ବ୍ରହ୍ମପୁର( ଦ କୁଇଭର ):- ବୁଧବାର ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ଗଣେଷ ପୂଜାକୁ କିପରି ପରିବେଶ ଅନୁକୂଳ ଭାବେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ଗଣେଷ ପ୍ରତିମା ପ୍ଲାଷ୍ଟର ଅଫ ପ୍ୟାରିସ, ନଡା, କୃତିମ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରାଯାଉଛି ଯାହା ଦ୍ୱାରା ମୃତ୍ତିକା,ଜଳ ବିସର୍ଜିତ ପରେ ପ୍ରଦୂଷିତ ହେଉଛି, ଯେଉଁ ପ୍ରତିମାକୁ ପୂଜା କରୁଛେ ତାହା ପୂର୍ବ ଅବସ୍ଥାକୁ ନ ଫେରି ଭଗ୍ନ ଅବସ୍ଥାରେ ପଡି ରହୁଛି ଯାହା ଆମର ଧର୍ମୀୟ ଭାବନା କୁ କଷ୍ଟ ମଧ୍ୟ ଦେଉଛି l ସ୍ବେଛାସେବୀ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପରିବେଶ ଅନୁକୂଳ ଗଣେଷର ବିଶେଷତା ଓ ପ୍ରକୃତି ପାଇଁ ଆବଶ୍ୟକତା ସମ୍ବଦ୍ଧିୟ ଚିତ୍ର ଦେଖାଯାଇଥିଲା ପରେ ଛାତ୍ରଛାତ୍ରୀ ମାନେ ମାଟି ଚକଟି ସେଥିରେ ଝୋଟ ମିଶାଇ ଗଣେଷ ପ୍ରତିମା ଗଢିଲେ ଏବଂ ତା ମଧ୍ୟରେ ସଜନା ମଞ୍ଜି ରୋପଣ ସହ ଧଳା, କଳା ଓ ନାଲି ବିନ୍ଦିରେ ଗଣେଷ ପ୍ରତିମାକୁ ରଙ୍ଗ କରିଲେ l ଆଗାମୀ ଗଣେଷ ପୂଜାରେ ଆଜି ନିର୍ମିତ ପ୍ରତିମା ପୂଜା ହେବ ଓ ବିସର୍ଜନ ଉତ୍ସବରେ ବିଦ୍ୟାଳୟ ପରିସରରେ କୁଣ୍ଡ ମଧ୍ୟରେ ବିର୍ସଜିତ ହେବେ ପରେ କିଛି ଦିନ ଅନ୍ତରାଳରେ ସଜନା ମଞ୍ଜିରୁ ବୀଜ ବାହାରି ଗଛ ରେ ପରିଣତ ହେବ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯିବ l
ଆଜିର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକ ପରିଷଦର ସଭାପତି ସାଗର କୁମାର ପାତ୍ର, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସ୍ବେଛାସେବୀ ନଳିନୀ କାନ୍ତ ପରିଡା,ରବୀନ୍ଦ୍ର ସାହାଣୀ,ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ସାଗର ପ୍ରସାଦ ପାତ୍ର ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l
No comments yet.
Politics
ଝାରସୁଗୁଡ଼ା(ଦ କୁଇଭର): ବାପା ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବେଳେ ଚୁପ ରହିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳୀ ଦାସ । ହେଲେ ଭାଇ ବିଶାଲ ଦାସଙ୍କୁ ପୋଲିସ ଅଟକ ରଖିଦେଲା ବୋଲି ବିଳାପ କଲେ । ଝାରସୁଗୁଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଆସି ତୁହାକୁ ତୁହା ସରକାରଙ୍କୁ ଗାଳି ଦେଲେ । ପୋଲିସକୁ ବି ନିନ୍ଦିଲେ । ବାପାଙ୍କୁ ହତ୍ୟା ବେଳେ ଚୁପ ଆଉ ଭାଇଙ୍କୁ ଅଟକ ବେଳେ ତତ୍ପର କାହିଁକି? ଦୀପାଳୀଙ୍କ ଏପରି ଭୂମିକାକୁ ନେଇ ଏବେ ଝାରସୁଗୁଡ଼ା କେବଳ ନୁହେଁ, ସାରା ରାଜ୍ୟ ପଚାରିଲାଣି ପ୍ରଶ୍ନ । ଦୀପାଳୀଙ୍କ ଏହି ଭୂମିକା ପଛରେ କ’ଣ ରହିଛି ରହସ୍ୟ?
୨୦୨୩ ମସିହା ଜାନୁୟାରୀ ୨୯ ତାରିଖ ପୋଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଲା । ଏହା ପଛରେ ଯେଉଁ କାରଣ ଦର୍ଶାଗଲା ତାହା କେବଳ ଭେଳିକି ଥିବା ଚର୍ଚ୍ଚା ହେଲା । ନବଙ୍କ ହତ୍ୟା ପଛରେ ବଡ଼ କାରଣ ଥିଲା । ନବଙ୍କ ପ୍ରଭାବରେ କାଳେ ପ୍ରବଳରୁ ଅତି ପ୍ରବଳ ଚାନ୍ଦା କମ୍ପାନୀ ମାନଙ୍କ ଠାରୁ ଆଦାୟ ହେଉଥିଲା । ଟ୍ରାନ୍ସପୋର୍ଟ ବେପାର ଚାଲିଥିଲା । ଫ୍ଲାଏ ଆସ ବେପାର ବି ଥିଲା । ଏଥିସହ ପ୍ରତିଟି କ୍ଷେତ୍ରରୁ ଚାନ୍ଦା ଆଦାୟ ହେଉଥିଲା । ଏପରିକି ବିଜେଡିର ଖାସ ଅଫିସରଙ୍କ ସମ୍ପର୍କୀୟମାନେ କରୁଥିବା ଠିକା ବେପାରରୁ ବି କାଳେ ନବଙ୍କର ଚାନ୍ଦା ଥିଲା । ଯାହା ଅଫିସରଙ୍କର ହଜମ ହେଉନଥିଲା । ବିଜେଡିକୁ ଚଳାଉଥିବା ଅଫିସର କୋଟେରୀ, ଛାମୁଆ ନେତା ଓ ନବୀନଙ୍କ ପାଇଁ ବି ନିରାପଦ ସ୍ଥିତି ରହିଲା ନାହିଁ । ପୂରା ପଶ୍ଚିମ ଓଡ଼ିଶାର ବିଜେଡିକୁ ନିୟନ୍ତ୍ରଣ କରି ସେ ଏକଚାଟିଆ ଶାସନ କରିବେ ବୋଲି ଲାଗିଥିଲେ । ତେଣୁ ପୋଲିସ ଲଗାଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଲା ।
ଏତେସବୁ କାରଣରୁ କାଳେ ନବଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିଲେ ମଧ୍ୟ ନୀରବ ରହିଲେ ଝିଅ ଦୀପାଳୀ ଓ ପୁଅ ବିଶାଲ । ଦୀପାଳୀ ଟିକେଟ ପାଇବା ଏବଂ ବିଶାଲ ଅନୈତିକ ବେପାରର ସୁରକ୍ଷା ପାଇଁ ବାପାଙ୍କ ହତ୍ୟାର ଅସଲ କାରଣ ବି ଖୋଜିବାକୁ କାଳେ ପ୍ରସ୍ତୁତ ହେଲେ ନାହିଁ । ଯାହା ତୃତୀୟ ମହଲାରୁ ନିଦେ୍ର୍ଦଶ ଗଲା ତାହା ହିଁ ସେମାନେ ମାନିଲେ । ପ୍ରଶ୍ନ ଉଠାଇଲେ ବିପଦ ଆସିବ ଓ ଚୁପ ରହିଲେ, ସବୁ ପ୍ରକାର ସହାୟତା ଓ ସୁରକ୍ଷା ମିଳିବ ବୋଲି ବି କୁହାଯାଇଥିବା ଚର୍ଚ୍ଚା ହେଲା । ସେଥିପାଇଁ ଉଭୟ ଦୀପାଳୀ ଓ ତାଙ୍କ ଭାଇ ବିଶାଲ ଚୁପ ରହିଲେ । ଯାହାର ଫଳ ସ୍ୱରୂପ ଦୀପାଳୀ ହେଲେ ବିଧାୟିକା ଆଉ ବିଶାଲଙ୍କ ପାଉଁଶ ଠୁ ଟ୍ରାନ୍ସପୋର୍ଟ ବେପାର ସବୁ ଚାଲିଲା ।
ଏବେ ଲୋକେ ଦୀପାଳୀଙ୍କୁ ହଟାଇ ଦେଲେ । ଫଳରେ ସବୁ କିଛି ଗଣିତ ଓଲଟପାଲଟ ହୋଇଗଲା । ହଜାର ହଜାର କୋଟିର ବେପାର ମାଡ଼ ଖାଇବାକୁ ଯାଉଥିବାରୁ ଦୀପାଳୀ ଓ ଭାଇ ବିଶାଲ କାଳେ ବିବ୍ରତ । ନବୀନ କୋଟେରୀ କାଳେ ସୁରକ୍ଷା ଦେଇ ପାରୁ ନାହାନ୍ତି । ବିଶାଲ ବେପାରକୁ ବଞ୍ଚାଇବା ପାଇଁ ଲାଗିଛନ୍ତି । ବିଶାଲ ଫସିଲେ, ଦୀପାଳୀ ବି ହଇରାଣ ହେବେ ବୋଲି କୁହାଯାଉଛି । ତେଣୁ ଛତିଶଗଡ଼ ପୋଲିସ ବିଶାଲଙ୍କୁ ଅଟକାଇ ଦେବାରୁ ବିଳାପ କଲେ ଦୀପାଳୀ । ଝାରସୁଗୁଡ଼ାରେ ଗଣମାଧ୍ୟମକୁ ଡାକି ନାନା କଥା କହିଲେ । ସେଥିରେ ହେଲା ନାହିଁ, ରାଜଧାନୀ ଆସି ଏଠାରେ ବି ଗଣମାଧ୍ୟମକୁ ମନଇଚ୍ଛା କଥା କହିଲେ । ଏହାକୁ ଦେଖି ଅନେକେ ପ୍ରଶ୍ନ କରୁଛନ୍ତି, ଦୀପାଳୀ ଏବେ ଭାରି ଆକ୍ଟିଭ । ଏହି ତତ୍ପରତା ଯଦି ବାପାଙ୍କ ହତ୍ୟା ବେଳେ ଦେଖାଇଥାନ୍ତେ, ହୁଏତ ଆଜି ହାରିବାକୁ ପଡ଼ି ନଥାନ୍ତା । ସେତେବେଳେ ଚୁପ କାହିଁକି ରହିଲେ ଦୀପାଳୀ? ଏପର୍ଯ୍ୟନ୍ତ ବି ବାପାଙ୍କ ହତ୍ୟାକାଣ୍ଡକୁ ନେଇ ନୀରବ ରହିଛନ୍ତି । ପୋଲିସ ଉପରେ ଦୋଷ ଲଦୁଛନ୍ତି, ସେହି ପୋଲିସର ତଦନ୍ତ ଉପରେ ପ୍ରଶ୍ନ କାହିଁକି ଉଠାଉ ନାହାନ୍ତି ଦୀପାଳୀ? ନବଙ୍କ ହତ୍ୟା ପଛର କୌଣସି କାରଣ ଏବେ ପର୍ଯ୍ୟନ୍ତ ପଦାକୁ ଆସିନାହିଁ? ବାସ୍ତବ କାରଣ ଜାଣିବାକୁ ଚାହୁଁ ନାହାନ୍ତି କି ଦୀପାଳୀ ଓ ବିଶାଲ? ନା ସେକଥା ଉଠାଇ ରାବଣର ଲଙ୍କାରେ ନିଆଁ ଲଗାଇବାକୁ ଡରୁଛନ୍ତି? ଏହାର ଉତ୍ତର ଦେବେ ତ ଦୀପାଳୀ ଓ ବିଶାଲ ନା ଚୁପ ରହିଯିବେ?
State
ଦାରିଙ୍ଗବାଡି ( ଦ କୁଇଭର ):- ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ରେ ଶନିବାର ଶୀତ ମହୋଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ୧୧ ତାରିଖ ରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ। ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ,ମୁଖ୍ୟ ବକ୍ତା ମାନ୍ୟବର ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ମାନ୍ୟବର ଶ୍ରୀମତୀ ଅନିତା ଶୁଭଦର୍ଶିନି ପଟ୍ଟନାୟକ ,ପୂର୍ବତନ ବିଧାୟକ ଯାକବ ପ୍ରଧାନ,ସରପଞ୍ଚ ଚନ୍ଦ୍ରିକା ମଲିକ ,ଜିଲ୍ଲାପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ମହୋତ୍ସବରେ ଯୋଗ ଦେଇଥିଲେ। ମାନ୍ୟବର ସାଂସଦ ଶୀତ ମହୋଉତ୍ସବ ରେ ପଡିଥିବା ବିଭିନ୍ନ ଷ୍ଟଲ ବୁଲି ଥିଲେ । ଏହି ମହୋତ୍ସବର ଶୁଭ ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲା ଓଡ଼ିଶୀ ନୃତ୍ୟ ,ଓଡ଼ିଆ ଭଜନ ଗାୟକ ସୌରଭ ଭରଦ୍ୱାଜ ଏବଂ ଆଧୁନିକ ଗାୟକ ସତ୍ୟଜିତ୍ ପ୍ରଧାନ ଙ୍କ ଗୀତ ରେ ସ୍ରତା ମାନେ ଝୁମି ଉଠିଥିଲେ । ଶୀତ ବଡିବା ସାଙ୍ଗକୁ ଦର୍ଶକ ମାନଙ୍କ ଭିଡ଼ ବଢିବାରେ ପରିଲକ୍ଷିତ ହେଇଥିଲା ।
Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?
ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।
ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?
State,National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ମେଳା ୨୦୨୫କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ ।
ତେବେ ପ୍ରୟାଗରାଜକୁ ଓଡିଶାରୁ ଯାତାୟାତ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ମଧ୍ୟରେ ' ଭୁବନେଶ୍ୱର -ତୁଣ୍ଡଲା- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ', ' ପୁରୀ -ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍', 'ଟିଟିଲାଗଡ- ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍', ' ବିଶାଖାପାଟନମ୍- ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍', 'ତିରୁପତି - ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍', 'ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍' ଆଦି ଟ୍ରେନ ଗୁଡିକ ଓଡିଶା ଦେଇ ପ୍ରୟାଗରାଜରେ ଅନୁଷ୍ଠିତ ହୋଉଥିବା ମହାକୁମ୍ଭ ଉପଲକ୍ଷେ ଯାତ୍ରା କରିବ l
ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁମ୍ଭ ଓ୍ବାର ରୁମ୍ ଉଦଘାଟନ କରାଯାଇଛି । ଏହା ୨୪ ଘଣ୍ଟା କାର୍ଯ୍ୟ କରିବ । ଅନ୍ୟପଟେ ୯ଟି ରେଳ ଷ୍ଟେସନରେ ୧ ହଜାର ୧୭୬ଟି ସିସିଟିଭି ଲଗାଯାଇଛି । ଏହି ଓ୍ବାର ରୁମରୁ ସିସିଟିଭିଗୁଡିକ ଯାଞ୍ଚ କରାଯିବ ।
National
ଦ କୁଇଭର ବ୍ୟୁରୋ :- ହିନ୍ଦୁ ଧର୍ମ ଓ ପରମ୍ପରାର ମହାନ ପର୍ବ ହେଉଛି ମକର ସଂକ୍ରାନ୍ତି। ଉତ୍ତର ଓଡ଼ିଶାରେ ଗଣପର୍ବ ଭାବରେ ପାଳନ କରାଯାଇଥାଏ। ଏହିଦିନ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହେବା ସହିତ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ଆଜି ବା କାଲିର ନୁହେଁ। କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ହେଲେ ଏହି ଦିନ କଣପାଇଁ ଗୁଡି ଉଡାଯାଇଥାଏ ଆସନ୍ତୁ ଜାଣିବା ଏହା ପଛର ପୌରାଣିକ ରହସ୍ୟ।
ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳେଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୋଇ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହି ଭୋଗକୁ ‘ମକର ଚାଉଳ’ ବୋଲି କୁହାଯାଏ। ଏହି ଭୋଗ ପରସ୍ପରଙ୍କୁ ଖୁଆଇ ଲୋକେ ‘ମକର’ ବସନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଦ୍ବାରା ମନ ଉତଫୁଲିତ ରହିବା ସହ ଶରୀରକୁ ଅନେକ ଲାଭ ମିଳିଥାଏ। ସକାଳର ସୂର୍ଯ୍ୟକିରଣରେ ଗୁଡି ଉଡାଇବା ଦ୍ବାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଏହା ସହ ଶରୀରକୁ ଭିଟାମିନ ଡି ମଧ୍ୟ ମିଳିଥାଏ। ସୂର୍ଯ୍ୟକିରଣ ଶରୀରରେ ପଡିବା ଦ୍ବାରା ଚର୍ମ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଗୁଡିକୁ ମୁକ୍ତ, ଖୁସୀ ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି କୁହାଯାଏ। କେତେକ ସ୍ଥାନରେ ଲୋକ ଏହି ଅବସରରେ ତ୍ରିରଙ୍ଗା ଗୁଡି ଉଡାଇଥାନ୍ତି। କୁହାଯାଏ ଯେ, ଗୁଡି ଉଡାଇବା ଦ୍ବାରା ମସ୍ତିଷ୍କ ସନ୍ତୁଳିତ ରହିବା ଦ୍ବାରା ହୃଦୟ ଉତଫୁଲିତ ରହିଥାଏ।
ଏହା ସହ ଗୁଡିକୁ ପ୍ରେମର ବାର୍ତ୍ତା ବୋଲି ମଧ୍ୟ କୁହାଯାଏ। ମକର ସଂକ୍ରାନ୍ତି ଦିନ ପିଲାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ମେଳାର ଆୟୋଜନ କରାଯାଏ। ଏହି ଅବସରରେ ଲୋକେ ନାଚଗୀତ ମଧ୍ୟ କରିଥାନ୍ତି। ଏହି ଦିନ ପବିତ୍ର ନଦୀରେ ସ୍ନାନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି।
Sports
କଟକ( ଦ କୁଇଭର ):- ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ୭୧ ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ ୨୦ ରୁ ୨୩ ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ l
ତେବେ ୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା । ଏହାକୁ ଦୃଷ୍ଟିରେ ରଖି କବାଡି ଫେଡେରେସନ୍ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି । ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେପିରେ ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦବଦବା ବେଶ ଅଧିକ । ଆରଏସଏସ ସହମତି ବା ସମ୍ପୃକ୍ତି ବିନା ବିଜେପିରେ ତିଷ୍ଠିବା କିମ୍ବା ଆଗକୁ ବଢ଼ିବା ସମ୍ଭବ ନୁହେଁ । ଏକଥା ପ୍ରାୟ ସମସ୍ତେ ଜାଣନ୍ତି । ଆରଏସଏସ ବାହାରୁ ଆସି ବିଜେପିରେ ପାଦ ଦେଇଥିବା ଅନେକ ନେତା ଏହି ସମୀକରଣ ବୁଝିବା ବେଳକୁ ଡେରି ହୋଇଯାଏ ଓ ସେମାନେ ଏକଘରିଆ ହୋଇ ରହିଯାଆନ୍ତି । ଏକଥାକୁ ବୁଝି ଗଲେଣି ଅପରାଜିତା । ଅପରାଜିତା ଏବେ ରାଜ୍ୟର ଅନେକ ପୁରୁଖାଙ୍କୁ ଟକ୍କର ଦେବାକୁ ବସିଛନ୍ତି । ରାଜ୍ୟରେ ବିଜେପିର ପ୍ରଭାବ ଓ ପତିଆରା କିପରି ସକରାତ୍ମକ ଦିଗରେ ଚାଲିବ ସେଥିପାଇଁ ଲାଗିଛନ୍ତି । ହେଲେ ତାଙ୍କୁ ବାଟ ଓଗାଳୁଛି ଆରଏସଏସ ବ୍ୟାଜ । ତାଙ୍କ ପାଖରେ ସେହି ବ୍ୟାଜ ନଥିବାରୁ ସେ ଏବେ ଆରଏସଏସର ନିକଟତର ହେବା ଆରମ୍ଭ କରିଛନ୍ତି । ଆରଏସଏସ ପୁରୁଖାଙ୍କ ସହ ବନ୍ଧୁତ୍ୱ ବଢ଼ାଇବା ସହ ଆରଏସଏସ ପ୍ରଭାତ ଶାଖାରେ ସାମିଲ ହେଲେଣି । ଆରଏସଏସର ଶୁଭ ନଜର ଅପରାଜିତାଙ୍କ ଉପରେ ପଡ଼ିଲେ, ସେ ଅନେକ ପୁରୁଖାଙ୍କୁ ଧୂଳି ଚଟାଇ ଦେବେ ବୋଲି କୁହାଯାଉଛି ।
ବିଜେପିରେ ଆରଏସଏସର ପ୍ରାଧାନ୍ୟ କିଏ ନଜାଣେ? ଆରଏସଏସ ଶୁଭ ଦୃଷ୍ଟି ବିନା ବିଜେପିରେ ନିଜର ପରିଚୟ ସୃଷ୍ଟି କରିବା ଏକପ୍ରକାର ଅସମ୍ଭବ । ଯେତେ ଦକ୍ଷତା ଥାଉ ପଛେ, ଆରଏସଏସ ବ୍ୟାଜ ବିନା ବିଜେପିରେ ଆଗକୁ ଯିବା ସମ୍ଭବ ହୋଇ ନଥାଏ । ଏକଥା ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ଜାଣିଗଲେଣି । ଅପରାଜିତା ବିଜେପିର ପ୍ରଭାବ ଓ ପତିଆରାକୁ ସକରାତ୍ମକ ଦିଗରେ ନେବାକୁ ଲାଗିଛନ୍ତି । ହେଲେ ତାଙ୍କ ବାଟ କାଳେ ରୋକୁଛନ୍ତି ଆରଏସଏସର ପୁରୁଣା ବ୍ୟାଜ ଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାଜିତାଙ୍କ ପ୍ରତିଟି କାମକୁ ତାଙ୍କ ଗୋଷ୍ଠୀ ପେଙ୍ଗା କରିଦେଉଛନ୍ତି । ଏପରିକି ରାଜ୍ୟରେ ମୋହନ ସରକାରଙ୍କୁ ଧର୍ମେନ୍ଦ୍ର ରିମୋର୍ଟରେ ଚଳାଉଥିବାର ଦୁର୍ନାମ ଏବେ ବିଜେପିକୁ ଭାରି ପଡ଼ିଲାଣି । ଏକଥା କେନ୍ଦ୍ରୀୟ ନେତୃତ୍ୱ ଶୁଣିଲେ ମଧ୍ୟ ଆରଏସଏସ ସମ୍ପୃକ୍ତି ନେଇ ଚୁପ ରହୁଥିବା କୁହାଯାଉଛି ।
ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀ ଓ ତାଙ୍କ ସମର୍ଥକ ତଥା ଅନେକ ମନ୍ତ୍ରୀ, ଏମପି ଓ ବିଧାୟକ ମାନଙ୍କୁ ଠିକର କାମ କରାଇ ଦେଉନଥିବା ଚର୍ଚ୍ଚା ହେଉଛି । ସବୁ କିଛି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ନିୟନ୍ତ୍ରଣ କରୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ସରକାର ଠପ ହୋଇଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ସୋ କରୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ଼ ସୋ କରି ନିଜର ପତିଆରା ମୁଖ୍ୟମନ୍ତ୍ରୀଙ୍କ ଠୁ ବି ଅଧିକ ବୋଲି ଦେଖାଉଥିବା କୁହାଯାଉଛି । ହଁ ସେହି ରୋଡ଼ ସୋରେ ମାଡ଼ପିଟ ହେଲେ ପଛେ ହେଉ ସେଥିରୁ ଯାଏ ଆସେ ନାହିଁ । ତାଙ୍କ ଗୋଷ୍ଠୀ ଏବେ କର୍ମୀ ଓ ସୁରକ୍ଷା କର୍ମୀଙ୍କୁ ବି ମାଡ଼ପିଟ କଲେଣି । ଦଳ ଭିତରେ ଭିନ୍ନ ବାତାବରଣ କାଳେ ସୃଷ୍ଟି କରୁଛନ୍ତି । ଯାହା ଦଳକୁ ପ୍ରଭାବିତ କରୁଛି ।
ଆରଏସଏସ ବାହାରୁ ଆସି ବିଜେପିରେ ପ୍ରଭାବ ବିସ୍ତାର କରୁଥିବା ଅପରାଜିତାଙ୍କୁ ଆରଏସଏସ ବ୍ୟାଜ ହିଁ ଆଗକୁ ନେଇ ପାରିବ । ତେଣୁ ସେ ଆରଏସଏସ କ୍ୟାମ୍ପରେ ନିଜକୁ ସାମିଲ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଅପରାଜିତା ଆରଏସଏସ ମୁଖ୍ୟ ମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଯାଇ ଭେଟିବା ସହ ଏବେ ଆଞ୍ଚଳିକ ଶାଖାରେ ବି ସେ ପ୍ରବେଶ କଲେଣି । ଶାଖାର ଅନେକ ପୁରୁଖାଙ୍କ ସହ ମିଶିବା ସହ ପ୍ରଭାତ ଶାଖାରେ ବି ଯୋଗଦେଲେଣି । ମକର ସଂକ୍ରାନ୍ତି ଅବସରରେ ଆରଏସଏସର ପ୍ରଭାତ ଶାଖାରେ ସାମିଲ ହୋଇଛନ୍ତି ଅପରାଜିତା । ଆଗକୁ ଆରଏସଏସର ପ୍ରଭାତ ଶାଖାରେ ସେ ସାମିଲ ହୋଇ ଆରଏସଏସ ଭିତରକୁ ପଶିବାକୁ ତାଙ୍କ ଅଭିଯାନ ଜାରି ରଖିବେ ବୋଲି କୁହାଯାଉଛି । ଆରଏସଏସ ଅପରାଜିତାଙ୍କୁ ଆପଣେଇ ନେଲେ, ଅପରାଜିତାଙ୍କ ରାସ୍ତା ରୋକୁଥିବା ଅନେକ ପୁରୁଖା ଶୂନ ହୋଇଯିବେ ବୋଲି କୁହାଯାଉଛି । ଦେଖାଯାଉ ଅପରାଜିତା ଆରଏସଏସକୁ ପଶି ପାରୁଛନ୍ତି ନା ବାହାରେ ରହିଯାଉଛନ୍ତି?
Education
ଦ କୁଇଭର ବ୍ୟୁରୋ :- ଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । ଜାନୁଆରି ୧୫ ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
State,National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍ । ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ଆଜିଠୁ ଓଡ଼ିଶାରୁ ଗଡ଼ିଛି ୮ଟି ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିଛି ବସ୍ । ବ୍ରହ୍ମପୁରରୁ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ଓଏସଆରଟିସି କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବସରେ ୪୨ ଜଣ ଯାତ୍ରୀ ବସି ଅଯୋଧ୍ୟାକୁ ଯାଇପାରିବେ । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍ଆରଟିସି ।
State
କେନ୍ଦୁଝର ( ଦ କୁଇଭର ):- ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ l
ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ବାସଭବନରେ ପହଂଚି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l
National,Education
ଝାଡଖଣ୍ଡ ( ଦ କୁଇଭର ):- ଝାଡଖଣ୍ଡର ଏକ ଘରୋଇ ସ୍କୁଲରେ ଘଟିଛି ଲଜ୍ଜାଜନକ ଘଟଣା । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ୍ । ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ ୮୦ ଜଣ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ, ଶେଷରେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିଲେ ଛାତ୍ରଛାତ୍ରୀ । ଗୁରୁବାର ଦିନ ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ଏକ ଜଣାଶୁଣା ଘରୋଇ ସ୍କୁଲରେ ଏପରି ଘଟଣା ଘଟିବା ପରେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ।ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ଆଗକୁ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗୁରୁବାର ଶେଷ ଦିନ ଥିଲା । ସେହି ଦିନକୁ ସ୍ମରଣୀୟ କରିବାକୁ ଦଶମ ଶ୍ରେଣୀର ଛାତ୍ରୀମାନେ ପେନ ଡେ ପାଳନ କରୁଥିଲେ। ସମସ୍ତ ପରସ୍ପରର ସାର୍ଟରେ ବିଦାୟକାଳୀନ ମେସେଜ ଲେଖୁଥିଲେ । କିନ୍ତୁ ଏହା ସ୍କୁଲର ପ୍ରିନ୍ସିପାଲ୍ ଏମ୍ ଦେବଶ୍ରୀଙ୍କୁ ପସନ୍ଦ ଆସିନଥିଲା। ଏହା ପରେ ପ୍ରଥମେ ସମସ୍ତ ଛାତ୍ରୀଙ୍କୁ ଏକ କ୍ଲାସକୁ ନେଇଥିଲେ । ୮୦ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ । ଖାଲି ଏତିକି ନୁହେଁ, ସାର୍ଟ ଖୋଲିବା ପରେ କୌଣସି ଛାତ୍ରୀଙ୍କୁ ସାର୍ଟ ପିନ୍ଧିବାକୁ ଅନୁମତି ମଧ୍ୟ ଦେଇନଥିଲେ କେବଳ ବ୍ଲେଜର ପିନ୍ଧିବାକୁ ଅନୁମତି ଦିଆଯାଇଥିଲା। ଏନେଇ ସ୍କୁଲ ଆଡମିନିଷ୍ଟ୍ରେସନକୁ ଜଣାଇଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଶେଷରେ ବିନା ସାର୍ଟିରେ କେବଳ ବ୍ଲେଜର ପିନ୍ଧି କାନ୍ଦି କାନ୍ଦି ଘରକୁ ଫେରିଥିଲେ ସମସ୍ତ ଛାତ୍ରୀ । ପିତାମାତାଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । ଛାତ୍ରୀ ମାନେ ଏବେ ଏହି ପେନ ଡେକୁ ଦିବସକୁ ଏକ ଆଘାତ ଦିବସ ବୋଲି କହୁଛନ୍ତି l
ଘଟଣା ସମ୍ପର୍କରେ ଛାତ୍ର ମାନଙ୍କ ଅଭିଭାବକ ଜାଣିବା ମାତ୍ରେ କ୍ରୋଧିତ ହୋଇ ଆଜି ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ ମଧ୍ୟ ଅଭିଭାବକଙ୍କ ସହିତ ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଭାବକ ଏବଂ ବିଧାୟକ ରାଗିଣୀ ସିଂହ ଡିସି ମାଧବୀ ମିଶ୍ରଙ୍କ ସହ କଥା ହୋଇଥିଲେ। ଅଭିଭାବକମାନେ କହିଛନ୍ତି ଯେ, ଡିସି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ।ଜିଲ୍ଲା ପ୍ରଶାସନ ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛି। ଏହି ଘଟଣାର ତଦନ୍ତ ପାଇଁ ଏକକମିଟି ଗଠନ କରାଯାଇଛି। ତଦନ୍ତ କମିଟି ସ୍କୁଲକୁ ଯାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ। ସେମାନଙ୍କ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
National
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା। କାରଣ ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଥିପାଇଁ MoU ସ୍ୱାକ୍ଷରିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ମିଳିବ ସ୍ୱାସ୍ଥ୍ୟସେବା।
ଉଲ୍ଲେଖ ଯୋଗ୍ୟ, ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ।
ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯,୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯୪୯ ପ୍ରକାର ମେଡିକାଲ ସେବାର ସୁବିଧା ରହିଛି।
ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟାନ୍ତ ମଧ୍ୟ ନିଦାନ ଓ ମେଡିସିନ ସୁବିଧା ରହିଛି। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ରାଜ୍ୟରେ ଉଭୟ ଯୋଜନାର ମିଶ୍ରଣ ହେଲେ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଏବଂ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ।
State
ଦ କୁଇଭର ବ୍ୟୁରୋ :- ଏଥର ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଡାନ୍ସର । ମଙ୍ଗଳବାର ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଖଣ୍ଡଗିରି ଥାନା ପରିସରରେ ମଙ୍ଗଳବାର ଏନେଇ ବିଭିନ୍ନ କମିଟି ସହ ପୋଲିସ ପ୍ରଶାସନର ବୈଠକ ବସିଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରାଜଗତକୁ କଳଙ୍କିତ କରୁଥିଲେ କିଛି ଆଇଟମ ଡାନ୍ସର । ଆଇଟମ ଡ୍ୟାନ୍ସ ନାଁରେ ଓଡ଼ିଆ ସଂସ୍କୃତି ଅପମାନିତ ହେଉଥିଲା । ଅଶ୍ଳୀଳତାର ମାତ୍ରା ଏତେ ହୋଇଥିଲା ଯେ, ସପରିବାର ଯାତ୍ରା ଦେଖିବା ମଧ୍ୟ ସମ୍ଭବ ହେଉନଥିଲା । ବରିଷ୍ଠ କଳାପ୍ରେମୀମାନେ ଏନେଇ ଯାତ୍ରା ଓ ମଞ୍ଚ ଅଭିନୟରୁ ମୁହଁ ଫେରିବାରେ ଲାଗିଥିଲେ । ଏହି ପ୍ରସଙ୍ଗ ଗଣମାଧ୍ୟମରେ ମଧ୍ୟ ବିତର୍କର ବିଷୟ ହୋଇଥିଲା । କେବଳ ଖଣ୍ଡଗିରି ଯାତ୍ରା ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରେ ଏପରି ଅଶ୍ଳୀଳ ନୃତ୍ୟର ଅଭିଯୋଗ ଆସିବାରେ ଲାଗିଥିଲା । କିଛି ସ୍ଥାନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏପରି ଲଗାମଛଡା ପ୍ରଦର୍ଶନ ଉପରେ ରୋକ ଲାଗିବା ପାଇଁ କଳାପ୍ରେମୀ ଓ ବୁଦ୍ଧିଜୀବୀମହଲରେ ବାରମ୍ବାର ଦାବି ଉଠୁଥିଲା । ସରକାର ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ ବୁଦ୍ଧିଜୀବୀ ।
ତେବେ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଯାତ୍ରା କମିଟି ଓ ପ୍ରଶାସନ ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହିତ ସ୍ବେଛାସେବୀ ନିୟୋଜିତ କରିବା ଭଳି ଦିଗ ଉପରେ ଆଲୋଚନା ହୋଇଛି ।
Politics,State
ବ୍ରହ୍ମପୁର(ଦ କୁଇଭର): ଟାଟା ପାୱାର ଗ୍ରାହକ ଶୋଷଣ ବା ଲୁଟ ପାଇଁ ନୂଆ ରାସ୍ତା ବାହାର କରିଛି । ଡିଜିଟାଲ ମିଟର ଠିକ ଥିଲେ ମଧ୍ୟ ଖରାପ କରିଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ୨ ଶହରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ବିଜୁଳୀ ସମାନ ଜାଳିବେ, ହେଲେ ବିଲ ଦେବେ ଅଧିକ । ଏହାକୁ ଲୋକେ ବିରୋଧ କରୁଛନ୍ତି । ହେଲେ ଟାଟା ପାୱାର କାଳେ ରାଜ୍ୟ ବିଜେପି ସରକାର ସହ ଚୁକ୍ତି କରିଛି ଏହି ଲୁଟ ପାଇଁ । ତେଣୁ ରାଜ୍ୟ ସରକାର ଚୁପ ବସିଛନ୍ତି ଆଉ ଟାଟା ଲୁଟ ଆରମ୍ଭ କରିଛି । ଏପରି ଲୁଟକୁ ସାନଖେମୁଣ୍ଡିରେ ବିରୋଧ କରାଯାଇଛି । ଟାଟା ଅଧିକାରୀ ମାନଙ୍କୁ ଘେରାଉ କରି ରଖାଯାଇଥିଲା । ସେହିପରି ପୂର୍ବରୁ ପୁରୀ ଜିଲ୍ଲା ଗୋପରେ ମଧ୍ୟ ଗୋଡ଼େଇଥିଲେ । ପୁରୀରେ ଟାଟା ଅଧିକାରୀ ମାନଙ୍କୁ ଚପଲରେ ମାଡ଼ ଦେବାକୁ ବି କୁହାଯାଇଥିଲା । ତଥାପୀ ସେମାନେ ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକଙ୍କୁ ଲୁଟିବାକୁ ଲାଗି ପଡ଼ିଛନ୍ତି ।
ଏବେ ଆସିବା ପ୍ରସଙ୍ଗକୁ । ରାଜ୍ୟ ସରକାରଙ୍କ ଭିତ୍ତିଭୂମିକୁ ନେଇ ଟାଟା ପାୱାର ବିଜୁଳୀ କର ଆଦାୟରେ ଲାଗିଛି । ପୂର୍ବରୁ ଥିବା ମିଟରରେ ବିଜୁଳୀ ଚୋରୀ ହେଉଥିବାରୁ ଡିଜିଟାଲ ମିଟର ଲାଗିଲା । ସେହି ମିଟର ବେଶ ଭଲ କାମ କରୁଛି । ପ୍ରାୟତଃ ଚୋରୀର ଅଭିଯୋଗ ନାହିଁ । ଏହାବାଦେ ଟାଟା ପାୱାର ଯଦି ମାସେ କି ଦୁଇମାସ ବିଜୁଳୀ ବିଲ ବାକି ରହିଲା, ବିଜୁଳୀ କାଟି ଦେଉଛନ୍ତି । ସେଥିପାଇଁ ବିଜୁଳୀ ବିଲ ଆଦାୟ ବି ଠିକ ହେଉଛି । ହେଲେ ସେବା ମିଳୁନାହିଁ । ଆଜି ବି ପୂରୁଣା ଭିତ୍ତିଭୂମିରେ ସେବା ଦେଉଛି ଟାଟା । ଯେଉଁଥିରେ ବିଜୁଳୀ ପରିବହନ କ୍ଷତି ବଢ଼ୁଛି ଓ ସେହି କ୍ଷତି ଗ୍ରାହକଙ୍କ ମୁଣ୍ଡରେ ବୋଳୁଛି ।
ସେଥିରେ ମନ ଭରିଲାନି ଟାଟାର । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଲାଗି ପଡ଼ିଲାଣି । ଏହା ହେଲେ ଗ୍ରାହକମାନେ ଲୁଟର ଶୀକାର ହେବେ । ସ୍ମାର୍ଟ ମିଟର ବାବଦରେ ତ ଟଙ୍କା ଦେବେ, ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଜୁଳୀ ବିଲ ଲୁଟ ହୋଇ ପାରିବ । ବିଲ ରିଡର ମାନେ କାରସାଦି କରି ସବୁ ବିଗାଡ଼ି ଦେବେ । ଯାହାକୁ ନେଇ ଏବେ ବିରୋଧ ବଢ଼ିଲାଣି । ଯଦି ଡିଜିଟାଲ ମିଟର ଠିକ ଅଛି, ତେବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ କଲେଣି । ପୂର୍ବରୁ ଡିଜିଟାଲ ମିଟର ଲଗାଇବା ବାବଦକୁ ପ୍ରତିମାସ ୪୦ ଟଙ୍କା ଲେଖାଏ ୬୦ମାସ ନେଇଛନ୍ତି । ଏବେ ସ୍ମାର୍ଟ ମିଟର ମୂଲ୍ୟ ୭ହଜାର ଟଙ୍କା । ଡିଜିଟାଲ ମିଟର ଠିକ ଥିବା ବେଳେ ସ୍ମାର୍ଟ ମିଟର ବାବଦରେ ଗ୍ରାହକଙ୍କ ଉପରେ ୭ହଜାର ଟଙ୍କା ବୋଝ ପକାଇବ । ଏହାଦ୍ୱାରା ଟାଟା ପାୱାର ରାଜ୍ୟରୁ ପ୍ରାୟ ୧୫ଶହ କୋଟି ଟଙ୍କା ଲୁଟିନେବ । ଏହାବ୍ୟତୀତ ସ୍ମାର୍ଟ ମିଟରରେ ବିଲ ଶୋଷଣ ବି ସୁବିଧା ହେବ । ଏକଥାକୁ ନେଇ ଆମ ଆଦମୀ ପାର୍ଟି ତାର ଅଭିଯାନ ଚଳାଇଛି । ଟାଟା ବିରୋଧରେ ଆପର ଏହି ଅଭିଯାନ ଦ୍ୱାରା ଲୋକେ ତାତିଲେଣି । ଟାଟା ସିଧା ସଳଖ ଲୁଟ କରୁଛି । ଏହି ଲୁଟ ପଛରେ ବିଜେପି ସରକାରଙ୍କ ହାତ ଥିବା କୁହାଯାଉଛି । ପ୍ରତିମାସ ୩୦୦ ୟୁନିଟ ବିଜୁଳୀ ମାଗଣା ଦେବାକୁ କହି ସରକାରକୁ ଆସିଥିବା ବିଜେପି ମାଗଣା ନଦେଉ ପଛେ ଶୋଷଣ ତ ନକରୁ ବୋଲି ଲୋକେ କହୁଛନ୍ତି । ଦେଖାଯାଉ ବିଜେପି ସରକାର ଟାଟାକୁ ନିୟନ୍ତ୍ରଣ କରୁଛି ନା ଲୋକେ ଟାଟା ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି?
Politics
ଭୁବନେଶ୍ୱର(ଦ କୁଇଭର): ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣି୍ରଗାହୀ ବିଜେଡି ମୁହଁରେ ତୁଣ୍ଡି ବାନ୍ଧି ଦେଲେ । ନବୀନ ସରକାରଙ୍କ ସମୟରେ ତାଙ୍କ ନାମରେ ହୋଇଥିବା ମାମଲାରୁ ନିଦେ୍ର୍ଦାଷରେ ଖଲାସ ହେବା ପରେ ପ୍ରଦୀପ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ବଡ଼ ପ୍ରଶ୍ନ ଉଠାଇଥିଲେ । ଏପରିକି ପାଣ୍ଡିଆନଙ୍କୁ ଖୁସି କରିବାକୁ ଯାଇ କିଛି ଆଇପିଏସ କରିଥିବା ଆଇନ ବାହାରର କାମ ଉପରେ ବି କେହି ଜବାବ ଦେଇ ପାରି ନାହାନ୍ତି । ପ୍ରଦୀପଙ୍କୁ କିପରି କାଉଣ୍ଟର କରାଯିବ ସେହି ବାଟ ଖୋଜୁଛି ବିଜେଡି । ପ୍ରଦୀପଙ୍କ ପ୍ରଶ୍ନର ଜବାବ ଏବେ ବି ଖୋଜା ଚାଲିଛି । କ’ଣ ରହିବ ଜବାବ ଆଉ କିଏ ଦେବ ଜବାବ ତାହା ବି ଧାର୍ଯ୍ୟ କରିପାରୁନି । ପୂରା ବିଜେଡି ଶିବିର ଅଡ଼ୁଆରେ ପଡ଼ିଯାଇଛି । ଦଳର ପୁରୁଖା ମାନଙ୍କ ଅକଲ ଗୁଡ଼ୁମ ହୋଇଯାଇଛି । ଦଳ ଭିତରେ କିଛି ଠିକ ଚାଲୁ ନଥିବାରୁ ଦଳର ନେତାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।
ବିଜେଡିରୁ ଆସି ବିଜେପିରେ ମିଶିବା ପରେ ବ୍ରହ୍ମପୁର ଏମପି ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରେ ଥିବା ବେଳେ ପ୍ରଦୀପଙ୍କୁ ନାନା ପ୍ରକାର ହଇରାଣ କରାଯାଇଥିଲା । ପ୍ରଦୀପଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ତାଙ୍କୁ ବଦନାମ କରାଯାଇଥିଲା । ମିଛ ମାମଲା କରାଯାଇଥିଲା । ଏପରି ଅନେକ ଅଭିଯୋଗ ଆଣିଥିଲେ ପ୍ରଦୀପ । ମାତ୍ର ସରକାରରେ ଥିବା ବିଜେଡି ସବୁକୁ ଉପେକ୍ଷା କରି ତାଙ୍କ ନାମରେ ମାମଲା କରି ଜେଲ ପଠାଇଥିଲା । ହେଲେ ନବୀନ ସରକାରଙ୍କ ପୋଲିସ ମାମଲାର ତଦନ୍ତ ବେଳେ କିଛି ବି ପ୍ରମାଣ ପାଇ ନଥିଲା । ଫଳରେ ପ୍ରଦୀପ ଏବେ ନିଦେ୍ର୍ଦାଷରେ ଖଲାସ ହେଲେ । ପ୍ରଦୀପ ଖଲାସ ହେବା ପରେ ତାଙ୍କ ନାମରେ କିଏ ଓ କାହିଁକି ମିଥ୍ୟା ମାମଲା କରିଥିଲା । ରାଜ୍ୟର କି କି ହାନୀ ବିଜେଡି କରିଛି ଓ କରିବାକୁ ଯୋଜନା କରିଛି, ସବୁ ଖୋଲିବା ଆରମ୍ଭ କରିଛନ୍ତି ।
ପ୍ରଦୀପଙ୍କ ବିରୋଧରେ ମାମଲା କରି ତାଙ୍କୁ ଜନବିରୋଧୀ ନେତା କହିଥିଲେ ନବୀନ । ଏବେ ମାମଲାରୁ ଖଲାସ ହେବା ପରେ ନବୀନଙ୍କ ଜନବିରୋଧୀ ଘୋଷଣା ମିଛ ବୋଲି ସ୍ପଷ୍ଟ ହୋଇଛି । ନବୀନ ମିଛ ଘୋଷଣା କରିଥିବାରୁ ସେ ଜନବିରୋଧୀ ନୁହେଁ କି ବୋଲି ବି ପ୍ରଶ୍ନ କଲେଣି ପ୍ରଦୀପ । ଏଥିସହ ତାଙ୍କ ପାଇଁ ଆଇନକୁ କିପରି ମୋଡ଼ି ମକଚି ଦିଆଗଲା, ତାହା ବି କହିଲେଣି । ଆଇପିଏସ ମାନେ କିପରି ବିଜେଡିର ହାତ ବାରିସି ହୋଇ କାମ କରୁଥିଲେ ସେକଥା କହି ବିଜେଡିର ଭାବମୂର୍ତ୍ତୀକୁ ବଦନାମ କରିଦେଲେଣି । ଆଗକୁ ନବୀନ-ପାଣ୍ଡିଆନଙ୍କ ଗୁମର ଖୋଲିବେ ବୋଲି ବି କହିଲେଣି । ପ୍ରଦୀପଙ୍କ ଏହି କଥାକୁ ବିଜେଡି ଜବାବ ଦେଇ ପାରୁନାହିଁ । ଦଳ ଭିତରେ ଏବେ ଟଣାଓଟରା ଚାଲିଲାଣି । କିଏ କହିବ ଓ କ’ଣ ଜବାବ ଦେବ? ଏକଥା ଭାବି ଭାବି ବିଜେଡି ପୁରୁଖାଙ୍କର ଅକଲ ଗୁଡ଼ୁମ ହୋଇଗଲାଣି । ଯଦି ପ୍ରଦୀପ ଗୁମର ଖୋଲିଲେ, ତେବେ ବିଜେଡି ଦୋହଲିଯିବ ବୋଲି ବେଳ ପ୍ରଦୀପ ନୁହନ୍ତି, ବିଜେଡିରୁ ଆସି ବିଜେପିରେ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦେବ ବି କହିଲେଣି । ଏକଥାକୁ ବିଜେଡିର ଅନେକ ନେତା ବି ଭିତରେ ଭିତରେ ମାନିଲେଣି । ଏହାର ମୁକାବିଲା ରାସ୍ତା ପାଉନଥିବାରୁ ବିଜେଡି ଘାଣ୍ଟି ହେଉଛି । ଦେଖାଯାଉ ପ୍ରଦୀପ ନବୀନ-ପାଣ୍ଡିଆନଙ୍କ କେଉଁ ଗୁମରକୁ ଆଗ ଖୋଲୁଛନ୍ତି ଓ କି ପ୍ରଭାବ ପଡ଼ୁଛି?
State,Education
ଦ କୁଇଭର ବ୍ୟୁରୋ :-:ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା । ଦିନକୁ ଦିନ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ଆତ୍ମହତ୍ୟାରେ ଯେତିକି ଜୀବନ ଯାଉନି ତାଠୁ ବେଶୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଆମ ସମାଜ ଉପରେ ସାମାଜିକ, ଭାବନାତ୍ମକ ଓ ଅର୍ଥନୈତିକ ପ୍ରଭାବ ପକାଉଛି । ବୟସ୍କଙ୍କ ତୁଳନାରେ କିଶୋର କିଶୋରୀଙ୍କ ଆତ୍ମହତ୍ୟା ହାର ବେଶୀ । ଅଧିକାଂଶ ଟିନ ଏଜ୍ ବା ୧୩ ରୁ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ମଧ୍ୟରେ ପୁଅଙ୍କ ଠାରୁ ଝିଅଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ।
ଆତ୍ମହତ୍ୟା ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କିଏ ବେକରେ ରଶି ଦେଇ ? କିଏ ଅସ୍ତ୍ରଶସ୍ତ୍ର ଦ୍ୱାରା ନିଜକୁ ଆଘାତ ଦଉଛି ତ ଆଉ କିଏ ଛାତରୁ ଡେଇଁ ପଡ଼ି କିମ୍ବା ରେଳଧାରଣାରେ ଶୋଇ ନିଜ ଜୀବନ ହାରୁଛି । ଏହାର କାରଣକୁ ନେଇ ଭିନ୍ନ ମତ ଆସୁଛି କିନ୍ତୁ ସାମାଜିକ, ପାରିବାରିକ ସମସ୍ୟା ଅଧିକ ।
ଏକାକୀପଣ ଏହାର ପ୍ରଥମ ସମସ୍ୟା । ଆଗରୁ ସମସ୍ତେ ଯୌଥ ପରିବାରରେ ମିଳିମିଶି ରହୁଥିଲେ ତେଣୁ ପିଲାମାନେ ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇ ପାରୁଥିଲେ କିନ୍ତୁ ଆଜିକାଲି ଏକକ ପରିବାରକୁ ସମସ୍ତେ ଆପଣେଇ ନେଲେଣି ଯେଉଁଥିରେ କେବଳ ବାପା,ମାଆ ଓ ଛୁଆ ରହୁଛନ୍ତି । ବାପା ମାଆ ମଧ୍ୟ ନିଜ ବୃତ୍ତିକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ଛୁଆ ପାଇଁ ବି ସେମାନଙ୍କ ପାଖେ ସମୟ ନାହିଁ । ପିଲାର ସବୁ ଆବଶ୍ୟକତାକୁ ପୂରଣ ତ କରିଦେଉଛନ୍ତି କିନ୍ତୁ ବାପା ମାଆଙ୍କ ସ୍ନେହ ପିଲାମାନେ ପାଇପାରୁ ନାହାଁନ୍ତି । କାହାର ସ୍ନେହ ନପାଇ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଯେଉଁଥିପାଇଁ ସେମାନଙ୍କ ମନରେ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ଆସୁଛି ଆଉ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।
ଦ୍ୱିତୀୟତଃ ଏକାଡେମିକ ବିଫଳତା । ଆଜିକାଲି ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଅନଲାଇନ କ୍ଲାସ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀ ଠିକ ଭାବେ ପାଠ ବୁଝିପାରୁ ନାହାଁନ୍ତି କି କ୍ଲାସ ବି ଠିକ ସେ କରୁ ନାହାଁନ୍ତି ଯେଉଁଥିପାଇଁ ସେମାନଙ୍କର ପାଠ ପ୍ରତି ଆଗ୍ରହ ଧିରେ ଧିରେ କମିଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ କରିବା ବାହାନାରେ ଗେମ୍ ଖେଳୁଛନ୍ତି, ମୁଭି ଦେଖୁଛନ୍ତି ଏବଂ ସୋସିଆଲ ମିଡିଆରେ ଲିପ୍ତ ରହି ସମୟ ନଷ୍ଟ କରୁଛନ୍ତି । ପାଠପଢ଼ାରେ ଅନିୟମିତତା ଯୋଗୁଁ ପରୀକ୍ଷାରେ କମ ନମ୍ବର ଆଣୁଛନ୍ତି ଆଉ ସେଥିପାଇଁ ଉଦାସରେ ରହି ମାନସିକ ଚାପ ପାଇ ଶେଷରେ ଆତ୍ମହତ୍ୟା କରୁଛନ୍ତି ।
ତୃତୀୟତଃ ଅପବ୍ୟବହାର । ପିତାମାତାଙ୍କ ନକରାତ୍ମକ ବ୍ୟବହାର ଏବଂ ଅସଦାଚରଣ ପାଇଁ ପିଲାଙ୍କ ସହିତ ସେମାନଙ୍କର ଉଚ୍ଚ ବିବାଦ, ନିମ୍ନ ଘନିଷ୍ଠତା ସୃଷ୍ଟି ହେଉଛି । ସାଙ୍ଗସାଥୀ କିମ୍ବା ଅନ୍ୟ କୈାଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ଅପବ୍ୟବହାର ପାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଦୁରେଇ ରହୁଛନ୍ତି । ଫଳରେ ମାନସିକ ଆଘାତ ପାଇ ନିଜକୁ ଏକାକୀ ରଖୁଛନ୍ତି । ଏକାକୀପଣ କାରଣରୁ ସେମାନଙ୍କ ମନକୁ ଅନେକ ଭୁଲ ଚିନ୍ତାଧାରା ଆସିଥାଏ ଏବଂ ଶେଷରେ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି ।
ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ । ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଖରାପ ସାଙ୍ଗମାନଙ୍କ ସହ ମିଶି ନିଶାସକ୍ତ ଅବସ୍ଥାରେ ଅନେକ ଅସାମାଜିକ, ଅପରାଧମୂଳକ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଲୋକନିନ୍ଦା ଓ ସାମାଜିକ ଗଣମାଧ୍ୟମରୁ ନିଜକୁ ବଞ୍ଚାଇବା ପାଇଁ ଅନେକେ ଆତ୍ମହତ୍ୟା କରୁଛନ୍ତି ।
ଯେତେବେଳେ କୈାଣସି ସମସ୍ୟା ପାଇଁ ସେମାନେ ଚାରିଆଡ଼ୁ ନିରାଶ ହୋଇଯାନ୍ତି ମାନସିକ ଚାପରେ ରହି ଆତ୍ମହତ୍ୟାକୁ ହିଁ ଶେଷ ସମାଧାନ ଭାବେ ବାଛି ନିଅନ୍ତି ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି, ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ କାହାର ଜୀବନ ଚାଲିଯାଏ । ତେବେ କାହିଁକି ଏଭଳି ଚିନ୍ତାଧାରା ପିଲାଙ୍କ ମନକୁ ଆସୁଛି ? ପାଠ ପଢ଼ି ନିଜ କ୍ୟାରିଅର ଗଢ଼ିବା ବୟସରେ ସେମାନେ ନିଜ ଜୀବନ ହିଁ ହାରି ଦେଉଛନ୍ତି । ଅତ୍ୟଧିକ ବାହ୍ୟଜ୍ଞାନ ଉପରେ ଧ୍ୟାନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉନି ତ ? ନା ବାପାମାଆଙ୍କ ଅବହେଳା ପାଇଁ ଏପରି ହେଉଛି ।
Education
ପାରଳାଖେମୁଣ୍ଡି( ଦ କୁଇଭର ):- ରବିବାର ସଂଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇ ଶିଶୁ ମନ୍ଦିରର ଶୈକ୍ଷିକ ବ୍ୟବସ୍ଥାର ପ୍ରଶଂସା କରିବା ସହ ଏହାର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଜପତିର ଜିରାଙ୍ଗ୍ ସ୍ଥିତ ବୌଦ୍ଧ ମନ୍ଦିର ର ମୂଖ୍ୟ ଗୁରୁ କେମ୍ଫୋଜୀ ଶିଶୁ ମନ୍ଦିର ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ମୁଖ୍ୟବକ୍ତା ଡଃ ଅନ୍ନପୂର୍ଣ୍ଣା ଦେବୀ ନିଜ ବକ୍ତବ୍ୟରେ ସାଂପ୍ରତିକ ସମୟରେ ଉତ୍ତମ ସନ୍ତାନ ଗଠନରେ ପରିବାର ତଥା ମାତୃଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ।ସଂପାଦକ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସହ ସଂପାଦକ ଶ୍ରୀ ବିଭୁତି ଭୂଷଣ ରଥ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଇତ୍ୟବସରରେ ଅଙ୍ଗଦାନୀ ଯୁବକ ଦିବଙ୍ଗତ ନରେଶ ପଟ୍ଟନାୟକଙ୍କ ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗତ ଶିକ୍ଷାବର୍ଷରେ ଅନୁଷ୍ଠାନର ମାଟ୍ରିକ ଟପ୍ପର ଶ୍ରୀମାନ ସୁଶୋଭନ ପାତ୍ରଙ୍କୁ ଭାରତୀ ସାହୁ ସ୍ମୁତି ସମ୍ମାନ ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିଶୁ ମନ୍ଦିରର ଦୁଇ ଜଣ ପୂର୍ବଛାତ୍ର ଶ୍ରୀମାନ ଗୁପ୍ତେଶ୍ବର ମହାପାତ୍ର ଓ ଶ୍ରୀମାନ ଦେବବ୍ରତ ଗୌଡ଼ଙ୍କୁ ଓ ଏ ଏସ୍ ଏବଂ ଓ ଆର୍ ଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାରଗିଲ୍ ଯୁଦ୍ଧର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଭାବସ୍ପର୍ଶୀ କ୍ଷୁଦ୍ରନାଟିକା "ବଳିଦାନ"ମଞ୍ଚସ୍ଥ ହୋଇଥିଲା।ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ବ ଛାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ଯକ୍ରମ ସଫଳ ହୋଇଥିଲା।
State,National,Health & lifestyle
ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ। ଏଥିପାଇଁ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ସୂଚନା ଦେଇଛନ୍ତି। ଆଜି ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଆୟୁଷ୍ମାନ ଯୋଜନା ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ ହେବା ଫଳରେ ଏହି କାର୍ଡ ଦ୍ବାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ଫେବ୍ରୁଆରି ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ଲାଗୁ କରିବାକୁ ନେଇଥିବା ପ୍ରତିବନ୍ଧକକୁ ଦୂର କରିବା ପରେ ଆଜି ନୂଆଦିଲ୍ଲୀରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ। ପୁରୁଣା କାର୍ଡର ପରିବର୍ତ୍ତନ ହେବ ଲୋଗୋ।
ତେବେ ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ। ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
National
ରାଜନଗର(ଦ କୁଇଭର): ଓଡ଼ିଶା ଭିତରେ ପଶି ଗୁଣ୍ଡାରାଜ କରିଛନ୍ତି ବଙ୍ଗାଳୀ । ବଙ୍ଗାଳୀ କି ବାଂଲାଦେଶୀ ତାହା ତ ସ୍ପଷ୍ଟ ହୋଇନାହିଁ, ତଥାପି ବଙ୍ଗାଳୀଙ୍କ ଗୁଣ୍ଡାଗିରି ଏବେ ସୀମା ପାର ହୋଇଛି । କେବଳ ଗୁଣ୍ଡାଗିରି କରିନାହାନ୍ତି, ବନ ବିଭାଗ ହେପାଜତରୁ ୯ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ପଳାଇଛନ୍ତି । ଆତ୍ମରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ଗୁଳି ଚଳାଇ ନଥିଲେ, ପାଟ୍ରୋଲିଂ ଟ୍ରଲରକୁ ବୁଡ଼ାଇ ଦେଇଥାନ୍ତେ ବୋଲି ଜଣାପଡ଼ିଛି । ଏପରି ଗୁଣ୍ଡାଗର୍ଦ୍ଦି ଓଡ଼ିଶା ସୀମା ପ୍ରତି ସାଂଘାତିକ ବିପଦର ଆଶଙ୍କାକୁ ବଢ଼ାଇଛି ।
ଅଲିଭ ରିଡଲେ କଇଁଚଙ୍କ ପ୍ରଜନନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟାରଣ୍ୟରେ କଟକଣା ରହିଛି । ଏହି ଅଭୟାରଣ୍ୟରେ ମାଛ ନଧରିବାକୁ କଡ଼ା ନିଦେ୍ର୍ଦଶ ରହିଛି । ଆନ୍ତର୍ଜାତିକ ପରିବେଶ ସୁରକ୍ଷା ପାଇଁ ଏହାକୁ ସୁରକ୍ଷା ଦେଉଛି ବନ ବିଭାଗ । ହେଲେ ଏହି ଅଭୟାରଣ୍ୟରେ ଭଦ୍ରକ, ବାଲେଶ୍ୱର, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ବାଂଲାଦେଶର ଟ୍ରଲର ମାନେ ଆସି ମାଛ ଧରୁଛନ୍ତି । ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ ଟ୍ରଲରରେ ବାଂଲାଦେଶୀମାନେ ଆସି ମାଛ ଧରୁଛନ୍ତି । ମାଛ ଧରିବା ବେଳେ ଶହଶହ କଇଁଚଙ୍କୁ ମାରି ଫିଙ୍ଗି ଦେଉଛନ୍ତି । ଅଭୟାରଣ୍ୟରେ ମାଛ ଧରାଯିବା ସମ୍ପର୍କରେ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ କାଳରେ ଗୋଟିଏ ବାଲେଶ୍ୱରର ଟ୍ରଲର ସମେତ ପ୍ରାୟ ୯ଟି ଟ୍ରଲର ମାଛ ଧରୁଥିବା ଦେଖାଯାଇଥିଲା ।
ଇନ ବିଭାଗ ପକ୍ଷରୁ ଗୋଟିଏ ଟ୍ରଲରକୁ ଜବତ କରାଯାଇଥିଲା । ସେହି ଟ୍ରଲରର ଚାଳକ ଓ ଅନ୍ୟ ମାନଙ୍କୁ ଅଟକ ରଖିଥିଲା । ସେମାନଙ୍କ ଠାରୁ ଖବର ପାଇ ଅନ୍ୟ ଟ୍ରଲର ଗୁଡ଼ିକ ବନ ବିଭାଗର ପାଟ୍ରୋଲିଂ ବୋଟକୁ ଘେରିଗଲେ । ସେଥିରେ ଥିବା ବାଂଲାଦେଶୀ, ବଙ୍ଗାଳୀ ଓ ବାଲେଶ୍ୱର ଏବଂ ଭଦ୍ରକ ଚୁଡ଼ାମଣିର ମାଛଧରାଳିମାନେ ପାଟ୍ରୋଲିଂ ବୋଟକୁ ବୁଡ଼ାଇ ଦେବାକୁ ଉଦ୍ୟମ କଲେ । ଚାରିପଟୁ ଘେରିଯାଇ ସମୁଦ୍ର ଭିତରେ ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ବନ ବିଭାଗର ସହାୟତା ପାଇଁ ମେରାଇନ ଥାନା ପୋଲିସ ବି ପହଞ୍ଚି ପାରିନଥିଲା । ମେରାଇନ ଥାନାର ବୋଟ ଅଚଳ ଥିବାରୁ ସେମାନେ ଯାଇ ପାରିନଥିଲେ । ସମୁଦ୍ର ଭିତରେ ଏପରି ଆତଙ୍କରାଜରୁ ବଞ୍ଚିବା ପାଇଁ ବନ ବିଭାଗ ଅଧିକାରୀ ଫାଙ୍କ ଗୁଳି ଚାଳନା କରିଥିଲେ ।
ଏଥିରେ ମାଛ ମାଫିଆମାନେ ଭୟଭୀତ ହୋଇଥିଲେ ମଧ୍ୟ ବାଂଲାଦେଶୀମାନେ ବନ ବିଭାଗର ଟ୍ରଲରରେ ଅଟକ ଥିବା ୯ଜଣ ମାଛ ଧରାଳୀଙ୍କୁ ଉଠାଇ ନେଇ ପଳାଇଥିଲେ । ତେବେ ବନ ବିଭାଗ କେବଳ ଗୋଟିଏ ଟ୍ରଲର ଓ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବାଂଲାଦେଶୀମାନେ ଓଡ଼ିଶା ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗର ବାବୁମାନେ ଟଙ୍କା ନେଇ ମାଛ ମାଫିଆ ମାନଙ୍କୁ ସୁଯୋଗ ଦେଉଥିବାରୁ ସେଠାରେ ଏପରି ରିତିମତ ଚାଲିଛି । ଏହା ଏକ ପରିକଳ୍ପିତ ନାଟକ ବୋଲି କୁହାଯାଉଛି । ଦେଖାଯାଉ ବନ ବିଭାଗ ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷା ଦେଇ ପାରୁଛି ନା ବାଂଲାଦେଶୀମାନେ ଏଠାରେ ଆତଙ୍କ ଚଳାଉଛନ୍ତି?