସମସ୍ତ ନେତୃମଣ୍ଡଳୀଙ୍କୁ ଜୟ ଧନ୍ୟବାଦ ଜଣାଇଛନ୍ତି। ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ସ୍ବର୍ଗତ ପିତାଙ୍କ ଯେଉଁସବୁ ସ୍ବପ୍ନ ରହିଥିଲା ତାକୁ ପୂରଣ କରିବା ପାଇଁ ମୋର ବିଜେପିରେ ଯୋଗଦାନ।ମୋ ସ୍ବର୍ଗୀୟ ପିତାଙ୍କ ପରି ସମାଜସେବା କରିବା ମୋର ଦୃଢ ସଂକଳ୍ପ, ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ନିଷ୍ଠାର ସହ ତୁଲାଇବି ବୋଲି ଜୟ ଢୋଲକିଆ କହିଛନ୍ତି ।

City

ଜାଭିୟର୍ସ ହାଇସ୍କୁଲରେ ମୁନ ୨୦୨୫ କାର୍ଯ୍ୟକ୍ରମ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ସଫଳତା ଓ ବିକାଶ ଘଟିପାରିବ ସେଥିନେଇ ସୋମବାର ଠାରୁ ଚାରି ଦିନିଆ ମୁନ (ଶ୍ରୀ କୌଶିକ ମଡେଲ ୟୁନାଇଟେଡ ନେସନ୍ସ୍ )୨୦୨୫ ନାମରେ ଅନୁରୂପ ମିଳିତ ଜାତିସଂଘର ଶିକ୍ଷାର ବିକାଶ ସମ୍ପର୍କିତ ଏକ କର୍ମଶାଳା ଆରମ୍ଭ ହୋଇଛି । ଏପରି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ମେୟର ସଂଘମିତ୍ରା ଦଳାଇ କହିଥିଲେ । ମେୟର ଦଳାଇ କର୍ମଶାଳାର ଶୁଭାରମ୍ଭ କରି ଛାତ୍ର ଛାତ୍ରୀ ମାନଙ୍କୁ ଏହି କର୍ମଶାଳା ରେ ସାମିଲ ହୋଇଥିବା ଯୋଗୁଁ ସମସ୍ତେ ଉତ୍ତମ ଜ୍ଞାନ ଆହରଣ କରିବା ସହ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇପାରିବେ ବୋଲି କହିଥିଲେ । ଅନ୍ୟ ତମ ଅତିଥି ଭାବେ ରୋଟାରୀ କ୍ଳବ୍ ଇଷ୍ଟ ର ସଭାପତି ଡ୍ ପ୍ରଦୀପ୍ତ କୁମାର ପଟ୍ଟନାୟକ, ସଂପାଦକ ଅଶ୍ୱିନୀ କୁମାର ପାତ୍ର ଓ ହାସ୍ୟକଳାକାର ସତ୍ୟନାରାୟଣ ଦାସ ତଥା ବ୍ରହ୍ମପୁର ଭାଇନା ଯୋଗ ଦେଇ ହାସ୍ୟ ଯାଦୁ ମାଧ୍ୟମରେ ସଭିଙ୍କୁ ଉତ୍ସାହିତ କରିଥିଲେ ।ସ୍କୁଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ତ୍ରିପାଠୀ, ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ , ଆମ୍ବପୂଆ ସ୍କୁଲ ଅଧ୍ୟକ୍ଷ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାହୁଁ ଚରଣ ପଣ୍ଡା, ଉପାଧ୍ୟକ୍ଷ ପ୍ରକାଶ ପଲେଇ ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟ ର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଗୁରୁବାର ଏହି କର୍ମଶାଳା ଉଦ୍ ଯାପିତ ହେବ ।