No comments yet.
State
ଗଞ୍ଜାମ ( ଦ କୁଇଭର ):- ପୁଣି ଗଞ୍ଜାମରେ ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ଘଟଣା। ଗୋଳନ୍ଥରା ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁନ ୩୦ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ତଦନ୍ତ କରି ପୀଡ଼ିତାଙ୍କ ମାମୁଁ ପୁଅକୁ ଗିରଫ କରିଛି । ଗୋଳନ୍ଥରା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୧ ବର୍ଷିୟ ନାବାଳିକାକୁ ତାଙ୍କ ସଂପର୍କୀୟ ମାମୁଙ୍କ ପୁଅ ଘରୁ ଡାକି ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ଯୁବକ ଏହା ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରେ ପୀଡିତାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପୀଡିତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଇଛି । ଏହା ଏହାସହ ଦୁଷ୍କର୍ମ ଅଭିଯୁକ୍ତ ଭୁବନ ପ୍ରଧାନକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ । ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, " ଗୋଳନ୍ଥରା ଥାନା ଅଞ୍ଚଳର ଗୋଟିଏ ଗାଁରେ ନାବାଳିକାଙ୍କ ମାମୁଁ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ ଚାଇଲ୍ଡ ଓ୍ବେଲଫେୟାର କମିଟିକୁ ହସ୍ତାନ୍ତର କରାଯାଇଛି । କାଉସିଲିଂ ପରେ ତାଙ୍କ ପରିବାର ଲୋକଙ୍କ ପାଖରେ ସେ ଅଛନ୍ତି । ପୀଡିତା ବୟାନ ଦେଇଛନ୍ତି, ଏହା କେତେଦୂର ସତ ତାହା ତଦନ୍ତ କରିବୁ । "
ସେହିପରି ମଙ୍ଗଳବାର ଦିଗପହଣ୍ଡି ଥାନାରେ ଉକ୍ତ ଅଞ୍ଚଳର ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ମୁରଲୀ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ପରିବାର ଲୋକେ ଗୋଟିଏ ରୁମରେ ଶୋଇଥିବା ବେଳେ ନାବାଳିକା ଜଣକ ଅନ୍ୟ ଏକ ରୁମରେ ଶୋଇଥିଲେ | ଏହି ସମୟରେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ସମ୍ପର୍କୀୟ ନାବାଳିକ ଭଉଣୀଙ୍କୁ ଗଣ ଦୁଷ୍କର୍ମ ଏବଂ ପାଟପୁର ଥାନା ଅଞ୍ଚଳରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶାସନ କଣ ଜାଣିଶୁଣି ନଜର ଆନ୍ଦାଜ କରୁଛି ନା ଦୋଷୀକୁ ଠିକ ଦଣ୍ଡ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ l
State
ବ୍ରହ୍ମପୁର ( ଦ କୁଇଭର ):- ପିଲାଟି ଦିନରୁ ସାଙ୍ଗ ହୋଇ ବଢ଼ିଥିଲେ ଆଉ ପଢ଼ିଥିଲେ । ଧିରେ ଧିରେ ବଡ଼ ହେବା ସହ ଦୁହେଁ ଦୁହିଁକୁ ଭଲପାଇ ବସିଥିଲେ । ହେଲେ କିଛି ଏମିତି ଘଟଣା ଘଟିଲା ଯେ, ପ୍ରେମିକାକୁ ନିଜ ହାତରେ ଛୁରୀ ଭୁସି ହତ୍ୟା କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ଏଭଳି ଏକ ଘଟଣା ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍ଙ୍କ ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହୁଥିବା ୨୪ ବର୍ଷୀୟ ଅଭୟ କୁମାର ମହାରଣା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ପିଲାଟି ଦିନରୁ ସାଙ୍ଗ ପଢୁଥିଲେ । ବଡ ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଗତ ୪ ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଲ୍ୟାବ ଆସିଷ୍ଟାଣ୍ଡ ଭାବରେ କାର୍ଯ୍ୟ କରି ଆସୁଥିଲେ । ସେପଟେ ଯୁବକ ଜଣଙ୍କ ଏକ କମ୍ପାନୀରେ କାମ କରୁଥିବା ବେଳେ କିଛି ସମସ୍ୟା ଉପୁଜିବା ଯୋଗୁଁ ସେ ଚାକିରି ହରାଇ ବସିଥିଲେ । ସେପଟେ ଯୁବକ ଜଣଙ୍କ ଚାକିରି ହରାଇବା ପରେ ମାନସିକ ଅଶାନ୍ତି ଭିତରେ ରହିଥିଲେ । ଏହା ଭିତରେ ଯୁବତୀ ଜଣଙ୍କ ଯୁବକଙ୍କୁ ଅଣଦେଖା କରୁଥିଲେ । ନିଜର ଚାକିରି ନଥିବାରୁ ହୁଏତ ପ୍ରେମିକା ଅନ୍ୟ କେଉଁଆଡେ ବିବାହ କରିଦେବ ବୋଲି ଭାବି ଚିନ୍ତାରେ ରହୁଥିଲା ପ୍ରେମିକ । ଏନେଇ ପ୍ରେମିକାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଆଜି (ମଙ୍ଗଳବାର) ଦିନ ପାଖାପାଖି ୩ଟାରୁ ୩:୩୦ ଭିତରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ଠାରେ ରହିଥିବା ଏକ ଗେଷ୍ଟହାଉସକୁ ପ୍ରେମିକାକୁ ଡାକି ନେଇଥିଲେ । ସେଠାରେ କିଛି ସମୟ ପ୍ରେମିକା ସହିତ କଟାଇବା ପରେ ଶେଷରେ ସାଙ୍ଗରେ ନେଇଥିବା ଏକ ଛୁରୀରେ ପ୍ରେମିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।
ତେବେ "ଯୁବକ ଜଣଙ୍କ ପ୍ରେମିକାକୁ ହତ୍ୟା କରିବା ଭିତରେ ଛୁରୀ ବାଜି ନିଜେ ମଧ୍ୟ ଆହତ ହୋଇଥିଲା । ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ସହରର ନଗର ହସ୍ପିଟାଲକୁ ଯାଇ ଚିକିତ୍ସା କରାଇଥିଲେ ଅଭିଯୁକ୍ତ । ଏହାପରେ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଯାଇ ଆତ୍ମସମର୍ପଣ କରିଥିଲା" ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି ଡା.ଶ୍ରର୍ବଣା ବିବେକ ଏମ୍ । ଯୁବତୀଙ୍କୁ ହତ୍ୟା କରିବା ଘଟଣା ଜଣାପଡିବା ପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛନ୍ତି । ନିଜେ ଖୋଦ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ୍ ଏମ୍ ଏବଂ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନୀତି ଶେଖର । ଗୋଟିଏ ପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି । ଘଟଣାରେ ସାଇଣ୍ଟିଫିକ୍ ଟିମର ତଦନ୍ତ ରିପୋର୍ଟ ସହିତ ବ୍ୟବଚ୍ଛେଦ ପୂର୍ବରୁ ପୋଲିସ ପକ୍ଷରୁ ମୃତଦେହର ପଞ୍ଚନାମା କରାଯିବା ସହିତ ପ୍ରେମିକ ଜଣଙ୍କ ଯୁବତୀଙ୍କ ଶରୀରର କେଉଁ କେଉଁ ସ୍ଥାନକୁ ଆକ୍ରମଣ କରିଥିଲେ ତାହା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
State
ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା'ସହିତ ପଶ୍ଚାତାପ ମଧ୍ୟ l
କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ... ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ l
ଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l
ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା'ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l
State,National
ଦ କୁଇଭର ବ୍ୟୁରୋ :- ଆସନ୍ତା ୧୪ରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଏବଂ ଅନ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ୨୦୨୩, ୨୦୨୪ ଏବଂ ୨୦୨୫ ଶିକ୍ଷା ବର୍ଷ ପାଇଁ ୧୫୦ ଜଣ PHD ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତିନି ବର୍ଷର ମୋଟ ୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବେଷ୍ଟ ଗ୍ରାଜୁଏଟ ଭାବରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।
State,Shree Jagannath
ପୁରୀ( ଦ କୁଇଭର ):- ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମ୍ କୁ ଶକ୍ତ କରଯାଇଛି ।ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ ଟି ଵିମ୍ ମରାମତି କରାଯାଇଅଛି । ପର୍ଯାୟକ୍ରମେ ରତ୍ନ ଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ମରାମତି କାମ କରିଛନ୍ତି। ଶ୍ରୀମନ୍ଦିରର ସମସ୍ତ ରୂପା ଦ୍ୱାରକୁ ପରିଷ୍କାର ସହ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯାଉଛି l ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ଷ୍ଟେନଲେସ ଷ୍ଟିଲର କନକ ମୁଣ୍ଡି ଲଗାଯାଉଅଛି ।
State
ବ୍ରହ୍ମପୁର( ଦ କୁଇଭର ):- ପ୍ରେମିକ ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣାର ଆଜି ହୋଇଛି ରି କ୍ରୀୟସନ୍ l ଅଭିଯୁକ୍ତ ଅଭୟ ମହାରଣା କୁ ଧରି କ୍ରାଇମ୍ ସିନ ରି କ୍ରୀୟସନ୍ କଲା ପୋଲିସ। ଲଜ କୁ ନେଇ ହତ୍ୟା କିଭଳି କରିଥିଲା ତାହାର କରିଥିଲା ରୂପାନ୍ତର । ପ୍ରିୟାକୁ କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଦେଖାଇଲା ଅଭିଯୁକ୍ତ ଅଭୟ l ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ମଙ୍ଗଳବାର ପ୍ରେମିକ, ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣା ଏବଂ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା ନିଜେ ଅଭିଯୁକ୍ତ ପ୍ରେମିକ , ଯାହାର ଆଜି ପୋଲିସ କ୍ରାଇମ୍ ସିନ ରି କ୍ରୀୟସନ୍ କରିଛି l ଅଭିଯୁକ୍ତ କୁ ପୁଣି ପୁଷ୍ପାଞ୍ଜଳି ଗେଷ୍ଟ ହାଉସର ୧୧୨ ନମ୍ବର ରୁମରେ ନେଇ କ୍ରାଇମ ରି କ୍ରୀୟସନ୍ କରିଛି l
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି,ଆହୁରି ବର୍ଷିବ । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏଥିସହ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
National
ଦ କୁଇଭର ବ୍ୟୁରୋ:- ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ ୪୦ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଅଛନ୍ତି। ଏପରିକି ୩୩ରୁ ଅଧିକ ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ ୫ ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା। ଏସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ୨ଜଣ ଅଧିକାରୀ- ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ସ୍ପଷ୍ଟ କରିଛି ଯେ, ଜୁନ୍ ୩୦ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ୪୦ ଜଣ ସଦସ୍ୟଙ୍କୁ ହରାଇଛି। ଏପରିକି ଏହି ଭୟଙ୍କର ଘଟଣାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।
ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି। "ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ ୪୦ ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ରୁ ଅଧିକ ଆହତ ହୋଇଛନ୍ତି," ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।
ତେବେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଫାର୍ମାର ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏପରିକି ଯେଉଁମାନେ ଆହତ ହୋଇଛନ୍ତି କିନ୍ତୁ କିଛି ସୁସ୍ଥ ହେବାପରେ ପୁଣି କାମ ଆରମ୍ଭ କରିପାରିବେ, ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।
State
ଭୁବନେଶ୍ୱର ( ଦ କୁଇଭର ):- BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । BMC ଅଫିସ ଭିତରେ ଅସୁସ୍ଥ ହେଲେ ଅତିରିକ୍ତ କମିଶନର । ନିଜ ଚାମ୍ବରରେ ବସିଥିବା ବେଳେ ତଳେ ପଡ଼ିଗଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ରତ୍ନାକର । ୨ ଦିନ ତଳେ ଅଫିସ ଭିତରେ ଆକ୍ରମଣର ଶିକାର ହୋଇଥିଲେ ।ଅନ୍ୟପଟେ OAS ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ୩ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛି । ଏହି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଛି ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଛି ସଂଘ । ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।
State
ଭୁବନେଶ୍ୱର ( ଦ କୁଇଭର ):- ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମ୍ସି କର୍ମଚାରୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଆର୍ଏସ୍ ଓ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ଯାଉଥିବାରୁ ପ୍ରଶାସନିକସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଖାରବେଳନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଓ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ), ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କ ସମେତ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏବେ ବି ୫ରୁ ଅଧିକ ଫେରାର ଥିବା ପୁଲିସ କହିଛି। ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସ୍ବଚ୍ଛସାଥୀ ରେବତୀ ବିଜେପି ସଭାକୁ ଲୋକ ନେଇ ଯାଉଥିବାରୁ ୩୪ ନମ୍ବର ୱାର୍ଡର କର୍ପୋରେଟର ତାଙ୍କ ନାମରେ ଅଭିଯୋଗ କରିବା ଏବଂ ଏ ନେଇ ଅତିରିକ୍ତ କମିସନରଙ୍କ ହସ୍ତକ୍ଷେପ ଘଟଣା ମଧ୍ୟ ସାମନାକୁ ଆସିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲି ଅତିରିକ୍ତ କମିସନରଙ୍କ ଉପରେ ଆରୋପ ଲଗାଇଛନ୍ତି। ଅତିରିକ୍ତ କମିସନର ସ୍ବଚ୍ଛସାଥୀ ଓ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍ କରି ବିରୋଧୀ ବର୍ଷିଛନ୍ତି। ବିଜେଡି, କଂଗ୍ରେସ, ଆପ୍ ପ୍ରମୁଖ ରାଜନୈତିକ ଦଳ ଘଟଣା ପଛର ମୁଖ୍ୟ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l
ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମ୍ସି ଅଧିକାରୀ/କର୍ମଚାରୀମାନେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଦାବିପତ୍ର ଦେବା ସହ କଳାବ୍ୟାଜ୍ ପିନ୍ଧି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ବିଏମ୍ସି କାର୍ଯ୍ୟାଳୟର ସମସ୍ତ କାମ ଠପ୍ ହୋଇଯାଇଛି। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ବରଂ ବିଏମ୍ସିର ୱାର୍ଡମାନଙ୍କରେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀମାନେ ମଧ୍ୟ କାମ ବନ୍ଦ କରି ଦେଇଛନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ଆଜି ଅଳିଆ ଉଠି ପାରିନାହିଁ। ଏ ଘଟଣାର ସମାଧାନ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ବିଜେଡି କର୍ପୋରେଟର ଓ ନେତାମାନେ ଆନ୍ଦୋଳନ କରିଥିବା ବେଳେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠେଇ ନେଇଥିଲା। ହେଲେ ଆଜି ପୁଣି ବିଜେଡି କର୍ପାରେଟରମାନେ ବିଏମ୍ସି ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନରେ ବସିଥିଲେ। ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଓ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ମେୟର ସୁଲୋଚନା ଦାସ ଆସି ବୁଝାସୁଝା କରି ସେମାନଙ୍କୁ ଉଠାଇଥିଲେ।ଅତିରିକ୍ତ କମିସନରଙ୍କ ଅଭିଯୋଗ ଅଧାରରେ ଖାରବେଳନଗର ଥାନା ପୁଲିସ କେସ୍ ନଂ-୨୮୦ରେ ବିଏନ୍ଏସ୍ ଦଫା ୩୩୩/୧୩୨/୧୨୧(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ନେଇଛି। ଗିରଫ ହୋଇଥିବା ୫ ଜଣଙ୍କୁ ଦଳର ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏମାନେ ସମସ୍ତେ ବିଜେପିର ଭୁବନେଶ୍ବର ଜିଲ୍ଲା ଶାଖାର ସକ୍ରିୟ କର୍ମୀ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ଏହି ଘଟଣାକୁ ଗତକାଲି ନିନ୍ଦା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପରାଜିତା ମତ ଦେଇଥିଲେ।
ତେବେ ଏ ନେଇ ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋତେ ପଚରାଗଲା, ଜଗା ଭାଇଙ୍କୁ କିଛି ଖରାପ ବ୍ୟବହାର କଲେ କି? ମୁଁ ମନା କରିଥିଲି। ତା’ପରେ ମୋତେ ପ୍ରାଣାନ୍ତକ ଆକ୍ରମଣ କରାଗଲା। ବହୁତ ଲୋକ ମିଛ କଥା କହି ଅଭିଯୋଗ ଆଣିବେ। ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାକୁ ଅଲଗା ରୂପ ଦେବା ପାଇଁ ମିଛ ଆରୋପ ଲଗାଯାଉଛି। ପୁଲିସ ତା’ ହିସାବରେ କାମ କରୁଛି। ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୋତେ ନ୍ୟାୟ ମିଳିବ।
Shree Jagannath
ପୁରୀ( ଦ କୁଇଭର ):- ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତ ସମାବେଶ ହେବେ । ଏହାକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବତଟ ରେଳପଥର ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ସହିତ ଆଲୋଚନା କରିଛନ୍ତି । ପୁରୀ ରେଳ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସେ ସମୀକ୍ଷା କରିଛନ୍ତି । ପୁରୀକୁ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ଏବଂ ସୁଗମ ଅନୁଭୂତି ପାଇଁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚିନ୍ତା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଜୁଲାଇ ୫ ତାରିଖରେ ପବିତ୍ର ବାହୁଡା ଯାତ୍ରା ଓ ଜୁଲାଇ ୬ ତାରିଖରେ ଶ୍ରୀଜୀଉମାନଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀରେ ଅଭୂତପୂର୍ବ ଭକ୍ତ ସମାବେଶ ହେବ । ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ନିୟନ୍ତ୍ରଣ ଏକ ବିଶାଳ ଓ ମହାନ ଦାୟିତ୍ଵ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ମଙ୍ଗଳକୁ ସୁନିଶ୍ଚିତ କରିବା ଓ ମହାନ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଇବା ଉପରେ ସେ ଅଗ୍ରାଧିକାର ଦେଇଛନ୍ତି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଗତିବିଧି ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସୁଗମ ସମନ୍ୱୟର ଆବଶ୍ୟକତା ଉପରେ ସେ ଆଲୋକପାତ କରିଛନ୍ତି । ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା, କର୍ମଚାରୀଙ୍କ ଦକ୍ଷ ନିୟୋଜନ ଏବଂ ପ୍ରଭାବଶାଳୀ ଯୋଗାଯୋଗ ଚ୍ୟାନେଲ ସମେତ ଏକ ବ୍ୟାପକ ରଣନୀତି ଉପରେ ଆଲୋଚନା ହୋଇଛି ।
ତୀର୍ଥଯାତ୍ରୀଙ୍କ ପ୍ରତୀକ୍ଷାସ୍ଥଳୀ, ବର୍ଦ୍ଧିତ ଚିକିତ୍ସା ସୁବିଧା, ସ୍ପଷ୍ଟ ସାଇନେଜ ଏବଂ ସୁଦୃଢ଼ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ଭଳି ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବାସ୍ତବ-ସମୟ ଭିଡ଼ ଆକଳନର ଗୁରୁତ୍ୱ ଉପରେ ଅତିରିକ୍ତ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏହା ପ୍ରଭାବଶାଳୀ ଭାବରେ ସର୍ବାଧିକ ଭିଡ ସମୟର ପୂର୍ବାନୁମାନ ଏବଂ ପରିଚାଳନା କରିଥାଏ । ଚଳିତ ରଥଯାତ୍ରା ଉତ୍ସବ ସମୟରେ ଭିଡ଼ ପରିଚାଳନା ସମ୍ପର୍କରେ ସାମ୍ପ୍ରତିକ ଚିନ୍ତାଧାରା ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଯାହା ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସମୀକ୍ଷାକୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି ।ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଭକ୍ତଙ୍କ ପାଇଁ ଏକ ନିରାପଦ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସମସ୍ତ ଅଂଶୀଦାରଙ୍କୁ "ଭକ୍ତ-କୈନ୍ଦ୍ରିକ" ଆଭିମୁଖ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ୱୟରେ କାମ କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶ ଭଳି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଓ ବିପୁଳ ଭକ୍ତ ସମାବେଶ ଅବସରରେ ଭିଡର ସଫଳ ଏବଂ ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ରେଳବାଇର ବିଦ୍ୟମାନ ବ୍ୟବସ୍ଥା ଉପରେ ଆବଶ୍ୟକୀୟ ଉନ୍ନତିକୁ କାର୍ଯ୍ୟକାରୀ କରିବା ଗୃହ ବିଭାଗ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ସହଯୋଗ ଓ ସମନ୍ୱୟର ଲକ୍ଷ୍ୟ । ପୋଲିସ ଡିଜି, ଅତିରିକ୍ତ ପୋଲିସ ଡିଜି ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତି ଥିଲେ ।
Shree Jagannath
ପୁରୀ( ଦ କୁଇଭର ):- ଦିନକ ପରେ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ଆଉ ଚଳିତବର୍ଷ ପାଇଁ ଭକ୍ତ ପାଇବେ ଶେଷ ଆଡପ ଅବଢ଼ା । ଯଦି ନୀତିକାନ୍ତି ଶୃଙ୍ଖଳିତ ହୁଏ ଆସନ୍ତାକାଲି ଶୀଘ୍ର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ବ୍ୟାରିକେଡ଼ ସମ୍ପ୍ରସାରଣ କରାଯାଇଛି । ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଆଜି ଉଭୟ ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଭଳି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବାହୁଡ଼ାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ।
State
ଦ କୁଇଭର ବ୍ୟୁରୋ:- ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ଆଇଏଏସଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଗିରଫ ସମ୍ଭାବନା ଥିବାରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବିଷ୍ଣୁପଦ । ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ବିଷ୍ଣୁପଦ । ତାଙ୍କର ତିନି ଜଣ କର୍ମଚାରୀ ତଥା ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି । ଗତ ସାତ ତାରିଖରେ ବିଷ୍ଣୁପଦ କେଉଁଠି ଥିଲେ ସେନେଇ କାରଣ ଖୋଜୁଥିଲା ସିବିଆଇ । ତେବେ ସେ ଘଟଣା ପରେ ସେପଟେ ବିଷ୍ଣୁପଦଙ୍କୁ ରାଜ୍ୟ ସରକାର ତାଙ୍କର ଯେଉଁ ବିଭାଗର ସଚିବ ଭାବେ ଦାୟିତ୍ବ ଦେଇଥିଲେ ସେ ଦାୟିତ୍ବରୁ ଅପସାରଣ କରି ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।
State
କେନ୍ଦୁଝର( ଦ କୁଇଭର ):-
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
State
ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁରରେ ଘଟିଥିଲା ପ୍ରିୟା ମହାରଣା ହତ୍ୟା ଘଟଣା, ସାରା ସହରବାସୀଙ୍କୁ କରି ଦେଇଥିଲା ସ୍ତବ୍ଧ। ପ୍ରେମିକ ସାଜିଥିଲା ସଇତାନ । ପିଲାଟି ଦିନରୁ ଭଲ ପାଇ ଆସୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବରେ ୨୦ ଥର ଛୁରୀ ଭୂଷି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁହିଁଙ୍କ ଫୋନକୁ ପୋଖରୀ ରେ ଫିଙ୍ଗି ଦେଇ ନିଜେ ଗୋଶାଣୀନୂଆଗାଁ ଥାନାରେ କରିଥିଲା ଆତ୍ମସମର୍ପଣ । ତେବେ ଆଜି ସେହି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ନେଇ ହୋଟେଲ ଯାଇ ଗତକାଲି ଘଟଣାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ l କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ,ଉଭୟଙ୍କ ମଧ୍ୟରେ କ'ଣ ହୋଇଥିଲା ଘଟଣା ଓ ଛୁରୀରେ କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା,ଛୁରୀରେ ପ୍ରିୟାର ଶରୀରର କେତୋଟି ସ୍ଥାନକୁ ଓ କିଭଳି ଛୁରୀ ମାଡ଼ କରିଥିଲା ସେ ନେଇ ସବୁ ତଥ୍ୟ ବଖାଣିଥିଲା ଅଭିଯୁକ୍ତ ପ୍ରେମିକ ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ଏବଂ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି l
ଅନ୍ୟପଟେ ଆଜି ପ୍ରେମିକା ପ୍ରିୟା ମହାରଣା ର ବ୍ୟବଚ୍ଛେଦ ହୋଇ ଶରୀର କୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l
State
ଗଞ୍ଜାମ, ଗୋଳନ୍ଥରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାରେ ଅପରାଧ ଥମିବାର ନା ନେଉନି l ବାରମ୍ବାର ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଥିବା ବେଳେ ପିଶାଚ ରୁପି ଅପରାଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜଣେ ୧୧ ବର୍ଷ ର ଝିଅକୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବା, ପୁଣି ଏବେ ସାମ୍ନାକୁ ଆସିଛି l ଘଟଣାଟି ଘଟିଛି ଗୋଳନ୍ଥରା ଥାନା ଅଞ୍ଚଳରେ l
ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ସମୟ ପ୍ରାୟ ୧୧.୦୦ ଟା ସମୟରେ, ନାବାଳିକା ଜଣକ ନିଜ ଭଉଣୀଙ୍କ ପଛ ପାର୍ଶ୍ୱ ଘରକୁ କିଛି ଗୁଆ ଆଣିବା ପାଇଁ ଯାଇଥିଲା।ତାଙ୍କ ଗାଁର ଅଭିଯୁକ୍ତ ଭୁବନା ପ୍ରଧାନ, ଯିଏକି ପୀଡିତାଙ୍କ ସମ୍ପର୍କୀୟ ଭାଇ, ସେଠାରେ ପହଞ୍ଚିଥିଲେ ଏବଂ ମନରେ ଯୌନ ଉଦ୍ଦେଶ୍ୟ ରଖି ପୀଡିତାଙ୍କୁ ସ୍କୁଲକୋଠାର ପାଇଖାନା କୋଠରୀ ପାଖରେ ନେଇ ତାଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନ କରିଥିଲେ।ତାଙ୍କ ଚିତ୍କାର ଶୁଣି ତାଙ୍କ ସହ ଗ୍ରାମ ବାସୀ ଭଗବାନ ପ୍ରଧାନ ସେଠାରେ ପହଞ୍ଚିଥିଲେ। ଭଗବାନ ପ୍ରଧାନ ସେଠାରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଭୁବନା ପ୍ରଧାନ ନାବାଳିକା ପୀଡିତାଙ୍କୁ ସେଠାରେ ଛାଡି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ପୀଡିତା ଘରକୁ ଆସି ତାଙ୍କ ବାପା ମା ଙ୍କୁ ସବୁ କଥା ଜଣାଇଥିଲେ ଏବଂ ମା ଯାଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ l ଏଠି କହି ରଖୁଛୁ ଯେ ପୀଡିତାଙ୍କ ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି ଏବଂ ସେମାନେ ପ୍ରତିଦିନ ଘରୁ କାମ ଉଦ୍ଦେଶ୍ୟରେ ବାହାରିଯାନ୍ତି ଯାହାର ଫାଇଦା ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି l ତେବେ ଅଭିଯୋଗ ପରେ ପୋଲିସ ନାବାଳିକା ଝିଅଙ୍କ ଡାକ୍ତରୀ ପରୀକ୍ଷା କରି କାଉନସେଲିଂ ପାଇଁ CWC ସମ୍ମୁଖରେ ହାଜର କରାଇଛି। ଅନ୍ୟ ପଟେ ଅଭିଯୁକ୍ତକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
State
ଭୁବନେଶ୍ୱର( ଦ କୁଇଭର ):- ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ କାହାରିକୁ ବି ଛଡା ଯିବନି । ଯିଏ ବି ଏ କାଣ୍ଡ କରେଇଛି ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଲୋକସେବା ଭବନରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ସମୂହ ଛୁଟି ନେଲେ ବିଭିନ୍ନ ବିଭାଗରେ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।
Shree Jagannath,Politics,State
ପୁରୀ( ଦ କୁଇଭର ):- ରଥଯାତ୍ରାରେ ସୃଷ୍ଟି ହୋଇଥିବା ଦଳଚକଟା ଭଳି ସ୍ଥିତି ନେଇ ରାଜ୍ୟରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ। ସରକାର ସୁରକ୍ଷା ଦେଇ ପାରିନାହାନ୍ତି ଫଳରେ ଲୋକେ ପୁରୀକୁ ଆସିବାକୁ ଡରୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମାନୁ ନାହାନ୍ତି, ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା। କେବଳ ଏସପି କଲେକ୍ଟରଙ୍କ ବଦଳି ନ କରି ବଡ଼ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।ବଡ଼ ଠାକୁର ପଡ଼ିଯିବା ଘଟଣା, ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ନନ୍ଦିଘୋଷ ରଥ ଗଡିବାରେ ବିଳମ୍ବ କେବେ ଦେଖିବାକୁ ମିଳିନଥିଲା ବୋଲି ପ୍ରମିଳା କହିଛନ୍ତି।
ତେବେ ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାଉଣ୍ଟର କରିଛନ୍ତି। ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି, ସେମାନେ ଅଧିକ କଥା କହୁଛନ୍ତି। ବିରୋଧୀ ଦଳ ନିଜ ଶାସନ ସମୟରେ ଅତୀତରେ କେମିତି ରଥଯାତ୍ରା ପରିଚାଳନା କରୁଥିଲେ ତାହା ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ କ’ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି। ଏ ବାବଦରେ ବେଶି କିଛି କହିବାର ନାହିଁ। ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ସୃଷ୍ଟି କରିବାକୁ ଆମେ ଚାହୁଁନାହୁଁ। ଯେଉଁ ମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ। ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେବାୟତ ମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ବିଶ୍ୱାସ ଅଛି ବୋଲି ଆଇନ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
State,Shree Jagannath
ପୁରୀ( ଦ କୁଇଭର ):- ଯାହା ଘଟିଲା ଅତ୍ୟନ୍ତ ଦୁଃଖଦାୟକ। ଆଗକୁ ଯାହା ନୀତି ଅଛି ସେସବୁ କିଭଳି ଶୃଙ୍ଖଳିତ ହେବ, ତାହାକୁ ପ୍ରାଥମିକତା ଦିଆଯାଇଛି। ବିଶୃଙ୍ଖଳାର ପୁନରାବୃତ୍ତି ନ ହେବା ଲାଗି ଗୁରୁତ୍ବ ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସେବକ ଭାବେ ସେବା କରିବେ। କୌଣସି ସେବାୟତ ଅନଧିକୃତ ନୁହନ୍ତି। ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳା ପ୍ରସଙ୍ଗରେ ଆଜି ପୁରୀ ସର୍କିଟ୍ ହାଉସ୍ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ନୀତିକାନ୍ତିକୁ ନେଇ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟଙ୍କ ସହ ଦଫା ଦଫାରେ ଆଲୋଚନା କରିଛନ୍ତି। ସୁରକ୍ଷାର ତିନିଟି ଦିଗ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ‘ଭକ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା। ସବୁ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେବାୟତଙ୍କ ସହ ହୋଇଥିବା ଆଲୋଚନାରେ ସେମାନଙ୍କର ଅସୁବିଧା ବିଷୟରେ ସେମାନେ ଲିଖିତ ଭାବେ ଅବଗତ କରାଇଛନ୍ତି। ଏହାର ସମାଧାନ ପାଇଁ ଆମ ସରକାର ପ୍ରସ୍ତୁତ ଅଛି। ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ହେବ ବୋଲି ଆମେ ଆଶା ରଖିଛୁ। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ସୁନାବେଶରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ତିନିଟି ବଡ ଉତ୍ସବକୁ ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଯୋଜନା ହୋଇଛି। ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଏସ୍ଓପି ରହିଛି। ଏହି ଏସ୍ଓପି ଯେଭଳି କଡ଼ାକଡ଼ି ପାଳନ ହେବ ତାହା ଅଧିକାରୀମାନେ ନିଶ୍ଚିତ କରିବେ। ଗହଳି କମ କରିବା ପାଇଁ କର୍ଡନ୍ ପାସକୁ କାଣ୍ଟଛାଣ୍ଟ କରାଯିବ। ମହାରଣା ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ, ରଥଟଣା ନୀତି କରାଯିବ। ଉପରୋକ୍ତ ତିନିଟି ଉତ୍ସବରେ ବେଳାଭୂମିରେ ଶହଶହ ଭକ୍ତ ସମୟ ଅତିବାହିତ କରିବେ। ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ କହିଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ। ଭକ୍ତଙ୍କ ପାଇଁ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିବା କହିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ଦେଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ.ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ରଥଯାତ୍ରା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ଦିଗ ଉପରେ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର, ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେl