ଦ କୁଇଭର ବ୍ୟୁରୋ :- ମହାକୁମ୍ଭର ସେକ୍ଟର- ୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ପାଉଁଶ ହୋଇ ଯାଇଛି । ତେବେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ କୌଣସି ଜୀବନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପୋଲିସ ଅଧିକାରୀମାନେ ଶାନ୍ତି ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରୁଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୫ଟି ପେଣ୍ଡାଲ ତମ୍ବୁ ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଅବଗତ କରାଯାଇଥିଲା । ତେବେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ରାସ୍ତାନ ଥିବାରୁ ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ କୌଣସି ମତେ ଠିକ୍ ସମୟରେ ପହଞ୍ଚି କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲା ।
No comments yet.
State
ମୟୁରଭଞ୍ଜ( ଦ କୁଇଭର ):- ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ଠିକାଦାର ତଥା ବିଜେଡିର ବରିଷ୍ଠ ସଦସ୍ୟ ଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା।
ସୂଚନାନୁସାରେ, ସ୍ନେହାଶିଷ ଘରେ ଥିବା ସମୟରେ ଜନୈକ ଯୁବକ ଜଣଙ୍କ ଘରେ ପଶିଥିଲେ। ହଠାତ୍ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଯୁବକ ଜଣଙ୍କ ଏକ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଜଣାପଡିଛି। ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଉଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର,ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଥିବା ଏକ କେକ୍ ଦୋକାନୀ ଓ ତାଙ୍କ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦାଦାବଟି ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଇନ୍ଦିରା ନଗର ନିବାସୀ ଶଙ୍କର ସୁଦାମ ସାହୁ (୪୦)ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଗୋଟିଏ କେକ ଦୋକାନ କରିଛନ୍ତି । ଶଙ୍କରଙ୍କ ଦୋକାନ ବାରଣ୍ଡାରେ ଗୁଟଖା ଖାଇ ଛେପ ପକାଇଥିଲେ କିଛି ଯୁବକ । ଛେପ ପକାଇବାକୁ ନେଇ ଯୁବକ ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବକମାନେ ଦୋକାନରେ ଥିବା ଶଙ୍କର ଓ ତାଙ୍କ ସହଯୋଗୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ଯୁବକ ମାନେ । ଦାଦାବଟି ନ ଦେଲେ ଏଠାରେ ଦୋକାନ ପକାଇପାରିବୁ ନାହିଁ ବୋଲି ଦୋକାନୀ ଶଙ୍କରଙ୍କୁ ଧମକ ଦେଇଥିଲେ ଯୁବକମାନେ। । ସ୍ଥାନୀୟ ବାସିନ୍ଦା ଆସିବା ପରେ ସେଠାରୁ ଯୁବକମାନେ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ :- ଏପ୍ରିଲ ଆରମ୍ଭ ନହେଉଣୁ ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ପ୍ରବଳ ଖରାରେ ସନ୍ତୁଳି ହେଉଛି ସାରା ରାଜ୍ୟ l ହିଟ୍ ୱେବ୍ ନେଇ ଜାରି ହେଲା ରେଡ ଆଲର୍ଟ। ପ୍ରବଳ ହିଟ୍ ୱେବ୍ କଣ୍ଡିସନ୍ ପାଇଁ ରାଜ୍ୟରେ ଜାରି ହେଲା ରେଡ ଆଲର୍ଟ। ପ୍ରତିଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ହେଲେ ଗରମ ସାଙ୍ଗକୁ ଅଣାୟତ୍ତ କରୁଚି ହିଟ୍ ୱେବ୍ । ଦିନରେ ଝାଞ୍ଜି ପବନ ଓ ଲୁ କଲବଲ କରୁଛି। ଏମିତିକି ଦିନରେ ଘରୁ ବାହାରିବା ମୁସ୍କିଲ ହୋଇଚି। ହେଲେ ଏଥର ବଳି ଯାଇଛି ଅବଧି। ଗତ ୧୩ ତାରିଖରୁ ହିଟ୍ ୱେବ୍ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଆହୁରି ୪ ଦିନ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ତିନି ମାସ ପ୍ରବଳ ଖରା ଗରମ ସାଙ୍ଗକୁ ହିଟ୍ ଅବଧି ଅଧିକ ଦିନ ରହିବ ବୋଲି ଆଗୁଆ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହ ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଉପକୂଳର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ଦିନ ୨ଟା ସୁଦ୍ଧା ଆଜି ପାରଦ ୪୨ ଡିଗ୍ରୀ ଛୁଇଁଲା। ଦିନ ୨ଟା ୩୦ ସୁଦ୍ଧା ଆଜି ତାପମାତ୍ରା ୪୨ ଡିଗ୍ରୀ ପାର କରିଛି। ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ସିଭୀୟର ହିଟ୍ ୱେବ୍ କଣ୍ଡିସନ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣରେ ଓରେଞ୍ଜ ଓ ୟେଲୋ ଆଲର୍ଟ। ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ଜାରି ହୋଇଛି। ସଂପୂର୍ଣ୍ଣ ଉତ୍ତର ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୭ ତାରିଖରେ ରାଜ୍ୟର ୯ ଜିଲ୍ଲାକୁ ବାଦ୍ ଦେଲେ ବାକି ସମସ୍ତ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୩ ଦିନ ଯାଏଁ ନାହିଁ ନିସ୍ତାର l
State,Shree Jagannath
ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ରାତି ପାହିଲେ ରଙ୍ଗର ପର୍ବ ହୋଲି l ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।
ସେହିପରି ଭାଇଚାରାର ପର୍ବ ହେଉଛି ହୋଲି ପର୍ବ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। ରାଗ, ରୁଷା ଭୁଲି ସଭିଏଁ ଏକାଠି ହୋଇ ଏହି ପର୍ବକୁ ପାଳନ କରନ୍ତି। ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ଏବଂ ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।
International
ଦ କୁଇଭର ବ୍ୟୁରୋ :- ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସବୁ ଉଦ୍ୟମ କରାଯାଉଛି । ଏଲନ ମସ୍କଙ୍କ ସ୍ପେସ୍ ଏକ୍ସର ସ୍ପେସ୍କ୍ରାଫ୍ଟ ଫାଲକନ ରବିବାର ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ପହଞ୍ଚିସାରିଛି । ଏବେ ନାସା ପକ୍ଷରୁ ମହାକାଶଚାରୀଙ୍କ ଫେରିବା ସମୟ ନେଇ ବଡ ସୂଚନା ମିଳିଛି । ସରିବାକୁ ଯାଉଛି ୯ ମାସର ଅପେକ୍ଷା,ବୁଧବାର ପୃଥିବୀକୁ ଫେରିବେ ସୁନୀତା,ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ଭୋର ୩.୨୭ ମିନିଟ୍ରେ ଫେରିବେ,୧୯ ମାର୍ଚ୍ଚରେ ଫ୍ଲୋରିଡାରେ ଅବତରଣ କରିବେ,ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ କରିବ ନାସା,ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରକୁ ଯାଇଥିଲେ । କେବଳ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ବୈଷୟିକ ତ୍ରୁଟି ପାଇଁ ୯ମାସ ହେବ ଫସି ରହିଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି ।
ସରିବ ୯ ମାସର ଅପେକ୍ଷା,କ୍ରୁ ସ୍ପେସ୍-ଏକ୍ସ ଓ ନାସା ମିଳିତ ଉଦ୍ୟମକୁ ସଫଳତା ମିଳିଛି,ଶୁକ୍ରବାର କ୍ରୁ-୧୦ ମିଶନ ଲଞ୍ଚ୍ କରାଯାଇଥିଲା,ନାସା ଓ ସ୍ପେସ୍-ଏକ୍ସର ମିଶନକୁ କ୍ରିୟୁ-୧୦ ନାଁ ଦିଆଯାଇଛି,୪ ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି, ନାସାର ଆନ ମ୍ୟାକକ୍ଲେନ୍, ନିକୋଲ ଆୟର୍ସ, ଟାକୁୟା ଓନିଶି, କିରିଲ ପେସକୋଭ ପହଞ୍ଚିଛନ୍ତି l ତେବେ ସୁନୀତା ଫେରିବା ନେଇ ସମୟ ଓ ଦିନ ସ୍ଥିର ହେବା ପରେ ଏନେଇ ମହକାଶଚାରୀଙ୍କ ସମେତ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ମହାକାଶଚାରୀ ପହଁଚନ୍ତୁ ବୋଲି ସବୁଠି ପ୍ରାର୍ଥନା କରାଯାଉଛି । ତେବେ ଏହି ଲମ୍ବା ପ୍ରକ୍ରିୟାକୁ ସଫଳ କରିବା ବେଶ କାଠିକର ପାଠ । ଛୋଟିଆ ଭୁଲ ମିଶନକୁ କ୍ଷଣିକରେ ବିଫଳ କରିପାରେ । ତେଣୁ ଟିକିନିକ ସବୁ ଦିଗରେ ନଜର ରଖାଯାଇ କିଭଳି ମହାକାଶଚାରୀଙ୍କ ଫେରାଇ ଅଣାଯିବ ସେ ଦିଗରେ ଧ୍ୟାନ ଦିଆଯାଉଛି । ସୂଚନା ଅନୁସାରେ ମହାକାଶଚାରୀ ଫେରିବା ପରେ ଡାକ୍ତରୀ ଯାଞ୍ଚ କରାଯିବ ଓ କିଛି ଦିନ ସେମାନଙ୍କୁ ଆଇସୋଲେସନ ରଖାଯିବ । ପରେ ସ୍ୱାଭାବିକ ହେବ ମହାକାଚାରୀଙ୍କ ଜୀବନଯାପନ । ଅନ୍ୟପଟେ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ୯ମାସ ଫଶି ରହିବା ଯୋଗୁଁ ସେମାନେ ମାନସିକ ଓ ଶାରୀରିକ ସମସ୍ୟା ଦେଇ ଗତି କରିବା ଆଶଙ୍କା ମଧ୍ୟ ରହିଛି ।
National,State
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ବୁରା ନା ମାନୋ ହୋଲି ହେ ବା ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।
ତେବେ ଏହି ହୋଲି ପର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି l ମଦ୍ୟ ପାନ କରି ହୋଲି ନ ଖେଳିବା, ଅଯଥା ରାସ୍ତାରେ ଭିଡ଼ ନଜମେଇବା, ମଦ୍ୟ ପାନ କରି ନଦୀ, ସମୁଦ୍ର କିମ୍ବା ପୁଲ କୁ ଗାଧୋଇବାକୁ ନ ଯିବା, କେମିକାଲ ବିକ୍ରି ସହ ବ୍ୟବହାର ନ କରିବା ଆଦି ନିୟମ କଡାକଡି ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l
State
ଦ କୁଇଭର ବ୍ୟୁରୋ :- ରାସନକାର୍ଡକୁ ନେଇ ଆସିଲା ବଡ଼ ଅପଡେଟ,ରାଜ୍ୟରେ ହେବ ପୋଷଣ କେନ୍ଦ୍ର । ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର ।ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର । ଏହି କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର । ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ । ଏଥିପାଇଁ ଆଲୋଚନା ଚାଲିଛି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବେ । ଅନୁଧ୍ୟାନ କରି ଆସିବେ । ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି । କୌଣସି ଚୁଡ଼ାନ୍ତ ଘୋଷଣା ହୋଇନାହିଁ ।""ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ Ekyc କରିନାହାଁନ୍ତି । ଆସନ୍ତା ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ Ekyc କରିନାହାଁନ୍ତି । ଏହା ପରେ କାହିଁକି ହିତାଧିକାରୀ Ekyc କରି ନାହାନ୍ତି । ସେଥିପାଇଁ ଫିଲଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟା ଯିବନି ନାହିଁ । "ଆଗରୁ ୬ ଲକ୍ଷ ୩୫ ହଜାର ଲୋକ ରାସନ କାର୍ଡ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l
State
ଗଞ୍ଜାମ,ତାରାତାରିଣୀ( ଦ କୁଇଭର ):- ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହୋଉଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ଚାରୋଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା l ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ୟାରିକେଡ ଭଳି ବ୍ୟବସ୍ଥା କରାଯାଇଛି। ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି ଶୁଭଖୁଣ୍ଟି ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀଙ୍କ ତ୍ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ୪ଟି ମଙ୍ଗଳବାର ପାଳି ପଡୁଥିବାରୁ ଯେପରି ମା’ଙ୍କ ଯାତ୍ରା ସୂଚାରୁ ରୂପେ ହେବ, ମା’ଙ୍କ ନୀତିକାନ୍ତି ଠିକ୍ ସମୟରେ ହେବ,ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ, ସମସ୍ତ ଭକ୍ତ ଯେପରି ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ୟ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ସେଥିନେଇ ସମସ୍ତ ସେବାୟତ ନିଷ୍ଠାପର ଓ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିଛନ୍ତି l ଏହାସହ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାଦାଉରୁ କିପରି ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେଥିନେଇ ନରସିଂହପୁର ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଛାଇର ବ୍ୟବସ୍ଥା କରିବା, ଶିଶୁଙ୍କ ମୁଣ୍ଡନଲାଗି ୪ଟି ମୁଣ୍ଡନ ଶାଳା ନିର୍ମାଣ, ଭକ୍ତଙ୍କ ଖାଇବା ଲାଗି ପ୍ରସାଦ ଯୋଗାଇଦେବା, ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନାକୁ ବାହାରେ ଥିବା ଭକ୍ତମାନେ କିପରି ଦେଖିପାରିବେ ସେଥି ଲାଗି ୫ଟି ଏଲ୍ସିଡି ବିଭିନ୍ନ ସ୍ଥାନରେ ଲଗାଇବା ଆଦି କାର୍ଯ୍ୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ।
National,State
ପୁରୀ( ଦ କୁଇଭର ):- ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି ଶେଷକୃତ୍ୟ,ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନେତାଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ସାମିଲ ହୋଇଥିଲେ । ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପଂହଚିଥିଲେ । ଏହାପରେ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ରଖାଯାଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ଅଣାଯାଇଥିଲା । ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି ଶେଷକୃତ୍ୟ,
ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ତେବେ ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା ।ତାଙ୍କ ପରଲୋକ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଜନନେତା ଭାବେ ଦିବଙ୍ଗତ ଦେବେନ୍ଦ୍ର ପ୍ରଧାନ ଚିରକାଳ ପାଇଁ ମନେ ରହିବେ ।
Politics
ଦ କୁଇଭର ବ୍ୟୁରୋ :- ବିବାହ କରିଲେ ଜାତିରୁ ବାସନ୍ଦ ହେଲେ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ପଡିଛି ମହଙ୍ଗା । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି କଲା ସମାଜିକ ବାସନ୍ଦ । ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ନିଜ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ।
ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୧୨ ତାରିଖ ଗୋଆରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଥିଲା । ଏହି ବିବାହ କରି ପ୍ରଦୀବ ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ କରାଇଥିଲେ। ଏହାକୁ ଆଦିବାସୀ ସମାଜ ପକ୍ଷରୁ ନାପସନ୍ଦ କରାଯାଇଥିଲା। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ପ୍ରଦୀପ ଙ୍କ ଏହି ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏଁ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି । ଏନେଇ ସମାଜର ସଭାପତି ଟିକାଚାନ୍ଦ କହିଛନ୍ତି, "ଯେହେତୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଣ ଆଦିବାସୀ ମହିଳାଙ୍କୁ ବିବାହ କରିଛନ୍ତି । ଆମେ ତାଙ୍କୁ ସମାଜରୁ ବାସନ୍ଦ କରିଛୁ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ୧୨ ବର୍ଷ ପାଇଁ ସେ ଓ ତାଙ୍କ ପରିବାର ଆମ ସମାଜରେ ରହିବେ ନାହିଁ ।"
ତେବେ ପ୍ରଦୀପଙ୍କ ଭାଇ ପ୍ରସନ୍ନ ମାଝୀ କହିଛନ୍ତି, "ଆମକୁ ବାସନ୍ଦ କରାଯାଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ସମାଜ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯଦି ଆବଶ୍ୟକ ପଡ଼ିଲେ ସମାଜର ଦଣ୍ଡାଦେଶକୁ ମାନିବୁ ଏବଂ ସମାଜର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବ l
Shree Jagannath
ପୁରୀ( ଦ କୁଇଭର ):- ଖୁବଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।
ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
State
ମୋହନା( ଦ କୁଇଭର ):- - ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିର ଶିକାର ହେଲେ ଶିକାରୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ l ଶିକାର କରିବାକୁ ଯାଇ ନିଜ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି l ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ l ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପକୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ l ତେବେ ଗତକାଲି ରାତି ପ୍ରାୟ 8 ଟାରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା l ଗାଁ ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ହରିଶ୍ଚନ୍ଦ୍ର ଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କ ଅନ୍ତ ବୁଜୁଳା ବାହାରି ପଡିଛି l ଦୁଇ ହାତ ମଧ୍ୟ ଗୁଳି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି l ଘଟଣା ସ୍ଥଳରେ ତାଙ୍କ ସ୍ତ୍ତୀ ପହଞ୍ଚିବା ସହ ତାଙ୍କ ଘରେ କୌଣସି ବନ୍ଧୁକ ନଥିଲା l ତେବେ ସେ କେଉଁଠୁ ବନ୍ଧୁକ ଆଣିଲା ତାହା ସେ ଜାଣିନଥିବା କହିଛନ୍ତି l ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି l
National
ଦ କୁଇଭର ବ୍ୟୁରୋ :- ଆସନ୍ତା ମାର୍ଚ୍ଚ ୨୧ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ବିଧାୟକ, ନେତା କର୍ମୀ ଯୋଗ ଦେଇଥିଲେ l ଅମିତ ଶାହାଙ୍କ ଗସ୍ତ କିପରି ଭବ୍ୟ ଓ ସଫଳ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି l ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରେ ବିମାନ ଜରିଆରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସ ଆସି ରାତ୍ରି ଯାପନ କରିବେ l ତା' ପରଦିନ ଅର୍ଥାତ ୨୨ ତାରିଖ ସକାଳୁ ସମଲେଶ୍ୱରୀ ଦର୍ଶନ କରିବେ l ଏହା ପରେ ସେ ଅଇଁଠାପାଲ୍ଲି ପିଏଚଡ଼ି ପଡିଆରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ l ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସାଢେ ୧୦ ରୁ ସାଢେ ୧୧ ଯାଏଁ ଯୋଗ ଦେବେ l ଏହି କାର୍ଯ୍ୟକ୍ରମ ସରିଲା ପରେ ସେ ବୁର୍ଲା ଏମସିଏଲ ଗେଷ୍ଟ ହାଉସ ଯିବେ ଓ ସେଠାରେ ମଧ୍ୟାହ୍ନ ଭୋଜନ କରି ସରିଲା ପରେ ଅପରାହ୍ନ ୨ ଟାରେ ଭୁବନେଶ୍ୱର ଯିବେ । ଭୁବନେଶ୍ୱରରୁ ସେ ପୁରୀ ଯିବେ ସେଠାରେ ହିଁ ରାତ୍ରି ରହଣି କରିବେ l ତା' ପରଦିନ ସକାଳେ ପୁରୀରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ପରେ ଜଟଣୀରେ ଫରେନସିକ ୟୁନିଭରସିଟିର ଶିଳାନ୍ୟାସ କରିବେ । ଯାହା ଗୁଜୁରାଟ ପରେ ଦେଶର ଦ୍ଵିତୀୟ ୟୁନିଭରସିଟି ଅଟେ l ଏହା ପରେ ଅନ୍ୟ ସବୁ ପ୍ରକଳ୍ପର ଶିଳାନ୍ୟାସ କରିଲା ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ" ବୋଲି କହିଛନ୍ତି ମନମୋହନ ।
State
ବ୍ରହ୍ମପୁର( ଦ କୁଇଭର ):- ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟ ଗୋପାଳପୁର ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥ ବିଲୁ ଢ଼ାବା ନିକଟରେ ଘଟିଛି ଏକ ଦୁର୍ଘଟଣା ! ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ପ୍ରକାରେ, ଏକ ପିକଅପ ଭେନ ଟି ସ୍କୁଟି କୁ ଧକ୍କା ଦେଇଥିଲା ଯାହା ଫଳରେ ରାସ୍ତାରେ ଯାଉଥିବା ଦୁଇଟି ଯାକ ସ୍କୁଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାସ୍ତା ଉପରେ ଛିନ୍ନ ଛତ୍ର ହୋଇ ପଡିରହିଥିଲା ! ପିକଅପ ଭେନଟି ରାସ୍ତାକଡ଼ରେ ଥିବା ଖାଲ ସ୍ଥାନକୁ ଗଳିପଡିଲା ! ଏଥିରୁ ଜଣା ପଡୁଛି ଯେ ଦୁର୍ଘଟଣାଟି କେତେ ଭୟଙ୍କର ହୋଇଛି l ତେବେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ! ବର୍ତ୍ତମାନ ସୁଦ୍ଧା ମୃତକ ଏବଂ ଗୁରୁତରଙ୍କ ସୂଚନା ମିଳିପାରିନାହିଁ ! ଗୋପାଳପୁର ଥାନା ପୁଲିସର ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳୁଛି !
State
ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
National
ଦକୁଇଭର ବ୍ୟୁରୋ :- ଶନିବାର ହୋଲି ଉତ୍ସବ ପାଳନ ପରେ ମୁଖ୍ୟମନ୍ତ୍ରୀ ମହୋନ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସେ ସେଠାରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କ'ଣ ତାହା ସରକାରୀ ଭାବେ କିଛି କୁହାଯାଇ ନାହିଁ।
ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର କୌଣସି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ।ତେବେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନକୁ ବିରୋଧ ବୈଠକରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଓଡିଶାର ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତର କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ଏନେଇ ସନ୍ଦେହ ପ୍ରକଟ ହୋଇଛି।
National
ଦ କୁଇଭର ବ୍ୟୁରୋ :- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ। ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ଡ.ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସଭାପତି ଭାବେ ମଧ୍ୟ ନିଜର କାର୍ଯ୍ୟ ତୁଲାଇଥିଲେ ଡ ଡେବେନ୍ଦ୍ର ପ୍ରଧାନ।
State
ଗଜପତି( ଦ କୁଇଭର ):- ଜି ଉଦୟଗିରି ବନାଞ୍ଚଳରେ ଜି ଉଦୟଗିରି, କଳିଙ୍ଗା ଓ ପାବୁରିଆ ଅଞ୍ଚଳରେ ଗତ ଚାରିଦିନ ଜଙ୍ଗଲରେ ନିଆଁ ଲାଗି ଅଣଆୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବନ ବିଭାଗର ନିଦ ହଜିଯାଇଛ। ପରିସ୍ଥିଡି ଏଫ୍ ଓ ପ୍ରଶାନ୍ତ କୁମାର ପଟେଲ ଓ ସହକାରୀ ବନ ସଂରକ୍ଷକ ସ୍ପେତଲିନା ସାହୁ ଏହାର ସମୀକ୍ଷା କରିଛନ୍ତି । ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସହ ନିଆଁ କୁ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବନ ଅଧିକାରୀମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସମାଜର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଛି । ପପୁନ ସାବତ (୩୨)ଓରଫ ଚନ୍ଦନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ପପୁନକୁ ଗିରଫ କରିଛି । ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥାହେଉଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଭିଯୁକ୍ତ ପପୁନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ତେବେ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା କି ନାହିଁ ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।