ଦ କୁଇଭର ବ୍ୟୁରୋ :- ଘରୁ ଠାବ ହେଲା ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ଏକାଧିକ ଗୁପ୍ତ ଡାଇରୀ । ଖୋଲିବ ମର୍ଡର ମିଷ୍ଟ୍ରି । ଏହି ଡାଇରୀରେ ବାଲି ବେପାରୀ,ମଦ ବେପାରୀ, ବିଲଡର ,ବିଭିନ୍ନ ବ୍ୟବସାୟୀ ଓ ନେତାଙ୍କ ନାମ ଲେଖା ହୋଇଛି । ପୀତବାସ ପଣ୍ଡାଙ୍କ ଠାରୁ କିଏ କେଉଁ ତାରିଖରେ କେତେ ଟଙ୍କା ନେଇଛନ୍ତି । ଆଉ କିଏ କେଉଁ ତାରିଖରେ କେତେ ଟଙ୍କା ଦେଇଛନ୍ତି ତାହା ପୂରା ଉଲ୍ଲେଖ ରହିଛି । ସବୁଠାରୁ ବଡ଼ କଥା ହେଲା ଯାହାକୁ ପୀତବାସ ଟଙ୍କା ଦେଇଛନ୍ତି ତାହା ହଜାର କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା । ସାଢ଼େ ୨ କୋଟିରୁ ଅଧିକ ଟଙ୍କା ପୀତବାସଙ୍କ ଠାରୁ କିଛି ବ୍ୟକ୍ତି ବିଶେଷ ନେଇଥିବା ଜଣାପଡିଛି । ପୀତବାସଙ୍କ ଜଣେ ଘନିଷ୍ଟ ବନ୍ଧୁ ତାଙ୍କ ଠାରୁ ପ୍ରାୟ ୮୦ ଲକ୍ଷଟଙ୍କା ନେଇଥିଲେ । ଦୀର୍ଘଦିନ ହେବ ସେ ଫେରାଇ ନଥିଲେ । ଫଳରେ ସେହି ବନ୍ଧୁ ଜଣକ ସହରରେ ଥିବା ତାଙ୍କର ଏକ ଘରକୁ ପୀତବାସଙ୍କ ପରିବାର ଲୋକଙ୍କୁ ବିକି ଦେଇଥିଲେ । ସେହି ଘର ବିକ୍ରି ପରେ ମଧ୍ୟ ସମ୍ପୃକ୍ତ ବନ୍ଧୁ ଜଣକ ଆହୁରି ୩୦ ଲକ୍ଷରୁ ଅଧିକ ଟଙ୍କା ପୀତବାସଙ୍କୁ ଦେବାର ଥିଲା ବୋଲି ଜଣାପଡିଛି ।
ସେହିପରି ଅନେକ ଲୋକ ଟଙ୍କା ନେଇ ଏଯାଏ ମୁହଁ ଖୋଲି କହି ନାହାନ୍ତି । କିନ୍ତୁ ଯିଏ ଟଙ୍କା ନେଉଛି ତାଙ୍କର ନାଁ ଓ କେତେ ଟଙ୍କା ପୀତବାସଙ୍କ ଠାରୁ ନେଇଛନ୍ତି ତାହା ମିଳିଥିବା ଡାଇରିରେ ଉଲ୍ଲେଖ ରହିଛି । ପରିବାର ଲୋକ ସେହି ଡାଇରୀଗୁଡିକୁ ପୋଲିସକୁ ଦେଇନଥିଲେ ବି ଏଥିରେ ଉଲ୍ଲେଖ ଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ପୋଲିସ ଏକାଧିକ ବ୍ୟକ୍ତିଙ୍କୁ ଜେରା କରି ଛାଡ଼ିଥିବା ଜଣାପଡିଛି । ଆବଶ୍ୟକ ହେଲେ ପୁଣି ସେହି ବ୍ୟକ୍ତିଙ୍କୁ ପୋଲିସ ଜେରା କରିବ ବୋଲି ଶୁଣିବାକୁ ମିଳୁଛି । ଅକ୍ଟୋବର ୬ତାରିଖ କୁମାର ପୂର୍ଣ୍ଣିମାରେ ପୀତବାସ ପଣ୍ଡାଙ୍କୁ ଘର ଆଗରେ ଗୁଳିମାରି ହତ୍ୟା କରିଥିଲେ ଦୁର୍ବୃତ୍ତ । ବାଇକରେ ୨ ଦୁର୍ବୃତ୍ତ ଆସି ଅତି ନିକଟରୁ ଫାୟାରିଂ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏମକେସିଜି ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।