Join Us To Make A Difference

The Drops💧

ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ : ପୀଡ଼ିତାଙ୍କ ବାପା

ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ : ପୀଡ଼ିତାଙ୍କ ବାପା
Published by:Jyotshna Kumari
#national

ଦ କୁଇଭର ବ୍ୟୁରୋ :- ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ପୀଡିତାଙ୍କ ବାପା । ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଲେ- ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ । ମୋ ଝିଅର ଜୀବନ ପ୍ରତି ବିପଦ ରହିଛି । ଝିଅକୁ ମାରିଦେବାକୁ ଉଦ୍ୟମ ହୋଇପାରେ ବୋଲି ବଡ଼ ବୟାନ ଦେଇ ପଶ୍ଚିମବଙ୍ଗ ସରକାର ଏବଂ ସେଠାକାର ବ୍ୟବସ୍ଥା ଉପରେ ସନ୍ଦେହ କରିଛନ୍ତି ପୀଡିତାଙ୍କ ବାପା । ତେବେ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି ପୀଡିତାଙ୍କ ବାପା । କହିଛନ୍ତି- ଦୟାକରି ଝିଅକୁ ଓଡିଶା ଯିବାକୁ ଅନୁମତି ଦିଅନ୍ତୁ । ଏଠାରେ ମୋ ଝିଅ ସୁରକ୍ଷିତ ନୁହେଁ, ଓଡିଶାରେ ସିଏ ସୁରକ୍ଷିତ ରହିବ । ଝିଅର ସ୍ବାସ୍ଥ୍ଯାବସ୍ଥା ନେଇ ବି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଝିଅ ମୋର ଚଳାବୁଲା କରିବାକୁ ଅସମର୍ଥ, ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ।ଜିଲ୍ଲାପାଳ, ଏସପି ଏବଂ ପୂରା ପୋଲିସ ବ୍ୟବସ୍ଥାକୁ ଝିଅର ସ୍ବାସ୍ଥ୍ୟାବସ୍ଥାର ଟିକନିକ ଖବର ଦେଉଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ଇତିମଧ୍ଯରେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୦ ଦିନିଆ ରିମାଣ୍ଡରେ ନିଆଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ କରିବା ସହ ତଥ୍ୟ ସଂଗ୍ରହ କରିଛି ।

Comments

Leave a Comment

Comments

No comments yet.

Crime

କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ସୋମବାର କଟକ ବନ୍ଦ ପାଇଁ ଡାକରା ଦିଆଯାଇଛି। ଆଜି ବନ୍ଦ ସପକ୍ଷରେ ବାହାରିଥିବା ଶୋଭାଯାତ୍ରାକୁ ନେଇ ପୁଣି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଏକାଧିକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଦରଘାବଜାର ନିକଟରେ ଥିବା ମାର୍କେଟ୍‌ କଂପ୍ଲେକ୍ସ ପରିସରରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା, ଢେଲା ମାଡ଼ ହୋଇଥିବା ବେଳେ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓଙ୍କୁ ପୁଣି ଆକ୍ରମଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ଼ କରିବା ସହିତ ଟିୟର ଗ୍ୟାସ୍‌ ପ୍ରୟୋଗ କରିଛି। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହାକୁ ନେଇ ସହରରେ ଉତ୍ତେଜନା ବଢ଼ିବାରୁ ଆସନ୍ତା ୩୬ ଘଣ୍ଟା ପାଇଁ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଆଜିର ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ସମେତ ୨୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ଆଜି ଏଭଳି ପ୍ରତିଫଳନ ଦେଖିବାକୁ ମିଳିଛି। ମେଢ଼ ଶୋଭାଯାତ୍ରା ଯାଉଥିବା ସମୟରେ ଦରଘାବଜାର ନିକଟରେ ଗଣ୍ଡଗୋଳ ଘଟି ଡିସିପିଙ୍କ ସମେତ ୬ରୁ ଅଧିକ ଆହତ ହୋଇଥିଲେ। ସେହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଥିଲା। ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ ସୋମବାର କଟକ ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ବନ୍ଦକୁ ସମର୍ଥନ କରି ଆଜି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା। ସେଠାରେ ପୁଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍‌ ଜଳି ଯାଇଛି। ଏକାଧିକ କାର୍‌ ମଧ୍ୟ ଭାଙ୍ଗିଛି। ଅନ୍ୟପଟେ ଆଜି ସକାଳୁ କିଛି ବ୍ୟକ୍ତି ଶୋଭାଯାତ୍ରାରେ ଯାଇ ସହରର ସମସ୍ତ ମାଂସ ଦୋକାନକୁ ବନ୍ଦ କରି ଦେଇଥିଲେ। ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ‌ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍‌ସଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ। କଟକ ସିଏମ୍‌ସି ଓ ସିଡିଏ ଅଞ୍ଚଳରେ ଇଣ୍ଟରନେଟ୍‌ର ଏହି ଅସ୍ଥାୟୀ ବନ୍ଦ ଲାଗୁ କରାଯାଇଥିବା ସୂଚନା ମିଳିଛି। ସଂଯମତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା‌ ବିରୋ‌ଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।


କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତିଶୃଙ୍ଖଳାର ସହିତ ଆଗକୁ ବଢ଼ନ୍ତୁ। ସହରର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

National

ଏଣିକି ରୋପୱେରେ ପହଁଚିବେ ନିଜ ଗନ୍ତବ୍ୟ ସ୍ଥଳେ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରତିଦିନ ଟ୍ରାଫିକ ସମସ୍ୟା ଭୋଗୁଛନ୍ତି କି ? ଘଣ୍ଟା ଘଣ୍ଟା ସମୟ ଟ୍ରାଫିକ ପାଇଁ ବିଳମ୍ବ ହେଉଛି କି ? ତା'ହେଲେ ଏଥର ଆଉ ଚିନ୍ତା କରନ୍ତୁନି, ଏଣିକି ଆସିଯାଇଛି ନୂଆ ସଲ୍ୟୁସନ୍..


ଏଣିକି ରୋପୱେରେ ଆପଣମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିପାରିବେ l ପ୍ରତିଦିନ ପ୍ରାୟ ଏକ ଲକ୍ଷ ଯାତ୍ରୀ ଯା,ଆସ କରିପାରିବେ,ଆଉ ଏହା ସାରା ସହରରେ ସଂଯୋଗୀକରଣକୁ ବୃଦ୍ଧି କରିବ ବୋଲି ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର l ହେଲେ ଏହା ପ୍ରାରମ୍ଭିକ ଭାବେ ଉତ୍ତରପ୍ରଦେଶର ବାରଣାସୀରୁ ଆରମ୍ଭ ହୋଇଛି l ପ୍ରାୟ ୮୧୫ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହେବ,ପାଖାପାଖି କିଲୋମିଟର କରିଡରରେ ପାଞ୍ଚଟି ଷ୍ଟେସନ ଏବଂ ୧୪୮ ଗୋଣ୍ଡୋଲା ରହିବ l ରୋପ୍ୱେଟି ନ୍ୟାସନାଲ୍ ହାଇୱେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଲିମିଟେଡ୍ ଦ୍ୱାରା ବିକଶିତ ହେଉଛି, ଏହି ରୋପୱେ ପ୍ରକଳ୍ପ ବାରାଣସୀର ସହରାଞ୍ଚଳ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି l ପୂର୍ବରୁ, ୨୦୨୩-୨୪ ପାଇଁ ଉତ୍ତର ପ୍ରଦେଶ ବଜେଟର ରାଜ୍ୟରେ ରେଳ ଏବଂ ରୋପ୍ୱେ ସଂଯୋଗୀକରଣ ବୃଦ୍ଧି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା l ବାରାଣସୀରେ ସାର୍ବଜନୀନ ପରିବହନ ପାଇଁ ଭାରତର ପ୍ରଥମ ରୋପୱେ ପ୍ରକଳ୍ପକୁ ବିଶେଷ ପ୍ରାଥମିକତା ଦିଆଯାଇଥିଲା,ଏବେ ଏହାର ଟ୍ରାଏଲ ରନ୍ ଚାଲିଛି l

State

କୁଆଡେ ଗଲା ଶଙ୍କର ପୃଷ୍ଟି

Blog Thumbnail

ଦ କୁଇଭର ବ୍ୟୁରୋ :- ପୋଲିସ ଚାକିରି ବିକ୍ରି ଘଟଣାରେ ୧୧୪ ଆଶାୟୀଙ୍କୁ ବାନ୍ଧି ବାହାବା ନେଉଛନ୍ତି ପୋଲିସ ଓ କ୍ରାଇମବ୍ରାଞ୍ଚ । ତଦନ୍ତ କେବଳ ସିଲିକନ, ପଞ୍ଚସଫ୍ ଲିମିଟେଡ ଭିତରେ ଅଟକି ଯାଇଛି । ଧରାପଡ଼ିଛନ୍ତି ମାତ୍ର ୫ ଜଣ ଦଲାଲ । ଗୁଜରାଟର ITI ଲିମିଟେଡ ବେଆଇନ ଭାବେ ସବଲେଟିଂ କଲା । ସବୁ ଜାଣିଥିଲା ଓପିଆରବି । ହେଲେ ଏପର୍ଯ୍ୟନ୍ତ ନା ଆଇଟିଆଇ ଲିମିଟେଡର କୌଣସି ଅଧିକାରୀଙ୍କୁ ପଚାରିଲାଣି ନା ଓପିଆରବିର ମୁଖିଆ ଓ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଗଲାଣି । ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସିବିଆଇ ତଦନ୍ତ ନେଇ ବିରୋଧୀ ଦାବି କରି ଆସୁଛନ୍ତି । ସେପଟେ ସିବିଆଇ ତଦନ୍ତ ନେଇ ଆଦେଶ ଦେବାକୁ ହାଇକୋର୍ଟରେ ଦାଏର ହୋଇଛି ଜନସ୍ଵାର୍ଥ ମାମଲା । ତଥାପି ନିଘୋଡ଼ ନିଦରେ ସରକାର ।


୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କ ଏବେ ସୁଦ୍ଧା ଟେର ପାଉନି। ସେପଟେ ସହଯୋଗୀ ମୁନା ମହାନ୍ତି ବି ଫେରାର। କ୍ରାଇମବ୍ରାଞ୍ଚ କେବଳ ଗୋଟିଏ ଦୁଇଟି ପ୍ରେସ ବିଜ୍ଞପ୍ତି ଜାରି କରି କାମ ସାରିଦେଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ସିଲିକନ ଟେକ୍ ଲ୍ୟାବ ଓ ପଞ୍ଚସଫ୍ଟ ଲିମିଟେଡ ପାଖରେ ଅଟକି ଯାଇଛି । ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପାଇଁ ଗତ ଜାନୁଆରୀରୁ ହୋଇଥିଲା ଏକ ପ୍ରକାର ଷଡ଼ଯନ୍ତ୍ର । ଗୁଜୁରାଟର ଆଇଟିଆଇ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଚୁକ୍ତି କରିଥିଲା ଓପିଆରବି । ଚୁକ୍ତିପତ୍ରରେ ସବଲେଟିଂ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିଲା । କିନ୍ତୁ ଗୁଜରାଟର ଆଇଟିଆଇ ପାଖରୁ ରିଚ୍ ମାଇଣ୍ଡସ୍ ଓ ବେଆଇନ ଭାବେ ସିଲିକନ ଟେକ୍ ଲ୍ୟାବକୁ ପରିଚାଳନା ଦାୟିତ୍ଵ ଟେକି ଦେଲା । ଯାହାକୁ ନେଇ ସରକାର ଓ ଓପିଆରବି ମଧ୍ୟରେ ହୋଇଥିଲା ଆଭ୍ୟନ୍ତରୀଣ କନ୍ଦଳ । ଏଥିଲାଗି ଗତ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ହୋଇପାରି ନଥିଲା । ଗହନ କଥା ହେଉଛି ଚାକିରି ବିକ୍ରି ଷଡ଼ଯନ୍ତ୍ର ନେଇ ଆଇଟିଆଇଠାରୁ ଠିକା ପାଇଥିବା ରିଚ୍ ମାଇଣ୍ଡସ୍ ଅଂଶୀଦାରଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ଜଣେ ଅଂଶୀଦାରଙ୍କ ଅଭିଯୋଗ ଆଧାରରେ ରିଚ୍ ମାଇଣ୍ଡସକୁ ପରୀକ୍ଷା ପରିଚାଳନା ଦାୟିତ୍ଵରୁ ବାଦ ଦିଆଯାଇଥିଲା । ଘଟଣାର ତଦନ୍ତ ପାଇଁ ଓପିଆରବି ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ । କିନ୍ତୁ କମିଟି କ’ଣ ରିପୋର୍ଟ ଦେଲା ତାହା ଆଜି ଯାଏଁ ସାର୍ବଜନୀନ ହେଲାନାହିଁ । ଅନ୍ୟପଟେ ଚାକିରି ବିକ୍ରି ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ପାଇବା ପରେ ତତ୍କାଳୀନ ଓପିଆରବି ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ । ଆଇଟିଆଇ କେନ୍ଦ୍ରୀୟ ପିଏସୟୁ ହୋଇଥିବାରୁ କ୍ରାଇମବ୍ରାଞ୍ଚ କ’ଣ ତା’ର ଅଧିକାରୀଙ୍କୁ ଜେରା କରିପାରୁନି କି ?ଗତ ମାର୍ଚ୍ଚ ୮ ଓ ୯ ତାରିଖରେ ଏସଆଇ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ଆଡମିଟ୍ କାର୍ଡ ଜାରି କରାଯିବା ପୂର୍ବରୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଅଭ୍ୟାସ ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ମାର୍ଚ୍ଚ ୩ ତାରିଖରୁ ଉଭାନ ହୋଇଯାଇଥିବା ପରୀକ୍ଷାର୍ଥୀଙ୍କ ସାଙ୍ଗ ସାଥିମାନେ ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ ମଧ୍ୟ ତାକୁ ସେତେଟା ଗୁରୁତ୍ଵ ଦିଆଯାଇଥିଲା । ପ୍ରଶ୍ନପତ୍ର ଲିକ୍ କରି ଚାକିରି ବିକ୍ରି କରିବା ଯୋଜନାରେ ବହୁ ବରିଷ୍ଠ ଅଧିକାରୀ ସାମିଲ ବୋଲି ରିଚ୍ ମାଇଣ୍ଡ୍ କମ୍ପାନୀର ଜଣେ ଅଂଶୀଦାର ପ୍ରଥମେ ମୌଖିକ ଓ ପରେ ବିଧିବଦ୍ଧ ଅଭିଯୋଗ କରିବାରୁ ଯୋଜନା ପଣ୍ଡ ହୋଇଥିଲା । କମ୍ପାନୀ ସହ ଜଡ଼ିତ ଅନ୍ୟ ଜଣେ ବ୍ୟକ୍ତି ଓଡ଼ିଶାରେ ପରୀକ୍ଷା ପରିଚାଳନା କରୁଥିବା ନେଇ ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ପୋଲିସ ଅଧିକାରୀ ସାମିଲ ଥିବା ନେଇ ଅଂଶୀଦାର ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଲବ କରାଯାଇଥିଲା । ହେଲେ ସେ ଅଧିକାରୀ ଜଣକ ଉତ୍ତର ରଖିଲେ କି ନାହିଁ ଆଜି ଯାଏଁ ଜଣାପଡିନାହିଁ ।ଏସଆଇ କେଳେଙ୍କାରୀରେ ଗତ ୨୯ ସେପ୍ଟେମ୍ବରରେ ଶ୍ରୀକାକୁଲମରୁ ଧରାପଡ଼ିଥିଲେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ । କେବେ ଧରା ହେବେ ମାଷ୍ଟରମାଇଣ୍ଡ ଏବଂ କାହିଁକି ଚୁପ ପୋଲିସ ମୁଖିଆ ? ଏପର୍ଯ୍ୟନ୍ତ OPRBକୁ କ୍ରାଇମବ୍ରାଞ୍ଚ ଜେରା କରିନି । କେବେ ବଡ଼ ବଡ଼ ଅଧିକାରୀଙ୍କୁ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚିପାରିବ ନା ସବୁକିଛି ପୁଣିଥରେ ନାଲି ଫିତା ତଳେ ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଛି ।

State

କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର

Blog Thumbnail

ଦ କୁଇଭର ବ୍ୟୁରୋ :- କାର୍ତ୍ତିକ ମାସ ଆରମ୍ଭରୁ ଚିନ୍ତା ବଢାଇଲାଣି ପରିବା ଦର । କାର୍ତ୍ତିକ ମାସରେ ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା ରହିଥିବା ବେଳେ ଦର ଏବେ ଆକାଶ ଛୁଆଁ ହୋଇଛି । ଧାର୍ମିକ ମାସ କାର୍ତ୍ତିକରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି 20ରୁ 30 ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।ଯେଉଁ ପରିବା କିଛି ଦିନ ପୂର୍ବରୁ ସ୍ୱାଭାବିକ ଦରରେ ବିକ୍ରୟ ହେଉଥିଲା, ତାହା ଏବେ ବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି । ଯାହାକି ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଶହେ ଦୁଇ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ 1000ରୁ ଅଧିକ ଲାଗୁଛି । ତେବେ ସରକାର ଏହି ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।

Politics

ନୂଆପଡା ଉପନିର୍ବାଚନ; କିଏ ଜିତିବ ବାଜି

Blog Thumbnail

ଦ କୁଇଭର ବ୍ୟୁରୋ :- ବାଜିସାରିଛି ନୂଆପଡା ଉପନିର୍ବାଚନ ବିଗୁଲ । ଜନତାଙ୍କ ଆସ୍ଥାଭାଜନ ହେବାକୁ ପାଗଭିଡା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ନୂଆପଡା ଆସନ ଜିତିବା ହେବ ଅଗ୍ନିପରୀକ୍ଷା ସଦୃଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଶାସକ ବିଜେପିର ଗ୍ରହଣୀୟତାର ଉତ୍ତର ଦେବ । ସେହିପରି ବିରୋଧୀ ନବୀନଙ୍କ ଲୋକପ୍ରିୟତା ଓ ଭକ୍ତ ଦାସଙ୍କ ଗ୍ରହଣୀୟତାର ପ୍ରମାଣ ସାଜିବ ନୂଆପଡା ଦଙ୍ଗଲ । ଯାହା 3 ପ୍ରମୁଖ ଦଳ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ୱାନ ।ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିର ପାରଦ ଏବେ ଉପରମୁଁହା । ତିନି ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ଏବେ ଭୋଟରଙ୍କ ମୁଡକୁ ସାମ୍ନା କରିବେ । ନୂଆପଡା ଉପନିର୍ବାଚନ ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଫଳାଫଳ ଦଳର ଲୋକପ୍ରିୟତା ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ଏହା ଭୋଟରଙ୍କୁ ଅଧିକ ଆକର୍ଷିତ କରିପାରିବ ବୋଲି ତିନି ରାଜନୈତିକ ଦଳ ମତ ରଖିଛନ୍ତି । ବିଶେଷକରି ଲୋକପ୍ରିୟତା ଆଧାରରେ ବିଜେଡି ଏଠି ଭୋଟ ହାତେଇ ଜିତିବାକୁ ଆଗ୍ରହ ରଖିଥିବା ବେଳେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢି ଲୋକଙ୍କୁ ଅନେକ ଭେଟି ଦେଇଛି ଯାହା ନୂଆପଡା ଭୋଟରଙ୍କୁ ଆକର୍ଷିତ କରିବ ବୋଲି କୁହାଯାଇପାରେ । ଏସବୁ ଭିତରେ କଂଗ୍ରେସ ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଅଂଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦବଦବା ଥିବା ଯୋଗୁ କଂଗ୍ରେସ ଲୋକଙ୍କ ଆସ୍ଥା ଜିତିବ ବୋଲି କୁହାଯାଉଛି । ସେପଟେ ଏହି ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଶକ୍ତି ପରୀକ୍ଷାର ସମୟ ଆସିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ନୂଆପଡା ବ୍ୟାଟେଲ ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର ।


ବିଜେପି, ବିଜେଡି ଏବଂ କଂଗ୍ରେସ ଭିତରେ ନୂଆପଡା ଉପନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସୋମବାର ଏନେଇ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପରେ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଆଗକୁ କେଉଁ ଦୃଷ୍ଟିରୁ କେଉଁ ଦଳର ଗୁରୁତ୍ୱ ବଢିବ ଏବଂ ଜନମତ କାହା ସପକ୍ଷରେ ଯିବ ସେନେଇ ରାଜନୈତିକ ଦଳମାନଙ୍କ ଭିତରେ କଥା କଟାକଟି ଏବଂ ବିତର୍କ ଆରମ୍ଭ ହୋଇଯାଇଛି । ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଦଳର ଗତଥର ନୂଆପଡା ବିଜୟୀ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଲୋକଙ୍କ ଆଶୀର୍ବାଦ ପାଇ କ୍ରମଗତ ଭାବେ ଦୁଇ ଥର (2019, 2024) ଜିତିଥିଲେ । ଯେତେବେଳେ ରାଜ୍ୟର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ଅଳ୍ପକେ ବର୍ତିଥିଲା କିନ୍ତୁ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ ଢୋଲକିଆ । ତେବେ ଢୋଲକିଆଙ୍କ ମୃତ୍ୟୁ ପରେ ଏବେ କଂଗ୍ରେସର ଆଖି ଏହି ସିଟ ଉପରେ । କାରଣ ଉପନିର୍ବାଚନରେ ଫଳାଫଳ କମାଲ ହେବ ବୋଲି କହିଛି କଂଗ୍ରେସ ଦଳ । ସେପଟେ ଗତ ନିର୍ବାଚନରେ ଏଠାରେ 3ୟ ସ୍ଥାନରେ ଥିବା ବିଜେପି ଲୋକପ୍ରିୟ ସରକାର ଅଧାରରେ ଏହି ନିର୍ବାଚନ ବୈତରଣୀ ପାର ପାଇଁ ଲକ୍ଷ୍ୟ ରଖିଛି ।

State,Weather

୧୦ରେ ଆଉ ଏକ ଘୂର୍ଣ୍ଣିବଳୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ ୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଭୁବନେଶ୍ବରରେ ୪୦.୯ ମିମି ବର୍ଷା ହୋଇଛି, ଯାହା କି ରାଜ୍ୟରେ ସର୍ବାଧିକ। ଏଥିସହ ନୂଆପଡ଼ାରେ ୧୬ ମିମି ଓ ଚାନ୍ଦବାଲିରେ ୧୩.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୦ ତାରିଖରେ (ଶୁକ୍ରବାର) ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିସହ ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନ‌ା‌ ରହିଛି। ଏଥିସହ ଆସନ୍ତା ୧୧ ତାରିଖ ଯ‌ାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।