Join Us To Make A Difference

The Drops💧

ହାରିଲା ଆପ, ଜିତିଲା ବିଜେପି

ହାରିଲା ଆପ, ଜିତିଲା ବିଜେପି
Published by:Jyotshna Kumari
#national

ଦ କୁଇଭର ବ୍ୟୁରୋ :- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ଦିନେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ମଧ୍ୟ ଏଥର ନିର୍ବାଚନ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱାଙ୍କଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏବେ ବହୁମତଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।


ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଲଗାତାର ୨୦୧୩ରୁ ୨୦୨୫ ପର୍ୟ୍ୟନ୍ତ ଦିଲ୍ଲୀର ସତ୍ତା ଆମ୍ ଆଦମୀ ପାର୍ଟି ପାଖରେ ରହିଥିଲା । ହେଲେ ଏଥର କିନ୍ତୁ ଆପକୁ ସତ୍ତାରୁ ହଟେଇବା ସହ ଗାଦି ଦଖଲ କରିବାକୁ ଯାଉଛି ବିଜେପି । ଆଉ ଏହି ବିଜେପିର ଏହି ବିଜୟ ପଛରେ ମୋଦୀ-ଶାହାଙ୍କ ରଣନୀତି କାମ କରିଥିବା ଚର୍ଚ୍ଚା ହେଉଛି ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Weather,State

କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

Crime,State

ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୧୦ ନକ୍ସଲ ନିହତ ହୋଇଥିବା ସୂଚନା

Blog Thumbnail

ମାଲକାନଗିରି,(ଦ କୁଇଭର)- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।

International,National

ନେପାଳରୁ ଉଦ୍ଧାର ହେଲେ ୨୩ ଓଡ଼ିଆ ପର୍ଯ୍ୟଟକ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।

State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

Farming,State

ରାଜ୍ୟରେ ନାହିଁ ସାର ଅଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ ତଥା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସାରର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ । କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି । ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇ ଦେବା ପାଇଁ" କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ l ସେହିଭଳି ମାର୍କଫେଡ଼ର ଅଧିକାରୀଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରତ୍ୟେକ ଜିଲ୍ଲାରେ Crop Diversification ଏବଂ Integrated Farming System କୁ ଅଧିକ ଗୁରୁତ୍ୱ, ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷ କାର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ସଫଳ ହୋଇ ପାରିବ ।

Crime

ଦେହ ବ୍ୟବସାୟ ଅଭିଯୋଗରେ ପୋଲିସର ଚଢ଼ାଉ, ମ୍ୟାନେଜର ସମେତ ଚାରି ଜଣ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗୁରୁବାର ବ୍ରହ୍ମପୁର ସହରର ଏକ ହୋଟେଲରେ ଦେହ ବ୍ୟବସାୟ ରାକେଟ ଚଳାଇବା ଅଭିଯୋଗରେ ଜଣେ ହୋଟେଲ ପରିଚାଳକଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ ପୋଲିସ ଏସଆଇ ସୁଜାତା କନହୋରଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ଏଥିରେ ଚାରି ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଜଣେ ପୀଡିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ ।

ବ୍ରହ୍ମପୁର ସହରର ସ୍ଥାନୀୟ ଖଲିକୋଟ କଲେଜ ରୋଡ ସ୍ଥିତ ହୋଟେଲ ମିଡିଟାଉନ୍‌ରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ କରିଥିବା ଏବଂ ଉକ୍ତ ହୋଟେଲରୁ ଜଣେ ପୀଡିତାଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡ଼ା.ଶ୍ରବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି । ଗୁରୁବାର ହୋଟେଲ ମିଡିଟାଉନ୍‌ର କେତେକ କର୍ମଚାରୀ ଓ ମାଲିକ ଦେହ ବ୍ୟବସାୟ ଚଳାଇଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ୍‌ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ହୋଟେଲର ଗୋଟିଏ ରୁମରେ ଜଣେ ଯୁବତୀ ଦେହ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ଏବଂ ବେଆଇନ୍ ଦେହ ବ୍ୟବସାୟରେ ଲିପ୍ତ ଥ‌ିବା ଅଭିଯୋଗରେ ହୋଟେଲ ମ୍ୟାନେଜର ଜି.କ୍ରିଷ୍ଣା ପାତ୍ରଙ୍କ ସମେତ ବଡବଜାର ଅଞ୍ଚଳର ଆକାଶ ବିଶୋୟୀ, ଅଜୟ ବେହେରା ଓରଫ ମଣ୍ଡୁ, ଲାଞ୍ଜିପଲ୍ଲୀ ଅଞ୍ଚଳର ଚିନ୍ମୟ ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ୍, ଭାଏଗ୍ରା ଟାବଲେଟ ଆଦି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇ ଥିବା ସୂଚନା ମିଳିଛି ।

Politics

୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ

Blog Thumbnail

ଦ କୁଇଭର ବ୍ୟୁରୋ :- ୧୬ରେ ସର୍ବଦଳୀୟ ବୈଠକ । ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା । ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି ।ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Crime

ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫଟୋ ପୋଷ୍ଟ କରି ଯୁବକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । ଗିରଫ ଶିବାନନ୍ଦ ଠାରୁ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ପୋଷ୍ଟ କରିବା ସହ ମୋବାଇଲ ନମ୍ୱର ବ୍ୟବହାର କରି ବିଭିନ୍ନ ମେସେଜ୍ ପଠାଉଥିଲା । ଏଥିଲାଗି ବହୁ ସମୟରେ ନାବାଳିକାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ପଡୋଶୀ ଯୁବକ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

State

ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୧୦ ନକ୍ସଲ ନିହତ ହୋଇଥିବା ସୂଚନା

Blog Thumbnail

ମାଲକାନଗିରି,(ଦ କୁଇଭର୍):- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।

State

ସିଲ୍ ହେଲା ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ କୋଠା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ ଆଲିସାନ ଘରକୁ ଯାଇ ପୋଲିସ ମାଧ୍ଯମରେ ରହୁଥିବା ଘର ଲୋକଙ୍କୁ ଓ ବ୍ୟବହାର କରୁଥିବା ଆସବାବ ପତ୍ରକୁ ବାହାର କରି ସିଲ୍ କରିଛି ଲଟକା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଘର‌ ବାହାରେ ଲଗାଯାଇଥିବା ନୋଟିସ ମୁତାବକ, PMLA act 2002 ମୁତାବକ । ୦୩ ଜୁଲାଇ ୨୦୨୩ର OC 1895 ଆଧାରରେ ସତ୍ୟ ବିହାରରେ ୧୩୩୮/୧୫୧୦୫ରେ ଥିବା ଘରକୁ ସିଲ୍ କରାଯାଇଛି । ଧାରା ୮(୪)ଇଡିର ହେପାଜତରେ ରହିଥିବା ଉଲ୍ଲେଖ କରାଯାଇଛି । ଏନେଇ ଇଡି ଅଧିକାରୀ ଓ ପୋଲିସ ଉପସ୍ଥିତିରେ ସିଲ୍ ସମୟରେ ଅର୍ଚ୍ଚନାଙ୍କ ବାପା ଓ ଭଉଣୀ ବିରୋଧ କରିଥିଲେ । କିନ୍ତୁ ନିର୍ଦ୍ଦେଶ କପି ଆଧାରରେ ଘରକୁ ସିଲ୍ କରିଥିଲେ ଇଡି ଅଧିକାରୀ । ସେପଟେ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନଥିବା ବେଳେ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି," ଦିଦି ଘରେ ନଥିବା ସମୟରେ ଏଭଳି ଘରକୁ ସିଲ୍ କରାଯାଉଛି । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ ।"


ସୂଚନା ପ୍ରକାରେ,ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଏକ ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଓ ମିଡିଲମ୍ୟାନ ଖଗେଶ୍ବର ଗିରଫ ହୋଇଥିଲେ । ବେଆଇନା ଭାବରେ ଅର୍ଥ ରୋଜଗାର କରିବା ଓ ସେହି ଟଙ୍କାରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ନେଇ ପ୍ରିଭେସନ ଅଫ ମନି ଲଣ୍ଡରି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ଋଜୁ କରି ତାନାଘନା କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ ଗାଡ଼ି ଜବତ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ସିଲ କରିଛି ଇଡି ।

