ଦକୁଇଭର ବ୍ୟୁରୋ :- କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେପ୍ଟେମ୍ବର ୬ରେ ରିଲିଜ୍ ହେବନି ଏହି ଫିଲ୍ମ। ମଧ୍ୟପ୍ରଦେଶ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବମ୍ବେ ହାଇକୋର୍ଟ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକାଳି ଦଳ ଏବଂ ଶିଖ୍ ସମ୍ପ୍ରଦାୟର କିଛି ଗୋଷ୍ଠୀ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଏ ଉପରେ ଶୁଣାଣି କରି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାପରେ ସିନେମାର ସହ-ନିର୍ମାତା ଜି ଷ୍ଟୁଡିଓ ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆଜି ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି କଙ୍ଗନାଙ୍କ 'ଏମର୍ଜେନ୍ସି'କୁ ତୁରନ୍ତ ସାର୍ଟିଫିକେଟ ନଦେବାକୁ ସେଣ୍ଟ୍ରାଲ ବୋର୍ଡ ଫିଲ୍ମ୍ ସାର୍ଟିଫିକେସନ୍ (ସିବିଏଫସି)କୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ଉପରେ ପୁନଃ ବିଚାର କରି ନିଷ୍ପତ୍ତି ନେବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିପାଇଁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ ଶିଖ୍ ସମ୍ପ୍ରଦାୟ 'ଏମର୍ଜେନ୍ସି' ସ୍କ୍ରିନିଂକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତ ଯେ, ସିନେମାରେ ଶିଖ୍ ସମ୍ପ୍ରଦାୟକୁ ନିଷ୍ଠୁର ଭାବେ ପ୍ରଦର୍ଶନ କରାଯାଇଛି। ଏହା ସମାଜରେ ଶିଖ୍ ସମ୍ପ୍ରଦାୟକଙ୍କ ପ୍ରତି ଭୁଲ୍ ଧାରଣା ସୃଷ୍ଟି କରିବ। ସେପ୍ଟେମ୍ବର ୬ରେ 'ଏମର୍ଜେନ୍ସି' ରିଲିଜ୍ ହୋଇପାରିବ ନାହିଁ।
ସେପଟେ ଏହି ପ୍ରତିବନ୍ଧକ ଲାଗିବା ପରେ ସୋସିଶାଲ ମିଡିଆରେ ପୋଷ୍ଟ ସେଆର କରି କଙ୍ଗନା କହିଛନ୍ତି, "ମୁଁ ବର୍ତ୍ତମାନ ସମସ୍ତଙ୍କର ଟାର୍ଗେଟ ହୋଇଯାଇଛି। ଏହି ମୂଲ୍ୟ ଶୋଇ ରହିଥିବା ଦେଶକୁ ଜାଗ୍ରତ କରିବା ପାଇଁ ଦେବାକୁ ପଡ଼ୁଛି।"
No comments yet.
Shree Jagannath
ପୁରୀ( ଦ କୁଇଭର ):- ଶରଧାବାଲିରେ ପହଂଚିଛି ତିନିରଥ,ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବେ ପହଁଚିଛି | ଆଉ ନନ୍ଦିଘୋଷ ରଥ ଏବେ ପହଂଚିଥିବାବେଳେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଂଚିଥିଲେ | ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ଯାଏଁ ନେଇଯାଇଥିଲେ | ଉଲ୍ଲେଖ ଥାଉ କି ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା । ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲା। ସେହିପରି ସିଂହଦ୍ବାରରେ ଅଟକିଯାଇଥିଲା ମହାବାହୁଙ୍କ ରଥ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଆଉ ବନ୍ଦ ହୋଇଥିଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ଯେ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଆଉ ସେହି ଘୋଷଣା ମୁତାବକ ଆଜି ସକାଳେ ରଥଟଣା ଆରମ୍ଭ ହୋଇଥିଲା | ଆଉ ଏବେ ଶରଧାବାଲିରେ ତିନି ରଥ ପହଞ୍ଚିସାରିଛନ୍ତି |
State,Shree Jagannath
ଦ କୁଇଭର ବ୍ୟୁରୋ:- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମ୍ପତି ମଧ୍ୟ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ରବିବାର ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ସଫଳତାର ସହ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଆଜି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ବହୁ ଜାତୀୟ ସ୍ତରର ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Education
ଦ କୁଇଭର ବ୍ୟୁରୋ:- ରାଜ୍ୟର ଶିଶୁବାଟିକାଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଯତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକାମାନଙ୍କର ଆବଶ୍ୟକତା ରହିଛି ।ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ସେବିକାମାନେ ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ତା’ଉପରେ ନଜର ରଖିବେ, ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା,ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରିବା, ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା,ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ,ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା,ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା, କୌଣସି ପରିସ୍ଥିତିରେ ଶିଶୁ ସେବିକାମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ ।
Shree Jagannath
ପୁରୀ ( ଦ କୁଇଭର ):- ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ ।ସୂଚନା ଅନୁସାରେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ସେହିପରି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଯଦିଓ ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେପୋଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।ଏହା ପର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚିଥିଲା ।
State
ମୟୁରଭଞ୍ଜ( ଦ କୁଇଭର ):- ଆଜି ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ରବିବାର ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡିଛି । ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ବନ୍ଦ ରହିବାକୁ ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।
National,International
ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି। ଶୁଭାଂଶୁ ବର୍ତ୍ତମାନ ଆକ୍ସମ୍-୪ ମିସନ୍ର ଏକ ଅଂଶ ଭାବରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଛନ୍ତି। ୧୪୦ କୋଟି ଭାରତୀୟଙ୍କ ତରଫରୁ ମୋଦୀ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆପଣ ମାତୃଭୂମିରୁ ସବୁଠାରୁ ଦୂରରେ ଅଛନ୍ତି। କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ଏହାପରେ ଶୁକ୍ଳା ଧନ୍ୟବାଦ ଜଣାଇ କହିଥିଲେ ଯେ ମୋଦୀଙ୍କ ନେତୃତ୍ୱ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିଛି। ଆଜି ଆପଣ ଆମ ମାତୃଭୂମିଠାରୁ ବହୁତ ଦୂରରେ, କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟରେ ଅଛନ୍ତି। ‘ଆପକେ ନାମ ମେଁ ଭି ଶୁଭ ହୈ ଔର ଆପ୍କୀ ଯାତ୍ରା ନୟେ ୟୁଗ କା ଶୁଭାରମ୍ଭ ଭି ହୈ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ‘ଏହି ସମୟରେ କେବଳ ଆମେ ଦୁହେଁ କଥାବାର୍ତ୍ତା କରୁଛୁ, କିନ୍ତୁ ୧୪୦ କୋଟି ଭାରତୀୟଙ୍କ ଭାବନା ମଧ୍ୟ ମୋ ସହିତ ରହିଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଦ୍ଦୀପନା ରହିଛି। ମହାକାଶରେ ତ୍ରିରଙ୍ଗା ଉତ୍ତୋଳନ କରିଥିବାରୁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସେଠାରେ ସବୁ କିଛି ଠିକ୍ ଅଛି କି? ଆପଣ ଭଲ ଅଛନ୍ତି କି?’ ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ଏହାର ଜବାବରେ ଶୁକ୍ଳା କହିଥିଲେ, ଆପଣଙ୍କର ଓ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଏଠାରେ ଭଲ ଓ ସୁରକ୍ଷିତ ଅଛି। ମୁଁ ବହୁତ ଭଲ ଅନୁଭବ କରୁଛି, ଏହା ଏକ ନୂତନ ଅନୁଭୂତି।ଏହି ଯାତ୍ରା କେବଳ ମୋର ନୁହେଁ, ବରଂ ସମଗ୍ର ଦେଶର ଯାତ୍ରା। ଆପଣଙ୍କ ନେତୃତ୍ୱରେ ଆଜିର ଭାରତ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛି। ଏଠାରେ ଭାରତର ପ୍ରତିନିଧିତ୍ୱ କରି ମୁଁ ଗର୍ବ ଅନୁଭବ କରୁଛି। ଶୁକ୍ଳା ଆହୁରି କହିଛନ୍ତି ଯେ ସେ ତାଙ୍କ ସହ ଅନେକ ଭାରତୀୟ ଖାଦ୍ୟ ଯଥା ଗାଜର ହାଲୁଆ, ମୁଗଡାଲି ହାଲୁଆ ଓ ଆମ୍ବ ରସ ନେଇଥିଲେ। ଅନ୍ୟ ଦେଶରୁ ଯେଉଁମାନେ ତାଙ୍କ ସହିତ ଏ ଅଭିଯାନରେ ସାମିଲ ହୋଇଛନ୍ତି ସେମାନେ ସମସ୍ତେ ଭାରତୀୟ ଖାଦ୍ୟର ମଜା ଉପଭୋଗ କରିଛନ୍ତି। ସେମାନେ ସମସ୍ତେ ଏହାକୁ ବାଣ୍ଟି ଖାଇଥିଲେ ଓ ସମସ୍ତେ ଏହାକୁ ପସନ୍ଦ କରିଥିଲେ ବୋଲି ଶୁକ୍ଳା କହିଛନ୍ତି।
ମହାକାଶରୁ ପୃଥିବୀର ଦୃଶ୍ୟ ବର୍ଣ୍ଣନା କରି ଶୁକ୍ଳା କହିଥିଲେ ଯେ ଏହା ଗୋଟିଏ ଗୋଲାକାର ପିଣ୍ଡ ପରି ଦେଖାଯାଉଛି ଏବଂ ଦେଶ ଦେଶ ଭିତରେ କୌଣସି ସୀମା ନାହିଁ। ମହାକାଶରୁ ଭାରତ ଭବ୍ୟ ଏବଂ ବହୁତ ବଡ଼ ଦେଖାଯାଉଛି। ମାନଚିତ୍ରରେ ଆମେ ଯାହା ଦେଖୁଛୁ, ତା’ଠାରୁ କାହିଁ କେତେ ବଡ଼ ଓ ବିଶାଳ। ଯେତେବେଳେ ଆମେ ପୃଥିବୀକୁ ବାହାରୁ ଦେଖିଲୁ, ସେତେବେଳେ ଲାଗିଲା ଯେ କୌଣସି ସୀମା ନାହିଁ, କୌଣସି ରାଷ୍ଟ୍ର ବା ଦେଶ ନାହିଁ। ଆମେ ସମସ୍ତେ ମାନବିକତାର ଅଂଶ, ପୃଥିବୀ ହେଉଛି ଆମର ଗୋଟିଏ ଘର ଏବଂ ଆମେ ସମସ୍ତେ ଏଥିରେ ଅଛୁ। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଅଭିଯାନର ୪୧ ବର୍ଷ ପରେ ଶୁକ୍ଳା ହେଉଛନ୍ତି ଦ୍ବିତୀୟ ଭାରତୀୟ ଯିଏ କି ମହାଶୂନ୍ୟକୁ ଯାଇଛନ୍ତି। ଶୁକ୍ଳା ନିଜ ବାର୍ତ୍ତାରେ କହିଛନ୍ତି, ଏହା ମୋର ଆଇଏସ୍ଏସ୍ ଯାତ୍ରାର ଆରମ୍ଭ ନୁହେଁ, ବରଂ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଆକ୍ସମ୍-୪ (ଆକ୍ସ-୪) କ୍ରୁ’ଙ୍କୁ ନେଇ ଯାଇଥିବା ଡ୍ରାଗନ୍ କ୍ୟାପସୁଲ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସଫଳତାର ସହ ଡକ୍ କରିଛି। ଏହି ଐତିହାସିକ ମୁହୂର୍ତ୍ତରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ, କକ୍ଷପଥରେ ପାଦ ରଖିଛନ୍ତି।
State
ଗଞ୍ଜାମ ( ଦ କୁଇଭର ):-- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା l ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବି ସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୌତ୍ରିକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା ତାଙ୍କର ପୌତ୍ରିକ ଘର ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ବର୍ତମାନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
Shree Jagannath,State
ପୁରୀ( ଦ କୁଇଭର ):- ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏହା ସହିତ ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ବାଇଁ ଓ ଏସ୍ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ୍ ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହା ସହିତ ଡିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।
Shree Jagannath,Health & lifestyle,State
ଗଞ୍ଜାମ, ପୁରୁଷୋତ୍ତମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି। ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବରାମ ବେହେରା(୩୦)। ଶୁକ୍ରବାର ଅପରାହ୍ଣରେ ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସେହି ଭିଡ଼ ଭିତରେ ଶିବରାମ ମଧ୍ୟ ଥିଲେ। ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ରଥଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ଅନୁସଂଧାନ କରୁଛି।
State,Shree Jagannath
ଦ କୁଇଭର ବ୍ୟୁରୋ:- ଆଜି ପବିତ୍ର ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି ନାହାଁନ୍ତି । ଏଣେ ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ପ୍ରତିକାର ବି ଲୋଡ଼ିଛନ୍ତି । ପରାମର୍ଶ ପାଇବା ପରେ ରଥ ନିକଟକୁ ଆସି ଲକ୍ଷ୍ମୀ ଠାକୁରାଣୀ ଗୋଡ଼ ଟେକି ବସିଲେଣି । ହେରା ପଞ୍ଚମୀରେ ମା ଖାଲି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବେ ନାହିଁ, ବରଂ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ପତି-ପତ୍ନୀଙ୍କ ମଧ୍ୟରେ ଅଭିମାନ ଓ ରୋଷର ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ଭକ୍ତମାନେ ବି ଚାହିଁ ବସିଛନ୍ତି । ଆଜି ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବେ । ପରେ ବନକଲାଗି ହୋଇ ପାଟ ଶାଢ଼ି ଏବଂ ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ପୂଜାପଣ୍ଡା ସେବକଙ୍କ ଦ୍ବାରା ପନ୍ତି ଭୋଗ କରାଯାଏ । ପରେ ବଟ ବୃକ୍ଷ ତଳେ ଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାଆନ୍ତି । ମାଁଙ୍କୁ ବିମାନରେ ବିମାନ ବଡ଼ୁ ସେବକମାନେ ଘଣ୍ଟ, କାହାଳି, ଛତା ମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆଣିଥାଆନ୍ତି । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ବାର ନିକଟକୁ ଆସିଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଆସି ମହାଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଟେରା ପଡ଼େ । ନୀତି ଶେଷ ହେବା ପରେ ମହାଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡେ ଭାଙ୍ଗିବା ପରେ ହେରା ଗୋହିରୀ ବାଟେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ l
State
ଦ କୁଇଭର ବ୍ୟୁରୋ:- ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଯାଞ୍ଚ ବେଳେ ସୁଶୀଲ ମିଳିଛି ଅମାପ ସମ୍ପତ୍ତି। ଭିଜିଲାନ୍ସ ଯାଞ୍ଚ ବେଳେ ଠାବ ହୋଇଛି ଏକ ବହୁତଳ କୋଠା, ଦୁଇଟି ଫ୍ଲାଟ, ୬ ଟି ବହୁମୁଲ୍ୟ ପ୍ଲଟ, ୧୨୬ ଗ୍ରାମର ସୁନା ଗହଣା ସହ ନଗଦ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା। ଏହା ସହିତ ଏକ କୋଟିର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଜମା ଥିବା ଜବତ କରିଛି ଭିଜିଲାନ୍ସ। ଆଉ ୨ ଦିନ ପରେ ଅବସର ନେଇଥାନ୍ତେ ସୁଶୀଲ ପଣ୍ଡା।
Shree Jagannath
ପୁରୀ, ( ଦ କୁଇଭର ):- ଆଜି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଗହଳି ବଢ଼ିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା। ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି। ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।
Shree Jagannath,State
ଦ କୁଇଭର ବ୍ୟୁରୋ:- ରତ୍ନବେଦି ଛାଡ଼ି ଜନ୍ମବେଦିରେ ବିରାଜିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥରେ ଗଡ଼ିବା ବେଳେ ବିଳମ୍ବ କଲେ, କିନ୍ତୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଲେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ପହଣ୍ଡି ୬ଟା ୫୦ରେ ଆରମ୍ଭ ହୋଇଥିଲା। ୯ଟା ୩୫ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିସାରିଥିଲେ।ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିରରେ ସୋମବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ବିଳମ୍ବିତ ରାତିରେ ଆଡ଼ପ ମଣ୍ଡପରୁ ଚାରମାଳ ଫିଟାଯାଇଛି।
ଶନିବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ଟାରୁ ୧୧ଟା ୨୦ ମଧ୍ୟରେ ତିନି ରଥରେ ଚନ୍ଦନଲାଗି ହୋଇଥିଲା। ୧୧ଟା ୨୦ରୁ ବଡ଼ସିଂହାର ବେଶ ଆରମ୍ଭ ହୋଇଥିଲା। ରାତି ୧୧ଟା ୪୦ରୁ ବଡ଼ସିଂହାର ବେଶ ଶେଷ ପରେ ୧୨ଟା ମଧ୍ୟରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ପରେ ରାତି ୧୨ଟା ୧୫ରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା।ଆଜି ସକାଳ ୬ଟା ୧୫ରୁ ୬ଟା ୨୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ୩ଟା ୨୫ରେ ଘୋଡ଼ା ଫିଟା ଓ ଚାରବନ୍ଧା ଆରମ୍ଭ ହୋଇଥିଲା। ସାଢ଼େ ୬ଟାରେ ଚାରବନ୍ଧା ଶେଷ ହୋଇଥିଲା। ସେହିପରି ଆଜି ସନ୍ଧ୍ୟା ୬ଟା ୫୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ।
ବୁଧବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ହେବ। ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଜୁଲାଇ ୧ରେ ରେ ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣମୋଡ଼, ୪ ତାରିଖରେ ସନ୍ଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
State,Shree Jagannath
ପୁରୀ ( ଦ କୁଇଭର ):- ଶରଧାବାଲିରେ ଦଳାଚକଟା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଦାୟିତ୍ୱରେ ଅବହେଳା କାରଣରୁ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି | ପୁରୀ ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବାବେଳେ ସେମାନଙ୍କ ସ୍ଥାନରେ ଚଂଚଳ ରାଣାଙ୍କୁ ଜିଲ୍ଲାପାଳ ଓ ପିନାକ ମିଶ୍ରଙ୍କୁ ଏସପି ଭାବେ ଦାୟିତ୍ୱ ଦିଆଯାଇଛି |ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଥିବାବେଳେ ଆଡିସନାଲ ଏସପି ଥିବା ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ମଧ୍ୟ ରାଜ୍ୟ ସରକାର ସସ୍ପେଣ୍ଡ୍ କରିଛନ୍ତି | ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି | ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବାବେଳେ ଉନ୍ନୟନ କମିଶନରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ରଥଯାତ୍ରାରେ ଭିଡ଼ଜନିତ ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ପଦକ୍ଷେପ ନେଇଛନ୍ତି |
State,Shree Jagannath
ପୁରୀ( ଦ କୁଇଭର ):- ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା l ଆଜି ପବିତ୍ର ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ରଥଯାତ୍ରାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଏହିପରି ବର୍ଷା ଜୁଲାଇ ୨ ତାରିଖ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ଦ କୁଇଭର ବ୍ୟୁରୋ :- ଆଗାମୀ ୨୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଆଗାମୀ ୬ ଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ଆସନ୍ତାକାଲି ଠାରୁ ଜୁଲାଇ ୧ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ ପ୍ରତି ଘଣ୍ଟା ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଯହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
National,State
ଦ କୁଇଭର ବ୍ୟୁରୋ:- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଏମ୍ସ ଭୁବନେଶ୍ୱର ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ, ଜୁଲାଇ ୧୫ରେ, ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ଜୁଲାଇ ୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
Shree Jagannath
ପୁରୀ( ଦ କୁଇଭର):- ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା । ସେ କୋଟି ବ୍ରହ୍ମାଣ୍ଡର ମଉଡମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ରଥ ପଥ ସବୁ କିଛି ପ୍ରସ୍ତୁତ । ଆକାଶରୁ ଝରି ପଡୁଛି ପୁଷ୍ପରୂପି ବର୍ଷା । ଆଉ ମହାପ୍ରଭୁଙ୍କ ଆଗମନ ପାଇଁ ଯେମିତି ଚାହିଁ ରହିଛି ଏ ଜଗତ ହଜାର ହଜାର ଭକ୍ତଙ୍କ ଲାଗିଲାଣି ଗହଳି । ସେପଟେ ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଛି । ଅନେକ ଭକ୍ତ ଭଗବାନ ବିଭିନ୍ନ ସ୍ଵରୂପ ବେଶ ହୋଇ ମହାପ୍ରଭୁଙ୍କ ରଥ ଆଗରେ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଏପଟେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମ ପ୍ରଭୁ ସୁଦର୍ଶନ ରଥରେ ବିରାଜମାନ କରିଛନ୍ତି । ପରେ ପରେ ପ୍ରଭୁ ବଡ ଠାକୁର ପହଞ୍ଚି ସାରିଛନ୍ତି । ପଛକୁ ପଛ ମାଆ ସୁଭଦ୍ରା ଆସିଲେଣି ଏବଂ ଶେଷରେ ମହାବାହୁ ଆସୁଛନ୍ତି ଏବଂ ବର୍ତ୍ତମାନ ରଥରେ ବିଜେ କରୁଛନ୍ତି । ଏଥିପାଇଁ ଖାଲି ନନ୍ଦିଘୋଷ ନୁହେଁ କୋଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ମହାବାହୁଙ୍କ ମହାଲୀଳା ଦେଖିବା ପାଇଁ l
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l