ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।
No comments yet.
State
ଦ କୁଇଭର ବ୍ୟୁରୋ :- ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ୪ ଦିନ ପରେ ଗଡ଼ିଲା ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ନେଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି ।ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ଧରି ଯାତ୍ରୀ ପରିବହନ ଠପ ହୋଇ ଯାଇଥିଲା । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।ଅନ୍ୟପଟେ ସମ୍ବଲପୁର ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସବୁ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ଜାରି ରହିଛି । ବସ୍ କିଏ ଚଲାଇବ ? ସେପଟେ ଘରୋଇ ବସ୍ ମାଲିକ ସଂଘର ଘୋଷଣା ପରେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
State
ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।
National
ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
State
ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l
State,National,Politics
ଦ କୁଇଭର ବ୍ୟୁରୋ :- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ସୁନ୍ଦରଗଡ଼ର ସାଂସଦ ଏହି ଘୋଷଣା କରି ନିଜର ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିଅରର ଅନ୍ତ ଘଟାଇଛନ୍ତି।ଜାତୀୟ ରାଜନୀତିରେ ଜଣେ ପ୍ରମୁଖ ଆଦିବାସୀ ଚେହେରା ଏବଂ ସୁନ୍ଦରଗଡ଼ରୁ ପାଞ୍ଚ ଥର ସାଂସଦ ହୋଇଥିବା ଓରାମ ବିଜେପିରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ବହୁବାର କାର୍ଯ୍ୟ କରିଛନ୍ତି।
୧୯୮୯ ମସିହାରେ ବିଜେପିରେ ଯୋଗଦେବା ପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ସେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବଣାଇରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ସେ ସୁନ୍ଦରଗଡ଼ରୁ ଲୋକସଭାରେ ପ୍ରବେଶ କରିଥିଲେ ଏବଂ ସେବେଠାରୁ ଆଦିବାସୀ କଲ୍ୟାଣ ଏବଂ ବିକାଶ ପାଇଁ ଏକ ସ୍ଥିର ସ୍ୱର ହୋଇ ଆସିଛନ୍ତି। ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବା ସତ୍ତ୍ୱେ, ଓରାମ ଦୃଢ଼ ଭାବରେ କହିଛନ୍ତି ଯେ, ସେ ଦଳର ସେବା ଜାରି ରଖିବେ। ସେ କହିଛନ୍ତି ‘ମୁଁ ବିଜେପିରେ ଅଛି ଏବଂ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି।’ସେ କହିଛନ୍ତି,ନିର୍ବାଚନ ନଲଢ଼ିବା ମୋର ନିଷ୍ପତ୍ତି। କିନ୍ତୁ ଯଦି ଦଳ କହିବ, ମୁଁ ଲଢ଼ିବି। ମୁଁ ପୂର୍ବରୁ ୧୦ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛି। ମୁଁ ଯୁବ ପିଢ଼ିଙ୍କ ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।
State,Health & lifestyle,Politics,National
ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।
ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।
Politics,National
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ ମିଳିଛି । ଏହା ପରେ, କେନ୍ଦ୍ରମନ୍ତ୍ରୀ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ପାଟନାରେ ଅଭିଯୋଗ କରିଛନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।ପୂର୍ବରୁ, ଛାପ୍ରାରେ ଆୟୋଜିତ ‘ନବ ସଂକଳ୍ପ ମହାସଭା’କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ। ଏପରି ପରିସ୍ଥିତିରେ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବି ।ସେହି ସମୟରେ, ସେ ସ୍ପଷ୍ଟ କରିଥିଲେ ଯେ ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, ‘‘ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଆଜି, ସାରଣର ଏହି ପବିତ୍ର ଭୂମିରୁ, ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ କହୁଛି ଯେ ହଁ, ମୁଁ ନିର୍ବାଚନ ଲଢ଼ିବି । ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା’ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।”
State
ଦ କୁଇଭର ବ୍ୟୁରୋ :- ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଅଖ ଚକ ସବୁ ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ, ସାମ୍ନାକୁ ଆସୁଛି ଯାତ୍ରୀ ଯନ୍ତ୍ରଣାର ପୁଳା ପୁଳା ଚିତ୍ର। କେଉଁଠି ବସଷ୍ଟାଣ୍ଡରେ ଛୁଆପିଲା ଧରି କଲବଲ ହେଉଛନ୍ତି ଲୋକ, ତ କିଏ ଗାଡ଼ି ନପାଇ ମେଡିକାଲରୁ ମାଇଲ ମାଇଲ ବାଟ ଚାଲି ଚାଲି ଘରକୁ ଫେରୁଛି। ୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ଅଧିକାଂଶ ଦାବି ଉପରେ ସରକାର ବିଚାର କରୁଥିବା କହିଥିଲେ ମଧ୍ୟ, ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ସଂଘ ଅଡ଼ି ବସିଥିବାରୁ କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟବ୍ୟାପୀ ଠପ୍ ହୋଇଛି ପରିବହନ ସେବା।ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛି। ରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାର। ଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏ। ସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏ। ଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି। ତେବେ ଖାଦ୍ୟ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ କାର୍ଯ୍ୟ ରେ ବାଧା ଦେଖାଦେଇଥିବା ସାଧାରଣରେ ଦେଖାଦେଇଛି, ତେଣୁ ଏସବୁର ସମାଧାନ ଯେତେ ଶୀଘ୍ର ହେବ, ସାଧାରଣ ଜନତା ସେତେ ଶୀଘ୍ର ଉପକୃତ ହେବେ ବୋଲି ସୂଚନା ଚର୍ଚ୍ଚା ଚାଲିଛି l
National,State
ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ପଞ୍ଝାରେ ପଡିଛନ୍ତି ସୁନାଚେନ ଲୁଟିଆ ଗ୍ୟାଙ୍ଗର ୩ ଜଣ ଲୁଟେରାଙ୍କ ସହ ୨ ଜଣ ଚୋରାମାଲ୍ କ୍ରେତା । ବଡବିଲ, ଯୋଡା ତଥା ଚମ୍ପୁଆ ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିବା ସହ ଲୁଟ କରି ଆତଙ୍କ ଖେଳାଇଥିବା ଏହି ଆନ୍ତରାଜ୍ୟ ଲୁଟିଆ ଗ୍ୟାଙ୍ଗ ପର୍ଯ୍ୟନ୍ତ ପହଞ୍ଚିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିବା ବେଳେ ଏମାନଙ୍କୁ ଧରିବା ପାଇଁ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସକୁ ଏକ ସ୍ପେସାଲ୍ ଟିମ୍ ଗଠନ କରିବାକୁ ପଡିଥିଲା। ପଡୋଶୀ ଝାଡଖଣ୍ଡ ରାଜ୍ୟ ମଝଗାଁ ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ, ଦୀପକ ଗୋପ ଓ ଜଗନ୍ନାଥପୁର ଅଞ୍ଚଳର ସରୋଜ କେଶରୀ ୩ଜଣ ଯୁବକ ଏହି ସମସ୍ତ ଘଟଣାରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ପୋଲିସ ସ୍ପେସାଲ୍ ଟିମ୍ ଏହି ୩ ସନ୍ଦିଗ୍ଧଙ୍କ ସନ୍ଧାନରେ ଲାଗିଥିଲା । ସେହି କ୍ରମରେ ଏହି ଅଭିଯୁକ୍ତ ମାନେ ପୁଣି ବଡବିଲ ଗାଡାହାଟିଂରେ ଅନ୍ୟ ଏକ ଲୁଟ ପାଇଁ ପ୍ରସ୍ତୁତ ହେଉଥିଲେ। ବିଶ୍ଵସ୍ଥ ସୂତ୍ରରୁ ଜାଣିବାକୁ ପାଇ ପୋଲିସ ସେଠାରେ ଚଢାଉ କରି ୩ ଜଣଙ୍କୁ ଗିରଫ ସହ ଏକ ବାଇକ ଜବତ କରିଥିଲା। ପୋଲିସ ତାଙ୍କ ସହ ପଚରା ଉଚରା କରିବା ପରେ ସେମାନେ ବଡବିଲରେ ୫, ଯୋଡାରେ ୩ ଓ ଚମ୍ପୁଆରେ ଗୋଟିଏ ଲୁଟ ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି। ଲୁଟିଆ ମାନେ ଲୁଟମାଲକୁ ଝାଡଖଣ୍ଡ ରାଜ୍ୟ ବାଗବେଡା ଅଞ୍ଚଳରେ ଥିବା ଶିବଶକ୍ତି ଜ୍ୱେଲର୍ସକୁ ବିକ୍ରି କରୁଥିବା ବେଳେ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ସେହି ଦୋକାନରେ ଚଢାଉ କରି ପ୍ରାୟ ୩୦ ଗ୍ରାମ ସୁନା ସହ ୩ କେଜି ରୂପା ଅଳଂକାର ମଧ୍ୟ ଜବତ କରିଛି। ଏଥି ସହ ୨ଜଣ ଚୋରା ମାଲ୍ କ୍ରେତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୩ ଜଣ ଲୁଟେରାଙ୍କ ନାମରେ ଝାଡଖଣ୍ଡ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
State,National
ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିଛି କିଛି ନୂଆ ନିୟମବଳୀ l ୟୁଟ୍ୟୁବ୍ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ଏବଂ ଏପରି ଚ୍ୟାନେଲଗୁଡ଼ିକୁ ମଧ୍ୟ ଡିମନିଟାଇଜ୍ କରାଯାଇପାରେ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ଲାଟଫର୍ମରେ ମୌଳିକ ଏବଂ ସୃଜନଶୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ।ଏହା ସହିତ, ୟୁଟ୍ୟୁବ୍ "ଥମ୍ବନେଲ୍" ଏବଂ "ଟାଇଟଲ୍"କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ । ଦର୍ଶକଙ୍କୁ ଭ୍ରମିତ କରୁଥିବା ଏଭଳି କ୍ଲିକ୍ବେଟ୍ କଣ୍ଟେଣ୍ଟ ଉପରେ ୟୁଟ୍ୟୁବ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାହାଦ୍ୱାରା ଦର୍ଶକମାନେ ସଠିକ୍ ସୂଚନା ପାଇପାରିବେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟକୁ ନେଇ । ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ "ଲେବଲ୍" ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଇବ ଯେ ସେମାନେ ଦେଖୁଥିବା କଣ୍ଟେଣ୍ଟ ବାସ୍ତବ ନୁହେଁ, ବରଂ ଏଆଇ ଦ୍ୱାରା ନିର୍ମିତ । ଏହି ନିୟମର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ ଏବଂ ଗୁଜବକୁ ରୋକିବା ।ଏହିସବୁ ପରିବର୍ତ୍ତନ ବ୍ୟତୀତ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।
State
ଭଞ୍ଜନଗର( ଦ କୁଇଭର ):- ଭଞ୍ଜନଗର ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଗୋଟିଏ ଦିନ ଏବେ ବି କାରଣ ଅସ୍ଵଷ୍ଟ ।ଖବରରୁ ଜଣାଯାଏ ଯେ ଭଞ୍ଜନଗର ଥାନା ବାଇବାଲି ଗାଁର ମୁନିଆକଣ ଜଙ୍ଗଲ ମଧ୍ଯ ଭାଗରେ ମାଟି ତଳେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ ପ୍ରଶାସନ । ଗତକାଲି ଦିନ 12 ଘଣ୍ଟ ସମୟରେ ଉଦ୍ଧାର ହୋଇଥିଲେ ମଧ୍ଯ ଘଟଣାକୁ ଗୋଟିଏ ଦିନ ବିତିଗଲା ତଥାପି ଯୁବକଙ୍କ ପରିଚୟ ମିଳୁନଥିବା ବେଳେ ପରିଚୟ ସଂଗ୍ରହ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ଖୁବଶୀଘ୍ର ଜଣାପଡିବ ବୋଲି ଆଜି ଦିନ ଦୁଇଘଣ୍ଟ ସମୟରେ ଭଞ୍ଜନଗର SDPO ସୂଚନା ଦେଇଛନ୍ତି ।
State,Politics,National
ଦ କୁଇଭର ବ୍ୟୁରୋ :- ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା। ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି। ଆପଣଙ୍କର କ’ଣ ହେଲା, କ’ଣ ନାହିଁ; ସେମାନଙ୍କର କିଛି ଯାଏ ଆସେ ନାହିଁ। ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର। ଆପଣମାନେ ଗୋଟିଏ ଗୋଟିଏ ବାଘ। କାହାକୁ ଡରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ। ଆପଣଙ୍କ ରକ୍ତରେ, ଡିଏନ୍ଏରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି। ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଅ। ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ସେମାନଙ୍କ ଜଙ୍ଗଲ, ଜମି ଓ ଜଳକୁ ଛଡ଼ାଇ ନେଇ ଆଦାନୀ, ଅମ୍ବାନି ସମେତ କେତେକ ପୁଞ୍ଜିପତିଙ୍କର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣି ରାହୁଲ କହିଛନ୍ତି, ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ। କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି। ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ହେଲେ ଫସଲ ବୀମା ମିଳୁନି। ରଥଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସନ୍ତି। କିନ୍ତୁ ଆଦାନୀ ପରିବାର ପାଇଁ ରଥ ଅଟକିଗଲା। ଏଥିରୁ ଓଡ଼ିଶା ସରକାର ବିଷୟରେ ଜାଣି ପାରୁଥିବେ। ଓଡ଼ିଶାରେ ଆଦାନୀର ସରକାର ଚାଲିଛି। ଆଦାନୀ ବି ମୋଦୀଙ୍କୁ ଚଳାଉଛି। ରାହୁଲ କହିଥିଲେ, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। କେଉଁଠି ଅଛନ୍ତି କିଛି ଜଣାପଡ଼ୁନି। ଓଡ଼ିଶାରେ ପ୍ରତି ଦିନ ୧୫ ଜଣ ମହିଳାଙ୍କର ବଳାତ୍କାର ହେଉଛି। ମହିଳାଙ୍କୁ ନ୍ୟାୟ ମିଳିବା ଦରକାର। ଓଡ଼ିଶାରେ ଜାତି ଜନଗଣନା ହେଲେ ହିଁ ଓଡ଼ିଶାର ବିକାଶ ହେବ। ଲେଙ୍ଗାନାରେ ଆମେ ଜାତି ଜନଗଣନା କରିଛୁ। ସେଠାରେ ଜଣାପଡ଼ିଲା କେଉଁ ବର୍ଗର କେତେ ଲୋକଙ୍କ ପାଖରେ କେତେ ସମ୍ପତ୍ତି ଅଛି, କାହାର ସ୍ଥିତି କ’ଣ। ଓଡ଼ିଶାରେ ଜାତି ଜନଗଣନା ହେଲେ ଜଣାପଡ଼ିବ ଓଡ଼ିଶାର ଅବହେଳିତ ବର୍ଗର ସ୍ଥିତି କ’ଣ? ଆମେ ଚାହୁଛୁ ଗରିବଙ୍କୁ ସେମାନଙ୍କ ଅଧିକାର ମିଳୁ। ଓଡ଼ିଶାରେ କିପରି ଜାତି ଜନଗଣନା ହେବ, ସେଥିପାଇଁ ମୁଁ ଭକ୍ତ ଦାସ, ଲଲ୍ଲୁଜୀଙ୍କୁ ପୂରା ଦମ୍ ଲଗାଇବାକୁ କହିଛି।ସେହିପରି ସମ୍ବିଧାନ ବଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଗଲା। ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ମଧ୍ୟରେ ୧କୋଟି ମତଦାତା ବଢ଼ିଗଲେ। ନିର୍ବାଚନ କମିସନଙ୍କୁ ଭୋଟର ତାଲିକା, ମତଦାନର ଭିଡିଓ ଫୁଟେଜ୍ ମାଗିଥିଲେ ବି ଆମକୁ ଦିଆଯାଉନି। ଏବେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ହେଲେ ଆମେ ଏହାକୁ କରିବାକୁ ଦେବୁନି। ନିର୍ବାଚନ କମିସନ ଏବେ ନିଜ କାମ ନକରି ବିଜେପି କାମ କରୁଛନ୍ତି। ଏହା ସମ୍ବିଧାନ ପାଇଁ ବଡ଼ ବିପଦ।
ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରି ରାହୁଲ କହିଥିଲେ, ବିଜେପି ସରକାର ଡ୍ରାଇଭର ସଂଘ ଉପରେ ଚାପ ପକାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଡ୍ରାଇଭର ସଂଘର ସମସ୍ତ ଦାବି ପୂରଣ ହେବା ଉଚିତ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ, ମୋଦୀ ସରକାର ବିରୋଧରେ ଯିଏ ସ୍ବର ଉଠାଉଛି ତାକୁ ଇଡି, ସିବିଆଇ, ଆଇଟି ରେଡ୍ ଧମକ ଦିଆଯାଉଛି। ଆପଣମାନେ ଡରନ୍ତୁନି, ସ୍ବର ଉତ୍ତୋଳନ କରନ୍ତୁ। ଏ ଲଢ଼େଇ ଜାରି ରହିବା ଦରକାର। ଶୋଇଥିବା ସରକାରକୁ ଉଠାଇବାକୁ ପଡ଼ିବ। ଏହାସହ ସେ କହିଥିଲେ ରାଜ୍ୟରେ ସରକାର ବାଲି, ଜଙ୍ଗଲ ବିକି କମିସନ ଖାଉଛନ୍ତି। ବିଜେପି ସରକାର ଏବେ ସବୁଥିରେ କମିସନ ଖାଉଛି। ଧନୀ ଲୋକଙ୍କ ପାଇଁ ରଥ ଅଟକି ଯାଉଛି। ଭଗବାନ କ’ଣ କେବଳ ଧନୀଙ୍କ ପାଇଁ? ଆପଣମାନେ ଲଢ଼ନ୍ତୁ। ଆପଣମାନେ ଲଢ଼ିଲେ ଜେଲ୍ରେ ପୂରାଇ ଦେବେ ତ, ପୂରାନ୍ତୁ। ଲଢ଼ିବା ମାନେ ମରାମରି ନୁହେଁ, ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପନ୍ଥାକୁ ଆପଣାନ୍ତୁ। ସବୁ ଦୁର୍ନୀତିର ପର୍ଦ୍ଦାଫାସ କରନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି କଂଗ୍ରେସକୁ ସଶକ୍ତ କରିବା, ଦେଶରୁ ବିଜେପି ସରକାରକୁ ହଟାଇବା। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଯେତେ ପ୍ରକାରର ହଇରାଣ କରିବା କଥା କରିଛନ୍ତି। କିନ୍ତୁ ସେ ଶକ୍ତିମାନ ହୋଇ ଏଥିରୁ ବାହାରିଛନ୍ତି। ଆଜି ଯେଉଁ ଲଢ଼େଇ ଆରମ୍ଭ ହୋଇଛି, ତାହା ଆରମ୍ଭ ମାତ୍ର। ଆସନ୍ତା ୧ବର୍ଷରେ ରାଜ୍ୟରେ ଏହିଭଳି ୧୦ଟି ବଡ଼ ସମାବେଶ ହେବ।କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାରେ କଂଗ୍ରେସ ଆଜି ବିପ୍ଲବ ସୃଷ୍ଟି କରିଛି। ବିଧାନସଭା ଭିତରେ ଓ ବାହାରେ ଆଦିବାସୀ, ମହିଳା ଓ ଝିଅଙ୍କ ଉପରେ ନିର୍ଯାତନାକୁ ନେଇ ଲଢ଼େଇ ଜାରି ରହିବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେବା ବେଳେ କହିଥିଲେ, କେବଳ ମହାରାଷ୍ଟ୍ର, ହରିୟାଣାରେ ନିର୍ବାଚନ ଚୋରି ହୋଇନି, ଓଡ଼ିଶାରେ ବି ନିର୍ବାଚନ ଚୋରି ହୋଇଛି। ଏହାର ଉଦାହରଣ ହେଉଛି ମୁଖ୍ୟମନ୍ତ୍ରୀ ଯେଉଁଠିକୁ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେଠାରେ ୫ହଜାର ଲୋକ ବି ହେଉନାହାନ୍ତି। ପୂର୍ବରୁ ଜଣେ ସରକାରୀ ଅଧିକାରୀ ସରକାର ଚଳାଉଥିଲେ, କିନ୍ତୁ ଏବେ କିଏ ଗୁଜରାଟରେ ବସି ସରକାର ଚଳାଉଛି, ତାହା କେହି ଜାଣୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବଦଳି କରିବାର କ୍ଷମତା ନାହିଁ। ଏହି ସଭାକୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ମଞ୍ଚରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ସମସ୍ତ ବିଧାୟକ, ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
Education,State
ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
State
ଗଞ୍ଜାମ( ଦ କୁଇଭର ):- ରେଳ ବିଭାଗ ରେ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ କୁକୁଡାଖଣ୍ଡି ଅଂଚଳର ବିଗ୍ନେଶ୍ୱର ରାଓ ଦୋରାଙ୍କୁ ଗିରଫ କରିବା ସହ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ l
ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ କଂସlମାରି ଗ୍ରାମର ଅଭିଯୋଗକାରୀ ଏସ୍. କୃଷ୍ଣ ଚନ୍ଦ୍ର ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ,ସେ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ. ବିଘ୍ନେଶ୍ୱର ରାଓ ଦୋରାଙ୍କୁ ଭେଟି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ବିଘ୍ନେଶ୍ୱର ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସେମାନଙ୍କୁ ଜଣାଇଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ। କିଛି ଦିନ ପରେ ଅଭିଯୁକ୍ତ ଏ. ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇଗଲେ ଏବଂ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଲେ।ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍ରେ ଟିଟିଇ ଭାବରେ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ ଏବଂ ପୂର୍ବ ରେଳବାଇର ଜିଏମ୍ର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଘ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ ୬୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ତାଲିମ ପାଇଁ କୋଲକାତା ନିଆଯିବ।ଅଭିଯୋଗକାରୀ ଏବଂ ବନ୍ଧୁମାନେ ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଟ୍ରେନ୍ ଯୋଗେ କୋଲକାତା ଯାଇଥିଲେ ଏବଂ ସେମାନଙ୍କର ସିଆଲଡାର ବି.ଆର.ସିଂହ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଯୋଗକାରୀ ଏବଂ ବନ୍ଧୁମାନେ ସେମାନଙ୍କ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ଡାକ୍ତରୀ ପରୀକ୍ଷା ଫଳାଫଳ ପାଇଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେମାନେ କହିଲେ ଯେ ସେମାନେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି। ଅଭିଯୋଗକାରୀ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେ କୁକୁଡାଖଣ୍ଡି ଅଞ୍ଚଲରେ ନଥିଲେ।ଏତେ ଯୋଗାଯୋଗ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ କୋଲକାତା ସହର କେନ୍ଦ୍ରରେ ବସନ୍ତ ସିଂହଙ୍କୁ ଭେଟିଲେ ଏବଂ ସେମାନେ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କୁ ଅଧିକ ବେକାର ବ୍ୟକ୍ତିଙ୍କୁ ପରିଚିତ କରାଇବାକୁ ଜଣାଇଲେ, ତା’ପରେ ସେମାନେ ସେମାନଙ୍କୁ ସ୍ଥାୟୀ ଚାକିରି ଦେବେ। ଏତେ ସବୁ ପରେ ଅଭିଯୋଗ କାରୀ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହେଲେ l ତେବେ ଉପରୋକ୍ତ ତମାମ ଘଟଣା କୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି ବ୍ରହ୍ମପୁର ସଦର ପୋଲିସ l
State,Politics
ଦ କୁଇଭର ବ୍ୟୁରୋ :- ଦୀର୍ଘ ୨୨ ଦିନ ପରେ ଓଡ଼ିଶା ଫେରିଛନ୍ତି ମହାନ ଜନ ନାୟକ, ସଭିଙ୍କ ପ୍ରିୟ ନବୀନ ପଟ୍ଟନାୟକ l ଅସୁସ୍ଥ ଥିବା ବେଳେ ଅର୍ଥାତ ଜୁନ୍ ୨୦ରେ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା ଠିକ୍ ସେହିଭଳି ସୁସ୍ଥ ହୋଇ ଶନିବାର ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ସେମିତି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ । ତେବେ ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ ଏବଂ ରାଜନୀତି କ୍ୟାରିଅର ଭିତରେ ନବୀନ ମଧ୍ୟ ପ୍ରଥମ ଥର ପାଇଁ ଏତେ ଦିନ ଓଡିଶା ବାହାରେ ରହିଥିଲେ l
ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ ? ଏଭିତରେ ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ । ତେବେ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲାପରେ ଏବେ ମଧ୍ୟ ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି। ତେବେ ଦେଖାଯାଉ, ନବୀନ ସୁସ୍ଥ ହେଲା ପରେ ମଇଦାନ କୁ ଓଲ୍ହାଉଛନ୍ତି ନା ନୂଆ କିଛି ପଇଁତରା ଆପଣାଉଛନ୍ତି l
