No comments yet.
Politics
ଦ କୁଇଭର ବ୍ୟୁରୋ:- ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଗତ ଏପ୍ରିଲ ୧୯ ରେ ବିଜେଡି ସଭାପତି ନିର୍ବାଚନ ହୋଇଥିଲା। ଯେଉଁଥିରେ ନବୀନ ନିର୍ଦ୍ବନ୍ଦ୍ବରେ ନବମ ଥର ପାଇଁ ନିର୍ବାଚିତ ହେଲେ। ଦଳର ନିୟମ କହୁଛି ୩୫୫ ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ ପରିଷଦ ଓ ୮୧ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତି ନିର୍ବାଚନ ହେବ। କିନ୍ତୁ ସଭାପତି ନିର୍ବାଚନ ସରିଥିଲେ ବି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ କିଏ ଅଛନ୍ତି ତାହା କେହି ଜାଣିନାହାନ୍ତି। ଖୋଦ୍ ଦଳ ଭିତରୁ ଏହାକୁ ନେଇ ଉଠିଲାଣି ଅସନ୍ତୋଷର ସ୍ବର। ଭୁବନେଶ୍ବରର ବିଜେଡି ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କିଛି ତୋଷାମୋଦିଆଙ୍କ କବଳରେ ଦଳ ଅଛି। ଜାଣିଶୁଣି କାର୍ଯ୍ୟକାରିଣୀ ତାଲିକାକୁ ଲୁଚାଯାଉଛି। ସେପଟେ ଦଳ କହୁଛି, ଦକ୍ଷ ଲୋକଙ୍କୁ ଦାୟିତ୍ବ ଦିଆଯିବ, ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ। ଖାଲି ବିଜେଡି ନୁହେଁ। ବିଜେପି ଓ କଂଗ୍ରେସର ବି ରାଜ୍ୟରେ ସମାନ ଅବସ୍ଥା। ଶାସକ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ଏଯାଏ ହୋଇନି। ସେହିପରି ପ୍ରଥମ ଥରେ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲେ ବି ବୋର୍ଡ ଓ ନିଗମ ଅଙ୍କ ଏଯାଏ ଛିଡିନି। ନୂଆ ସରକାରକୁ ଆସନ୍ତା ଜୁନ ୧୨ରେ ବର୍ଷେ ପୂରିବ, ତଥାପି ପଦବି ଖାଲି ପଡିଛି। ଅନ୍ୟପଟେ ପ୍ରାୟ ବର୍ଷେ ଖାଲି ପଡିବା ପରେ ପିସିସି ସଭାପତି ଦାୟିତ୍ବ ଭକ୍ତ ଦାସଙ୍କୁ ମିଳିଛି। କିନ୍ତୁ ଏହା ପରେ ବି ଦଳର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଗଠନ ହୋଇପାରିନି। ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅସଜଡା ଘର ଓ ଅମାନିଆ ନେତା। ତେବେ ଖୁବ ଶୀଘ୍ର ବିବାଦ ଦୂର କରି କମିଟି ଘୋଷଣା ହେବ ବୋଲି କଂଗ୍ରେସ କହିଛି।
Shree Jagannath
ପୁରୀ( ଦ କୁଇଭର ):- ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି।ଏପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।
ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥାଗୁଡ଼ିକ ଜଗନ୍ନାଥପ୍ରେମୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି।
State,Education
ଦ କୁଇଭର ବ୍ୟୁରୋ:- ଓଡ଼ିଶା ତଥା ଭାରତର ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟ ବା ଶିକ୍ଷା ବେପାରୀ ଅଚ୍ୟୁତ ସାମନ୍ତଙ୍କ କିଟ୍ ରେ ଏ କି ପାଲା ଚାଲିଛି ? ନିୟମିତ ବ୍ୟବଧାନରେ କାହିଁକି ଛାତ୍ରୀମାନେ ମରୁଛନ୍ତି ? ଅଚ୍ୟୁତଙ୍କ ଏହି ବିଶ୍ଵବିଦ୍ୟାଳୟରେ ଅନେକ ସମୟରେ ଛାତ୍ରୀ ହିଁ ମରୁଥିବା ଦେଖାଦେଲାଣି । ନିକଟରେ ନେପାଳର ଜଣେ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁକୁ ନେଇ ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ, ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ଘଟଣା ଅଚ୍ୟୁତଙ୍କ କଳା କାରନାମାକୁ ଆଙ୍ଗୁଳି ଦେଖାଉ ନାହିଁକି ?
ନିଜକୁ ଜନସେବକ ଦେଖାଉଥୁବା ବା ଆଦିବାସୀ ପିଲାଙ୍କୁ ପାଠପଢ଼ାଉଥୁବା ମସିହା କହୁଥୁବା ଅଚ୍ୟୁତ ସାମନ୍ତଙ୍କ କିଟରେ ଛାତ୍ରୀ ମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ କମ ନାହିଁ । କିଛିମାସ ପୂର୍ବେ ନେପାଳୀ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ନେଇ ସଂଗୀନ ତଥ୍ୟ ଆସିଥିଲା । ତଦନ୍ତ କମିଟି ଆଗରେ ଏହି ତଥ୍ୟ ବି ରଖାଯାଇଥିଲା ହେଲେ ଏହି ଘଟଣାକୁ ଚାପି ଦିଆଯାଇଛି । ପୋଲିସ କୌଣସି ପଦକ୍ଷେପ ନେଇଛି ନା ସରକାର ଚିନ୍ତା କରିଛନ୍ତି । ଏବେ ସ୍ଥିତି ଆହୁରି ସଙ୍ଗୀନ ହେଲାଣି । ଅଚ୍ୟୁତଙ୍କ ପ୍ରତି ବିଜେପିର କେନ୍ଦ୍ରୀୟ ନେତାଙ୍କର ଅନୁକମ୍ପା ଏବଂ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ଭାବ ପ୍ରବଣତା ତାଙ୍କୁ ଅଧିକ ଶକ୍ତି ଦେଇଛି ଯାହାଦ୍ୱାରା ଏଭଳି ବ୍ୟଭିଚାର କରିବା ପାଇଁ । କିଟ ଭିତରେ ଚାଲିଥିବା ବ୍ୟଭିଚାର ହିଁ ଗୋଟିଏ ପରେ ଗୋଟିଏ ଛାତ୍ରୀଙ୍କ ଜୀବନ ନେଉଛି ।
ଫ୍ରେବୃଆରୀ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ଘଟଣାରେ ସମସ୍ତେ ଚୁପ ହୋଇଯାଇଛନ୍ତି । ତଦନ୍ତ ନାଁରେ ଫାଇଲ ଚାପି ଦିଆଯାଇଛି । ୧୦୦ କୋଟି ଟଙ୍କାର ଡ଼ିଲ କାଳେ କରିଛନ୍ତି କିଟର ଅଧିକାରୀ ମାନେ । ସେଥିପାଇଁ ପୋଲିସ ଆଉ ପ୍ରଶାସନ ନିରବ ରହିଛି । ଏଭଳି ସ୍ଥିତିରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶ୍ନ ତ ଅନେକ । ପ୍ରତିକ୍ରିୟା ଜୋର ଧରିଲାଣି । ସରକାର ଅଚ୍ୟୁତଙ୍କୁ ଛାଡି ଦେଲେ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖାଲି ମର୍ଯ୍ୟାଦା ହାନିହେବ ନାହିଁ, ଓଡ଼ିଶା ସରକାର ବି ଅତି ନିକୃଷ୍ଟ, ଅପାରଗ ଏବଂ ରବର ଷ୍ଟାମ୍ପ ବୋଲି ପ୍ରମାଣିତ ହୋଇଯିବ । ଦେଖାଯାଉ ମୋହନ ସରକାର ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ନା ଅଚ୍ୟୁତଙ୍କ ଆଗରେ ମୁଣ୍ଡ ନଇଁ ରାଜ୍ୟକୁ ବଦନାମ କରାଉଛନ୍ତି ?
Shree Jagannath
ପୁରୀ( ଦ କୁଇଭର):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଆଜି ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି । ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ । ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ହୋଇଛି । ଫଳରେ ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ । ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଷ୍ପତ୍ତି ଫଳରେ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରକୁ ବଳ ମିଳିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହିତ ଆଞ୍ଚଳିକ ବିକାଶ ଏବଂ ଅଞ୍ଚଳକୁ ସାମଗ୍ରିକ ଯୋଗାଯଗ କ୍ଷେତ୍ରରେ ଅନେକ ସୁଧାର ଆସିଯିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କର ଯାତାୟତର ବ୍ୟବସ୍ଥା ରହିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ପୁରୀକୁ ଅଧିକରୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ଆସିବା ସହ ପର୍ଯ୍ୟଟନ ଓ ଅର୍ଥନୀତି କ୍ଷେତ୍ରରେ ପୁରୀ ବେଶ ସମୃଦ୍ଧ ହେବ l
Sports
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ ର ୫୫ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଥିବା ଏହି ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଅମ୍ପାୟାରଙ୍କ ଦ୍ୱାରା ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ଦଳ ମଧ୍ୟରେ ୧-୧ ପଏଣ୍ଟ ବଣ୍ଟାଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2025ର 55ତମ ମ୍ୟାଚ୍ ବାତିଲ ହୋଇଯାଇଛି । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ବନ୍ଦ ହେବା ପରେ, ଉଭୟ ଦଳର ଅମ୍ପାୟାର ଏବଂ ଅଧିନାୟକ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ପରେ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହୋଇଥିଲା । ଫଳରେ ୭ ସହ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହି ମ୍ୟାଚ୍ରେ ୧ ପଏଣ୍ଟ ପାଇବା ପରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ୍ ଯାତ୍ରା ଶେଷ ହୋଇଛି । ହାଇଦ୍ରାବାଦ ଦଳ ଆନୁଷ୍ଠାନିକ ଭାବରେ IPL ୨୦୨୫ ର ପ୍ଲେଅଫରୁ ବାଦ ପଡ଼ିଛି । ଦଳ ୧୧ ଟି ମ୍ୟାଚ୍ ପରେ ମୋଟ ୭ ପଏଣ୍ଟ ପାଇଛି । ଯେଉଁଥିରେ ତିନୋଟି ବିଜୟ, ଗୋଟିଏ ଡ୍ର ଏବଂ ୭ପରାଜୟ ରହିଛି । ହାଇଦ୍ରାବାଦ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି ।
ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧ ପଏଣ୍ଟ ପାଇଛି । ଏହି ଗୋଟିଏ ପଏଣ୍ଟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପଥକୁ ଜଟିଳ କରିଦେଇଛି । ୧୧ ଟି ମ୍ୟାଚ୍ ପରେ, ଦିଲ୍ଲୀ ୬ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହିତ ମୋଟ ୧୩ ପଏଣ୍ଟ ପାଇଛି । ଏବେ, ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ, ଦିଲ୍ଲୀକୁ ପରବର୍ତ୍ତୀ ୩ଟି ମ୍ୟାଚ୍ରୁ ଅତି କମରେ ୨ ଟି ଜିତିବାକୁ ପଡିବ । ଏହା କରିବା ଦ୍ୱାରା ଦଳର ୧୭ ପଏଣ୍ଟ ହେବ ଏବଂ ପ୍ଲେଅଫରେ ପହଞ୍ଚିପାରିବେ । ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।
State
ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରେ ଧିରେଧିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
State
ଭୁବନେଶ୍ୱର( ଦ କୁଇଭର):- ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବ୍ଲୁଏ ବୈଠକ ଅନୁଷ୍ଠିତ । ଏସଏଲଏସଡବ୍ଲୁଏରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହା ରାଜ୍ୟର କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ, ଶିଳ୍ପ-ଗ୍ୟାସ, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ ପ୍ରକଳ୍ପ ରହିଛି । ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି ।
Sports
ଦ କୁଇଭର ବ୍ୟୁରୋ:- ଚଳିତ ଆଇପିଏଲ ସିଜିନର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ ର ଦମଦାର ବିଜୟ । ୩୭ ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍ କରି ୩୭ ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର ୧ ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ ୪୮ ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍ ଗୋଟିଏ ଚୌକା ଏବଂ ୪ ଟି ଛକା ସହାୟତାରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରିଷଭ ପନ୍ତ ୧୭ ବଲ୍ ଖେଳି ୨ ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ କରି ଆଉଟ ହୋଇଥିଲେ । ମୋଟ ୨୦ ଓଭର ଖେଳି ୭ ୱିକେଟ ହରାଇ ୩୭ ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।
State
ଗଞ୍ଜାମ ( ଦ କୁଇଭର):- ଆରମ୍ଭ ହେଲା ପୋଲିସ ର ଅପରାଧ ସଫେଇ ଅଭିଯାନ! ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ କାର୍ଯ୍ଯକଳାପ କୁ ନେଇ ବାରମ୍ବାର ପୋଲିସ ର ସୁରକ୍ଷା ବ୍ଯବସ୍ଥା ଉପରକୁ ଅଙ୍ଗୁଳି ଉଠିବା ପରେ ଏବେ ଆକ୍ସନ ମୋଡ ରେ ପୋଲିସ। ଜିଲ୍ଲାରେ ବନ୍ଧୁକ ଧରି ଆତଙ୍କ ରଚିବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବାର ଯୋଜନା କରୁଥିବା ୧୮ ଅଭିଯୁକ୍ତ କୁ କାବୁ କରି ୧୭ ଟି ବନ୍ଧୁକ ୬୬ ଟି ଅଫୁଟା ଗୁଳି ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗଞ୍ଜାମ ପୋଲିସ ଜିଲ୍ଲାର ଏହି ଅଭିଯାନ ପୋଲିସ କୁ ଆଗକୁ ସାମନ୍ଯ ଆଶ୍ବସ୍ତ ଦେବ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ଅଭିଯାନ କେବେ ହାତକୁ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର।
International,National
ଦ କୁଇଭର ବ୍ୟୁରୋ:- ଭାରତର ରଡ଼ିରେ ପାକିସ୍ତାନ ଛାନିଆ ହୋଇ ପଡ଼ିଲାଣି । ଭାରତ କଥା ଭାବି ଭାବି ପାକିସ୍ତାନୀ ସେନା ବି ଥରିଲେଣି । ଏମିତି ସ୍ଥିତି ଯେ, ସମରାଭ୍ୟାସ ହେଉ କି ଯୁଦ୍ଧକ୍ଷେତ୍ରକୁ ଯାତ୍ରା ହେଉ ସବୁଠି ବ୍ୟତିକ୍ରମ ହେଲାଣି । ସୀମାକୁ ଯିବା ରାସ୍ତାରେ ଟ୍ୟାଙ୍କର ପୋଡ଼ିଯାଇଥିଲା । ଏବେ ସମରାଭ୍ୟାସ ବେଳେ ସୈନ୍ୟ ମାନଙ୍କ ସହ ଗାଡ଼ି ଓଲଟି ପଡ଼ୁଛି । କିଛି ବି ପାକିିସ୍ତାନ ସହ ଠିକ ହେଉନାହିଁ । ନିଜର ଦମ ଜାଣିଯିବା ପରେ ପାକିସ୍ତାନ ଏଣେ ତେଣେ ସହାୟତା ପାଇଁ ଶରଣ ପଶିଲାଣି । ଋଷକୁ ଭାରତ ସହ କଥା ହେବା ପାଇଁ ଗୁହାରୀ କରିଛି । ଚୀନର ଗୋଡ଼ ହାତ ଧରି କିଛି ସହାୟତା ଆଣିଛି । ଚୀନ ବଳରେ ଭାରତ ସହ ଲଢ଼ିବାକୁ ପାକିସ୍ତାନ ସୀମାରେ ଆସି ଛିଡ଼ା ହୋଇଛି ପାକିସ୍ତାନ ସୈନ୍ୟଙ୍କ ପାଖରେ ୪୦ଟି ଚାଇନା ଟ୍ୟାଙ୍କ ରହିଛି । ଯାହାକୁ ନେଇ ସେ ଏବେ ଭାରତ ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛି ।
ଭାରତର ଆକ୍ରାମକ ଆଭିମୁଖ୍ୟରେ ପାକିସ୍ତାନର ସେନା ଠୁ ରାଜନେତା ସମସ୍ତଙ୍କ ଭିତରେ କମ୍ପନ ସୃଷ୍ଟି ହୋଇଛି । ଭୟରେ ସେମାନେ ଧିରେ ଧିରେ ମାନିଲେଣି ଆତଙ୍କବାଦୀଙ୍କ ସହ ପାକିସ୍ତାନର ସମ୍ପର୍କକୁ । ଆତଙ୍କବାଦୀଙ୍କୁ ନେଇ ଭାରତ ବିରୋଧରେ କି ଷଡ଼ଯନ୍ତ୍ର କରିଛନ୍ତି ତାହା ବି କହିବା ଆରମ୍ଭ କଲେଣି । କିଏ ଷଡ଼ଯନ୍ତ୍ର କରୁଛି ତାହା ବି ପାକିସ୍ତାନର କିଛି ପୂର୍ବତନ ସେନା ଅଧିକାରୀମାନେ କହୁଛନ୍ତି । ରାଜନେତା ମାନେ ବି ପାକିସ୍ତାନର ଅସଲ ଚରିତ୍ର ଖୋଲିଦେଲେଣି । ପାକିସ୍ତାନ ଓ ଏଠାରେ ପ୍ରତିପାଳିତ ହେଉଥିବା ଆଇଏସଆଇ ଭଳି ଆତଙ୍କବାଦୀ ସଂଗଠନର ନୀତି ଏବଂ ଆଦର୍ଶ । ଭାରତର ଜାତୀୟ ଗଣମାଧ୍ୟମ ଆଗରେ ପାକିସ୍ତାନର କିଛି ସେନା ଅଧିକାରୀ ଏକଥାକୁ ସ୍ୱୀକାର କରିଦେଲେଣି । ଯାହା ସ୍ପଷ୍ଟ କରୁଛି ଆତଙ୍କବାଦୀଙ୍କ ପଛରେ ପାକିସ୍ତାନର ପ୍ରୋତ୍ସାହନ ଓ ଭାରତ ଭିତରେ ଆତଙ୍କବାଦ ସୃଷ୍ଟି କରିବାରେ ତାହାର ସମ୍ପୃକ୍ତିକୁ ।
ନିକଟରେ ଏକ ଟିଭିକୁ ସାକ୍ଷାତକାର ଦେଇ ପାକିସ୍ତାନୀ ପୂର୍ବତନ ସେନା ଅଧିକାରୀ ମେଜର ଅଦିଲ ରାଜା କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନୀରଙ୍କ ନିର୍ଦ୍ଦେଶ ଥିଲା । ସେ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସବୁ ଯୋଜନା କରିଥିଲେ । କାଶ୍ମୀରରେ ଥିବା ତାଙ୍କର ସବୁ ଉତ୍ସକୁ ସେ ଏଥିପାଇଁ ବ୍ୟବହାର କରିଥିଲେ । ଏହାବ୍ୟତୀତ ପାକିସ୍ତାନୀ ରାଜନେତା ବିଲୱାଲ ଭୁଟ୍ଟୋ ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ପାକିସ୍ତାନ ସର୍ବଦା ଆତଙ୍କବାଦୀଙ୍କୁ ଆଶ୍ରୟ, ସମର୍ଥନ ଓ ସହଯୋଗ କରିଥାଏ । ଏହା ହେଉଛି ପାକିସ୍ତାନୀ ସେନା ଓ ଆଇଏସଆଇର ମୂଳ ନୀତି । ଏହା କହି ସେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ । ଆତଙ୍କବାଦୀଙ୍କ ତଳି ସେ ପକାଉଛନ୍ତି । ଭାରତ ଭିତରେ ଅସ୍ଥିରତା ସୃଷ୍ଟି କରିବା ହେଉଛି ତାଙ୍କର ଲକ୍ଷ୍ୟ । ପାକିସ୍ତାନୀମାନେ ଭାରତକୁ ଆସି ଆତଙ୍କବାଦୀଙ୍କ ସ୍ଲିପର ସେଲ ଭାବେ କାମ କରୁଛନ୍ତି ।
ଏସବୁ ତଥ୍ୟ ଏବେ ଭାରତ ପାଇଁ ସହାୟକ ହେବ । ଭାରତ ଏସବୁ ତଥ୍ୟକୁ ଆନ୍ତର୍ଜାତିକ ସ୍ତରରେ ରଖି ପାକିସ୍ତାନ ପ୍ରତି ବିଭିନ୍ନ ଦେଶରେ ଥିବା ଅନୁକମ୍ପାର ମୁକାବିଲା କରିପାରିବ । ଏର୍ଯ୍ୟନ୍ତ ବିଶ୍ୱର ୮୦ଭାଗ ଦେଶ ଭାରତ ସପକ୍ଷରେ ରହିଛନ୍ତି । ପାକିସ୍ତାନର ଅସଲ ଚିତ୍ର ଦେଖିବା ପରେ ବିଶ୍ୱ ସମୁଦାୟର ଦୃଶ୍ୟପଟ୍ଟ ବଦଳିବ ବୋଲି ଆକଳନ କରାଯାଉଛି ।
Sports
ଦ କୁଇଭର ବ୍ୟୁରୋ:- ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୨ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୦୧୪ ରନର ପିଛା କରିବାକୁ ଯାଇ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୧ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ଆୟୁଷ ମାହାତ୍ରେ ୯୪ ଓ ରବୀନ୍ଦ୍ର ଜାଦେଜା ୭୭ ରନ କରିଥିଲେ । ଆରସିବି ପକ୍ଷରୁ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟି କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ବିରାଟ କୋହଲି ଓ ଜାକବ ବେଥେଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରିଥିଲେ । କୋହଲି ୬୨ ରନ ଓ ବେଥେଲ ୫୫ ରନ କରିଥିଲେ । ଦେବଦତ୍ତ ପଡ଼ିକଲ ୧୭ କରିଥିବାବେଳେ ରଜତ ପଟିଦାର ୧୧ ରନ କରିଥିଲେ । ତେବେ ଆରସିବି ପାଇଁ ସବୁଠାରୁ ବିସ୍ଫୋରକ ଇନିଂସ ଖେଳିଥିଲେ ରୋମାରିଓ ସେଫାର୍ଡ । ସେ ମାତ୍ର ୧୪ଟି ବଲରେ ୬ ଛକା ଓ ୪ ଚୌକା ସହ ୫୩ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମହିଶ ପଥିରଣା ୩ଟି ଓ୍ବିକେଟ ନେଇଥିବାବେଳେ ସାମ କୁରାନ ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
Education,State
ଦ କୁଇଭର ବ୍ୟୁରୋ:- ଗତ ମେ ୧ ତାରିଖ ସନ୍ଧ୍ୟାରେ କିଟ୍ ଲେଡିଜ ହଷ୍ଟେଲରୁ ପ୍ରୀଶାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାରଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଏହା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ତେବେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ହତ୍ୟା । ଝିଅର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛି ପୂରା ପରିବାର । ଛାତ୍ରୀ ଜଣକ ବିଟେକ ପଢୁଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ କୋହ ସମ୍ଭାଳିପାରୁନାହାନ୍ତି ପରିବାର ଲୋକେ । ଏନେଇ ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଆମ ଝିଅକୁ ନ୍ୟାୟ ଦରକାର ।ଏହାକୁ ନେଇ ମୃତ ଛାତ୍ରୀଙ୍କ ପିଉସା ରାଜେଶ କୁମାର କହିଛନ୍ତି, ‘ଯେଉଁ ଘଟଣା ଘଟିଛି ଦୁଃଖଦ । କିନ୍ତୁ କଲେଜ ପ୍ରଶାସନର ବେପରୁଆ ମଧ୍ୟ ରହିଛି । କଲେଜ ମ୍ୟାନେଜମେଣ୍ଟ ହୁଅନ୍ତୁ ବା ଅନ୍ୟ କିଛି । ଯେଉଁ ଝିଅର ମୃତ୍ୟୁ ହୋଇଛି ସେ ଏତେ ନରମ ହୃଦୟର ନଥିଲା । ସେ ସାହସୀ ଥିଲା । ଭାଇ ଲୋକଙ୍କ ସହ ନିତିଦିନ କଥାବାର୍ତ୍ତା ହେଉଥିଲା । ମଝିରେ ମଝିରେ ମଧ୍ୟ ଭାଇ ଓ ବାପା ମାଆଙ୍କ ସହ କଥା ମଧ୍ୟ ହେଉଥିଲା । କିନ୍ତୁ ମାହୋଲ ଠିକ ନଥିଲା । ଏଠି ପରୀକ୍ଷା ଥିଲା । ଘଟଣା ଦିନ ବାପା ମା’ଙ୍କ ସହ କଥା ହୋଇଥିଲା । ଦିନରେ କଥା ହୋଇଥିଲା ସନ୍ଧ୍ୟାରେ ଏପରି ଖବର ଆସିବା ।’ସେ ଆହୁରି କହିଛନ୍ତି, ‘ ଏହି ଘଟଣାକୁ ବୁଲାଇବାକୁ ଚେଷ୍ଟା କରାଯାଉଛି । ଏହି ଷଡ଼ଯନ୍ତ୍ରକୁ ମୋଡ଼ି କରି ପୂର୍ବ ଥର ଭଳି ବୁଲେଇବାକୁ ଚେଷ୍ଟା କରାଯାଉଛି । ଯେଉଁ ପୁଅ ସହ ଝିଅ କଥା ହେଉଥିଲେ। ସେ ତା ନିଜ ପିଉସୀର ପୁଅ । ତା ସହ କଥା ହେଉଥିଲା ସେ କିଛି ଦିନ ହେବ । ଯେହେତୁ ସେମାନେ ସମାନ ବୟସର । ନିଜ ମାମୁ ଝିଅ ସହ କଥା ହେବାପରେ ସମସ୍ୟା କଣ । ସେମାନେ ଅନେକ ସମୟରେ ଆଇପିଏଲ କ୍ରିକେଟ୍ ମ୍ୟାଚ ବିଷୟରେ ମଧ୍ୟ କଥା ହେଉଥିଲେ ।’
ଅନ୍ୟପଟେ ଏନେଇ ୟୁନିଭରସିଟି ଗ୍ରାଣ୍ଡ କମିସନ ୟୁଜିସି ପକ୍ଷରୁ କିଟରେ ଘଟିଥିବା ଦୁଇଟି ଘଟଣା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି କମିଟି ଗଠନ ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଚାରି ଜଣିଆ କମିଟି ଗତ ୧୬ଫେବୃଆରୀ ଓ ୧ମେ ରେ ଘଟିଥିବା ଦୁଇଟି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଯାଇ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ସେମାନଙ୍କର ସେଫଟି ସିକ୍ୟୁରିଟି ନେଇ ପଚରାଉଚରା ପରେ ରିପୋର୍ଟ ସଂଗ୍ରହ କରିବେ ।ଏହି ଟିମରେ IGNOUର ଭିସି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଶଶିକଳା ଓ୍ବଞ୍ଜାରି, ପ୍ରଫେସର ଏଚସିଏସ ରାଠୋର ଦୁଇ ସଦସ୍ୟଙ୍କ ସହ ସମନ୍ବୟ ଅଧିକାରୀ ଭାବରେ ଡକ୍ଟର ସୁନିତା ସ୍ବିଓ୍ବାଚ ୟୁଜିସିର ଜଏଣ୍ଟ ସେକ୍ରେଟାରି ମଧ୍ୟ ମିଶି ଏହାର ଏକ ରିପୋର୍ଟ ୧୦ଦିନ ମଧ୍ୟରେ ୟୁଜିସି ପାଖରେ ଉପସ୍ଥାପନା କରିବେ।
State,Shree Jagannath
ପୁରୀ ( ଦ କୁଇଭର):- ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା ।2015 ନବକଳେବର ବଳକା ଦାରୁରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ କରି ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଥିବା ନେଇ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ରାମକୃଷ୍ଣ ଦାସ ମହାପାତ୍ର ଦେଇଥିଲେ ପ୍ରତିକ୍ରିୟା । ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପରେ ସମଗ୍ର ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନମନ୍ତ୍ରୀ । ଦାରୁ' ବିବାଦ ନେଇ ପଚରାଉଚରା ଜାରି । ନିଯୋଗ ସଭାପତି ଉପସ୍ଥିତ । ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ବି ପଚରାଉଚରା ଜାରି ରହିଛି ।
ଅନ୍ୟପଟେପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ କହିଛନ୍ତି । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଭାରତରେ ୪ଟି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ ବୋଲି ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଶୁଭେନ୍ଦୁ ।ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଦାରୁ ଚୋରି ଅଭିଯୋଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୁଦ୍ଧରେ ଥାନାରେ ସେନା ପକ୍ଷରୁ ଏତଲା ଦିଆଯାଇଛି । ତେବେ ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ପ୍ରଭୁ ବଳଭଦ୍ର ରଥ ଉପରୁ ଖସି ପଡିବା ଘଟଣାତଦନ୍ତ ଫଳ ଶୂନ । ଏଣୁ ଏହି ଦାରୁ ଚୋରି ଘଟଣା ର ତଦନ୍ତ ଯଦି ଶୂନ ହୁଏ ତେବେ ଆଗାମୀ ଦିନରେ ଏହି ସରକାର ମଧ୍ୟ ଶୂନ ହୋଇଯିବ।ମହାପ୍ରଭୂ କାହାରିକୁ କ୍ଷମା ଦେବେ ନାହିଁ । ଗତ ସରକାର ଏହି ପରିଣାମ ଭୋଗି ସାରିଛି " ବୋଲି ଚର୍ଚ୍ଚା ଜୋର ଧରିଛି l
National,International
ଦ କୁଇଭର ବ୍ୟୁରୋ:- ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ନିଦ ହଜିଯାଇଛି। ଭାରତର ପ୍ରତିଶୋଧର ଭୟରେ ପାକିସ୍ତାନ ଥରୁଛି। ଅନୁମାନ କରାଯାଉଛି, ଏଥର ପାକିସ୍ତାନ ଭାରତର ପ୍ରତିଶୋଧକୁ କେବେ ଭୁଲିପାରିବ ନାହିଁ। ପହଲଗାମ ଆକ୍ରମଣ ମଧ୍ୟ ପିଓକେରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ କରିଥିଲେ। ତେଣୁ, ଏଥର ଭାରତୀୟ ସେନା କେବଳ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାକୁ ଟାର୍ଗେଟ କରିବ। ଆଶା କରାଯାଉଛି ଏଥର ପାକିସ୍ତାନ ପାଇଁ ଏକ ସ୍ଥାୟୀ ସମାଧାନ କରାଯାଇପାରିବ। ପାକିସ୍ତାନ ଭୟ କରୁଛି ଯେ, ଏଥର ପିଓକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ସହିତ, ସେଠାରେ ଭାରତୀୟ ସେନାକୁ ମଧ୍ୟ ମୁତୟନ କରାଯାଇପାରେ। ତେଣୁ, ପିଓକେରେ ଯୁଦ୍ଧ ପାଇଁ ପ୍ରସ୍ତୁତି ନିରନ୍ତର ଚାଲିଛି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସ୍ତ୍ର ବ୍ୟବହାର ପାଇଁ ତାଲିମ ଦିଆଯାଉଛି। ପାକିସ୍ତାନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସରକାର ପର୍ଯ୍ୟଟକମାନଙ୍କୁ ପିଓକେ ଯିବାକୁ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ ଭାରତର କାର୍ଯ୍ୟାନୁଷ୍ଠାନ ମଧ୍ୟ କାରଣ ବୋଲି କୁହାଯାଉଛି। ଏହି କାରଣରୁ ପାକିସ୍ତାନ ଏବେଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି। ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପିଓକେ ହରାଇବାର ଭୟ ଏତେ ପ୍ରବଳ ହୋଇଛି ଯେ, ଲାଉଡସ୍ପିକରରୁ ଆଜାନ ମଧ୍ୟ ବନ୍ଦ କରିଦିଆଯାଇଛି।
ଏଥର ଭାରତର ଟାର୍ଗେଟରେ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାସ୍ଥଳ ବୋଲି ବିଶ୍ୱାସ କରାଯାଉଛି। ଯଦି ପାକିସ୍ତାନ ପିଓକେ ହରାଏ, ତେବେ ସେ ବହୁତ ପଶ୍ଚାତାପ କରିବ। ଏହି ଭୟ ଯୋଗୁ ଲୋକମାନେ ପିଓକେରେ ରାସନ ସଂଗ୍ରହ କରିବା ଆରମ୍ଭ କରିସାରିଛନ୍ତି। ଏପରିକି ସମଗ୍ର ଅଞ୍ଚଳର ସମସ୍ତ ହୋଟେଲ ଏବଂ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ପିଓକେରେ ଅନେକ କଟକଣା ଲାଗୁ କରାଯାଇଛି ଏବଂ ସମଗ୍ର ଅଞ୍ଚଳ ଏକ ବଡ଼ ଯୁଦ୍ଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି। ପାକିସ୍ତାନ ପିଓକେକୁ ଅବରୋଧ କରିଛି। ଏଠାରେ ଅତ୍ୟାବଶ୍ୟକୀୟ ଔଷଧ, ରାସନ ସାମଗ୍ରୀ ଏବଂ ଗ୍ୟାସ ସିଲିଣ୍ଡର ପହଞ୍ଚାଯାଇଛି। ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଲୋକମାନେ ରାସନ ଏବଂ ଜରୁରୀ ଔଷଧ ମହଜୁଦ କରୁଛନ୍ତି। ପ୍ରଶାସନ ସମଗ୍ର ଅଞ୍ଚଳରେ ଅନେକ କଟକଣା ଜାରି କରିଛି। ପ୍ରଶାସନ ପ୍ରାୟ ୧୦୦୦ ମଦ୍ରାସାକୁ ବନ୍ଦ କରିଦେଇଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଏହାକୁ ଆତଙ୍କବାଦୀ ତାଲିମ କେନ୍ଦ୍ର କହି ଆକ୍ରମଣ କରିପାରେ। ଏହା ବ୍ୟତୀତ, ସମସ୍ତ ହୋଟେଲ ଖାଲି ପଡ଼ିଛି ଏବଂ ବନ୍ଦ କରିଦିଆଯାଇଛି। ବିବାହ ଉତ୍ସବ ପାଇଁ ହଲ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଆତସବାଜି ଉପରେ ମଧ୍ୟ ପ୍ରତିବନ୍ଧକ ଅଛି ଏବଂ ସବୁଠାରୁ ବଡ଼ କଥା ହେଉଛି, ଏବେ ପିଓକେରେ ଲାଉଡସ୍ପିକରରେ ଆଜାନ ଦେବାକୁ ମଧ୍ୟ ନିଷେଧ କରାଯାଇଛି।
ପିଓକେକୁ ନେଇ ପାକିସ୍ତାନ ପୁଣି ଥରେ ଭୟ ଏବଂ ଆତଙ୍କରେ ଅଛି। ଭାରତକୁ ପିଓକେକୁ ପୁଣି ଥରେ ଦଖଲ କରିବାର ସୁଯୋଗ ମିଳିଛି। ପାକିସ୍ତାନ ଦ୍ୱାରା ବଳପୂର୍ବକ ପିଓକେ ଦଖଲ କରାଯାଇଥିଲା। ଏବେ ସେହି ପାକିସ୍ତାନ ଅଧିକୃତ କଶ୍ମୀରରେ ତ୍ରିରଙ୍ଗା ଉଡିବାକୁ ଯାଉଛି। କାରଣ ଏଥର ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିବା ସହିତ, ଏହାକୁ ସବୁଦିନ ପାଇଁ ପୋଛି ଦେବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।
Shree Jagannath
ପୁରୀ ( ଦ କୁଇଭର):-: ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ବିରୋଧ ପରେ ମୁଣ୍ଡ ନୁଆଇଁଲେ ମମତା l ଚାରିଆଡୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ‘ଧାମ’ ନାମକରଣକୁ ନେଇ ବିବାଦ ଦେଖାଯାଇଥିଲା । ଏହାକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଥିଲେ । ଶେଷରେ ମନ୍ଦିରରୁ ‘ଧାମ’ ଶବ୍ଦ ଉଠାଇ ଦେଇଛନ୍ତି । ସେପଟେ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ନେଇ ଆସିଛି ତଦନ୍ତ ରିପୋର୍ଟ । ଦୀଘା ଜଗନ୍ନାଥ ମନ୍ଦିରରେ ବଳକା ଦାରୁରୁ ମୂର୍ତ୍ତି ନିର୍ମାଣ ଦ୍ବନ୍ଦ୍ବ ଦୂର କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପରେ ଦୀଘା ଜଗନ୍ନାଥ ଧାମ ନାମକରଣକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟାହାର କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଗତ ଅକ୍ଷୟ ତୃତୀୟାରେ ଉଦଘାଟନ କରାଯାଇଥିଲା । ଏହାକୁ ଜଗନ୍ନାଥ ଧାମ ନାମ ଦେଇଥିଲେ ମମତା ବାନାର୍ଜୀ । ଏହାକୁ ନେଇ ସବୁ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ପୁରୀ ସହ ଦେଶରେ ଥିବା ଚାରି ଧାମକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ। ତେବେ ଦୀଘାରେ ହୋଇଥିବା ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜଗନ୍ନାଥ ଧାମ’ ନାମ କରଣ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ କଡା ବିରୋଧ କରିଥିଲେ । ତେବେ ଶେଷରେ ଚାପ ଆଗରେ ମୁଣ୍ଡ ନୂଆଁଇ ଦୀଘାକୁ ଜଗନ୍ନାଥ ଧାମ ନାମକରଣକୁ ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ପାଇଁ ଚିଠି ଲେଖିଥିଲେ ଆଇନ ମନ୍ତ୍ରୀ । ତଦନ୍ତ ରିପୋର୍ଟରେ କଣ କଣ ଆସିଛି ତାହାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ମହାପ୍ରଭୁଙ୍କ ଦୈନିଦିନ କଣ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରିହେବ । ଜଗନ୍ନାଥ ଧାମ ଯାହା ଉଲ୍ଲେଖ କରାଯାଇଛି ସେଥିରେ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ପଶ୍ଚିମ ବଙ୍ଗ ସରକାରଙ୍କୁ ସରକାରଙ୍କ ତରଫରୁ ଲେଖା ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ ଯଦି ନ ମାନିଲେ ଆଇନଗତ ଆଶ୍ରୟ ନେବୁ । ସେବାୟତ ମାନେ କେଉଁଠିକୁ ଯିବେ ନ ଯିବେ ମାର୍ଗଦର୍ଶିକା ଜାରି ହେବ ।’ ସେ କହିଛନ୍ତି, ‘ଯାହାକୁ ନେଇ ଏତେ ଚର୍ଚ୍ଚା ଆଲୋଚନା ହୋଇଥିଲା ଯେ ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ଏହା ସମ୍ପୂର୍ଣ୍ଣ ମିଛ ।’ଆଇନମନ୍ତ୍ରୀ ଆହୁରି କହିଛନ୍ତି, ‘ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସମାନ ଦିଆଯାଇଥିଲା ସେ କହିଛନ୍ତି ମୋର କୌଣସି ଉଦ୍ଦେଶ୍ୟ ନଥିଲା, ଭୁବେନେଶ୍ୱରର ଗୋଟିଏ ସୁଦର୍ଶନ ମହାରଣା ପାଖରୁ ତିଆରି କରିକି ନେଇଛନ୍ତି ସେ ଲିଖିତ ଜଣାଇଛନ୍ତି । ନିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିର ଆକ୍ଟ ଅନୁଯାଇ ପୁଣି 7 ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି ସେଥିରେ ସନ୍ତୁଷ୍ଟ ନ ହେଲେ ମନ୍ଦିର ପ୍ରଶାସନ ଦଣ୍ଡିତ କରିବ । ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଵାଧିଛି । ଜଗନ୍ନାଥଙ୍କ କୌଣସି ଜିନିଷ ନେଇ କେହି ବଞ୍ଚିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି l
State
କଟକ ( ଦ କୁଇଭର):- ଶନିବାର କଟକ ଖାନନଗର ଅଞ୍ଚଳରେ ବ୍ରିଜ୍ ନିର୍ମାଣ କାମ ଜାରି ରହିଥିଲା । ବ୍ରିଜ୍ ଉପରେ କିଛି ଶ୍ରମିକ କାମ କରୁଥିଲେ । ଅଚାନକ କ୍ରେନରୁ ନିର୍ମାଣଧିନ ସ୍ଲାବ ଛିଡି ପଡିଥିଲା । ଫଳରେ ୫ ଜଣ ଶ୍ରମିକ ସ୍ଲାବ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଆହତମାନଙ୍କୁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଅନ୍ୟ ୨ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ଅବସ୍ଥା ଅତି ସଂକଟାପର୍ଣ୍ଣ ରହିଛି ।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ଏଥିସହ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଘଟଣ ସମ୍ପର୍କରେ ଖବର ପାଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟକ ଏସିବି ମେଡିକାଲ ଯାଇଥିଲେ । ସେଠାରେ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ ପାଇଁ ୩ ଜଣିଆ ଟିମ ଗଠନ ହେବ । ଏହି ଟିମ ୧୫ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆସିବା ପରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Sports
ଦ କୁଇଭର ବ୍ୟୁରୋ:- ଘରୋଇ ଗ୍ରାଉଣ୍ଡରେ କମାଲ କଲା ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୫୧ ନମ୍ବର ମ୍ୟାଚରେ ହାଇଦ୍ରାବାଦ ସନରାଇର୍ଜସକୁ ୩୮ ରନରେ ହରାଇଲା ଗୁଜୁରାଟ । ହାଇଦ୍ରାବାଦ ଆଗରେ ଥିଲା ୨୨୫ ରନର ଟାର୍ଗେଟ । ଟାର୍ଗେଟକୁ ପିଛା କରି ୬ ୱିକେଟରେ ୧୮୬ ରନ କରିବାରେ ସକ୍ଷମ ହୋଇଥିଲା । କାମ ଦେଲାନି ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ । ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ଟାଇଟନ୍ସର ୧୦ ତମ ମ୍ୟାଚରେ ଏହା ହେଉଛି ସପ୍ତମ ବିଜୟ । ସେହିପରି ହାଇଦ୍ରାବାଦର ଏହା ହେଉଛି ସପ୍ତମ ପରାଜୟ । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଗୁଜୁରାଟ । ଏଥିସହ ହାଇଦ୍ରାବାଦ ନବମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ପରାଜୟ ପରେ ପ୍ଲେ ଅଫରେ ପହଞ୍ଚିବା ହାଇଦ୍ରାବାଦ ପାଇଁ କଷ୍ଟସାଧ୍ୟ ହୋଇପାରେ । ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲା l ଏଥର ମ୍ୟାଚରେ ଦ୍ରୁତ ବୋଲର କୋଏଣ୍ଟଜି ଡେବ୍ୟୁ କରିଛନ୍ତି ।
Politics,State
ଦ କୁଇଭର ବ୍ୟୁରୋ:- ଆଟାଚ ହେବ ରାଜା ଚକ୍ରଙ୍କ ସମ୍ପତ୍ତି । ରାଜା ଚକ୍ରଙ୍କ କ୍ରସର ୟୁନିଟ ଓ ଅନ୍ୟ ଜାଗାରେ STFର ଚଢ଼ାଉ । କେନ୍ଦୁଝର ଓ ଆଖପାଖ ଅଞ୍ଚଳରେ STFର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରୁଛି। ରାଜା ଚକ୍ରଙ୍କ ସମ୍ପତ୍ତି ଆଟାଚ ହେବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି । ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରା ଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
Shree Jagannath
ପୁରୀ, ( ଦ କୁଇଭର):- ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ଏହାର ଉତରରେ ଗଜପତି କହିଛନ୍ତି କି, ଏନେଇ ଦୋଷ ପ୍ରମାଣିତ ହେବା ପରେ ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।
ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥାଗୁଡ଼ିକ ଜଗନ୍ନାଥପ୍ରେମୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି।
ତେବେ ରବିବାର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ମହାପାତ୍ରଙ୍କୁ ମଧ୍ୟ ପଚରା ଉଚରା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏନେଇ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବାହ୍ନରେ ଉପସ୍ଥିତ ରହିବାକୁ ନୋଟିସ୍ ଦିଆଯାଇଛି ଶ୍ରୀମନ୍ଦିର ପ୍ରଶାସନ ତରଫରୁ । ସେହିଭଳି ସବୁ ସେବାୟତ ନିଯୋଗକୁ ମଧ୍ୟ ନୋଟିସ୍ ଦିଆଯାଇଛି ।