ଦ କୁଇଭର ବ୍ୟୁରୋ :-:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ କରାଯାଉଛି।
ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ହେଲା-
୧. ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଗୋଟିଏ ୨ ବିଏଚକେ ଫ୍ଲାଟ୍।
୨. ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା।
୩. ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କର କାର୍ଯ୍ୟାଳୟ।
୪. ଭୁବନେଶ୍ୱରର ସହୀଦ ନଗରର ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍।
No comments yet.
State
ଦ କୁଇଭର ବ୍ୟୁରୋ:- ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ । ପାଗ ଅନୁକୂଳ ଥିବାରୁ ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ମେ' ୨୪ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମୀ । ଆଜି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ପ୍ରଦାନ କରିଛି । ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗୋଟିଏ ପଟେ ବଙ୍ଗୋପ ସାଗରରେ ଲଘୁଚାପ ବଳ ଗୋଟାଉଥିବା ବେଳେ ଓଡିଶାରେ ମୌସୁମୀ ପ୍ରବେଶ କରିଛି । ଲଘୁଚାପ ବପର୍ତ୍ତମାନ ଓ୍ୱେଲ ମାର୍କରେ ପରିଣତ ହୋଇଛି । ଜୁନ ମାସରେ ସାଧାରଣତଃ ମୌସୁମୀ ଆସୁଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିଛି । ଦକ୍ଷିଣ ପଶ୍ଚିମ ମୋସୁମୀ ବାୟ ଦକ୍ଷିଣ ଓଡିଶାର କିଛି ଅଞ୍ଚଲରେ ପ୍ରବେଶ କରିଛି ।
ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି, "ଓଡିଶାକୁ ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସମ୍ପୂର୍ଣ୍ଣ ମାଲକାନାଗିରି, କୋରାପୁଟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ସମ୍ପୁର୍ଣ୍ଣ ଅନୁଗୁଳ ରହିଛି ।"ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିଛି।ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଝଟକା ଝଟକା ପବନ ମଧ୍ୟ ବହିବା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ , ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର , ପ୍ରୋବେସନ ପ୍ରଶାସନିକ ଅଧିକାରୀ ମ୍ରିନାଲିକା ରାଠୋର ଙ୍କ ଉପସ୍ଥିତିରେ ଆଜିର ଏହି ଅଭିଯୋଗ ଶୁଣାଣି ହୋଇଥିଲା।ସମୁଦାୟ ୩୫ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା l ବ୍ୟକ୍ତିଗତ ଅଭିଯୋଗ ୩୨ଟି ଥିବାବେଳେ ସାମୁହିକ ଅଭିଯୋଗ ୨ଟି ରହିଥିଲା ଏବଂ ତ୍ୱରିତ ଦୁଇଟି ଅଭିଯାଗର ଫଇସଲା ହୋଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠି ତରଫରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା l ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଶିକ୍ଷା ,ସ୍ଵାସ୍ଥ୍ୟ,ସୁଭଦ୍ରା,ଜଳ ସମସ୍ୟା ଇତ୍ୟାଦି ବିଷୟରେ ରହିଥିଲା l ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ରେ ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ , ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର ଏଵଂ ବିଡ଼ିଓ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହିଥିଲେ
State,Farming
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଭୟ ସାଧାରଣ ମାନର ଓ ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୬୯ ଟଙ୍କା ବଢ଼ିଛି। ଫଳରେ ସାଧାରଣ ମାନ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୨୩୬୯ ଟଙ୍କା ହୋଇଛି। ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇବ୍ରିଡ୍ ଯଅର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୩୨୮ ଟଙ୍କା ବୃଦ୍ଧି ପାଇ ୩୬୯୯ ଟଙ୍କା ଏବଂ ମାଲଦାଣ୍ଡି ମାନର ଯଅ ମୂଲ୍ୟ ୩୭୪୯ ଟଙ୍କାକୁ ବୃଦ୍ଧି ପାଇଛି। ବାଜାରା ଏମ୍ଏସ୍ପି ୧୫୦ ଟଙ୍କା ବଢ଼ି ୨୭୭୫ ଟଙ୍କା, ମାଣ୍ଡିଆ ଦାମ୍ ୫୯୬ ଟଙ୍କା ବୃଦ୍ଧି ପାଇ ୪୮୮୬ ଟଙ୍କା ହୋଇଛି। ମକା ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୧୭୫ ଟଙ୍କା ବୃଦ୍ଧି ସହ ୨୪୦୦ ଟଙ୍କା ହୋଇଛି।
ଅନ୍ୟପଟେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଶୋଧିତ ସୁଧ ରିହାତି ଯୋଜନାକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି)ରେ ଚାଷୀମାନେ ୭ ପ୍ରତିଶତ ସୁଧରେ ଓ ୧.୫ ପ୍ରତିଶତ ସୁଧ ରିହାତି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଯେଉଁ ଚାଷୀମାନେ ତ୍ବରିତ ଋଣ ପରିଶୋଧ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଫଳରେ କେସିସି ଋଣରେ ସେମାନଙ୍କ ପାଇଁ ସୁଧ ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ। ପଶୁପାଳନ ଓ ମତ୍ସ୍ୟଚାଷ ଉଦ୍ଦେଶ୍ୟରେ ନିଆଯାଉଥିବା ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଲେ, ସେଥିରେ ସୁଧ ରିହାତି ଲାଗୁ ହେବ।
State
ଦ କୁଇଭର ବ୍ୟୁରୋ:- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।
State
ପାଟଣାଗଡ଼( ଦ କୁଇଭର ):- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍। ମୃତ୍ୟୁ ଯାଏ ସେ ଜେଲରେ ରହିବେ ବୋଲି ସରକାରୀ ଓକିଲ କହିଛନ୍ତି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା ବି କରାଯାଇଛି। ସୂଚନା ଯୋଗ୍ୟ,୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍ ସବ୍ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
National
ନୂଆଦିଲ୍ଲୀ( ଦ କୁଇଭର):- ଆଇଏନଏସ୍ ବିକ୍ରାନ୍ତରୁ ରାଜନାଥଙ୍କ ରଣହୁଙ୍କାର । ପ୍ରତିରକ୍ଷା ମନ୍ତ୍ରୀ କହିଲେ, ପଡ଼ୋଶୀ ଦେଶ ପୁଣିଥରେ ନିଜ ଭୁଲ ଦୋହରାଇଲେ ବଞ୍ଚିବାକୁ ଦେବୁନାହିଁ ସୁଯୋଗ। କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା । ‘ଅପରେସନ ସିନ୍ଦୂର’ରେ ଟାର୍ଗେଟରେ ଥିଲା କରାଚୀ ବନ୍ଦର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ୍ କରି କହିଛନ୍ତି, ‘‘ଏଥର ଯଦି ପାକିସ୍ତାନ କିଛି ଭୁଲ କରେ, ତେବେ ଆମେ ଆତଙ୍କବାଦ ବିରୋଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା ଶତ୍ରୁ ଦେଶ ଚିନ୍ତା ମଧ୍ୟ କରିପାରିବ ନାହିଁ । ଏଥର ଯଦି ପାକିସ୍ତାନ କୌଣସି ପଦକ୍ଷେପ ନିଏ, ତେବେ ଆମର ନୌସେନା ଏହାର ଉଦଘାଟନ କରିବ।’’ ଅପରେସନ୍ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏହା କେବଳ ଏକ ବିରତି । ଯଦି ପାକିସ୍ତାନ ପୁଣିଥରେ ସମାନ ଭୁଲ କରେ, ତେବେ ଭାରତର ପ୍ରତିକ୍ରିୟା ଆହୁରି କଠୋର ହେବ ଏବଂ ଏଥର ନିଜକୁ ସୁଧାରିବା ପାଇଁ ସୁଯୋଗ ବି ଦିଆଯିବନି । ପାକିସ୍ତାନ ଏହା ମନେରଖୁ ଯେ ଯଦି ଗୋଟିଏ ପଟେ ଆମର ନୌସେନା ସମୁଦ୍ର ପରି ଶାନ୍ତ ହୋଇଥାଏ, ଅନ୍ୟପଟେ ଏହା ସମୁଦ୍ର ପରି ସୁନାମୀ ମଧ୍ୟ ଆଣିପାରେ।" ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଥରେ କଳ୍ପନା କରି ଦେଖନ୍ତୁ। ଯିଏ ଜଣେ ଚୁପ ରହିବି ଅନ୍ୟ ଦେଶର ସୈନ୍ୟଙ୍କୁ ବୋତଲରେ ବନ୍ଦି କରି ରଖିପାରେ, ସେ ଯଦି କେବେ ମୁହଁ ଖେଲିବ ତେବେ କଣ ହେବ? ପାକିସ୍ତାନ ଯଦି ନସୁଧୁରେ ତେବେ ଏଥର ନା ସ୍ଥଳ ସେନା ନା ବାୟୁସେନା, ଏଥର ଉଦଘାଟନ ଆମର ନୌସେନା କରିବ।"
State,Sports
ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍ପି ଅଫିସ୍ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।
National,State
ଦ କୁଇଭର ବ୍ୟୁରୋ:- ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ ।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ ।
State
ଗଜପତି ( ଦ କୁଇଭର ):- ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ସୁଚନା ପ୍ରକାରେ,ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
National
ଦ କୁଇଭର ବ୍ୟୁରୋ:- ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ, କିପରି ସତର୍କ ରହିବେ, ନିଜକୁ କିପରି ସୁରକ୍ଷିତ ରଖିବେ, ଏନେଇ ଅଭ୍ୟାସ କରାଯିବ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି, ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସୂଚନା ପ୍ରକାରେ,୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା ଭାରତୀୟ ବାୟୁସେନା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ତେବେ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।
Shree Jagannath
ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।
National,Business
ଦ କୁଇଭର ବ୍ୟୁରୋ:- ଜୁନ୍ ୧ ତାରିଖରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି। ଏହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଭଳି ପ୍ରତିଷ୍ଠାନଗୁଡ଼ିକୁ ଲାଭ ଦେବ। ଦର ହ୍ରାସ ଯୋଗୁ ବ୍ୟବସାୟ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ଲଗାତାର ତୃତୀୟ ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା।
State
ଭୁବନେଶ୍ୱର( ଦ କୁଇଭର ):- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା। ସେହିପରି ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବ ପାରିତ ହୋଇଥିଲା। ବୁଧବାର ନୂଆ ଢାଞ୍ଚାରେ କ୍ୟାବିନେଟ୍ ବୈଠକ ହୋଇଥିଲା। କେବଳ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗର ସଚିବଙ୍କୁ ବୈଠକରେ ବସିବାକୁ ଅନୁମତି ନଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ୍ ବୈଠକରେ ଓଡ଼ିଶା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ନୀତି-୨୦୨୫କୁ ମଞ୍ଜୁରି ମିଳିଛି। ଏହା ଅଧୀନରେ ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ୍ ଗଠନ କରିବେ; ଯାହା ବିଭିନ୍ନ ବିଭାଗରେ ଏଆଇକୁ ପ୍ରୟୋଗ କରିବାର ଶୀର୍ଷ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ। ଏହା ଉଚ୍ଚସ୍ତରୀୟ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍ ଭଳି ଦ୍ବି-ସ୍ତରୀୟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ରେ ଏଆଇ ସେଲ୍ ରହିବ। ଏହା ଏଆଇର ଗ୍ରହଣୀୟତା, ପାଇଲଟ୍ ପ୍ରକଳ୍ପ ଓ ବ୍ୟାବହାରିକ ମାମଲାଗୁଡ଼ିକୁ ତ୍ବରାନ୍ବିତ କରିବା ଉପରେ କାମ କରିବ। ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଭଳି ଏଆଇ ବ୍ୟବହାର ହୋଇପାରିବ, ସେହି ସୁଯୋଗ ଓ ସମ୍ଭାବନାଗୁଡ଼ିକୁ ଚିହ୍ନଟ କରାଯିବ। ଏଆଇ ସହଯୋଗରେ ରୋଗର ପୂର୍ବାନୁମାନ ଓ ସ୍କ୍ରିନିଂ, ସ୍ମାର୍ଟ ଜଳସେଚନ, ଫସଲ ନିଦାନ, ଶିକ୍ଷାରେ ବହୁଭାଷୀ ଏଆଇ ଟୁଲ୍, ପ୍ରତିଷେଧମୂଳକ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଓ ବୁଦ୍ଧିମାନ ନାଗରିକ ସମ୍ପୃକ୍ତି ପ୍ଲାଟ୍ଫର୍ମ ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏଆଇର ନୈତିକ ଓ ଦାୟିତ୍ବବାନ ବ୍ୟବହାର ଉପରେ ନୀତିରେ ଗୁରୁତ୍ବ ଦିଆଯାଇଛି। ଏହା ଓଡ଼ିଶାକୁ ଏଆଇ ନବସୃଜନ, ଏଆଇ ଷ୍ଟାର୍ଟଅପ୍ ଓ ରପ୍ତାନିଭିତ୍ତିକ ଏଆଇ ସମାଧାନ ହବ୍ରେ ପରିଣତ କରିବ ବୋଲି କୁହାଯାଇଛି। ଜଗତସିଂହପୁର ଜିଲ୍ଲାର ଜିଲ୍ଲାର ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଓ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ହୋଇଥିବା ରିହାତି ଚୁକ୍ତିନାମାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଫଳରେ ସରକାର ଓ କମ୍ପାନି ମଧ୍ୟରେ ରିହାତି ଚୁକ୍ତିନାମା ସ୍ବାକ୍ଷର ବାଟ ଫିଟିଛି। ୨୦୧୮ରେ ଏହି ପ୍ରକଳ୍ପକୁ ସରକାର ନୀତିଗତ ଅନୁମୋଦନ ଦେଇଥିଲେ ଓ ୨୦୨୨ ଡିସେମ୍ବର ୩ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ଜେଟି ବନ୍ଦରକୁ ସଂଯୋଗ କରୁଥିବା ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହିତ କରିବ। ଏହା ରାଜ୍ୟ ପାଇଁ ରାଜସ୍ବ ସୃଷ୍ଟି କରିବ ଓ ୩୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।
ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୫ କ୍ୟାବିନେଟ୍ରେ ପାରିତ ହୋଇଛି। ଏବେ ୧୯୭ ଜଣ ଚକ୍ଷୁ ଚିକିତ୍ସା ସହାୟକ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ଗତ ବର୍ଷ ମାର୍ଚ୍ଚ ମାସରେ ଚକ୍ଷୁ ଚିକିତ୍ସା ସେବା ଅଧୀନରେ ମୂଳ ପଦବିରେ ୩୩୮ଟି ସମେତ ମୋଟ୍ ୫୩୮ଟି ପଦବି ସୃଷ୍ଟି କରିଥିଲେ। ଏଥି ସହ ମୂଳ ପଦବିରେ ୧୪୧ଟି ନୂଆ ପଦବି ସୃଷ୍ଟି ହେବ। ପଦୋନ୍ନତି ଭିତ୍ତିରେ ବିଭିନ୍ନ ପଦବି ପୂରଣ ପାଇଁ ମୋଟ୍ ୨୦୦ଟି ପଦବି ସୃଷ୍ଟି କରାଯାଇଛି। ଏହା ଦ୍ବାରା ମୂଳ ପଦବିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମାଗାଦି ନୂଆ ରୂପ ନେବ। ଏଠାରେ ଉନ୍ନତିମୂଳକ କାର୍ଯ୍ୟ ସହ ଶୂନ୍ୟ ମଣ୍ଡପ ନିର୍ମାଣ କରାଯିବ। ଏଥି ପାଇଁ ହୋଇଥିବା ଟେଣ୍ଡରରେ ଏମ୍ଏସ୍ ଆଇରନ୍ ଟ୍ରାଏଙ୍ଗଲ୍ ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ଏହି କାମର ବ୍ୟୟ ଅଟକଳ ରହିଛି ୧୭୧ କୋଟି ୧୧ ଲକ୍ଷ ଟଙ୍କା। ବୁଧବାର କ୍ୟାବିନେଟ୍ରେ ଏହି ଟେଣ୍ଡରକୁ ଅନୁମୋଦନ ମିଳିବା ସହ ୩୬ ମାସରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗସ୍ ଫାଇନାଲରେ ପ୍ରବେଶ କରିଛି। ଏବେ ପଞ୍ଜାବ କିଙ୍ଗସ୍ ଜୁନ୍ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସିଜିନ୍ ର ଫାଇନାଲ୍ ଖେଳିବା ଦେଖିବାକୁ ମିଳିବ। ଏହି ପରାଜୟ ସହିତ, ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଯାଇଛି। ଏହି ସିଜିନ୍ ସାରା ଚମତ୍କାର ପ୍ରଦର୍ଶନ କରିଥିବା ମୁମ୍ବାଇ କ୍ୱାଲିଫାୟର ୨ରୁ ଆଗକୁ ବଢ଼ିପାରି ନାହିଁ l ଏହି ମ୍ୟାଚ୍ ରେ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ଯାଏ। ଶ୍ରେୟସ୍ ତୃତୀୟ ଓଭରରେ କ୍ରିଜ୍ କୁ ଆସିଥିଲେ ଏବଂ ୧୯ ଓଭର ଶେଷ ପର୍ଯ୍ୟନ୍ତ କ୍ରିଜ୍ ରେ ରହି ତାଙ୍କ ଦଳକୁ ବିଜୟୀ କରାଇ ଫାଇନାଲ୍ ରେ ପହଞ୍ଚାଇଥିଲେ। ଏହା ସହିତ ପଞ୍ଜାବ ୧୧ ବର୍ଷ ପରେ ଆଇପିଏଲ୍ ର ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୪ ପରେ, ଏବେ ପଞ୍ଜାବ ଆଇପିଏଲ ୨୦୨୫ ରେ ଦ୍ୱିତୀୟ ଫାଇନାଲ୍ ଖେଳିବାର ଦେଖିବାକୁ ମିଳିବ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହା ସହିତ ଶ୍ରେୟସ ଆୟର ଆଇପିଏଲ ଇତିହାସରେ ୩ଟି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଏବେ ପଞ୍ଜାବ କିଙ୍ଗସକୁ ଆଇପିଏଲ ର ଫାଇନାଲରେ ପହଞ୍ଚାଇଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ କେକେଆର କୁ ୨୦୨୪ର ବିଜେତା ମଧ୍ୟ କରାଇଛନ୍ତି।
Health & lifestyle,State
ଦ କୁଇଭର ବ୍ୟୁରୋ:- କୋଭିଡ୍-୧୯ ପୁଣି ଥରେ ସାରା ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏଣେ ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି। ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଛି। ଫଳରେ ରାଜ୍ୟଗୁଡ଼ିକ କୋଭିଡ୍ ପରୀକ୍ଷା ବୃଦ୍ଧି ଏବଂ ହସ୍ପିଟାଲ ବେଡ୍ ପ୍ରସ୍ତୁତି ଭଳି ପ୍ରତିରୋଧକ ପଦକ୍ଷେପ ନିଆଯାଉଛି। ଏବେ ଜାଣିବାକୁ ମିଳିଛି ଯେ ପ୍ରାଥମିକ ସ୍ତରରେ ଆକ୍ରାନ୍ତମାନେ ଜ୍ବର ଓ ଡାଇରିଆରେ ପଡୁଛନ୍ତି। ସେହିକାରଣରୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଉଚିତ।
State
ବ୍ରହ୍ମପୁର( ଦ କୁଇଭର):- ରାଜ୍ୟରେ ଦିନକୁ ଦିନ ଅପରାଧ ଆଉ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଚଳାଇଛି ଖୁଲମ ଖୁଲା ଅପରାଧ l ଏକ ପ୍ରକାର ପୋଲିସ ପ୍ରଶାସନର ନିଦ ହଜାଇଦେଇଥିବା ବେଳେ ଏ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ସହର ରେ ଅପରାଧୀଙ୍କୁ ଖୋଜି ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ରହ୍ମପୁର ପୋଲିସ ପାଇଁ କିନ୍ତୁ ଏହି ଚ୍ୟାଲେଞ୍ଜ କୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣl ବିବେକ ଏମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧୀମାନଙ୍କ ଚେର କୁ ଗୋଟେ ପରେ ଗୋଟେ କରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ପ୍ରଶାସନ l
ବ୍ରହ୍ମପୁରରେ ଚାଲିଛି ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ l ତେବେ ଏସପି ଙ୍କ ନିର୍ଦେଶ କ୍ରମେ ଗୋଶାଣୀନୂଆଗାଁ ଏବଂ ବୈଦ୍ୟନାଥ ପୁର ପୋଲିସ ର ମିଳିତ ଉଦ୍ୟମରେ ଶନିବାର ବ୍ରହ୍ମପୁର ସହରରେ ୭ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ନଗଦ ୧,୧୧,୫୦୦ ଟଙ୍କା,ଗୋଟିଏ ମହେନ୍ଦ୍ର ଟିୟୁଭି ୩୦୦ ଏବଂ ଅନେକ ବୋମା ଜବତ କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଗୋଶାଣୀନୂଆଗାଁ ଅଞ୍ଚଳରୁ ହୋଇଥିବା ବେଳେ ବଳକା ୨ ଜଣ ଅପରାଧୀ ବୈଦ୍ୟନାଥ ପୁର ଥାନା ଅଂଚଳର ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବଢ଼ୁଛି କୋଭିଡ ମାମଲା l ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଡରନ୍ତୁ ନାହିଁ କିନ୍ତୁ ସତର୍କ ସହ ସଚେତନ ରୁହନ୍ତୁ,ସାମାଜିକ ଦୂରତା/ଗହଳି ସ୍ଥାନ/ଭୋଜି ଭାତ ଠୁ ଯେତେ ପାରିବେ ଦୁରେଇ ରୁହନ୍ତୁ l ଅନାବଶ୍ୟକ କାର୍ଯ୍ୟ କରନ୍ତୁ ନାହିଁ l ମାସ୍କ ପିନ୍ଧିବା ଆରମ୍ଭ କରିଦିଅନ୍ତୁ l ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାନ୍ତୁ l
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
State
ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"