ଦ କୁଇଭର ବ୍ୟୁରୋ :- ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? ଏତେ ଦିନ ପରେ ପତ୍ନୀ ମୀନତି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ? ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିବେ କି ମିନତୀ ? ନା ଆଉ କିଛି ରହସ୍ୟ ଜଣାଇବେ....
ତତ୍କାଳୀନ ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟା କାଣ୍ଡ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନବ ଦାସଙ୍କ ପତ୍ନୀ ମୀନତି ଦାସ ଚିଠି ଲେଖି ସମୟ ମାଗିବା ପରେ ପୁଣିଥରେ ଚର୍ଚ୍ଚା ବଢିଛି । ଯଦିଓ ଚିଠିରେ ସେ କ’ଣ ଲେଖିଛନ୍ତି ସେନେଇ ନବଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ପୂର୍ବରୁ ଝିଅ ଦୀପାଳି ମଧ୍ୟ ଅନେକ ଥର ସିବିଆଇ ତଦନ୍ତ ଲାଗି ଦାବି କରିଥିଲେ । ତା'ପରେ ଆଇନ ମନ୍ତ୍ରୀ ଲିଖିତ ଭାବେ ଜଣାଇବାକୁ କହିବା ଏବଂ ଏବେ ମୀନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମାଗିବା କଳ୍ପ,ନା ଜଳ୍ପନା ବଢାଇଛି ।
ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ । ଗତ ୧୧ ତାରିଖରେ ସେ ଏହି ଚିଠି ଲେଖିଛନ୍ତି । ଯାହାକୁ ନେଇ ବଢିଛି ଚର୍ଚ୍ଚା । କିଛି ଦିନ ତଳେ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଆଇନ ମନ୍ତ୍ରୀ କହିଥିଲେ ପରିବାର ସଦସ୍ୟ ଲିଖିତ ଭାବେ ଜଣାନ୍ତୁ । ଏବେ ଦୀପାଳି କିମ୍ବା ଭାଇ ବିଶାଳଙ୍କ ବଦଳରେ ମା ସାମନାକୁ ଆସିବା କିଛି ରାଜନୈତିକ ଗୋଟି ଚାଳନା ଆଡକୁ ଇସାରା କରୁଥିବା ସାଧାରଣରେ ଚର୍ଚ୍ଚା ହୋଉଛି l ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ବି ବଢ଼ିବାରେ ଲାଗିଛି l
No comments yet.
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l
National
ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Education,State
ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
State,Politics,National
ଦ କୁଇଭର ବ୍ୟୁରୋ :- ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା। ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି। ଆପଣଙ୍କର କ’ଣ ହେଲା, କ’ଣ ନାହିଁ; ସେମାନଙ୍କର କିଛି ଯାଏ ଆସେ ନାହିଁ। ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର। ଆପଣମାନେ ଗୋଟିଏ ଗୋଟିଏ ବାଘ। କାହାକୁ ଡରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ। ଆପଣଙ୍କ ରକ୍ତରେ, ଡିଏନ୍ଏରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି। ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଅ। ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ସେମାନଙ୍କ ଜଙ୍ଗଲ, ଜମି ଓ ଜଳକୁ ଛଡ଼ାଇ ନେଇ ଆଦାନୀ, ଅମ୍ବାନି ସମେତ କେତେକ ପୁଞ୍ଜିପତିଙ୍କର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣି ରାହୁଲ କହିଛନ୍ତି, ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ। କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି। ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ହେଲେ ଫସଲ ବୀମା ମିଳୁନି। ରଥଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସନ୍ତି। କିନ୍ତୁ ଆଦାନୀ ପରିବାର ପାଇଁ ରଥ ଅଟକିଗଲା। ଏଥିରୁ ଓଡ଼ିଶା ସରକାର ବିଷୟରେ ଜାଣି ପାରୁଥିବେ। ଓଡ଼ିଶାରେ ଆଦାନୀର ସରକାର ଚାଲିଛି। ଆଦାନୀ ବି ମୋଦୀଙ୍କୁ ଚଳାଉଛି। ରାହୁଲ କହିଥିଲେ, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। କେଉଁଠି ଅଛନ୍ତି କିଛି ଜଣାପଡ଼ୁନି। ଓଡ଼ିଶାରେ ପ୍ରତି ଦିନ ୧୫ ଜଣ ମହିଳାଙ୍କର ବଳାତ୍କାର ହେଉଛି। ମହିଳାଙ୍କୁ ନ୍ୟାୟ ମିଳିବା ଦରକାର। ଓଡ଼ିଶାରେ ଜାତି ଜନଗଣନା ହେଲେ ହିଁ ଓଡ଼ିଶାର ବିକାଶ ହେବ। ଲେଙ୍ଗାନାରେ ଆମେ ଜାତି ଜନଗଣନା କରିଛୁ। ସେଠାରେ ଜଣାପଡ଼ିଲା କେଉଁ ବର୍ଗର କେତେ ଲୋକଙ୍କ ପାଖରେ କେତେ ସମ୍ପତ୍ତି ଅଛି, କାହାର ସ୍ଥିତି କ’ଣ। ଓଡ଼ିଶାରେ ଜାତି ଜନଗଣନା ହେଲେ ଜଣାପଡ଼ିବ ଓଡ଼ିଶାର ଅବହେଳିତ ବର୍ଗର ସ୍ଥିତି କ’ଣ? ଆମେ ଚାହୁଛୁ ଗରିବଙ୍କୁ ସେମାନଙ୍କ ଅଧିକାର ମିଳୁ। ଓଡ଼ିଶାରେ କିପରି ଜାତି ଜନଗଣନା ହେବ, ସେଥିପାଇଁ ମୁଁ ଭକ୍ତ ଦାସ, ଲଲ୍ଲୁଜୀଙ୍କୁ ପୂରା ଦମ୍ ଲଗାଇବାକୁ କହିଛି।ସେହିପରି ସମ୍ବିଧାନ ବଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଗଲା। ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ମଧ୍ୟରେ ୧କୋଟି ମତଦାତା ବଢ଼ିଗଲେ। ନିର୍ବାଚନ କମିସନଙ୍କୁ ଭୋଟର ତାଲିକା, ମତଦାନର ଭିଡିଓ ଫୁଟେଜ୍ ମାଗିଥିଲେ ବି ଆମକୁ ଦିଆଯାଉନି। ଏବେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ହେଲେ ଆମେ ଏହାକୁ କରିବାକୁ ଦେବୁନି। ନିର୍ବାଚନ କମିସନ ଏବେ ନିଜ କାମ ନକରି ବିଜେପି କାମ କରୁଛନ୍ତି। ଏହା ସମ୍ବିଧାନ ପାଇଁ ବଡ଼ ବିପଦ।
ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରି ରାହୁଲ କହିଥିଲେ, ବିଜେପି ସରକାର ଡ୍ରାଇଭର ସଂଘ ଉପରେ ଚାପ ପକାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଡ୍ରାଇଭର ସଂଘର ସମସ୍ତ ଦାବି ପୂରଣ ହେବା ଉଚିତ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ, ମୋଦୀ ସରକାର ବିରୋଧରେ ଯିଏ ସ୍ବର ଉଠାଉଛି ତାକୁ ଇଡି, ସିବିଆଇ, ଆଇଟି ରେଡ୍ ଧମକ ଦିଆଯାଉଛି। ଆପଣମାନେ ଡରନ୍ତୁନି, ସ୍ବର ଉତ୍ତୋଳନ କରନ୍ତୁ। ଏ ଲଢ଼େଇ ଜାରି ରହିବା ଦରକାର। ଶୋଇଥିବା ସରକାରକୁ ଉଠାଇବାକୁ ପଡ଼ିବ। ଏହାସହ ସେ କହିଥିଲେ ରାଜ୍ୟରେ ସରକାର ବାଲି, ଜଙ୍ଗଲ ବିକି କମିସନ ଖାଉଛନ୍ତି। ବିଜେପି ସରକାର ଏବେ ସବୁଥିରେ କମିସନ ଖାଉଛି। ଧନୀ ଲୋକଙ୍କ ପାଇଁ ରଥ ଅଟକି ଯାଉଛି। ଭଗବାନ କ’ଣ କେବଳ ଧନୀଙ୍କ ପାଇଁ? ଆପଣମାନେ ଲଢ଼ନ୍ତୁ। ଆପଣମାନେ ଲଢ଼ିଲେ ଜେଲ୍ରେ ପୂରାଇ ଦେବେ ତ, ପୂରାନ୍ତୁ। ଲଢ଼ିବା ମାନେ ମରାମରି ନୁହେଁ, ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପନ୍ଥାକୁ ଆପଣାନ୍ତୁ। ସବୁ ଦୁର୍ନୀତିର ପର୍ଦ୍ଦାଫାସ କରନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି କଂଗ୍ରେସକୁ ସଶକ୍ତ କରିବା, ଦେଶରୁ ବିଜେପି ସରକାରକୁ ହଟାଇବା। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଯେତେ ପ୍ରକାରର ହଇରାଣ କରିବା କଥା କରିଛନ୍ତି। କିନ୍ତୁ ସେ ଶକ୍ତିମାନ ହୋଇ ଏଥିରୁ ବାହାରିଛନ୍ତି। ଆଜି ଯେଉଁ ଲଢ଼େଇ ଆରମ୍ଭ ହୋଇଛି, ତାହା ଆରମ୍ଭ ମାତ୍ର। ଆସନ୍ତା ୧ବର୍ଷରେ ରାଜ୍ୟରେ ଏହିଭଳି ୧୦ଟି ବଡ଼ ସମାବେଶ ହେବ।କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାରେ କଂଗ୍ରେସ ଆଜି ବିପ୍ଲବ ସୃଷ୍ଟି କରିଛି। ବିଧାନସଭା ଭିତରେ ଓ ବାହାରେ ଆଦିବାସୀ, ମହିଳା ଓ ଝିଅଙ୍କ ଉପରେ ନିର୍ଯାତନାକୁ ନେଇ ଲଢ଼େଇ ଜାରି ରହିବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେବା ବେଳେ କହିଥିଲେ, କେବଳ ମହାରାଷ୍ଟ୍ର, ହରିୟାଣାରେ ନିର୍ବାଚନ ଚୋରି ହୋଇନି, ଓଡ଼ିଶାରେ ବି ନିର୍ବାଚନ ଚୋରି ହୋଇଛି। ଏହାର ଉଦାହରଣ ହେଉଛି ମୁଖ୍ୟମନ୍ତ୍ରୀ ଯେଉଁଠିକୁ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେଠାରେ ୫ହଜାର ଲୋକ ବି ହେଉନାହାନ୍ତି। ପୂର୍ବରୁ ଜଣେ ସରକାରୀ ଅଧିକାରୀ ସରକାର ଚଳାଉଥିଲେ, କିନ୍ତୁ ଏବେ କିଏ ଗୁଜରାଟରେ ବସି ସରକାର ଚଳାଉଛି, ତାହା କେହି ଜାଣୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବଦଳି କରିବାର କ୍ଷମତା ନାହିଁ। ଏହି ସଭାକୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ମଞ୍ଚରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ସମସ୍ତ ବିଧାୟକ, ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
State,National
ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।
State
ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।
କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।
State
ଭଞ୍ଜନଗର( ଦ କୁଇଭର ):- ଭଞ୍ଜନଗର ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଗୋଟିଏ ଦିନ ଏବେ ବି କାରଣ ଅସ୍ଵଷ୍ଟ ।ଖବରରୁ ଜଣାଯାଏ ଯେ ଭଞ୍ଜନଗର ଥାନା ବାଇବାଲି ଗାଁର ମୁନିଆକଣ ଜଙ୍ଗଲ ମଧ୍ଯ ଭାଗରେ ମାଟି ତଳେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ ପ୍ରଶାସନ । ଗତକାଲି ଦିନ 12 ଘଣ୍ଟ ସମୟରେ ଉଦ୍ଧାର ହୋଇଥିଲେ ମଧ୍ଯ ଘଟଣାକୁ ଗୋଟିଏ ଦିନ ବିତିଗଲା ତଥାପି ଯୁବକଙ୍କ ପରିଚୟ ମିଳୁନଥିବା ବେଳେ ପରିଚୟ ସଂଗ୍ରହ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ଖୁବଶୀଘ୍ର ଜଣାପଡିବ ବୋଲି ଆଜି ଦିନ ଦୁଇଘଣ୍ଟ ସମୟରେ ଭଞ୍ଜନଗର SDPO ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେହିପରି ବଳକା ଚାଉଳ ନେବ ଏଫସିଆଇ । ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ଏଥିରୁ ୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ହେବ। ରାଜ୍ୟରେ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକତା ରହିଛି । ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେଇଥାଏ। ଏଥର ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
Health & lifestyle,State,National
ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
State
ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।
Farming,State
ଦ କୁଇଭର ବ୍ୟୁରୋ : ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କ'ଣ। ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । ନିତ୍ୟଦିନ ପରିବା ଆକାଶ ଛୁଆଁ ହୋଇଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ଅନ୍ୟପକ୍ଷରେ ନିଜେ କ୍ଷତି ସହି କେମିତି କମ ଦାମରେ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବା ବ୍ୟବସାୟୀ ।ସେପଟେ ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି । ପୋଟଳ କିଲୋ ୮୦ଟଙ୍କା ଏବଂ ଜହ୍ନି, କଲରା, ଭେଣ୍ଡି, ଗାଜର ଆଦି ପରିବାର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ, ଖମ୍ବଆଳୁ, ସାରୁ, ଟମାଟୋ ଆଦି ପରିବା କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି ।
National,Politics
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ ମିଳିଛି । ଏହା ପରେ, କେନ୍ଦ୍ରମନ୍ତ୍ରୀ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ପାଟନାରେ ଅଭିଯୋଗ କରିଛନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।ପୂର୍ବରୁ, ଛାପ୍ରାରେ ଆୟୋଜିତ ‘ନବ ସଂକଳ୍ପ ମହାସଭା’କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ। ଏପରି ପରିସ୍ଥିତିରେ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବି ।ସେହି ସମୟରେ, ସେ ସ୍ପଷ୍ଟ କରିଥିଲେ ଯେ ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, ‘‘ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଆଜି, ସାରଣର ଏହି ପବିତ୍ର ଭୂମିରୁ, ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ କହୁଛି ଯେ ହଁ, ମୁଁ ନିର୍ବାଚନ ଲଢ଼ିବି । ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା’ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।”
National,Politics,State
ଭୁବନେଶ୍ୱର( ଦ କୁଇଭର ):- ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେଇ ଆଜି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି | ରଥଯାତ୍ରାରେ ଅବ୍ୟବସ୍ଥା ସହ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ରାହୁଲ | ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଆଦାନିଙ୍କ ପାଇଁ ରଥକୁ ରୋକାଯାଇଥିଲା | ରାହୁଲ କହିଛନ୍ତି ଯେ ଏହା ଆପଣଙ୍କ ସରକାର ନୁହେଁ, ଆଦାନିଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର | ସେହିପରି ରାହୁଲ କହିଛନ୍ତି ଯେ ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ଗାଏବ ହୋଇଛନ୍ତି, ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି | ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି | ସେହିପରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି | ସେ କହିଛନ୍ତି ଯେ ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା, ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା | କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି | ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି | ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ | ରାହୁଲ କହିଛନ୍ତି ଯେ ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି, ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି |
National,Politics,State
ଦ କୁଇଭର ବ୍ୟୁରୋ :- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ସୁନ୍ଦରଗଡ଼ର ସାଂସଦ ଏହି ଘୋଷଣା କରି ନିଜର ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିଅରର ଅନ୍ତ ଘଟାଇଛନ୍ତି।ଜାତୀୟ ରାଜନୀତିରେ ଜଣେ ପ୍ରମୁଖ ଆଦିବାସୀ ଚେହେରା ଏବଂ ସୁନ୍ଦରଗଡ଼ରୁ ପାଞ୍ଚ ଥର ସାଂସଦ ହୋଇଥିବା ଓରାମ ବିଜେପିରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ବହୁବାର କାର୍ଯ୍ୟ କରିଛନ୍ତି।
୧୯୮୯ ମସିହାରେ ବିଜେପିରେ ଯୋଗଦେବା ପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ସେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବଣାଇରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ସେ ସୁନ୍ଦରଗଡ଼ରୁ ଲୋକସଭାରେ ପ୍ରବେଶ କରିଥିଲେ ଏବଂ ସେବେଠାରୁ ଆଦିବାସୀ କଲ୍ୟାଣ ଏବଂ ବିକାଶ ପାଇଁ ଏକ ସ୍ଥିର ସ୍ୱର ହୋଇ ଆସିଛନ୍ତି। ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବା ସତ୍ତ୍ୱେ, ଓରାମ ଦୃଢ଼ ଭାବରେ କହିଛନ୍ତି ଯେ, ସେ ଦଳର ସେବା ଜାରି ରଖିବେ। ସେ କହିଛନ୍ତି ‘ମୁଁ ବିଜେପିରେ ଅଛି ଏବଂ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି।’ସେ କହିଛନ୍ତି,ନିର୍ବାଚନ ନଲଢ଼ିବା ମୋର ନିଷ୍ପତ୍ତି। କିନ୍ତୁ ଯଦି ଦଳ କହିବ, ମୁଁ ଲଢ଼ିବି। ମୁଁ ପୂର୍ବରୁ ୧୦ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛି। ମୁଁ ଯୁବ ପିଢ଼ିଙ୍କ ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।
State
ଦ କୁଇଭର ବ୍ୟୁରୋ :- ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ଜନ୍ମ ନେଲା ଏକ ଭାରତୀୟ ଗୟଳ ଶାବକ । ଗତକାଲି ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ୪୨ନଂ ଖୁଆଡରେ ରହୁଥିବା ମାଈ ଗୟଳ ଏହି ଶାବକ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନରେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଶେଷଥର ପାଇଁ ୨୦୨୪ ମସିହା ଜୁନ ୫ରେ ଗୟଳ ଜନ୍ମ ନେଇଥିଲା । ତେବେ ଏକ ବର୍ଷପରେ ପୁଣି ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇଛି ।ବର୍ତ୍ତମାନ ୩ଟି ଅଣ୍ଡିରା, ୩ଟି ମାଇ ଏବଂ ଗୋଟିଏ ଶାବକଙ୍କୁ ମିଶାଇ ୭ଗୟଳ ଅଛନ୍ତି । ସର୍ବବୃହତ ବନ୍ୟଗାଈ ପ୍ରଜାତି ମଧ୍ୟରେ ଏହି ଗୟଳ ଅନ୍ୟତମ । ଏହାର ମାଂସପେଶୀ ଗଠନ, ଉତ୍ତଳକ ପାଳଧାର ଏବଂ ଗୋଡ଼ର ରଙ୍ଗ ପାଇଁ ଜଣାଶୁଣା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ସୂଚୀ ଅନୁଯାୟୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅଧୀନରେ ଏହି ପ୍ରଜାତି ଗୟଳଙ୍କର ବଂଶବୃଦ୍ଧି ପାଇଁ ପ୍ରଜନନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
National,State
ଦ କୁଇଭର ବ୍ୟୁରୋ :- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଟ୍ଵିନ ସିଟିରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକ ପଦକ୍ଷେପ ଚୂଡାନ୍ତ ହୋଇଛି ।ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ନିକଟରୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ପାଇଁ ବ୍ୟବସ୍ଥା ହୋଇଛି । ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାରକେଡ ପ୍ଲାନ ପ୍ରସ୍ତୁତ ହୋଇଛି । ସେହିପରି ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ ହେବ । ରାସ୍ତାର ପରିସ୍କାର ପରିଚ୍ଛନ୍ନତା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ବ୍ୟବସ୍ଥା ରଖିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି ।
State,Health & lifestyle,Politics,National
ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।
ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ଶ୍ରୀମତି ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ | ଟାଟା ଷ୍ଟିଲ ଫାଉଂଡେସନର CRS ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଛତ୍ରପୁର ଆଇନଜିବି ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢି ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଂଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ |
ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା I ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ I ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ବର୍ଧନା କରିଥିଲେ I