ଭୁବନେଶ୍ୱର(ଦ କୁଇଭର): ଏବେ ବିଭିନ୍ନ ଜିଲ୍ଲା ଭ୍ରମଣ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧା ହେଉ କି ଗଞ୍ଜାମ, ଢ଼େଙ୍କାନାଳ ହେଉ କି ସମ୍ବଲପୁର । ଯେତେବେଳେ ଦେଖିଲେ ଭ୍ରମଣରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । କେବଳ ସେତିକି ନୁହେଁ, ରାଜ୍ୟ ମନ୍ତ୍ରୀମଣ୍ଡଳରେ ଥିବା ତାଙ୍କ ଅନୁଗତ ମାନଙ୍କୁ ଏବେ କାଳେ ଦୁଇ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେମାନେ ଯାଇ ସେହି ସବୁ ଜିଲ୍ଲାର ସ୍ଥିତି ପରଖିବେ । ଦଳର ସ୍ଥିତି ଠାରୁ ବିକାଶ ଯୋଜନାର କାର୍ଯ୍ୟକାରିତା ନେଇ କାମ କରିବେ । ଏସବୁ ପ୍ରକ୍ରିୟା ଜୋର ସୋର ଚାଲିଛି । ହେଲେ ଏହା ପଛରେ ବିକାଶ ଯୋଜନା ଅପେକ୍ଷା ଦଳରେ ଚାଲିଥିବା କ୍ଷମତା ଯୁଦ୍ଧ ବୋଲି କୁହାଯାଉଛି । ରାଜ୍ୟ ସଭାପତି ପଦ ପାଇଁ ଏବେ ବିଜେପି ଭିତରେ ଚାଲିଛି ଛାୟା ଯୁଦ୍ଧ । ଜିଲ୍ଲା ସଭାପତି ନିଯୁକ୍ତିରେ କାହାର କେତେ ଅନୁଗତ ରହି ପାରିବେ ସେନେଇ ଲଢ଼ାଲଢ଼ି ହେଲେଣି ଦଳର ଦୁଇ ପ୍ରମୁଖ ଗୋଷ୍ଠୀ । ଏବେ ଯେଉଁ ସବୁ କାର୍ଯ୍ୟକ୍ରମ ଚାଲିଛି ତାହାର ହେଉଛି ନମୂନା ବୋଲି କୁହାଯାଉଛି ।
ବିଜେପିର ସାଂଗଠନିକ ର୍ନିବାଚନ ହେବ । ରାଜ୍ୟ ସଭାପତି ପଦ ପାଇଁ ପୂରା ଦମରେ ଲାଗିଛି ଲଢ଼େଇ । ଗୋଟେ ପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ରହିଥିବା ବେଳେ ଅନ୍ୟପଟେ ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀଙ୍କ ଗୋଷ୍ଠୀ ରହିଛନ୍ତି । ବୈଜୟନ୍ତ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ, ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ ପ୍ରମୁଖଙ୍କ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ବିରୋଧରେ ଚାଲିଛନ୍ତି । ଯାହାକୁ ନେଇ ଚାଲିଛି ଟଣା ଓଟରା । ତେଣୁ କାଳେ ରାଜ୍ୟସାରା ବୁଲୁଛନ୍ତି ଧର୍ମେନ୍ଦ୍ର । ସଂସଦ ଅଧିବେଶନ ସରିବା ପରେ ଓଡ଼ିଶା ଗସ୍ତରେ ଥିବା ଧର୍ମେନ୍ଦ୍ର ଇତିମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, ଢ଼େଙ୍କାନାଳ, ସମ୍ବଲପୁର ଭଳି ଜିଲ୍ଲା ଗସ୍ତ କରି ସାରିଛନ୍ତି ।
ଧର୍ମେନ୍ଦ୍ରଙ୍କ ଗସ୍ତ କାଳରେ ସ୍ଥାନୀୟ ନେତା ମାନଙ୍କ ସହ ଆଲୋଚନା କାଳେ ଚାଲିଛି । କେମିତି ତାଙ୍କ ଗୋଷ୍ଠୀ ସଭାପତି ହେବେ ସେହି ଯୋଜନାରେ କାମ ଚାଲିଛି । ଏପରିକି ଧର୍ମେନ୍ଦ୍ରଙ୍କ ଅନୁଗତ ମାନେ ନିୟମିତ ଜିଲ୍ଲା ଗସ୍ତ କରି ତାଙ୍କ ଗୋଷ୍ଠୀର ଜିଲ୍ଲା ସଭାପତି ମାନଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି । ଅନ୍ୟପକ୍ଷରେ ସାଂଗଠନିକ ସ୍ତରରେ ନେତାମାନେ ମନମୋହନ ସାମଲଙ୍କ ଗୋଷ୍ଠୀଙ୍କୁ ସମର୍ଥନ କରୁଛନ୍ତି । ଖୋର୍ଦ୍ଧାରେ ଅପରାଜିତା ଷଢ଼ଙ୍ଗୀଙ୍କ ସମର୍ଥକମାନେ ଅନ୍ୟ ଗୋଷ୍ଠୀକୁ ପଣି ପିଆଇ ଦେଇଛନ୍ତି । ଭଦ୍ରକରେ ବି ସମାନ ସ୍ଥିତି ।
ଏମିତି ଅନେକ ଜିଲ୍ଲାରେ ବିବାଦ ଛିଡ଼ା ହେଲାଣି । ମାତ୍ର ଧର୍ମେନ୍ଦ୍ରଙ୍କର ଲବି ଜୋର ଚାଲିଛି । କେନ୍ଦ୍ରରେ ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସଭାପତି ଜେପି ନଡ୍ଡାଙ୍କ ବ୍ୟତୀତ ତାଙ୍କ ପାରିବାରିକ ସମ୍ପର୍କ ଥିବା ଆରଏସଏସ ନେତାଙ୍କୁ ନେଇ ସେ ବେଶ ଦବଦବା ରଖିଛନ୍ତି । ତେଣୁ ତାଙ୍କୁ ହଟାଇବା କଷ୍ଟକର । ହେଲେ ତାଙ୍କୁ ଦଳରେ ଅନେକେ ଗ୍ରହଣ କରିପାରୁ ନାହାନ୍ତି । ମାତ୍ର ତାଙ୍କ ପତିଆରା ଆଗରେ ମୁହଁ ଖୋଲି ପାରୁ ନାହାନ୍ତି । ଅପରାଜିତା ଓ ମନମୋହନଙ୍କ ଗୋଷ୍ଠୀ ସିଧା ଜବାବ ଦେଉଛନ୍ତି । ସେଥିପାଇଁ ସେ କାଳେ ମୋହନଙ୍କ ଶାସନ କଳକୁ ଲଗାଇଥିବା କୁହାଯାଉଛି । ଦେଖାଯାଉ ବିଜେପିର ଏହି ସାଂଗଠନିକ ଯୁଦ୍ଧ ଆଗକୁ କି ରଙ୍ଗ ନେଉଛି?
No comments yet.
Politics,State
ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l
State
ଦ କୁଇଭର ବ୍ୟୁରୋ :-:ଆସୁଛି ରଙ୍ଗର ପର୍ବ ହୋଲି । ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ଆଇଜିଙ୍କ ସହ ଡିସିପି ଓ ସିପିଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଆଡଭାଇଜାରି ଜାରି ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନେ ପ୍ରସ୍ତୁତି ରହିଛନ୍ତି । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ତେବେ ଅସାମାଜିକ ଓ ଅପରାଧିକ ତତ୍ତ୍ବ ଗତିବିଧି ଉପରେ ନଜର ରଖିବ ପୋଲିସ ,ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି,,ପକେଟମାର, ମହିଳାଙ୍କ ପ୍ରତି ଅସଦାଚରଣ ବା କମେଣ୍ଟ ପାସ ଭଳି ପରିସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି,ମେଳଣ ସମୟରେ ଯେପରି ଲାଠି, ବାଣ ପ୍ରଦର୍ଶନ ବା ଅନ୍ୟାନ୍ୟ ଅଶୋଭନୀୟ ପ୍ରଦର୍ଶନ ନ କରାଯିବ ତା ଉପରେ ନଜର ରଖିବ ପୋଲିସ,,ଦୋଳ ମେଳଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବ,,ଜଳାଶୟ, ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ଆଲର୍ଟ ସହ ଫୋର୍ସ ମୁତୟନ କରାଯିବ,,ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ରେସ୍କ୍ୟୁ ଟିମ୍ ଆଲର୍ଟ ରହିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, "ହୋଲି ପାଇଁ ଆମର ଯେଉଁ ଆଡଭାଇଜରି ଦିଆଯିବା କଥା ତାହା ପଠା ସରିଛି । ସେଥି ପାଇଁ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯିବା କଥା ସେ ସବୁ କରାଯାଉଛି ।
ଅନ୍ୟପକ୍ଷରେ ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ। ମଦ୍ୟପାନ କରି କୌଣସି ବ୍ୟକ୍ତି ନଦୀ କିମ୍ବା ପୂଲ୍କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ପିସିଆର l ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।
Politics
ଭୁବନେଶ୍ୱର(ଦ କୁଇଭର): ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ପ୍ରସଙ୍ଗରେ ପୂରା ଚୁପ ରହିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହା ଉପରେ ଉପମୁଖ୍ୟମନ୍ତ୍ରୀ କହିବେ ବୋଲି କହି ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବାକୁ ଯାଇ ଦିନରେ ଲ ଣ୍ଠନ ଲଗାଇ ଖୋଜିଥିଲା । ଆଜି ଦିନ ସାରା ଜୟନାରାୟଣଙ୍କ ତାତି ପୂରା ବିଧାନସଭାକୁ ଅଚଳ କରିଦେଲା । ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ହାନୀ, ପାଣିର ଅଭାବ, ବର୍ଜ୍ୟ ବୋଝ, ଶିକ୍ଷକ ଓ ଅନ୍ୟ ମାନଙ୍କ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତର ପ୍ରସଙ୍ଗ ଥିଲେ ମଧ୍ୟ ତାକୁ ଧ୍ୟାନ ନଦେଇ ପାଲା ଚାଲିଛି । ଓଡ଼ିଶାରୁ ପରିଚୟ ପାଇଥିବା ଜୟନାରାୟଣ ଏବେ ଓଡ଼ିଶା ପିଠିରେ ଚୁରୀ ମାରିବାକୁ ବସିଛନ୍ତି । ତାଙ୍କର ଏହି ଆଭିମୁଖ୍ୟରେ ବିଜେପି ନୀରବ ରହିବା ହିଁ ବିତର୍କର କାରଣ ହୋଇଛି ।
ବିଧାନସଭାରେ ଚାଲିଛି ଫୁଲ ତାମସା । ଗୋଟେ ପ୍ରହସନ ଚଳାଇଛନ୍ତି ସରକାର । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବାସ୍ତବରେ ତର୍ଜମା ସାପେକ୍ଷ । ତାଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ବିଧାୟକ ପ୍ରସ୍ତାବ ନଦେଇ ସିଧା ଅସମ୍ମାନ କରିବା ବା ବିରୋଧ କରିବା ଆଦୌ ଗ୍ରହଣୀୟ ନୁହେଁ । ଆଇନରେ ତ୍ରୁଟି ଥିଲେ ଅପରାଧ କରାଯାଏ ନାହିଁ । ଏ ଜ୍ଞାନ ଜୟନାରାୟଣଙ୍କର ନିଶ୍ଚିତ ଥିବ । ଆଇନ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଏ । ହେଲେ ସରକାରୀ ଦଳର ବିଧାୟକ ରାଜ୍ୟ ସଂଗୀତକୁ ଅସମ୍ମାନ କରିବା ଓ ରାଜ୍ୟ ବିରୋଧରେ ବିଦ୍ରୋହ କରିବା ଭଳି କଥା କହି ଅପରାଧ ତ ନିଶ୍ଚିତ କରିଛନ୍ତି । ହଁ ହୁଏତ ତାଙ୍କ କଥାରେ ଯଥାର୍ଥତା ଥାଇ ପାରେ । ମାତ୍ର ତାଙ୍କ କଥା କହିବାର ରାସ୍ତା ଠିକ ନୁହେଁ ।
ରାଜ୍ୟ ସରକାର ବା ବିଜେପି ସରକାର ଏହାକୁ ଧ୍ୟାନ ଦେଇ ପାରିଥାନ୍ତା । ଗୃହରେ ହେଉ କି ଗୃହ ବାହାରେ ହେଉ ଦଳ ଏପରି କିଛି କହି ପାରିଥାନ୍ତା । ଏହାକୁ ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହି ପାରିଥାନ୍ତା । ଜୟନାରାୟଣ ମନ୍ତ୍ରୀ ନୁହନ୍ତି ଯେ, ସମସ୍ୟା ହୋଇଥାନ୍ତା । ଜଣେ ବିଧାୟକଙ୍କ କଥାକୁ ଏକପାଖିଆ କରାଯାଇ ପାରିଥାନ୍ତା । ମାତ୍ର ତାହା କରୁନାହିଁ ବିଜେପି । ଏହାଦ୍ୱାରା ପଶ୍ଚିମ ଓ ଉପକୂଳ ମଧ୍ୟରେ ବିଭେଦ ବଢ଼ୁଛି । ସବୁଠାରୁ ବଡ଼ କଥା ହେଉଛି ଏପରି ଏକ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବି ଆଡ଼େଇ ଯାଇଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ସେ ହିଁ କହିବେ । ହେଲେ ଉପମୁଖ୍ୟମନ୍ତ୍ରୀ ବି ନୀରବ ବସିଛନ୍ତି । ଗୃହରେ ଏତେ ହୋ ହଲ୍ଲା ହେଲାଣି, ମୁଖ୍ୟମନ୍ତ୍ରୀ ବି ମୁହଁ ଖୋଲୁ ନାହାନ୍ତି । ଫଳରେ ବିଧାନସଭା ଚାଲି ପାରୁ ନାହିଁ କି ଲୋକଙ୍କ ପ୍ରସଙ୍ଗ ଆସି ପାରୁନାହିଁ ।
ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ରଙ୍କର ରାଜ୍ୟ ବରୋଧୀ ଆଭିମୁଖ୍ୟକୁ ଯଥାର୍ଥ କହିଛନ୍ତି ତାଙ୍କ ଝିଅ । ସେ ବି ବାପାଙ୍କ ଭଳି ରୋକଠୋକ କହିଛନ୍ତି, ଯଦି ଉକ୍ରଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ହେଲା, ତେବେ ରାଜ୍ୟ ସଂଗୀତରେ କେବଳ ଉକ୍ରଳ କାହିଁକି ରହିବ? କାହିଁକି କୋଶଳ ଓ କଳିଙ୍ଗର ନାମ ରହିବ ନାହିଁ । ତାଙ୍କର ଯୁକ୍ତି ଅକାଟ୍ୟ । ହେଲେ ଏହା ଏକ ବିରାଟ ପ୍ରସଙ୍ଗ । ଏହା ଉପରେ ତର୍ଜମା କରାଯିବା ଆବଶ୍ୟକ । ସମୀକ୍ଷା ଓ ତର୍କବିତର୍କ ପରେ ହିଁ ଏଦିଗରେ ପଦକ୍ଷେପ ନିଆଯିବା କଥା । ମାତ୍ର ଓଡ଼ିଶା ବିରୋଧରେ ବିଦ୍ରୋହ, ବା ଓଡ଼ିଶାରେ ମିଶିବା ଭୂଲ ବୋଲି କହି ବିଭେଦ ସୃଷ୍ଟି କରିବାକୁ ନାପସନ୍ଦ କରାଯାଉଛି । ଯେଉଁ ଓଡ଼ିଶା ଜୟନାରାୟଣଙ୍କୁ ପରିଚୟ ଦେଇଛି, ସେହି ଓଡ଼ିଶା ପିଠିରେ ଛୁରୀ ମାରି ଜୟନାରାୟଣ ନିଜକୁ ବଡ଼ ନେତା କହିବାକୁ ଚାହୁଁଥିଲେ ତାହା କେବେ ହେବନାହିଁ । ଜୟନାରାୟଣଙ୍କ ପ୍ରସଙ୍ଗରେ ବିଜେପି ଚୁପ ରହି ତାଙ୍କ କଥାକୁ ସମର୍ଥନ ଦେଉଥିବା ସ୍ପଷ୍ଟ ହେଉଛି । ଏଦିଗରେ ବିଜେପି ତାର ଆମୁଖ୍ୟକୁ ସ୍ପଷ୍ଟ ନକଲେ ବିଜେଡି ଓ କଂଗ୍ରେସର ଅଭିଯୋଗ ମିଥ୍ୟା ନୁହେଁ ବୋଲି କୁହାଯିବ ନାହିଁ କି? ଦେଖାଯାଉ ବିଜେପି ଜୟନାରାୟଣଙ୍କ ପ୍ରସଙ୍ଗରେ ମୁହଁ ଖୋଲି ରାଜ୍ୟ ସ୍ୱାର୍ଥକୁ ଦେଖୁଛି ନା ଗୃହରେ ଏପରି ତାମସା ଚାଲୁ ରହୁଛି?
National
ଦ କୁଇଭର ବ୍ୟୁରୋ :- ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୧ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଆସି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୨୫ତାରିଖ ସକାଳୁ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଟକ ଗସ୍ତ କରିବେ ରାଷ୍ଟ୍ରପତି । କଟକ ଠାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ପରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିକାଶ ମୂଳକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମ ପରେ କଟକ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ କରିବେ । ଏହାପରେ ତୁଳସୀପୁର ସ୍ଥିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ତୁଳସୀପୁରରୁ ବାହାରି ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପହଞ୍ଚିବେ । ଆଦିକବି ସାରଳା ଦାସଙ୍କ ୬୦୦@ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କଳିଙ୍ଗ ରତ୍ନ ଆୱାର୍ଡ଼ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ସେହି କାର୍ଯ୍ଯକ୍ରମ ପରେ ଭୁବନେଶ୍ବର ଫେରି ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ ଫେରିଯିବେ ଦ୍ରୌପଦୀ ମୁର୍ମୁ ।
Politics
ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Politics
ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।
ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।
ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l
State,Politics
ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ଆସିଲା ବଡ଼ ଖବର । ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଏମିତିକି ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘନ ଘନ ରେଡ୍ କରିଥିଲା EOW। ଦୁଇ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି ।
ଅନ୍ୟପକ୍ଷରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ ହୋଇପାରିନଥାନ୍ତେ l
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଡ଼ ରେ ଦୋଳ ଯାତ୍ରା ଆରମ୍ଭ ହୋଇଛି ଯାହାକି ଏହା ପନ୍ଦର ଦିନ ଧରି ଚାଲୁଥିବା ବେଳେ ପ୍ରଥମ ଦିନରେ ଉପଖଣ୍ଡ ଅଞ୍ଚଳ ରୁ ଠାକୁରମାନେ ଆସିଥାନ୍ତି । ରାତ୍ରି ପ୍ରାୟ ୮ ଘଟିକା ସମୟରେ ମିଳନ ପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଦୋଳ ପଡ଼ିଆ ଠାରେ ପହଞ୍ଜିବା ପରେ ସେଠାରେ ପୂଜାର୍ଚ୍ଚନା କରି ୧୧ଘଟିକା ସମୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।ପରେ ଶ୍ରୀଜୀଉମାନଙ୍କୁ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି । ତେବେ ଉପଖଣ୍ଡ ଅଞ୍ଚଳରୁ ଆସୁଥିବା ଶ୍ରୀଜୀଉଙ୍କ ମଧ୍ୟରୁ ଯଶିପୁର ଠାକୁରଙ୍କୁ ବଡ ଠାକୁର ବଲି ମାନିଥାନ୍ତି । ଯଶିପୁର ଶ୍ରୀଜିଉ ବଡ଼ ବୋଲି କୁହାଯାଏ। ଯଶୀପୁର ରୁ ଆସି ମାଣିକ ଛକ ଠାରେ ପହଞ୍ଚିଲା ପରେ ଭୋର୍ ୩ଘଟିକା ସମୟରେ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଏବଂ ଦୋଳ ମିଳନ କମିଟି ର ସଦସ୍ୟ ମାନେ ମାଣିକ ଛକ ଯାଇ ସ୍ୱାଗତ କରିବା ପରେ ସେଠାରୁ ଏକ ବିରାଟ ସଭାଯାତ୍ର ରେ ଠାକୁର ଆସି ମିଳନ ପଡିଆ ଠାରେ ପହଞ୍ଚିଥିଲେ ଏବଂ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ସମସ୍ତ ଠାକୁରଙ୍କ ମିଳନ ହୋଇଥିଲା ।ବାଣ ବାଦ୍ୟ ଆଲକ ରେ ଝଲସି ଉଠିଛି ପୁରା କରଞ୍ଜିଆ ତେବେ ବିଭିନ୍ନ ସୂତ୍ରରୁ ଜଣା ପଡିଛି କି ଏହି ଦୋଳ ଯାତ୍ରା ଟି କରଞ୍ଜିଆ ପାଞ୍ଚପୀଡ଼ ଉପଖଣ୍ଡରେ ଦୀର୍ଘ ବର୍ଷ ରୁ ଅନୁଷ୍ଠିତ ହୋଇଆସୁଛି ଯାହାକି ସଖାଳ ଭର ସମୟରେ ଶ୍ରୀଜୀଉ ମାନଙ୍କ ମିଳନ ହୋଇଥାଏ ଏବଂ ତିନିଦିନ ଧରି ଠାକୁରମାନେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଜାଗା ପରିକ୍ରମା କରିବା ସହିତ ଭକ୍ତ ମାନଙ୍କ ଠାରୁ ଭଗ ଗ୍ରହଣ କରିଥାନ୍ତି ଏବଂ ହୋଲି ଖେଳିଥାନ୍ତି ତିନି ଦିନ ପରେ ନିଜ ଅଞ୍ଚଳ କୁ ବାହୁଡ଼ି ଯାଇଥାନ୍ତି । ଏହି ଯାତ୍ରା କୁ ଦେଖିବାକୁ କେବଳ ଏହାର ଆଖପାଖ ଅଞ୍ଚଳ ନୁହଁ ବରଂ ଏହାର ପଡସୀ ଜିଲ୍ଲା ଏବଂ ପଡସୀ ରାଜ୍ୟରୁ ମଧ୍ୟ ଲୋକଙ୍କ ସମାଗମ ହାଇଥିବା ଦେଖିବାକୁ ମିଳିଥାଏ । ତାସହିତ କରଞ୍ଜିଆ ପ୍ରଶାସନ ପକ୍ଷରୁ କେମିତି ଶାନ୍ତି ଶୃଙ୍ଖଳା ଯାତ୍ରା ସମ୍ପୂର୍ଣ ହୋଇପାରିବ ତା ପାଇଁ ପଲିସ ମୁତୟନ କରାଯାଇଥାଏ ।
State
ଦ କୁଇଭର ବ୍ୟୁରୋ :- ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ।ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର l ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିବ ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ପଗଡି ଭିଡିବା, ଛତା ଧରି ଯିବା, ସୂତା କପଡା ପିନ୍ଧିବା, ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରିବା ନାହିଁ... ଆଦି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପୃଥ୍ବୀରାଜ ମଣ୍ଡଳ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ।ପରିଡ଼ା ଗ୍ରାମ ପଞ୍ଚାୟତ ସମେତ ଗାଇବା,ବୃଷଭ ଓ ବାଇଝାଲ ପଞ୍ଚାୟତର ସମୁଦାୟ ମୋଟ ୭୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୭ଟି ଓ ଗ୍ରାମ ଭିତ୍ତିକ ସମସ୍ୟା- ୪୪ଟି ଅଭିଯୋଗ ରହିଥିବା ବେଳେ ସେଥିମଧ୍ୟରୁ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ,ରାସନ୍ କାର୍ଡ,ଶିକ୍ଷା,ଜଳ ସେଚନ,ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ନେଇ ଅଭିଯୋଗ ଆସିଥିଲା।ସେହିପରି ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି,ତହସିଲଦାର ଦେବୀ ପ୍ରସନ୍ନ ସ୍ୱରସ୍ୱତ,ଜିଲ୍ଲା ମୁଖ୍ୟ ଚିକିତ୍ସା,ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବଢୁଛି ପାରଦର ସ୍ତର ତାପମାତ୍ରା ବୃଦ୍ଧି ସହ ଅସମ୍ଭାଳ ତାତି ଦେଖୁବାକୁ ମିଳୁଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଥିବା ବେଳେ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଟାଇଁ ଟାଇଁ ଖରା । ମଙ୍ଗଳବାର ଠାରୁ ତାତି ବଢୁଥିବା ବେଳେ ଆଗାମୀ ୫ ଦିନରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଚଳିତ ସପ୍ତାହରେ ୩ ଦିନର ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ । ୧୩, ୧୪ ଓ ୧୫ ତାରିଖ ୩ ଦିନ ହିଟୱେଭ ବିଭାଗ ଜାରି କରିଥିବା ବେଳେ ପଶ୍ଚିମ ଓଡିଶା ବା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ । ୩ ଦିନ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଥିବା ବେଳେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲା ପାଇଁ ସତର୍କତା ଜାରି କରିଛି କେନ୍ଦ୍ର। ୧୩ ତାରିଖ ରେ ୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ କୁ ୟେଲୋ ୱାର୍ଣିଂ ଜାରି । ୧୪ ତାରିଖ ଓ ୧୫ ତାରିଖ ରେ ପ୍ରବଳ ଖରା ନେଇ ୮ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଅନୁଗୁଳ ଓ ବରଗଡ଼ କୁ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି," ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକା ମନୋରମା ମହାନ୍ତି ।
Politics
ଦ କୁଇଭର ବ୍ୟୁରୋ :-ଏମିତି ଅନେକ ପ୍ରଶ୍ନ ରାଜା ଚକ୍ର ଗିରଫ ପରେ ସୃଷ୍ଟି ହୋଉଛି l ରାଜା ଗିରଫ ପରେ ଧଡ଼ ଧଡ଼ ହେଲାଣି କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେଇପାରନ୍ତି କଳା ସାମ୍ରାଜ୍ୟ ଗୁମର l ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି l ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।
State
ମୋହନା( ଦ କୁଇଭର ):- ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l
State,Politics
ଭୁବନେଶ୍ୱର( ଦ କୁଇଭର ):- ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖାଦେଇଛି । ଆଜି ସାମ୍ବାଦିକ ମାନଙ୍କର ମୋବାଇଲକୁ ବାରଣ କରାଯାଇଛି । ବିଧାନସଭାର ସାମ୍ବାଦିକ ଗ୍ୟାଲେରୀ କୁ ଯିବା ବାଟରୁ ସିକ୍ୟୁରୀଟି ଚେକ ନାମରେ ମୋବାଇଲକୁ ରଖି ଦିଆଯାଇଛି । ଏହାକୁ ନେଇ ତାତିଛନ୍ତି ସାମ୍ବାଦିକ ମାନେ । ଗାନ୍ଧୀମୂର୍ତ୍ତି ପାଖରେ ଧାରଣା ବି ଦେଇଛନ୍ତି । ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା ବି କରିଛନ୍ତି ।
ପ୍ରସଙ୍ଗ ହେଉଛି, ଆମ ଜନପ୍ରତିନିଧି ମାନଙ୍କର ଇଜତକୁ ଲାଗିବା । ଗତକାଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ମାନେ ଧସ୍ତାଧସ୍ତି ହୋଇଥିଲେ, ମାଡ଼ପିଟ ବି ହୋଇଥିଲା, ବିରୋଧୀଙ୍କ ଆଡ଼ୁ ସରକାରଙ୍କ ଟ୍ରେଜେରୀ ବେଞ୍ଚ ଉପରକୁ ଫାଇଲ ଫିଙ୍ଗାଫୋପଡ଼ା ବି ହୋଇଥିଲା । ପୁରା ରଣକ୍ଷେତ୍ର ପାଲଟି ଯାଇଥିଲା ବିଧାନସଭା । କେହି କାହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥିତିରେ ମୋବାଇଲରେ ରେକର୍ଡ କରିନେଇଥିଲେ ସାମ୍ବାଦିକ ମାନେ । ସାମ୍ବାଦିକ ଗ୍ୟାଲେରୀରୁ ସବୁ ରେକର୍ଡ ହୋଇ ଖବର ବାଜିଲା । ଏହାକାଳେ ଆମ ଜନପ୍ରତିନିଧିମାନଙ୍କର ଇଜତକୁ ଲାଗିଯାଇଛି ।
ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ପବିତ୍ର ଗୃହରେ ବା ଆଇନର ମନ୍ଦିରରେ ମାଡ଼ପିଟ ହବା, ଔଦ୍ଧତ୍ୟାମୀ ଦେଖାଇବା, ଅଭାଦ୍ରାମୀ କରିବା । ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କ ମାଡ଼ପିଟ, ତାଙ୍କ ମୂର୍ଖାମୀ, ତାଙ୍କ ଔଦ୍ଧତ୍ୟତା ଜନସାଧାରଣଙ୍କ ପାଖରେ ପହଞ୍ଚିଯିବା । ସେଥି ପାଇଁ ସମସ୍ତେ ଉତକ୍ଷିପ୍ତ ।ଏହାପରେ ନିଜ କାରନାମା ଲୁଚାଇବା ପାଇଁ ସରକାରୀ ଭାବେ ନିର୍ଦେଶ ଦେଇ ମୋବାଇଲ ବନ୍ଦ କରିଦିଆଯାଇଛି । ତେଣୁ ଏ ଜନ ପ୍ରତିନିଧିମାନେ ବିଧାନସଭା ଭିତରେ ମାଡ଼ପିଟ ଲାଗନ୍ତୁ ବା ଗଡ଼ାତଡ଼ା ଲାଗନ୍ତୁ ଆଉ କିଛି ପଦାକୁ ଯିବନି । ନା ମୋବାଇଲ ଥିବ ନା ପଦାକୁ ଯିବ ।
ଏଠି ଆମେ ଆଇନ କଥା କହୁଛୁ । ବିଧାନସଭାର ପ୍ରତେ୳କଟି କାର୍ଯ୍ୟକୁ ସାମ୍ବାଦିକ ମାନେ ଯଦି ରେକର୍ଡ କରିବା ପାଇଁ ଅନୁମତି ଅଛି । କିନ୍ତୁ ଏ ଅନୁମତି ସତ୍ୱେ, ଯଦି ସାମ୍ବାଦିକମାନେ ରେକର୍ଡ କଲେ ତାହେଲେ ଅସୁବିଧା କେଉଁଠି ରହିଲା । ବିଧାସଭା ଭିତରେ ଏମାନଙ୍କ ଅପକର୍ମ, କୁକର୍ମକୁ ଯଦି ସାମ୍ବାଦିକ ମାନେ ଲୋକଙ୍କ ସାମ୍ନାକୁ ଆଣିଲେ, ଏହା କଣ ସାମ୍ବାଦିକ ମାନଙ୍କର ଅପରାଧ । ଏମାନେ ଜନସାଧାରଣଙ୍କ ସମସ୍ୟାକୁ ଛାଡ଼ି ମାଡ଼ପିଟ ଲାଗିଯାଉଛନ୍ତି ରାଜନୀତି କରିବା ପାଇଁ ।
ସରକାର ଏହାକରି ଗଣତନ୍ତ୍ରର କେବଳ କଣ୍ଠରୋଧ କରିନାହାନ୍ତି, ମୌଳିକ ଅଧିକାର କହିବାର ସ୍ୱାଧୀନତା ଉପରେ ବି ହସ୍ତକ୍ଷେପ କରିଛନ୍ତି । ବାକ ସ୍ୱାଧୀନତାକୁ ତାଲା ପକାଇବା ପାଇଁ ଆରମ୍ଭ କରିଛନ୍ତି ମୋହନ ସରକାର । ମୋହନସରକାରଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତତ୍କାଳ ବିଧାସଭାର ପ୍ରତେକଟି କାର୍ଯ୍ୟକୁ ଲାଇଭ କରାଯାଉ ଏବଂ ବିଧାନସଭାରେ ତାଙ୍କ ଲୋକମାନଙ୍କର ପ୍ରତିନିଧିମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସାମ୍ନାକୁ ଅଣାଯାଉ । ଅନ୍ୟଥା ମୋହନସରକାର, କଳଙ୍କିତ ଅଧ୍ୟାୟ ଲେଖିବାର ପ୍ରଥମ ଲେଖକ ହିଁ ହେବେ ।
Education,State
ଦ କୁଇଭର ବ୍ୟୁରୋ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Politics
ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।
State,Shree Jagannath
ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିାକାନ୍ତି ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇବା ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ସେହିପରି ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ। ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।
Shree Jagannath,State
ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ଗଜପତି ଜିଲ୍ଲା ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍ ପ୍ଲାଜାଠାରେ ବିଜୁ ଜନତାଦଳର ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାରଳାଖେମୁଣ୍ଡି ବରିଷ୍ଠ ନେତା ବସନ୍ତ ଦାଶ, ପ୍ରଦୀପ ନାୟକ , ଜି. ତିରୁପତି ରାଓ, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ , ଗବରା ତିରୁପତି ରାଓଙ୍କ ସମେତ ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ ବିଜେଡି କାଉନ୍ସିଲର ମାନେ ଉପସ୍ଥିତ ରହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ନିସ୍ବାର୍ଥ ଭାବେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ମୋଟା ଅଙ୍କର ଆର୍ଥିକ ସହଯୋଗ ଲାଗି ନିବେଦନ କରାଯିବ ବୋଲି ଉପସ୍ଥିତ ନେତା କର୍ମୀ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଯଦି ଅଧିକ ଅର୍ଥର ଆବଶ୍ୟକ ପଡ଼େ ତେବେ ତିରୁପତି ପାଣିଗ୍ରାହୀ ନିଜେ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହରବାସୀ ମଧ୍ୟ ନିର୍ମାଣରେ ସହଯୋଗ ଜାରି ରଖନ୍ତୁ ବୋଲି କହିଥିଲେ ତିରୁପତି ପାଣିଗ୍ରାହୀ। ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ ସହଯୋଗ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ତେବେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାଯାଏ ସହଯୋଗର ହାତ ବଢ଼ାଇବାକୁ ସାଧାରଣ ଜନତା, ନେତା, କର୍ମୀମାନଙ୍କୁ ତିରୁପତି ଆହ୍ବାନ କରିଛନ୍ତି ।
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି