Join Us To Make A Difference

The Drops💧

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି
Published by:Jyotshna Kumari
#politics

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

Comments

Leave a Comment

Comments

No comments yet.

Crime

ପୀତବାସ ହତ୍ୟା ଘଟଣା : ପିଣ୍ଟୁଙ୍କ ପାଇଁ ପିଟିସନ ଦାଖଲ

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଡୁଙ୍କ ପକ୍ଷରୁ ଏସଡିଜେଏମ କୋର୍ଟରେ ପିଟିସନ ଦାୟର କରାଯାଇଛି। ପିଣ୍ଟୁ ବର୍ତ୍ତମାନ ଫୁଲବାଣୀ ଜେଲରେ ଅଛନ୍ତି | ପିଣ୍ଡୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ, ଜୋତା ପିନ୍ଧି ପିନ୍ଧିବାକୁ ସୁଯୋଗ ଦେବାକୁ ପିଟିସନ କରିଛନ୍ତି ତାଙ୍କ ଓକିଲ l ଫୁଲବାଣୀ ଜେଲରେ ଥିବା ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ପାଇଁ ଏସଡିଜେଏମ କୋର୍ଟରେ ପିଣ୍ଟୁଙ୍କ ଓକିଲ କୈଳାସ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି। ପିଣ୍ଟୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ ସହ ଜୋତା ପିନ୍ଧିବାକୁ ସୁଯୋଗ ଦେବାକୁ ପିଟିସନ ମାଧ୍ୟମରେ ତାଙ୍କ ଓକିଲ ଅନୁରୋଧ କରିଛନ୍ତି | ଏଥିସହ ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ ରିଙ୍ଗ ଲଗାଇବାକୁ ଅନୁମତି ଦେବାକୁ ପିଟସନରେ ନିବେଦନ କରିଛନ୍ତି | ପରିବାର ଲୋକଙ୍କ ସହ ଭିଡିଓ କନଫରେନିଂରେ କଥାବାର୍ଭା କରିବାକୁ ଅନୁମତି ପାଇଁ ପିଟିସନରେ ନିବେଦନ କରାଯାଇଛି। ଏହି ପିଟିସନକୁ ନେଇ ଏସଡିଜେଏମbକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ଥିବା ନେଇ ପିଣ୍ଡୁଙ୍କ ଓକିଲ କହିଛନ୍ତି ।


ସୂଚନାଯୋଗ୍ୟ, ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ଯାଇଥିଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାସ l ପୁଲିସ ଏସକର୍ଟରେ ତାଙ୍କୁ ଫୁଲବାଣୀ ଜେଲ୍ ନିଆଯାଇଥିଲା । ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ | ତେବେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପିଣ୍ଡୁ ଦାସଙ୍କ ସୁରକ୍ଷା ନେଇ ଏସଡିଜେଏମ୍ କୋର୍ଟରେ ପିଟିସନ ଦାଖଲ ହୋଇଥିଲା |

Shree Jagannath

ଆଜି ପ୍ରଥମାଷ୍ଟମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

Weather

ଜାଡ଼ରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାଡ଼ରେ ଥରୁଛି ଓଡ଼ିଶା,ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି (ବୁଧବାର) ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ (Cold Wave) ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।

District

ଦାଦନ ଶ୍ରମିକ ମାନଙ୍କ ସମସ୍ୟା ଏବଂ ସମାଧାନ ପାଇଁ କାର୍ଯ୍ୟକ୍ରମ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ସମାଧାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଜିଲ୍ଲାରେ ସକ୍ରିୟ ଥିବା ସାମାଜିକ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ରବିବାର ଅରୁଣା NGO ଦ୍ୱାରା ଏକ ପରିଚାଳିତ ସଭା ଖୋଡାସିଙ୍ଗି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଅନୁଷ୍ଠାନମାନଙ୍କର ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଛି l

Politics

କାହାର ହେବ ନୂଆପଡ଼ା

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ଦିନକ ପରେ ଇଭିଏମରୁ ଆସିବ ରାୟ । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା । ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୯୪ ପ୍ରତିଶତ ଭୋଟିଂ ହୋଇ ଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ । ଦିନକ ପରେ ଗଣନା ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ତିନି ଦଳ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଜୟ ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ ଓ ଘାସିରାମ ମାଝୀ ନିଜର ବିଜୟ ନେଇ ଆଶା ବାନ୍ଧିଛନ୍ତି ।

City

'ସଂସାର' ଅନୁଷ୍ଠାନର ୫୭ତମ ବାର୍ଷିକ ଉତ୍ସବ ପାଳିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ଜଳବାୟୁ ସନ୍ତୁଳନ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ । ଆନ୍ତର୍ଜାତିକ ୟୁନିସେଫ କାଉନସିଲ (ଫ୍ରାନ୍ସ)ର ଚେନାଇ ଚାପ୍ଟେର ମାଧ୍ୟମରେ “ ଗ୍ଲୋବାଲ ବେଷ୍ଟ ସୋସିଆଲ ୱାର୍କର ଆୱାର୍ଡ ୨୦୨୧* ପ୍ରାପ୍ତ ତଥା ଅଗ୍ରଣୀ ‘ସଂସାର’ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ରମେଶ ଚନ୍ଦ୍ର ସାହୁ ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ମତପ୍ରକାଶ କରିବା ସହ ଏହି ଦଶନ୍ଧି ମଧ୍ୟରେ ସାମୁହିକ ପ୍ରୟାସରେ ମହୁରୀଗଡର ରାଜାବନ୍ଧ, ରାଣୀବନ୍ଧ, ପଦ୍ମପୋଖରୀର ପୁନରୁଦ୍ଧାର, ଋଷିକୁଲ୍ୟା ଉତ୍ପତ୍ତିସ୍ଥଳ ଠାରୁ ସମୁଦ୍ର ମୁହାଣ ମଧ୍ୟବର୍ତ୍ତି ଅବବାହିକା ସୁରକ୍ଷା ତଥା ବିକାଶ ଦିଗରେ କାର୍ଯ୍ୟ ସହ ଐତିହାସିକ ପୀଠ ଓ ଐତିହ୍ୟର ସୁରକ୍ଷା ଦିଗରେ ଅଧୂକ ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହିଭଳି କାର୍ଯ୍ୟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ତଥା ବଦାନ୍ୟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ମିଳିଲେ ଏହି ଅନୁଷ୍ଠାନ ଆଞ୍ଚଳିକ ବାସିନ୍ଦାଙ୍କ ଦୈନିନ୍ଦିନ ଜୀବନଶୈଳୀରେ ଉପାର୍ଜନ ବୃଦ୍ଧି ସହ ଇକୋ ଟୁରିଜମ୍ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଭିଭିଭୂମିର ବିକାଶ ହୋଇପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଥିବା ‘ସଂସାର' ପରିବାରର ସମସ୍ତ ସ୍ୱେଚ୍ଛାସେବୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବୁଧବାର ଦିନ ବ୍ରହ୍ମପୁର ସ୍ଥିତ ପ୍ରକାଶମୂହଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସାର ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅଧ୍ଯକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ବି.ଜେ.ପି ସଭାପତି ସରୋଜ ସାବତ, ମୂଖ୍ୟବକ୍ତା ରାଜ୍ୟ ବି.ଜେ.ପି ମିଡିଆ ସେଲ ପ୍ରମୂଖ ଟି.ଗୋପି, ସମ୍ମାନିତ ଅତିଥ୍ ଓଡିଶା ନାଟ୍ୟ ସଂଘ ଉପସଭାପତି ଭବାନୀ ଶଙ୍କର ମିଶ୍ର, ସାଂସଦ ପ୍ରତିନିଧୂ ବାଳକୃଷ୍ଣ ସାମନ୍ତରାୟ, ବାଲେଶ୍ଵରର ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ରମୋହନ ପତି ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ଅନୁଷ୍ଠାନ ପକ୍ଷରୁ ପରିବେଶ ଉପରେ ଦୀର୍ଘବର୍ଷ ଧରି କରାଯାଉଥିବା ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ସଂପାଦକ ଶ୍ରୀ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ, ଯୋଗ, ହସ୍ତାକ୍ଷର, ସଂଗୀତ ପ୍ରତିଯୋଗିତା ସହ ଦୁଆନ ପଲ୍ଲୀର କଳାକାରମାନଙ୍କ ଦ୍ଵାରା ଲକ୍ଷ୍ମୀପୁରାଣ ଲୋକନାଟକ ପରିବେଷଣ, ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ସଂଗୀତ କାର୍ଯ୍ୟକ୍ରମ, କୁନି କୁନି କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଆଦି ଅନୁଷ୍ଠିତ ହୋଇଥିଲା । ଏହାପରେ ସଂସାର ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ଏବଂ ବିରଷ୍ଟ କଳାକାରମାନେ ସୁଭେଚ୍ଛା ସ‌ହ ଉପହାରମାନ ଦେଇ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ବରିଷ୍ଟ କଳାକାର ସଂଘର ମହାସଚିବ ସୁବାସଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।