District

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ କୋର୍ଟରେ ୨୦୨୫ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧ ହଜାର ୩୪୬ଟି ମାମଲାର ସମାଧାନ ହୋଇଥିବାବେଳେ ୧୨ କୋଟି ୮୫ ଲକ୍ଷ ୭୧ ହଜାର ୯୭୯ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଜାରି କରାଯାଇଛି। ଗଞ୍ଜାମ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ୭୫ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ସମାଧନ କରାଯାଇ ବୀମା କମ୍ପାନି ଗୁଡ଼ିକୁ ମୋଟ ୫ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା,୯୭ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୧ କୋଟି ୫୧ ଲକ୍ଷ ୭୧ ହଜାର ୮୫୯ ଟଙ୍କା ପୁନରୁଦ୍ଧାର ହୋଇଥିଲା, ମୋଟ ୮୫ଟି ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା, ମୋଟ ୨୨୦ଟି ବ୍ୟାଙ୍କ ସଂପର୍କିତ ମାମଲାର ସମାଧାନ କରାଯାଇ ୨ କୋଟି ୩୩ ଲକ୍ଷ ୧୧ ହଜାର ୧୩ ଟଙ୍କା ଆଦାୟ କରାଯାଇଥିଲା,ଅନ୍ୟାନ୍ୟ ଦେୱାନି ମାମଲା ୧୦୧ଟି ସମାଧାନ କରାଯାଇ ୨ କୋଟି ୧୪ ଲକ୍ଷ ୪୦ ହଜାର୧୫୧ ଟଙ୍କା ଆଦାୟ କରାଯାଇଥିଲା, ସେହିପରି ମୋଟ ୯୫୬୮ଟି ରେଭେନ୍ୟୁ ମାମଲାର ସମାଧାନ କରାଯାଇ ୭୨ ହଜାର ୭୨୬ ଟଙ୍କା ଆଦାୟ କରାଯାଇଥିଲା, ୫୦ଟି ଅପରାଧିକ ମାମଲାର ସମାଧାନ କରାଯାଇଥିବାବେଳେ ୨୩୨ଟି ଟିପିଏସଓଡ଼ିଏଲ୍ ମାମଲାର ସମାଧାନ ହୋଇ ୩୦ ଲକ୍ଷ ୪୨ ହଜାର ୪୦୨ ଟଙ୍କା ଆଦାୟ କରାଯାଇଥିଲା, ମୋଟ ୧୭ଟି ପିୟୁଏସ୍ ମାମଲାରେ ୫୯ ଲକ୍ଷ ୫୮ ହଜାର ୮୩୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ କରାଯାଇଥିଲା। ଏଥିରେ ଦ୍ବିତୀୟ ଏମଏସିଟି ବିଶ୍ବଜିତ୍ ଦାଶ, ପ୍ରଥମ ଏଡିଜେ ନରେଶ ମହାନ୍ତି, ଦ୍ଵିତୀୟ ଏଡିଜେ ଆୟୁଷମାନ ମହାନ୍ତ, ତୃତୀୟ ଏଡିଜେ ବିବଶ୍ବତ ଗୌତମ ପ୍ରମୁଖ ଦୁର୍ଘଟଣା ସଂପର୍କିତ ମାମଲାରେ ଅଂଶ ଗ୍ରହଣ କରିଥିଲେ । ରେଜିଷ୍ଟ୍ରର ସୌଦାମିନୀ ସିଂ ନୋଡାଲ ଅଫିସର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

National

୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦେଶର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକୃଷ୍ଣନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।


ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂରା ମନ୍ତ୍ରୀ ମଣ୍ଡଳଙ୍କ ଉପସ୍ଥିତି ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ରାଜ୍ୟପାଳ ଏବଂ ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାମିଲ ହୋଇଥିଲେ ।

Crime

ଅବକାରୀ ଅଧିକାରୀଙ୍କୁ ମାଡ଼ ମାରି ଧମକ ଦେବା ଅଭିଯୋଗରେ ୨ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମାଡ଼ ମାରିବା, ଅଶ୍ଳୀଳ ଗାଳି କରିବା,ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଅବକାରୀ ଏଏସଆଇ ବଳରାମ ବେହେରାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି l ସୂଚନା ପ୍ରକାରେ,ଅବକାରୀ ବିଭାଗ ଏଏସଆଇ ବଳରାମ ବେହେରା ଏବଂ ତାଙ୍କ କର୍ମଚାରୀମାନେ, ଗତ ସୋମବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ଆଙ୍କୁଲି ପ୍ରଧାନ ସାହିର ସନ୍ତୋଷ ମଣ୍ଡଳ,ବେଆଇନ ଭାବରେ IMFL ପରିବହନ କରୁଥିଲେ, ଯେଉଁଥିରେ ନଂ OD୦୭P ୪୧୧୬ ବିଶିଷ୍ଟ ଏକ ସ୍କୁଟିରେ ୬୦ ବୋତଲ ବିୟର ଥିବା ୫କାର୍ଟନ ସହ ଅଭିଯୁକ୍ତଙ୍କୁ କାବୁ କରି କାର୍ଯ୍ୟାଳୟକୁ ନେଇଥିଲା l


କିଛି ସମୟ ପରେ ଯେତେବେଳେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଆଇନଗତ କାର୍ଯ୍ୟ କରୁଥିଲେ,ମୁଖ୍ୟ ଅଭିଯୁକ୍ତର ନାରାୟଣ ସାହୁ, ତାଙ୍କ ବଡ଼ ଭାଇ ତୋଫାନ ସାହୁ ଏବଂ ଭଣଜା ସାଗର ସାହୁ ଏବଂ ଜିତୁ ପୂର୍ବ ଯୋଜନାବଦ୍ଧ ଭାବରେ ଜୋର ଜବରଦସ୍ତ ଏକ୍ସାଇଜ୍ ଷ୍ଟେସନ ଭିତରକୁ ପ୍ରବେଶ କରି ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ସେମାନଙ୍କ ଉପରକୁ ଅଫିସ ଭିତରେ ଚେୟାର ଫିଙ୍ଗିଥିଲେ, ତା'ସହିତ ଅଟକ ଥିବା ସନ୍ତୋଷ ମଣ୍ଡଳ ଏବଂ ଜବତ ମଦକୁ ବଳପୂର୍ବକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।


ଅଭିଯୁକ୍ତମାନେ ଜୋରଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ଜବତ ସାମଗ୍ରୀ ସହିତ ସନ୍ତୋଷ କୁ ନ ଛାଡିବେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ଅଧିକାରୀମାନଙ୍କୁ ଠେଲାପେଲା କରିଥିଲେ ଏବଂ ଜୀବନରେ ମାରିଦେବା ପାଇଁ ଭୟଙ୍କର ଧମକ ମଧ୍ୟ ଦେଇଥିଲେ l ବିବାଦ ଉଗ୍ର ରୂପ ନେବା ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରି ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିବା ବେଳେ ଅଧିକାରୀଙ୍କ ଉଚିତ ବୁଦ୍ଧି ଯୋଗୁଁ ସେ ବଞ୍ଚି ଯାଇଥିଲେ,ଆଉ ଲୁହା ରଡ୍ ଟେବୁଲ କାଚରେ ବାଜି ଅନେକ କ୍ଷୟ କ୍ଷତି ହୋଈଥିଲା l ତେଵେ ପୂର୍ବରୁ ମଧ୍ୟ ସମାନ ଭାବରେ ଅଭିଯୁକ୍ତ ମାନେ ବିଭାଗକୁ ଆସି ଏକ୍ସାଇଜ୍ ଅଧିକାରୀ ଏସଆଇ ସସ୍ମିତା ମଲ୍ଲିକ ଏବଂ ମୋବାଇଲ୍ ସ୍କ୍ୱାର୍ଡର ଇନସ୍ପେକ୍ଟର ମୋନିଷା ଭୋଳାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି l ତେବେ ଏହି ଦୁଇ ଅଭିଯୁକ୍ତ ତୋଫାନ କୁମାର ସାହୁ ଏବଂ ସାଗର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

Crime,City

ବ୍ରହ୍ମପୁରରେ ଧଳା ଜହରର ଆଡ୍ଡା ସହ ନକଲି ବିଦେଶୀ ମଦ କାରଖାନା ଜବତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଅବକାରୀ ମୋବାଇଲ ସ୍କ୍ୱାଡର ବଡଧରଣର ରେଡ ହୋଇଛି । ଧଳା ଜହର ବା ବ୍ରାଉନ ସୂଗାରର ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ ।


ସୂଚନା ପ୍ରକାରେ, ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ କୈଳାଶ ନଗରରୁ ସନ୍ଧ୍ୟା ରାଣୀ ଶତପଥୀ ଓ ତାଙ୍କ ପୁଅ ସ୍ବରାଜଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ l ସଂଧ୍ୟାରାଣିଙ୍କ ଠାରୁ ୧୪୨ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ( ଆନୁମାନିକ ୧୫ ଲକ୍ଷ ଟଙ୍କାର ) ଜବତ୍ ହୋଇଥିବା ଘରେ, ବିଭାଗ ରେଡ କଲା ବେଳେ ବାହାରିଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି,ଏଥିରେ ପୁରା ପରିବାର ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ବଡ ପୁଅ ଖୋର୍ଦ୍ଧାରୁ ବ୍ରାଉନ ସୂଗାର୍ ଆଣି ମା'ଙ୍କୁ ଦେଉଥିବା ବେଳେ ମାଆ ଏଠାରେ ବିଭିନ୍ନ ଏଜେଣ୍ଟଙ୍କ ଦ୍ଵାରା ବିକ୍ରି କରୁଥିବା ଜଣାପଡିଛି। ତେବେ ଗୁରୁବାର ଅବକାରୀ ମୋବାଇଲ ସ୍କ୍ଵାଡ ପକ୍ଷରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଡିଆ ନିକଟରୁ ବଡ ବଜାର ଅଞ୍ଚଳର ବାବୁ ଦଳାଇଙ୍କ ଠାରୁ ୪୧ ଗ୍ରାମ ଓ ଏସ ନାରାୟଣ ପାତ୍ରଙ୍କଠୁ ପ୍ରାୟ ୪୪ ଗ୍ରାମର ବ୍ରାଉନ ସୁଗାର ସହ ଧରିଥିଲା,ପଚରା ଉଚରା ବେଳେ ସଂଧ୍ୟାରାଣୀ ତାଙ୍କୁ ସପ୍ଲାଏ କରୁଥିବା ଜାଣିବାକୁ ପାଇ କୈଳାଶ ନଗର ସ୍ଥିତ ଘର ଉପରେ ରେଡ କରିଥିଲା l ସେତେବେଳେ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସେହି ସାହି ନିକଟରୁ ଗିରଫ କରିଥିଲା ସ୍କ୍ଵାଡ । ପରେ ଘରେ ଯାଞ୍ଚ ପାଇ ଗଲା ବେଳେ ତାହା ଭିତରେ ଦେଖିବାକୁ ପାଇଥିଲା ବିଦେଶୀ ନକଲି ମଦ କାରଖାନା,ସ୍ୱରାଜ ଶତପଥୀ ଏହି ବେଆଇନ ମଦ କାରବାର କରୁଥିବା ସହ,୨୦ ଲିଟର ନକଲି IMFL, ୧୨୦ ଟି ନକଲି ରୋୟାଲ ବ୍ରାଣ୍ଡ ମଦ ସହ ଅନେକ ନକଲି ବିଦେଶୀ ମଦକୁ ଜବତ କରିଛି ବିଭାଗ l


ସନ୍ଧ୍ୟା'ଙ୍କ ନିଜ ଘର ଗଞ୍ଜାମ ବ୍ଲକରେ ହୋଇଥିବାବେଳେ ସେ ଏଠାରେ ଘର ଭଡା ନେଇ ରହିବା ସହ ଆଉ ଏକ ପୁଅ ମାଧ୍ୟମରେ ବ୍ରାଉନ ସୁଗାର ଆଣି ବ୍ରହ୍ମପୁର ସହର ସାରା ସପ୍ଲାଏ କରୁଥିବା ଜଣାପଡିଛି।

State,Crime

ମହିଳା ନକ୍ସଲ ସୁଜାତାଙ୍କ ଆତ୍ମସମର୍ପଣ

Blog Thumbnail

ମାଲକାନଗିରି,(ଦ କୁଇଭର୍):-ସୀମାନ୍ତ ଛତିଶଗଡ଼ ତେଲାଙ୍ଗାନା ଦଶନ୍ଧି ,ଦଶନ୍ଧି ଧରି ବସ୍ତରର ରକ୍ତାକ୍ତ କାହାଣୀର ମାଷ୍ଟରମାଇଣ୍ଡ ଏବଂ ଦକ୍ଷିଣ ଉପ ଜୋନାଲ ବ୍ୟୁରୋର ଇନଚାର୍ଜ, ମହିଳା ନକ୍ସଲ ସୁଜାତା ଶେଷରେ ତାଙ୍କ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ଫେରିଛନ୍ତି। ୧ କୋଟି ପୁରସ୍କାର ପାଇଥିବା ସୁଜାତାର ଆତ୍ମସମର୍ପଣକୁ ନକ୍ସଲ ସଂଗଠନ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।

