ଆସିକା( ଦ କୁଇଭର ):- ଆସିକା ସମବାୟ ଚିନିଶିଳ୍ପ ଲିଃ ରେ ଆଖୁ ପେଢା ଋତୁ ପର୍ବ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟ ରେ ପହଂଚିଛି l ଜାନୁଆରୀ ୧୭ ରେ ଆରମ୍ଭ ହେବ ଚଳିତ ବର୍ଷ ର ଆଖୁପେଡା ସିଜନ l ସମସ୍ତ ପ୍ରକାର ଯନ୍ତ୍ର ପାତି ଗୁଡିକୁ ମେକାନିକ, ଟେକ୍ନିସିଆନ ଏବଂ ଯନ୍ତ୍ରୀ ମାନେ ଭଲଭାବେ ମରାମତି କରି ସପୂର୍ଣ ଭାବେ କାର୍ଯ୍ୟକ୍ଷମ କରିଛନ୍ତି l ପରିଚାଳନା କତୃପକ୍ଷ ଏବଂ କାରଖାନା ର ଏମ ଡି ଠାରୁ ଆରମ୍ଭ କରି କର୍ମଚାରୀ ମାନେ ସମସ୍ତେ ମିଳିମିଶି ଟ୍ରାନ୍ସପୋର୍ଟ ସୁବିଧା, ଚାଷୀ ର ଚାଷ ମୁଣ୍ଡରୁ କଞ୍ଚାମାଲ ଆଣିବା, କଟିଙ୍ଗ ଆଦେଶ ସଠିକ ବଣ୍ଟନ କରିବା ସମେତ ସମସ୍ତ ଆନୁସଙ୍ଗିକ ଵିଧି ବ୍ୟବସ୍ତା ସବୁ ସଠିକ ଭାବେ କରିଛନ୍ତି ବୋଲି କୁହାଯାଉଛି l ଚଳିତ ବର୍ଷ ଗଞ୍ଜାମ ଏବଂ ନୟାଗଡ ଅଂଚଳ ରୁ ଆଖୁ ଏହି କାରଖାନା କୁ ଆସିବ ନିମନ୍ତେ ସ୍ଥିର ମଧ୍ୟ ହୋଇଛି l ଗତ ଥର ଅପେକ୍ଷା ଚଳିତ ଥର ଆଖୁ ପେଡା ଏବଂ ଚିନି ଉତ୍ପାଦନ ରେ ବୃଦ୍ଧି ହେବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି l ଚାଷୀ ମାନଙ୍କ ପାଇଁ ଆଖୁ ଦର ରେ ବୃଦ୍ଧି କରାଯାଇଛି l ଆଖୁ ଟନ ପିଛା ୩୫୦୦ ଟଙ୍କା ଦେବାକୁ ସ୍ଥିର କରାଯାଇଛି l ଏଥି ସହିତ ଆଖୁ ଚାଷୀ ମାନଙ୍କୁ ରାଜ୍ୟ ସରକାର ଆଖୁ ଚାଷ କୁ ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର ବୋନସ ଦେବାକୁ ଦାବୀ ହୋଇଛି l
No comments yet.
State
ଭୁବନେଶ୍ୱର( ଦ କୁଇଭର ):- ଲଗାତାର କିଛି ଦିନ ଧରି ରାଜଧାନୀରେ ଏକପ୍ରକାର ଆତଙ୍କ ରଚୁଛି ‘ମୋ ବସ୍’। ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ। କେତେବେଳେ କାର୍କୁ ଧକ୍କା ଦେଉଛି ତ ଆଉ କେତେବେଳେ କାହା ଉପରେ ମାଡି ଯାଉଛି। ମଙ୍ଗଳବାର ସକାଳୁ ସକାଳୁ ପୁଣି ଗୋଟିଏ ମୁଣ୍ଡ ନେଇଛି। ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ‘ମୋ ବସ୍’ମାଡ଼ି ଯାଇଛି। ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l
ମୋ ବସ ଦୁର୍ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ-ପଟିଆ ରାସ୍ତା ଅବରୋଧ କରିଥିଲେ । ଟାୟାର ଜାଳିଥିଲେ । ମୋ ବସକୁ ବି ଅଟକାଇଥିଲେ । ଫଳରେ ଦୀର୍ଘସମୟ ଧରି ଗାଡି ଚଳାଚଳ ଠପ ହୋଇଯାଇଥିଲା । ଘଟଣାକୁ ସ୍ଥଳରେ କ୍ରୁଟ ଅଧିକାରୀ ଓ ପୁଲିସ ପ୍ରଶାସନ ପଂହଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ପ୍ରତିଶ୍ରୃତି ମିଳିବା ପରେ ରାସ୍ତାରୋକ ହଟିଥିଲା ।
ସୂଚନା ପ୍ରକାରେ ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍’ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଝିଅଟି ସାଇକେଲ୍ରେ ଯାଉଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ‘ମୋ ବସ୍’ତାକୁ ଧକ୍କା ଦେଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଜୀବନ ଗଲାଣି। ଦୁର୍ଘଟଣା ପରେ ସ୍ଥାନାୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ୩ଟି ମୋ ବସ୍ କୁ ଅଟକ ରଖିଛନ୍ତି । ଏହାସହ ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି । ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ବି କହିଥିଲେ। ହେଲେ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଡ୍ରାଇଭର। ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ଘଟଣା ବଢିବାରେ ଲାଗିଛି।
Health & lifestyle,State
ଗଜପତି ( ଦ କୁଇଭର ):- ଦୀର୍ଘ ୨୫ ବର୍ଷର ବିଜେଡି ସରକାରର ବିକାଶର ବିକଳ ଚିତ୍ର ପଦାକୁ ବାରମ୍ବାର ଆସୁଛି । ଏଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଶିଆଳିଲଟି ପଞ୍ଚାୟତ ତଇଲ ଗ୍ରାମର ଯୁରିଆ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳା କରି ବୋହି ନେଉଛନ୍ତି ସଂପର୍କୀୟ ଲୋକେ । 5ଜି ଦୁନିଆରେ ମଧ୍ୟ ଲୋକେ ଏଭଳି ସମସ୍ୟା ଦେଇ ପ୍ରତିଦିନ ଗତିକରୁଛନ୍ତି , ସରକାର ରାଜ୍ୟ ତଥା ଦେଶ ବିକଶିତ ହେବାର ଡିଣ୍ଡିମ ପିଟୁଛନ୍ତି,ତେବେ କ'ଣ ସତରେ ଆମ ଦେଶ ତଥା ରାଜ୍ୟ ବିକଶିତ ହେଉଛି,!ଲୋକେ କ'ଣ ମୌଳିକ ସୁବିଧାରୁ ବଞ୍ଚିତ ହେଉନାହାନ୍ତି କି,ତେବେ ଦେଖାଯାଉ କେବେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ପାଉଛନ୍ତି ଏ ନିରୀହ ଆଦିବାସୀ ଜନତା, ତା'କୁ ହିଁ ରହିଛି ସମସ୍ତଙ୍କ ଅପେକ୍ଷା l
Politics,National
ଦ କୁଇଭର ବ୍ୟୁରୋ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।
ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।
State,National
ଦ କୁଇଭର ବ୍ୟୁରୋ - ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ପ୍ୟାକେଜ l ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ । ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା । ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ମିଳିଛି । ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର କୋଟି ଉପରେ ମିଳୁଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨ ହଜାର ୪୬ କିଲୋମିଟର ନୂଆ ରେଳ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ଏବେ ୧୮୯୮ କିଲୋମିଟର କବଚ କାମ ସରିଛି । ୬ ବର୍ଷ ମଧ୍ୟରେ ପୁରା ଦେଶରେ କବଚ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାଜ୍ୟରେ ଅମୃତ ଭାରତ ଯୋଜନାରେ ୫୯ ନୂଆ ଷ୍ଟେସନ ନିର୍ମାଣ ହେଉଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବଶୀଘ୍ର ନୂଆ ଟ୍ରେନ ଚାଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଏସବୁ ଟ୍ରେନ ଚାଲୁଛି । ସଂପୂର୍ଣ୍ଣ ୪ ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଚାଲିଛି । ଯେଉଁଥିରୁ କୋଲକାତାରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ ।" ରାଜ୍ୟରେ ୧,୮୯୮ କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି । ୨୬୪ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । ରାଜ୍ୟରେ ଶହେ ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି । ଏହା ସହ ରେଲୱେ ସୁରକ୍ଷା ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବଜେଟରେ ରହିଛି ।
Sports
କଟକ( ଦ କୁଇଭର ):- ଆଜିଠୁ ଆରମ୍ଭ ହେବ ଅଫ୍ଲାଇନ ଟିକଟ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବାର ଯୋଜନା ରହିଛି । ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଅନଲାଇନ୍ରେ ଟିକଟ କିଣିପାରିନଥିବା କ୍ରିକେଟ୍ପ୍ରେମୀ ଅଫ୍ଲାଇନ୍ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଚଳିତଥର ୪ଟି ଟିକେଟ କାଉଣ୍ଟର କରାଯାଇଛି । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ ଏହାର ଗୋଟିଏ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୮ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ । ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ଭଳି ଟିକେଟକୁ ହର୍ସ ଗେଟ କାଉଣ୍ଟରରେ ବିକ୍ରି ହେବାକୁ ଥିବାବେଳେ କିଲଖାନା ଲେନ ଅନ୍ୟ ସମସ୍ତ ଗ୍ୟାଲେରୀ ଟିକେଟକୁ ବିକ୍ରି କରାଯିବ ।
ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୫ ହଜାର ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ଏହା ବ୍ୟତୀତ ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଖାଦ୍ୟର ମାନ ପାଇଁ ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ କେନ୍ଦ୍ରାଞ୍ଚଳ ଆରଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ୍ ସୁପରିଚାଳନା ନେଇ ଆଲୋଚନା କରିଛନ୍ତି ।
State
ଗଜପତି( ଦ କୁଇଭର ):- ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ୨୦ଆହତ, ୪ଗୁରୁତର ହୋଇଥିବା ସୂଚନା ମିଳିଛି । ଘାଟି ଓହ୍ଲାଇଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା ଏହି ଯାତ୍ରୀବାହୀ ବସ। ପ୍ରତ୍ୟେକ ମାସରେ ଏହି ସ୍ଥାନରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସେହି ସ୍ଥାନରେ ପୁଣି ଏହି ପ୍ରକାର ଦୁର୍ଘଟଣା ଘଟିଛି । କହିବାକୁ ଗଲେ ଏକ ବହୁତ୍ ବଡ଼ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ ।
State
ଦ କୁଇଭର ବ୍ୟୁରୋ :- ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିଶନ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ । ଗ୍ରମାଞ୍ଚଳକୁ ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ନେଟୱର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ସରକାର । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପ୍ରାକୃତୀକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଥିଲେ ପୂର୍ବ ବିଜେଡି ସରକାର । ହେଲେ ତାହାକୁ ଅଣଦେଖା କରିଆସୁଥିଲେ କେନ୍ଦ୍ରରେ ବିଜେପି ସରକାର । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । କାରଣ ରାଜ୍ୟରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଛି ଏବଂ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି ।
Sports
ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା lଉପାନ୍ତରୁ ଉପକୂଳ ହେଉ କି ଉତ୍ତରରୁ ଦକ୍ଷିଣ, କୌଣସି ଅଞ୍ଚଳ ବି ଏଥିରୁ ବାଦ୍ ପଡ଼ୁନି। ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ତତଲା ତାୱାରେ ଭାଜି ହେଉଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହର କଥା ନ କହିବା ଭଲ। ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି। ପୃଥିବୀର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧୩.୬ ଡିଗ୍ରି ଛୁଇଁବା ଚିନ୍ତାର କାରଣ ପାଲଟିଛି। ଏବର୍ଷ ଲଗାତାର ୧୫ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ସେଥିରୁ ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ୍ ରହିଥିଲା। ଲଗାତାର ଗୁରୁଚାପ ବଳୟ ଓଡ଼ିଶା ଉପକୂଳକୁ କବ୍ଜାରେ ରଖିବା ଦ୍ବାରା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନର ଅବରୋଧ ତଥା ପଶ୍ଚିମାଝଡ଼ର ବାରମ୍ବାର ଆଗମନ ଏଭଳି ସ୍ଥିତିକୁ ପ୍ରଶମିତ କରିଛି। ଚଳିତବର୍ଷ ବଡ଼ କଥା ହେଉଛି ଯେ ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ବର ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବାରୁ ୨୦୨୪ରେ ବିଶ୍ବର ହାରହାରି ତାପମାତ୍ରା ପ୍ରଥମ ଥର ୧.୫ ଡିଗ୍ରି ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ୩୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଏବଂ ଚଳିତବର୍ଷ ଜାନୁଆରି ଅଧାରୁ ଶୀତ ଗାଏବ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ। ସେହିପରି ସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଦିନ ତୁଳନାରେ ତିନି ଗୁଣ ଅଧିକ ରହିବା ଚିନ୍ତାର କାରଣ ପାଲଟିଛି।
State
ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି ଏବଂ ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l ତେବେ ଆଜି ଯାଏଁ ମୋଟ ୮୦୩୧ ଦରଖାସ୍ତ ମିଳିଥିବାବେଳେ ୬ ହଜାର ୫୪୫ ଅଭିଯୋଗର ସମାଧାନ ହୋଇଛି। ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।ତେବେ ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲାସ୍ତରରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
Shree Jagannath
ପୁରୀ ( ଦ କୁଇଭର ):- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।
Sports,State
କଟକ( ଦ କୁଇଭର ):- ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ ବିକ୍ରି । ଆସନ୍ତା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଅଲାଇନ ଟିକେଟ ମାତ୍ର କେଇ ମିନିଟରେ ଶେଷ ହୋଇଯିବା ପରେ ଅଫଲାଇଟ ଟିକେଟ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ । ଦଳଚକଟା ପରିସ୍ଥିତି ଉପୁଜିଛି । ଉତ୍ସାହିତ ଫ୍ୟାନ୍ସଙ୍କ ଅସମ୍ଭବ ଭିଡ ପାଇଁ ନାକେଦମ ପୋଲିସ । ହଜାର ହଜାର କ୍ରିକେଟ ଫ୍ୟାନ୍ସ କାଉଣ୍ଟର ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗତକାଲି ରାତିଠୁ । ଏପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଫେବୃଆରୀ ୯ ତାରିଖରେ ଖେଳାଯିବ ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ତେବେ ଦଳଚକଟାରେ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବୁଧବାରଠୁ ଆରମ୍ଭ ହୋଇଥିବା ଅଫଲାଇନ ଟିକେଟ ପାଇଁ ଗତକାଲିଠୁ ମହିଳାଙ୍କ ସମେତ ପୁରୁଷମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ୪ଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା ଓସିଏ ଓ କମିଶନରେଟ ପୋଲିସ । ଜଣେ ବ୍ୟକ୍ତି ପିଛା ୨ଟି ଲେଖାଏଁ ଟିକେଟ ବିକ୍ରି କରିବାକୁ ଥିବାବେଳେ ଏଥିପାଇଁ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜି ଏବଂ କାଲି ( ୫ ଏବଂ ୬ ତାରିଖ) ଦୁଇ ଦିନ ଧରି ଚାଲିବ ଅଫଲାଇନ ଟିକେଟ ବିକ୍ରି ।
ତେବେ ଟିକେଟ ପାଇଁ ଦଳାଚକଟା ସ୍ଥିତି ଦେଖାଦେଇଛି,ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଧସ୍ତାଧସ୍ତି ହୋଇଛି,ଅଫଲାଇନ ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା,ଅସମ୍ଭାଳ ଭିଡ ଏଡାଇବାରେ ପୋଲିସ ନାକେଦମ ପୁରା,ଲୋକଙ୍କ ଉପରେ ଚଢିଗଲେ କ୍ରିକେଟ ପ୍ରେମୀ,
ଯିଏ ଯେମିତି ପାରିଲା ଧସେଇ ହୋଇ ପସିଲେ,ବାଉଁଶ ବ୍ୟାରିକେଡ ଥିଲେ ବି ମାନେଲେନି ଲୋକେ,ମିଳୁନି ପାଣି, ନାହିଁ ଏକଜିଟ ପଏଣ୍ଟ,ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ,ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା l
National,Politics
ନୂଆଦିଲ୍ଲୀ( ଦ କୁଇଭର ):- ଆଜି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ନିର୍ବାଚନ କମିସନ୍ଙ୍କ ସୂଚନା ଅନୁଯାୟୀ, ୧୫.୫ ନିୟୁତରୁ ଅଧିକ ଭୋଟର ଦିଲ୍ଲୀରେ ୧୩,୦୩୩ କେନ୍ଦ୍ରରେ ଭୋଟ୍ ଦେବେ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଲମ୍ବା ଧାଡ଼ିରେ ଠିଆ ନହେବାପାଇଁ ଏବଂ ସହଜ ଭୋଟ୍ ପରିଚାଳନା ପାଇଁ ମତଦାତାମାନେ ବୁଥ୍ ନିକଟରେ ଆଗୁଆ ପହଞ୍ଚିବାକୁ ନିର୍ବାଚନ କମିସନ୍ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଆପ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଲଗାତାର ୨ ଥର ଦିଲ୍ଲୀରେ ଶାସନ୍ରେ ରହିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ପୁଲିସ କମିସନର ମଧୁପ ତିୱାରୀ ଏବଂ ରବୀନ୍ଦ୍ର ଯାଦବ କହିଛନ୍ତି, ପାଖାପାଖି ୩୦୦୦ ବୁଥ୍କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ହଜାରରୁ ଅଧିକ ଦିଲ୍ଲୀ ପୁଲିସ, ୨୨୦ ଅର୍ଦ୍ଧସାମରିକ କମ୍ପାନି ମୁତୟନ ହୋଇଛନ୍ତି। ଉତ୍ତରପ୍ରଦେଶ ଓ ହରିୟାଣାକୁ ଲାଗିଥିବା ଦିଲ୍ଲୀର ୬୫ଟି ସୀମାକୁ ସିଲ୍ କରାଯାଇଛି।
State
ରାଉଲକେଲା( ଦ କୁଇଭର ):- ରାଉରକେଲାରେ ଘଟିଛି ବଡ ଅଘଟଣ । ଏକ ମାଲବାହୀ ଟ୍ରେନ୍ ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିବା ସୂଚନା ମିଳିଛି । ରାଉରକେଲା ମାଲଗୋଦାମ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି l ତେବେ ଏଥିରେ ଟ୍ରେନ ର ପ୍ରାୟ ୩ ଟି ବଗି ଲାଇନ ଚ୍ୟୁତ ହେବାର ସୂଚନା ମିଳିଛି l
State
ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
National
ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଆ ଝିଅ । ଯିଏକି ଦେଶର ପ୍ରଥମ ନାଗରିକ ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । କେବଳ ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ନୁହେଁ, ଗତ ଲୋକସଭା ନିର୍ବାଚନରେ ମଧ୍ୟ ରାଷ୍ଟ୍ରପତି ଦିଲ୍ଲୀରେ ନିଜ ମତ ସାବ୍ୟସ୍ତ କରିଥିଲେ । କହିରଖୁଛୁ, ଓଡ଼ିଶାର ମୂଳବାସିନ୍ଦା ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇ ୨୦୨୨ରେ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହାପରେ ତାଙ୍କର ଭୋଟ ପରିଚୟ ପତ୍ର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅପଡେଟ୍ କରାଯାଇଥିଲା । ସେ ଦିଲ୍ଲୀ ଭୋଟର ଭାବେ ପୁନଃପଞ୍ଜିକୃତ ହୋଇଥିଲେ । ପୂର୍ବରୁ ତାଙ୍କ ପରିଚୟପତ୍ରରେ ଠିକଣାରେ ଓଡ଼ିଶା ଉଲ୍ଲେଖ ରହିଥିଲା ।
ତେବେ ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ରର ପ୍ରଥମ ନାଗରିକ ହୋଇଥିବା କାରଣରୁ ସର୍ବାଧିକ କ୍ଷମତା ଉପଭୋଗ କରନ୍ତି ରାଷ୍ଟ୍ରପତି । ତାଙ୍କୁ ଅନ୍ୟ କୌଣସି ନିର୍ବାଚିତ ଜନପ୍ରତିନିଧିଙ୍କ ପରି ପଞ୍ଜୀକୃତ ଅଞ୍ଚଳର ଭୋଟ କେନ୍ଦ୍ରକୁ ଯିବାକୁ ପଡେନାହିଁ । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ପୁଲିଂ ବୁଥ ପ୍ରତିଷ୍ଠା କରନ୍ତି ନିର୍ବାଚନ ଆୟୋଗ । ସେଠାରେ ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର ବରିଷ୍ଠ କାର୍ଯ୍ୟକର୍ତ୍ତା ମତଦାନ କରିଥାଆନ୍ତି ।
National
ଦ କୁଇଭର ବ୍ୟୁରୋ :- ଆଜି ମା’ ସରସ୍ବତୀଙ୍କ ଆରଧନାର ଦିନ । ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା । ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ।ଦେବୀ ସରସ୍ବତୀ ହେଉଛନ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବିଦ୍ୟାର ଭଣ୍ଡାର । ମା’ଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ସେ ମହାବିଦ୍ୟା, ମହାବାଣୀ, ଭାରତୀ, ବାକ୍, ଆର୍ଯ୍ୟା, ବ୍ରାହ୍ମୀ, କାମଧେନୁ, ବେଦଗର୍ଭା, ଧୀଶ୍ୱରୀ, ବୁଦ୍ଧିଦାତ୍ରୀ ଆଦି ଅନେକ ନାମରେ ପରିଚିତ ।ଶାସ୍ତ୍ର ଅନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ବାଗ୍ବାଦୀନି ପ୍ରସନ୍ନ ହୋଇଥାନ୍ତି । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି ହୋଇଥାଏ । ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ । ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।ପୌରାଣିକ କଥା ଅନୁସାରେ ଥରେ ବ୍ରହ୍ମା ସମଗ୍ର ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ୱ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏପରି ଦେଖିବା ପରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥାକୁ ପରିପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ୱତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସିଏ ହିଁ କରିପାରିବେ । ଏହା ସହିତ ବ୍ରହ୍ମ ନିଜ କମଣ୍ଡଳରୁ ଜଳ ପୃଥିବୀପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ ।ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ୱରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ଏହା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ ସକ୍ରିୟ ହୋଇ ଉଠିଥିଲେ । ଆଉ ସେବେଠାରୁ ଏହି ବସନ୍ତ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଏ ।ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ସକଳ କ୍ଷେତ୍ରରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପାଦପଦ୍ମରେ ମନପ୍ରାଣ ଅର୍ପଣ କରିବା ଉଚିତ । ବାଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀ ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ ।ଶିକ୍ଷାନୁଷ୍ଠାନ,ଘର, କୋଚିଂ ସେଣ୍ଟର ଓ ମୂର୍ତ୍ତି କାରିଗର ମାନେ ମାଙ୍କ ଆବାହନ ପାଇଁ ବିଶେଷ ଆୟୋଜନ କରିଥାନ୍ତି । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଚଳିତଥର ସରକାରଙ୍କ କୋରୋନା ଗାଇଡଲାଇନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ପାଳନ ହେବ । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇପାରିବ ସରସ୍ବତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ବତୀ ପୂଜାକୁ ବାରଣ କରାଯାଇଛି। ଘରେ ରହି ପରିବାର ସହ ସରସ୍ବତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି ।
State,Politics
ଯାଜପୁର( ଦ କୁଇଭର ):- ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା ମିଳିଛି l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ ଳ ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।