ଦ କୁଇଭର ବ୍ୟୁରୋ :- ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପ ୨୦୧୮ରେ ବିବାହ କରିଥିଲେ। ଉଭୟ ନିଜ ନିଜ କ୍ୟାରିୟରର ଶିଖରରେ ବଡ଼ ସଫଳତା ହାସଲ କରିଛନ୍ତି। ଏତେ ସବୁ ଏକାଠି ହାସଲ କରିବା ପରେ ଏବେ ଦୁହେଁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପାରସ୍ପରିକ ସହମତିରେ ଛାଡପତ୍ର ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ଇନଷ୍ଟାଗ୍ରାମ ଜରିଆରେ ସାଇନା ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଜୀବନ ବେଳେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ବହୁତ ବିଚାର ବିମର୍ଶ ପରେ, କଶ୍ୟପ ପାରୁପଲ୍ଲୀ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଏବଂ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ବିଶ୍ରାମ ବାଛିଛୁ। ଭଲ ସ୍ମୃତି ପାଇଁ ମୁଁ କୃତଜ୍ଞ ଏବଂ ଆଗକୁ ବଢ଼ିବା ପାଇଁ କେବଳ ମଙ୍ଗଳ କାମନା କରୁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ।' ସାଇନା ଏଭଳି ପୋଷ୍ଟ କରିଥିଲେ ବି କଶ୍ୟପ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରିନାହାଁନ୍ତି।ସାଇନା ନେହୱାଲ ୨୦୧୨ ମସିହାରେ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ ଏବଂ ୨୦୧୫ ମସିହାରେ ବିଶ୍ୱ ବ୍ୟାଡମିଣ୍ଟନ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ପହଞ୍ଚି ଇତିହାସ ରଚିଥିଲେ। ସେ ବିଶ୍ୱର ୧ ନମ୍ବର ସଟଲର୍ ହୋଇଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ଥିଲେ। ଅନ୍ୟପକ୍ଷରେ, ପାରୁପଲ୍ଲୀ କଶ୍ୟପ ୨୦୧୪ ମସିହାରେ ଗ୍ଲାସଗୋ କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ପହଞ୍ଚିଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ନିରନ୍ତର ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିଥିଲେ।
No comments yet.
State,Politics,National
ଭୁବନେଶ୍ୱର(ଦ କୁଇଭର): ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣାରେ ବିଜେଡି ଓ କଂଗ୍ରେସ ତାଙ୍କ ସ୍ୱରକୁ ଏକ କରିଛନ୍ତି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧା ସିଧା ବିଜେପି ସରକାରୀ ବ୍ୟବସ୍ଥା ଉପରେ ଦୋଷ ଲଦି ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଉଭୟ ଦଳ ବିଜେପି ବିରୋଧରେ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ଆସନ୍ତା ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ଏହାକୁ ନୀରବ ସମର୍ଥନ କରୁଛି ।
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବଡ଼ ବିବାଦୀୟ ହୋଇ ପଡ଼ିଛି । ଜଣେ ଛାତ୍ରୀ ନ୍ୟାୟ ପାଇଁ ପୂରା ବ୍ୟବସ୍ଥାର କବାଟ ବାଡ଼େଇଥିଲା । ସବୁଠିକୁ ଗୁହାରୀ କରିଥିଲା । ବିଜେପି ସଂଗଠନର ଅଂଶ ହୋଇ ଏମପିଙ୍କ ଦୁଆରେ ଯାଇ ଭେଟିଥିଲା । ଲଢ଼ିଥିଲା ନିଜର ସମ୍ମାନ ଓ ମର୍ଯ୍ୟାଦା ପାଇଁ । ହେଲେ ସମସ୍ତେ କାନରେ ହାତ ଦେଇଦେଲେ । କେହି ଶୁଣିଲେନି ନ୍ୟାୟ ପାଇଁ ତାଙ୍କ ଆକୁଳ ଚିକ୍ରାର । ବ୍ୟବସ୍ଥା କାଲ ପାଲଟିଥିବା ବେଳେ ନିର୍ଯାତନାକାରୀମାନେ ଦାନ୍ତ ଦେଖାଇ ଅଟ୍ଟହାସ୍ୟ କରୁଥିଲେ । ଏପରି କ୍ରୁର ସ୍ଥିତି ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରିଥିଲା ।
ଅକାଳରେ ଛାତ୍ରୀ ତ ମରିଗଲେ । ହେଲେ ବ୍ୟବସ୍ଥା ଓ ସରକାରଙ୍କ ଉପରେ ଛାଡ଼ିଗଲେ ଅନେକ ପ୍ରଶ୍ନ । ଛାଡ଼ିଗଲେ ନାରୀ ମର୍ଯ୍ୟାଦା ରକ୍ଷା ପାଇଁ ସରକାରୀ ବ୍ୟବସ୍ଥା କେତେ ସବଳ । ନିଜ ଭୁଲକୁ ସରକାର ମାନିବା ପରିବର୍ତ୍ତେ ନାଟକ କରି ଘଟଣାରେ ରାଜନୀତି କଲେ । ଯାହା ବିରୋଧୀଙ୍କୁ ସୁଯୋଗ ଦେଲା । ବିରୋଧୀ ଏବେ ବଳ ପାଇ ମାଡ଼ିଲେଣି । ବିରୋଧୀଙ୍କୁ ଆହୁରି ବଳ ଦେଲା, ଲୁଚାଚୋରା କାମ । ଏହାକୁ ବିରୋଧ ବି କଲେଣି । ସୌମ୍ୟାଶ୍ରୀଙ୍କ ମୃତୁ୍ୟ ମୃତୁ୍ୟ ନୁହେଁ, ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି ନବୀନ । ଏକ୍ସରେ ନିଜର ମତ ଦେଇ ଏପରି କଡ଼ା ସମାଲୋଚନା କରିଛନ୍ତି ।
ସମାନ କଥା ବି କହିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି । ସେ କହିଛନ୍ତି, ଓଡ଼ିଶାରେ ଜଣେ ଛାତ୍ରୀ ନ୍ୟାୟ ପାଇଁ ଲଢ଼ି ଲଢ଼ି ମରିଯାଇଛନ୍ତି । ଏହା ମୃତୁ୍ୟ ନୁହେଁ ବିଜେପି ସରକାରର ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଏହାକୁ ଉପର ଠାଉରିଆ ଭାବେ ନେଇ ଗଲେ ହେବ ନାହିଁ । କଂଗ୍ରେସ ଏହା ବିରୋଧରେ ଲଢ଼େଇ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହାପରେ ବିଜେଡି ମଧ୍ୟ ନୀରବ ସମର୍ଥନ ଦେବ ବୋଲି ସୂଚନା ମିଳୁଛି । ଦେଖାଯାଉ ରାହୁଲ ନବୀନଙ୍କ ମିଳିତ ସ୍ୱର ବିଜେପି ସରକାରଙ୍କ ଉପରେ କି ପ୍ରଭାବ ପକାଉଛି?
Health & lifestyle,State
ଗଞ୍ଜାମ( ଦ କୁଇଭର ):- ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂଙ୍କ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଏଣେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଶରୀରର ୪୦% ପୋଡ଼ିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରିଛନ୍ତି। ମେଡିକାଲରେ ପୁଲିସ୍ ପହଞ୍ଚି ଅଧିକ ପଚରାଉଚରା କରିଛି।
State
ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ରେଞ୍ଜର ଆଇଜି ଶ୍ରୀ ନୀତି ଶେଖରଙ୍କ ଦ୍ୱାରା ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟରୁ ବାଇକ୍ ପେଟ୍ରୋଲିଙ୍ଗ ଯାନଗୁଡ଼ିକର ସୋମବାର ଶୁଭାରମ୍ଭ ହୋଇଛି l ଆଇଜି ଶ୍ରୀ ନୀତି ଶେଖର ସବୁଜ ପତାକା ଦେଖାଇ ଏହି ବାଇକ ପେଟ୍ରୋଲିଙ୍ଗ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସହରରେ ହେଉଥିବା ଅପରାଧର ସଂଖ୍ୟା କମାଇବା ତଥା ଅପରାଧକୁ ରୋକିବା ପାଇଁ ବ୍ରହ୍ମପୁର ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି l
State
ବ୍ରହ୍ମପୁର( ଦ କୁଇଭର ):- କେନ୍ଦ୍ର ଓ ଓଡିଶା ସରକାର ପେନ୍ସନରମାନଙ୍କ ଦାବି ପୂରଣରେ ଅବହେଳା କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ମୌନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟ ରୁ ବାହାରି ନୂଆ BDA, ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପୋଲ୍ଲୀ ଛକ, ମାଛ ବଜାର ଓ ପରିବା ବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା ଜେ ନନ୍ଦେଶୁ ସେନାପତି,ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି ଇ.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦଳ ମହର୍ଷି ସିଂ, ସହ ସମ୍ପାଦକ ଡି ଗୁରୁମୂର୍ତ୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି, ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ନାରାୟଣ ପାଣିଗ୍ରାହୀ, ଶ୍ରୀବସ୍ଥା ପ୍ରଧାନ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ ।
State
ବ୍ରହ୍ମପୁର ( ଦ କୁଇଭର ):- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ତାଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅବଞ୍ଛନୀୟ ଆଚରଣ ବିରୋଧରେ ନ୍ୟାୟ ଦାବି କରି ଆତ୍ମହୁତି କରିଥିବା ଘଟଣା ଦୁଃଖଦ, ନିନ୍ଦନୀୟ ଓ ରାଜ୍ୟର ଶିକ୍ଷା, ଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।ଏହି ଘଟଣା ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସ ତରଫରୁ ଜୋରଦାର ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଈଛି। ଏହି ଆନ୍ଦୋଳନର ଅଂଶ ଭାବେ ମଙ୍ଗଳବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଉଦ୍ବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ପରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଶାନ୍ତିପୂର୍ଣ୍ଣ ରାଲି ନେଇ ଛାତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତ୍ୱରିତ ଓ ନିଷ୍ପକ୍ଷ ତଦନ୍ତ,ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପରିବାର ପାଇଁ ଅର୍ଥିକ ସହାୟତା ଓ ପୁନଃସ୍ଥାପନ ସମର୍ଥନ ଓ ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିଶୁ-ନାରୀ ସୁରକ୍ଷା ପାଇଁ ସୁଦୃଢ଼ ନିତି ଓ ଆଇନ ନିର୍ମାଣ କରିବା ପାଇଁ ଯୁବ ଓ ଛାତ୍ର କଂଗ୍ରେସ ଦାବି କରିଛନ୍ତି l
ଯୁବ କଂଗ୍ରେସ ଅଧ୍ୟକ୍ଷ ବିକାଶ ନାୟକ କହିଛନ୍ତି ଯେ,ବିଜେପି ନେତୃତ୍ୱରେ ରାଜ୍ୟ ସରକାର ଏକ ରିମୋଟ କଣ୍ଠେଇ ସରକାର ଭାବରେ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାମମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି, ଯେଉଁଠାରେ ମନ୍ତ୍ରୀମାନେ ଅନେକ ଅନୁଚିତ ଅର୍ଥସଂଗ୍ରହ କାର୍ଯ୍ୟରେ ଲିପ୍ତ ଓ ପୋଲିସ ନୀରବ ଦର୍ଶକ ସାଜିଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ବଢ଼ୁଥିବା ଅପରାଧ ଦର ଏହି ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି l ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ଓ ତାଙ୍କ ନେତାମାନେ ଅପରାଧୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ବାଲି, ଖଣି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ସେମାନେ ଲିପ୍ତ ଥିବାର ଦାବି ମଧ୍ୟ କରାଯାଇଛି। ବ୍ରହ୍ମପୁର ସାଂସଦଙ୍କ ନାଁ ଉଠାଇ ସେ କହିଛନ୍ତି ଯେ ସେ ଏହି ସବୁ ପଛର ନିର୍ଦ୍ଦେଶକ ବୋଲି କଡା ଭାଷାରେ ବର୍ତମାନର ସରକାରଙ୍କୁ ନିନ୍ଦା କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ନରେଶ ଘଡେ଼ଇ, ଅତିଶ ଦଳେଇ, ଜିତେନ୍ଦ୍ର ଘଡେ଼ଇ, ନୀଳମାଧବ ସାହୁ (ଭବାନୀ), ରୁଦ୍ର ପ୍ରସାଦ ଖଟୁଆ ଓ ଅନ୍ୟାନ୍ୟ ଯୁବ ଓ ଛାତ୍ରମାନେ ଯୋଗଦାନ କରିଥିଲେ ।
Politics,State
ବାଲେଶ୍ୱର( ଦ କୁଇଭର ) :- ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘଟଣା ଦିନକୁ ଦିନ ଜଟିଳ ହେଉଛି । ଯାହା ଉପରକୁ ଦୋଷ ଯାଉଛି ସେ ଦୋଷ ଖସେଇ ଦେଉଛି ଅନ୍ୟ ମୁଣ୍ଡକୁ । ଏବେ ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀ ଓରଫ ନନା, ବାଲେଶ୍ୱର ଏସପିଙ୍କୁ ଟାଣି ଆଣିଛନ୍ତି ବିବାଦକୁ । ବିଜେଡ଼ି ଯେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ଦଲଦଲ ଭିତରକୁ ଟାଣି ଥିଲା, ସେତେବେଳେ ନନା ନିଜ ଉପରୁ ଦୋଷ ଖସେଇ ଦେଇଛନ୍ତି ଏସପିଙ୍କ ଉପରକୁ । ଏବେ ଏସପି ଆସିଲେଣି ବିବାଦକୁ ।
ଘଟଣା ହେଉଛି ଛାତ୍ରୀ ଜଣଙ୍କ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ସମ୍ପର୍କରେ ପ୍ରତାପ ଷଡ଼ଙ୍ଗୀକୁ ଜଣାଇଥିଲେ । ପ୍ରତାପ ଷଡ଼ଙ୍ଗୀ ନିରବ ରହିଲେ ବୋଲି ବିଜେଡ଼ି ଅଭିଯୋଗ କରିଛି । ଫଳରେ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ନନାଙ୍କୁ ଦାୟିତ୍ୱହୀନ ବୋଲି ବିଜେଡ଼ି କହିବା ପରେ ନନା ପୁରା ରାଗିପାଚି ଲାଲ । ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି । ଯଦି କାହାର ଦମ ଅଛି ମୋ ସାଙ୍ଗରେ ତର୍କ କର । ମୁଁ ଦୁଃଖ ପ୍ରକାଶ କରୁଛି ଛାତ୍ରୀଙ୍କ ଅବସ୍ଥା ପାଇଁ । କିନ୍ତୁ ମୁଁ ଦାୟିତ୍ୱହୀନ କାମ କରିନାହିଁ । କୌଣସି ଅଭିଯୋଗ ପାଇଲା ପରେ ଏମପି ଓ ବିଧାୟକ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବେ ନାହିଁ । ସେଥିପାଇଁ ପୋଲିସ ଅଛି, ବ୍ୟବସ୍ଥା ଅଛି । ଏମପି ଓ ବିଧାୟକ ମାନେ ପୋଲିସକୁ କହିବେ, ସେଥିପାଇଁ ମୁଁ ବାଲେଶ୍ୱର ଏସପିଙ୍କୁ ଏହାଉପରେ ପଦକ୍ଷେପ ନେବାକୁ କହିଥିଲି । ଏତିକି କହିଦେଇ ନନା ସିଧା ସଳଖ ବାଲେଶ୍ୱର ଏସପିଙ୍କୁ ବିବାଦୀୟ କରିଦେଇଛନ୍ତି ।
ଯଦି ଏମପି ଏସପିଙ୍କୁ ଜଣାଇଥିଲେ ଏହି ପ୍ରସଙ୍ଗରେ, ତାହେଲେ ଏସପି କାହିଁକି ନିରବ ଥିଲେ ? କାହିଁକି ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ କରିନଥିଲେ ? କାହିଁକି ପୋଲିସ ଆକ୍ସନ ନେଇନଥିଲା ? ଏହି ପ୍ରସଙ୍ଗ ପାଇଁ ଏସପିଙ୍କୁ କାହିଁକି ନିଲମ୍ବନ କରା ନ ଯିବ ? ସେ ପ୍ରଶ୍ନ ଏବେ ଉଠିଲାଣି । ଦେଖାଯାଉ ସରକାର ଏମପିଙ୍କ କଥା ଅନୁସାରେ ଏସପିଙ୍କୁ ଦଣ୍ଡ ଦେଉଛନ୍ତି ନା ନନାଙ୍କ କଥାକୁ ବେଖାତିର କରି ଘଟଣା ଉପରେ ପରଦା ପକାଇ ଦେଉଛନ୍ତି ?
State
ପୋଲସରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଘାଇ ନଦୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ସୋମବାର ସାମ୍ନାକୁ ଆସିଛି । ତେବେ ଖବର ପାଇ ପୋଲସରା ଦମକଳ ବାହିନୀ ନଦୀ ଭିତରୁ ମୃତ ବୃଦ୍ଧଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ତେବେ ବୃଦ୍ଧଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଖବର ସଂଗ୍ରହ ସୁଦ୍ଧା ସ୍ପଷ୍ଟ ହୋଇନାହିଁ l
State
ବ୍ରହ୍ମପୁର ( ଦ କୁଇଭର ):- ରେଲୱେ ରେ ଚାକିରୀ କରେଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ ଦ୍ୱାରା ଦୁଇଜଣ ଗିରଫ. ନକଲି ଡକ୍ୟୁମେଣ୍ଟସ, ନିଯୁକ୍ତିପତ୍ର, ମୋବାଇଲଫୋନ ଜବତ କରିଛି ପୁଲିସ. ସଦର ଥାନା କୁକୁଡାଖଣ୍ଡି ଶାନ୍ତିନଗର ଅଞ୍ଚଳର ଏ. ବିଘ୍ନେଶ୍ୱର ରାଓ ଦୋରା ଏବଂ ଶୁଭ ଲକ୍ଷ୍ମୀ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ.ପାଟପୁର ଥାନା ଅନ୍ତର୍ଗତ କଂସମାରି ଗ୍ରାମର ଏସ୍. ଚୈତନ୍ୟ ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି. ୧୮.୦୩.୨୦୨୩ ରେ ଅଭିଯୋଗକାରୀ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କୁ ସାକ୍ଷାତ କରି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ ବୋଲି କହି ଟଙ୍କା ନେଇଥିବା ଅଭିଯୋଗ କରିଥିଲେ ଅଭିଯୋଗକାରୀ. କିଛି ଦିନ ପରେ ଅଭିଯୁକ୍ତ ଏ ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇ ସେମାନଙ୍କୁ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଥିଲେ। ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍ରେ TTE ଭାବରେ କାର୍ଯ୍ୟରତ ଥିବା ନେଇ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ. ପୂର୍ବ ରେଳବାଇର ଜି. ଏମର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଗ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ 62 ଲକ୍ଷ 50 ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ. ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ତାଲିମ ପାଇଁ କୋଲକାତା ନିଆ ଯାଇଥିଲା. ସେମାନଙ୍କର ସିଆଲଦାର ବି.ଆର.ସିଂହ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା. ଟ୍ରେନିଂ ପରେ ଘରକୁ ଫେରିଥିଲେ. କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଫଳାଫଳ ପାଇଥିଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କରିଥିଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ନକାରାତ୍ମକ ଶବ୍ଦ ଶୁଣିଥିଲେ. ଠକେଇରଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଏ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ. ପି କହିଛନ୍ତି. ବିଭିନ୍ନ ନକଲି ଡକ୍ୟୁମେଣ୍ଟ, ନିଯୁକ୍ତି ପତ୍ର, କଲ ଲେଟର ପ୍ରମୁଖ ସରଞ୍ଜାମ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସ. ପି କହିଛନ୍ତି l
Politics,State,Education,National
ଦ କୁଇଭର ବ୍ୟୁରୋ :- ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ । ଦେଶର ରାଜଧାନୀରେ ଉଠିଲା ବାଲେଶ୍ବରର ଘଟଣା । ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଖୁବ୍ ବର୍ଷିଛନ୍ତି ଏବଂ ରାଜ୍ୟ ସରକାରକୁ ଘଟଣା ନେଇ ଦୋଷାରୋପ କରିଛନ୍ତି । ଅଲକା କହିଛନ୍ତି- ଏହି ଛାତ୍ରୀ ବିଜେପି-ଆରଏସଏସର ଛାତ୍ର ସଂଗଠନ ଏବିଭିପିର ଜଣେ ପଦାଧିକାରୀ। ଛାତ୍ରୀ ଜଣକ ବିଜେପି ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ନିକଟରେ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କୁ କୁହାଯାଇଥିଲା ଯେ ଯଦି ସେ ଅଭିଯୋଗ ପ୍ରମାଣିତ କରି ନପାରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାନସିକ ନିର୍ଯାତନାରେ ଥିବା ଛାତ୍ରୀ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କୁ ନ୍ୟାୟ ମିଳିବ ନାହିଁ, ସେ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୧୧ଦିନ ଧରି ପୀଡ଼ିତା ନ୍ୟାୟ ମାଗିଲେ କିନ୍ତୁ ଅଭିଯୋଗ ପରେ ବି ତଦନ୍ତ କଲେନି । ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ଡବଲ ଇଞ୍ଜିନ ସରକାରରେ ଅପରାଧ ବଢ଼ିଲା । ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି । ଯେଉଁଠାରେ ବିଜେପିର 'ଡବଲ ଇଞ୍ଜିନ୍ ସରକାର' ଅଛି ସେଠାରେ ଏସବୁ ଘଟୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।ଗୋପାଳପୁର ଗଣଦୁଷ୍କର୍ମ କଥା ବି ଉଠାଇ ରାଜ୍ୟ ସରକାଙ୍କୁ ନିଶାନା କରି ବର୍ଷକର ଶାସନରେ କେତେ ମହିଳା ବିରୋଧୀ ଅପରାଧ ହୋଇଛି ତାର କଳା ଚିଠା ଦେଲେ ଅଲକା । ସେ କହିଛନ୍ତି- ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅପରାଧ ଶୀର୍ଷରେ ରହିଛି । ଏଠାରେ ବିଜେପି ସରକାର ରହିଛି ଯାହା ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଉଛି। ଏହା ଏକ ବଡ଼ ଚିନ୍ତାର ବିଷୟ।
ସେପଟେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦିଲ୍ଲୀରୁ ଦାବି କରିଛନ୍ତି । ବାଲେଶ୍ବର ଘଟଣାକୁ ନେଇ କିଛି ଭିଡିଓ ଏବଂ ଛାତ୍ରୀଙ୍କ ପ୍ରତିକ୍ରିୟା ଦେଖାଇ ଘଟଣାକୁ ବିସ୍ତାର ରୂପେ ବଖାଣିଛନ୍ତି ସୋଫିଆ । ମୁଖ୍ଯମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ସୋଫିଆ କହିଛନ୍ତି- ଆଜି ପୁଣି ଓଡିଶା ଚର୍ଚ୍ଚାରେ ରହିଛି, ଖବରର ଶୀର୍ଷରେ ରହିଛି । ବିକାଶ ପାଇଁ ନୁହେଁ ବରଂ ମହିଳା ବିରୋଧୀ ଅପରାଧ ପାଇଁ.. ବାଲେଶ୍ୱରର ଫକୀର ମୋହନ କଲେଜର ଜଣେ ଛାତ୍ରୀ ଯୌନ ଅନୁଗ୍ରହ ପାଇଁ ପ୍ରାର୍ଥନା କରୁଥିବା ଜଣେ ଏଚଓଡିଙ୍କ ବିରୋଧରେ ସ୍ୱର ଉଠାଇଲେ। କିନ୍ତୁ ଯେତେବେଳେ ସେ ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିପାରିଲେ ନାହିଁ ସେ ନିଜକୁ ନିଆଁ ଲଗାଇ ଦେଲେ । ଝିଅଟି ଗୋଟେ ବ୍ୟବସ୍ଥାରେ ଯୁଝି ହୋଇ ନିଜ ଜୀବନକୁ ବାଜି ଲଗାଇଲା ଯାହା ଦ୍ୱାରା ଓଡ଼ିଶାର ବିଫଳ ବ୍ୟବସ୍ଥାର ପର୍ଦ୍ଦାଫାସ ହେଲା । ଏହି ଘଟଣା ଆମ ପାଇଁ ଏକ ସତର୍କ ଘଣ୍ଟି, ଯାହା ଦ୍ୱାରା ଆମେ ମହିଳା ବିରୋଧୀ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇପାରିବୁ।ସୋଫିଆ ଆହୁରି ମଧ୍ଯ କହିଛନ୍ତି- ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ । ଏହି ମାମଲାରେ ଏକ ନ୍ୟାୟିକ ତଦନ୍ତ ହେବା ଉଚିତ ଯାହା ଦ୍ୱାରା ଦୋଷୀମାନଙ୍କୁ ଦଣ୍ଡ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କଲେ ସୋଫିଆ । ଯେହେତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ ତେଣୁ ମୋଦୀ ନିଜ ନୀରବତା ଭାଙ୍ଗି ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ । ଆଜି ଓଡ଼ିଶାରେ ସବୁଠି ମହିଳା ବିରୋଧୀ ଅପରାଧ ଘଟୁଛି। ସ୍କୁଲରେ ଝିଅମାନେ ଗର୍ଭବତୀ ହେଉଛନ୍ତି। ଜଣେ କଲେଜ ଛାତ୍ରୀ କ୍ୟାମ୍ପସରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ମହିଳା ଏବଂ ଝିଅମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି। ବିଜେପି ସରକାରକୁ ଉତ୍ତର ଦେବାକୁ ପଡିବ ବୋଲି ଦାବି କରିଛନ୍ତି ସୋଫିଆ ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗାଁରେ ଗତ ୬ ତାରିଖ ରାତିରେ ଦିଲୀପ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଗାଁର ପୀତବାସ ସାହୁଙ୍କୁ ପୁଲିସ ଗିରଫ କରିଥିବାବେଳେ ମଙ୍ଗଳବାର ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସିଙ୍ଗାବାଡ଼ି ଗାଁର ମାନସ ଓରଫ କାମନା ଗୌଡ଼ଙ୍କୁ ଚେନ୍ନାଇରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡ଼ା ଓ ଗୋଟିଏ ମୋବାଇଲ୍ ଜବତ କରିଛି।
ସୂଚନାଯୋଗ୍ୟ ମୃତ ଦିଲୀପ ପାତ୍ର ସିଙ୍ଗାବାଡି ଗ୍ରାମରେ ହାର୍ଡୱାର୍ ବ୍ୟବସାୟ କରୁଥିବା ବେଳେ ଏକାକୀ ରହି ଆସୁଥିଲେ | ଗତ କିଛି ଦିନ ପୂର୍ବେ କନିଷି ହାଟରେ ଦିଲୀପଙ୍କ ବାଇକ୍ ସହ ପୀତବାସଙ୍କ ବାଇକ୍ ଧକ୍କା ହୋଇଥିଲା। ଏଥର ପୀତବାସଙ୍କ ଗାଡି ଭାଙ୍ଗି ଯିବା ସହ ଆଘାତ ଲାଗିଥିଲା I ପୀତବାସ କ୍ଷତି ପୂରଣ ଦାବି କରିଥିବା ବେଳେ ଦିଲୀପ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମଯରେ ପୀତବାସ କ୍ଷତି ପୂରଣ ମାଗିବାରୁ ଦିଲୀପ କୁଆଡେ ମନା କରିବାରୁ ଏଭଳି କାଣ୍ଡ ଘଟି ଥିବା ପୁଲିସ ସୂଚନା ଦେଇଛି l
State
ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ରେଞ୍ଜର ଆଇଜି ଶ୍ରୀ ନୀତି ଶେଖରଙ୍କ ଦ୍ୱାରା ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟରୁ ବାଇକ୍ ପେଟ୍ରୋଲିଙ୍ଗ ଯାନଗୁଡ଼ିକର ସୋମବାର ଶୁଭାରମ୍ଭ ହୋଇଛି l ଆଇଜି ଶ୍ରୀ ନୀତି ଶେଖର ସବୁଜ ପତାକା ଦେଖାଇ ଏହି ବାଇକ ପେଟ୍ରୋଲିଙ୍ଗ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସହରରେ ହେଉଥିବା ଅପରାଧର ସଂଖ୍ୟା କମାଇବା ତଥା ଅପରାଧକୁ ରୋକିବା ପାଇଁ ବ୍ରହ୍ମପୁର ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି l
State
ବ୍ରହ୍ମପୁର( ଦ କୁଇଭର ):- ଜମି ଜାଲିଆତି କରି ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ସହରର ଆଗ ଧାଡ଼ିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ରାଜନୀତି ପରିବାରରୁ ଆସିଥିବା ତଥା ସ୍ବର୍ଗତ ଅଲେଖ ଚୋଧୁରୀଙ୍କ ସୁପୁତ୍ର ଚେତନ ଚୌଧୁରୀ।
ସୂଚନା ପ୍ରକାରେ,ଲାଞ୍ଜିପାଲିର ଏ. ସନ୍ତୋଷ କୁମାର ପାତ୍ରୋ, ଗୋସାନିନୁଗାଁ ଥାନାରେ ଏକ ଅଭିଯୋଗ କରିଛନ୍ତି ଯେ ସେ ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସ, ଗୋସାନିନୁଆଗାଁ ପାଇଁ ଜଣେ ଆକାଉଣ୍ଟାଣ୍ଟ ଏବଂ ମାର୍କେଟିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ସେ ଏବଂ ତାଙ୍କ ଅଫିସ୍ କର୍ମଚାରୀମାନେ ବିଭିନ୍ନ ଅଫିସ୍ କର୍ମଚାରୀଙ୍କ ମାଧ୍ୟମରେ ଏବଂ ବ୍ୟକ୍ତିଗତ ଭାବରେ ମାସିକ ବୀମା ଜମା ରାଶି ସଂଗ୍ରହ କରିଥିଲେ ଏବଂ ସମସ୍ତ ଟଙ୍କା କାର୍ଯ୍ୟାଳୟ ମାଲିକ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ପାଖରେ ଜମା କରୁଥିଲେ l ଏହା ଏକ ପ୍ଲଟ୍ ଆବଣ୍ଟନ ଯୋଜନା ପାଇଁ ଥିଲା ଯାହା ଅଗଷ୍ଟ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର ୨୦୨୧ ରେ ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇଥିଲା କିନ୍ତୁ ପରେ ଯେତେବେଳେ ପ୍ରତିଶ୍ରୁତିବଦ୍ଧ ସମୟ ଆସିଲା, ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସର ମାଲିକ ଗ୍ରାହକମାନଙ୍କ ଦ୍ୱାରା କୌଣସି ଜମା ଗ୍ରହଣ କରାଯାଇଥିବା କଥାକୁ ଅସ୍ୱୀକାର କରିଥିଲେ। ଅଭିଯୋଗ କାରୀ ଜଣେ ଏଜେଣ୍ଟ ହୋଇଥିବାରୁ, ତାଙ୍କୁ ହଇରାଣ କରାଯାଉଥିଲା ଏବଂ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କଠାରୁ ଧମକ ମଧ୍ୟ ମିଳୁଥିଲା।ଟଙ୍କା ଜମା କରିଥିବା ଗ୍ରାହକମାନେ ଟଙ୍କା ରସିଦ ଧରି ଆସିଥିଲେ ଏବଂ ସେମାନଙ୍କ ଜମି ଦାବି କରିଥିଲେ l ଏତେ ସବୁ ପରେ ମଧ୍ୟ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ଯେ ପ୍ରଦାନ କରାଯାଇଥିବା ରସିଦଗୁଡ଼ିକ ନକଲି ଏବଂ ସେ ଏ ବିଷୟରେ କିଛି ଜାଣିନାହାନ୍ତି l ଆକାଉଣ୍ଟିଂ ବହି ସମ୍ପର୍କିତ ସମସ୍ତ ରେକର୍ଡ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀଙ୍କ ହେପାଜତରେ ରଖାଯାଇଛି। ତେବେ ତଦନ୍ତରୁ ଜଣାପଡିଛି ଯେ ଶ୍ରୀଯୁକ୍ତ ଚେତନ କୁମାର ଚୌଧୁରୀ ଏକ ବିସ୍ତୃତ ମାସିକ ମୁଦ୍ରା ନିବେଶ ଯୋଜନା ମାଧ୍ୟମରେ ଆବାସିକ ପ୍ଲଟ ଦେବା ବାହାନାରେ ୨୦୦ ଗ୍ରାହକଙ୍କଠାରୁ ୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି।
ଏସବୁ ଅଭିଯୋଗ ପରେ ଚେତନ କୁମାର ଚୌଧୁରୀଙ୍କ ବିରୁଦ୍ଧରେ ଗୋସାନିନୁଗାଁ ଥାନା ଏବଂ ବଡ଼ବଜାର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଚେତନ ଚୌଧୁରୀକୁ ରବିବାର ଗିରଫ କୋର୍ଟ ଚାଲାଣ କରାଯାଇଥିବା ଗୋଶାଣୀ ନୂଆ ଗାଁ ଥାନା ପକ୍ଷରୁ ସୂଚନା ମିଳିଛି l
State,Education,Politics
ଭୁବନେଶ୍ୱର(ଦ କୁଇଭର): ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ପ୍ରସଙ୍ଗ ଏବେ ଜାତୀୟ ସ୍ତରରେ ଉଠିବ । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି କଂଗ୍ରେସ ଓ ବିଜେଡି । କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଦାସ ନୂଆଦିଲ୍ଲୀରେ ଗଣମାଧ୍ୟମଙ୍କୁ ମୋହନ ସରକାରଙ୍କ କାରନାମାକୁ ପଦାରେ ପକାଇବାକୁ ପହଞ୍ଚିଥିବା ବେଳେ ବିଜେଡି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବ । ଉଭୟ ବିରୋଧୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଝିଙ୍କିବାକୁ ପ୍ରସ୍ତୁତ ହୋଇଗଲେଣି । ଏଥର ମୋହନ ସରକାରଙ୍କୁ ନାକେଦମ କରିବେ । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅପାରଗତା ପାଇଁ ପୂରା ସରକାର ନାକ ରଗଡ଼ିବ ।
ବାଲେଶ୍ୱର ଛାତ୍ରୀ ଆତ୍ମାହୂତି ଘଟଣାରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଦୋଷ ରହିଛି । ଯେତେ ପ୍ୟାଚ ପକାଇଲେ ବି ମୋହନ ସରକାରଙ୍କ ଦାୟତ୍ୱହୀନତା ସବୁ ସ୍ଥିତିକୁ ବିଗାଡ଼ି ଦେଇଛି । ଜଣେ ଛାତ୍ରୀଙ୍କୁ ମରିବାକୁ ବାଧ୍ୟ କରିଦେଇଛି ମୋହନ ସରକାରଙ୍କ ବ୍ୟବସ୍ଥା । ମୋହନ ଯେତେ ବି ପଇଁତରା ଆପଣେଇଲେ ମଣିଷ ମରା ଦୋଷରୁ ମୁକ୍ତି ପାଇ ପାରିବେ ନାହିଁ । ଏବେ ଛାତ୍ରୀଙ୍କର ସ୍ଥିତି କ’ଣ ତାହା ଜଣାନାହିଁ । ସରକାରୀ ଭାବେ ଜୀବିତ କୁହାଯାଉଛି । ମାତ୍ର ବାସ୍ତବତା ହିଁ ସରକାର ଜାଣନ୍ତି । ଏଭଳି ସ୍ଥିତିରେ ବିରୋଧୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିରୋଧୀ ଲଙ୍କାକାଣ୍ଡ କରିବାକୁ ପ୍ରସ୍ତୁତ ହେଲେଣି ।
ଅବଶ୍ୟ ଏହା ଛୋଟ କଥା ନୁହେଁ । ତେଣୁ ବିରୋଧୀ ତେଜିବା ସ୍ୱାଭାବିକ । ଯେକେହି ବି ତାତିବ । ହେଲେ ଦଳୀୟ ପ୍ରେମ ଏପରି ଏକ ବାସ୍ତବବାଦୀ ଘଟଣା ଉପରେ ବି ଭାରି ପଡ଼ିଗଲାଣି । ସ୍ପଷ୍ଟ କହିଲେ, ମାନବିକତା ମରିଗଲାଣି । ସେ ଯାହା ହେଉ ରାଜନୀତି ପଛେ ହେଉ ବିରୋଧୀ ରାଜ୍ୟ ସରକାରଙ୍କର ଏହି କୁକର୍ମକୁ ନେଇ ଜାତୀୟ ସ୍ତରରେ ଥୋଇଲେଣି । କଂଗ୍ରେସ ବିଧାୟିକା ତଥା କଂଗ୍ରେସର ସର୍ବଭାରତୀୟ ମହିଳା ସଭାନେତ୍ରୀ ମିଳିତ ଭାବେ ଓଡ଼ିଶାର ଏହି କଳଙ୍କକୁ ଜାତୀୟ ସ୍ତରରେ ରଖି ମୋହନ ସରକାରଙ୍କ ଅପାରଗତାକୁ ପଦାକୁ ଆଣିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଲମ୍ବା ରାଜନୀତି କରିଛି । ପୂର୍ବରୁ ବିଜେଡି ନେତା ନବୀନ ପଟ୍ଟନାୟକ ମୋହନଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲେ । ଏବେ ବିଜେଡି ରାଷ୍ଟ୍ରପତିଙ୍କ ଆଗରେ ଫେରାଦ ହେବାକୁ ସମୟ ମାଗିଛି । ରାଷ୍ଟ୍ରପତି ତାଙ୍କ ପଡ଼ୋଶୀ ଜିଲ୍ଲାର ଝିଅ ପ୍ରତି ହୋଇଥିବା ଏହି ଜଘନ୍ୟ ଅତ୍ୟାଚାର ଓ ସରକାରଙ୍କ ସାଂଘାତିକ ଅବହେଳା ସମ୍ପର୍କରେ ବିଜେଡି ଠାରୁ ଶୁଣିଲେ, ତାହା ଜାତୀୟ ପ୍ରସଙ୍ଗ ହୋଇଯିବ । ଜାତୀୟ ସ୍ତରରେ ମୋହନ ସରକାରଙ୍କୁ ଛି... ଛି... କରିବେ ସମସ୍ତେ । ଯୁବମନ୍ତ୍ରୀଙ୍କ ପାଇଁ ପୂରା ସରକାର ଟା ବଦନାମ ହୋଇଯିବ । ଜାତୀୟ ସ୍ତରରେ ଅପାରଗତା ପଦାରେ ପଡ଼ିବ । ମୋହନ ସରକାରଙ୍କ ନାକ କଟିଯିବ ବୋଲି ଜଳ ଜଳ ହୋଇ ଦିଶିଲାଣି । ହଁ ଏହି ବିପର୍ଯ୍ୟୟକୁ ମେନେଜ କରିବାକୁ ବିଜେପି ଜାତୀୟ ସ୍ତରରୁ ଲାଗିଲେଣି । ତଥାପି ଏହା ଫୁଟି ବାହାରୁଛି ।
ଏହା ପଛରେ କାଳେ ବିଜେପିର ଜଣେ ଜାତୀୟ ସ୍ତରର ନେତାଙ୍କ ହାତ ଅଛି । ବିଜେଡି ଓ କଂଗ୍ରେସକୁ ଧରି ସେ ମୋହନ ସରକାରଙ୍କ ବିରୋଧରେ ଏହାକୁ ଅସ୍ତ୍ର କରିବାକୁ ଲାଗିଥିବା କୁହାଯାଉଛି । ଯଦି ଏହା ସତ ହୋଇଥିବ, ତେବେ ସାଂଘାତିକ । ଦେଖାଯାଉ ବିଜେପି ବିରୋଧରେ ଆରମ୍ଭ ହୋଇଥିବା ଏହି ଅଭିଯାନ କେତେଦୂର ଯାଉଛି ଓ କି ଫଳ ଆଣୁଛି?
National,International
ଦ କୁଇଭର ବ୍ୟୁରୋ :- ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆଜି ଫେରିବେ । ଅପରାହ୍ନ ସାଢ଼େ ୪ଟାରେ ISS ଛାଡ଼ିବେ ମହାକାଶଚାରୀ । ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ ।ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିବେ।ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନରେ ୧୮ ଦିନ ରହିଥିଲେ ଶୁଭାଂଶୁ । ତେବେ ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା । ସେ କହିଛନ୍ତି “ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା ।ଆକ୍ସିଅମ୍-୪ ମିଶନ ଜରିଆରେ ମହାକାଶକୁ ଯାଇଥିଲେ। ଶୁଭାଂଶୁ ଫେରିବା ବେଳକୁ ସାଥିରେ ଅନେକ ସାମଗ୍ରୀ ଧରି ଫେରିବେ । ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ୭ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ ।ତେବେ ଶୁଭାଂଶୁ ଶୁକ୍ଲାଙ୍କ ବାପା ମା’ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ । ନିଜର ମିଶନ ପୁରା କରିବା ପରେ ଫେରିବେ ଶୁଭାଂଶୁ । ଶୁଭାଂଶୁଙ୍କୁ ବ୍ୟାଣ୍ଡବାଜା ସହିତ ସ୍ବାଗତ କରାଯିବ ।
ସୂଚନାଯୋଗ୍ୟ, ଜୁନ୍ ୨୫ରେ ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଥିଲା ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ନିକଟ ନିମଖଣ୍ଡି ଥାନା ଅଞ୍ଚଳରେ ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନିମଖଣ୍ଡି ଥାନା ପୁଲିସ ମେଡ଼ିକାଲରେ ପିଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ମହିଳାଙ୍କ ନିଜ ସ୍ୱାମୀ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଅନ୍ୟ ମାନଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା l ଥାନାକୁ ଅଭିଯୋଗ ଦେବା ଯିବା ରାସ୍ତାରେ ଅଚେତ ହୋଈ ପଡ଼ିଥିଲେ ପୀଡିତା, ପୋଲିସ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା ମିଳିଛି l
State,Education,Politics
ଦ କୁଇଭର ବ୍ୟୁରୋ :- ବାଲେଶ୍ୱର ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାର ସହ ଭେଟିଲି।ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରକୁ ସମବେଦନା ଦେଲି। ଏବେ ସମସ୍ୟା ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା। ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି।ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁଠି ପହଞ୍ଚିଲାଣି ତାହା ଚିନ୍ତାର ବିଷୟ। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ , ସ୍ପଷ୍ଟ ଓ କୋଠର ଆଭିମୁଖ୍ୟ ଦେଖାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ନିଜର ଦାୟିତ୍ବ ନେଇଛନ୍ତି। ଯାହା ଉଚିତ୍ ପଦକ୍ଷେପ ହେବ ମୋର ଆଶା ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଶିକ୍ଷା ଜଗତରେ ଏବେ ଯେଉଁ ପ୍ରଶ୍ନ ଉଠିଛି ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ। ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନ ଦେବା ମୁଁ ଉଚିତ୍ ମନେ କରୁଛି। ଏବେ ଝିଅ ଯେଉଁ ଅବସ୍ଥାରେ ଅଛି ଆମର ପ୍ରଥମ ଦାୟିତ୍ବ ତାକୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟିତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର ମଧ୍ୟ l
State
ଦ କୁଇଭର ବ୍ୟୁରୋ :- ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଅବପାତ ଦୂର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଦକ୍ଷିଣ ବିହାର ଉପରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି । ୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
National,Education,State
ଭୁବନେଶ୍ୱର ( ଦ କୁଇଭର ):- ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ଆଜି କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି । ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇହେଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ଵାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
ବିଜୟଙ୍କ ପିଲାଦିନର ପରିସ୍ଥିତି ଆଜିର ସମୟ ଠାରୁ ପୂରାପୂରି ଭିନ୍ନ ଥିଲା କାରଣ ସେତେବେଳେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ଓଡ଼ିଶାରେ କୌଣସି ବିଦ୍ୟାଳୟର ବ୍ୟବସ୍ଥା ନଥିଲା। ବିଜୟ କିନ୍ତୁ ପାଠ ପଢ଼ିବା ପାଇଁ ଜିଦ୍ ଧରିଥିଲେ। ସେଥିପାଇଁ ସେ ପିତାଙ୍କ ଅନୁମତି ନେଇ ୧୯୫୭-୫୮ ମସିହାରେ କଲିକତାସ୍ଥିତ ବେହାଲା ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ କିଛି ବର୍ଷ ଅଧ୍ୟୟନ କରିବା ପରେ ସେ ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ୧୯୬୦ ମସିହା ସେପ୍ଟେମ୍ୱର ୧ ତାରିଖରେ ଦୃଷ୍ଟିହୀନଙ୍କ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳର ଓଡ଼ିଶା ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁଥଙ୍କରଙ୍କ ଉଦ୍ୟମରେ ପ୍ରାୟ ୧୦ ଏକର ଜାଗାରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେତେବେଳେ ମହୀଶୂରର ଶିକ୍ଷାବିତ୍ ଡ଼. ଏନ୍. ରତ୍ନ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଏହିଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ର ବ୍ୟବସ୍ଥା ରହିଥିଲା। ଏହାପରେ ଆଉ ଉଚ୍ଚ ଶ୍ରେଣୀ ପାଇଁ ସୁଯୋଗ ନଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ସେ ସମୟରେ ଦୃଷ୍ଟିହୀନ ପିଲାମାନେ ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଦା ସଦୃଶ, ବିଭିନ୍ନ କାରଣ ଯୋଗୁଁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜୟ ଭାରତର ରାଷ୍ଟ୍ରପତି ଭି.ଭି. ଗିରି ଓ ସମାଜ କଲ୍ୟାଣ ମନ୍ତ୍ରୀ ଆର. ଜଗନ୍ନାଥ ରାଓଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଭେଟି ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ରାଷ୍ଟ୍ରପତି ଗୁରୁତ୍ଵର ସହିତ ବିଚାର କରି ସ୍କୁଲ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପାଠ ପଢ଼ା ଚାଲିଲା। ପ୍ରଥମ ବ୍ୟାଚରେ ୬ ଜଣ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ, ଏହି ଦୃଷ୍ଟିହୀନ ପିଲାମାନେ ଅଧ୍ୟୟନ ନିମନ୍ତେ ଓଡିଶା ସ୍ଥିତ କଲେଜ ଗୁଡିକରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ବିଜୟଙ୍କ ନେତୃତ୍ଵରେ ଦୃଷ୍ଟିହୀନ ପିଲାମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳଙ୍କ ପରାମର୍ଶଦାତା କେ.ଟି. ସତାରାୱାଲା ଏହାକୁ ଗୁରୁତ୍ଵର ସହିତ ବିଚାର କରି ପ୍ରଥମ ଥର ପାଇଁ ଓଡ଼ିଶାର ୪ଟି କଲେଜରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କଲେଜ ମଧ୍ୟରେ ଖଲିକୋଟ, ରେଭେନ୍ସା, ବିଜେବି ଓ କେନ୍ଦ୍ରାପଡ଼ା କଲେଜ ଅନ୍ତର୍ଭୁକ୍ତ ଥିଲା ।
ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ଜୀବନସାରା ସେ ଦୃଷ୍ଟିହୀନ ପିଲାମାନଙ୍କୁ ଶିକ୍ଷାଦାନ ସହିତ ବିଦ୍ୟାଳୟର ଉନ୍ନତିକଳ୍ପେ ବହୁ କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ଆମ୍ୱପୁଆ ଠାରେ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବିଜୟ କୁମାର ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୃଷ୍ଟିହୀନମାନେ ଅନ୍ତତଃ ରାସ୍ତାଘାଟରେ ଭିକ୍ଷାବୃତ୍ତି ନ କରନ୍ତୁ, ଏବଂ ସେଥିପାଇଁ ସେ ଜୀବନସାରା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ଆମ୍ୱପୁଆ ଠାରେ ସେ ବୟସ୍କ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ ସେ ଏକ ଭୋକେସନାଲ୍ ଟ୍ରେନିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ ଯେଉଁଠାରେ ଦୃଷ୍ଟିହୀନ ବ୍ୟକ୍ତିମାନେ ତାଲିମ ନେଇ ଚୌକି, ଦଉଡ଼ି, ମହମବତୀ ଇତ୍ୟାଦି ତିଆରି କରିବା ପ୍ରଶିକ୍ଷଣ ନେଉଥିଲେ।
ଓଡ଼ିଶାରେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ପୁସ୍ତକ ନଥିଲା । ବିଜୟଙ୍କ ଉଦ୍ୟମରେ ବ୍ରହ୍ମପୁରରେ ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ୍ ୧୯୮୬ ମସିହା ନଭେମ୍ୱର ୧୯ ତାରିଖରେ ପ୍ରତିଷ୍ଠା ହୋଇପାରିଥିଲା । ଏହି ବ୍ରେଲ୍ ପ୍ରେସରୁ ଓଡ଼ିଶାର ୩୫ଟି ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାକୁ ପୁସ୍ତକ ଯୋଗାଇ ଦିଆଯାଉଛି । ଏହି ବ୍ରେଲ ପ୍ରେସରୁ ମଧ୍ୟ ବ୍ରେଲ କ୍ୟାଲେଣ୍ଡର, ବିଜ୍ଞାନ ଦିଗନ୍ତ ପତ୍ରିକା ଛପାଯିବା ସହିତ ୨୦୧୪ ମସିହାରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୃଷ୍ଟିହୀନଙ୍କ ପାଇଁ ଡ଼ମି ବ୍ୟାଲେଟ ପେପର ପ୍ରସ୍ତୁତ କରାଯାଉଛି ।
ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି କ୍ଷେତ୍ରରେ ବିଜୟ କୁମାର ରଥଙ୍କ ଦୁଇ ଭାଇ ବରିଷ୍ଠ ସାମ୍ୱାଦିକ ରବି ରଥ ଓ ବ୍ରହ୍ମପୁର ବ୍ରେଲ୍ ପ୍ରେସ୍ ର ପରିଚାଳକ ପ୍ରକାଶ ନାରାୟଣ ରଥ ମୁଖ୍ୟ ସହଯୋଗୀ ଭାବରେ ଅଦ୍ୟାବଧି ତାଙ୍କ ସହଯୋଗ କରୁଛନ୍ତି । ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Health & lifestyle,Education,State
ଭୁବନେଶ୍ୱର( ଦ କୁଇଭର ):- ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।