ବ୍ରହ୍ମପୁର( ଦ କୁଇଭର ):- ଶନିବାର ସନ୍ଧ୍ୟାରେ କବିତା ସଂକଳନ ' ଅନ୍ତଃସ୍ଵର' ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ପରିସରରେ କବି ସାହିତ୍ୟିକ ଓ ପରିବେଶ ପ୍ରେମୀଙ୍କ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଅଛି । ପରିବେଶବିତ ସୁଧୀର ରାଉତଙ୍କ ଲିଖିତ ଏହି କବିତା ସଙ୍କଳନ ' ଅନ୍ତଃସ୍ଵର' ର ଉନ୍ମୋଚନ ସମାରୋହରେ ବିଶିଷ୍ଟ ରାଜନୀତି ବିଶାରଦ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ର ଭୟାବହ ପରିଣତି ବିଷୟରେ ଆଲୋଚନା କରି ଗାନ୍ଧୀବାଦ ରେ ଏହାର ଏହାର ସମାଧାନର ସୂତ୍ର ବିଷୟରେ ଆଲୋଚନା କରିବା ସହ ସୁଧୀର ରାଉତଙ୍କ ସମାଜ ପ୍ରତି ସଂବେଦନଶୀଳତା ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ।'ଅନ୍ତଃସ୍ଵର' ସମାଜକୁ ସୁଧାରିବା ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ ହେବ ବୋଲି ଆଶା ପୋଷଣ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସୁନୀଲ ମୋହନ ପଟ୍ଟନାୟକ କବିତା ଗୁଡିକର ସମୀକ୍ଷା କରି ପ୍ରତି କବିତାରେ ସମାଜ ପ୍ରତି ରହିଥିବା ମାର୍ମୀକ ନିବେଦନ ଓ ଏକ ଆଶାବାଦୀର ସ୍ଵପ୍ନ ବିଷୟରେ ଆଲୋଚନା କରି କବିତା ଗୁଡିକ ନିଶ୍ଚିତ ଭାବେ ଆଦୃତ ହେବ ବୋଲି ଆଶା ପୋଷିଥିଲେ।ବରିଷ୍ଠ ସାହିତିକା ଶ୍ରୀମତୀ ସୌଦାମିନୀ ମିଶ୍ର ସମ୍ମାନୀତା ଅତିଥିଭାବେ ଯୋଗଦେଇ କବିତାର ସାହିତ୍ୟିକ ଓ ପରିବେଶୀୟ ଦିଗ ବିଷୟରେ ଆଲୋଚନା କରି କବିତା ଗୁଡିକରେ ବିଶିଷ୍ଟ କବି ମାନଙ୍କର ଭାବନାର ସ୍ପର୍ଶ ରହି ସମାଜ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରିଥିବା ମତ ବ୍ୟକ୍ତ କରିଥିଲେ।ପ୍ର୍ ସଭାରେ କ୍ଷୀରସିନ୍ଧୁ ମହାନ୍ତି ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଓ ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ହୃଷିକେଷ ମହାନ୍ତି, ବିଘ୍ନେଶ୍ୱର ସାହୁ ଙ୍କ ସମେତ ଗଣମାଧ୍ୟମର ଅନେକ କର୍ମକର୍ତ୍ତା , ଇ. ତେଜେଶ୍ଵର ରାଓ,ସବିତା ସାହୁକାର, କାହ୍ନୁଚରଣ ବିହାରୀଙ୍କ ସମେତ ବହୁ କବି ସାହିତ୍ୟିକ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ଭୀମରାଜୁ ପାତ୍ର ଓ ମାଧବ ନାୟକ ପରିଚାଳନା କରିଥିଲେ ।
No comments yet.
State
ମାଲକାନଗିରି( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିଜିଲ୍ଲା ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିକୁ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିଛନ୍ତି। ସେ ବନ୍ୟା ସମୟରେ ବନ୍ୟାଞ୍ଚଳ ବୁଲିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ମଧ୍ୟ ଶ୍ରୀ ମାଝୀ ଯୋଗଦେଇଛନ୍ତି।
ଆକାଂକ୍ଷି ହାଟ କାର୍ଯ୍ୟକ୍ରମ ଅଭିଯାନରେ ଚମ୍ପା ଧାଙ୍ଗଡ଼ା ଆସିଥିଲେ। ସେ ବଣ୍ଡା ଘାଟିତଳର ଝିଅ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ତାଙ୍କ ସହିତ ଫଟୋ ଉଠାଇଛନ୍ତି। ତମ ବଣ୍ଡାଘାଟିକୁ ଯିବା ପାଇଁ ଚମ୍ପା ଧାଙ୍ଗଡା ମାଝୀଙ୍କୁ ମୁଁ କହିଛି। ମାଲକାନଗିରିର ତତକାଳୀନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ବଣ୍ଡାଘାଟି ଯାଇଛନ୍ତି। ବଣ୍ଡାଘାଟିରେ ରାସ୍ତାଘାଟ କେମିତି ଅଛି ସେନେଇ ଜିଲ୍ଲାପାଳଙ୍କ ଠାରୁ ଅବଗତ ହୋଇଛନ୍ତି।
ପଛୁଆ ଅଞ୍ଚଳର ବିକାଶ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିଲେ। ମୁଁ ଏହାକୁ ଗଣମାଧ୍ୟମରେ ଦେଖିଛି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରନ୍ତୁ। ଏହାକୁ ପ୍ରାଥମିକତା ଦିଆଯାଉ। ରାସ୍ତାର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛି।
Education,State
ଦ କୁଇଭର ବ୍ୟୁରୋ :- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ । ଏହି ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମେତ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଶିକ୍ଷକ ଓ ପେଶାଦାର ଭାଇରାଲକାରୀ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରାଲ କରିଥିଲା । ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭରାରାଲ ହୋଇଥିଲା ଏବଂ ବୋର୍ଡ ଅଫିସର ଉପ ସଭାପତି ନିହାର ମହାନ୍ତିଙ୍କ ଲ୍ୟାପଟପରୁ ଏହି ପ୍ରଶ୍ନପତ୍ର ଚୋରି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ।
ଜିତନର ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ବିପୁଳ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବ । ଆବଶ୍ୟକ ପଡିଲେ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା ।
State
ଦ କୁଇଭର ବ୍ୟୁରୋ :- ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର ।
ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି । ସୁଭଦ୍ରା ପୋର୍ଟାଲକୁ ମଧ୍ୟ ଅଗଷ୍ଟ ୯ରେ ପୁଣି ଖୋଲିବାକୁ ଯାଉଛି । ଏବେ ସୁଦ୍ଧା ୨ ଲକ୍ଷ ରିଜେକ୍ସନ୍ ଆସିଛି। ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ୍ ଥିଲେ ଆଉ ମିଳିବ ନାହିଁ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ପ୍ରଭାତୀ ପରିଡା । ଆହୁରି ମଧ୍ୟ ୯୩ ହଜାର ମହିଳା, ଯାହାକୁ ୬୦ ବର୍ଷ ହୋଇସାରିଛି ସେମାନେ ସିଧାସଳଖ SSEPD (Social Security & Empowerment of Persons with Disabilities) ଜରିଆରେ ଭତ୍ତା ପାଇଁ ବିବେଚିତ ହୋଇଛନ୍ତି। ତେଣୁ ସେମାନେ ମଧ୍ୟ ଏହି ସରକାରୀ ଯୋଜନାରୁ ବାଦ ପଡିବେ । ନୂଆ ଆବେଦନକାରୀ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ବି ନାଁ କାଟିଦେବେ ସରକାର । ଅତି ସହଜରେ ବୁଝିବାକୁ ଗଲେ, ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ ୩ଟି କିସ୍ତିର ସୁଭଦ୍ରା ଟଙ୍କା ଅର୍ଥାତ ୧୫ ହଜାର ଟଙ୍କା ସିଧାସଳଖ ଖାତାକୁ ଆସିବ । ଏକାବେଳେ ୩ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ । ଏମିତି ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଥାଉକି, ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇ ଥର ୫ ହଜାର ଟଙ୍କା ଲେଖାଏ ପଠାଉଛନ୍ତି ରାଜ୍ୟ ସରକାର । ଏହି ଭଳି ଭାବେ ଜଣେ ହିତାଧିକାରୀ ମୋଟି ୧୦ଟି କିସ୍ତି ପାଇବେ । ମୋଟ ୫୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ସରକାର ।
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଦୀର୍ଘ ଦିନରୁ ଆତଙ୍କ ମଚାଇ ରଖିଥିବା ଲୁଟେରା ଗ୍ୟାଙ୍କ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l କେନ୍ଦୁଝର ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମାତିଛନ୍ତି ଲୁଟେରା l ରାସ୍ତାଘାଟ/ମନ୍ଦିର/ ବଜାର/ ଛକ ଯେଉଁଆଡେ ନାରୀ ସୁନା ପିନ୍ଧିଥିବା ଦେଖିଲେ, ଝାମ୍ପି ନେଇ ହୋଇଯାଉଛନ୍ତି ଗାଏବ l ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ ଜିଲ୍ଲାର ପୌରପାଳିକା ସହରରେ ଗୋଟିଏ ଦିନରେ ୯ଟି ସୁନା ଚେନ୍ ଚୋରି ଏବଂ ମୋବାଇଲ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା l ଚୋରମାନେ ଅଞ୍ଚଳରେ ଆତଙ୍କ ମଚାଇବା ସହ ପୋଲିସ ଆଖିରେ ଧୂଳି ପକାଇ ୭ଟି ଗାଡିରେ ଲୁଟ କରୁଥିବା ନଜିର ରହିଛି l କେନ୍ଦୁଝର ଏସପି ନୀତିନ କୁସଲକରଙ୍କ ନେତୃତ୍ୱରେ,ବହୁ ଦିନ ଧରି ଚୋର ପୋଲିସ ର ଛକା ପଞ୍ଝା ଖେଳ ମଧ୍ୟରେ ଆଜି କେନ୍ଦୁଝର ପୋଲିସଙ୍କ ହାତରେ ଧରା ପଡିଛନ୍ତି ୮ ଜଣ ଚୋର ଏବଂ ୨୧ ଟି ମୋବାଇଲ ଫୋନ୍ ସହ ୮ଟି ସୁନା ଚେନ ଓ ଟଙ୍କା ମଧ୍ୟ ପୋଲିସ ଜବତ କରିଛି ଏବଂ ସମସ୍ତ ଜନ ସାଧାରଣଙ୍କୁ ସଚେତନ ରହିବା ପାଇଁ ଅନୁରୋଧ କରିଛି l
Health & lifestyle,State
ହିଞ୍ଜିଳିକାଟୁ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ୧୧ ନମ୍ବର ସୁନା ଡିମ୍ବିରା ସାହିର ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଏହି ଅଘଟଣ ହୋଇଛି । ସୂଚନା ଅନୁସାରେ ଲାଇଟ୍ ସ୍ଵିଚ ଲଗାଇବା ବେଳେ ହଠାତ ହୋଇଥିଲା ବିସ୍ଫୋରଣ ।ତେବେ ଏହି ଦୁର୍ଘଟଣାରେ ବିପ୍ର ମହାରଣା ଓ ସ୍ତ୍ରୀ ସଂଯୁକ୍ତା ମହାରଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି କେବଳ ସେତିକି ନୁହେଁ ଦୁଇ ଝିଅ ପ୍ରିୟା,ପ୍ରାଚୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
State
ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ସହରରେ ଟ୍ରାଫିକ ଅବ୍ୟବସ୍ଥା ସମସ୍ତଙ୍କୁ ଜଣା, ଦେଖିବାକୁ ଗଲେ ଏହା ସହରର ଏକ ମୌଳିକ ସମସ୍ୟା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ l କେଉଁଠି ରାସ୍ତାଘାଟ ଖାଲ ଖମାରେ ଭରପୁର ତ, କେଉଁଠି ନିଜ ପୈତୃକ ସମ୍ପତ୍ତି ଭଳି ରାଜ ରାସ୍ତାରେ ଗୋଡି ମାଟି ବାଲି ପକାଇ ରାସ୍ତା ଯାମ, ବିଭିନ୍ନ ଜାଗାରେ ଅନିୟନ୍ତ୍ରିତ ଅବସ୍ଥାରେ ସମସ୍ୟା ମାନ ଦେଖାଦେଉଛି l ତେଣୁ ଏସବୁର ସମାଧାନ ପାଇଁ ଵା ଦୂରୀକରଣ ପାଇଁ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମରେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସହରର ତିନୋଟି ସ୍ଥାନରେ ବିଭିନ୍ନ ଜୋନ ପାଇଁ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ଼ର ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର କମିଶନର ପ୍ରଥମେଶ ଅରବିନ୍ଦ ରାଜଶୀରକେ l ସ୍ୱତନ୍ତ୍ର ହେଲ୍ପ ଲାଇନ ଜାରି କରିବା ସହ ବିଭିନ୍ନ ଟିମ ଗଠନ କରାଯାଇ ଶୃଙ୍ଖଳିତ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ଆଗେଇଛନ୍ତି ମହାନଗର କମିଶନର l ତେବେ ଏହି ପରିପ୍ରେକ୍ଷୀରେ ନିଗମ ପରିସରରେ କମିଶନରଙ୍କ ସହ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଉକ୍ତ ଏନ୍ଫୋର୍ସମେଣ୍ଟ୍ ବାହାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡେପୁଟି କମିଶନର କଲ୍ୟାଣୀ ସଂଘ ମିତ୍ରା, ଆଶ୍ରୀବାଦ ପରିଡ଼ା, ଗୋଷ୍ଠୀ ସଂଗଠିକା ଗୀତାଞ୍ଜଳୀ ସାମନ୍ତ ରାଙ୍କ ସମେତ ବହୁ ବିଭାଗୀୟ ଅଧୂକାରୀ, ଟ୍ରାଫିକ୍ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।
National,Politics
ନୂଆଦିଲ୍ଲୀ( ଦ କୁଇଭର ):- ଶାହଙ୍କ ଚେତାବନୀ । କଂଗ୍ରେସ ଆହୁରି ୨୦ ବର୍ଷ ବିରୋଧୀ ସ୍ଥାନରେ ବସିବ । ସଂସଦରେ ଅପରେସନ ସିନ୍ଦୁରର ଆଲୋଚନା ବେଳେ କଂଗ୍ରେସ ନେତାମାନଙ୍କର ହାବଭାବ ଓ ହୋହାଲ୍ଲା ଗୃହକୁ ପ୍ରଭାବିତ କରିଥିଲା । ଅପରେସନ ସିନ୍ଦୁର ସମ୍ପର୍କରେ ଆଲୋଚନା କରିବାକୁ ବିରୋଧୀଙ୍କ ଦାବି ସରକାର ମାନିଥିଲେ । ଉଭୟ ଗୃହରେ ଆଲୋଚନା ହୋଇଥିଲା । ଲୋକ ସଭାରେ ୧୬ ଘଣ୍ଟା ଏବଂ ରାଜ୍ୟସଭାରେ ୯ ଘଣ୍ଟା ଧରି ଚାଲୁଛି ଚର୍ଚ୍ଚା । ହେଲେ ଏହି ଆଲୋଚନା ବେଳେ ବିରୋଧୀମାନଙ୍କର କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ଶାସକ ଦଳର ନେତାମାନେ ।
ବିରୋଧୀ ଆଲୋଚନା କମ, କିନ୍ତୁ ଆଲୋଚନାକୁ ପ୍ରଭାବିତ କରିବାକୁ ବା ବିଭ୍ରାଟ କରିବାକୁ ଅନେକ ଉଦ୍ୟମ କରୁଥିଲେ । ହୋହାଲ୍ଲା, ଦାବି ଓ ସ୍ଲୋଗାନରେ କମ୍ପୁଥିଲା ଲୋକସଭା ଓ ରାଜ୍ୟସଭା । ବାରମ୍ବାର ସେମାନଙ୍କୁ ବୁଝାଉଥିଲେ ବାଚସ୍ପତି ଓମ ବିର୍ଲା । ଲୋକସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇଙ୍କୁ ବାରମ୍ବାର କହୁଥିଲେ, ଯେ ଆପଣଙ୍କ ଦଳର ନେତାମାନଙ୍କୁ ସମ୍ଭାଳନ୍ତୁ । ମାତ୍ର କଂଗ୍ରେସର ସଦସ୍ୟ ମାନେ ନିୟନ୍ତ୍ରଣ ବାହାରକୁ ଯାଉଥିଲେ । ଗୃହ ତ ଥରେ ଦୁଇଥର ମୁଲତବୀ ବି ହୋଇଥିଲା । ଏମାନଙ୍କ କାର୍ଯ୍ୟରେ ଅତିଷ୍ଠ ଥିଲା ବିଜେପି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆଲୋଚନା ବେଳେ ବିରୋଧୀଙ୍କ ହୋହାଲ୍ଲାଙ୍କୁ ନେଇ ହଠାତ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଠିଥିଲେ । ବାଚସ୍ପତିଙ୍କ ଅନୁମତି ନେଇ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ଜୟଶଙ୍କର ତାଙ୍କର ଉକ୍ତିକୁ କିଛି ସମୟ ପାଇଁ ବନ୍ଦ ରଖିଥିଲେ । ଅମିତ ଶାହ କଂଗ୍ରେସ ଏବଂ ତାଙ୍କ ସହଯୋଗୀ ଦଳର କାର୍ଯ୍ୟରେ ଏତେ ଉକ୍ଷିପ୍ତ ହୋଇଥିଲେ ଯେ କହିଥିଲେ ଏମାନଙ୍କର ଏହି କାର୍ଯ୍ୟ ପାଇଁ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଏମାନେ ସେହି ବିରୋଧୀ ସ୍ଥାନରେ ବସିବେ । କାରଣ ଏମାନଙ୍କର ଦେଶ ବାଛିଥିବା ବୈଦେଶିକ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ । ଏମାନେ ବିଦେଶୀଙ୍କ କଥାରେ ବେଶ ଆନନ୍ଦିତ ହେଉଛନ୍ତି । କଂଗ୍ରେସର ଏଜେଣ୍ଡା ତ ବିଦେଶୀ ଚିନ୍ତା ଧାରାକୁ ଭାରତ ଉପରେ ଥୋପିବା । ନିଜ ଦଳର ଚିନ୍ତା ଧାରାକୁ ସଂସଦକୁ ନ ଆଣନ୍ତୁ ବୋଲି ଶାହ ଚେତାବନୀ ଦେଇଥିଲେ ।
State,Politics
ଝାରସୁଗୁଡା( ଦ କୁଇଭର ):- ବେଲପାହାଡ଼ରେ ଚାଲିଛି ଫ୍ଲାଏ ଆସ ଡମ୍ପିଂ । ନା ଅଛି ସରକାରୀ ଅନୁମତି ନା ଟେଣ୍ଡର ନିୟମରେ ସେମିତି କିଛି ଅଛି ? ଠିକାଦାର ଟଙ୍କା ପାଇବ କମ୍ପାନୀ ମୁଣ୍ଡରୁ ବୋଝ ଯିବ । ସେଥିପାଇଁ କାଳେ ସ୍ଥାନୀୟ ନେତାଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ରାସ୍ତା ତିଆରିରେ ଲଗେଇ ଦିଆଯାଉଛି ଫ୍ଲାଏ ଆସ । ଏହାକୁ ବିରୋଧ କଲେଣି ସ୍ଥାନୀୟ ଲୋକ । ସେଥିପାଇଁ ବେଲପାହାଡ଼ର ରାଜନୈକ ସ୍ଥିତି ଏବେ ସରଗରମ ହେଉଛି ।
ସର୍ବସାଧାରଣ ସ୍ଥାନରେ ଏହି ପାଉଁଶକୁ ପକାଇବାକୁ କେଉଁ ନେତା ନିର୍ଦେଶ ଦେଇଛନ୍ତି ସେହି ନେତାଙ୍କୁ ସ୍ଥାନୀୟ ପ୍ରତିନିଧି ମାନେ ଖୋଜୁଛନ୍ତି । ଦିନ ହେଉ କି ରାତି, ସେ ବିଧାୟକ ହୁଅନ୍ତୁ ବା ମନ୍ତ୍ରୀ ତାଙ୍କୁ ଟାଣି ଆଣି ପଦାରେ ଥୋଇବା ପାଇଁ ଅଣ୍ଟା ଭିଡିଛନ୍ତି ପଞ୍ଚାୟତ ଓ ପୌର ସ୍ତରର ଜନପ୍ରତିନିଧି ମାନେ । ଯାହାକୁ ନେଇ ବେଲପାହାଡ଼ ରାଜନୀତି ସରଗରମ ହେଲାଣି ।
ବେଲପାହାଡ଼ କୋଲ କରିଡ଼ର ନିର୍ମାଣ ଚାଲିଛି । ଖଣିରୁ ସିଧାସଳଖ ସଂଯୋଗ କରିବ ଏହି ରାସ୍ତା । ଏହି ରାସ୍ତା ତିଆରି ପାଇଁ ଫ୍ଲାଏ ଆସ ବ୍ୟବହାର ହେବାକୁ କୌଣସି ନିର୍ଦେଶ ନାହିଁ । ତଥାପି ଫ୍ଲାଏଆସ ବ୍ୟବହାର କରୁଛନ୍ତି ଠିକା ସଂସ୍ଥା । ରାତିରେ ଆଣି ଶହ ଶହ ଟନର ଫ୍ଲାଏ ଆସ ଗଦା କରୁଛନ୍ତି । ଯାହା ଆଖପାଖ ଚାଷଜମି, ଗାଡ଼ିଆ, ପୋଖରୀରେ ଫ୍ଲାଏଆସ ଭରିଯାଉଛି । ଲୋକଙ୍କ ଘରଦ୍ୱାରରେ ପସିଲାଣି । ଯାହା ଲାକଙ୍କୁ କଲବଲ କଲାଣି ଲୋକଙ୍କୁ । ଏହାକୁ ବିରୋଧ କରି ବେଲପାହାଡ଼ ପୌର ସଂସ୍ଥାର ପ୍ରତିନିଧି ଏବଂ ନଗର ପାଳ ଆନ୍ଦୋଳନ ବି କଲେଣି । ସେମାନଙ୍କର ସିଧା ନହେଲେ ବି ବୁଲେଇ ବଙ୍କେଇ ଅଭିଯୋଗ କାଳେ ସ୍ଥାନୀୟ ପାୱାର ଫୁଲ ନେତାଙ୍କ ଇଙ୍ଗିତରେ ଏ ସବୁ ଚାଲିଛି । ଝାରସୁଗୁଡ଼ାରେ କେଉଁ ନେତ୍ରୀ କାଳେ ଏହାକୁ କରାଉଛନ୍ତି ।
କମ୍ପାନୀଙ୍କୁ ଫ୍ଲାଏ ଆସ ପଠେଇବା ଦାଇତ୍ୱ ନେଇଛନ୍ତି ରାଜନେତା ମାନେ ତାଙ୍କ ଲାଭ ପାଇବାକୁ ଏଭଳି କାମ କରୁଛନ୍ତି । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି । ଯଦି ଏହି ଫ୍ଲାଏଆସ ରାସ୍ତାରେ ପକାଇବା ବନ୍ଦ ନ ହୁଏ, ତାହେଲେବ୍ୟବସ୍ଥାକୁ ପୁରା ଅଚଳ କରିଦେବେ ବୋଲି ଧମକ ଦେଲେଣି ଜନପ୍ରତିନିଧି ମାନେ । ଦେଖାଯାଉ ଏହାକୁ ଝାରସୁଗୁଡ଼ା ଜିଲ୍ଲାପାଳ ନଜର ଦେଇ ଫ୍ଲାଏ ଆସକୁ ବନ୍ଦ କରୁଛନ୍ତି ନା ଏଭଳି ଅବୈଧ ଫ୍ଲାଏ ଆସ ଡମ୍ପିଂକୁ ସୁଯୋଗ ଦେଇ ଅଞ୍ଚଳକୁ ପ୍ରଦୂଷିତ କରିବା ସହ ରାଜନେତାଙ୍କୁ ଲାଭ ଦେଉଛନ୍ତି ।
State,Farming
କୁକୁଡାଖଣ୍ଡି ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ମା ର ଚାଷଜମି (ତୈଳି କିଆରୀ)ରେ ସାନ ପୁଅ ବିଷାକ୍ତ ଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନାମୁତାବକ ନଳିହାଡ ଗ୍ରାମର ସୁଦଷ୍ଣା ବିଷୋୟୀଙ୍କ ସାନ ପୁଅ ବାବୁଲା ବିଷୋୟୀ ନିଜ ମା ଉପରେ ରାଗ ହିଂସା ରଖି ମା ର ତୈଳି କିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ତଥା ମଞ୍ଜୁଳା ବିଷୋୟୀ,ନମିତା ଗୌଡ଼, ବୁଦ୍ଧିଆ ପଳେଇ, ସୁଶାନ୍ତ ଜେନା ସହ ବହୁ ମହିଳା ଦେଖିଥିଲେ । ଖବର ପାଇ ସୁଦଷ୍ଣା ଘଟଣା ସ୍ଥଳରେ ପହଞ୍ଚି ଦେଖିବା ପରେ ଘଟଣାକୁ ନେଇ ତୁରନ୍ତ ସାନ ପୁଅ ବାବୁଲାଙ୍କ ବିରୋଧରେ ସଦର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳବାର ସକାଳେ ସଦର ଥାନା ପୁଲିସ ଏଏସ୍ ଆଇ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଦିର୍ଘ ୨୫ବର୍ଷ ଧରି ସାନପୁଅ ବାବୁଲା ମାଁ ସୁଦଷ୍ଣା ଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡ଼ିଛି । ପୁଅ ବାବୁଲା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଆ ସୁଦଷ୍ଣା ପୁଲିସ ନିକଟରେ ଦାବି କରିଥିବା ଜଣାପଡ଼ିଛି।
