ଦ କୁଇଭର ବ୍ୟୁରୋ :- ଦକ୍ଷିଣ ଭାରତୀୟସିନେ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା ପୁଷ୍ପା-୨ ଏବଂ ସିକନ୍ଦର ଭଳି ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ। ଗୋପନୀୟତା କାରଣରୁ ଉଭୟ ଏହି ଖବରକୁ ଲୁଚାଇ ରଖିଛନ୍ତି। ପୂର୍ବରୁ, ରଶ୍ମିକା ମନ୍ଦାନାଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ଶାଢ଼ୀ ପିନ୍ଧି ପୋଜ୍ ଦେଉଥିବାର ଦେଖାଯାଇଥିଲା। କିଛି ଲୋକ ଭାବିଥିଲେ ଯେ ଫଟୋଗୁଡ଼ିକ ଉଭୟଙ୍କ ନିର୍ବନ୍ଧ ସମୟର ହୋଇ ଥାଇପାରେ। ପୋଷ୍ଟରେ, ଅଭିନେତ୍ରୀ ପାରମ୍ପରିକ ଲୁକରେ ମଥାରେ ତିଳକ ଲଗାଇ ପ୍ରଶଂସକମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ରଶ୍ମିକା ମନ୍ଦାନା କିମ୍ବା ବିଜୟ ଦେବରକୋଣ୍ଡା ଏପର୍ଯ୍ୟନ୍ତ ନିର୍ବନ୍ଧକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିନାହାଁନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛୁଟିଦିନର ଫଟୋଗୁଡ଼ିକ ଭାଇରାଲ ହେଉଥିବା ବେଳେ, ସେମାନଙ୍କ ନିର୍ବନ୍ଧ ଏବଂ ବିବାହ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଏବେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।