ଦ କୁଇଭର ବ୍ୟୁରୋ :- ଚିଲିକାକୁ ଆସିଲେଣି ବିଦେଶୀ ବିହଙ୍ଗ । କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ମରାଳମାଳିନୀ ନିଳାମ୍ବୁ ଚିଲିକା । ଶୀତର ଆଗମନ ପୂର୍ବରୁ ହଜାର ହଜାର ମାଇଲ ଅତିକ୍ରାନ୍ତ କରି ଚିଲିକାରେ ପହଞ୍ଚିବାରେ ଲାଗିଛନ୍ତି ବିଦେଶୀ ପକ୍ଷୀ । ଆଗକୁ ଆହୁରି ବିଦେଶୀ ପକ୍ଷୀଙ୍କ ଆଗମନ ହେବାକୁ ଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା । ନୀଳଜଳ ରାଶି ସଭିଁଙ୍କୁ କରେ ଆନମନା । ତେବେ ଚିଲିକାର ଆଉ ଏକ ସୌନ୍ଦର୍ଯ୍ୟ ହେଉଛି ବିଦେଶୀ ପକ୍ଷୀଙ୍କ ସମାଗମ । ଯାହା ପକ୍ଷୀବିହାର ଚିଲିକା ଭାବରେ ଜଣାଶୁଣା । ତେବେ ଶୀତ ଋତୁ ସମୟରେ ଚିଲିକାକୁ ଛୁଟି ଆସନ୍ତି ବିଦେଶୀ ପକ୍ଷୀ । ଚିଲିକା ଜଳରାଶି ଓ ଚତୁଃପାର୍ଶ୍ବରେ ଭଳିକି ଭଳି ବିଦେଶୀ ପକ୍ଷୀଙ୍କ କଳାରବରେ ଫାଟିବ ଚିଲିକାର ସୁନ୍ଦର ପରିବେଶ । ଦୀର୍ଘ 3-4 ମାସ ଧରି ଚିଲିକାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାନ୍ତି ଏହି ବିଦେଶୀ ପକ୍ଷୀ ।ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର କିଲୋମିଟର ଦୂରରୁ ଆସିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ହଜାର ହଜାର ବିଦେଶୀ ପକ୍ଷୀ । ତେବେ ବିଦେଶୀ ପକ୍ଷୀଙ୍କ ଓ ସେମାନଙ୍କ ଶାବକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଏକାଧିକ ପଦକ୍ଷେପ ଗ୍ରହଣ କରୁଛି । ତେବେ ବର୍ତ୍ତମାନ ସମୟରେ ପକ୍ଷୀ ଆସିବା ଆରମ୍ଭ କରିଛନ୍ତି, ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କିନ୍ତୁ ଏହା ସହିତ ସେମାନଙ୍କ ସୁରକ୍ଷା ଓ ସେମାନଙ୍କର ସେବକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଦିଗ ପ୍ରତି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଚିଲିକା ଡ଼ିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି l