Banner Ad

ନବୀନଙ୍କ ସଭାପତିତ୍ବରେ ୭୧ ଜଣିଆ ସାଂଗଠନିକ କମିଟି ଗଠନ : ହଟିଛି ସମ୍ପାଦକ ପଦ

ନବୀନଙ୍କ ସଭାପତିତ୍ବରେ ୭୧ ଜଣିଆ ସାଂଗଠନିକ କମିଟି ଗଠନ : ହଟିଛି ସମ୍ପାଦକ ପଦ
Published by : Jyotshna Kumari
#State
May 6, 2025, 8:50 AM

ଦ କୁଇଭର ବ୍ୟୁରୋ:- ଦଳର ସଂଗଠନକୁ ନୂଆ ରୂପ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସଂଗଠନର କଳେବର ବୃଦ୍ଧି କରିବା ସହ ବହୁ ଦିଗକୁ ବିଚାର କରି କମିଟି ଗଠନ କରିଛନ୍ତି ନବୀନ। ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିଛନ୍ତି ବିଜେଡି ସଭାପତି। ଦୀର୍ଘ ବର୍ଷ ପରେ ବିଜୁ ଜନତା ଦଳ ସଂଗଠନକୁ ଫେରିଛି, ରାଜନୈତିକ ବ୍ୟାପାର କମିଟି- PAC। ଗଠିତ ହୋଇଛି ବିଜେଡିର ପଲିଟିକାଲ ଆଫାୟାର୍ସ କମିଟି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଭିନ୍ନ ଛାମୁଆ ସଂଗଠନର ଆବାହକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜେଡି ସଭାପତି ୭୧ ଜଣିଆ ରାଜ୍ୟ ସ୍ତରୀୟ ସାଂଗଠନିକ କମିଟି ଗଠନ କରିଛନ୍ତି। ପୂର୍ବରୁ ସଂଗଠନ ସମ୍ପାଦକ ପଦ ଥିବା ବେଳେ ଏହାକୁ ଏଥର ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପଦରେ ପ୍ରଣବ ପ୍ରକାଶ ଦାସ ଥିବାବେଳେ ନୂଆ ସାଙ୍ଗଠନିକ ଦାୟିତ୍ୱରେ କିନ୍ତୁ ଏହି ପଦ ଆଉ ରହିନାହିଁ। ୭୧ ଜଣିଆ ସାଂଗଠନିକ କମିଟିରେ-୭ ଜଣ ବରିଷ୍ଠ ଉପସଭାପତି,୮ ଜଣ ଉପସଭାପତି

ଜଣେ କୋଷାଧ୍ୟକ୍ଷ,୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ,୩୫ ଜଣ ସାଧାରଣ ସମ୍ପାଦକ ଙ୍କୁ ନିଯୁକ୍ତି ମିଳିଛି l


ବିଜେଡି ସଂଖ୍ୟାଲଘୁ ସେଲକୁ ମଧ୍ୟ ବିଜେଡି ସଭାପତି ପୁନର୍ଗଠନ କରିଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ନିଯୁକ୍ତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେହିପରି ସହ ଆବାହକ ରିଜୱାନା ବେଗମ, ଦକ୍ଷିଣ ଜୋନର ସଂଯୋଜକ ମୁଜିବୁଲ୍ଲା ଖାଁ, ପଶ୍ଚିମ ଜୋନର ସଂଯୋଜକ ଆୟୁବ ଖାଁ, ମଧ୍ୟ ଜୋନର ସଂଯୋଜକ ହୋଇଛନ୍ତି ସେକ୍ ନିଜ୍ଜାମୁଦ୍ଦୀନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ଏହି ଟିମରେ ପ୍ରଫୁଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିନାହିଁ ଏବଂ ସେମାନେ ନିରାଶ ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ବିଜେଡି ବଳକା ଥିବା ଆଉ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ ସଂଗଠନ ଜିଲ୍ଲା ମଧ୍ୟରୁ ପୂର୍ବରୁ ଦଳ ୧୮ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତି ଦେଇଛି। ବଳକା ୧୫ ସାଂଗଠନିକ ଜିଲ୍ଲାରୁ ୬ ଜିଲ୍ଲା ସଭାପତି ଘୋଷଣା ହେବା ପରେ ଆଉ ୯ଟି ଜିଲ୍ଲା ବାକି ରହିଲା। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-2 ପାଇଁ ଦେବାଶିଷ ମାର୍ଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଜାରୀ ଓ ବଲାଙ୍ଗିର ପାଇଁ ସରୋଜ କୁମାର ମେହେର ନିର୍ବାଚିତ ହୋଇଥିବା ସୂଚନା ମିଳିଛି l

Leave a Comment

Comments

No comments yet.

Best Biofloc Fish Farming

ad
Read more

State,Education,Politics

ଏଫଏମ ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ୱର ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାର ସହ ଭେଟିଲି।ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରକୁ ସମବେଦନା ଦେଲି। ଏବେ ସମସ୍ୟା ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା। ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି।ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁଠି ପହଞ୍ଚିଲାଣି ତାହା ଚିନ୍ତାର ବିଷୟ। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ , ସ୍ପଷ୍ଟ ଓ କୋଠର ଆଭିମୁଖ୍ୟ ଦେଖାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ନିଜର ଦାୟିତ୍ବ ନେଇଛନ୍ତି। ଯାହା ଉଚିତ୍ ପଦକ୍ଷେପ ହେବ ମୋର ଆଶା ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଶିକ୍ଷା ଜଗତରେ ଏବେ ଯେଉଁ ପ୍ରଶ୍ନ ଉଠିଛି ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ। ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନ ଦେବା ମୁଁ ଉଚିତ୍ ମନେ କରୁଛି। ଏବେ ଝିଅ ଯେଉଁ ଅବସ୍ଥାରେ ଅଛି ଆମର ପ୍ରଥମ ଦାୟିତ୍ବ ତାକୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟିତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର ମଧ୍ୟ l

Health & lifestyle,State

ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସରେ ସଚେତନତା ରାଲି ସହ ଆଲୋଚନା

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ବଡ ଡାକ୍ତର ଖାନା ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ମଙ୍ଗଳବାର ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରୁଥିରାଜ୍ ସିଂହ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ରାଲି ବାହାରି ମେଡିକାଲ ଅଞ୍ଚଳ ପରିକ୍ରମା କରି ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ ର ଆବଶ୍ୟକତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଠାରେ ପ୍ଲାଷ୍ଟିକ ସର୍ଜରୀ ଦିବସ ସମ୍ପର୍କ ରେ ବିଭାଗୀୟ ମୂଖ୍ୟ ପ୍ରଫେସର ସିଂହ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ କେକ କଟା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ତନ୍ମୟ କୁମାର ମହାପାତ୍ର, ଡ଼ା ଜସ୍ମିନ କୁମାର୍ ପାଣିଗ୍ରାହୀ, ଡ଼ା ଶିବରାମ କ୍ରିଷ୍ଣା , ଡ଼ା ଜ୍ୟୋତି ରଞ୍ଜନ ପ୍ରଧାନ ଡ଼ା ଲିପ୍ସା ସ୍ୱାଇଁ , ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଶି ଙ୍କ ସମେତ ବହୁ ଡାକ୍ତର ଛାତ୍ରଛାତ୍ରୀ, ସେବିକା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବହୁ ଗୁରୁତ୍ଵ ପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଉଛି । ଗ୍ରହଣ ଖଣ୍ଡିଆ, ସ୍ତନ କର୍କଟ, ମୁଖ ରୋଗ କର୍କଟ ଚିକିତ୍ସା, ଦୁର୍ଘଟଣା ଜନିତ କ୍ଷତ , ମୁଖ ରେ ଲୋମ ଉଠିବା, ଏପରି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଜନସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଥିଲା।

National,Sports,International

ଅଲଗା ହେଲେ ସାଇନା-କଶ୍ୟପ

Blog Thumbnail

ଦ କୁଇଭର ବ୍ୟୁରୋ :- ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପ ୨୦୧୮ରେ ବିବାହ କରିଥିଲେ। ଉଭୟ ନିଜ ନିଜ କ୍ୟାରିୟରର ଶିଖରରେ ବଡ଼ ସଫଳତା ହାସଲ କରିଛନ୍ତି। ଏତେ ସବୁ ଏକାଠି ହାସଲ କରିବା ପରେ ଏବେ ଦୁହେଁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପାରସ୍ପରିକ ସହମତିରେ ଛାଡପତ୍ର ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ଇନଷ୍ଟାଗ୍ରାମ ଜରିଆରେ ସାଇନା ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଜୀବନ ବେଳେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ବହୁତ ବିଚାର ବିମର୍ଶ ପରେ, କଶ୍ୟପ ପାରୁପଲ୍ଲୀ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଏବଂ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ବିଶ୍ରାମ ବାଛିଛୁ। ଭଲ ସ୍ମୃତି ପାଇଁ ମୁଁ କୃତଜ୍ଞ ଏବଂ ଆଗକୁ ବଢ଼ିବା ପାଇଁ କେବଳ ମଙ୍ଗଳ କାମନା କରୁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ।' ସାଇନା ଏଭଳି ପୋଷ୍ଟ କରିଥିଲେ ବି କଶ୍ୟପ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରିନାହାଁନ୍ତି।ସାଇନା ନେହୱାଲ ୨୦୧୨ ମସିହାରେ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ ଏବଂ ୨୦୧୫ ମସିହାରେ ବିଶ୍ୱ ବ୍ୟାଡମିଣ୍ଟନ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ପହଞ୍ଚି ଇତିହାସ ରଚିଥିଲେ। ସେ ବିଶ୍ୱର ୧ ନମ୍ବର ସଟଲର୍ ହୋଇଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ଥିଲେ। ଅନ୍ୟପକ୍ଷରେ, ପାରୁପଲ୍ଲୀ କଶ୍ୟପ ୨୦୧୪ ମସିହାରେ ଗ୍ଲାସଗୋ କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ପହଞ୍ଚିଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ନିରନ୍ତର ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିଥିଲେ।

National,Education,State

ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଉପାଧି ପ୍ରଦାନ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ଆଜି କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍‌‍ ଉପାଧି ପ୍ରଦାନ କରିଛନ୍ତି । ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇହେଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ଵାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।


ବିଜୟଙ୍କ ପିଲାଦିନର ପରିସ୍ଥିତି ଆଜିର ସମୟ ଠାରୁ ପୂରାପୂରି ଭିନ୍ନ ଥିଲା କାରଣ ସେତେବେଳେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ଓଡ଼ିଶାରେ କୌଣସି ବିଦ୍ୟାଳୟର ବ୍ୟବସ୍ଥା ନଥିଲା। ବିଜୟ କିନ୍ତୁ ପାଠ ପଢ଼ିବା ପାଇଁ ଜିଦ୍‌‍ ଧରିଥିଲେ। ସେଥିପାଇଁ ସେ ପିତାଙ୍କ ଅନୁମତି ନେଇ ୧୯୫୭-୫୮ ମସିହାରେ କଲିକତାସ୍ଥିତ ବେହାଲା ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ କିଛି ବର୍ଷ ଅଧ୍ୟୟନ କରିବା ପରେ ସେ ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ୧୯୬୦ ମସିହା ସେପ୍ଟେମ୍ୱର ୧ ତାରିଖରେ ଦୃଷ୍ଟିହୀନଙ୍କ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳର ଓଡ଼ିଶା ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁଥଙ୍କରଙ୍କ ଉଦ୍ୟମରେ ପ୍ରାୟ ୧୦ ଏକର ଜାଗାରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେତେବେଳେ ମହୀଶୂରର ଶିକ୍ଷାବିତ୍‌‍ ଡ଼. ଏନ୍‌‍. ରତ୍ନ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଏହିଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ର ବ୍ୟବସ୍ଥା ରହିଥିଲା। ଏହାପରେ ଆଉ ଉଚ୍ଚ ଶ୍ରେଣୀ ପାଇଁ ସୁଯୋଗ ନଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ସେ ସମୟରେ ଦୃଷ୍ଟିହୀନ ପିଲାମାନେ ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଦା ସଦୃଶ, ବିଭିନ୍ନ କାରଣ ଯୋଗୁଁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜୟ ଭାରତର ରାଷ୍ଟ୍ରପତି ଭି.ଭି. ଗିରି ଓ ସମାଜ କଲ୍ୟାଣ ମନ୍ତ୍ରୀ ଆର. ଜଗନ୍ନାଥ ରାଓଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଭେଟି ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ରାଷ୍ଟ୍ରପତି ଗୁରୁତ୍ଵର ସହିତ ବିଚାର କରି ସ୍କୁଲ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପାଠ ପଢ଼ା ଚାଲିଲା। ପ୍ରଥମ ବ୍ୟାଚରେ ୬ ଜଣ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ, ଏହି ଦୃଷ୍ଟିହୀନ ପିଲାମାନେ ଅଧ୍ୟୟନ ନିମନ୍ତେ ଓଡିଶା ସ୍ଥିତ କଲେଜ ଗୁଡିକରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ବିଜୟଙ୍କ ନେତୃତ୍ଵରେ ଦୃଷ୍ଟିହୀନ ପିଲାମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳଙ୍କ ପରାମର୍ଶଦାତା କେ.ଟି. ସତାରାୱାଲା ଏହାକୁ ଗୁରୁତ୍ଵର ସହିତ ବିଚାର କରି ପ୍ରଥମ ଥର ପାଇଁ ଓଡ଼ିଶାର ୪ଟି କଲେଜରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କଲେଜ ମଧ୍ୟରେ ଖଲିକୋଟ, ରେଭେନ୍ସା, ବିଜେବି ଓ କେନ୍ଦ୍ରାପଡ଼ା କଲେଜ ଅନ୍ତର୍ଭୁକ୍ତ ଥିଲା ।


ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ଜୀବନସାରା ସେ ଦୃଷ୍ଟିହୀନ ପିଲାମାନଙ୍କୁ ଶିକ୍ଷାଦାନ ସହିତ ବିଦ୍ୟାଳୟର ଉନ୍ନତିକଳ୍ପେ ବହୁ କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ଆମ୍ୱପୁଆ ଠାରେ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବିଜୟ କୁମାର ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୃଷ୍ଟିହୀନମାନେ ଅନ୍ତତଃ ରାସ୍ତାଘାଟରେ ଭିକ୍ଷାବୃତ୍ତି ନ କରନ୍ତୁ, ଏବଂ ସେଥିପାଇଁ ସେ ଜୀବନସାରା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ଆମ୍ୱପୁଆ ଠାରେ ସେ ବୟସ୍କ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ ସେ ଏକ ଭୋକେସନାଲ୍‌‍ ଟ୍ରେନିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ ଯେଉଁଠାରେ ଦୃଷ୍ଟିହୀନ ବ୍ୟକ୍ତିମାନେ ତାଲିମ ନେଇ ଚୌକି, ଦଉଡ଼ି, ମହମବତୀ ଇତ୍ୟାଦି ତିଆରି କରିବା ପ୍ରଶିକ୍ଷଣ ନେଉଥିଲେ।


ଓଡ଼ିଶାରେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ପୁସ୍ତକ ନଥିଲା । ବିଜୟଙ୍କ ଉଦ୍ୟମରେ ବ୍ରହ୍ମପୁରରେ ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ୍‌‍ ୧୯୮୬ ମସିହା ନଭେମ୍ୱର ୧୯ ତାରିଖରେ ପ୍ରତିଷ୍ଠା ହୋଇପାରିଥିଲା । ଏହି ବ୍ରେଲ୍‌‍ ପ୍ରେସରୁ ଓଡ଼ିଶାର ୩୫ଟି ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାକୁ ପୁସ୍ତକ ଯୋଗାଇ ଦିଆଯାଉଛି । ଏହି ବ୍ରେଲ ପ୍ରେସରୁ ମଧ୍ୟ ବ୍ରେଲ କ୍ୟାଲେଣ୍ଡର, ବିଜ୍ଞାନ ଦିଗନ୍ତ ପତ୍ରିକା ଛପାଯିବା ସହିତ ୨୦୧୪ ମସିହାରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୃଷ୍ଟିହୀନଙ୍କ ପାଇଁ ଡ଼ମି ବ୍ୟାଲେଟ ପେପର ପ୍ରସ୍ତୁତ କରାଯାଉଛି ।


ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି କ୍ଷେତ୍ରରେ ବିଜୟ କୁମାର ରଥଙ୍କ ଦୁଇ ଭାଇ ବରିଷ୍ଠ ସାମ୍ୱାଦିକ ରବି ରଥ ଓ ବ୍ରହ୍ମପୁର ବ୍ରେଲ୍‌‍ ପ୍ରେସ୍‌‍ ର ପରିଚାଳକ ପ୍ରକାଶ ନାରାୟଣ ରଥ ମୁଖ୍ୟ ସହଯୋଗୀ ଭାବରେ ଅଦ୍ୟାବଧି ତାଙ୍କ ସହଯୋଗ କରୁଛନ୍ତି । ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

State

ଲୋକଙ୍କ ଜୀବନ ବିପଦରେ

Blog Thumbnail

ଦ କୁଇଭର ବ୍ୟୁରୋ :- ଭଙ୍ଗା ଦଦରା ଖୁଣ୍ଟି, ଛିଣ୍ଡା ଯୋଡ଼ା ତାରରେ ଚାଲିଛି ଟାଟା ପାୱାରର ବିଜୁଳି ଯୋଗାଣ । ଦରଦରା ବ୍ୟବସ୍ଥାରେ ବିଜୁଳି ଦେଇ ଭିଡୁଛି ପୁରା ବିଲ । ଟଙ୍କାଟିଏ ବି ବିଲ ଛାଡ଼ୁନି । ସେ ଗରିବ ହେଉ କି ଚାଷୀ ବିଲ ନ ଦେଲେ ସିଧା ତାର କଟ । ଭିର୍ତ୍ତିଭୂମି ନ ସଜାଡ଼ି ପଇସା ଆଦାୟ କରି ଦେଖାଉଛି ମାଫିଆ ଗିରି । ମନ୍ତ୍ରୀ ତ ମନ୍ତ୍ରୀ ପୁରା ସରକାରଟା ଟାଟା ଆଗରେ ବିକ୍ରି ହୋଇଯାଇଛି । ମୁଣ୍ଡ ବିକିଦେଲା ଭଳି ଗରିବଙ୍କ ଶୋଷଣକୁବି ଆଖିବୁଜି ଦେଉଛି । ଏଭଳି ସ୍ଥିତି ହେଉଛି ଟାଟାର ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ।


ଟିକେ ନଜର ପକେଇବା ବ୍ରହ୍ମଗିରି ବିଜୁଳି ବ୍ୟବସ୍ଥା ଉପରେ । କିଭଳି ଭିର୍ତ୍ତିଭୂମିରେ ଟାଟା ଯୋଗାଉଛି ବିଜୁଳି । ବିଲ କମ ନେଉନି । ୟୁନୁଟି ଚାର୍ଜ ପ୍ରାୟ ପ୍ରତିବର୍ଷ ବଢୁଛି । ସବୁ ତ ନେଲା, ସେବା ଯୋଗେଇଲା ବେଳକୁ କୁନ୍ଥଉଛି ଟାଟା । ଅନେକ ଜାଗାରେ ସୋଇପଡିଲାଣି ଖୁଣ୍ଟି । କେଉଁଠି ବଙ୍କୀ ଯାଇଛି ତ ଆଉ କେଉଁଠି ଅଧା ଖାଇ ଗଲାଣି ଖୁଣ୍ଟ । ତାର ଓହଳି ରହୁଛି । କେତେବେଳେ ଛିଣ୍ଡୁଛି, କେତେବେଳେ ଚାଷ ଜମିରେ ପଡ଼ି ରହୁଛି କେହି କହିପାରିବେ ନାହିଁ । କେଉଁଠି ଚାଷୀ ମଲାଣି ତ ଆଉ କେଉଁଠି ରାସ୍ତାରେ ଜାଉଥୁବା ଲୋକଙ୍କ ଉପରେ ଛିଣ୍ଡି ପଡ଼ିଲାଣି ତାର ।


ଏମିତି ଘଟକୁଡି ଗ୍ରାମର ଜଣେ ବାଇକ ଆରୋହୀଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ତାଙ୍କ ଜୀବନ ବିପଦରେ । ସୂଚନା ଅନୁସାରେ ଘଟକୁଡି ଗ୍ରାମର ବିଜୟ ମହାପାତ୍ର ପ୍ରତିଦିନ ଭଳି ଗନ୍ତବ୍ୟ ସ୍ଥଳରୁ ନିଜ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ଗଉଡ଼ିଆଘାଇ ନିକଟରେ ତାଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ବିଜୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ବିଜୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଇଞ୍ଜୁଡ଼ ହେବାସହ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ମାତ୍ର ଆଶ୍ଚର୍ଯ୍ୟର କଥା କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମରାମତି କାର୍ଯ୍ୟ ସାରି ଫେରିଥିଲେ ସିନା ମେଡିକାଲକୁ ଲାଗିରହିଥିବା ବିଦ୍ୟୁତ କାର୍ଯ୍ୟାଳୟର କୌଣସି ବି ଅଧିକାରୀ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ ବିଜୟଙ୍କ ପାଖରେ ।


କେବଳ ଏହି ଗୋଟେ ଘଟଣା ନୁହେଁ । ଏହାପୂର୍ବରୁ ସତ୍ୟବାଦୀରେ ବି ଦୁଇଜଣଙ୍କ ଜୀବନ ଯାଇଛି । ଅବହେଳା ହେଉଛି ଟାଟାର, ଭିର୍ତ୍ତିଭୂମି ସଜାଡୁନି । ଅସଜଡ଼ା ଭିର୍ତ୍ତିଭୂମିକୁ ନେଇ ପଇସା ଆଦାୟ କରିଚାଲିଛି । ଟାଟା ଲାଭ ତ କଲାନି କିନ୍ତୁ ତା ସହ ଦୁର୍ବଳ ଭିର୍ତ୍ତିଭୂମିରେ ଲୋକଙ୍କୁ ମାରୁଛି । ଲୋକଙ୍କ ଜୀବନ ନେଇ ଲାଭ କରୁଛି ଟାଟା । ଆଉ ବିଭାଗୀୟ ମନ୍ତ୍ରୀ, ଅଫିସର ଏବଂ ସରକାର ବି ଟାଟା ଆଗରେ ଚୁପ । ପ୍ରଶ୍ନ ବି କରୁନାହାନ୍ତି ଭିର୍ତ୍ତିଭୂମି କେବେ ସଜାଡ଼ିବ । ଖାଲି ସହରାଞ୍ଚଳରେ ସଜାଡ଼ି ଦେଲେ ହେବ ନାହିଁ, ସହରର ତଳି ଅଞ୍ଚଳ ବି ବଡ଼ ଅବ୍ୟବସ୍ଥାରେ ଅଛି । ଗାଁ କଥା ତ ନ କହିଲେ ଭଲ । ଏଭଳି ସ୍ଥିତି ଶକ୍ତିମନ୍ତ୍ରୀଙ୍କ ଆଖିକୁ ଦେଖାଯିବ ନାହିଁ । ଶକ୍ତିମନ୍ତ୍ରୀ କେବଳ ଦେଖିବେ ବିଜୁଳି ବିଲ କେମିତି ଜଲ୍ଦୀ ଆଦାୟ ହେବ ଆଉ ଟାଟା ଭଲ ଦି ପଇସା ଆୟ କରିବ ।


ଟ୍ରାନ୍ସଫର୍ମର ଅବସ୍ଥା ତ ବଡ଼ ଦୟନୀୟ । ନା ଚାରିପଟେ ଅଛି କିଛି ବାଡ଼ ନା ଅଛି ଆକଟ । କେତେବେଳେ ଗାଈ ଲାଗିଯାଉଛି ତ ଆଉ କେତେବେଳେ ଆଉ କିଏ । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଟାଟା ପାଖରେ କାଳେ ଟଙ୍କା ନାହିଁ । ଏପଟେ ଟାଟାର ବାଲାନ୍ସ ସିଟି କହୁଛି ଯେ ଟାଟା ପାୱାର ଓଡ଼ିଶାରେ ଲାଭ କଲାଣି । ଲାଭ ନେଇ ନିଜ ପକେଟରେ ମାଡି ଦେଇ ଓଡ଼ିଶା ଲୋକଙ୍କ ଜୀବନ ନେଉଥିବା ଟାଟା ବିରୁଦ୍ଧରେ ସରକାର ପଦକ୍ଷେପ ନ ନେଲେ ଆଗକୁ ସରକାରଙ୍କ ବିରୁଦ୍ଧରେ ତେଜିବ ଆନ୍ଦୋଳନ ।



Politics,State

ଏସ୍ପି ଙ୍କୁ ଫସାଇଲେ ନନା

Blog Thumbnail

ବାଲେଶ୍ୱର( ଦ କୁଇଭର ) :- ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘଟଣା ଦିନକୁ ଦିନ ଜଟିଳ ହେଉଛି । ଯାହା ଉପରକୁ ଦୋଷ ଯାଉଛି ସେ ଦୋଷ ଖସେଇ ଦେଉଛି ଅନ୍ୟ ମୁଣ୍ଡକୁ । ଏବେ ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀ ଓରଫ ନନା, ବାଲେଶ୍ୱର ଏସପିଙ୍କୁ ଟାଣି ଆଣିଛନ୍ତି ବିବାଦକୁ । ବିଜେଡ଼ି ଯେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ଦଲଦଲ ଭିତରକୁ ଟାଣି ଥିଲା, ସେତେବେଳେ ନନା ନିଜ ଉପରୁ ଦୋଷ ଖସେଇ ଦେଇଛନ୍ତି ଏସପିଙ୍କ ଉପରକୁ । ଏବେ ଏସପି ଆସିଲେଣି ବିବାଦକୁ ।


ଘଟଣା ହେଉଛି ଛାତ୍ରୀ ଜଣଙ୍କ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ସମ୍ପର୍କରେ ପ୍ରତାପ ଷଡ଼ଙ୍ଗୀକୁ ଜଣାଇଥିଲେ । ପ୍ରତାପ ଷଡ଼ଙ୍ଗୀ ନିରବ ରହିଲେ ବୋଲି ବିଜେଡ଼ି ଅଭିଯୋଗ କରିଛି । ଫଳରେ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ନନାଙ୍କୁ ଦାୟିତ୍ୱହୀନ ବୋଲି ବିଜେଡ଼ି କହିବା ପରେ ନନା ପୁରା ରାଗିପାଚି ଲାଲ । ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି । ଯଦି କାହାର ଦମ ଅଛି ମୋ ସାଙ୍ଗରେ ତର୍କ କର । ମୁଁ ଦୁଃଖ ପ୍ରକାଶ କରୁଛି ଛାତ୍ରୀଙ୍କ ଅବସ୍ଥା ପାଇଁ । କିନ୍ତୁ ମୁଁ ଦାୟିତ୍ୱହୀନ କାମ କରିନାହିଁ । କୌଣସି ଅଭିଯୋଗ ପାଇଲା ପରେ ଏମପି ଓ ବିଧାୟକ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ । ସେଥିପାଇଁ ପୋଲିସ ଅଛି, ବ୍ୟବସ୍ଥା ଅଛି । ଏମପି ଓ ବିଧାୟକ ମାନେ ପୋଲିସକୁ କହିବେ, ସେଥିପାଇଁ ମୁଁ ବାଲେଶ୍ୱର ଏସପିଙ୍କୁ ଏହାଉପରେ ପଦକ୍ଷେପ ନେବାକୁ କହିଥିଲି । ଏତିକି କହିଦେଇ ନନା ସିଧା ସଳଖ ବାଲେଶ୍ୱର ଏସପିଙ୍କୁ ବିବାଦୀୟ କରିଦେଇଛନ୍ତି ।


ଯଦି ଏମପି ଏସପିଙ୍କୁ ଜଣାଇଥିଲେ ଏହି ପ୍ରସଙ୍ଗରେ, ତାହେଲେ ଏସପି କାହିଁକି ନିରବ ଥିଲେ ? କାହିଁକି ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ କରିନଥିଲେ ? କାହିଁକି ପୋଲିସ ଆକ୍ସନ ନେଇନଥିଲା ? ଏହି ପ୍ରସଙ୍ଗ ପାଇଁ ଏସପିଙ୍କୁ କାହିଁକି ନିଲମ୍ବନ କରା ନ ଯିବ ? ସେ ପ୍ରଶ୍ନ ଏବେ ଉଠିଲାଣି । ଦେଖାଯାଉ ସରକାର ଏମପିଙ୍କ କଥା ଅନୁସାରେ ଏସପିଙ୍କୁ ଦଣ୍ଡ ଦେଉଛନ୍ତି ନା ନନାଙ୍କ କଥାକୁ ବେଖାତିର କରି ଘଟଣା ଉପରେ ପରଦା ପକାଇ ଦେଉଛନ୍ତି ?



State

ଏଫେଏମ ଛାତ୍ରୀ ମୃତ୍ୟୁକୁ ନେଇ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମଖରେ ବିକ୍ଷୋଭ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବାଲେଶ୍ବରର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜେପି ସରକାରଙ୍କୁ ଦାୟୀ କରିଛି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ । ଆଜି ଯୁବ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସହ ହୋଇଥିବା ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ବିଜେପି ସରକାର ହିଁ ଦାୟୀ ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ବିଜେପି ସରକାରଙ୍କୁ ଦୋଷ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ କଂଗ୍ରେସ କର୍ମୀ ମାନେ । ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ । ଯଦି ଖୁବଶୀଘ୍ର ଏନେଇ ସରକାର ଆଖିଦୃଷ୍ଟିଆ ପଦକ୍ଷେପ ନ ନେବା ସହିତ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛି ଯୁବ କଂଗ୍ରେସ । ଏହି ପ୍ରତିବାଦରେ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।



State

୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଭାରତର ସମସ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ,ତାଲୁକ କୋର୍ଟଗୁଡିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ୯୦ ଦିନିଆ 'ଦେଶ ପାଇଁ ମଧ୍ୟସ୍ଥତା' କାର୍ଯ୍ୟକ୍ରମକୁ ସଫଳ ରୂପେ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ ଡ଼ା ଭାଗ୍ୟଲଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ରିଜିଓନାଲ ଜୁଡ଼ିସିଆଲ ଏକାଡେମୀର ଟ୍ରେନିଂ ହଲରେ ଅନୁଷ୍ଠିତ ହୋଇଯାଇଛି l


'ଦେଶ ପାଇଁ ମଧ୍ୟସ୍ଥତା ' ଅଭିଯାନ ୧ ଜୁଲାଇ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥା, ଯେଉଁଥିରେ କି ଉଭୟ ପକ୍ଷ ମଧ୍ୟସ୍ଥଙ୍କ ସହାୟତାରେ ସେମାନଙ୍କର ବିବାଦକୁ କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟରେ ସମାଧାନ କରିପାରିବେ । ମଧ୍ୟସ୍ଥତାଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି l


ଏହି ମଧ୍ୟସ୍ଥତା ଅଭିଯାନରେ ବୈବାହିକ ବିବାଦ ମାମଲା,ଦୁର୍ଘଟଣା ଦାବି ମାମଲା,ଘରୋଇ ହିଂସା ମାମଲା, ଚେକ୍ ବାଉନ୍ସ ମାମଲା, ବାଣିଜ୍ୟିକ ବିବାଦ ମାମଲା,ଫୌଜଦାରୀ ମାମଲା,ଗ୍ରାହକ ବିବାଦ ମାମଲା, ଋଣ ଆଦାୟ ମାମଲା,ବହିଷ୍କାର ମାମଲା,ଜମି ଅଧିଗ୍ରହଣ ମାମଲା,ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଗୁଡିକର ସମାଧାନ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନେକ ମଧ୍ୟସ୍ଥ ଉପସ୍ଥିତ ରହିଥିଲେ l ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷା ଉପସ୍ଥିତ ମଧ୍ୟସ୍ଥ ମାନଙ୍କୁ କିପରି ଅଧିକରୁ ଅଧିକ ମାମଲା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିବ, ସେ ଉପରେ ଆଲୋଚନା କରିଥିଲେ l

State

ବ୍ରହ୍ମପୁରରେ ବାଇକ୍ ପେଟ୍ରୋଲିଙ୍ଗ ଯାନର ଶୁଭାରମ୍ଭ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ରେଞ୍ଜର ଆଇଜି ଶ୍ରୀ ନୀତି ଶେଖରଙ୍କ ଦ୍ୱାରା ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟରୁ ବାଇକ୍ ପେଟ୍ରୋଲିଙ୍ଗ ଯାନଗୁଡ଼ିକର ସୋମବାର ଶୁଭାରମ୍ଭ ହୋଇଛି l ଆଇଜି ଶ୍ରୀ ନୀତି ଶେଖର ସବୁଜ ପତାକା ଦେଖାଇ ଏହି ବାଇକ ପେଟ୍ରୋଲିଙ୍ଗ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସହରରେ ହେଉଥିବା ଅପରାଧର ସଂଖ୍ୟା କମାଇବା ତଥା ଅପରାଧକୁ ରୋକିବା ପାଇଁ ବ୍ରହ୍ମପୁର ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି l

Politics,National,State

ରାହୁଲ, ନବୀନ ଏକ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣାରେ ବିଜେଡି ଓ କଂଗ୍ରେସ ତାଙ୍କ ସ୍ୱରକୁ ଏକ କରିଛନ୍ତି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧା ସିଧା ବିଜେପି ସରକାରୀ ବ୍ୟବସ୍ଥା ଉପରେ ଦୋଷ ଲଦି ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଉଭୟ ଦଳ ବିଜେପି ବିରୋଧରେ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ଆସନ୍ତା ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ଏହାକୁ ନୀରବ ସମର୍ଥନ କରୁଛି ।

ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବଡ଼ ବିବାଦୀୟ ହୋଇ ପଡ଼ିଛି । ଜଣେ ଛାତ୍ରୀ ନ୍ୟାୟ ପାଇଁ ପୂରା ବ୍ୟବସ୍ଥାର କବାଟ ବାଡ଼େଇଥିଲା । ସବୁଠିକୁ ଗୁହାରୀ କରିଥିଲା । ବିଜେପି ସଂଗଠନର ଅଂଶ ହୋଇ ଏମପିଙ୍କ ଦୁଆରେ ଯାଇ ଭେଟିଥିଲା । ଲଢ଼ିଥିଲା ନିଜର ସମ୍ମାନ ଓ ମର୍ଯ୍ୟାଦା ପାଇଁ । ହେଲେ ସମସ୍ତେ କାନରେ ହାତ ଦେଇଦେଲେ । କେହି ଶୁଣିଲେନି ନ୍ୟାୟ ପାଇଁ ତାଙ୍କ ଆକୁଳ ଚିକ୍ରାର । ବ୍ୟବସ୍ଥା କାଲ ପାଲଟିଥିବା ବେଳେ ନିର୍ଯାତନାକାରୀମାନେ ଦାନ୍ତ ଦେଖାଇ ଅଟ୍ଟହାସ୍ୟ କରୁଥିଲେ । ଏପରି କ୍ରୁର ସ୍ଥିତି ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରିଥିଲା ।

ଅକାଳରେ ଛାତ୍ରୀ ତ ମରିଗଲେ । ହେଲେ ବ୍ୟବସ୍ଥା ଓ ସରକାରଙ୍କ ଉପରେ ଛାଡ଼ିଗଲେ ଅନେକ ପ୍ରଶ୍ନ । ଛାଡ଼ିଗଲେ ନାରୀ ମର୍ଯ୍ୟାଦା ରକ୍ଷା ପାଇଁ ସରକାରୀ ବ୍ୟବସ୍ଥା କେତେ ସବଳ । ନିଜ ଭୁଲକୁ ସରକାର ମାନିବା ପରିବର୍ତ୍ତେ ନାଟକ କରି ଘଟଣାରେ ରାଜନୀତି କଲେ । ଯାହା ବିରୋଧୀଙ୍କୁ ସୁଯୋଗ ଦେଲା । ବିରୋଧୀ ଏବେ ବଳ ପାଇ ମାଡ଼ିଲେଣି । ବିରୋଧୀଙ୍କୁ ଆହୁରି ବଳ ଦେଲା, ଲୁଚାଚୋରା କାମ । ଏହାକୁ ବିରୋଧ ବି କଲେଣି । ସୌମ୍ୟାଶ୍ରୀଙ୍କ ମୃତୁ୍ୟ ମୃତୁ୍ୟ ନୁହେଁ, ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି ନବୀନ । ଏକ୍ସରେ ନିଜର ମତ ଦେଇ ଏପରି କଡ଼ା ସମାଲୋଚନା କରିଛନ୍ତି ।

ସମାନ କଥା ବି କହିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି । ସେ କହିଛନ୍ତି, ଓଡ଼ିଶାରେ ଜଣେ ଛାତ୍ରୀ ନ୍ୟାୟ ପାଇଁ ଲଢ଼ି ଲଢ଼ି ମରିଯାଇଛନ୍ତି । ଏହା ମୃତୁ୍ୟ ନୁହେଁ ବିଜେପି ସରକାରର ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଏହାକୁ ଉପର ଠାଉରିଆ ଭାବେ ନେଇ ଗଲେ ହେବ ନାହିଁ । କଂଗ୍ରେସ ଏହା ବିରୋଧରେ ଲଢ଼େଇ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହାପରେ ବିଜେଡି ମଧ୍ୟ ନୀରବ ସମର୍ଥନ ଦେବ ବୋଲି ସୂଚନା ମିଳୁଛି । ଦେଖାଯାଉ ରାହୁଲ ନବୀନଙ୍କ ମିଳିତ ସ୍ୱର ବିଜେପି ସରକାରଙ୍କ ଉପରେ କି ପ୍ରଭାବ ପକାଉଛି?


State,Health & lifestyle

ଡେଙ୍ଗୁ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡ଼େଙ୍ଗୁ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ବର୍ଷା ଦିନ ଆରମ୍ଭରେ ଡେଙ୍ଗୁ ବା ଦଣ୍ଡାପତାନକ ନହେବା ପାଇଁ ସଚେତନ କରି କହିଲେ ମଶା ଡେଙ୍ଗୁର କାରଣ, ମଶା ନବଢ଼ିବା ପାଇଁ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶାରୀ ଟାଙ୍ଗୀ କିମ୍ବା ନିମ୍ବ ତେଲ ଲଗାଇ ଶୁଅନ୍ତୁ। ପ୍ରତିଷେଧ ପାଇଁ କଣ୍ଟା ମାରିଶ ମୂଳ ତିନି ଗ୍ରାମ ସକାଳୁ ସାତ ଦିନ ଖାଆନ୍ତୁ। ମୁଖ୍ୟ ଲକ୍ଷଣ ସବୁ ସନ୍ଧି ସ୍ଥାନ, ଚକ୍ଷୁ ପଛ ଭାଗ ବ୍ୟଥା, କମ୍ପ ଜ୍ୱର, ଦୁର୍ବଳ ଅନୁଭବ ହୁଏ । ରକ୍ତଚାପ କମିଯାଏ।ଦେହରେ ନାଲି ନାଲି ଦାଗ ହୁଏ। ଅଧିକ ଲେମ୍ବୁ ଲୁଣ ମଧୁ ମିଶ୍ରିତ ଜଳ ପିଅନ୍ତୁ। ଜ୍ୱର ଓ ସନ୍ଧି ବ୍ୟଥା କମିବା ଯାଏଁ ଗଙ୍ଗଶିଉଳି ପତ୍ର ରସ, ଗୁଳୁଚି, ଶୁଣ୍ଠି ଦିନରେ ତିନି ଥର ଖାଆନ୍ତୁ। ଅଣୁଚକ୍ରିକା ରକ୍ତରେ କମିଲେ ଅମୃତଭଣ୍ଡା ପତ୍ର ରସ ପିଅନ୍ତୁ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

Politics,State,Education,National

ଦିଲ୍ଲୀରେ ବର୍ଷିଲା କଂଗ୍ରେସ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ । ଦେଶର ରାଜଧାନୀରେ ଉଠିଲା ବାଲେଶ୍ବରର ଘଟଣା । ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଖୁବ୍ ବର୍ଷିଛନ୍ତି ଏବଂ ରାଜ୍ୟ ସରକାରକୁ ଘଟଣା ନେଇ ଦୋଷାରୋପ କରିଛନ୍ତି । ଅଲକା କହିଛନ୍ତି- ଏହି ଛାତ୍ରୀ ବିଜେପି-ଆରଏସଏସର ଛାତ୍ର ସଂଗଠନ ଏବିଭିପିର ଜଣେ ପଦାଧିକାରୀ। ଛାତ୍ରୀ ଜଣକ ବିଜେପି ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ନିକଟରେ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କୁ କୁହାଯାଇଥିଲା ଯେ ଯଦି ସେ ଅଭିଯୋଗ ପ୍ରମାଣିତ କରି ନପାରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାନସିକ ନିର୍ଯାତନାରେ ଥିବା ଛାତ୍ରୀ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କୁ ନ୍ୟାୟ ମିଳିବ ନାହିଁ, ସେ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୧୧ଦିନ ଧରି ପୀଡ଼ିତା ନ୍ୟାୟ ମାଗିଲେ କିନ୍ତୁ ଅଭିଯୋଗ ପରେ ବି ତଦନ୍ତ କଲେନି । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢ଼ିଲା । ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି । ଯେଉଁଠାରେ ବିଜେପିର 'ଡବଲ ଇଞ୍ଜିନ୍ ସରକାର' ଅଛି ସେଠାରେ ଏସବୁ ଘଟୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।ଗୋପାଳପୁର ଗଣଦୁଷ୍କର୍ମ କଥା ବି ଉଠାଇ ରାଜ୍ୟ ସରକାଙ୍କୁ ନିଶାନା କରି ବର୍ଷକର ଶାସନରେ କେତେ ମହିଳା ବିରୋଧୀ ଅପରାଧ ହୋଇଛି ତାର କଳା ଚିଠା ଦେଲେ ଅଲକା । ସେ କହିଛନ୍ତି- ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅପରାଧ ଶୀର୍ଷରେ ରହିଛି । ଏଠାରେ ବିଜେପି ସରକାର ରହିଛି ଯାହା ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଉଛି। ଏହା ଏକ ବଡ଼ ଚିନ୍ତାର ବିଷୟ।


ସେପଟେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦିଲ୍ଲୀରୁ ଦାବି କରିଛନ୍ତି । ବାଲେଶ୍ବର ଘଟଣାକୁ ନେଇ କିଛି ଭିଡିଓ ଏବଂ ଛାତ୍ରୀଙ୍କ ପ୍ରତିକ୍ରିୟା ଦେଖାଇ ଘଟଣାକୁ ବିସ୍ତାର ରୂପେ ବଖାଣିଛନ୍ତି ସୋଫିଆ । ମୁଖ୍ଯମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ସୋଫିଆ କହିଛନ୍ତି- ଆଜି ପୁଣି ଓଡିଶା ଚର୍ଚ୍ଚାରେ ରହିଛି, ଖବରର ଶୀର୍ଷରେ ରହିଛି । ବିକାଶ ପାଇଁ ନୁହେଁ ବରଂ ମହିଳା ବିରୋଧୀ ଅପରାଧ ପାଇଁ.. ବାଲେଶ୍ୱରର ଫକୀର ମୋହନ କଲେଜର ଜଣେ ଛାତ୍ରୀ ଯୌନ ଅନୁଗ୍ରହ ପାଇଁ ପ୍ରାର୍ଥନା କରୁଥିବା ଜଣେ ଏଚଓଡିଙ୍କ ବିରୋଧରେ ସ୍ୱର ଉଠାଇଲେ। କିନ୍ତୁ ଯେତେବେଳେ ସେ ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିପାରିଲେ ନାହିଁ ସେ ନିଜକୁ ନିଆଁ ଲଗାଇ ଦେଲେ । ଝିଅଟି ଗୋଟେ ବ୍ୟବସ୍ଥାରେ ଯୁଝି ହୋଇ ନିଜ ଜୀବନକୁ ବାଜି ଲଗାଇଲା ଯାହା ଦ୍ୱାରା ଓଡ଼ିଶାର ବିଫଳ ବ୍ୟବସ୍ଥାର ପର୍ଦ୍ଦାଫାସ ହେଲା । ଏହି ଘଟଣା ଆମ ପାଇଁ ଏକ ସତର୍କ ଘଣ୍ଟି, ଯାହା ଦ୍ୱାରା ଆମେ ମହିଳା ବିରୋଧୀ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇପାରିବୁ।ସୋଫିଆ ଆହୁରି ମଧ୍ଯ କହିଛନ୍ତି- ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ । ଏହି ମାମଲାରେ ଏକ ନ୍ୟାୟିକ ତଦନ୍ତ ହେବା ଉଚିତ ଯାହା ଦ୍ୱାରା ଦୋଷୀମାନଙ୍କୁ ଦଣ୍ଡ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କଲେ ସୋଫିଆ । ଯେହେତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ ତେଣୁ ମୋଦୀ ନିଜ ନୀରବତା ଭାଙ୍ଗି ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ । ଆଜି ଓଡ଼ିଶାରେ ସବୁଠି ମହିଳା ବିରୋଧୀ ଅପରାଧ ଘଟୁଛି। ସ୍କୁଲରେ ଝିଅମାନେ ଗର୍ଭବତୀ ହେଉଛନ୍ତି। ଜଣେ କଲେଜ ଛାତ୍ରୀ କ୍ୟାମ୍ପସରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ମହିଳା ଏବଂ ଝିଅମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି। ବିଜେପି ସରକାରକୁ ଉତ୍ତର ଦେବାକୁ ପଡିବ ବୋଲି ଦାବି କରିଛନ୍ତି ସୋଫିଆ ।

National,International

ଜୀବନ ହାରିଲେ ପୂର୍ବତନ ମିସ୍ ପୁଡୁଚେରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଜୀବନ ହାରିଲେ ପୂର୍ବତନ ମିସ୍ ପୁଡୁଚେରୀ ତଥା ଲୋକପ୍ରିୟ ମଡେଲ୍ ସାନ୍ ରେଚଲ୍ । ରବିବାର ନିଜ ବାପାଙ୍କୁ ଭେଟିବା ପରେ ସେ ଜୀବନ ହାରିଥିବା ଜଣାଯାଇଛି। ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଛି, ଯେଉଁଥିରେ ସେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ୨୬ବର୍ଷୀୟ ମଡେଲ୍ ତଥ‌ା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ରେଚଲ୍ ଆବଶ୍ୟକତାଠାରୁ ଅଧିକ ରକ୍ତଚାପ ବଟିକା ଖାଇ ଜୀବନ ହାରିଥିବା କହିଛି ପୁଲିସ। ତାଙ୍କୁ ପ୍ରଥମେ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ, ତାଙ୍କୁ ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

State

ଠକେଇ ମାମଲାରେ ଚେତନ ଚୌଧୁରୀ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜମି ଜାଲିଆତି କରି ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସହରର ଆଗ ଧାଡ଼ିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ରାଜନୀତି ପରିବାରରୁ ଆସିଥିବା ତଥା ସ୍ବର୍ଗତ ଅଲେଖ ଚୋଧୁରୀଙ୍କ ସୁପୁତ୍ର ଚେତନ ଚୌଧୁରୀ।


ସୂଚନା ପ୍ରକାରେ,ଲାଞ୍ଜିପାଲିର ଏ. ସନ୍ତୋଷ କୁମାର ପାତ୍ରୋ, ଗୋସାନିନୁଗାଁ ଥାନାରେ ଏକ ଅଭିଯୋଗ କରିଛନ୍ତି ଯେ ସେ ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସ, ଗୋସାନିନୁଆଗାଁ ପାଇଁ ଜଣେ ଆକାଉଣ୍ଟାଣ୍ଟ ଏବଂ ମାର୍କେଟିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ସେ ଏବଂ ତାଙ୍କ ଅଫିସ୍ କର୍ମଚାରୀମାନେ ବିଭିନ୍ନ ଅଫିସ୍ କର୍ମଚାରୀଙ୍କ ମାଧ୍ୟମରେ ଏବଂ ବ୍ୟକ୍ତିଗତ ଭାବରେ ମାସିକ ବୀମା ଜମା ରାଶି ସଂଗ୍ରହ କରିଥିଲେ ଏବଂ ସମସ୍ତ ଟଙ୍କା କାର୍ଯ୍ୟାଳୟ ମାଲିକ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ପାଖରେ ଜମା କରୁଥିଲେ l ଏହା ଏକ ପ୍ଲଟ୍ ଆବଣ୍ଟନ ଯୋଜନା ପାଇଁ ଥିଲା ଯାହା ଅଗଷ୍ଟ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର ୨୦୨୧ ରେ ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇଥିଲା କିନ୍ତୁ ପରେ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ସମୟ ଆସିଲା, ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସର ମାଲିକ ଗ୍ରାହକମାନଙ୍କ ଦ୍ୱାରା କୌଣସି ଜମା ଗ୍ରହଣ କରାଯାଇଥିବା କଥାକୁ ଅସ୍ୱୀକାର କରିଥିଲେ। ଅଭିଯୋଗ କାରୀ ଜଣେ ଏଜେଣ୍ଟ ହୋଇଥିବାରୁ, ତାଙ୍କୁ ହଇରାଣ କରାଯାଉଥିଲା ଏବଂ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କଠାରୁ ଧମକ ମଧ୍ୟ ମିଳୁଥିଲା।ଟଙ୍କା ଜମା କରିଥିବା ଗ୍ରାହକମାନେ ଟଙ୍କା ରସିଦ ଧରି ଆସିଥିଲେ ଏବଂ ସେମାନଙ୍କ ଜମି ଦାବି କରିଥିଲେ l ଏତେ ସବୁ ପରେ ମଧ୍ୟ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ଯେ ପ୍ରଦାନ କରାଯାଇଥିବା ରସିଦଗୁଡ଼ିକ ନକଲି ଏବଂ ସେ ଏ ବିଷୟରେ କିଛି ଜାଣିନାହାନ୍ତି l ଆକାଉଣ୍ଟିଂ ବହି ସମ୍ପର୍କିତ ସମସ୍ତ ରେକର୍ଡ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ହେପାଜତରେ ରଖାଯାଇଛି। ତେବେ ତଦନ୍ତରୁ ଜଣାପଡିଛି ଯେ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଏକ ବିସ୍ତୃତ ମାସିକ ମୁଦ୍ରା ନିବେଶ ଯୋଜନା ମାଧ୍ୟମରେ ଆବାସିକ ପ୍ଲଟ ଦେବା ବାହାନାରେ ୨୦୦ ଗ୍ରାହକଙ୍କଠାରୁ ୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି।


ଏସବୁ ଅଭିଯୋଗ ପରେ ଚେତନ କୁମାର ଚୌଧୁରୀଙ୍କ ବିରୁଦ୍ଧରେ ଗୋସାନିନୁଗାଁ ଥାନା ଏବଂ ବଡ଼ବଜାର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଚେତନ ଚୌଧୁରୀକୁ ରବିବାର ଗିରଫ କୋର୍ଟ ଚାଲାଣ କରାଯାଇଥିବା ଗୋଶାଣୀ ନୂଆ ଗାଁ ଥାନା ପକ୍ଷରୁ ସୂଚନା ମିଳିଛି l

State

ବାଲିଘାଇ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

Blog Thumbnail

ପୋଲସରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଘାଇ ନଦୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ସୋମବାର ସାମ୍ନାକୁ ଆସିଛି । ତେବେ ଖବର ପାଇ ପୋଲସରା ଦମକଳ ବାହିନୀ ନଦୀ ଭିତରୁ ମୃତ ବୃଦ୍ଧଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ତେବେ ବୃଦ୍ଧଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଖବର ସଂଗ୍ରହ ସୁଦ୍ଧା ସ୍ପଷ୍ଟ ହୋଇନାହିଁ l

National,International

ମହାକାଶରୁ ଆଜି ଫେରିବେ ଶୁଭାଂଶୁ ଶୁକ୍ଲା

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆଜି ଫେରିବେ । ଅପରାହ୍ନ ସାଢ଼େ ୪ଟାରେ ISS ଛାଡ଼ିବେ ମହାକାଶଚାରୀ । ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ ।ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିବେ।ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନରେ ୧୮ ଦିନ ରହିଥିଲେ ଶୁଭାଂଶୁ । ତେବେ ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା । ସେ କହିଛନ୍ତି “ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା ।ଆକ୍ସିଅମ୍-୪ ମିଶନ ଜରିଆରେ ମହାକାଶକୁ ଯାଇଥିଲେ। ଶୁଭାଂଶୁ ଫେରିବା ବେଳକୁ ସାଥିରେ ଅନେକ ସାମଗ୍ରୀ ଧରି ଫେରିବେ । ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ୭ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ ।ତେବେ ଶୁଭାଂଶୁ ଶୁକ୍ଲାଙ୍କ ବାପା ମା’ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ । ନିଜର ମିଶନ ପୁରା କରିବା ପରେ ଫେରିବେ ଶୁଭାଂଶୁ । ଶୁଭାଂଶୁଙ୍କୁ ବ୍ୟାଣ୍ଡବାଜା ସହିତ ସ୍ବାଗତ କରାଯିବ ।


ସୂଚନାଯୋଗ୍ୟ, ଜୁନ୍ ୨୫ରେ ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଥିଲା ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି ।

State

ଅନ୍ତଃ ଜିଲ୍ଲା ବାଇକ ଲୁଟେରାକୁ କାବୁ କରିଲା ବ୍ରହ୍ମପୁର ଟାଉନ ପୁଲିସ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅନ୍ତଃ ଜିଲ୍ଲା ବାଇକ ଲୁଟେରାକୁ କାବୁ କରିଲା ବ୍ରହ୍ମପୁର ଟାଉନ ପୁଲିସ. ୬ ଲୁଟେରାଙ୍କୁ ଗିରଫ କରିବା ସହ ୧୦ ଟି ବାଇକକୁ ପୁଲିସ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ଉଦ୍ଧାର ହୋଇଥିବା ୧୦ଟି ମୋଟର ସାଇକେଲ ମଧ୍ୟରୁ ୭ଟି ମୋଟର ସାଇକେଲ ସମ୍ପର୍କରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ୩ଟି ମୋଟର ସାଇକେଲରୁ ଇଞ୍ଜିନ କିମ୍ବା ଚେସିସ ନମ୍ବର ଲିଭାଇ ଦେଇଛନ୍ତି। ବାକି ବାଇକ୍‌ଗୁଡ଼ିକର ମାଲିକାନା ନିର୍ଣ୍ଣୟ କରାଯାଉଛି। ସମସ୍ତ ଅଭିଯୁକ୍ତ ଏକ ସଂଗଠିତ ଗ୍ୟାଙ୍ଗରେ କାମ କରୁଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ପୁଲିସ ଖୋଜୁଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ମୋଟର ସାଇକେଲ ଚୋରି ଗ୍ୟାଙ୍ଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଥିବା ଏସ. ପି ସୂଚନା ଦେଇଛନ୍ତି।

Health & lifestyle,Education,State

ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।

Health & lifestyle,State

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର, ଡାକ୍ତରଖାନାରେ ଭର୍ତ୍ତି

Blog Thumbnail

ଗଞ୍ଜାମ( ଦ କୁଇଭର ):- ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂଙ୍କ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।


ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ଏଣେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଶରୀରର ୪୦% ପୋଡ଼ିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରିଛନ୍ତି। ମେଡିକାଲରେ ପୁଲିସ୍ ପହଞ୍ଚି ଅଧିକ ପଚରାଉଚରା କରିଛି।