ଦ କୁଇଭର ବ୍ୟୁରୋ :- ଗଜପତିଙ୍କ ତାଗିଦ ସତ୍ତ୍ବେ ମାନୁନାହାନ୍ତି ଇସ୍କନ କର୍ତ୍ତୃପକ୍ଷ । ଆମେରିକାର ହ୍ୟୁଷ୍ଟନରେ ଗଡ଼ିଛି ଅଦିନିଆ ରଥ । ଇସ୍କନ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ଅଫ୍ ବ୍ଲିସ କାର୍ଯ୍ୟକ୍ରମରେ ଗଡ଼ିଛି ରଥ । ରଥରେ ଯଦିଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ନଥିଲେ । କିନ୍ତୁ ଅବିକଳ ରଥ ତିଆରି କରି ଏହାକୁ ଟଣାଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚେତବାନୀ ସତ୍ତ୍ୱେ ହ୍ୟୁଷ୍ଟନରେ ରଥ ଟାଣି ଭକ୍ତଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ଇସ୍କନ। ଏପଟେ ହ୍ୟୁଷ୍ଟନରେ ଅଦିନିଆ ରଥଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ପୂର୍ବରୁ ଏ ସମ୍ପର୍କରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନକୁ ଚେତାବନୀ ଦିଆଯାଇଥିଲା। ଏବେ ପ୍ରଶାସନ ଓ ଗଜପତି ଯାହା ନିଷ୍ପତ୍ତି ନେବେ, ସରକାର ତାକୁ ସମର୍ଥନ ଦେବେ।
No comments yet.
State
ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫେଙ୍ଗଲ୍’ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସ୍ଥଳ ଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ସହ ତୁହାକୁ ତୁହା ବର୍ଷା ଲାଗିରହିବାରୁ ଜନଜୀବନ ପ୍ରଭାବିତ ହୋଇଛି। ହଜାର ହଜାର ଘର ଭାଙ୍ଗିଛି। ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଆଜି ରିପୋର୍ଟ ଲେଖାଯିବା ବେଳକୁ ଅବପାତ ରୂପରେ ତାମିଲନାଡ଼ୁ ଭିତରେ ରହିଥିଲା । ଗୋଟିଏ ବାତ୍ୟା ଯିବା ପରେ ଆଉ ଗୋଟିଏ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବ। ଏହି ସମୟରେ ଶୀତ ବଢ଼ିବ। ତେବେ ୭ରୁ ୯ ତାରିଖ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡିସେମ୍ବର ୨, ୩ ଓ ୯ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୫ରୁ ୭ ତାରିଖ ମଧ୍ୟରେ କୁହୁଡ଼ି ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳର କେତେକ ସ୍ଥାନ ଏବଂ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବାକି ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ମନା କରିବା ପରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତିରେ ଯେପରି କଳାବଜାରୀ ନବଢେ ସେନେଇ ସୋମବାର ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପରିବା ହାଟରେ ଚଢ଼ାଉ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ୪ ନମ୍ବର ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୧ ନମ୍ବର ହାଟରେ ଏହି ୩ଟି ଟିମ୍ ଜୋରଦାର ଚଢ଼ାଉ କରିଛନ୍ତି । ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି । ସେହିପରି ଆଳୁ କିଣାର ବିଲ୍ ଦେଖାଇ ପାରିନଥିବା କିଛି ବ୍ୟବସାୟୀକୁ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ସେପଟେ ବେପାରୀଙ୍କ କହିବା ଅନୁସାରେ, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।
ଏନେଇ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, "କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି । ଆଜି ୩ ଜଣଙ୍କୁ ନୋଟିସ୍ କରାଯାଇଛି । ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି । କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି । ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ୩ଟି ଟିମ୍ ଭୁବନେଶ୍ବରରେ ଯାଞ୍ଚ କରୁଛନ୍ତି ।" ସେପଟେ ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଯଦି କୌଣସି ବ୍ୟବସାୟୀ ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବ ।
State,National
ଭୁବନେଶ୍ୱର( ଦ କୁଇଭର ):- ୩ ଦିନ ଧରି ଭୁବନେଶ୍ବରରେ ହେଉଥିବା ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀକୁ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ । କିନ୍ତୁ ଦିଲ୍ଲୀ ଯିବା ପୂର୍ବରୁ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଜାତୀୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ୩୬୦ ଡିଗ୍ରୀ ଆଲୋଚନା କରିଛନ୍ତି ମୋଦୀ, ଶାହା ଓ ଡୋଭାଲ । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ଶେଷ କରିବାକୁ ଗୁପ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ସର୍ବୋପରି ଏଭଳି ଗୁରୁମନ୍ତ୍ର ସହ ଶେଷ ହୋଇଛି ପୋଲିସ ଡିଜି ସମ୍ମିଳନୀ।
ତୃତୀୟ ଦିନରେ ୫ଟି ବିନ୍ଦୁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।
ଆତଙ୍କବାଦକୁ ଦମନ ପାଇଁ ରୋଡମ୍ୟାପ, ଉଗ୍ରବାଦୀ ସଙ୍ଗଠନର ସମୂଳ ବିନାଶ,ଉପକୂଳ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ,ନୂଆ ଆପରାଧିକ ଆଇନ ବ୍ୟବହାର,ନିଶା କାରବାରରେ ରୋକ,
ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନ୍ବୟ ରଖି କିଭଳି ଏହି ଚ୍ୟାଲେଞ୍ଜକୁ ସାମ୍ନା କରାଯାଇପାରିବ ସେନେଇ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ଯେଉଁ ରଣନୀତି ଓଡ଼ିଶାରୁ ପ୍ରସ୍ତୁତ ହୋଇଛି ତାହା ଆଗକୁ ପୂରା ଦେଶ ଦେଖିବ ।
ସୂଚନା ଥାଉକି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏଥର ୫୯ ତମ ଡିଜି-ଆଇଜି ସମ୍ମିଳନୀ ହୋଇଥିଲା । ଯାହା ନଭେମ୍ବର ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଦ୍ବିତୀୟ ଦିନ ଓ ଅନ୍ତିମ ଦିନ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
State
ଭୁବନେଶ୍ୱର(ଦ କୁଇଭର): ଜମି ଜାଲିଆତି କରି ବିଲ୍ଡର ସଂସ୍ଥାକୁ ବିକିଥିବାର ଭାଣ୍ଡାଫୋଡ଼ ହୋଇଯାଇଛି । ଶିଳ୍ପ ପାଇଁ ଲିଜ ଥିବା ଜମିକୁ ଜାଲିଆତି କରି ରେକର୍ଡ ବଦଳାଇବା ଓ ବିଲ୍ଡରଙ୍କୁ ବିକି ୧୫୦୦କୋଟିର ଫ୍ଲାଟ କରିବାକୁ ଯୋଜନା କରିଥିବା ଦୁଇ ଜଣ ବେପାରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଚଞ୍ଚକତା ପାଇଁ ଜମି ମାଲିକ ଥିବା ପାଲଟ୍ରୋନ୍ସକ୍ସର ନିଦେ୍ର୍ଦଶିକା ଓ ଜମି କିଣିଥିବା ଅର୍ବାନ ବିଲ୍ଡରର ନିଦେ୍ର୍ଦଶିକାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି ।
ପଟିଆ ମୌଜାର ଖତିଆନ ନଂ ୪୭୪/୫ ଓ ପ୍ଲଟ ନଂ୩୦୯/୧୬୯୪ରେ ଥିବା ୫ଏକର ଜମି ଶିଳ୍ପ ପାଇଁ ପାଲଟ୍ରୋନକ୍ସ ଆଣ୍ଡ ଆଲାଏଡ ଇଣ୍ଡଷ୍ଟିଜ ପ୍ରାଇଭେଟ ଲିମିଟେଡର ମାଲିକ ତେଜପାଲ ସିଂହଙ୍କ ନାମରେ ଲିଜ ଦେଇଥିଲେ ସରକାର । ଏହି ଲିଜ ଜମିକୁ ଚଞ୍ଚକତା କରି ବିକିବା ପାଇଁ କାଳେ ମସୁଧା ହୋଇଥିଲା । ସେଥିପାଇଁ ପାଲଟ୍ରୋନକ୍ସ କମ୍ପାନୀରେ ରାଜୀବ ଶେଖର ସାହୁଙ୍କ ପତ୍ନୀ ବୈଜୟନ୍ତୀ ସାହୁ ନିଦେ୍ର୍ଦଶିକା ଭାବେ ଯୋଗଦେଇଥିଲେ । ପାଲଟ୍ରୋନିକ୍ସ କମ୍ପାନୀର ନିଦେ୍ର୍ଦଶିକା ବୈଜୟନ୍ତୀ ଅର୍ବାନ ଲିଭିଙ୍ଗ ବିଲ୍ଡର୍ସର ପାର୍ଟନର ରୁପଶ୍ରୀ ଅଗ୍ରୱାଲଙ୍କୁ ଜମି ପାୱାର ବଳରେ ଦେଇଥିଲେ । ଜମି ରେକର୍ଡରେ ବ୍ୟାପକ ଜାଲିଆତି ହୋଇଥିବା ଏବେ ଧରାପଡ଼ିଛି । ସରକାରୀ ବାବୁମାନେ ଆଖିବୁଜି ଟଙ୍କା ନେଇ ସବୁ ପ୍ରକାର ଜାଲିଆତି କରିଛନ୍ତି ।
ଏହି ଜାଲିଆତି ଧରାପଡ଼ିବା ପରେ ଏବେ ସରକାରୀ କଳ ଖୋଳତାଡ଼ କରିଛି । ନିୟମ ଅନୁଯାୟୀ ଜାଲିଆତି କରିଥିବା ଓ କରାଇଥିବା ଲୋକ ଉଭୟ ଦୋଷୀ । ଚୋରି ସାମଗ୍ରୀ ବିକିବା ଓ କିଣିବାରେ ଯେମିତି ଉଭୟ ଦୋଷୀ, ସେହିପରି ଜାଲ ଜମି କିଣାବିକା ଓ ଆପାର୍ଟମେଣ୍ଟ ନିର୍ମାଣ ପାଇଁ କାମ କରିବା ଏବଂ ଲୋକଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଛନ୍ଦି ହେବାକୁ ଯାଉଛନ୍ତି ରୁପଶ୍ରୀ ଅଗ୍ରୱାଲ । ଏପରି ଜାଲିଆତି ଓ ଠକାମୀ ପାଇଁ ସେମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦର୍ମା ହେବ ବୋଲି ସୂଚନା ମିଳିଛି । ଏହା ହେଲେ ଉଭୟ ନିଦେ୍ର୍ଦଶିକା ଓ ପାର୍ଟନର ଗିରଫ ହେବେ ବୋଲି ଆଇନଜ୍ଞମାନେ କହୁଛନ୍ତି ।
ଓହର ମଝିରେ ଏତେବଡ଼ ଜାଲିଆତି କରି ଶହଶହ କୋଟିର ବେପାର କରିବାକୁ ଅଣ୍ଟା ଭିଡ଼ିଥିବା ଏହି ଦୁଇ ନିଦେ୍ର୍ଦଶିକା ଓ ପାର୍ଟନରଙ୍କ କାରନାମା ଏବେ ପଦାରେ ପଡ଼ିଲାଣି । ଦୁହେଁ କେତେ ମାତ୍ରାରେ ଲୋକଙ୍କୁ ଠକି ପାରନ୍ତି ତାହା ଏବେ ସ୍ପଷ୍ଟ ହେଉଛି । ସିଧା ସିଧା କହିବାକୁ ଗଲେ ସରକାରୀ ଜମିକୁ ଜଣେ ଅନ୍ୟ ଜଣକୁ ଦେଇ ଦେଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ବହୁତଳ ଆପାର୍ଟମେଣ୍ଟ କରି ଲୋକଙ୍କୁ ବିକିବାକୁ ଟଙ୍କା ଉଠାଇଥିବା କୁହାଯାଉଛି । ଯାହା ଧର୍ତ୍ତବ୍ୟ ଅପରାଧ । ଏପରି ଅପରାଧ ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଦେଖାଯାଉ ସରକାର କେବେ ଏପରି ଜାଲିଆତି ଓ ଠକେଇ କରିଥିବା ନିଦେ୍ର୍ଦଶିକାଙ୍କ ବିରୋଧରେ ମାମଲା କରୁଛି ଓ ଜେଲକୁ ପଠାଉଛି?
Education
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଜଣେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ l ସିନିୟର ଡାକ୍ତରୀ ଛାତ୍ରୀ ମାନେ ଜୁନିୟର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ହୋଇଥିଲା l ଏହି ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରେଗିଙ୍ଗ ସେଲ କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଏମକେସିଜି କଲେଜରେ ଏମବିବିଏସ ପଢୁଥିବା ସିନିଅର ଛାତ୍ରୀ ଜୁନିଅର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ପରେ ୪ଜଣ ସିନିଅର ଛାତ୍ରୀଙ୍କୁ ଆଣ୍ଟି ରେଗିଙ୍ଗ ସେଲ ନୋଟିସ କରିଥିଲା l ଏନେଇ ସୋମବାର ଦିନ ଏମକେସିଜି ମେଡିକାଲ କଲେଜ ରେ ଆଣ୍ଟି ରେଗିଙ୍ଗ ସେଲ ର ସ୍ୱତନ୍ତ୍ର ବୈଠକ ବସିଥିଲା l ବୈଠକ ରେ ସମସ୍ତ ଅଭିଯୋଗ ଶୁଣିବା ପରେ ରେଗିଙ୍ଗ ର କୌଣସି ସତ୍ୟତା ନଥିବା କହିଥିଲେ ମେଡିକାଲ ଅଧ୍ୟକ୍ଷା l
National
ଦ କୁଇଭର ବ୍ୟୁରୋ :- ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଥିବା ବାତ୍ୟା ‘ଫେଙ୍ଗଲ୍’ ରାତି ୯ଟା ସୁଦ୍ଧା ପୁଡ଼ୁଚେରିଠାରୁ ୨୩୦ ଓ ଚେନ୍ନାଇଠାରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୩୦ ତାରିଖ ଅପରାହ୍ଣ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କାରାଇକାଲ-ମହାମବଳିପୁରମ୍ ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ପବନର ଘଣ୍ଟା ପ୍ରତି ବେଗ ୭୦ରୁ ୮୦ କିମି ରହିବ। ସ୍ଥଳ ବିଶେଷରେ ୯୦ କିମି ବେଗରେ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହାର ପ୍ରଭାବରେ ଓଡ଼ିଶାରେ ପାଗରେ ପରବର୍ତ୍ତନ ହୋଇଛି। କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। କଟକ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକ ସହରର କିଛି ଅଞ୍ଚଳରେ ହାଲୁକା ତଥା ଝିପିଝିପି ବର୍ଷା ଲାଗିରହିଛି। ଶନିବାର ପୂର୍ବାହ୍ନ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
State,Politics,National
ଭୁବନେଶ୍ୱର( ଦ କୁଇଭର ):-:ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ । ହସରେ ହସରେ ଅନେକ ଗୁରୁମନ୍ତ୍ର ବି ଦେଲେ । ଆଚରଣ ଉଚ୍ଚାରଣ ସଜାଡି ଲୋକଙ୍କ ସହ ସଂପର୍କରେ ରହି ସେମାନଙ୍କର ଅଭିଯୋଗ ଶୁଣିବାକୁ ପରାମର୍ଶ ଦେଇଥିଲେ ପିଏମ୍ ମୋଦି ।ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା କହିଛନ୍ତି ମୋଦୀ । ରାଜନୈତିକ ଜୀବନୀର କାହାଣୀ କହି ସମସ୍ତଙ୍କୁ ଦେଲେ ଗୁରୁମନ୍ତ୍ର । ମିଶନ-୩୬ ଆଉ ଭିଜନ-୩୬ ପାଇଁ ବତାଇଲେ ବାଟ । ଝିଅ ଓ ବୋହୂ କଥା କହି ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ଦେଲେ ପରାମର୍ଶ । କାର୍ଯ୍ୟକର୍ତ୍ତା ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରୁହ । ଅଭିଯୋଗ ଶୁଣ । ଏମିତିକି ତୁମକୁ ଭୋଟ୍ ଦେଇନଥିବା ଲୋକଙ୍କ କଥା ବି ବୁଝ । ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନ ଦେଇ ଲୋକଙ୍କ କାମରେ ମନ ଦିଅ । ଫୋନରେ କାହାକୁ ଗାଳି ଦିଅନି, ସଂଯମତା ରଖ । ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ।ଜନ ପ୍ରତିନିଧିମାନଙ୍କୁ ସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଶେଷ କରି ଯୁବକମାନଙ୍କ ସହ ଅଧିକ ଯୋଡି ହେବାକୁ କହିଥିଲେ। ଏଥିପାଇଁ ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।
Health & lifestyle,National
ଦ କୁଇଭର ବ୍ୟୁରୋ :- ପୁରୁଷମାନଙ୍କ ସମଲିଙ୍ଗୀ ଯୌନ ସଂପର୍କ(ଏମ୍ଏସ୍ଏମ୍) କାରଣରୁ ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି। ଯାହାକି ରାଜ୍ୟ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସାଧାରଣ ନାଗରିକ, ଯୌନ କର୍ମୀଙ୍କ କ୍ଷେତ୍ରରେ ଏଚ୍ଆଇଭିର ଟିପିଆର ୦.୩% ରହିଥିବା ବେଳେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ୦.୦୨୩% ରହିଛି। ହେଲେ ସମଲିଙ୍ଗୀ ପୁରୁଷ ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ୦.୮% ଦେଖିବାକୁ ମିଳିଛି। ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ବିଶେଷ ସୁଧାର ଆସୁନାହିଁ।