State,National
ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।
କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।
National
ଦ କୁଇଭର ବ୍ୟୁରୋ :- ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ । ତାମିଲନାଡୁର ତିରୁଭାଲ୍ଲୁରରେ ତୈଳ ବୋଝେଇ ଏକ ମାଲବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଚେନ୍ନାଇ ପୋର୍ଟରୁ ଡିଜେଲ ନେଇ ଯାଉଥିବା ମାଲବାହୀ ଟ୍ରେନ୍ଟି ତିରୁଭାଲ୍ଲୁର ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଥିଲା, ଯାହା ପରେ ଟ୍ରେନ୍ରେ ଥିବା ତୈଳ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନିଆଁ ଲାଗିବା ପରେ ତୈଳ ବୋଝେଇ ମାଲବାହୀ ଟ୍ରେନଟି ହୁତୁ ହୁତୁ ହୋଇ ଜଳିଥିଲା । ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ଟି କୋଚ ସମ୍ପୂର୍ଣ୍ଣ ଜଳିଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ୧୦ ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଉଛି। ନିଆଁ ଲାଗିବା ପରେ ତୈଳ ବୋଝେଇ ମାଲବାହୀ ଟ୍ରେନଟି ହୁତୁ ହୁତୁ ହୋଇ ଜଳିଥିଲା । ଡିଜେଲ ଥିବାରୁ ନିଆଁଟି ପୁରା ଟ୍ରେନକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ଟି କୋଚ ସମ୍ପୂର୍ଣ୍ଣ ଜଳିଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ୧୦ ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ନିକଟବର୍ତ୍ତୀ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ଏବଂ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଘରଗୁଡ଼ିକରେ ଥିବା ଏଲପିଜି ସିଲିଣ୍ଡରଗୁଡ଼ିକୁ ହଟାଇ ଦିଆଯାଉଛି। ତିରୁଭାଲ୍ଲୁର ଜିଲ୍ଲା କଲେକ୍ଟର ଏମ୍ ପ୍ରତାପ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଗ୍ନି ନିର୍ବାପନ କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ। ଉଦ୍ଧାର କାର୍ଯ୍ୟ ପାଇଁ ଆରାକୋନମରୁ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତାମିଲନାଡୁ ମନ୍ତ୍ରୀ ଏସ୍ଏମ୍ ନାସାର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଜିଲ୍ଲା ପ୍ରଶାସନ କହିଛି ଯେ ନିଆଁକୁ ନିୟନ୍ତ୍ରଣ କରିବାକୁ କିଛି ଘଣ୍ଟା ସମୟ ଲାଗିବ। ଜିଲ୍ଲା ପ୍ରଶାସନ ଅନୁରୋଧ ପରେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ଦୁଇଟି NDRF ଟିମ୍ ନିୟୋଜିତ ହୋଇଛନ୍ତି ।ଏହି ଘଟଣା ପରେ, ଦକ୍ଷିଣ ରେଳବାଇ ତିରୁଭାଲ୍ଲୁରରେ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଆଠଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନେକ ଟ୍ରେନକୁ ବନ୍ଦ କରିବାକୁ ପଡିଥିଲା। ଦକ୍ଷିଣ ରେଳବାଇ ଟ୍ବିଟ କରି କହିଛି , " ତିରୁଭାଲ୍ଲୁର ନିକଟରେ ବାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଓଭରହେଡ୍ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିଦିଆଯାଇଛି। ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି, ତେଣୁ ଟ୍ରେନ୍ ସେବାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଖୁବଶୀଘ୍ର ଟ୍ରେନ ଚଳାଚଳ ପୁଣି ଆରମ୍ଭ ହେବ । "