କଟକ( ଦ କୁଇଭର ):- ବାରବାଟୀରେ କ୍ରିକେଟ କ୍ରେଜ୍ । ଅଧଘଣ୍ଟାରେ ଅଧା ଟିକେଟ ବିକ୍ରି lବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଚାଲିଛି ଟିକେଟ୍ ବିକ୍ରି । ୪ଟାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଏହି ଦୁଇଟି ଗ୍ୟାଲେରିର ଟିକେଟ ବିକ୍ରି ହୋଇ ସାରିଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି । ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।
No comments yet.
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲାର ୩ ଟି ବନଖଣ୍ଡରେ ଏକକାଳୀନ ହୋଇଛି, କୃଷ୍ଣସାର ମୃଗ ଗଣନା କାର୍ଯ୍ୟ । ସେହି କ୍ରମରେ ଗଂଜାମ ର ଗୈାରବ କୁହାଯାଉଥିବା, ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୪-୨୫ ବର୍ଷ ନିମନ୍ତେ ଶେଷ ହୋଇଛି । ୨୦୧୫ ମସିହା ପର ଠାରୁ, ଏହି ବନଖଣ୍ଡରେ ଦେଖା ଦେଇଥିବା ଏହି ବନ୍ୟପ୍ରାଣୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସେହି ଅନୁସାରେ ଗତ ମୃଗ ଗଣନା ଅନୁଯାୟୀ ଏହି ବନଖଣ୍ଡରେ ୩୫୦ ରୁ ଉର୍ଦ୍ଧ୍ବ କୃଷ୍ଣସାର ମୃଗ ରହିଥିବା ଜଣା ପଡିଥିଲା । ଚଳିତବର୍ଷ ଗଣନା ତଥ୍ୟ ପ୍ରକାଶ ପାଇନଥିବା ବେଳେ, ତଥାପି ଚଳିତବର୍ଷ ଏମାନଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଛି, ବନବିଭାଗ । ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ, ଏମାନଙ୍କ ସଂଖ୍ୟା । ଏହି ବନଖଣ୍ଡର ୧୮ ଟି ଟିମ୍ ଜରିଆରେ ଗଣନା ହୋଇଥିବା ବେଳେ, ୧୦୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ ନନ୍ଦନକାନନରୁ ଆସିଥିବା zoo volunteer ମାନେ ସାମିଲ୍ ହୋଇଥିଲେ ।
State
ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
National
ପ୍ରୟାଗରାଜ( ଦ କୁଇଭର ):- ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଇଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର l ସେପଟେ ମହାକୁମ୍ଭରେ ଦଳାଚକଟା ପରେ ସତର୍କ ହୋଇଛନ୍ତି ଯୋଗୀ ସରକାର l ଏଥର ଭିଡ ନିୟନ୍ତ୍ରଣ ପାଇଁ ଅପରେସନ ଇଲେଭେନ ନାଁରେ ସ୍ୱତନ୍ତ୍ର ଯୋଜନା କରିଛନ୍ତି l ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ-ୱେ ରୁଟ ପ୍ରସ୍ତୁତ କରାଯାଇଛି। ଯେପରି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାରେ ମହାସ୍ନାନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି ଓ ବ୍ୟରିକେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ବସନ୍ତ ପଞ୍ଚମୀ ମହାସ୍ନାନ ପୂର୍ବରୁ କେବଳ ରବିବାର ୧ କୋଟି ୨୯ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ l ସେହିପରି ରବିବାର ସୁଦ୍ଧା ୩୫କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାନ୍ୟତା ଅନୁସାରେ ମହାକୁମ୍ଭ ବସନ୍ତ ପଞ୍ଚମୀର ଅମୃତସ୍ନାନ ୧୪୪ ବର୍ଷ ପରେ ପଡିଛି ଏହି ସଂଯୋଗ । ମହାକୁମ୍ଭ ଅମୃତସ୍ନାନରେ ବୁଡ଼ ପକାଇଲେ ମତା ସରସ୍ୱତୀଙ୍କ ବରଦାନ ପାଇବା ସହ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
National
ଦ କୁଇଭର ବ୍ୟୁରୋ :- ତ୍ରିବେଣୀ ସଂଗମରେ ଗତକାଲି ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି। ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ।ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
State
ଦ କୁଇଭର ବ୍ୟୁରୋ :- 'ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଫେବ୍ରୁଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍ କରିପାରିବେ । ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
Shree Jagannath
ପୁରୀ ( ଦ କୁଇଭର ):- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।
National,State
ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।
ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।
Politics,State
ଦ କୁଇଭର ବ୍ୟୁରୋ :- ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି l ଗତ ନିର୍ବାଚନରେ ବିଜେଡି ହାରିଥିବା ଆସନ ମଧ୍ୟରୁ ୨୭ଟି ଆସନ ବିଷୟରେ ଚିନ୍ତା କରୁଛି ଦଳ । ଏହି ୨୭ଟି ଆସନରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଗତ ନିର୍ବାଚନରେ ଜିତିଥିବା ନେତା । ଅନ୍ୟମାନେ ନିର୍ବାଚନରେ ଜିତି ପାରିନଥିଲେ । ଗତ ନିର୍ବାଚନରେ ବିଜେଡି ୯୬ଟି ଆସନରେ ପରାଜିତ ହୋଇଥିଲେ ମଧ୍ୟ ୨୭ଟି ଆସନରେ ଦଳକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନେଇଛି ।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତେଲକୋଇ, ପାଟଣା, ଚମ୍ପୁଆ, ପାରାଦୀପ ଓ ହିନ୍ଦୋଳ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ବିଜୟ କୁମାର ନାୟକ ସହାୟତା କରିବେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକ - ବାରବାଟୀ, କଟକ – ସଦର ଓ ନିଆଳି କଥା ବୁଝିବେ । ନିମାପଡ଼ା, ପିପିଲି ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର କାର୍ଯ୍ୟକ୍ରମକୁ ଆଗେଇ ନେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ଆସନ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବେ । ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ବଣେଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭଟଲିରେ ସଂଗଠନକୁ ସକ୍ରିୟ କରିବେ । ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବୁଝିବାକୁ କୁହାଯାଇଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
Politics
କେନ୍ଦ୍ରାପଡ଼ା(ଦ କୁଇଭର): କ୍ଷମତା ହାତରୁ ଖସି ଖସି ଯାଉଛି । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ବିଜେଡି ପାଖରୁ ଦୂରେଇବାରେ ଲାଗିଛି । ପଞ୍ଚାୟତ ହାତରୁ ଗଲେ ବିଜେଡିର ଘପଲତି ଧରାପଡ଼ିଯିବ । ତୃଣମୂଳ ସ୍ତରରେ ଯୋଡ଼ି ହୋଇ ରହିବା ବି କଷ୍ଟକର ହେବ । ତେଣୁ ବିଜେଡିର ଅନେକ ନେତା ବିକିଳିଆ ହୋଇ ପଡ଼ିଛନ୍ତି । ଏମିତି ସ୍ଥିତି ହେଲାଣି ଯେ, କ୍ଷମତା ଜାବୁଡ଼ି ଧରିବାକୁ ବିଷ ପିଆ ପିଇ ପର୍ଯ୍ୟନ୍ତ କଥା ଗଲାଣି । ଏମିତି ଘଟଣା ଘଟିଛି ରାଜନଗର ନିର୍ବାଚନ ମଣ୍ଡଳୀର ବାଲିସାହି ପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କୁ ଅନାସ୍ଥାରୁ ବଞ୍ଚାଇବା ପାଇଁ ଜଣେ ୱାର୍ଡ ମେମ୍ବରଙ୍କ ପୁଅ ହାତରେ ବିଷ ବୋତଲ ଧରାଇ ଦିଆଗଲା । ସେ ବିଷ ପିଇ ଏବେ ଡାକ୍ତରଖାନାରେ । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଏପରି କାଣ୍ଡ କରିଥିବା କୁହାଯାଉଛି । ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ପୋଲିସ ଉପରେ ଦୋଷ ଲଦି ଦେଇ ବିଜେଡି ସମର୍ଥକମାନେ ଖସିଯିବାକୁ ଯୋଜନା କରିଛନ୍ତି । ଫଳରେ ସ୍ଥିତି ଗୋଳମାଳିଆ ହେବାରେ ଲାଗିଛି ।
ଏବେ ଆସିବା ପ୍ରସଙ୍ଗକୁ । ବାଲିସାହି ପାଟଣା ସରପଞ୍ଚ ବିଜେଡି ସମର୍ଥିତ ଥିଲେ । ସେ କାଳେ ବ୍ୟାପକ ଦୁର୍ନୀତି କରିଥିଲେ । ତାଙ୍କ ବିରୋଧରେ ୮ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତାଙ୍କ ଉପରେ ଆସ୍ଥା ନଥିବା ଦର୍ଶାଇଥିଲେ । ହେଲେ ସରପଞ୍ଚ ବାବୁ ବିଧାୟିକ ଧ୍ରୁବ ଚରଣ ସାହୁଙ୍କ ବାହୁଛାୟା ତଳେ ରହି ଦୁର୍ନୀତି କରି ଚାଲିଥିଲେ । ଅନାସ୍ଥା ସପକ୍ଷରେ ଭୋଟ ନଦେବାକୁ ୱାର୍ଡ ସଦସ୍ୟ ମାନଙ୍କୁ ଧମକ ଚମକ ଦିଆଯାଉଥିଲା । କାଳେ ବିଧାୟକଙ୍କ ସମର୍ଥକମାନେ ଚାପ ପକାଇବେ, ତେଣୁ ସମସ୍ତ ୱାର୍ଡ ସଦସ୍ୟ ଅଞ୍ଚଳ ଛାଡ଼ି ବାହାରେ ରହୁଥିଲେ । ଇତିମଧ୍ୟରେ ୧୧ ନଂ ୱାର୍ଡ ସଦସ୍ୟ ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ସେ ନିଖୋଜ ଥିବା ମାମଲା ରୁଜୁ କରିଥିଲେ । ଆଜି ରବିନ୍ଦ୍ର ଅନାସ୍ଥା ଉପରେ ଭୋଟ ଦେବାକୁ ପଞ୍ଚାୟତ ଅଫିସ ଯିବା ବେଳେ ପୋଲିସ ତାଙ୍କୁ ଠାବ କରିଥିଲା । ପୂର୍ବ ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ ଗାଡ଼ିରେ ବସାଇ ଅନାସ୍ଥା ଭୋଟ ଦେବାକୁ ନେଇଥିଲା । ମାତ୍ର ତାକୁ ବିରୋଧ କରିଥିଲେ ତାଙ୍କ ପୁଅ । ପ୍ରଥମେ ସେମାନେ ତାଙ୍କ ବାପାଙ୍କୁ ଘରକୁ ନେବେ ବୋଲି ଜିତ କରି ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ ପୋଲିସଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ନିୟମ ଅନୁଯାୟୀ ପ୍ରଥମେ ଅନାସ୍ଥା ଓ ପରେ ଅନ୍ୟ କାମ ବୋଲି ଦର୍ଶାଇଥିଲା ପୋଲିସ ।
ଏଥିରେ ଏକମତ ହେଲେ ନାହିଁ ତାଙ୍କ ପୁଅ । ପୋଲିସ ଗାଡ଼ିରୁ ଦୌଡ଼ି ଯାଇ ବିଜେଡି ସମର୍ଥକମାନଙ୍କ ମଧ୍ୟରେ ପଶିଗଲେ । ଖାଲି ହାତରେ ଯାଇଥିବା ରବିନ୍ଦ୍ରଙ୍କ ପୁଅ ବିଜେଡି ତଥା ବିଧାୟକ ଧ୍ରୁବଙ୍କ ସମର୍ଥକ ମାନଙ୍କ ପାଖରୁ ଫେରିବା ବେଳେ ହାତରେ ବିଷ ବୋତଲ ଧରିଥିଲେ । ପୋଲିସକୁ ଧମକାଇବା ଓ ଅନାସ୍ଥା ଭୋଟ ରୋକିବାକୁ ଚେତାବନୀ ଦେଇ ଶେଷରେ ସେହି ବିଷକୁ ପିଇଥିଲେ । ତତ୍କାଳ ପୋଲିସ ତାଙ୍କୁ ହସ୍ପିଟାଲକୁ ନେଇଥିଲା । ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ପୁଅ ବିଷ ଖାଇଥିବା ନେଇ ବିଜେଡି ସମର୍ଥକମାନେ ପୋଲିସକୁ ଦାୟୀ କରିଥିଲେ । ଇତିମଧ୍ୟରେ ଅନାସ୍ଥା ଭୋଟ ସରିଥିଲା । ସରପଞ୍ଚଙ୍କ ଅନାସ୍ଥା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା । ଭୋଟ ପରେ ରବିନ୍ଦ୍ର ସିଧା ସଳଖ କହିଥିଲେ, ତାଙ୍କ ପୁଅକୁ ବିଷ ନିର୍ଦ୍ଧିଷ୍ଟ ଗୋଷ୍ଠି ପିଇବାକୁ ବାଧ୍ୟ କରିଛନ୍ତି । ଏହା ବିରୋଧରେ ସେ ଆବଶ୍ୟକ ଫୋରମକୁ ଯିବେ ।
ଏହାପରେ ରବିନ୍ଦ୍ରଙ୍କୁ ପୋଲିସ ଥାନାକୁ ନେଇ ମାମଲା ଉପରେ ତାଙ୍କ ବୟାନ ରେକର୍ଡ କରି ଛାଡ଼ିଥିଲା । ତେବେ ଅନାସ୍ଥା ପାଇଁ ଜଣେ ୱାର୍ଡ ସଦସ୍ୟଙ୍କ ପୁଅକୁ ବିଷ ଦେବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କ୍ଷମତା ଭୋକରେ ବିଜେଡି ଏତେ ବିପର୍ଯ୍ୟସ୍ତ ଦିଗକୁ ଚାଲିଯିବ ସେନେଇ ଏବେ ଟୁପୁରୁ ଟାପର ହେଲେଣି । ଦେଖାଯାଉ ବିଜେଡି ସୁପ୍ରିମୋ ଏହାକୁ ବିରୋଧ କରୁଛନ୍ତି ନା କ୍ଷମତା ପାଇଁ ସେ ବି ଅନ୍ଧ ହୋଇଯାଉଛନ୍ତି?
State,Politics
ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l
National
ଦ କୁଇଭର ବ୍ୟୁରୋ :- ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍ରେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କ୍ୟାପିଟାଲ ଗେନ୍ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ । ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।
ସେହିପରି ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବା ବେଳେ,ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଳାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ ।
ସେହିପରି ମେଡିକାଲ ଉପକରଣମୋବାଇଲ, କାର୍ ବ୍ୟାଟେରୀ ଇଲେକ୍ଟ୍ରିକ ଗାଡ଼ି ଏଲଇଡି ଟିଭି ଲିଥିୟମ ଆୟନ ବ୍ୟାଟେରୀ କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍ ବୈଦ୍ୟୁତିକ ଉପକରଣ କ୍ୟାନ୍ସର ଶସ୍ତା୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ lଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ । ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ନେଇ ଘୋଷଣା କଲେ ନିର୍ମଳା । ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ।ମେଡ଼ିକାଲ ପାଠ୍ୟକ୍ରମକୁ ଗୁରୁତ୍ବ । ୫ ବର୍ଷରେ ୭୫ ହଜାର ମେଡ଼ିକାଲ ସିଟ୍ ବୃଦ୍ଧି କରାଯିବ । ଆସନ୍ତାବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି ହେବ । ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ । ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା । ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯିବ ସହିତ ମାଛ ଉତ୍ପାଦନରେ ଭାରତ ଦ୍ବିତୀୟ ବୃହତ୍ତ ଦେଶ । ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯିବ ।ଖାଇବା ତେଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହାସହ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ । ମଖାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ସେପଟେ ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ବୋଲି ଗୃହରେ ଅବଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ । ଭାରତର ଅର୍ଥନୀତି ଗତିଶୀଳ ରହିଛି । ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଲେ ଅର୍ଥମନ୍ତ୍ରୀ ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।
National
ଦ କୁଇଭର ବ୍ୟୁରୋ :- ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସହରୀ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହା କରାଯିବ । ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
ତେବେ ପ୍ରଥମ ଥର ପାଇଁ ମୋଦୀ ସରକାର ଏହି ଗିଗ୍ ଓ୍ୱାର୍କସଙ୍କ ପାଇଁ ବଡ଼ ଘୋଷଣା କରିଛି । ଦେଶର ଅର୍ଥମନ୍ତ୍ରୀଙ୍କ କହିବା ମୁତାବକ, ଏହି କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ବର୍ତ୍ତମାନ ସମୟରେ ଏହି ଡେଲିଭରୀ ବୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଆଖି ଆଗରେ ରଖି ଗିଗ୍ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ।
State
ଭୁବନେଶ୍ୱର( ଦ କୁଇଭର ):- ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା। ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ଯା ଥିଲା। ଯଦିଓ ଓଡ଼ିଆ ଭାଷା ଓ ସାହିତ୍ଯକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା। କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା। ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି। ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ୧୮୯୫ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା l ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି। ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ।
National,State
ଦ କୁଇଭର ବ୍ୟୁରୋ :- ଆପଣ ଯଦି ସରକାରୀ କର୍ମଚାରୀଙ୍କୁ ଉପଯୁକ୍ତ ସମ୍ମାନ ନଦିଅନ୍ତି, ଗାଳିଗୁଲଜ କିମ୍ବା ଧମକ ଚମକ ଦେଲେ ଯାଇପାରନ୍ତି ଜେଲ୍ l ସାଧାରଣତଃ ଅଧିକାଂଶ ବ୍ୟକ୍ତି ବା ମହିଳା ନିଜର ବିଭିନ୍ନ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟ ଯାଇଥା'ନ୍ତି । ସରକାରୀ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିଙ୍କ ସମସ୍ୟାର ସମାଧାନ କରିଥା'ନ୍ତି । କିନ୍ତୁ, ବେଳେ ବେଳେ ସରକାରୀ କାର୍ଯ୍ୟାଳୟରେ ବିବାଦ ସୃଷ୍ଟିହେବା ସହିତ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥାଏ । ତଦନ୍ତ ପରେ ଅନେକ ସମୟରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ବ୍ୟବହାର କାରଣରୁ ଏଭଳି ଘଟିଥାଏ ବୋଲି ଜଣାପଡ଼ିଥାଏ । ବିଶେଷ ଭାବରେ ସରକାରୀ ଚିକିତ୍ସାଳୟ ଏବଂ ଥାନାରେ ଏଭଳି ଘଟଣା ଅଧିକ ପରିମାଣରେ ଦେଖାଯାଇଥାଏ । ଏମିତିକି ବିବାଦ ଆଗକୁ ବଢିବାପରେ ହାତାହାତି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥାଏ । ତେବେ କେତେକ କ୍ଷେତ୍ରରେ ସରକାରୀ ବାବୁଙ୍କ ଅବହେଳା କାରଣରୁ ଏମିତି ଘଟୁଥିବା ନେଇ ଚର୍ଚ୍ଚା ମଧ୍ୟ ହୁଏ l ତେବେ ଥାନାରେ ଘଟୁଥିବା ଏଭଳି ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଏବଂ ସରକାରୀ କର୍ମଚାରୀଙ୍କ ସହ ଉପଯୁକ୍ତ ବ୍ୟବହାର କରିବାକୁ ଲୋକମାନଙ୍କୁ ଚେତେଇଦେବା ପାଇଁ କମିଶନରେଟ ପୋଲିସ୍ ଭାରତୀୟ ନ୍ୟାୟ ସଂହିତାରେ ଥିବା ବିଭିନ୍ନ ଧାରା ଏବଂ ଏହାପାଇଁ କଣ ଦଣ୍ଡରହିଛି ସେ ସମ୍ପର୍କରେ ଏକ ନୋଟିସ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
ଯେଉଁଥିରେ ଲେଖାହୋଇଛି ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।ଏଥିରେ ଲେଖାଯାଇଥିବା ୧୦ ଟି ନିୟମ ଏବଂ ଏଥିପାଇଁ ମିଳୁଥିବା ଦଣ୍ଡଗୁଡିକ ହେଲା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି- ଧାରା- ୩୫୪(BNS)- ୨ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତି ତର୍କ ଧାରା-୫୦୪ (BNS)- ୫ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା ଧାରା-୫୦୪ -ଦୁଇ ବର୍ଷ କଠୋର କାରାଦଣ୍ଡ । ଜଣେ ସରକାରୀ କର୍ମଚାରୀଙ୍କୁ ଧମକ- ଧାରା-୫୦୬ - ୩ ରୁ ୭ ବର୍ଷ କଠୋର କାରାଦଣ୍ଡ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଧାରା-୩୩୨-୩ ରୁ ୧୦ ବର୍ଷ କଠୋର କାରାଦଣ୍ଡ। ସରକାରୀ କର୍ମଚାରୀଙ୍କୁ ବ୍ଳାକମେଲିଂ- ଧାରା ୩୮୩ ,୩୮୪ ,୩୮୬(BNS)- ୩ ରୁ ୧୦ବର୍ଷ କଠୋର କାରାଦଣ୍ଡ । ବିନା ଅନୁମତିରେ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ - ଧାରା-୪୨୦(BNS)- ୨ବର୍ଷ କଠୋର କାରାଦଣ୍ଡ । ସରକାରୀ ସମ୍ପତ୍ତି ନଷ୍ଟ କରିବା- ଧାରା-୩୭୮(BNS) - ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲ ଚୋରି କରିବା- ଧାରା ୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ । ସରକାରୀ ଦଲିଲକୁ କ୍ଷତି ପହଞ୍ଚାଇବା ଧାରା-୩୭୮,୩୭୯(BNS)- ୩ବର୍ଷ କଠୋର କାରାଦଣ୍ଡ ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଞ୍ଜ ଜିଲ୍ଲା ରେ ନିଶା ବେପାର ଏବଂ ଚୋରା ଚାଲାଣ କ୍ରମଶ ବୃଦ୍ଧି ପାଉଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଅଫିମ ଚାଷ ହେବା ଭଳି ଖବର ମିଳିଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୬୦ଲକ୍ଷ ଟଙ୍କାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି।ତେବେ ଅଫିମ ଚାଷ ବାବଦରେ କୌଣସି ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି । ଆଜି ଶିମିଳିପାଳ ଵନାଞ୍ଚଳର ବରେହି ପାଣି ପଞ୍ଚାୟତ ବନ୍ଦିରାବାସ ଗ୍ରାମ ଇଲାକାର ୫୩ ଡିସିମିଲ ଜମି ରେ ଚାଷ ହୋଇଥିଵା ୪୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଅସନ୍ ବଣୀ ଗ୍ରାମ ଅଞ୍ଚଳ ରେ ୮୫ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୨୫ ହଜାର ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି । ତେବେ ଦୁଇଟି ସ୍ଥାନରୁ ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ପୋସ୍ତ ଚାଷ କହି ଅଫିମ ମାଫିଆ ଅଫିମ ଚାଷ କରାଉଛନ୍ତି। ଏଥିରେ ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାର ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ। ଯଶିପୁର ପୋଲିସ ପକ୍ଷରୁ ପୃଥକ୍ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି। ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛନ୍ତି।
Sports
ଦ କୁଇଭର ବ୍ୟୁରୋ :- ଭାରତ ମାଟିରେ ମାଟି କାମୁଡ଼ିଲା ଇଂଲଣ୍ଡ ଟିମ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଉପରେ ଭାରତର କବଜା । ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଆଉ ଟିମ୍ ଇଣ୍ଡିଆର ବୋଲର ରବି ବିଷ୍ଣୋୟୀ ଓ ହର୍ଷିତ ରାଣାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍ ପୂରାପୁରି ଘାଇଲା ହୋଇଗଲା । ଉଭୟ ରବି ବିଷ୍ଣୋୟୀ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ପକ୍ଷରୁ ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।
National
ଦ କୁଇଭର ବ୍ୟୁରୋ :- "ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି" ବା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଲାଗୁ । ଦେଶର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଲାଗୁ କରିଛନ୍ତି । ଅତ୍ୟଧିକ ଗମ୍ଭୀର ରୋଗରେ ପୀଡିତ ବା ଯେଉଁ ରୋଗରେ ଚିକିତ୍ସା ନାହିଁ ସେଭଳି ସ୍ଥିତିରେ ବ୍ୟକ୍ତି ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଅନୁସାରେ ନିଜ ଜୀବନ ତ୍ୟାଗ କରିପାରିବେ ।ନିକଟରେ ଏହି ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ଅଧିକାର ଲାଗୁ କରିବାକୁ ଆଦେଶ ଦେଇଥିଲେ ।ଶନିବାର ଏହି ବାବଦରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ଏହା ପାଇଁ ନିଦ୍ଦିଷ୍ଟ ନିୟମ ରହିଛି । ସମ୍ମାନଜନକ ଇଚ୍ଛାମୃତ୍ୟୁ ପାଇଁ ଟୁ-ଷ୍ଟେପ ମେଡିକାଲ ରିଭ୍ୟୁ ସିଷ୍ଟମ ଆବଶ୍ୟକ l ମୁଖ୍ୟତ ଲାଇଫ ସପୋର୍ଟ ସିଷ୍ଟମରେ ଥିବା ରୋଗୀଙ୍କ ପାଇଁ ଲାଗୁ ହେବ l ୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀଟିମ ରୋଗୀଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଥମେ ନିରିକ୍ଷଣ କରିବେ l ଏନେଇ କୋର୍ଟଙ୍କୁ ଏକ ରିପୋର୍ଟ ଦେବେ କୋର୍ଟଙ୍କ ଆଦେଶ ମିଳିବା ପରେ ଇଚ୍ଛାମୃତ୍ୟୁକୁ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ l ଏହା ପାଇଁ ରୋଗୀଙ୍କ ପରିବାରର ଅନୁମତି ବାଧ୍ୟତାମୂଳକ ଅଧିନିୟମ ୧୯୯୪ ଅନୁସାରେ ଏହାକୁ କାର୍ୟ୍ୟକାରୀ କରାଯିବ l ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଲାଗୁ କରାଯିବ l
State
ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।