ଦକୁଇଭର ବ୍ୟୁରୋ :-: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଉ ୧୦ ହଜାର ଟଙ୍କା ମିଳିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ଲୋକପ୍ରିୟ ଯୋଜନା ‘ନୂଆ-ଓ’କୁ ବନ୍ଦ କରି ଦିଆଯାଇଛି। ଏହି ଯୋଜନା ପାଇଁ ଚଳିତବର୍ଷ ବଜେଟ୍ରେ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ। ବରଂ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ‘ଫାଇନାନ୍ସିଆଲ୍ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ୍ ପିଜି ଷ୍ଟୁଡେଣ୍ଟ’ ନାମକ ଏକ ଯୋଜନା ପ୍ରଣିତ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି ବୋଲି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି।ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିଥିଲା। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିଥିଲା। ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟିଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ୍’ କାର୍ଡ ମଧ୍ୟ ଆରମ୍ଭ ହୋଇଥିଲା। ଯାହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢା, ଶୃଙ୍ଖଳା, ଭାଗୀଦାରିତା, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟ ଜରିଆରେ ପଏଣ୍ଟ ପାଇବା ସହ ସେହି ଅନୁସାରେ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢ଼ିଥାନ୍ତା।
ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀ ଭଲ କମ୍ପାନିରେ ଚାକିରି, ଷ୍ଟାର୍ଟଅପ ଉଦ୍ୟୋଗ, ଋଣ, ବୃତ୍ତି ଓ ବିଭିନ୍ନ ପ୍ରକାର ସହାୟତା ଏହି କାର୍ଡ ମାଧ୍ୟମରେ ପାଇଥାଆନ୍ତେ। ବସ୍/ଟ୍ରେନ୍/ବିମାନରେ ଯିବା ସମୟରେ ରିହାତି ମିଳିଥାନ୍ତା। ମୋବାଇଲ୍ ରିଚାର୍ଜ ଓ ୱାଇଫାଇ ବ୍ୟବହାର, ଇ-ଲାଇବ୍ରେରି, ଅନ୍ଲାଇନ୍ ଏକାଡେମିକ କୋର୍ସ, ବ୍ୟକ୍ତିତ୍ବ ବିକାଶ କୋର୍ସ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ କ୍ଲାସ, ଦକ୍ଷତା ବିକାଶ କୋର୍ସ, କ୍ୟାରିଅର କାଉନସେଲିଂ, ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ନିଯୁକ୍ତିରେ ସହାୟକ ହେଇଥାନ୍ତା। ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ସୁବିଧା ଉପଲବ୍ଧ କରାଯାଇଥିଲା। ଅଗଷ୍ଟ ୧୫ରୁ କାର୍ଡ ବଣ୍ଟନ କରାଯିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପରେ ବିଭିନ୍ନ ଛାତ୍ର ସଙ୍ଗଠନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ବାରା ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଭଳି ଉଚ୍ଚଶିକ୍ଷା ବିଭାଗ ଅଧୀନରେ କୌଣସି ଯୋଜନା ନାହିଁ। ଉଚ୍ଚଶିକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଜନା ଦେବାକୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ନାମରେ ଏକ ସଙ୍ଗଠିତ ଯୋଜନା ପ୍ରଚଳିତ ହୋଇଛି। ଇ-ମେଧାବୃତ୍ତି ଯୋଜନାରେ ସ୍ନାତକ ମେଧାବୃତ୍ତି, ସ୍ନାତକୋତ୍ତର ମେଧାବୃତ୍ତି, ବୈଷୟିକ ଓ ବୃତ୍ତିଗତ ମେଧାବୃତ୍ତି ପ୍ରଦାନ କରାଯାଉଛି। ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି, ବିଭିନ୍ନ ପଛୁଆ ବର୍ଗର ଗରିବ ପରିବାର ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟକ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବାକୁ ରାଜ୍ୟ ସରକାର ୧୦୦% ସୁଧ ରିହାତି ବ୍ୟବସ୍ଥା କରିଛନ୍ତି।
No comments yet.
National
ବାରିପଦା( ଦ କୁଇଭର ):- ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ରୋଡ ଉପରେ ଗତ କାଲି ଅର୍ଥାତ ସୋମବାର ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଳୁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥଲେ।ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିବା ସୂଚନା ମିଳିଛି l ତେବେ କଣ ପାଇଁ ରାଣୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝିଅର ବାପାଙ୍କୁ ପୋଲିସ ଅଟକ ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ବେଲଗୁଣ୍ଠା ଠାରେ, ବ୍ଳକ୍ ସ୍ତରୀୟ ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ଶତାଧିକ କଳାକାର ବେଲଗୁଣ୍ଠା ସ୍ଥିତ ନୃସିଂହନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି, ସହର ପରିକ୍ରମା କରିବା ସହ ବଣିକ ସଂଘ ଭବନ ଠାରେ ଆୟୋଜିତ ଉତ୍ସବରେ ପହଞ୍ଚିଥିଲେ । ସଂଘର ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାକାର ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ସହ, କଳାର ବିକାଶ ପାଇଁ ସବୁ କ୍ଷେତ୍ରରେ ନିରନ୍ତର ଉଦ୍ୟମ ହେବା ଜରୁରୀ ହୋଇଛି । ଏହା ସହ ସମାଜର ବିକାଶ କ୍ଷେତ୍ରରେ, କଳାକୁ ଉପଯୋଗ କରିବାର ଆବଶ୍ୟକ ରହିଛି ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଜିଲ୍ଲା ତଥା ବେଲଗୁଣ୍ଠା ବ୍ଳକର ବହୁ ବରିଷ୍ଠ କଳାକାର ଓ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
Politics
ନୂଆଦିଲ୍ଲୀ(ଦ କୁଇଭର): ଇଣ୍ଡି ମେଣ୍ଟର ସଦସ୍ୟମାନେ ଏପର୍ଯ୍ୟନ୍ତ ଏକ ହୋଇ ପାରି ନାହାନ୍ତି । ହରିଆଣା ଓ ଜମ୍ମୁ କାଶ୍ମୀରରେ କଂଗ୍ରେସ ବିରୋଧରେ ଆପ ଲଢ଼େଇ କରିଥିଲା । ଏବେ ଦିଲ୍ଲୀରେ ସିଧା ସିଧା ଆପ ସହ ଲଢ଼େଇ କରିବ କଂଗ୍ରେସ । ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଖୋଲାଖୋଲି କହିଦେଲେଣି । ଦିଲ୍ଲୀରେ କଂଗେସ ଏଥର ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିବା ପରେ ବିଜେପି ପାଇଁ ପୁଣି ଏକ ସୁଯୋଗ ହେବ ବୋଲି କୁହାଯାଉଛି ।
ବିଜେପିକୁ ମୁକାବିଲା କରିବା ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେକ ଦେବା ପାଇଁ କଂଗ୍ରେସ ସହ ମିଶି ଇଣ୍ଡି ମେଣ୍ଟ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ମେଣ୍ଟ ସିନା କରିଛନ୍ତି ହେଲେ ଏକ ହୋଇ ପାରୁନାହାନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ବିରୋଧରେ ଅନେକ ଦଳ ପ୍ରାର୍ଥୀ ଦେଲେ । ଏବେ ହରିଆଣା ଓ ଜମ୍ମୁ କଶ୍ମୀର ନିର୍ବାଚନରେ କଂଗ୍ରେସ ବିରୋଧରେ ଆପ ପ୍ରାର୍ଥୀ ଦେଲା । କଂଗ୍ରେସ ବି ହାରିଲା, ଆପ ବି ବହୁ ପଛରେ ପଡ଼ିଲା । କାଶ୍ମୀରରେ ନେସନାଲ କନଫରେନ୍ସ ସହ ମେଣ୍ଟ ହେଲା । କିନ୍ତୁ ଆପ ମିଶିଲା ନାହିଁ । ଆପ କାଶ୍ମୀରରେ ଗୋଟିଏ ସିଟ ଜିତିଲା ।
ଏବେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେଲାଣି । ଦିଲ୍ଲୀ ପାଇଁ କଂଗ୍ରେସ ତାର କୌଶଳ ଆରମ୍ଭ କରିଦେଲାଣି । ସେଥିପାଇଁ ଦଳର ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଦିଲ୍ଲୀ ଲୋକ ଜାଣିଛନ୍ତି କଂଗ୍ରେସ କେତେ ବିକାଶ କରିଛି । ତେଣୁ ସେହି କାର୍ଯ୍ୟକୁ ନେଇ ଆମେ ଦିଲ୍ଲୀ ନିର୍ବାଚନ ଏକାକୀ ଲଢ଼ିବୁ । ଏକଥା କହି ଆପର କାମ ଉପରେ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଦିଲ୍ଲୀ ଦଖଲ ପାଇଁ ବିଜେପି ଦୀର୍ଘବର୍ଷରୁ ଲାଗିଛି । ହେଲେ ଆପକୁ କାଟିବା ସମ୍ଭବ ହେଉନାହିଁ । ଏବେ କଂଗ୍ରେସ ଯଦି ତାର ଶକ୍ତି ଖଟାଇବ, ତେବେ ଆପ ଭୋଟ କଂଗ୍ରେସ କାଟିଲେ, ବିଜେପିର ସହଜ ହେବ । ଦେଖାଯାଉ କଂଗ୍ରେସ ଦିଲ୍ଲୀରେ ଆପକୁ ଝଟକା ଦେଉଛି ନା ନିଜେ ଝଟକା ଖାଉଛି?
International,National
ଦ କୁଇଭର ବ୍ୟୁରୋ :- ଲିଭିଗଲା ଶିଳ୍ପ ଜଗତର ଅଦ୍ୱିତୀୟ ତାରକା-ରତନ ଟାଟା
୧୯୩୭ ମସିହା ଡିସେମ୍ବର ୨୮ ତାରିଖ ଜନ୍ମ ଗ୍ରହଣ କରିଥିଲେ ରତନ
ଇାପା ନାଭାଲ ଟାଟା, ମାଆ ସୁନୀ କମିସରିଏଟ
ହାବାର୍ଡ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ
ଜେଆରଡି ଟାଟା ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ।
୨୦୦୮ରେ ପଦ୍ମ ବିଭୂଷଣ ଓ ୨୦୦୦ରେ ପଦ୍ମଭୂଷଣ ପାଇଥିଲେ ।
ମୋଟ ସମ୍ପତ୍ତି ୩୮୦୦କୋଟି
ଟାଟାଙ୍କ ଅତି ପରିଚିତ କଥା- ମୁଁ ଠିକ ନିଷ୍ପତ୍ତି ନେବାରେ ବିଶ୍ୱାସ କରେ ନାହିଁ । ମୁଁ ନିଷ୍ପତ୍ତି ନିଏ ଆଉ ତାହାକୁ ଠିକ ବୋଲି ପ୍ରମାଣିତ କରିଥାଏ । କ୍ଷମତା ଓ ଟଙ୍କା ମୋର ମୁଖ୍ୟ ଆଧାର ନୁହେଁ
୧୯୯୧ ମସିହାରେ ଜେଆରଡି ଟାଟାଙ୍କ ଦେହାନ୍ତ ପରେ ରତନ ଟାଟାଙ୍କୁ ସେ ମୁଖ୍ୟ ବୋଲି ବାଛିଥିଲେ । ପ୍ରବଳ ବିରୋଧ ହୋଇଥିଲା । ମାତ୍ର ସେ ଅଧ୍ୟକ୍ଷ ଭାବେ କାମ କଲେ । ତାଙ୍କ ଅଧ୍ୟକ୍ଷ କାଳରେ ସେ ଟାଟା ମୋଟର୍ସ ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଟାଟା ମୋଟର୍ସକୁ ସେ ବିକିବା ପାଇଁ ଫର୍ଡ କମ୍ପାନୀକୁ ଯାଇଥିଲେ । ଫର୍ଡ କମ୍ପାନୀ ତାଙ୍କୁ ତାଚ୍ଛଲ୍ୟ କରି ଫେରାଇ ଦେଇଥିଲା । ସେହିଠାରୁ ସେ ଟାଟା ମୋଟର୍ସ ବିକିବେ ନାହିଁ ବୋଲି ନିଷ୍ପତ୍ତି ନେଇ ତାହାର ନବୀକରଣ କରିଥିଲେ । ଏବେ ଟାଟା ମୋଟର୍ସ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ତାର କାର ବିକ୍ରି କରୁଛି ।
ଓମୟ ବଦଳିଥିଲା-ଯେଉଁ ଫ୍ରଡ କମ୍ପାନୀ ପାଖରେ ଟାଟା ମୋର୍ଟସକୁ ବିକିବା ପାଇଁ ଯାଇଥିଲେ । ସେହି ଫ୍ରଡ କମ୍ପାନୀ ୨୦୦୯ରେ ରତନ ଟାଟାଙ୍କୁ ବିକିଥିଲା ସେହି କମ୍ପାନୀ । ଏହାପରେ ଲେଣ୍ଡ ରୋଭର, ଜାଗୁଆର ଭଳି କାର ନିର୍ମାତାଙ୍କ କମ୍ପାନୀକୁ ରତନ ଟାଟା ଅଧିଗ୍ରହଣ କରିଥିଲେ । ସାରା ବିଶ୍ୱରେ ଅଟୋମୋବାଇଲ କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବାଦଶାହା ।
ଟାଟା ଗ୍ରୁପରେ ରହିଛି ଅନେକ କମ୍ପାନୀ । ଖାଇବା ପାଇଁ ଲୁଣ ଠାରୁ ପିନ୍ଧିବା ପାଇଁ ପୋଷାକ, ସୁନା ଅଳଙ୍କାର, ପାଣି ଠାରୁ ଜୁସ ଏବଂ ଅନେକ କିଛି ରହିଛି । ବସ ଠାରୁ ଏୟାରଲାଇନ୍ସ ବି ଟାଟାର । ମଣିଷ ଜୀବନର ଅନେକ ଆବଶ୍ୟକତା କ୍ଷେତ୍ରରେ ଟାଟାର ଉତ୍ପାଦ ରହିଛି । ଯେଉଁଥିପାଇଁ ଟାଟା ଘରେ ଘରେ ପରିଚିତ ।
ଟାଟାକୁ ପରିଚିତ କରିଥିବା ରତନ ଟାଟାଙ୍କ ଭଳି ଜଣେ କିମ୍ବଦନ୍ତି ପୁରୁଷଙ୍କର ବିୟୋଗ ବାସ୍ତବରେ ଅପୂରଣୀୟ । ଦେଶ ତାଙ୍କ ଭଳି ଜଣେ ରତ୍ନଙ୍କୁ ହରାଇଛି । ଶିଳ୍ପ ଜଗତର ତାରା ଲିଭି ଯାଇଛି ।
State
ଭୁବନେଶ୍ୱର( ଦ କୁଇଭର ):- ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ।
ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି ଷଡଙ୍ଗୀ କହିଛନ୍ତି। ଏକାଡେମୀ ତରଫରୁ ତାଙ୍କୁ ବିଦାୟ କାଳିନ ପରେଡରେ ଅଭିବାଦନ ପ୍ରଦାନ କରାଯାଇଥିଲା।ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀଙ୍କର ଆଉ ୧୦ ମାସ ଚାକିରୀ କାଳ ଥିଲା। ହେଲେ ରାଜ୍ୟ ସରକାର ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଦେଲେ। ଫଳରେ ଅରୁଣ ଷଡଙ୍ଗୀ ଭିଆରସ ନେବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ତାଙ୍କର ଭିଆରଏସକୁ ରାଜ୍ୟ ସରକାର ମଂଜୁରୀ କରିଛନ୍ତି।
National
ଦ କୁଇଭର ବ୍ୟୁରୋ :- ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ । ଇଣ୍ଡି ମେଣ୍ଟ ଏବଂ ରାହୁଲ ଗାନ୍ଧିଙ୍କୁ ବିଜେଡି ନେତାଙ୍କ ପ୍ରଂଶସା ।ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ବିଜେଡି ସାଂସଦଙ୍କ ଏହି ବୟାନ ହିଁ ଇସାରା କରୁଛି ବିଜେଡି କେଉଁ ଆଡକୁ ଢଳୁଛି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ରାଜ୍ୟରେ ଇଣ୍ଡି ମେଣ୍ଟର ଭଲ ପ୍ରଦର୍ଶନ ପରେ, ଏବେ ହରିୟାଣା ଓ ଜାମ୍ମୁ-କାଶ୍ମୀରରେ ଏଗଜିଟ୍ ପୋଲ ଇଣ୍ଡି ସପକ୍ଷରେ ଯାଇଛି । ଏହାକୁ ନେଇ ଉତ୍ସାହିତ ଅଛି କଂଗ୍ରେସ । ଏତିକିବେଳେ ନିର୍ବାଚନରେ ବିଜେପିଠାରୁ ପରାଜୟ ପରେ, ସମଦୂରତାର କଥା କହି ଆସୁଥିବା ବିଜେଡି ନେତାଙ୍କ ବୟାନ ଏବେ ଭିନ୍ନ ଇସାରା ଦେଉଛି। ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନ, ବିଜେଡି ଇଣ୍ଡି ମେଂଟ ଆଡ଼କୁ ଢଳିବାର ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। ୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ ବିଜେଡି ସମଦୂରତା କଥା କହିଆସୁଥିଲା । ହେଲେ ବିଭିନ୍ନ ପ୍ରସଙ୍ଗରେ ବିଜେପି ତଥା ଏନଡିଏକୁ ସମର୍ଥନ ଦେଉଥିଲା ବିଜେଡି। କିନ୍ତୁ ଏବେ ବିଜେପିଠାରୁ ପରାଜୟ ପରେ କଂଗ୍ରେସ ଆଡକୁ ଢଳିବାକୁ ଆରମ୍ଭ କରିଛି ବିଜେଡି । କ୍ଷମତାରେ ଥିବା ବେଳେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେଇ ଉଭୟ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା ବିଜେଡି । ଏବେ କିନ୍ତୁ ବିରୋଧୀ ଦଳରେ । କ୍ଷମତାରୁ ଯିବା ପରେ ବିଜେଡି ତାର ରାଜନୈତିକ ଷ୍ଟ୍ରାଟେଜି ବଦଳାଉଛି କି, ତା ଉପରେ ନଜର ।
State
ଶିମିଳିପାଳ( ଦ କୁଇଭର ):- ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ, ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି,ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏବର୍ଷ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକ ମାନେ ଦୁଇଟି ରାସ୍ତାଦେଇ ଯାଇପାରିବେ । ଗୋଟିଏ ପଟ ଯଶିପୁର କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ଅନ୍ୟ ପଟେ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବେ । ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ୱେବ୍ ସାଇଟ୍ ଯାରିହାଇଥିବା www.odishaecoturisim.comରେ login କରି ବୁକିଙ୍ଗ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବାର ସୁବିଧା କରାଯାଇଛି। ତେବେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କତୃପକ୍ଷ ସୂଚନା ଦେଇଛନ୍ତି l
National
ଦ କୁଇଭର ବ୍ୟୁରୋ :- ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରତନ ଟାଟା । ହେଲେ ବୁଧବାର ରାତିରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ବଡ଼ ଝଟକା ଦେଇଛି । ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ। ଭାରତୀୟ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛି ସାରା ଦେଶ ଓ ବିଶ୍ୱ । ଦୀର୍ଘ ୨ ଦଶନ୍ଧି ଧରି ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରିଥିଲେ । ୨୦୧୨ରେ ୭୫ ବର୍ଷ ବୟସରେ ସେ ଅବସର ନେଇଥିଲେ । ଖାସ୍ କଥା ହେଉଛି ତାଙ୍କ ନାଁରେ କୌଣସି ବିବାଦ ସହ ଯୋଡି ହୋଇନଥିଲା । ନିଜର ଦୂରଦୃଷ୍ଟି, କଠିନ ପରିଶ୍ରମ ବଳରେ ସେ ଏକ ପାରିବାରିକ ବ୍ୟବସାୟକୁ ଆନ୍ତର୍ଜାତିକ ସାମ୍ରାଜ୍ୟରେ ପରିଣତ କରିଛନ୍ତି । ରତନ ଟାଟା କେବଳ ଜଣେ ବ୍ୟବସାୟୀ ନୁହଁନ୍ତି, କିନ୍ତୁ ଜଣେ ସରଳ, ଦୟାଳୁ ଓ ଉଦାର ମଣିଷ, ସେ ଲୋକମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ଉତ୍ସ ମଧ୍ୟ ଥିଲେ। ତାଙ୍କ ପରଲୋକ ଦେଶକୁ ଆଣି ଦେଇଛି ଅପୂରଣୀୟ କ୍ଷତି।
State
ଗଜପତି( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସିଥିବା ବେଳେ ଲୁହାଗୁଡ଼ି ଛେଳିଗଡ଼ ଉଦୟଗିରି ଠାରେ ତାଙ୍କୁ ବିଜେପି କର୍ମୀ ସ୍ୱାଗତ କରିଥିଲେ,ପରେ ସେ ଦଳୀୟ ସଦସ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା କରିଛନ୍ତି l ମାଣିକପୁର ହନୁମାନ ମନ୍ଦିରରେ ଆୟୋଜିତ ଦଳୀୟ ବୈଠକରେ ଏହି ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଅଧିକ ରୁ ଅଧିକ ସଦସ୍ୟ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି l ଏଥିସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ସାମୁହିକ କାର୍ଯ୍ୟ ର ଉନ୍ନତି କରିବାକୁ ସାଂସଦ ପ୍ରତିଶୃତି ଦେବା ସହ ମୌଳିକ ସମସ୍ୟାର ସମାଧାନ ପାଇଁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି l ଏହି ସମୀକ୍ଷା ବୈଠକରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର, ଖଣି ସମିତି ସଭ୍ୟ ପ୍ରଶାନ୍ତ ମଲିକ, ନବ କିଶୋର ଶବର. ପ୍ରଶାନ୍ତ ସୁବୁଦ୍ଧି , ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡିଙ୍କ ସମେତ ବହୁ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକ ରେ ୭ଜଣ ବିଜେଡି ର ସମିତି ସଭ୍ୟ ସଭ୍ୟା ବିଜେପିରେ ଯୋଗ ଦେଇଛନ୍ତି l ଆଗକୁ ରାୟଗଡା ବ୍ଲକ ରେ ବ୍ଲକ ଅଦକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଆଲଚନା ହେଇଛି l
National
ଭୁବନେଶ୍ବର ( ଦ କୁଇଭର ):- ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି।ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ।ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ। ବୁଧବାରଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ ପଣ୍ଡା ଉପସ୍ଥିତ ରହି ରାଷ୍ଟ୍ର ସେବାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ସଂଘର ଶତବାର୍ଷିକୀ ଉପଲକ୍ଷେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏହାର ବିସ୍ତାର କିପରି ହୋଇପାରିବ ,ଏଥିପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସ, ବିଭାଗ ସହ-ସଂଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହି ବର୍ଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ମାନେ ଉପସ୍ଥିତ ରହି ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ ।ଏହି ଦିନ ବାଳକ ଓ କିଶୋର ସ୍ବୟଂ ସେବକ ମାନଙ୍କୁ ନେଇ ତିନି ଦିନ ଧରି ଅଙ୍କଲ ଚାଲିଥିବା ସଂଘର ପ୍ରାରମ୍ଭିକ ବର୍ଗର ସମାପନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସ୍ବୟଂ ସେବକ ବୃନ୍ଦ, ରାଷ୍ଟ୍ରୀୟ ସ୍ଵୟଂସେବିକା ସଂଘର ସ୍ଵୟଂ ସେବିକା ବୃନ୍ଦ ତଥା ସଂଘ ଶୁଭେଚ୍ଛୁ ମାନେ ଯୋଗଦେଇଥିଲେ।
National
ଭୁବନେଶ୍ୱର( ଦ କୁଇଭର ):- ବିଜନେସ୍ ଟାଇକୁନ୍ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସମବେଦନା ଜଣାଇଛନ୍ତି। ସେ ‘ଏକ୍ସ’ରେ କହିଛନ୍ତି, ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଜଣେ ଦୂରଦ୍ରଷ୍ଟା ଥିଲେ। ଏବେ ଦେଶ ତାଙ୍କୁ ହରାଇଛି। ଦେଶରେ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଏହା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତିରେ ଦେଶର ଖ୍ୟାତାନାମା ଉଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ ଘଟିଛି । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଥିଲା । ପଦ୍ମବିଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଭାରତ ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି ।
State
ବ୍ରହ୍ମପୁର( ଦ କୁଇଭର ):-:ଗତ ସୋମବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଘଟିଥିବା ଲୋମ ଟାଙ୍କୁରା ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶରୀରରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିତା ଓ ମାତାଙ୍କୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।
ମେଧାବୀ ଛାତ୍ରୀ “ରାଣୀ ପ୍ରଧାନ” ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ସ୍ବରୂପ ସାହି ପୋଡଶୀଙ୍କ ବୟାନ ଓ ଛାତ୍ରୀଙ୍କ ଓଡିଓ କ୍ଲିପ୍ କୁ ଭିତ୍ତି କରି ଦୁଇ ଅଭିଯୁକ୍ତ ଯଥା ପିତା ଅଶୋକ କୁମାର ପ୍ରଧାନ ଓ ସାବତ ମାଁ ଜ୍ୟୋତ୍ସ୍ନା ରାଣୀ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଶେଷକରି ମଦ୍ୟପ ପିତାର ଅସହ୍ୟ ନିର୍ଯ୍ୟାତନା ସହିନପାରି ରାଣୀ ଏହି ଭଳି ପଦକ୍ଷେପ ନେଇଥିବା ସେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନରୁ ଜଣାପଡିଛି। ଯାହା ସେ ଆତ୍ମହତ୍ୟା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ ବହୁ ପରିମାଣରେ ଭାଇରଲ୍ ହୋଇଛି ଓ ଏହି ଭିଡିଓରୁ ବଳିଷ୍ଠ ପ୍ରମାଣ ମିଳିଛି।
ଏହି ସବୁ ପ୍ରମାଣକୁ ଆଧାର କରି ସଦର ଥାନା ପୋଲିସ୍ ଉକ୍ତ ଦମ୍ପତିଙ୍କୁ ମାମଲା ନଂ ୩୨୦/୨୪ ଓ ଦଫା ୧୦୮/୩ (୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Politics
ଭୁବନେଶ୍ୱର(ଦ କୁଇଭର): ନବୀନ ସ୍ୱଚ୍ଛ ନଥିଲେ କି ନୁହନ୍ତି । ଯେତିକି ଦୁର୍ନୀତି ହୋଇଛି ସବୁ ତାଙ୍କରି ନିଦେ୍ର୍ଦଶରେ ହୋଇଛି । ମନ୍ତ୍ରୀ ଓ ବିଧାୟକମାନେ କିଛି କରିନାହାନ୍ତି । ଯଦି ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତିରେ ସାମିଲ ଥାନ୍ତେ, ତେବେ ଏତେବଡ଼ ଚ୍ୟାଲେଞ୍ଜ କରିପାରି ଥାନ୍ତେ କି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ବବିଙ୍କ ଚ୍ୟାଲେଞ୍ଜ ସିଧା ସିଧା ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଉଛି । ପୂର୍ବରୁ ବବି ଏନେଇ ସଙ୍କେତ ବି ଦେଇଥିଲେ । ନିର୍ବାଚନ ହାରିବା ପରେ ଅନେକଙ୍କ ମୁଣ୍ଡରେ ଅଠା ବୋଳାଗଲା । ହେଲେ ବବି ହିଁ ଏକମାତ୍ର ନେତା ଯିଏ ଦମ୍ଭ ଦେଖାଇ କହିଥିଲେ, ସବୁ ନବୀନଙ୍କ ନିଦେ୍ର୍ଦଶରେ ହୋଇଛି । ଅନ୍ୟ କାହାର କିିଛି ନାହିଁ ।
ଏବେ ଆସିବା ପ୍ରସଙ୍ଗକୁ । ୨୪ବର୍ଷର ବିଜେଡି ସରକାର ଅମଳରେ ବିକାଶ କ’ଣ ହୋଇଛି ତାହା ଲୋକେ ଦେଖୁଛନ୍ତି । ହେଲେ ଦୁର୍ନୀତି କେତେ ହୋଇଛି ଓ ଦୁର୍ନୀତିକୁ କେମିତି ଢ଼ାଙ୍କି ଦିଆଯାଇଛି ତାହାର ଗୁମୁର ମୋହନ ସରକାର ଖୋଲୁଛନ୍ତି । ନବୀନ ସରକାରରେ ହୋଇଥିବା ପାଣ୍ଠି ସ୍ଥାନାନ୍ତର ଠାରୁ ଖଣି, ପାଣି, ଜମି ଦୁର୍ନୀତିରେ ଅନେକ ପ୍ରମୁଖ ନେତା ସାମିଲ ଅଛନ୍ତି । ଅଫିସରମାନେ ତ କଳାଟଙ୍କାରେ ପୋତି ହୋଇଛନ୍ତି । ନିର୍ଦ୍ଧିଷ୍ଟ ବେପାରୀଙ୍କୁ ଧରି କଳା ବେପାର ଚାଲିଛି । ଏପରିକି ଅନେକ ଅଭିଯୋଗ ବବିଙ୍କ ମୁଣ୍ଡରେ ଅଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ ବବିଙ୍କ ଆଡ଼କୁ ଇଙ୍ଗିତ କରି ଦୁର୍ନୀତିରେ ଲିପ୍ତ ଥିବା କହି ସାରିଛନ୍ତି ।
ଏଭଳି ସ୍ଥିତିରେ ବବି ସେ କୌଣସି ଦୁର୍ନୀତିରେ ନାହାନ୍ତି ବୋଲି କହିବା ନାନା ପ୍ରଶ୍ନ ଉଠାଉଛି ।
ବବି ବାଇଟ---
ଯଦି ବବି କୌଣସି ଦୁର୍ନୀତିରେ ନାହାନ୍ତି, ତେବେ ଏତେ ଅଭିଯୋଗ କେମିତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି କ’ଣ ନବୀନଙ୍କ ଇଙ୍ଗିତରେ ବା ନିଦେ୍ର୍ଦଶରେ ହୋଇଛି କି? ଏପରି କଥା ବିଜେଡି ଭିତରେ ବି ଚର୍ଚ୍ଚା ହେଉଛି । ବିଜେଡି ନିର୍ବାଚନ ହାରିବା ପରେ କିଏ କେତେ କାରଣ କହିଲେ । କିଏ ପାଣ୍ଡିଆନଙ୍କୁ ଦାୟୀ କଲେ ତ ଆଉ କିଏ ବବିଙ୍କୁ । ମାତ୍ର ବବି ଆସି କହିଲେ, ସବୁ କିଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ହୁଏ । ତାଙ୍କ ନିଦେ୍ର୍ଦଶ ବିନା କିଛି ହୁଏ ନାହିଁ । ଅର୍ଥାତ ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ନବୀନଙ୍କ ନିଦେ୍ର୍ଦଶରେ ହୋଇଥିବା କଥା ବବି ସେତେବେଳେ ଇଙ୍ଗିତ କରିନାହାନ୍ତି ତ? ନହେଲେ ବବି ଏବେ ମୋ ନାମରେ ଦୁର୍ନୀତି ଅଛି ତ ବାନ୍ଧ ବୋଲି କେମିତି କହୁଛନ୍ତି? ବବିଙ୍କ ନାମରେ ଉଠୁଥିବା ଦୁର୍ନୀତି ଅଭିଯୋଗ ପଛରେ ନବୀନଙ୍କୁ ଛନ୍ଦିବାର ବବିଙ୍କର କିଛି ପ୍ଲାନିଂ ରହିଛି କି? ନବୀନଙ୍କୁ ଦୁର୍ନୀତିଗ୍ରସ୍ତ କରିଦେଲେ ବବି ଦୁର୍ନୀତିମୁକ୍ତ ହୋଇଯିବେ ବୋଲି ଯୋଜନା ଚାଲିଛି କି? ନବୀନ ଦୁର୍ନୀତିଗ୍ରସ୍ତ ହେଲେ କେବଳ ବବି କାହିଁକି, ବିଜେଡିର ଅନେକ ଯୁବନେତା ଓ ଅଫିସର ବି ନିଦେ୍ର୍ଦାଶ ହୋଇଯିବେ । କିଛି ନେତା ଓ ଅଫିସରଙ୍କ ମଧ୍ୟରେ ଏପରି କିଛି ଖିଚିଡ଼ି ରନ୍ଧା ଚାଲିଛି କି? ଦେଖାଯାଉ ନିଜକୁ ନିଦେ୍ର୍ଦଶ ବୋଲି କହିଥିବା ବବି ନିଦେ୍ର୍ଦଶୀ ହେଉଛନ୍ତି ନା ଦୁର୍ନୀତିରେ ଫସୁଛନ୍ତି?
State
କେନ୍ଦୁଝର ( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ତଥା ବଡବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଗ୍ରାମରେ ଥିବା ନର୍ଭେରାମ ଖଣିରୁ ମାଲ୍ ପରିବହନ ବିଲକୁଲ୍ ଠପ୍ ହୋଇଯାଇଛି। ବିଭିନ୍ନ ଦାବି ନେଇ ଦୀର୍ଘ ୧୦୦ ଦିନରୁ ଉର୍ଦ୍ଧ୍ବ ହେବ ସ୍ଥାନୀୟ ଲୋକମାନେ କମ୍ପାନୀ ଗେଟ୍ ସମ୍ମୁଖରେ ନର୍ଭେରାମ ବିରୁଦ୍ଧରେ ଆନ୍ଦୋଳନରେ ବସିଥିବା ବେଳେ ବର୍ତ୍ତମାନ ପୁଣି ନର୍ଭେରାମ ସପକ୍ଷବାଦୀ ମାନେ ଏହି ଆନ୍ଦୋଳନର ବିରୋଧ କରୁଥିବା ଦେଖା ଯାଇଛି। ଉଭୟ ପକ୍ଷରେ ଟଣ୍ଟୋ ଗ୍ରାମର ଲୋକମାନେ ରହିଥିବା ବେଳେ କମ୍ପାନୀ ସପକ୍ଷବାଦୀ ଯଥାଶୀଘ୍ର ନର୍ଭେରାମ ଖଣିରୁ ମାଲ୍ ପରିବହନ ଚାଲୁ କରିବାକୁ ଦାବି କରିଛନ୍ତି।
Politics,State
ଭୁବନେଶ୍ୱର( ଦ କୁଇଭର ):- ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିଛି, ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ଏବେ ସବୁ ସରକାରୀ କୋଠାର ରଙ୍ଗ ଗେରୁଆ ବା କମଳା ରଙ୍ଗ ହେବ । ବାହାର ପଟର ରଙ୍ଗ ଗେରୁଆ କରିବା ସହ ବୋର୍ଡର ନାଲି ରହିବ । ଏହା ପୂର୍ବରୁ ବିଜେଡି ସରକାର କେତେକ ସ୍ଥାନରେ କୋଠାର ରଙ୍ଗ ସବୁଜ କରାଇଥିଲେ । ସ୍କୁଲର ରଙ୍ଗ ବି ସବୁଜ କରିଦେଇଥିଲେ । ରାଜ୍ୟ ରାଜକୋଷରୁ ୧୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଆସିଲେ ମୋହନ ସରକାର । ମୋହନ ସରକାର ଏବେ ରଙ୍ଗ ବଦଳା ଆରମ୍ଭ କରିଛନ୍ତି । ଏବେ ରଙ୍ଗ ବଦଳା ବାବଦରେ ୨୦୦କୋଟିର ଖର୍ଚ୍ଚ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।
ପ୍ରଥମେ ସ୍କୁଲ କୋଠାର ରଙ୍ଗ ବଦଳିଲା । ପରେ ଲକ୍ଷ୍ମୀ ବସର ରଙ୍ଗ ବଦଳିଲା । ଧିରେ ଧିରେ ସବୁ ବସର ରଙ୍ଗ ବଦଳୁଛି । ସ୍କୁଲ ଡ୍ରେସର ରଙ୍ଗ ବି ସବୁଜରୁ ବଦଳାଇ ଦେଲେ ସରକାର । ଏହାବ୍ୟତୀତ ଅନେକ ସ୍ଥାନରୁ ସବୁଜ ରଙ୍ଗକୁ ହଟାଇ ଦିଆଯାଉଛି । ପୂର୍ବରୁ ସବୁଜ ରଙ୍ଗର ହୋଡିଂକୁ ବି କମଳା ରଙ୍ଗ କରାଯାଉଛି । ଏବେ ସରକାର ନିର୍ଦ୍ଦେଶ ଦେଇଛନ୍ତି ସରକାରୀ କୋଠାର ରଙ୍ଗ କମଳା ହେବ । ଏହା ପୂର୍ବରୁ ଓମଫେଡ ଜରିର ରଙ୍ଗ ବଦଳାଇ ଦେଇଛନ୍ତି ମୋହନ ସରକାର । ଏତେ ସବୁ ବଦଳାଇଲେଣି । ଆଗକୁ ଆଉ କାହା କାହାର ରଙ୍ଗ ବଦଳାଇବେ ବୋଲି ସ୍ୱତଃ ପ୍ରଶ୍ନ ଉଠିଲାଣି । ଦେଖାଯାଉ ମୋହନ ସରକାରଙ୍କ ରଙ୍ଗ ବଦଳା ଅଭିଯାନରେ ଆଗକୁ କିଏ ଆସୁଛି?
State
ନୂଆଦିଲ୍ଲୀ(ଦ କୁଇଭର): ଓଟିଟି ପ୍ଲାଟଫର୍ମରେ ଆସୁଥିବା ସିରିଜ ସୀମା ଲଙ୍ଘି ଯାଉଛନ୍ତି । ଅଶ୍ଳୀଳତା ସହ ହିଂସା ସୃଷ୍ଟିକାରୀ ବିଷୟବସ୍ତୁ ରଖୁଛନ୍ତି । ଯାହା ଅନେକ ସମୟରେ ଅପରାଧପ୍ରବଣତା ବଢ଼ାଉଛି । ଟେଲିଭିଜନରେ ଆସୁଥିବା ଓଟିଟି ପ୍ଲାଟଫର୍ମର ସିରିଜ ଗୁଡ଼ିକରେ ଅନେକ ଅପରାଧ କାହାଣୀ ଆସୁଛି । ସେଥିରେ ହିଂସା ରହିତ ଅଶ୍ଳୀଳତା ବି ରହୁଛି । ଯାହା ବଡ଼ ସମସ୍ୟା ସୃଷ୍ଟି କରୁଛି । ସାମାଜିକ ଶୃଙ୍ଖଳାକୁ ପ୍ରଭାବିତ କରିବା ସହ ସନ୍ତୁଳନକୁ ବି ବିଗାଡ଼ୁଛି । ଯାହା ନିୟନ୍ତ୍ରଣ ବାହାରକୁ ଗଲାଣି ।
ଓଟିଟିରେ ଚଳଚିତ୍ର ଭଳି ସିରିଜ ଆସୁଥିବାରୁ ଏହାକୁ ତଦାରଖ କରିବା ଓ ସେନ୍ସର କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରୁଛି । ଯେଉଁ ଆଇନ ବଳରେ ଓଟିଟି ପ୍ଲାଟଫର୍ମର ସିରିଜ ଗୁଡ଼ିକୁ ସେନ୍ସସର କରାଯାଇ ପାରିବ ଏବଂ ସମାଜର ହାନୀ କରୁଥିବା ଭଳି ହିଂସା, ଅଶ୍ଳୀଳତାକୁ ବାଦ ଦିଆଯାଇ ପାରିବ ବୋଲି ମନ୍ତ୍ରଣାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି । ଦେଖାଯାଉ ଓଟିଟି ସିରିଜ ନିୟନ୍ତ୍ରଣ ପାଇଁ ମନ୍ତ୍ରଣାଳୟ କେତେ ଶୀଘ୍ର ଏପରି ପଦକ୍ଷେପ ନେଉଛି ।
State,Shree Jagannath,Politics
ପୁରୀ(ଦ କୁଇଭର): ପୁରୀ ବଳିଆପଣ୍ଡାରେ ନିର୍ମିତ ସେଭେନ ହିଲ୍ଡ ଆପାର୍ଟମେଣ୍ଟ ମୋଟ ସାଢ଼େ ୭ଶହ କୋଟିର ପ୍ରକଳ୍ପ । ଏହାକୁ ଗଞ୍ଜାମର ଏନ ଶ୍ରୀନିବାସ ନିର୍ମାଣ କରିଛନ୍ତି । ଏଥିରେ କେବଳ ଗ୍ରାହକଙ୍କୁ ଚୂନା ଲଗାଇ ନାହାନ୍ତି, ରାଜ୍ୟ ସରକାରଙ୍କୁ ମଧ୍ୟ ଚିତା କାଟି ଦେଇଛନ୍ତି ଶ୍ରୀନିବାସ । ପୁରୀ ଜିଲ୍ଳାପାଳ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ବି ବୋକା ବନାଇ ଦେଇଛନ୍ତି । ଅନୁମୋଦିତ ଯୋଜନାକୁ ପୂରା ଭାଙ୍ଗି ଦେଇ ମନଇଚ୍ଛା କରିଛନ୍ତି ନିର୍ମାଣ । ଏପରି ଦୁର୍ନୀତି ନେଇ ବାରମ୍ବାର ପିକେଡିଏ, ଜିଲ୍ଲାପ୍ରଶାସନକୁ ଅବଗତ କରାଯାଇଛି । ହେଲେ ସେମାନେ କାଳେ ମୋଟା ଅଙ୍କର ଲାଞ୍ଚ ନେଇ ଚୁପ ବସୁଛନ୍ତି ।
ଏବେ ଦେଖିବା ଏହି ଆପାର୍ଟମେଣ୍ଟରେ କି କି ଦୁର୍ନୀତି ଅଛି ଯାହାକୁ ପିକେଡିଏ, ପୁରୀ ଜିଲ୍ଲାପାଳ, ନଗର ଉନ୍ନୟନ ବିଭାଗ ଜାଣି ବି ପାଟି ଚୁପ କରିଛନ୍ତି । ପ୍ରଥମ କଥା ହେଉଛି, ଏହି ଆପାର୍ଟମେଣ୍ଟକୁ ୧୫ଫୁଟିଆ ରାସ୍ତା ଅଛି । ୧୫ଫୁଟିଆ ରାସ୍ତାରେ ୫ମହଲା କୋଠା ନିର୍ମାଣ କିପରି ହେଲା । ୫୦୦ ଫ୍ଲାଟ ପାଇଁ ଅନୁମତି କେମିତି ଦେଲା ପିକେଡିଏ? ଦ୍ୱିତୀୟ ହେଉଛି ଅନୁମୋଦନ ୪ମହଲା ପର୍ଯ୍ୟନ୍ତ ଥିଲା, ୫ମ ମହଲା କେମିତି ହେଲା? ତୃତୀୟ ହେଉଛି ଷ୍ଟିଲଟକୁ ପାର୍କିଂ ଭାବେ ବ୍ୟବହାର କରିବାକୁ ଥିଲା ଅନୁମତି । ମାତ୍ର ସେଠାରେ ବିଲ୍ଡର ତାଙ୍କର କାର୍ଯ୍ୟାଳୟ ଚଳାଇଛନ୍ତି । ଚତୁର୍ଥ କଥା ଶ୍ରୀନିବାସ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥାକୁ ନିଜ ଅକ୍ତିଆରରେ କିପରି ରଖିଛନ୍ତି? ସବୁଠୁ ବଡ଼ କଥା, ଆବାସିକ ଘରକୁ ହୋଟେଲ ବେପାର ପାଇଁ କିପରି ବ୍ୟବହାର କରୁଛନ୍ତି? ସେଠାକୁ ଟାଟା ପାୱାର କିପରି ବାଣିଜି୍ୟକ ବିଜୁଳୀ ସଂଯୋଗ ଦେଇଛି? ଜିଏସଟି, ଆୟକର କିପରି ସେଠାରେ ଅନୁମତି ଦେଇଛନ୍ତି? ଏସବୁ ତଦନ୍ତ କରାଗଲେ ଶ୍ରୀନିବାସ କରିଥିବା ସମସ୍ତ ଦୁର୍ନୀତି ପଦାକୁ ଆସିଯିବ ।
ହେଲେ ବିଭାଗୀୟ ଅଧିକାରୀମାନେ କାଳେ ମୋଟା ଟଙ୍କା ନେବା ସହ ନିୟମିତ ମାସିକିଆ ବଟି ନେଉଛନ୍ତି । ତେଣୁ ସମସ୍ତଙ୍କ ପାଟିରେ ବିଣ୍ଡା ଦିଆଯାଇଛି । ମୋହନ ସରକାର ଦୁର୍ନୀତି ପ୍ରତି ଶୂନ ଶହନଶୀଳତା କଥା କହୁଥିବା ବେଳେ ଅଫିସରମାନେ ଦୁର୍ନୀତିଖୋରଙ୍କୁ ଭଗବାନ ବୋଲି ବସାଇଛନ୍ତି । ଦେଖାଯାଉ, ଏପରି ଦୁର୍ନୀତିଗ୍ରସ୍ତ ବିଲ୍ଡର ମାନଙ୍କୁ ସରକାର ଆଇନର ବଳୟ ଭିରକୁ ଆଣି ଦଣ୍ଡ ଦେଉଛନ୍ତି ନା ସାଧାରଣ ଲୋକଙ୍କୁ ଶୋଷଣ ପାଇଁ ବାଟ ଖୋଲି ଦେଉଛନ୍ତି?