ଜାଣନ୍ତୁ ସୁଜାତାଙ୍କ ସମ୍ପର୍କରେ ସୁଜାତା - ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ସୁଜାତା ଅନେକ ବଡ଼ ହିଂସାକାଣ୍ଡ ପାଇ ଆକ୍ରମଣ ର ଷଡ଼ଯନ୍ତ୍ର କରିଥିଲେ। ଦୀର୍ଘ ସମୟ ଧରି ବସ୍ତରର ଜଙ୍ଗଲରୁ ରକ୍ତାକ୍ତ ଖେଳ ଖେଳିଥିବା ସୁଜାତା ଏବେ ଆତ୍ମସମର୍ପଣ କରିଛନ୍ତି।ସୁଜାତା ନିମ୍ନୋକ୍ତ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ୨୦୦୭, ଏରାବୋର (ସୁକମା): CRPF ଏବଂ ଜିଲ୍ଲା ପୋଲିସ ଉପରେ ଆକ୍ରମଣ, ୨୩ ଯବାନ ସହିଦ୍ ।


୨୦୧୦, ତାଡମେଟଲା (ଦାନ୍ତେୱାଡା): ବିସ୍ଫୋରଣ, ୭୬ ଯବାନ ସହିଦ।୨୦୧୦, ଗାଦିରାସ: ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ, ୩୬ ଯବାନ ସହିଦ।୨୦୧୩, ଝିରମ ଉପତ୍ୟକା: କଂଗ୍ରେସ ନେତାଙ୍କ ସମେତ ୩୨ ଯବାନ ସହିଦ।୨୦୧୭, ଚିନ୍ତାଗୁଫା: ଆମ୍ବୁସ୍, ୨୫ ଯବାନ ସହିଦ।୨୦୨୦, କୋରଜାଗୁଡା (ସୁକମା): ଏନକାଉଣ୍ଟର, ୧୭ ଯବାନ ସହିଦ।


୨୦୨୧, ଟେକୁଲଗୁଡେମ (ବିଜାପୁର): ୨୧ ଯବାନ ସହିଦ। ମାଓ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆତ୍ମସମର୍ପଣ ବୋଲି କୁହାଯାଉଛି।ଏପଟେ ମାର୍ଚ୍ଚ ୨୦୨୬ ରେ ସରକାରଙ୍କ ଦ୍ୱାରା ନକ୍ସଲବାଦର ଅନ୍ତ ଘୋଷଣା ପରେ, ସୁରକ୍ଷା ବାହିନୀର ବର୍ଦ୍ଧିତ ଚାପ ଯୋଗୁଁ ଅନେକ ବଡ଼ ନକ୍ସଲ ନେତା ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ଏପରି ପରିସ୍ଥିତିରେ, ନକ୍ସଲ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ନକ୍ସଲ ନେତା ସୁଜାତାଙ୍କ ଆତ୍ମସମର୍ପଣ ନକ୍ସଲ ମୋର୍ଚ୍ଚାରେ ସୁରକ୍ଷା ବାହିନୀର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ବୋଲି ମଧ୍ୟ କୁହାଯାଉଛି।

International

ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ନେପାଳ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ । ସଂସଦ ଭାଙ୍ଗିବା ସହ ନୂଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୬ ମାର୍ଚ୍ଚ ୫ ତାରିଖରେ ହେବ ନିର୍ବାଚନ । ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ପ୍ରତିବାଦ । ଏଭଳି ପ୍ରତିବାଦ ପରେ ମାତ୍ର ୪ ଦିନରେ ବଦଳିଗଲା ନେପାଳ ସରକାର । ଅଶାନ୍ତ ନେପାଳର ମଙ୍ଗ ଧରିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ କରାଇଛନ୍ତି ଶପଥ ପାଠ । ଜେନ-ଜିଙ୍କ ଆନ୍ଦୋଳନ ପରେ ଓଲି ସରକାରର ପତନ ଘଟିଥିଲା । ପରେ ସେନା ନିୟନ୍ତ୍ରଣରେ ଶାସନ ଭାର ରହିଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁଶୀଲା କାର୍କି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କ ପ୍ରଥମ ପସନ୍ଦ ନଥିଲେ ସୁଶୀଳା । କାଠମାଣ୍ଡୁର ମେୟର ବାଲେନ୍ ଶାହ ଥିଲେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ, ଯିଏ ଏହି ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ବାଲେନ୍ ଦାୟିତ୍ବ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ପରେ ସୁଶୀଳାଙ୍କ ନାଁ ସାମ୍ବାକୁ ଆସିଥିଲା । ତା’ପରେ ବାଲେନ୍ ମଧ୍ୟ ସୁଶୀଳାଙ୍କୁ ନିଜର ସମର୍ଥନ ଦେଲେ । ଆଉ ଏଥିସହ ନେପାଳରେ ରାଜନୈତିକ ସଂକଟରେ ବିରାମ ଲାଗିଛି ।

