Banner Ad

ନବ ଦାସ ହତ୍ୟା ଘଟଣାରେ ପୁଣି ମୂଳରୁ ଆରମ୍ଭ ହେଲା ତଦନ୍ତ

ନବ ଦାସ ହତ୍ୟା ଘଟଣାରେ ପୁଣି ମୂଳରୁ ଆରମ୍ଭ ହେଲା ତଦନ୍ତ
Published by : Jyotshna Kumari
#State
Mar 21, 2025, 7:54 AM


ଦ କୁଇଭର ବ୍ୟୁରୋ :- ନବ ଦାସ ହତ୍ୟାକାଣ୍ଡରେ ଲାଗାତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ତଦନ୍ତକାରୀ ଟିମ୍ ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ୍‌ସ୍ପଟ୍‌ରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ଗାନ୍ଧି ଛକରେ ଥିବା ଗୋପାଳ ଦାସ ଭାଇଙ୍କ ହୋଟେଲର ମାଲିକଙ୍କୁ ପଚରାଉଚରା କରିଛି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡୋଳାମଣି ପଟେଲଙ୍କ ସହ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ଡାକ୍ତର ଜିତେନ ପଟେଲ ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡାରୁ ଭୁବନେଶ୍ବରର ଘରୋଇ ହସ୍ପିଟାଲକୁ ଆଣିଥିଲେ । ତେଣୁ ତାଙ୍କ ବୟାନ ବିଶେଷ ଗୁରୁତ୍ୱ ରଖୁଛି । ନବ ଦାସଙ୍କୁ ଚିକିତ୍ସା କରିଥିବା ଅନ୍ୟ ଦୁଇ ଜଣ ଡାକ୍ତର, ମେଡିସିନ୍ ସ୍ପେଶାଲିଷ୍ଟ ରଞ୍ଜନ ପଟେଲ ଓ ସର୍ଜରୀ ସ୍ପେଶାଲିଷ୍ଟ ଜିତେନ ପଟେଲଙ୍କଠାରୁ ବି BNSS ଧାରା ୧୬୧ରେ ରେକର୍ଡ କରିଛି ବୟାନ । ଏଥିସହିତ ଏୟାରଲିଫ୍ଟିଂ ବେଳେ ସାଥିରେ ଯାଇଥିବା ନର୍ସଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଯଦିଓ ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ । ପୂର୍ବର ଟିମ ଇନଭେଷ୍ଟିଗେସନ୍ ଯେଉଁଠି ଶେଷ କରିଥିଲା ନୂଆ ଟିମ୍ ସେଇଠୁ ଖିଅ ଧରୁଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ପରିବାର ସଦସ୍ୟଙ୍କ ସାକ୍ଷାତ, ଅନ୍ୟପଟେ ନବ ହତ୍ୟା ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସବୁ ଭିତରେ ଜାରି ରହିଛି ପଲଟିକାଲ ବୟାନବାଜି ।



ସେପଟେ ନବ ଦାସଙ୍କ ଇସିଜି ରିପୋର୍ଟ ଗାଏବ ହୋଇଯାଇଛି ବୋଲି ନୂଆ ଅଭିଯୋଗ ଆଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ । ନବଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିସାରିଛନ୍ତି ତାଙ୍କ ପରିବାର ସଦସ୍ୟ । ଦୋଷୀଙ୍କୁ ଧରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିଶ୍ରୃତି ବି ଦେଇଛନ୍ତି । ଏବେ ସରକାର କ୍ରାଇମବ୍ରାଞ୍ଚର ତଦନ୍ତରେ ଅଟକିବେ ନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ତାହା ହିଁ ସବୁଠାରୁ ଉତ୍କଣ୍ଠାର ବିଷୟ ହୋଇଛି ।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

୫ ଯାଏଁ ବର୍ଷା ସହ ବଜ୍ରପାତ, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Blog Thumbnail

ଦ କୁଇଭର ବ୍ୟୁରୋ :- ବାୟୁ ମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ ନେଇ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବ । ଆସନ୍ତା ୫ ତାରିଖ ଯାଏଁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗି ରହିବ । ଯାହାକୁ ନେଇ ପାଣିପାଗ ବିଭାଗ ୟେଲୋ ଚେତାବନୀ ଜାରି କରିଛି । ଆଜି ଓ ଆସନ୍ତାକାଲି ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ।

State

ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।


ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

State

ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି । ଖାସ୍ ସେମାନଙ୍କ ଅବଦାନକୁ ମନେ ପକେଇବା ପାଇଁ କିଛି କଲେଜ୍ ଛାତ୍ରୀ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ଭାରତ ସୀମାରେ ରହି ଶତ୍ରୁଙ୍କ ସହ ଲଢ଼େଇ କରି ଆମକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ କରିଛନ୍ତି ଏମିତି ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଛନ୍ତି ରାକ୍ଷୀ । ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ କରିଥାଏ । ଏହି ପବିତ୍ର ଅବସରକୁ ଆଖି ଆଗରେ ରଖି ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଭାରତ ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାକ୍ଷୀ ପଠାଇଛନ୍ତି । ଏହା ସହ ସେମାନଙ୍କ ସୁରକ୍ଷା ପାଇଁ ଠାକୁରଙ୍କ ପ୍ରାର୍ଥନା କରିଛନ୍ତି ।ଏହା ମହାବିଦ୍ୟାଳୟର ଏକ ପରମ୍ପରା , ଯେଉଁଥିରେ ଛାତ୍ରୀମାନେ ପ୍ରତିବର୍ଷ ଯବାନ ଭାଇମାନଙ୍କୁ ରାକ୍ଷୀ ପଠାନ୍ତି । ଯାହା ଦେଶପ୍ରେମ ଓ ଭାଇଚାରାର ଏକ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରୁଛି ।


ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସୈନିକମାନଙ୍କୁ ପଠାଇବା ସହ ସେମାନଙ୍କ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପ୍ରାର୍ଥନା ଜଣାଇଥିଲେ ।ଛାତ୍ରୀମାନଙ୍କ ଏହି ଉଦ୍ୟମ କେବଳ ରାକ୍ଷୀ ପଠାଇବାରେ ସୀମିତ ନରହି ଦେଶପ୍ରେମ, ସାମାଜିକ ସଚେତନତା ଓ ଭାଇଚାରାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀମାନେ ନୂଆପିଢ଼ିଙ୍କ ମଧ୍ୟରେ ଦେଶ ପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି ।ଛାତ୍ରୀମାନଙ୍କ କହିବା ଅନୁଯାୟୀ ଦେଶର ସୁରକ୍ଷା ପାଇଁ ସୈନିକମାନେ ଦିନ ରାତି ବୋର୍ଡରରେ ରହି ଶତ୍ରୁମାନଙ୍କ କବଳରୁ ଆମକୁ ରକ୍ଷା କରୁଛନ୍ତି । ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ମଧ୍ୟ ସେମାନେ ନିଜ ଭଉଣୀ ଠାରୁ ଦୂରରେ ରହୁଛନ୍ତି । ତେଣୁ ଆମେ ସେହି ବୀର ଭାଇମାନଙ୍କୁ ଆହୁରି ସାହସୀ, ନିର୍ଭୀକ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ସୁରକ୍ଷା କବଚ ଭାବେ ରାକ୍ଷୀ ପଠାଉଛୁ । ଦେଶର ବୀର ଯବାନଙ୍କ ପାଇଁ ଛାତ୍ରୀମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

National,Education

ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ

Blog Thumbnail

ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।

Health & lifestyle

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି

Blog Thumbnail

ଦ କୁଇଭର ବ୍ୟୁରୋ :- ଗୁଜୁରାତି ଏକ ଛୋଟ ସବୁଜ ରଙ୍ଗର ମସଲା,ଯେଉଁଥିରେ ଛୋଟ କଳା ମଞ୍ଜି ରହିଥାଏ l ବିଭିନ୍ନ ଖାଦ୍ୟରେ ସୁଗନ୍ଧ ଏବଂ ସ୍ୱାଦ ମିଶାଇବା ପାଇଁ ଗୁଜୁରାତି ବ୍ୟବହାର କରାଯାଏ l ଗୁଜୁରାତି ଏକ ଔଷଧୀୟ ଉଦ୍ଭିଦ ଭାବରେ ମଧ୍ୟ ଜଣାଶୁଣା, ଯାହାକୁ ଅନେକ ପ୍ରକାରର ରୋଗରେ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ | ଗୁଜୁରାତି ଭାରତରେ ମସଲାର ରାଣୀ ଭାବରେ ମଧ୍ୟ ଜଣାଶୁଣା | ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । କାର୍ବୋହାଇଡ୍ରେଟ୍‌, ଫାଇବର୍‌, କ୍ୟାଲସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଲୌହ, ଫସଫସରସ୍ ତତ୍ତ୍ୱ ଥିବା ଏଇ ଗୁଜୁରାତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ l ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତର କମ୍ କରିଥାଏ ବୋଲି କୁହାଯାଏ । ଏହା ସିଷ୍ଟୋଲିକ ଓ ଡାଇଷ୍ଟୋଲିକ୍ କମ୍ କରିବାରେ ସହାୟକ ହୋଇଥାଏ ।ବ୍ଲଡ ପ୍ରେସରରେ ଏହାର ପ୍ରଭାବ ବି ରହିଛି । ଏହାର ପାଉଡର ଖାଇଲେ ଏହା ଶରୀରର ଚର୍ବି ଅଂଶ କମ୍ କରିଥାଏ । ନିୟମିତ ଗୁଜୁରାତି ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି l ଗୁଜୁରାତି ତେଲର ବାମ୍ଫ ନେଲେ ସର୍ଦ୍ଦି, କାଶ ଓ ହୃଦ ସମସ୍ୟା ଦେଖାଦେଇ ନ ଥାଏ । ନିୟମିତ ଗୁଜୁରାତି ଚା’ରେ ବ୍ୟବହାର କଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଖାଇବା ପରେ ନିୟମିତ ଗୁଜୁରାତି ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ । ହଜମ ସମସ୍ୟା ଥିଲେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । ଯେଉଁ ମାନଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥାଏ ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ଗୋଟେ ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନ ଭିତରେ ୨-୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।


ଫାଇବର ତତ୍ତ୍ୱ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ l ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ । ବିଶେଷଜ୍ଞଙ୍କ ମତରେ ଗୁଜୁରାତି ରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ତତ୍ତ୍ୱ ରକ୍ତଚାପ କମ୍ କରିବାରେ ରକ୍ତଚାପ ସାହାଯ୍ୟ କରେ । ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ । ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳ ବେଳା ପିଇଲେ ତାହା କାମ କରେ । କେତେଜଣଙ୍କ ପେଟ ଜ୍ୱାଳାପଡା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଷମ ମିଳେ । ବର୍ତ୍ତମାନ ସମୟରେ ହୃଦଘାତ ବା ହୃଦଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେଣୁ ହୃଦଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଦୁଇଟି ଗୁଜୁରାତି ଖାଇବା ଜରୁରୀ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଭରପୁର ଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରର ପୋଟାସିୟମ୍ ମାତ୍ରା ସନ୍ତୁଳିତ ରହିଥାଏ । ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ସଠିକ୍‌ ଭାବରେ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରରୁ ଥଣ୍ଡା ମଧ୍ୟ କମ୍ ହୋଇଥାଏ । ଗୁଜୁରାତିକୁ ମାଉଥ୍ ଫ୍ରେସନର୍ ମଧ୍ୟ କୁହାଯାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଯଦି କୌଣସି ଯାତ୍ରା କରିବା ବେଳେ ଆପଣଙ୍କୁ ବାନ୍ତି ଲାଗୁଥାଏ ତେବେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ । ସେହି ପରି ଯଦି ଭାବୁଛନ୍ତି ଯାତ୍ରାର ପୁରା ସମୟ ବାନ୍ତି ହେବ ତେବେ ପୁରା ରାସ୍ତା ପାଟିରେ ଗୁଜୁରାତି ପକାଇ ରଖନ୍ତୁ ।


ଗୁଜୁରାତି ଖାଇବା ଦ୍ୱାରା ଏଥିରେ ଥିବା ଗୁଣ ବିବାହ ପରେ ଯୌନ ଜୀବନକୁ ସୁଖମୟ ରଖିଥାଏ । ଏହା ସହ ନଂପୁସକତା ଦୂର ଲାଗି ଏହା ଲାଭଦାୟକ ହୋଇଥାଏ ।ଦାନ୍ତ ଘଷିବା ପରେ ମଧ୍ୟ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମାଉଥ୍‌ ଫ୍ରେସନର ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳି ନ ଥାଏ । ଏତେ ସବୁ କରିବା ଅପେକ୍ଷା ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ । ଯାହାର ଫାଇଦା ଆପଣମାନେ ଜାଣି ପାରିବେ । ଆଜିକାଲି ଲୋକ ମାନଙ୍କର ପାଖରେ ପାଚକତନ୍ତ୍ରର ସମସ୍ୟା ସାଧାରଣ ହୋଇଗଲାଣି । ଏଭଳି ସମସ୍ୟା ଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହା ଦ୍ୱାରା ପାଚକତନ୍ତ୍ର ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଗଳା ଦରଜ ହେଉଥିଲେ ବା କାଶ ହେଉଥିଲେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି, ଖଣ୍ଡେ ଅଦା,ଗୋଟିଏ ଲବଙ୍ଗ ଏବଂ ୩-୪ଟି ତୁଳସୀ ପତ୍ର ଖାଆନ୍ତୁ । ଏପରି କଲେ ଗଳାର ସମସ୍ୟା ଦୂର ହୋଇଥାଏ l

Shree Jagannath

ପୁରୀ ଶରଧାବାଲି ଦଳାଚକଟା ରିପୋର୍ଟ ଦାଖଲ

Blog Thumbnail

ଦ କୁଇଭର ବ୍ୟରୋ :-: ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟଣା । ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦେଇଛି । ଉନ୍ନୟନ କମିସନର ଅନୁ ଗର୍ଗ ନେତୃତ୍ୱରେ ଗଠନ ହୋଇଥିବା କମିଟି ଆଜି ସନ୍ଧ୍ୟାରେ ରିପୋର୍ଟ ଦାଖଲ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ତଥା ତଦନ୍ତ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ତଦନ୍ତ ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଜୁନମାସ ୨୯ ତାରିଖ ଭୋର ସମୟରେ ଶରଧାବାଲିରେ ଅଟକି ଥିବା ମହାପ୍ରଭୁଙ୍କ ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଦୁଃଖଦ ଘଟଣାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ଅନେକ ‌ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ଗଠନ ହୋଇଥିଲା । କମିଟିରେ ୪ ଜଣ ଓଏଏସ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମି ରଞ୍ଜନ ନାୟକ, ପୁର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁଙ୍କୁ କମିଟିରେ ସାମିଲ କରାଯାଇଥିଲା । ସେମାନେ ନିଜର ଦାଇତ୍ୱ ସହ ତଦନ୍ତରେ ସହଯୋଗ ପାଇଁ ଅପରାହ୍ନ ୩ରୁ ୫ ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ ଅଫିସରେ ଉପସ୍ଥିତ ରହୁଥିଲେ ।

State

ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ

Blog Thumbnail

କଟକ( ଦ କୁଇଭର ):- ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ଶିକ୍ଷକ ପ୍ରଭାବିତ ହୋଇଥିବା ଦର୍ଶାଯାଇଥିଲା। ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଦର୍ଶଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।ସାଂସଦ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବଦଳି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

State,National

ଆଜିଠୁ ନୂଆ UPI ନିୟମ

Blog Thumbnail

ଦ କୁଇଭର ବ୍ୟୁରୋ :- ଉପୋଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ନିୟମରେ ବଡ ପରିବର୍ତ୍ତନ । ୟୁପିଆଇ ଟ୍ରାଞ୍ଜକ୍ସନକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ନୂତନ ନିୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା, ଅଟୋ ପେମେଣ୍ଟ୍, ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ପାଇବା ଏବଂ ପେମେଣ୍ଟ୍ ସ୍ଥିତି ଯାଞ୍ଚ କରିବା ଭଳି ସେବା ଉପରେ ନୂଆ ନିୟମ ହୋଇଛି । NPCI କହିଛି ଯେ, UPIର ସ୍ଥିରତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ ନିୟମ ଅଣାଯାଇଛି।


ଅଗଷ୍ଟ 1ରୁ, UPI ଉପଭୋକ୍ତା ପ୍ରତ୍ୟେକ UPI ଆପରେ ଦିନକୁ କେବଳ 50 ଥର ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ। ଏହି ପ୍ରତିବନ୍ଧକଗୁଡ଼ିକ NPCIକୁ ବ୍ୟସ୍ତବହୁଳ ସମୟରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ସିଷ୍ଟମ ଉପରେ ଚାପ କମ୍‌ କରିବାରେ ସାହାଯ୍ୟ କରିବ। ଯଦିଓ NPCI ବାଲାନ୍ସ ଅନୁରୋଧ ଉପରେ ପ୍ରୟାସ ସଂଖ୍ୟାକୁ ସୀମିତ କରିଛି, ତଥାପି ପ୍ରତ୍ୟେକ ସଫଳ UPI କାରବାର ପରେ ଉପଭୋକ୍ତାମାନେ ଉପଲବ୍ଧ ଆକାଉଣ୍ଟ ବାଲାନ୍ସ ଦେଖିପାରିବେ। ନୂତନ ନିୟମରେ ଦୈନିକ UPI କାରବାର ଉପରେ ବୋଝ କମ କରିବା ପାଇଁ ସ୍ଥିର ସମୟ ମଧ୍ୟରେ ନିର୍ଦ୍ଧାରିତ ବିଲ୍ ପେମେଣ୍ଟ ପ୍ରକ୍ରିୟାକରଣ ମଧ୍ୟ ଅନ୍ତର୍ଭୁକ୍ତ। ବ୍ୟବସାୟୀମାନଙ୍କୁ ଅଟୋ ପେମେଣ୍ଟ କିମ୍ବା OTT, EMI କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ମାସିକ ନିର୍ଦ୍ଧାରିତ ସ୍ଥାନାନ୍ତର ସକାଳ 10ଟା ପୂର୍ବରୁ କିମ୍ବା ରାତି 9:30 ପରେ ଅଣ-ଟ୍ରାଫିକ୍ ଘଣ୍ଟା ମଧ୍ୟରେ ହେବ। ଆଜି ଠାରୁ UPI ଉପଭୋକ୍ତାମାନେ ଦିନକୁ 25 ଥର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇପାରିବେ । ଉପୋଭୋକ୍ତାଙ୍କ ଯଦି କୌଣସି କାରଣରୁ ପେମେଣ୍ଟ ଅଧାରେ ରହିଯାଏ, ତେବେ ଏହାର ଷ୍ଟାଟସ ଦେଖିବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗିବ । ଆପଣ କେବଳ 3 ଥର ହିଁ ପେମେଣ୍ଟର ଷ୍ଟାଟସ୍ ଯାଞ୍ଚ କରିପାରିବେ । ପ୍ରତ ଷ୍ଟାଟସ ଯାଞ୍ଚ ପାଇଁ 90 ସେକେଣ୍ଡର ବ୍ୟବଧାନ ରଖିବାକୁ ହେବ ।

State

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି

Blog Thumbnail

ଦ କୁଇଭର ବ୍ୟୁରୋ:- ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ ।

State

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

Blog Thumbnail

ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।

State

ମା ଓ ପତ୍ନୀଙ୍କ ମଝିରେ ଓଏଏସ ବାବୁ

Blog Thumbnail

ଦ କୁଇଭର ବ୍ୟୁରୋ - କଥାରେ ଅଛି ଗାଲୁଆଙ୍କ ବାରବାଟି ଚାଷ । ଅର୍ଥାତ ଡ଼ାହା ମିଛ କହିଦେଇ ଚାଲି ଯାଉଥିବା ଲୋକଙ୍କୁ ଏହା କୁହଯାଏ । ଏବେ କାଳେ ଆସିଲାଣି ମହିଳା ଓ ଯୁବତୀଙ୍କ ମିଛର ବାରବାଟୀ ଚାଷ । ଆମେ ଏଠି ସମୂହ ମହିଳାଙ୍କ କଥା କହୁ ନାହୁଁ । ଆମେ କହୁଛୁ ସେହି ମହିଳା ମାନଙ୍କ କଥା ଯେଉଁମାନେ ମିଛ କହି ସମାଜ ଓ ଆଇନରୁ ଅନୁକମ୍ପା ନେବାକୁ ଲାଗିଛନ୍ତି । ନିଜେ ଭୁଲ କରୁଛନ୍ତି, କିନ୍ତୁ ଦୋଷ ଲଦୁଛନ୍ତି ସ୍ୱାମୀ ବା ପୁରୁଷ ମାନଙ୍କ ଉପରେ ।

ଏଫଏମ କଲେଜର ଅତି ଜଘନ୍ୟ ଘଟଣାରେ ନାରୀ ଯେ ନିର୍ଯ୍ୟାତିତ ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ରାଜଧାନୀରେ ଜଣେ ଓଏଏସ ଅଫିସରଙ୍କ କଥା ଦେଖେଇ ଦେଉଛି, ଯେ ଜଣେ ନାରୀ କିଭଳି ତାଙ୍କ ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇ ପାରନ୍ତି । ଘଟଣା କେତେ ଦୂର ସତ ବା ଓଏଏସ ଅଫିସରଙ୍କ କଥା କେତେ ଠିକ ତାହା ତ ତଦନ୍ତ ସାପେକ୍ଷ । କିନ୍ତୁ ଏହି କଥାକୁ ଯଦି ତର୍ଜମା କରିବା ତାହେଲେ ଜଳ ଜଳ ହୋଇ ଦିଶିବ, ମହିଳା ହିଁ ନିର୍ଯ୍ୟାତନା ଦେଉଛନ୍ତି ।


ଭୁବନେଶ୍ୱରର ହାଇପ୍ରୋଫାଇଲ ଘଟଣା । ଜଣେ ଓଏଏସ ଅଫିସର ଜଣେ ଯନ୍ତ୍ରୀଙ୍କୁ ବିବାହ କରିଥିଲେ । ବାହାଘର ବି ବେଶୀ ଦିନ ନୁହେଁ । ବାହାଘର ପରେ ପିଲା ହେଲା । ହସ୍ପିଟାଲରେ ଡିସଚାର୍ଜ ହେବା ପାଇଁ ପ୍ରସ୍ତୁତ ଥିବା ବେଳେ ମା\' ଓ ଛୁଆକୁ ଛାଡି ସ୍ୱାମୀ ହଠାତ ଚାଲିଗଲେ । ଚାଲିଗଲେ ଯେ ଆଉ ଫେରିବାକୁ ମଙ୍ଗିଲେନି ବୋଲି ଓଏଏସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ କେତେ କ\'ଣ ଅଭିଯୋଗ କରିଛନ୍ତି ।

ଓଏଏସ ଅଫିସର ଜଣଙ୍କ ତାଙ୍କ ପତ୍ନୀ ଆଉ ପିଲାଙ୍କୁ ନ ନେବାକୁ ଆସିବାରୁ କଥା ସାମ୍ନାକୁ ଆସିଥିଲା । ତାପରେ ମହିଳା ଥାନା ପର୍ଯ୍ୟନ୍ତ କଥା ଗଲା । ଅଭିଯୋଗ ଆସିଛି ଯେ ଅଫିସର ଜଣଙ୍କ ତାଙ୍କ ପତ୍ନୀ ଆଉ ପିଲାକୁ ଛାଡ଼ିଦେଇଛନ୍ତି । ଦିନେ ଦୁଇଦିନ ନିରବ ରହିବା ପରେ ଏବେ ଓଏଏସ ଅଫିସର ଖୋଲିଛନ୍ତି ମୁହଁ । ଆଉ ଓଏଏସ ଅଫିସରଙ୍କ କଥା ଶୁଣିଲେ ଯେ କେହିବି ଦରଦ ପ୍ରକାଶ କରିବେ ।



ଘରେ ବିଧବା ମା\' ଆଉ ସ୍ତ୍ରୀ । ମା\' ଓ ସ୍ତ୍ରୀ ଭିତରେ ସନ୍ତୁଳନ ରଖିବାକୁ ଯାଇ ବଡ଼ ନିର୍ଯ୍ୟାତିତ ହୁଅନ୍ତି । ମା\' ପ୍ରତି କର୍ତ୍ତବ୍ୟ କରିବାରେ କାଳେ ବାଧା ଦିଅନ୍ତି ସ୍ତ୍ରୀ । ସ୍ତ୍ରୀଙ୍କୁ ସବୁଦିନ ଦରକାର ଜୋମାଟରେ ଖାଇବା । ହୋଟେଲର ଖାଇବା ଖାଇ ଗର୍ଭସ୍ତ ଶିଶିକୁ ବି ଦୁର୍ବଳ କରିଦେଲେ । ତାହା ସତ୍ୱେ ବି କହୁଛନ୍ତି ନିର୍ଯ୍ୟାତନା କଥା । ପତ୍ନୀଙ୍କ ଗୋଡ଼ ଘସିବା ଠୁ ନେଇ ରୋଷେଇ କରିବା ପର୍ଯ୍ୟନ୍ତ ସବୁ ପ୍ରକାର କାମ କରନ୍ତି ଓଏଏସ ବାବୁ ଜଣଙ୍କ । ତା\'ପରେ ବି ଘରେ ସେ ଶାନ୍ତି ପାଆନ୍ତିନି । ସେଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଠିକ କି ଭୁଲ ତାହାତ କୋର୍ଟ କହିବେ, ଆଇନ କହିବ, ସମାଜ କହିବ । କିନ୍ତୁ ଥରେ ଭାବନ୍ତୁ ମହିଳା ଓ ଯୁବତି ମାନେ ଯଦି ଏଭଳି ମିଛ ଅଭିଯୋଗ ଆଣିବେ, ତାହେଲେ ଏଫଏମ କଲେଜ ଭଳି ଅନେକ ଘଟଣା ଘଟିବ ଯାହାକୁ କିଛିଦିନ ପରେ ବିଶ୍ୱାସ ବି କରାଯାଇ ପାରିବ ନାହିଁ । ସତ କହିଲେ ସବୁ ଠିକ ଚାଲିବ । ନ ହେଲେ ସବୁ ବିଗିଡିବ । ଦେଖାଯାଉ ଏହି ଘଟଣାର ଅନ୍ତିମ ପର୍ଯ୍ୟାୟ କ\'ଣ ହେଉଛି ? ଓଏଏସ ବାବୁ ଜଣଙ୍କ ଦଣ୍ଡ ପାଉଛନ୍ତି ନା ନିର୍ଯ୍ୟାତନାରୁ ମୁକ୍ତି ପାଉଛନ୍ତି?


National,State

'ପୁଷ୍କରା'କୁ ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଷ୍କରା' ଫିଲ୍ମ,ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅନେକ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ l ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ 'ପୁଷ୍କରା'କୁ ଜାତୀୟ ପୁରସ୍କାର । ସେହିପରି 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଓ 'ମୋ ବୋଉ, ମୋ ଗାଁ' ନାଁ ବି ମନୋନୀତ ହୋଇଛି । 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମରେ ମନୋନୀତ ହୋଇଥିବା ବେଳେ 'ମୋ ବୋଉ, ମୋ ଗାଁ' ପାଇଁ ପାଇବ ଜାତୀୟ ପୁରସ୍କାର । ଏଥିସହ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହା ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ।

State,Health & lifestyle

ଆୟୁଷ୍ମାନକୁ ହସ୍ପିଟାଲର ଡ଼ର

Blog Thumbnail

ଦ କୁଇଭର ବ୍ୟୁରୋ :: ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ । ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସ୍ପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ ଆଉ ସେବା ମିଳୁନି । ଏକ ପ୍ରକାର ହଲାପଟା ହେବାକୁ ପଡ଼ୁଛି । ଅନେକ ହସ୍ପିଟାଲ ଏବେ ଆୟୁଷ୍ମାନ ଭାରତ କାର୍ଡ଼ ଦେଖିବା ମାତ୍ରେ ଡରିଯାଉଛନ୍ତି । ରୋଗୀଙ୍କୁ ରେଫର କରିଦେଉଛନ୍ତି ଅନ୍ୟ ହସ୍ପିଟାଲକୁ । ରୋଗୀ ବିଚରା ଦହଗଞ୍ଜ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲୁଛି ।

ତେଣେ ସ୍ୱାସ୍ଥ୍ୟମନ୍ତ୍ରୀ ଲମ୍ବା ଲମ୍ବା କଥା କହୁଛନ୍ତି । ଯେ ଆମେ ୩ ମାସରେ ୨.୭ ଲକ୍ଷ ଲୋକଙ୍କୁ ଚିକିତ୍ସା ଦେଲୁଣି । ବାସ୍ତବ ସ୍ଥିତି କିନ୍ତୁ ଆୟୁଷ୍ମାନ ଭାରତରେ ପୂରା ଢିଲା । ହସ୍ପିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତ ଚିକିତ୍ସା ବାବଦ ପାଣ୍ଠି ମିଳୁନଥିବାରୁ ସେମାନେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି । ରୋଗୀ ଆୟୁଷ୍ମାନ କାର୍ଡ଼ ଧରି ଆସିଲେ ଚିକିତ୍ସା ନକରି ସରକାରୀ ହସ୍ପହସ୍ପିଟାଲକୁ ପଠାଉଛନ୍ତି, ନଚେତ ଚିକିତ୍ସା ପାଇଁ ମନାକରିଦେଉଛନ୍ତି । ସେଥିପାଇଁ ଲୋକେ କହିଲେଣି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଲ ଥିଲା । ଏମିତି କିଛି ବାଦବିବାଦ ବଢିବାରେ ଲାଗିଲାଣି ।

ନଜର ପକାଇବା ଆୟୁଷ୍ମାନ ଭାରତର କାର୍ଡ଼ ଉପରେ । ଆୟୁଷ୍ମାନ ଭାରତର କାର୍ଡ଼ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଦେଉଛି । କିନ୍ତୁ ବାସ୍ତବରେ ହସ୍ପିଟାଲ ଗୁଡିକୁ ଆୟୁଷ୍ମାନ ଭାରତ କାର୍ଡ଼ରେ ଯେଉଁ ବିଧିବ୍ୟବସ୍ଥା ରହିଛି ସେଥିରେ ଧନ୍ଦି ହେଉଛନ୍ତି । ସେଥିପାଇଁ ଏହି କାର୍ଡ଼ ଧାରିଙ୍କୁ ଚିକିତ୍ସା ଦେବାକୁ ପଛାଉଛନ୍ତି । ଇତି ମଧ୍ୟରେ ଅନେକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ଼ର ହିତାଧିକାରୀଙ୍କୁ ଚିକିତ୍ସା ଦିଆଯାଉନାହିଁ । ସିଧାସଳଖ ଫେରାଇଲେ ସରକାରଙ୍କ ରୋଷ ହେବ ବୋଲି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଯାହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରୋଗୀମାନେ ।

ଭୁବନେଶ୍ୱର ହେଉ କି କଟକ । ଘରୋଇ ହସ୍ପିଟାଲର ସ୍ଥିତିକୁ ଦେଖିଲେ ପ୍ରତ୍ୟେକ ଦିନ ପ୍ରାୟ ୫୦ ଭାଗ ଆୟୁଷ୍ମାନ ଭାରତର ହିତାଧିକାରୀ ଦହଗଞ୍ଜ ହେଉଛନ୍ତି । କିଛି ବଡ଼ ବଡ଼ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ପଇସା ଅଧିକ ନେବେ ବୋଲି ଚିକିତ୍ସା କରୁଛନ୍ତି । ମାତ୍ର ଚିକିତ୍ସା କମ୍ ଶୋଷଣ ଅଧିକ ହେଉଛି । ଏଭଳି ସ୍ଥିତି ଉପରେ ସରକାରଙ୍କର ନଜର ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ନିଜର ବାହାବାହା ଦେଖାଇବା ପାଇଁ ଗଣମାଧ୍ୟମକୁ କଥା କହି ରହିଯାଉଛନ୍ତି । ଥରେ ବାସ୍ତବ ସ୍ଥିତି ଦେଖନ୍ତୁ ସରକାର । ତା'ପରେ ଜଣାପଡ଼ିବ ଯେ ଆୟୁଷ୍ମାନ ଭାରତ କାର୍ଡ଼ରେ ଚିକିତ୍ସା ମିଳୁଛି ନା ଦଣ୍ଡ?


State

ଶେରଗଡ଼ ଗୁଳିମାଡ ଘଟଣାରେ ୬ ଗିରଫ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଗତ ଶୁକ୍ରବାର ସଂଧ୍ୟା ସମୟରେ ବୋମାମାଡ ସହିତ ଗୁଳିମାଡ ଘଟଣା ଘଟିଥିଲା । ଏହି ଘଟଣାର ପୁଲିସ ତଦନ୍ତ କରି ସଂପୃକ୍ତ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ (୪୨), କୁଲାଗଡ ଗ୍ରାମର କମେଶ୍ୱର ଗୌଡ଼ (୫୬), ଆଲାରିଗଡ ଗ୍ରାମର ଅମିତାଭ ବିଷୋୟୀ (୪୨), ବାଳିଗଡ ଗ୍ରାମର ସିମାଞ୍ଚଳ ବିଷୋୟୀ (୬୩), ବାଲିପଡ଼ା ଗ୍ରାମର ବଂଶୀଧର ବିଷୋୟୀ (୩୫) ଓ ଧରାକୋଟ ଗ୍ରାମର ସୁରିଆ ନାଇକ (୨୪)। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଛଅ ଗୋଟି ମାଉଜର, ଅଫୁଟା ଗୁଳି ଏବଂ ମୋବାଇଲ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି।


ସୂଚନା ପ୍ରକାରେ, ସଂଧ୍ୟା ସମୟରେ ଶେରଗଡ଼ ଅଞ୍ଚଳର ସମାଜସେବୀ ନିରଞ୍ଜନ ଜେନା (କାଳିଆ) ସୁନାନ୍ତର ସ୍ଥିତ ନିଜ ଘର ସମ୍ମୁଖ ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଶେରଗଡ ପଟୁ ୩ଟି ବାଈକରେ କିଛି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନ ଙ୍କୁ ଲକ୍ଷ୍ୟ କରି ୫ ରୁ ୬ଟି ବୋମାମାଡ କରିଥିଲେ। ବୋମାମାଡ ଦେଖି ନିରଞ୍ଜନ ଦୌଡିବା ଫଳରେ ପଛରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଗୁଳିମାଡରେ ନିରଞ୍ଜନ ଆହତ ହୋଇଥିଲେ । ତେବେ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ ବିବରଣୀ ପ୍ରଦାନ କରିଛି ଶେରଗଡ ପୁଲିସ l

State

ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ ।ଏଥିସହ VRF କାମ ବାବଦକୁ ପାରିଶ୍ରମିକ ୫ ହଜାରଓ TA/ DA ବାବଦକୁ ୩ ହଜାର ଟଙ୍କା ମିଶି ମାସକୁ ମୋଟ୍ ୧୮ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ । ଅନଲାଇନ କାମ ପାଇଁ ସିଆରପି-ସିଏମଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଉ । ସିଆରପି-ସିଏମଙ୍କୁ ପରିଚୟପତ୍ର ପ୍ରଦାନ ସହ ବେତନ ଆକାଉଣ୍ଟ ଜରିଆରେ ଦେବାକୁ ସଂଘ ଦାବି ରଖିଛି । ସେହିପରି ମାସିକ ଦୁଇଟି ଏସଏଚଜି ବୈଠକ ପାଇଁ ଦାବିରେ ବିଶାଳ ପ୍ରତିବାଦ କରାଯାଇଛି ।

State

ମହିଳା ଥାନାରେ ହାଜର ହେଲେ OAS ବାବୁ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ OAS ବାବୁ । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ । ଅଭିଯୋଗ ବାବଦରେ ତାଙ୍କୁ ପଚରାଉଚରା ଚାଲିଛି । ତାଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

State

୪ ବିଭାଗର ୫ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

Blog Thumbnail

ଦ କୁଇଭର ବ୍ୟୁରୋ :- ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ । ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ । ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ବ୍ୟୟ ହେବ ହେବ ୨ ହଜାର ୭୩୮ କୋଟି ଟଙ୍କା । ୫୭ ହଜାର ୫୨୫ ୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୪୧ ହଜାର ୭୨୫ ହେକ୍ଟର ଜମିକୁ ପୁନଃ ବ୍ୟବସ୍ଥା କରାଯିବ ।ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ । ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ msme ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଓଡ଼ିଶା ଦ୍ରବ୍ୟର ସେବା ଅଧିନିୟମ ସଂଶୋଧନ । ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁବିଧା ପାଇଁ ଉଦ୍ୟମ ।


ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧୁନିୟମ, ଭଳି ୩ ନୂଆ ଆଇନ ଅନୁସାରେ ଯାହା ସଂଶୋଧନ ଆବଶ୍ୟକ ଥିଲା କରାଯାଇଛି । ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ କରାଯାଇଛି । ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ, ୧୯୭୧ ସଂଶୋଧନ କରାଯାଇଛି । ରାଜ୍ୟରେ ପଡ଼ି ରହିଥିବା ମାମଲା ଗୁଡିକର ଭାର କମିବା ସହ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ । ଏହା ସହ ଜିଲ୍ଲା ମୁଖ୍ୟାଳୟ କୋର୍ଟ ଓ ଏହା ଅଧିନସ୍ତ ଅଫିସରେ ଲ ଅଫିସର ନିଯୁକ୍ତ କରାଯିବ।

State

ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Blog Thumbnail

ଦ କୁଇଭର ବ୍ୟୁରୋ :- ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୨୪ଘଣ୍ଟା ରାଜ୍ୟରେ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା। ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି। ସକ୍ରିୟ ଘୁର୍ଣ୍ଣିବଳୟ ସହ ବାୟୁମଣ୍ଡଳରେ ଥିବା ମାତ୍ରାଧିକ ଜଳୀୟବାଷ୍ପ ଯୋଗୁ ସକାଳ ଅପେକ୍ଷା ଅପରାହ୍ନରେ ଅଧିକ ବର୍ଷା ରହୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ବର୍ଷାରେ ଘଡଘଡି ବା ବଜ୍ରପାତର ସମ୍ଭାବନା ଅଧିକ ରହୁଛି । ତେବେ ଆସନ୍ତା ୨୪ଘଂଟାରେ କେନ୍ଦୁଝର ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଦେଇଛି ପାଣିପାଗ ବିଭାଗ I ଯାହାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା କାଲି ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ଝଟକାପବନ 30-40 କିଲୋମିଟର ବେଗରେ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଥିପାଇଁ ଏହି ସବୁ ଜିଲ୍ଲା କୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I ପୁଣି ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକାପବନର ବେଗ 30-40 କିଲୋମିଟର ବେଗରେ ବ‌ହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି I


State,National,International

ଏସିଆନ କ୍ରୀଡାରେ ନୂତନ ରେକର୍ଡ ସୃଷ୍ଟି କଲେ ଓଡିଆ ଝିଅ ରଞ୍ଜିତା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।