ସେହିପରି ସାଧାରଣ ଲୋକଙ୍କ ଭିତରେ ଏଚ୍ଆଇଭି-ଏଡ୍ସ ସଚେତନତା ବଢ଼ାଇବା ଲାଗି ଓସାକ୍ସ ପକ୍ଷରୁ ନିକଟରେ ୨ମାସ ଧରି ଏକ ଜୋରଦାର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ୪୦୬୦ ଗାଁ, ୬୫୩ ବସ୍ତିର ୪ଲକ୍ଷ ୨୦୯୭୧ଜଣଙ୍କୁ ସାମିଲ କରାଯାଇଥିଲା। ବିଭିନ୍ନ ଲୋକନୃତ୍ୟ ସାଙ୍ଗକୁ ଶତାଧିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସରକାରୀ ଡାକ୍ତରଖାନାରେ ୨୬୭ଟି ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୧,୬୨୫ଜଣଙ୍କ ସ୍କ୍ରିନିଂ ସହ ୧୨,୧୭୨ଜଣଙ୍କୁ କାଉନସେଲିଂ କରାଯାଇଥିବା ଓସାକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏଚ୍ଆଇଭି ଓ ଏଡ୍ସ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନକୁ ଲାଗୁ କରିବାରେ ଓସାକ୍ସ ବିଫଳ ହୋଇଛି। ୨୦୧୭ ମସିହାରେ କେନ୍ଦ୍ର ସରକାର ଏହି ଆଇନକୁ ବିଜ୍ଞାପିତ କରିଥିଲେ। ୨୦୧୮ ମସିହାରେ ଏହି ନିୟମ ଆଧାରରେ ରାଜ୍ୟମାନଙ୍କୁ ନିଜସ୍ବ ନିୟମ ଓ ନିୟମାବଳୀ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଭିତରେ ୬ବର୍ଷ ବିତିବାକୁ ବସିଲାଣି, ରାଜ୍ୟ ସରକାର ନିଜସ୍ବ ଏଚ୍ଆଇଭି ନୀତି ପ୍ରଣୟନ କରିପାରିନାହାନ୍ତି।
State
ବ୍ରହ୍ମପୁର( ଦ କୁଇଭର ):- ସଂପ୍ରତି ସାଇବର ଠକ ବିଭିନ୍ନ ଉପାୟରେ ଜନସାଧାରଣଙ୍କ କଷ୍ଟ ଅର୍ଜିତ ଅର୍ଥକୁ କିଛି କ୍ଷଣ ମଧ୍ୟରେ ଲୁଟି ନେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ମୋବାଇଲ ର ୱାଟସଆପ ରେ ଏସବିଆଇ ଲୋଗୋ ଥାଇ ଏକ ଆପ ରେ ବିଭିନ୍ନ ଲିଙ୍କ ଆସି ଲୋକଙ୍କୁ ଭ୍ରମିତ କରୁଛି । ଯାହାକୁ ନେଇ ସାଇବର ଠକଙ୍କ ଠାରୁ ନିଜକୁ କିଭଳି ଦୂରରେ ରଖିବେ ସେ ନେଇ ଏକ ସଚେତନତା ଭିଡିଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଆଳୁ ସଙ୍କଟ । ଉତ୍ତରପ୍ରଦେଶରେ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଟ୍ରକ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ରାଜ୍ୟର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଦେଇ ପାରିବେ । ଏ ନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯେଉଁ ବେପାରୀମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ଗଚ୍ଛିତ ରଖିଛନ୍ତି, ଯଦି ସେମାନେ ରପ୍ତାନି କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ବାଭାବିକ । ସେପଟେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଲେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । ସାମ୍ବିଧାନିକ ପଦରେ ବସିଥିବା ସୁରମା ଦଳୀୟ କାର୍ଯ୍ୟକ୍ରମରେ ଦଳର ବ୍ୟାନର ତଳେ ବସିବା ବାଚସ୍ପତି ଗରିମାକୁ ବାଜିରେ ଲଗାଇ ଦେଇଛି । ଏକଥା ଏବେ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ଯଦି ଦଳୀୟ ପତାକା ତଳେ ବାଚସ୍ପତି ତାଙ୍କ ଗରିମାକୁ ଅଜାଡ଼ି ଦେଲେ, ତେବେ ସେ ବିଧାନସଭାରେ ନିର୍ଦ୍ଦଳୀୟ କିପରି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଯାହା ଏକ ସାମ୍ବିଧାନିକ ପ୍ରଶ୍ନ ମଧ୍ୟ ।
ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି । ଏହି ପଦ ହେଉଛି ସାମ୍ବିଧାନିକ ଓ ନିର୍ଦ୍ଦଳୀୟ ମଧ୍ୟ । ଏହି ପଦରେ ବସିବା ପରେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା କଥା । ଯେତେ ସମ୍ଭବ ରାଜନୈତିକ ଦଳ ଠାରୁ ତାଙ୍କର ଦୂରତା ରହିବା କଥା । ପୂର୍ବ ବାଚସ୍ପତି ମାନଙ୍କୁ ଦେଖିଲେ ଏହା ହିଁ ସ୍ପଷ୍ଟ ହେଉଛି । ସମୟ ସମୟରେ ଦଳୀୟ ନେତାଙ୍କ ନିକଟରେ କୃତଜ୍ଞତା ଜଣାଇବାକୁ ବାଚସ୍ପତି ମାନେ ଯାଇ ବେଶ ନିନ୍ଦିତ ହୋଇଛନ୍ତି ।
ଏମିତିକି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବି ଦେଖାଯାଇ ପାରେ । ସେ ବାଚସ୍ପତି ପଦରେ ବସିବା ପରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଚିତ୍ର ପଦାକୁ ଆସି ନାହିଁ । ମାତ୍ର ସୁରମା ସବୁ ମାନ ମର୍ଯ୍ୟାଦାକୁ ଭୁଲିଗଲେ । ଦଳୀୟ କାର୍ଯ୍ୟକ୍ରମରେ ଯାଇ ସାମିଲ ହେଲେ । ଦଳର ସୁପ୍ରିମୋ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଥିଲା । ଯାହା ପୂରା ଦଳୀୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସୁରମା ସାମିଲ ହୋଇ ନଥିଲେ କ’ଣ ହୋଇ ନଥାନ୍ତା କି? ସାମ୍ବିଧାନିକ ମର୍ଯ୍ୟାଦା ତ ରକ୍ଷା ପାଇ ଯାଇଥାନ୍ତା । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଗରିମା ତ ରହିଯାଇଥାନ୍ତା?
ଏହାକୁ ନେଇ ଏବେ ଚାଲିଲାଣି ତୁମ୍ବି ତୁଫାନ କଲେଣି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଦଳ ପାଇଁ ସାମ୍ବିଧାନିକ ମର୍ଯ୍ୟାଦାକୁ କିପରି ବାଚସ୍ପତି ଦଳିମକଚି ଦେବେ? ଏଭଳି କାମ କରି ସାରିବା ପରେ ସେ ବାଚସ୍ପତି ପଦରେ ବସିବାର ନୈତିକତା ରଖିଛନ୍ତି କି? ଏପରି କାର୍ଯ୍ୟ ପାଇଁ ସେ କ୍ଷମା ମାଗିବା ଉଚିତ ବୋଲି କହିଥିଲେ । ଦେଖାଯାଉ ଏହାକୁ ସରକାରୀ ଦଳ କିପରି ନେଉଛନ୍ତି ଓ କି ଜବାବ ରଖୁଛନ୍ତି ।
State
କଟକ( ଦ କୁଇଭର ):- ବୟସର ଅପରାହ୍ନରେ ହିନସ୍ଥା ହେଉଛନ୍ତି ବୃଦ୍ଧା ବାପା,ମା । ଯେଉଁ ପୁଅକୁ ଛୋଟ ବେଳୁ କୋଳେଇ କାଖେଇ ବଡ ମଣିଷ କରିଥିଲେ, ସେହି ପୁଅ ବି ବାପା, ମା' ଙ୍କୁ ବୋଝ ବୋଲି ଭାବୁଛି । ନିଜ ବୃଦ୍ଧା ବାପା,ମା' ଙ୍କୁ ଖାଇବାକୁ ନ ଦେଇ ଘରୁ ତଡ଼ି ଦେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ବାଣେଶ୍ୱର ପଡ଼ାରେ ।
ବାଣେଶ୍ୱର ପଡ଼ା ଗ୍ରାମର ଭାବ ବେହେରାଙ୍କ ବୟସ ୮୦ ବର୍ଷ ଓ ତାଙ୍କ ପତ୍ନୀ ଉଷା ବେହେରାଙ୍କ ବୟସ ୭୫ବର୍ଷ । ଛୋଟ ବେଳୁ ଯେଉଁ ପୁଅକୁ କୋଳେଇ କାଖେଇ ବଡ ମଣିଷ କରିଥିଲେ, ସେଇ ପୁଅ ଆଜି ବୃଦ୍ଧ ବାପା, ମା' ଙ୍କୁ ଖାଇବକୁ ନ ଦେଇ, ଗାଳି ଗୁଲଜ କରି ଘରୁ ତଡ଼ି ଦେଇଛି । ପୁଅ ବୋହୁଙ୍କ ଲାଞ୍ଛନା ସହି ନ ପାରି, ନିଜେ ରୋଷେଇ କରି ଖାଉଥିଲେ ବୃଦ୍ଧ ବାପା,ମା'।ଯେତେବେଳେ ଖାଇବା ପିଇବାକୁ ଅସୁବିଧା ହେଲା ସେତେବେଳେ ନିଜ ଝିଅ ମାନଙ୍କର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା ।
ଏ ନେଇ ବୃଦ୍ଧା ଦମ୍ପତି ତିଗିରିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଥିବା ପୋଲିସ ବାବୁ, ବୃଦ୍ଧା ଦମ୍ଫତିଙ୍କୁ ତମ ଫ୍ୟାମିଲ ମ୍ୟାଟର ଆମେ କ'ଣ କରିବୁ କହି ଥାନାରୁ ବାହାର କରିଦେଇଥିଲେ । ଥାନାରୁ ନିରାଶ ହେବାପରେ ନ୍ୟାୟ ଆଶାରେ ନିଜ ଜନ୍ମ କଲା ପୁଅ ନାମରେ ଅଭଯୋଗ ପତ୍ର ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି । ଦେଖାଯାଉ ଏହି ବୃଦ୍ଧା ଦମ୍ପତିଙ୍କୁ ନ୍ୟାୟ ମିଳୁଛି ନା ଏମିତି ରାସ୍ତାରେ ଠୋକର ଖାଉଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବାଲିପଦପର ସ୍ଥିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ "ଉତ୍କଳିକା"ର ବିଂଶତିତମ ବାର୍ଷିକୋତ୍ସବ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମେଜର ରମା ରମଣ ପାଢ଼ୀ ଉତ୍ସବର ଶୁଭ ଉଦଘାଟନ କରି ସୁସ୍ଥ ସମାଜ ଗଠନରେ ସାହିତ୍ୟର ଏକ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ ହେତୁ ସାହିତ୍ୟିକମାନେ ଅତୀବ ସାଧୁବାଦାର୍ହ ବୋଲି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମଗତ କବି ଓ ଲେଖକ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଚିବ ଡଃ. କୁଳମଣି ଓଝା ମୁଖ୍ୟ ବକ୍ତା ଏବଂ କବି ସୁଶାନ୍ତ ଦାଶ ଓ ଅବସର ପ୍ରାପ୍ତ ଓଡ଼ିଶା ଶିକ୍ଷା ପ୍ରସାଶକ କିଶୋର ଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୁସ୍ଥ, ସୁନ୍ଦର ସମାଜ ନିମନ୍ତେ ସାହିତ୍ୟ ଅଭିପ୍ରେତ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ କବି ସୁଶାନ୍ତ କୁମାର କାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳିକା ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପିତଳ, ଚନ୍ଦ୍ରିକା ଆବାସିକ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପାରିବେପଷଣ କରିଥିଲେ।
ଏହି ଅବସରରେ ସର୍ବଶ୍ରୀ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ଭୂଷଣ ଇନ୍ଦ୍ରମଣି ବାରିକ,ଡଃ. ଶ୍ୟାମା ପ୍ରସାଦ ମିଶ୍ର, କିଶୋର କୁମାର ପଟେଲ, ସୁରଞ୍ଜନ ପାତ୍ର, କରମଣୀ ମହାରଣା, ଜୟ କୁମାର ମିଶ୍ର, ମୁରଲୀଧର ନାୟକ, ଗିରିଶ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ମାତୃ ପ୍ରସାଦ ଶତ୍ରୁଜିତ, ବିରଞ୍ଚି ନାରାୟଣ ଦାଶ,ବିକ୍ରମାଦିତ୍ୟ ପୁରୋହିତ, ଅକ୍ଷୟ କୁମାର ସାହୁ, ଧ୍ରୁବ ଚରଣ ଘିବେଲା, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ଭୋଇ, ଡଃ. ତାନଶ୍ରୀ ପାଣିଗ୍ରାହୀ, ଅଭିପ୍ସା ପ୍ରିୟଦର୍ଶିନୀ, ସନ୍ଧ୍ୟାରାଣୀ ବେହେରା, ଡ଼ା. ଶୁଭଶ୍ରୀ ପ୍ରଭା ସ୍ୱାଇଁ, କାନ୍ତିଲତା ଷଡ଼ଙ୍ଗୀ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ତ୍ରିଚତ୍ୱାରିଂଶ ସାରସ୍ୱତ ପ୍ରତିଭାଧାରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଏବଂ ସ୍ମାରକୀ ଫଳକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ ସହିତ ଅନୁଷ୍ଠାନର ମୁଖପତ୍ର "ଅଭିନଵ ଉତ୍କଳିକା", ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ 'ଲଘୁ ପ୍ରବନ୍ଧ ସଂକଳନ' ଏବଂ ଉତ୍କଳିକା ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଦିନ ପଞ୍ଜିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା।
କାର୍ଯ୍ୟକ୍ରମର ଦ୍ଵିତୀୟ ସୋପାନ ଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳିଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି ପର୍ବରେ ସାରସ୍ୱତ ସାଧକ ଡଃ. ବନମାଳୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଡଃ. ଲକ୍ଷ୍ମୀ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ପାଠୋତ୍ସବ ବରିଷ୍ଠ ସାରସ୍ୱତ ସାଧକଙ୍କୁ ଅଧିକ ମାତ୍ରାରେ ଗତିଶୀଳ ଓ ନବାଗତଙ୍କୁ ଉତ୍ସାହିତ କରିଥାଏ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ଚିନ୍ମୟ ରଞ୍ଜନ ମିଶ୍ର, କବି ଶୁଭ୍ରଜିତ ସାହୁ ଏବଂ କବୀ ପଦ୍ମିନୀ ମିଶ୍ରଙ୍କ ସୁନ୍ଦର ସଂଯୋଜନା କ୍ରମେ ଶତାଧିକ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ବି. ଗୋପାଳ ପାତ୍ର, ପ୍ରଦୀପ କୁମାର ସାହୁ, କୈଳାସ ବେହେରା, ଅଶୋକ ଦଳେଇ ପ୍ରମୁଖ କବି ସହଯୋଗ କରିଥିଲେ। ପରିଶେଷରେ କବି ତଥା ସାରସ୍ୱତ ସଂଗଠକ ଦୀନବନ୍ଧୁ ଶ୍ରୀପଲ୍ଲଵ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
State
ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।
State,Politics
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମର ୨୦ ଜଣ ବିଜେଡି କର୍ପୋରେଟର ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଯାହାକୁ ନେଇ ଏକ ହାଇ ଡ୍ରାମା ଦେଖାଦେବା ସହିତ ନାନା କଳ୍ପନା ଜଳ୍ପନା ଲାଗି ରହିଛି l ତେବେ ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ଯ୍ୟକୁ ବିରୋଧ କରି କର୍ପୋରେଟର ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାଇଁ ୬୩ଲକ୍ଷ ଟଙ୍କା ଏକ ଟ୍ରଷ୍ଟକୁ କିଭଳି ପ୍ରଦାନ କରାଯାଇଛି , ଏହା ସହିତ ମହାନଗର ନିଗମରେ ଅଧାପନ୍ତରିଆ ଭାବେ ପଡିରହିଥିବା ବିଭିନ୍ନ ପୋଖରୀର କାର୍ଯ୍ୟ କେଉଁ ପରିସ୍ଥିତିରେ ବନ୍ଦ ରହିଛି, ଏଭଳି କିଛି ସମସ୍ୟା ନେଇ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୨୦ ଜଣ କର୍ପୋରେଟର l
Politics
ଭୁବନେଶ୍ୱର(ଦ କୁଇଭର): ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୂଜାତା ଆର କାର୍ତ୍ତିକେୟନଙ୍କୁ କୈଫିୟତ ମାଗିବେ ସରକାର । ବିଜେଡି ସରକାର ସମୟରେ କରିଥିବା କାରନାମା ପାଇଁ ତାଙ୍କୁ କୈଫିୟତ ମଗାଯିବ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ସୁଜାତାଙ୍କ ବିରୋଧରେ ଥିବା ଅଭିଯୋଗକୁ ସବୁ ଏବେ ଦରାଣ୍ଡୁଛି ସାଧାରଣ ପ୍ରଶାସନ ବିଭାଗ । କେଉଁ ଅଭିଯୋଗ ଉପରେ କି ପ୍ରକାର କୈଫିୟତ ମଗାଯିବ ସେହି ନୋଟ ପ୍ରସ୍ତୁତି ଚାଲିଲାଣି । ଖୁବଶୀଘ୍ର ସୁଜାତାଙ୍କ ପାଖରେ କାଳେ ପହଞ୍ଚିବ କୈଫିୟତ ଚିଠି । ଯଦି ଏହାର ସନ୍ତୋଷଜନକ ଉତ୍ତର ଦେଇ ନପାରିବେ, ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି ।
ସୁଜାତାଙ୍କ ବିରୋଧରେ ନିର୍ବାଚନ ପୂର୍ବରୁ ଆସିଥିଲା ସାଂଘାତିକ ଅଭିଯୋଗ । ମିଶନଶକ୍ତି ବିଭାଗର ସଚିବ ତଥା ଜଣେ ସରକାରୀ ଅଧିକାରୀ ହୋଇ ରାଜନୈତିକ ଦଳ ପାଇଁ କାମ କରୁଥିବା କୁହାଯାଇଥିଲା । ବିଜେଡି ପାଇଁ ଭୋଟ ବ୍ୟାଙ୍କ ସେ ସଜାଡ଼ୁଥିଲେ । ମହିଳା ଗୋଷ୍ଠୀଙ୍କୁ ପ୍ରଭାବିତ କରି ବିଜେଡିକୁ ଭୋଟ ଦେବା ପାଇଁ କାମ କରୁଥିଲେ । ମହିଳା ଗୋଷ୍ଠୀଙ୍କ ପାଣ୍ଠି ପରିଚାଳନା ଉପରେ ବି ସେ କାଳେ ନିୟନ୍ତ୍ରଣ ରଖିଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା । ବିରୋଧୀ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ତକ୍ରାଳ ପଦକ୍ଷେପ ନିଆଯାଇଥିଲା । କମିଶନ କିଛି ପ୍ରମାଣ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ସୁଜାତାଙ୍କୁ କମିଶନଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ସରକାର ମିଶନଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଜନସାଧାରଣଙ୍କ ସହ ସମ୍ପର୍କ ଥିବା କୌଣସି ଦାୟିତ୍ୱ ତାଙ୍କ ଉପରେ ରଖା ନଯିବାକୁ କମିଶନ ବାରଣ କରିଥିଲେ । ଫଳରେ ତାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ବସାଯାଇଥିଲା । ଏହାପରେ ବିଜେଡି ହାରିଥିଲା । ବିଜେଡି ହାରିବା ପରେ ତକ୍ରାଳ ସୁଜାତା ଛୁଟିରେ ଚାଲିଯାଇଥିଲେ । ୬ମାସ ଛୁଟିରେ ରହିବା ପରେ ପୁଣି ଛୁଟି ବୃଦ୍ଧି କରିବାକୁ ଆବେଦନ କରିଥିଲେ । ମାତ୍ର ସରକାର ଅଗ୍ରାହ୍ୟ କରି କାର୍ଯ୍ୟରେ ଯୋଗଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଏବେ ସେ ଅର୍ଥ ବିଭାଗରେ ଯୋଗ ଦେଇଛନ୍ତି ।
ନିର୍ବାଚନ ବେଳେ ବିବାଦୀୟ ହୋଇଥିବା ଅନେକ ଆଇଏଏସ ଓ ଆଇପିଏସଙ୍କୁ ବିଜେପି ସରକାର ବିଭିନ୍ନ ସ୍ଥାନକୁ ବଦଳି କରିଦେଇଛନ୍ତି । ଏପରିକି ନିର୍ବାଚନ କମିଶନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଥିବା ଆଇପିଏସ ଅଫିସର ଡିଏସ କୁଟ୍ଟେ ଓ ଆଶୀଷ ସିଂଙ୍କୁ ମଧ୍ୟ ମୋହନ ସରକାର କାରଣ ଦର୍ଶାଅ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ଉପରେ ସରକାର ଏପର୍ଯ୍ୟନ୍ତ କିଛି କରି ନାହାନ୍ତି । ସୁଜାତା ଛୁଟିରେ ଥିବାରୁ ତାଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲେ । ଏବେ ସୁଜାତା ଆସିବା ପରେ ପ୍ରଥମେ ତାଙ୍କୁ କୈଫିୟତ ମଗାଯିବ ଓ ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇ ପାରେ ବୋଲି କୁହାଯାଉଛି । ଜିଏ ପକ୍ଷରୁ ଏନେଇ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଦେଖାଯାଉ ସରକାର ସୁଜାତାଙ୍କୁ କି କୈଫିୟତ ମାଗୁଛନ୍ତି ଓ କି ପଦକ୍ଷେପ ନେଉଛନ୍ତି?
State,National,Politics
ଭୁବନେଶ୍ୱର(ଦ କୁଇଭର): ଓଡ଼ିଶାରେ ଚାଲିଥିବା ସର୍ବଭାରତୀୟ ଡିଜି ସମ୍ମିଳନୀର ଶେଷ ଦିନରେ ବିଭ୍ରାଟ କରିବେ ପନ୍ନୁ । ଲୋକସେବା ଭବନ ବାହାର ହେଉ କି କୌଣସି ହୋଟେଲ ବା ମନ୍ଦିର କୌଣସି ସ୍ଥାନରେ କିଛି ବି କରିବେ ବୋଲି ଇ-ମେଲ ଯୋଗେ ଧମକ ଦେଇଛନ୍ତି । ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ଗୁରୁପଦ ସିଂହ ପନ୍ନୁ ଏମିତି ଚେତାବନୀ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ପଠାଇଛନ୍ତି । ଏହି ଇ ମେଲର କପିକୁ ଅକ୍ଷୟ ସାହୁ ପୋଲିସ ଏବଂ ପ୍ରଶାସନକୁ ଦେଇଛନ୍ତି । ଗଣମାଧ୍ୟମକୁ ବି ଦେଇଛନ୍ତି । ସେଥିରେ ଅନେକ କଥା ଲେଖିଛନ୍ତି ପନ୍ନୁ । ସେ ଦର୍ଶାଇଛନ୍ତି ଯଦି କେହି ଲୋକସେବା ଭବନ ଉପରେ ଖଲିସ୍ଥାନୀ ପତକା ଲଗାଇବେ, ତେବେ ତାଙ୍କୁ ୨୫ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ଏହାବ୍ୟତୀତ ବିଭ୍ରାଟ ନିଶ୍ଚିତ ହେବ ବୋଲି କହିଛନ୍ତି ।
ଏହି ଇମେଲକୁ ପୋଲିସ ଯଞ୍ଚ କରୁଛି । ମେଲର ଆଧାର କ’ଣ ଓ କେଉଁଠୁ ଆସିଛି ତାହାକୁ ଖୋଜା ଚାଲିଛି । ତେବେ ପ୍ରଶାସନ, ପୋଲିସ କିମ୍ବା ରାଜ୍ୟ ସରକାରଙ୍କୁ ଇ-ମେଲ ନଦେଇ ଜଣେ ସାମ୍ବାଦିକଙ୍କୁ ମେଲ ଯୋଗେ ଜଣାଇବା ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ସତରେ ଏହା ପନ୍ନୁଙ୍କ ମେଲ ତ? ଏଥିରେ ଥିବା ଅଡ଼ିଓ ମେସେଜ ପନ୍ନୁଙ୍କର ତ? ପନ୍ନୁ ସର୍ବଦା ଭିଡିଓ ବାର୍ତ୍ତା ଦିଅନ୍ତି, ମେଲରେ ଅଡ଼ିଓ କାହିଁକି ଦେଲେ? ଏହା କୌଣସି ଆଞ୍ଚଳିକ ଲୋକଙ୍କ କାରନାମା ନୁହେଁ ତ? ଏମିତି ନାନା ପ୍ରଶ୍ନ ଏବେ ଉଠିଲାଣି ।
ଏଭଳି ପ୍ରଶ୍ନ ଯେ ନିରାଧାର ତାହା ନୁହେଁ । ଗତମାସ ଦେଶର ବିଭିନ୍ନ ବିମାନ କମ୍ପାନୀକୁ ବିମାନରେ ବୋମା ଥିବା ଇ-ମେଲ ଆସୁଥିଲା । ବିମାନ ଉଡ଼ାଇ ଦେବା ଓ ବିସ୍ଫୋରଣ କରିବା ଭଳି ଧଉଳ ଆସୁଥିଲା । ଏତେ ଅଭିଯୋଗ ଆସିଲା ଯେ, ଲେକେ ଡରିଲେ । ସରକାର ବିଶେଷ କରି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ବି ଚିନ୍ତାରେ ପଡ଼ିଗଲା । କିଛି ବିମାନ ବିଳମ୍ବିତ ହେଲା ତ କିଛି ବାତିଲ ବି ହେଲା । ପୂରା ହଇଚଇ ସୃଷ୍ଟି ହେଲା । ଯାଞ୍ଚ ପରେ ଅନେକ ମେଲ ଭାରତରୁ ହୋଇଛି ଓ ଏହା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ଆସି ନଥିବା ଜଣାପଡ଼ିଥିଲା ।
ଏବେ ଆସିଥିବା ମେଲ ନେଇ ଏମିତି କିଛି ପ୍ରଶ୍ନ ଉଠିଛି । ତଥାପି ଏହାକୁ ହାଲୁକାରେ ଗ୍ରହଣ କରିନାହିଁ ଓଡ଼ିଶା ପୋଲିସ । ସାଇବର ଏକ୍ସପର୍ଟ ଲଗାଇ ଯାଞ୍ଚ ଚାଲିଛି । ଏହାବ୍ୟତୀତ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ଲୋକସେବା ଭବନ, ରାଜଭବନ, ଆଇପିଏସ ମେସ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇଛି । ସନ୍ଦୀଗ୍ଧ ମାନଙ୍କ ଉପରେ ନଜର ରଖାଯାଇଛି । କୌଣସି ପ୍ରକାର ତ୍ରୁଟି ଯେମିତି ନହୁଏ, ସେଥିପ୍ରତି ତିନିଥାକିଆ ବ୍ୟବସ୍ଥା କରାଯାଇଛି । ଦେଖାଯାଉ ପନ୍ନୁ ବାସ୍ତବରେ କିଛି କରୁଛନ୍ତି ନା ବିମାନ ଧମକ ଭଳି ଏହା ବି ଫମ୍ପା ହେଉଛି ।
National,State
ଦ କୁଇଭର ବ୍ୟୁରୋ :- ପୁଣି ଆଳୁ ଝମେଲା । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନି । ତେଣୁ ବଜାରରେ ଦର ଚଢ଼ା । ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣି, ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ବର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି। ସେପଟେ ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି, ତା ବି ସରି ଆସିଲାଣି। ରାଜ୍ୟର ବଡ଼ ପରିବାମଣ୍ଡି କଟକର ଛତ୍ରବଜାର ହେଉ କି ଭୁବନେଶ୍ବରର ୧ ନମ୍ବର ମାର୍କେଟ୍, ସବୁଠି ଉପୁଜିଲାଣି ଆଳୁ ସଙ୍କଟ। ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ, ବ୍ୟବସାୟୀ କହିଲେଣି ଆଳୁ ଯୋଗାଣ ସ୍ବାଭାବିକ ନହେବା ଯାଏଁ କିଛି କହି ହେବନି।
ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି,ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ଆଜି ୩୦ ଟଙ୍କାରେ ଆଳୁ କିଣିଥିବା କହିଛନ୍ତି। ଅନ୍ୟପକ୍ଷରେ ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ଚଢା ଦରରେ କେଉଁଠି ଆଳୁ ବିକ୍ରି ହେଲେ ଚଢ଼ାଉ କରାଯିବ। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଆଳୁ ଉତ୍ପାଦନରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ସରାଷପୋଶି ଗ୍ରାମ ନିକଟ ଦେଇ ଯାଇଥିବା ଝରଣା କୂଳରେ ଆଜି ସକାଳେ କୌଣସି ସୂତ୍ରରୁ ସେଠାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତି ନିମନ୍ତେ ଥିବା ପୋଚ ନଷ୍ଟ କରିବା ସହିତ ମହୁଲି ମଦ କୁ ଜବତ କରିଛନ୍ତି ।ଏହି ଗ୍ରାମ ମଧ୍ୟ ଦେଇ ଯାଇଥିବା ଝରଣା କୂଳରେ ମହୁଲି ମଦ ପ୍ରସ୍ତୁତ କରି ଚୋରା ରେ ମଦ ବିକ୍ରି ହେଉଥିବା ର ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା। ଅବକାରୀ ଥାନା ଓଆଇସି ଭାରତୀ ନାଏକ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଝରଣା କୁଳ ରେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ସ୍ଥାନ ଉପରେ ଚଢ଼ାଉ କରିଥିଲେ।ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ଦେଖି ଚୋରା ବେପାରୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ।ଘଟଣାସ୍ଥଳ ରେ ମିଳିଥିବା ୨୮ କୁଇଣ୍ଟାଲ୍ ମହୁଲ ପୋଚକୁ ବିଭାଗ କର୍ମଚାରୀ ମାନେ ନଷ୍ଟ କରିଥିବା ବେଳେ ୬୦ ଲିଟର ମହୁଲି ମଦକୁ ଜବତ କରିଥିଲେ।ଏଥି ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ।ଏନେଇ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ୧୫୦/୨୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଠାକୁରମୁଣ୍ଡା ଠାରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଦେଶୀ ମଦ ଜବତ୍ ହେଲେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ନହୋଇ ଫେରାର ହୋଇଯାଇଥିବା ରୁ ଅବକାରୀ ବିଭାଗକୁ ନେଇ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।