City

ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଦୈନିକ ଖବର କାଗଜ ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ଶିଳ୍ପାଞ୍ଚଳ ସ୍ଥିତ ଅନୁପମ ଭାରତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଲେଖିକ ହୟଗ୍ରୀବ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ । ସୁଦାମ ଦାସ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ପରିଚାଳକ କୁରେଶ ପଣ୍ଡା, ସହ ସମ୍ପାଦକ ହରିଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ। ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଏହି ଅବସରରେ ଅନୁପମ ଭାରତ ରେ ନିଜର ଦୀର୍ଘ ଜୀବନ ର କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଜଗନ୍ନାଥ ଙ୍କ ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁପମ ଭାରତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

City

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଅବସରପ୍ରାପ୍ତ ନିଶ୍ଚେତକ ବିଭାଗ ପ୍ରାଧ୍ୟାପକ ଡା. ହରିହର ପଟ୍ଟନାୟକଙ୍କ ପରଲୋକ ହୋଇଛି।ଶନିବାର ଭୋର ୫ଟା ସମୟରେ ସିଦ୍ଧାର୍ଥ ନଗର ତୃତୀୟ ଲାଇନ୍ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଡ଼ାକ୍ତର ପଟ୍ଟନାୟକଙ୍କୁ ମୃତ ବେଳକୁ ୮୮ ବର୍ଷ ହୋଇଥିବା ବେଳେ ଦୀର୍ଘ ୩୦ , ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି।ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲର ନିଶ୍ଚେତକ ବିଭାଗରେ ପ୍ରାଧ୍ୟାପକ ରହିଥିଲେ। ଡ଼ା ପଟ୍ଟନାୟକ ବହୁ ଗରିବ ରୋଗୀଙ୍କ ପାଇଁ ସୁବିଧାରେ ଅସ୍ତ୍ରୋପଚାର ଓ ଚିକିତ୍ସା ବ୍ୟବସ୍ଥା କରିବା ସହ ଅତ୍ୟନ୍ତ ପରୋପକାରୀ ଏବଂ ମିଷ୍ଟଭାଷୀ ଡାକ୍ତର ଭାବେ ପରିଚିତ ଥିଲେ।ଅବସର ନେବା ପରେ ମଧ୍ୟ ବହୁ ସଂଗଠନ ସହ ଜଡ଼ିତ ରହି ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରୁଥିଲେ। ମୃତଶଯ୍ୟାରେ ଦୁଇପୁଅ ଓ ଦୁଇଝିଅ ରଞ୍ଜନ କୁମାର ପଟ୍ଟନାୟକ, ରଞ୍ଜିତ କୁମାର ପଟ୍ଟନାୟକ, ରଶ୍ମୀ ରେଖା କାନୁନଗୋ, ସସ୍ମିତା ରାୟ, ଜ୍ବାଇଁ,ନାତିନାତୁଣୀଙ୍କ ସମେତ ବହୁ ଆତ୍ମୀୟ ସୃଜନ ଉପସ୍ଥିତ ରହିଥିଲେ।ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର,ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,ବରିଷ୍ଠ ବିଜେଡ଼ି ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,କର୍ପୋରେଟର ସମୀର ମିଶ୍ର,ତିରୁପତି ପାତ୍ର,ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଡାକ୍ତର,ରାଜନେତା ,ବୁଦ୍ଧିଜୀବିଏବଂ ଏମ କେ ସି ଜି ମେଡ଼ିକାଲ୍ କଲେଜ ନିକଟରେ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ।

ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି।