Banner Ad

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ
Published by : Jyotshna Kumari
#State
Jul 20, 2024, 12:17 PM
ଭୁବନେଶ୍ୱର ( ଦ କୁଇଭର ):-ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି। ଆଡଭୋକେଟ୍‌ ଜେନେରାଲ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ଜଣେ ବିଶିଷ୍ଟ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ଆଚାର୍ଯ୍ୟଙ୍କ ନିଯୁକ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ସ୍ବର୍ଗତ ପଣ୍ଡିତ କୈଳାସ ଚନ୍ଦ୍ର ଆଚାର୍ଯ୍ୟ ଓ ସ୍ବର୍ଗତା ସ୍ବର୍ଣ୍ଣଲତା ଆଚାର୍ଯ୍ୟଙ୍କ ସାନ ପୁଅ ପୀତାମ୍ବର ଆଚାର୍ଯ୍ୟ ୧୯୬୫, ଜାନୁଆରି ୧୫ରେ ଜନ୍ମ ଗ୍ରହଣ କରିଥିଲେ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଆଚାର୍ଯ୍ୟ ଅଲଣାହାଟ ହାଇସ୍କୁଲରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିଲେ। ସେ ବିଜେବି କଲେଜରୁ ୧୯୮୫ରେ ରାଜନୀତି ବିଜ୍ଞାନ(ହନର) ରଖି ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ପାସ କରିଥିଲେ। ୧୯୯୦ରେ ସେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଛାତ୍ର ରାଜନୀତିରେ ମଧ୍ୟ ସେ ଉଲ୍ଲେଖନୀୟ ସଫଳତା ପାଇଥିଲେ। ବିଜେବି କଲେଜ ଛାତ୍ର ସଂସଦ ସାଧାରଣ ସଂପାଦକ ଓ ସଭାପତି ସହିତ ୟୁନିଭରସିଟି ଲ’ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ପୂର୍ବତନ ଆଡଭୋକେଟ୍‌ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଗଙ୍ଗାଧର ରଥଙ୍କ ସହ‌ଯୋଗୀ ଭାବେ ୧୯୯୧ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଦେୱାନୀ, ଫୌଜଦାରୀ, କର୍ପୋରେଟ୍‌, ସମବାୟ, ଶିକ୍ଷା, ଆର୍ବିଟ୍ରେସନ୍, କମ୍ପାନି, ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଆଇନ ସଂପର୍କିତ ୧୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଶ୍ରୀ ଆଚାର୍ଯ୍ୟ ସୁନାମ ଅର୍ଜନ କରିଥିଲେ। ସେ ସୁପ୍ରିମକୋର୍ଟ ଓ ଦେଶର ବିଭିନ୍ନ ହାଇକୋର୍ଟରେ ମାମଲା ପରିଚାଳନା କରି ସଫଳତା ଅର୍ଜନ କରିଥିଲେ। ୨୦୧୧ରେ ମାତ୍ର ୪୬ ବର୍ଷ ବୟସରେ ହାଇକୋର୍ଟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ କରାଯାଇଥିଲା।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

୯ କାରାଗାର ବନ୍ଦ ନିଷ୍ପତ୍ତି

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୯ଟି ଜେଲ୍ । ୩ଟି ଜେଲ ବନ୍ଦ ହୋଇସାରିଥିବା ବେଳେ ଖୁବ୍‌ଶୀଘ୍ର ଆଉ ୬ଟି ବନ୍ଦ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଜେଲରେ ହାତଗଣତି କଏଦୀ ଓ ବିଚାରିଧିନ କଏଦୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ନିଷ୍ପତ୍ତି ଅନୁସାରେ‌, ନୟାଗଡର ଖଣ୍ଡପଡା ସବ୍ ଜେଲ୍, ବାଲେଶ୍ଵରର ନୀଳଗିରି ସବ୍ ଜେଲ୍ ଓ ବଡ଼ଗଡ଼ ଜିଲ୍ଲାର ସୋହେଲା ସବ୍‌ ଜେଲ୍‌କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ ସରକାର । ଯାହାକି ଏବେ କାର୍ଯ୍ୟକ୍ଷମ ନାହିଁ କହିଲେ ଚଳେ । ଏହି ୩ଟି ଜେଲ୍‌ରେ ଅଳ୍ପ ସଂଖ୍ୟକ କଏଦୀ ଓ କର୍ମଚାରୀ ଥିଲେ । ଏଥିରେ ରହିଥିବା କଏଦୀ ଓ କର୍ମଚାରୀ ଜିଲ୍ଲା ଜେଲକୁ ସ୍ଥାନାନ୍ତର ସହ ସେମାନଙ୍କ ସହ ମିଶ୍ରଣ କରାଯାଇଛି । ତେବେ ବନ୍ଦ ଜେଲ୍ କୋଠାକୁ ସ୍କୁଲ,କଲେଜ ଭଳି ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆଉ ବନ୍ଦ ହେବାକୁ ଥିବା ଆଉ ଛ'ଟି ଜେଲ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ପାତ୍ରପୁର ସବ୍ ଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସବ୍ ଜେଲ, ମାଲକାନଗିରିର ଏମ୍‌ଭି-୭୯ ଓ ରାୟଗଡ଼ା ଜିଲ୍ଲାରେ ଥିବା କାଶିପୁର ସବ୍‌ ଜେଲ୍ । ତା' ସହିତ ଆଠଗଡ଼ ସବ୍ ଜେଲ୍ ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସବ୍ ଜେଲକୁ ମଧ୍ୟ ବନ୍ଦ କରିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ବନ୍ଦ ପାଇଁ ଜେଲ ବିଭାଗରେ ସହମତି ରହିଛି । ରାଜ୍ୟରେ ମୋଟ ୯୧ଟି ଜେଲ୍ ଥିଲା । ସେଥିମଧ୍ୟରୁ ୧୭ଟି ଜିଲ୍ଲା ଜେଲ୍, ୭ଟି ମଣ୍ଡଳ ଜେଲ୍ ୨ଟି ସ୍ପେଶାଲ୍ ଜେଲ, ୬ଟି ସବ୍ ସ୍ପେଶାଲ୍ ଜେଲ, ୧ଟି ମହିଳା କାରାଗାର, ୧ଟି ମୁକ୍ତାକାଶ ଜେଲ୍, ବାକି ୫୭ଟି ସବ୍ ଜେଲ୍ ରହିଥିଲା । ୫୭ଟି ସବ୍ ଜେଲ୍ ମଧ୍ୟରୁ ୪ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ । ମୋଟ ୮୭ଟି ଜେଲ ଏବେ କାର୍ଯ୍ୟକ୍ଷମ । ଯେଉଁଥିରେ ପାଖାପାଖି ୨୪୦୫୯ଜଣ କଏଦୀ ‌କ୍ଷମତା ରହିଛି । ଏବେ ୧୭୫୨୯ ଜଣ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୩୦୦୦ କେବଳ କଏଦୀ ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

State

ଚାକିରୀ ଦେବା ନାମରେ ଠକେଇ : ୬୨ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ରେଳ ବିଭାଗ ରେ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ କୁକୁଡାଖଣ୍ଡି ଅଂଚଳର ବିଗ୍ନେଶ୍ୱର ରାଓ ଦୋରାଙ୍କୁ ଗିରଫ କରିବା ସହ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ l


ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ କଂସlମାରି ଗ୍ରାମର ଅଭିଯୋଗକାରୀ ଏସ୍. କୃଷ୍ଣ ଚନ୍ଦ୍ର ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ,ସେ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ. ବିଘ୍ନେଶ୍ୱର ରାଓ ଦୋରାଙ୍କୁ ଭେଟି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ବିଘ୍ନେଶ୍ୱର ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସେମାନଙ୍କୁ ଜଣାଇଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ। କିଛି ଦିନ ପରେ ଅଭିଯୁକ୍ତ ଏ. ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇଗଲେ ଏବଂ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଲେ।ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍‌ରେ ଟିଟିଇ ଭାବରେ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ ଏବଂ ପୂର୍ବ ରେଳବାଇର ଜିଏମ୍‌ର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଘ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ ୬୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ତାଲିମ ପାଇଁ କୋଲକାତା ନିଆଯିବ।ଅଭିଯୋଗକାରୀ ଏବଂ ବନ୍ଧୁମାନେ ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଟ୍ରେନ୍ ଯୋଗେ କୋଲକାତା ଯାଇଥିଲେ ଏବଂ ସେମାନଙ୍କର ସିଆଲଡାର ବି.ଆର.ସିଂହ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଯୋଗକାରୀ ଏବଂ ବନ୍ଧୁମାନେ ସେମାନଙ୍କ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ଡାକ୍ତରୀ ପରୀକ୍ଷା ଫଳାଫଳ ପାଇଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେମାନେ କହିଲେ ଯେ ସେମାନେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି। ଅଭିଯୋଗକାରୀ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେ କୁକୁଡାଖଣ୍ଡି ଅଞ୍ଚଲରେ ନଥିଲେ।ଏତେ ଯୋଗାଯୋଗ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ କୋଲକାତା ସହର କେନ୍ଦ୍ରରେ ବସନ୍ତ ସିଂହଙ୍କୁ ଭେଟିଲେ ଏବଂ ସେମାନେ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କୁ ଅଧିକ ବେକାର ବ୍ୟକ୍ତିଙ୍କୁ ପରିଚିତ କରାଇବାକୁ ଜଣାଇଲେ, ତା’ପରେ ସେମାନେ ସେମାନଙ୍କୁ ସ୍ଥାୟୀ ଚାକିରି ଦେବେ। ଏତେ ସବୁ ପରେ ଅଭିଯୋଗ କାରୀ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହେଲେ l ତେବେ ଉପରୋକ୍ତ ତମାମ ଘଟଣା କୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି ବ୍ରହ୍ମପୁର ସଦର ପୋଲିସ l

State,Politics

ବବିଙ୍କ କଥାରେ ଯାଉଥିଲେ ବାଇଁଆ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେଡି ଅପରାଧ ଓ ନାରୀ କେଳେଙ୍କାରୀର ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ଦୁଇବର୍ଷ ପରେ ବିସ୍ଫୋରଣ କରି ଅନେକ ସତ ଓଗାଳିଛନ୍ତି । ପୂରା ବିଜେଡିକୁ କାଠଗଡ଼ାକୁ ଟାଣି ଦେଇଛନ୍ତି । ତାଙ୍କ ଅଭିଯୋଗର ତଦନ୍ତ ହେଲେ ବିଜେଡିର ଅନେକ ନେତା ଫସିବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ଟିକେ ନଜର ପକାଇ ନେବା ତାଙ୍କ ଅଭିଯୋଗ ଉପରେ । ସେ କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେଲ ଯାଇ ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବସୁଥିଲେ । ସେଠାକୁ ଅର୍ଚ୍ଚନାଙ୍କୁ ଡକାଇ କଥା ହେଉଥିଲେ । ତାଙ୍କୁ ଚା’ ଦିଆଯାଉଥିଲା । ଅର୍ଚ୍ଚନା ଚେୟାରରେ ବସି ଚା ପିଉଥିଲେ ।

ଏହା ମିଥ୍ୟା ନୁହେଁ ବୋଲି ବି ଜେଲର ଅନେକ କର୍ମଚାରୀ କହିଲେଣି । ଜେଲ ସୁପରିଟେଣ୍ଡାଣ୍ଟଙ୍କର ବାଇଁଆ ପାରିବାରିକ ସମ୍ପର୍କୀୟ ନଥିଲେ କି? ବାଇଁଆଙ୍କ ସହ ଜେଲ ସୁପରିଟେଣ୍ଡାଣ୍ଟଙ୍କ କି ସମ୍ପର୍କ ରହିଛି । ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବିଚାରାଧିନ କୈଦୀ ଅର୍ଚ୍ଚନାଙ୍କୁ ବସାଇ ଚା’ କାହିଁକି ଦିଆଯାଉଥିଲା? ତାହା ପୁଣି ବାଇଁଆଙ୍କୁ ବସାଇ । କେବଳ ସେତିକି ନୁହେଁ, ପୋଲିସ ଏସିପି ହିମାଂଶୁ ସ୍ୱାଇଁ ମଧ୍ୟ ସମାନ କାମ କରୁଥିଲେ କାହିଁକି? ତାହା କ’ଣ ଜେଲ କ୍ୟାଣ୍ଟିନ କି? ଜଣେ ବିଚାରାଧିନ କୈଦୀଙ୍କୁ ବସାଇ ଚା ପିଆଇବା ଓ ଚା’ ପିଇ ଯିବା ପରେ ଅର୍ଚ୍ଚନା ଶୋଇ ରହିବା ପଛରେ ବଡ଼ ଷଡ଼ଯନ୍ତ୍ର ସ୍ପଷ୍ଟ ହେଉ ନାହିଁ କି?

କେବଳ ସେତିକି ନୁହେଁ ତାଙ୍କୁ ଟଙ୍କା ଦିଆଯାଉଥିଲ କାହିଁକି? ଟଙ୍କାକୁ ତକ୍ରାଳୀନ ଜେଲର ଜବତ ବି କରିଥିଲେ । ଜେଲରଙ୍କୁ ସେ ଜବତ ଟଙ୍କା ଫେରାଇ ଦେବାକୁ ଜେଲ ସୁପରିଟେଣ୍ଡାଣ୍ଟ ଚାପ ପକାଇଥିଲେ କାହିଁକି? ଅର୍ଚ୍ଚନାକୁ ମାନସିକ ଭାରସାମ୍ୟ ହରାଇଥିବା କଥା ଲେଖି କୋର୍ଟଙ୍କୁ ଜଣାଇବାକୁ ବାଇଁଆ ଓ ବିବାଦୀୟ ଅଫିସରମାନେ କାହିଁକି ଚାପ ପକାଉଥିଲେ? ଏଥିରେ ଜେଲର ସହଯୋଗ ନକରିବାରୁ ତାଙ୍କୁ କାହିଁକି ହଟାଗଲା? ଏସବୁ ପଛରେ କାହାର ହାତ ଥିଲା । କାହା ଇଙ୍ଗିତରେ ଜେଲ ଭିତରେ ଏତେ ସବୁ କେଳେଙ୍କାରୀ ଚାଲିଥିଲା । ଅର୍ଚ୍ଚନାଙ୍କ ମୁହଁ ବନ୍ଦ କରିବାକୁ ଏତେ କାରସାଦୀ କାହିଁକି କରାଯାଉଥିଲା । ଏହାର ଜବାବ ବିଜେଡି ନେତା ଓ ସମ୍ପୃକ୍ତ ଅଫିସରମାନେ ଦେଇ ପାରିବେ ତ?

ଏବେ ଏହି ସବୁ ଘଟଣାର ତଦନ୍ତ କରିବାକୁ ଅର୍ଚ୍ଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତାଙ୍କୁ ପ୍ରତିଶୃତି ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀ ଦମ ଦେଖାଇବେ ତ? ବିବାଦୀୟ ଅଫିସରମାନେ ଏବେ ବିଜେପି ବିଧାୟକ ଓ ନେତା ମାନଙ୍କ ଖାସ ଲୋକ ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ଗୃହ ବିଭାଗ ପଦକ୍ଷେପ ନେଇ ପାରିବ ନା ଲାଙ୍ଗୁଡ଼ ଜାକିବ? ଉାମଲା ପଛର ରହସ୍ୟ ପଦାକୁ ଆସିବ ତ? ମୋହନ ଖୋଲି ପାରିବେ କି ବିଜେଡି ଦ୍ୱାରା ରଚାଯାଇଥିଲା ନାରୀ କେଳେଙ୍କାରୀର ଗୁମର? ନା ମୋହନ ବି ବାଆଁରେଇବେ?


State,Education

ସ୍କୁଲ ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

State,National

ଡେଲାଙ୍ଗରେ ବାର୍ଡ଼ ଫ୍ଲୁ : ୬୫୦୦ କୁକୁଡ଼ା ମାରିବ ପ୍ରଶାସନ

Blog Thumbnail

ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।

State,Health & lifestyle,Politics,National

ଆଜି ଫେରିବେ ନବୀନ : ସ୍ବାଗତ କରିବେ ବହୁ କର୍ମୀ ଓ ଶୁଭେଚ୍ଛୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।


ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।

Sports,State

ବଡବିଲ ଇଣ୍ଡୋର ଷ୍ଟାଡିୟମରେ ଆର୍ସେଲର୍ ମିତ୍ତଲ କମ୍ପାନୀର ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ବିରୋଧ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

Blog Thumbnail

ବଡ଼ବିଲ( ଦ କୁଇଭର ):- ସରକାରଙ୍କ ଦ୍ଵାରା ସ୍ଥାନୀୟ ଖେଳାଳିଙ୍କ ପାଇଁ ଓମ୍ବାଡ ସି ଫଣ୍ଡରେ ନିର୍ମିତ ବଡବିଲ ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଫାଇନାଲ ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା ଚଳାଇଛି। ଖଣି କାରବାର କରି ଦୈନିକ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଆର୍ସେଲର୍ ମିତ୍ତଲ କମ୍ପାନୀ ମାତ୍ର ୩ ହଜାର ଟଙ୍କା ଫିସ ଦେଇ କୋଟି କୋଟି ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମକୁ ବର୍ବାଦ୍ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏଠାରେ ସୂଚନା ଥାଉ କି ବିଗତ ସରକାରଙ୍କ ଦ୍ଵାରା ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମରେ ବଡବିଲ ତଥା ଆଖପାଖ ଅଞ୍ଚଳର ଖେଳାଳୀ ମାନେ ଆସି ଖେଳ ଅଭ୍ୟାସ କରୁଥିବା ବେଳେ ହଠାତ୍ ଜିଲ୍ଲା ପ୍ରଶାସନ ସ୍ୱଳ୍ପ କ୍ଷମତା ଥିବା ଏହି ଷ୍ଟାଡିୟମ ଭିତରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ସୁରକ୍ଷା କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଲେ କିପରି ? ହଜାର ହଜାର ଲୋକଙ୍କୁ ନେଇ ଯଦି ଏହି କାର୍ଯ୍ୟକ୍ରମ ହୁଏ ହେଲେ ଏହି ଷ୍ଟାଡିୟମର କ୍ଷତି ହେବା ସହ ଖେଳ ଉପଯୋଗୀ ରହିବ ନାହିଁ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଅନ୍ୟ ପକ୍ଷରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଖେଳାଳି ମାନଙ୍କ ସହ କୌଣସି ଆଲୋଚନା ନ କରି ବୁଧବାର ହଠାତ୍ ଷ୍ଟାଡିୟମ୍ ପରିସରରେ କାର୍ଯ୍ୟକ୍ରମ ପାଇଁ ବାଉଁଶ ପକାଉଥିବା ବେଳେ ଖେଳାଳି ମାନେ ଏହାର ବିରୋଧ କରିବା ସହ କମ୍ପାନୀ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମ ଅନ୍ୟତ୍ର କରିବାକୁ କହିଥିଲେ। ଲୋକଙ୍କ ବିରୋଧକୁ ଦେଖି ବାଉଁଶ ବୋଝେଇ ଟ୍ରକ ଷ୍ଟାଡିୟମ୍ ପରିସର ବାହାରକୁ ଚାଲି ଆସିଥିଲା। ଅନ୍ୟ ପକ୍ଷରେ ବୁଧବାର ଅପରାହ୍ନରେ ବଡବିଲ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ବିକାଶ ମହଲଠାରେ ଏକ ବୈଠକ ଆୟୋଜନ କରାଯାଇ ଜିଲ୍ଲା ପ୍ରଶାସନ ଓ ଆର୍ସେଲର୍ ମିତ୍ତଲ କମ୍ପାନୀର ଏପରି ମନୋଭାବକୁ ନିନ୍ଦା କରା ଯାଇଛି। ଯଦି ଆର୍ସେଲର୍ ମିତ୍ତଲ କମ୍ପାନୀର କାର୍ଯ୍ୟକ୍ରମ ଇଣ୍ଡୋର ଷ୍ଟାଡିୟମରେ କରିବାର ଅନୁମତି ପ୍ରତ୍ୟାହାର ନ ହୁଏ ତେବେ ବଡବିଲବାସି ରାଜରାସ୍ତାରେ ଏହାର ବିରୋଧ କରିବେ ବୋଲି ଚେତାବନୀ ଦିଆ ଯାଇଛି। ନିର୍ମାଣ ହେବା ଦିନଠାରୁ ଏହି ଷ୍ଟାଡିୟମର ରକ୍ଷଣା ବେକ୍ଷଣ ଠିକ ଭାବେ ହେଉ ନ ଥିବାରୁ ଭିତରକୁ ବର୍ଷା ପାଣି ଗଳୁଛି। ପ୍ଲାଏ କାଠରେ ନିର୍ମିତ ବ୍ୟାଡମିଣ୍ଟନ ପିଚ୍ ଉଇ ଖାଇ ନଷ୍ଟ ହେବାକୁ ଯାଉଥିବା ବେଳେ ଅଭ୍ୟାସ କରୁଥିବା ଖେଳାଳୀ ମାନେ ଚାନ୍ଦା ଆଦାୟ କରି କାମ ଚଳାଉଛନ୍ତି। ଏତଦ୍ ବ୍ୟତୀତ ପରିସରରେ ଥିବା ବୋରୱେଲରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହଁ ବୋଲି ଅଭିଯୋଗ ହୋଇଛି। ଏହି ଷ୍ଟାଡିୟମର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହ ମରାମତି କରାଇବା ପାଇଁ ସାଧାରଣରେ ଦାବି ହୋଇଛି। ତଦ ସହିତ ଖେଳାଳି ମାନଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମକୁ ଖେଳ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିବାକୁ ଅନୁମତି ନ ଦିଆଯାଉ ବୋଲି ସରକାର, ସ୍ଥାନୀୟ ପ୍ରଶାସନ ଓ କ୍ରୀଡା ବିଭାଗକୁ ଅନୁରୋଧ କରିଛନ୍ତି।

State

ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ବେଳେ ବାହାରିଲା ୧୧୦ କେଜି ରୁପା

Blog Thumbnail

ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l

State

ଗଞ୍ଜାମ ଓକିଲ ସଂଘର ନୂତନ କୋଠା ଭିତ୍ତିପ୍ରସ୍ତର ସକାଶେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓକିଲ ସଂଘର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅବ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଳ ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଆଇନଜୀବୀଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟାକୁ କିଭଳି ଭାବେ କାର୍ଯ୍ୟକାରି କରାଯିବ ସେଥି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା l ବୈଠକର ଆରମ୍ଭ ରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୂର୍ଣ୍ଣସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ

ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି.ଏଲ.ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l

National,Politics,State

ଆଦାନିଙ୍କ ପାଇଁ ରଥକୁ ରୋକାଯାଇଥିଲା: ରାହୁଲ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେଇ ଆଜି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି | ରଥଯାତ୍ରାରେ ଅବ୍ୟବସ୍ଥା ସହ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ରାହୁଲ | ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଆଦାନିଙ୍କ ପାଇଁ ରଥକୁ ରୋକାଯାଇଥିଲା | ରାହୁଲ କହିଛନ୍ତି ଯେ ଏହା ଆପଣଙ୍କ ସରକାର ନୁହେଁ, ଆଦାନିଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର | ସେହିପରି ରାହୁଲ କହିଛନ୍ତି ଯେ ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ଗାଏବ ହୋଇଛନ୍ତି, ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି | ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି | ସେହିପରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି | ସେ କହିଛନ୍ତି ଯେ ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା, ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା | କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି | ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି | ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ | ରାହୁଲ କହିଛନ୍ତି ଯେ ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି, ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି |

National

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।


AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

State

ନନ୍ଦନକାନନରେ ଜନ୍ମ ହେଲା ଭାରତୀୟ ଗୟଳ ଶାବକ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ଜନ୍ମ ନେଲା ଏକ ଭାରତୀୟ ଗୟଳ ଶାବକ । ଗତକାଲି ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ୪୨ନଂ ଖୁଆଡରେ ରହୁଥିବା ମାଈ ଗୟଳ ଏହି ଶାବକ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନରେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଶେଷଥର ପାଇଁ ୨୦୨୪ ମସିହା ଜୁନ ୫ରେ ଗୟଳ ଜନ୍ମ ନେଇଥିଲା । ତେବେ ଏକ ବର୍ଷପରେ ପୁଣି ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇଛି ।ବର୍ତ୍ତମାନ ୩ଟି ଅଣ୍ଡିରା, ୩ଟି ମାଇ ଏବଂ ଗୋଟିଏ ଶାବକଙ୍କୁ ମିଶାଇ ୭ଗୟଳ ଅଛନ୍ତି । ସର୍ବବୃହତ ବନ୍ୟଗାଈ ପ୍ରଜାତି ମଧ୍ୟରେ ଏହି ଗୟଳ ଅନ୍ୟତମ । ଏହାର ମାଂସପେଶୀ ଗଠନ, ଉତ୍ତଳକ ପାଳଧାର ଏବଂ ଗୋଡ଼ର ରଙ୍ଗ ପାଇଁ ଜଣାଶୁଣା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ସୂଚୀ ଅନୁଯାୟୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅଧୀନରେ ଏହି ପ୍ରଜାତି ଗୟଳଙ୍କର ବଂଶବୃଦ୍ଧି ପାଇଁ ପ୍ରଜନନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

National,Health & lifestyle,State

ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍‌ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍‌ପିଟାଲର ସମସ୍ତ ଡାକ୍ତରୀ ଟିମ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।


ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍‌ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

State,Politics,National

ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ଶିବିର । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ରାହୁଲଙ୍କ ଗସ୍ତ ଓ ସଭାକୁ ଆଖିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍‌ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ । ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।


ଅନ୍ୟପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଯଦିଓ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି, ହେଲେ କିଛି ସମାଧାନ ବାହାରି ପାରିନି ନାହିଁ । ଫଳରେ ଗତ ତିନି ଦିନ ଧରି ଡ୍ରାଇଭର ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ଚତୁର୍ଥ ଦିନ । ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡା ହୋଇ ରହିଛି । କେବଳ ଜରୁରୀକାଳିନ ଓ ଘରୋଇ ଗାଡିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଲୋକେ ହିନସ୍ତା ହେଉଛନ୍ତି । ଏନେଇ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି । ତଥାପି ସମାଧାନର ବାଟ ବାହାରିପାରିନି ।

State

ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର, ଠିକଣା ଅସ୍ପଷ୍ଟ

Blog Thumbnail

ଭଞ୍ଜନଗର( ଦ କୁଇଭର ):- ଭଞ୍ଜନଗର ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଗୋଟିଏ ଦିନ ଏବେ ବି କାରଣ ଅସ୍ଵଷ୍ଟ ।ଖବରରୁ ଜଣାଯାଏ ଯେ ଭଞ୍ଜନଗର ଥାନା ବାଇବାଲି ଗାଁର ମୁନିଆକଣ ଜଙ୍ଗଲ ମଧ୍ଯ ଭାଗରେ ମାଟି ତଳେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ ପ୍ରଶାସନ । ଗତକାଲି ଦିନ 12 ଘଣ୍ଟ ସମୟରେ ଉଦ୍ଧାର ହୋଇଥିଲେ ମଧ୍ଯ ଘଟଣାକୁ ଗୋଟିଏ ଦିନ ବିତିଗଲା ତଥାପି ଯୁବକଙ୍କ ପରିଚୟ ମିଳୁନଥିବା ବେଳେ ପରିଚୟ ସଂଗ୍ରହ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ଖୁବଶୀଘ୍ର ଜଣାପଡିବ ବୋଲି ଆଜି ଦିନ ଦୁଇଘଣ୍ଟ ସମୟରେ ଭଞ୍ଜନଗର SDPO ସୂଚନା ଦେଇଛନ୍ତି ।

State

ମାଓ କ୍ୟାମ୍ପ ଠାବ ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ - କମ୍ବିଂ ଅପରେସନ ଜାରି

Blog Thumbnail

ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।



National,Politics

ଯମୁନା ପୁଣି ପ୍ରଦୂଷିତ

Blog Thumbnail

ଦ କୁଇଭର ବ୍ୟୁରୋ :- ପବିତ୍ର ଯମୁନା ନଦୀକୁ ନେଇ ବହୁତ କିଛି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠୁ ଲାଗିପଡ଼ିଥିଲେ । କହିଲେ ଯମୁନା ହେବ ପ୍ରଦୂଷଣ ମୁକ୍ତ । ସ୍ୱଚ୍ଛ ହେବ ପାଣି, ଫେରିବ ପବିତ୍ରତା । ଲୋକଙ୍କର ସବୁଠୁ ବଡ଼ ସମସ୍ୟାକୁ ଦୂର କରିଦେବେ । ହେଲେ ୬ ମାସ ଯାଇନି ଫସର ଫାଟିଲାଣି । ଯମୁନା ପ୍ରଦୂଷଣ ମୁକ୍ତ ହେବ କଣ ? ଅଧିକ ପ୍ରଦୂଷିତ ହେଲାଣି । ଦେଖନ୍ତୁ ଏହି ସ୍ଥିତି ।


ଅସମ୍ଭାଳ ହେଲାଣି ଯମୁନା ସ୍ଥିତି । ପ୍ରଦୂଷଣ ଭୟଙ୍କର ରୂପ ନେଲାଣି । ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏ ସବୁ ଦିଶୁନି । ବିଜେପିକୁ ବି ଦିଶୁନି । ସବୁଠୁ ବଡ଼ କଥା ହେଲା ବିରୋଧୀ ଆପ ବି ଚୁପ ହୋଇ ବସିଛି । ପ୍ରଦୂଷଣ ଦିଲ୍ଲୀରେ ଭୟଙ୍କର ରୂପ ନେଇ ଚାଲିଛି । ବାୟୁ ବା ଧୂଳି ପ୍ରଦୂଷଣକୁ କୃତ୍ରିମ ବର୍ଷା ଦ୍ୱାରା ରୋକି ପାରିବେ, ହେଲେ ଯମୁନା ପ୍ରଦୂଷଣ ଏବେ ବଡ଼ ଚିନ୍ତା । ଲମ୍ବା ଲମ୍ବା କଥା ଫିକା ପଡ଼ିଗଲାଣି । ରେଖା ଗୁପ୍ତାଙ୍କ ସରକାର ଆଣ୍ଠେଇ ପଡ଼ିଲାଣି । ଯମୁନା ଦେଖାଉଛି ରେଖା ଗୁପ୍ତାଙ୍କ ଫେଲ ମଡ଼େଲ ।


ଯମୁନାର ପ୍ରଦୂଷଣ ଆଗରେ ସମସ୍ତେ ହାରୁଛନ୍ତି, ହେଲେ ମାନୁନାହାନ୍ତି । ପ୍ରଦୂଷଣ ଏତେ ଗମ୍ଭୀର ଯେ, କିଛି କରିବା କଷ୍ଟକର ହେଲାଣି । ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ମାନଙ୍କ ବିରୁଦ୍ଧରେ ପଦକ୍ଷେପ ବୋଲି ଶୂନ । ରାଜନୈତିକ ଚାନ୍ଦା ଦେଇ ଦେଇ ଶିଳ୍ପପତି ପ୍ରକୃତିକୁ ଖିନଭିନ କରୁଛନ୍ତି । ଆଉ ଚାନ୍ଦା ପାଇ କେବଳ ଲୋକଙ୍କ ଆଖିରେ ପରଦା ପକାଇବା ପାଇଁ ହୋହାଲ୍ଲା କରି ନିରବ ବସୁଛନ୍ତି ନେତାମାନେ । ଯାହା ଫଳରେ ପ୍ରଦୂଷଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡୁଛି । ଦେଖାଯାଉ ରେଖା ଗୁପ୍ତାଙ୍କ ସରକାର ଯମୁନାକୁ ବାସ୍ତବରେ ପ୍ରଦୂଷଣ ମୁକ୍ତ କରୁଛନ୍ତି ନା କର୍ଦମୁକ୍ତ କରୁଛନ୍ତି ?



State

ପିଉସୀକୁ ପ୍ରେମବିବାହ କରି କଙ୍ଗାରୁ କୋର୍ଟରେ ପାଇଲେ ଦଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।


କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

State

ରାଜ୍ୟରେ ଗଡ଼ୁନି ଗାଡ଼ି : କଲବଲ ଯାତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଅଖ ଚକ ସବୁ ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ, ସାମ୍ନାକୁ ଆସୁଛି ଯାତ୍ରୀ ଯନ୍ତ୍ରଣାର ପୁଳା ପୁଳା ଚିତ୍ର। କେଉଁଠି ବସଷ୍ଟାଣ୍ଡରେ ଛୁଆପିଲା ଧରି କଲବଲ ହେଉଛନ୍ତି ଲୋକ, ତ କିଏ ଗାଡ଼ି ନପାଇ ମେଡିକାଲରୁ ମାଇଲ ମାଇଲ ବାଟ ଚାଲି ଚାଲି ଘରକୁ ଫେରୁଛି। ୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ଅଧିକାଂଶ ଦାବି ଉପରେ ସରକାର ବିଚାର କରୁଥିବା କହିଥିଲେ ମଧ୍ୟ, ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ସଂଘ ଅଡ଼ି ବସିଥିବାରୁ କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟବ୍ୟାପୀ ଠପ୍ ହୋଇଛି ପରିବହନ ସେବା।ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛି। ରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାର। ଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏ। ସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏ। ଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି। ତେବେ ଖାଦ୍ୟ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ କାର୍ଯ୍ୟ ରେ ବାଧା ଦେଖାଦେଇଥିବା ସାଧାରଣରେ ଦେଖାଦେଇଛି, ତେଣୁ ଏସବୁର ସମାଧାନ ଯେତେ ଶୀଘ୍ର ହେବ, ସାଧାରଣ ଜନତା ସେତେ ଶୀଘ୍ର ଉପକୃତ ହେବେ ବୋଲି ସୂଚନା ଚର୍ଚ୍ଚା ଚାଲିଛି l