State
ଦ କୁଇଭର ବ୍ୟୁରୋ :- ଆପଣ ଆପଣଙ୍କ ଵାଡ଼ିରେ କିମ୍ବା ଛାତରେ ଥିବା କୁଣ୍ଡରେ ପୋଦିନା ଗଛ ରଖିଛନ୍ତି କି ? ଯଦି ରଖିନାହାନ୍ତି ତେବେ, ତୁରନ୍ତ ଏହି ଉପକାରୀ ଗଛକୁ ଆଣି ନିଜ ଘର ପାଖରେ ରଖନ୍ତୁ । ଏହାକୁ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟରେ ବ୍ୟବହାର କରିପାରିବେ। ପୋଦିନା ପତ୍ର ଚଟଣିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସରବତରେ ବି ଆପଣ ଏହାକୁ ବ୍ୟବାହାର କରିପାରିବେ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । କେବଳ ଯେ ପାଟି ସୁଆଦ ପାଇଁ, ତାହା ନୁହେଁ । ଏହି ପତ୍ରର ଗୁଡ଼ାଏ ସୁଫଳ ରହିଛି ।
- ପୋଦିନା ପତ୍ର ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ପେଟ କାଟିବା, ଝାଡ଼ା ନହେବା, ପେଟ ପୋଡ଼ାଜଳା ହେବା ଆଦି ସମସ୍ୟା ହ୍ରାସ ପାଇଥାଏ।
- ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବାସ ରୋଗ ଆୟତ୍ତରେ ରହିଥାଏ।
- ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।
- ଏହାକୁ ଖାଇଲେ ମୁଣ୍ଡବିନ୍ଧା ମଧ୍ୟ କମ୍ ହୋଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।
- ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପୋଦିନା ପତ୍ର ଖାଇପାରନ୍ତିି। ଏହା ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିଥାଏ।
- ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।
ପୋଦିନାରେ ଥାଏ ଭିଟାମିନ୍ ସି, ଏ ଓ ବି କମ୍ଲେକ୍ସ । ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ଆଇରନ , ପୋଟାସିୟମ ଓ ମାଙ୍ଗାନିଜ ପରି ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।ଖରା ଦିନେ ପୋଦିନା ପେଟକୁ ଥଣ୍ଡା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ , ପେଟ ବ୍ୟଥା, ଓ ଛାତିରେ ଜ୍ୱଳ ପରି ସମସ୍ୟା ଦୂର ହୁଏ ।ପୋଦିନା ପତ୍ର ସେବନ ଦ୍ୱାରା ଶ୍ୱାସ ପାୀ ସମସ୍ୟାରୁ ଉପଶମ ମିଳେ । ଏହା ବ୍ୟତୀତ ଏଥିରେ ଥିବା ମେନ୍ଥଲ ଶ୍ୱାସ ନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ନିଃଶ୍ୱାସ - ପ୍ରଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ । ମୁଣ୍ଡ ବିନ୍ଧା ହେଲେ ମଧ୍ୟ ପୋଦିନା ପତ୍ରର ତେଲ ବେଶ ଲାଭଦାୟୀ ।ଏହାସହ ଥାଇରଏଡ୍ ସମସ୍ୟା ପାଇଁ ପୋତିନା ପତ୍ର ବେଶ ଉପକାରୀ । ପ୍ରତିଦିନ ଖାଲି ପେଟରେ ୨ ଚାମଚ ପୋଦିନା ପତ୍ରର ରସକୁ ସେବନ କଲେ ଥାଇରଏଡ ସମସ୍ୟା ଲାଘବ ହୋଇଥାଏ । ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର ରସ । ଏହି ସମୟରେ ପେଟରେ ଯନ୍ତ୍ରଣା ହୁଏ ଓ ମାସପେଶୀ ଟାଇଟ୍ ହୋଇଯାଏ । ଏହି କାରଣୁ ମହିଳାମାନେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏଥିରୁ କିଛି ମାତ୍ରାରେ ଯନ୍ତ୍ରଣାକୁ କମ୍ କରେ ପୋଦିନା । ଏହା ବ୍ୟତୀତ ଚର୍ମ ପାଇଁ ମଧ୍ୟ ପୋଦିନା ଲାଭକାରୀ ।
ତ୍ୱଚାର କୁଞ୍ଚନକୁ ହ୍ରାସ କରିଥାଏ। ଆଲ୍କହଲରେ ପୋଦିନାର ରସକୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ।କୋଡ଼ିଏଟି ପୋଦିନା ପତ୍ର ଏବଂ କୋଡ଼ିଏଟି ତୁଳସୀ ପତ୍ର ନେଇ ସେଥିରେ ଦୁଇକପ୍ ପାଣି ମିଶାଇ ତାକୁ ଫୁଟାନ୍ତୁ। ପାଣି ମରି ମରି ଏକ କପ୍ ହେଇଗଲେ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏହି କାଢ଼ାକୁ ଦିନକୁ ଦୁଇଥର ପିଇବା ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳିଥାଏ।ବିଛା କିମ୍ବା କୌଣସି ବିଷାକ୍ତ କୀଟ ଦଂଶନ କରିଥିଲେ ବିଷ ହରଣ ପାଇଁ ଦଂଶନ ସ୍ଥାନରେ ପୋଦିନା ରସ କିମ୍ବା ଚଟଣି ଲଗାଇ ଦିଅନ୍ତୁ ଏବଂ ତିନି ଚାମଚ ପୋଦିନା ରସ ମିଶ୍ରି ମିଶାଇ ପିଇବାକୁ ଦିଅନ୍ତୁ।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂତନ ଭାବେ ଦେୱାନୀ ବିଚାର ବିଭାଗୀୟ ଅଦାଲତ ର ଉଦଘାଟନ ଉତ୍ସବ ଭିଡିଓ କନଫେନ୍ସ ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଉଦଘାଟନ କରିଛନ୍ତିଏହା ସହ ଉଚ ନ୍ୟାୟାଳୟ ର ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହା ସହ ଦିଗପହଣ୍ଡି ଠାରେ ଗଞ୍ଜାମ ଜିଲ୍ଲା ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରଥ ଙ୍କ ସହ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଏହାସହ BeMC କମିଶନର ଶ୍ରୀ ପଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର SP ସରଭଣା ବିବେକ ଏମ, ସଞ୍ଜିତ କୁମାର ପାଣିଗ୍ରାହୀ, ମାନ୍ୟବର ରାଜ୍ୟ ଆଇନଜୀବି ପରିଷଦ ସଭ୍ୟ(କଟକ), ପି. ନରସିଂହ ପାତ୍ର ସରକାରୀ ଓକିଲ( ଜି .ପି)ଗଞ୍ଜାମ, ବ୍ରହ୍ମପୁର ସହ ଦିଗପହଣ୍ଡି ବାର ଆସୋସିଏସନ ର ସମସ୍ତ ଆଇନଜୀବି ଉପସ୍ଥିତ ଥିଲେ ।
State
ଦ କୁଇଭର ବ୍ୟୁରୋ :- ବାଣିଜିକ ଜିଲ୍ଲା ତଥା ଶିକ୍ଷିତ ଜିଲ୍ଲା ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ବର୍ତ୍ତମାନ ଦୁଷ୍କର୍ମ ଜିଲ୍ଲା ଭାବରେ ଚର୍ଚ୍ଚାରେ ରହିଛି l ଜିଲ୍ଲାରେ ଗୋଟେ ପରେ ଗୋଟେ ନାବାଳିକା, ବଳତ୍କାରର ଶିକାର ହୋଇଥିବା ବେଳେ, ପୋଲିସ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚାଲିଛନ୍ତି,ତଥାପି ନାବାଳିକା ମାନଙ୍କ ସହିତ ଅତ୍ୟାଚାର କମିବାର ନାଁ ଧରୁନି,ଯାହାକୁ ନେଇ ବିରୋଧି ରାଜନୈତିକ ଦଳଗୁଡ଼ିକ ବିଜେପି ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ଆଇନସୁଙ୍ଖଳା କୋଉଠି ନା କୋଉଠି ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖାଦେଇଛି l
ସୂଚନା ପ୍ରକାରେ, ଗତ ସପ୍ତାହରେ କାଠକୋଟ ପଂଚାୟତର ଜଣେ ନାବାଳିକାକୁ ଗର୍ଭବତୀ କରାଇ ଦୁଇଭାଇ ଗିରଫ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଜଗତସିଂହପୁର ମେଡିକାଲରେ ୭ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ଯାହା ଜଗତସିଂହପୁର ତଥା କୁଜଙ୍ଗକୁ ରାଜ୍ୟସ୍ତରରେ ବେଶ୍ ଲଜ୍ଜିତ କରିଛି । ଜିଲ୍ଲାର କୁଜଙ୍ଗ ଥାନା ଗଣ୍ଡକିପୁର ଅଂଚଳର ଜନୈକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କର ରବିବାର ମଧ୍ୟରାତ୍ରୀରେ ପେଟରେ ଯନ୍ତ୍ରଣା ହୋଇଥିଲା,ପରେ ଘରଲୋକେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ, ସେଠାରେ ସେ ଗର୍ଭବତୀ ରହିଥିବା ଜଣାଡିଥିଲା l ପରେ ତାଙ୍କର ୟନ୍ତ୍ରଣା ବୃଦ୍ଧିପାଇବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀ ଜଣକ ଏକ ଅସଂପୂର୍ଣ୍ଣ ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଥିଲା ।
ତେବେ ଛାତ୍ରୀ ଜଣକ ଅସୁସ୍ଥ ଥିବା ଜଣାପଡିଛି l ଅନ୍ୟ ପକ୍ଷରେ ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଘଟଣା ଦିନ ଦୁଇଜଣଙ୍କୁ ଉଠାଇନେଇ ଅଟକ ରଖିଥିଲା ପୋଲିସ, ପରେ ପଚରା ଉଚରା କରି ଛାଡିଦେଇଥିବା ଜଣାପଡିଛି l ଅଭିଯୁକ୍ତ ସହ ନାବାଳିକାର ପୂର୍ବରୁ ଅନେକ ଥର ଅନୈତିକ ସମ୍ପର୍କ ରହିଥିବା ପରିବାର ଜାଣିଥିବା ସୂଚନା ମିଳିଛି l ଅଭିଯୁକ୍ତ ବୋଲାଉଥିବା ଯୁବକ, ନାବାଳିକା ର ପୁରୁଣା ବନ୍ଧୁ ବୋଲି ସୂଚନା ମିଳିଛି l ଅନ୍ୟପଟେ ନାବାଳିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଏଡିଏମ୍ ଓ ସରୋଜ କୁମାର ଜେନା ଏବଂ ପିଡିତାଙ୍କ ପରିବାର ଲୋକେ l
State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ଏଯାଏଁ ମୋଟ ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ହେଲେ ଏମାନେ ଅନ୍ୟ ତଦନ୍ତକାରୀ କମିଟି ସାମନାରେ ଯେଉଁ ବୟାନ ରଖିଛନ୍ତି, ତାହା କ୍ରାଇମବ୍ରାଞ୍ଚ ସାମନାରେ ରଖିଥିବା ବୟାନ ସହ ମେଳ ଖାଉ ନାହିଁ। ସମାନ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କମିଟି ସାମନାରେ ଭିନ୍ନ ବୟାନ ଦେବାକୁ ନେଇ କ୍ରାଇମ୍ବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି। ଅନ୍ୟପଟେ ଜ୍ୟୋତିପ୍ରକାଶ ସୁସ୍ଥ ହେବା ପରେ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। କ୍ରାଇମ୍ବ୍ରାଞ୍ଚ ତାଙ୍କର ମଧ୍ୟ ବୟାନ ରେକର୍ଡ କରିବାକୁ ଯାଉଛି। ୧୨ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ପରେ ସେଦିନ ବିଏଡ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର କୁମାର ସାହୁ ଓ ୧୩ ତାରିଖରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିଲା।
International,National
ଦ କୁଇଭର ବ୍ୟୁରୋ :- ଏପ୍ରିଲ ୨୨ ତାରିଖର ଜଘନ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ୯୭ ଦିନ ବିତିଛି। ୯୭ ଦିନ ପରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-ସୋନମାର୍ଗ ରାଜପଥରେ ଏକ ଟନେଲ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୭ ଜଣ ଲୋକଙ୍କ ହତ୍ୟା ଘଟଣାରେ ମଧ୍ୟ ମୁସା ସମ୍ପୃକ୍ତ ଥିଲା l ଜମ୍ମୁ କାଶ୍ମୀର ପୁଲିସ, ସିଆର୍ପିଏଫ୍ ଓ ସେନାର ଏକ ମିଳିତ ବାହିନୀ ଆଜି ସକାଳେ ‘ଅପରେସନ୍ ମହାଦେବ’ ଆରମ୍ଭ କରିଥିଲେ। ୩ ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇବା ପରେ ମହାଦେବ ପର୍ବତ ନିକଟସ୍ଥ ଶ୍ରୀନଗରର ଦଚିଗାମ ଅଞ୍ଚଳରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା। ଜବରବନରୁ ମହାଦେବ ପର୍ବତମାଳା ମଧ୍ୟରେ ଏହି ଅପରେସନ୍ କରାଯାଇଥିବାରୁ ଏହାର ନାଁ ଦିଆଯାଇଛି ‘ଅପରେସନ୍ ମହାଦେବ’। ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ଟି ରାଇଫଲ୍ ଗ୍ରେନେଡ୍, ଗୋଟିଏ ଏମ୍୪ କାରବାଇନ୍, ୨ଟି ଏକେ-୪୭ ରାଇଫଲ୍ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ସୂଚନାନୁଯାୟୀ ଜୁଲାଇ ଆରମ୍ଭରେ ଦଚିଗାମ୍ ଜଙ୍ଗଲରେ ସେନା ଏକ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ଲସ୍କର ଏବଂ ଜୈସ୍ ଆତଙ୍କବାଦୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଟ୍ରାକ୍ କରାଯାଇଥିଲା। ତେବେ ସ୍ଥାନୀୟ କିଛି ଯାଯାବର ଲୋକଙ୍କ ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିଲା। ଏହାପରେ ଏକାଧିକ ସେନା ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ ସମୟରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ସ୍ପେସାଲ ଫୋର୍ସ କମାଣ୍ଡୋକୁ ନେଇ ଏକ ଟିମ୍ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରି ନିପାତ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଆତଙ୍କବାଦୀମାନେ ବିଶ୍ରାମ ନେଉଥିବାବେଳେ ଧରା ପଡ଼ିଥିଲେ। ତେବେ ଔପଚାରିକ ଭାବେ ଏ ନେଇ କିଛି ଘୋଷଣା କରାଯାଇନି। ଜମ୍ମୁ କାଶ୍ମୀର ପୁଲିସ ଅନୁଯାୟୀ ଅପରେସନ୍ ଏବେ ବି ଜାରି ରହିଛି ଏବଂ ଏହା ଶେଷ ହେବାପରେ ଏନେଇ ବିବୃତି ଜାରି କରାଯିବ। ଗୋଟିଏ ପଟେ ସଂସଦରେ ଆଜି ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ସେନାକୁ ଶ୍ରୀନଗରରେ ଏହି ସଫଳତା ମିଳିଛି।
State
ବ୍ରହ୍ମପୁର ( ଦ କୁଇଭର ):; ଆଜି ସକାଳ ପ୍ରାୟ ୬ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଛକ ନିକଟରେ ଜଣେ ମହିଳା ମୋର୍ନିଂ ୱାର୍କ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ସମ୍ପୃକ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚାଲିଯାଇଥିବା ସୂଚନା ରହିଛି । ପୂର୍ବରୁ ମଧ୍ୟ ଆମ୍ବପୁଆ ସ୍ଥିତ ଇନ୍ କମ୍ ଟେକ୍ସ ଅଫିସ୍ ସମ୍ମୁଖରେ ଆମ୍ବପୁଆ ଅଞ୍ଚଳର ଜଣେ ମହିଳା ମର୍ଣିଂ ୱାକରେ ଯାଉଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ସମ୍ପୃକ୍ତ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ । ଏହି ଘଟଣାର ଅଭିଯୁକ୍ତକୁ ପୁଲିସ ଧରିପାରିନଥିବା ବେଳେ ଏବେ ଆଉ ଏକ ଲୁଟ୍ ପୁଲିସର ଚିନ୍ତା ବଢାଇବା ସହ ଲୁଟେରାମାନେ ପୁଲିସକୁ ଅପେନ୍ ଚାଲେଞ୍ଜ ଦେଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘଟଣାର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରାଙ୍କ ଫୋଟ କଏଦ ହୋଇଥିବା ଜଣାପଡିଛି । ଲୁଟେରାମାନେ ଲୁଟ୍ କରିବା ପରେ ଦ୍ରୁତଗତିରେ ଯାଉଥିବା ସିସିଟିଭି ଭିଡ଼ିଓରୁ ଜଣାପଡ଼ିଛି ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ସେ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା ପରେ ମାଟି ତଳେ ପୋତିଦେଇଛି। ମୃତ ମା’ ଓ ଝିଅ ହେଲେ ସୋନାଲି ଦଳେଇ (୨୩) ଓ ସୁମତି ଦଳେଇ (୫୫)। ଅଭିଯୁକ୍ତ ଦେବାଶିଷ ପାତ୍ରକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା ପରେ ଗାତ ଖୋଳି ୨ଟି ଶବକୁ ପୋତି ଦେଇଛି ଏବଂ ଏହାରି ଉପରେ କଦଳୀ ଗଛ ଲଗାଇ ଦେଇଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖି ପୁଲିସ ହତବାକ ହୋଇଯାଇଛି।
ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର ଆମ୍ବଡୁବି ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ସୋନାଲି ଦଳେଇଙ୍କୁ ଦ୍ୱିତୀୟ ବିବାହ କରିଥିଲେl ତାଙ୍କର ଗୋଟିଏ ଏକବର୍ଷର ପୁତ୍ର ସନ୍ତାନ ଅଛି l ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବ୍ସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତିl ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦେବାଶିଷ ଓ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନେଇ କୋର୍ଟରେ ମାମଲା ଚାଲିଛି। ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣ ପାଇଁ ନିଜ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଘର ପଛପାର୍ଶ୍ବରେ ଥିବା l ବଗିଚା ପଛପଟରେ ଦୁଇ ମୃତଦେହକୁ ପୋତି ଦେଇଥିଲା। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀ ସନ୍ଦେହ ହୋଇଥିଲା। କିଛି ଗ୍ରାମବାସୀ ଦେବାଶିଷଙ୍କ ଘରପଛରେ ଥିବା ବାଡ଼ିରେ ମାଟି ଚିହ୍ନ ଦେଖି ଅଧିକ ସନ୍ଦେହ କରିଥିଲେ। ଏଠାରେ ଗାତ ଖୋଳା ଯାଇଥିବାର ଦେଖି ସେମାନେ ଅଧିକ ସନ୍ଦେହ କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ମଧୁମିତା ମହାନ୍ତି, ମାଜିଷ୍ଟ୍ରେଟ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତିl ଅଭିଯୁକ୍ତ ପୁଲିସ ଆଗରେ ହତ୍ୟା କରି ପୋତି ଦେଇଥିବା କଥା ସ୍ୱୀକାର କରିଛିl ପୁଲିସ ଅଭିଯୁକ୍ତକୁ ଗିରଫ କରିଛିl ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁl
State,Education
ଦ କୁଇଭର ବ୍ୟୁରୋ :- ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ I
State,National,Business
ଦ କୁଇଭର ବ୍ୟୁରୋ :- ମହିଳାଙ୍କ ଠାରୁ ଗାରର୍ମେଣ୍ଟ ଦେବାନାରେ ଲକ୍ଷାଧିକ ଟଙ୍କା ଠକେଇ । ଠକେଇ ଅଭିଯୋଗରେ ଗୁଜୁରାଟ ସୁରତରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଫେକ ଗାରର୍ମେଣ୍ଟ ଆପ ରେ 50% ରିହାତି ରେ ପୋଷାକ ଯୋଗେଇ ଦେବେ କହି ଅଫର୍ ଦେଉଥିଲେ । ଟଙ୍କା ନେବା ପରେ ପୋଷାକ ଦେଇନଥିଲେ । ଭୁବନେଶ୍ୱରର ଜଣେ ମହିଳା ବ୍ୟବସାୟୀ ଏପ୍ରିଲ ମାସରେ ଠକେଇରେ ପଡ଼ିବ ପରେ ସାଇବର ଥାନାରେ ଅଭିଯୋଗ କରିଥଲେ । ଅଭିଯୋଗ ଥିଲା ବିଭିନ୍ନ ଉପାୟରେ 14 ଲକ୍ଷ୍ୟ 55 ହାଜର ଟଙ୍କା ପୋଷାକ ଦେବା ଠକେଇ କରିଥିଲେ ସାଇବର ଠକ ।ଟଙ୍କା ଯାଇଥିବା ଆକାଉଣ୍ଟକୁ ସାଇବର ପୋଲିସ ତଦନ୍ତ କରି ଗୁଜରାଟ ସୁରତରେ ପହଞ୍ଚିଥିଲା । ସୁରତ କାମରେଶ ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଂକ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଫେଲ । ଫେକ ଆପ ଓ whatup ଗ୍ରୁପ୍ କରି ୫୦ ପ୍ରତିଶତ କମ ଦାମରେ ଡ୍ରେସ୍ ଜଗେଇ ଦେବେ ବୋଲି କହିଥିଲେ । କିନ୍ତୁ ଟଙ୍କା ନେବାପରେ ପୋଷାକ ଦେଇନଥିଲେ । ତଦନ୍ତ ସମୟରେ 8ଟି ରାଜ୍ୟରେ ଠକେଇ ନେଇ ସୁଚନା ପାଇଛି ସାଇବର ପୋଲିସ । ଆବଶ୍ୟକ ପଡିଲେ ରିମଣ୍ଡ ରେ ଆସିବେ ଠକ ।