ନୂଆଦିଲ୍ଲୀ( ଦ କୁଇଭର):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ନୀତି ଆୟୋଗ ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ୨୪ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପ ରାଜ୍ୟପାଳମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ଥିଲେ। ଚଳିତ ବର୍ଷର ବିଷୟବସ୍ତୁ ଥିଲା ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ରାଜ୍ୟ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ସ୍ମୃତିରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ବୈଠକ ଆରମ୍ଭ ହୋଇଥିଲା l ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିକଶିତ ଭାରତ ହେବା ପ୍ରତ୍ୟେକ ଭାରତୀୟଙ୍କ ଅଭିଳାଷ। ଏହା କୌଣସି ଦଳର ଏଜେଣ୍ଡା ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା। ସେ କହିଥିଲେ ଯେ ଯଦି ସମସ୍ତ ରାଜ୍ୟ ଏହି ଲକ୍ଷ୍ୟ ଦିଗରେ ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ ଆମେ ଚମତ୍କାର ପ୍ରଗତି ହାସଲ କରିବୁ। ସେ ଏହା ମଧ୍ୟ କହିଥିଲେ ଯେ ଆମେ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ଯେ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ବିକଶିତ ହେବ, ଏବଂ ତା’ପରେ ଯାଇ ୨୦୪୭ ମସିହା ପୂର୍ବରୁ ବିକଶିତ ଭାରତ ଲକ୍ଷ୍ୟ ହାସଲ କରାଯିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛି ଏବଂ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତକୁ ଏହି ପରିବର୍ତ୍ତନର ଗତିକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସେ ରାଜ୍ୟଗୁଡ଼ିକୁ ସେମାନଙ୍କ ଉତ୍ପାଦନ ସାମର୍ଥ୍ୟର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେ କହିଥିଲେ ଯେ ଭାରତ ସରକାର ଉତ୍ପାଦନ ମିଶନ ଘୋଷଣା କରିଛନ୍ତି।ବିଶ୍ୱ ନିବେଶକମାନେ ଭାରତ ପ୍ରତି ଅତ୍ୟନ୍ତ ଆଗ୍ରହୀ। ଏହି ସୁଯୋଗର ଉପଯୋଗ କରିବା ଏବଂ ନିବେଶକୁ ସହଜ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ ହେବା ଦରକାର। ୟୁଏଇ, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ସହିତ ନିକଟରେ ବାଣିଜ୍ୟ ରାଜିନାମା ହୋଇଛି। ରାଜ୍ୟଗୁଡ଼ିକ ଏହାର ସର୍ବାଧିକ ଉପଯୋଗ କରିବା ଉଚିତ।
No comments yet.
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ଆଜି ( ଗୁରୁବାର ) ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଦିବସ ଅବସରରେ"ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ" ଦିବସ ଉପରେ ଆଲୋଚନା ହେବା ସହ ପୋକସୋ ଆଇନ, ଜେଜେ ସିପିସି ଆଇନ,ପୋକସୋ ଆଇନ ଅନୁଯାୟୀ ନିର୍ଦ୍ଧାରିତ ପୀଡିତା କ୍ଷତିପୂରଣ" ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି, ଯେଉଁଥିରେ ଯୌନ ନିର୍ଯାତନା/ଅନ୍ୟାନ୍ୟ ଅପରାଧର ଶିକାର ମହିଳା/ଜୀବିତଙ୍କ ପାଇଁ ଏନଏଏଲଏସଏ ର କ୍ଷତିପୂରଣ ଯୋଜନା -୨୦୧୮ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ଜାନକୀ ବିଶ୍ୱାଳ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଆୟୁଷ୍ମାନ ମହନ୍ତ, ଦ୍ୱିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ କମ ଜେଜେବି ମୁଖ୍ୟ ବିଚାରପତି ଶର୍ମିଷ୍ଠା ଦାସ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟା ଡ଼ା ମିନାକ୍ଷୀ ଦେବୀ, ସଦସ୍ୟା ସବିତା ସାହୁକାର, ପେନେଲ ଓକିଲ କୁମରେଶ ପଣ୍ଡା,ସଂଗ୍ରାମ ପ୍ରଧାନ, ପାରାଲିଗଲ ସ୍ବେଛାସେବୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l ଉକ୍ତ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମନ୍ମୟୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
Shree Jagannath,Health & lifestyle,State
ଗଞ୍ଜାମ, ପୁରୁଷୋତ୍ତମପୁର ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି। ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବରାମ ବେହେରା(୩୦)। ଶୁକ୍ରବାର ଅପରାହ୍ଣରେ ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସେହି ଭିଡ଼ ଭିତରେ ଶିବରାମ ମଧ୍ୟ ଥିଲେ। ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ରଥଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ଅନୁସଂଧାନ କରୁଛି।
State
ଦ କୁଇଭର ବ୍ୟୁରୋ:- ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଓ ଏହାକୁ ଲାଗି ରହିଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରିସ୍ଥ ଘୂର୍ଣ୍ଣିବଳୟ ସେହି ସମାନ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସାଗର ଏବଂ ଏହାକୁ ଲାଗି ରହିଥିବା ଉପକୂଳ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା, ଝାରଖଣ୍ଡ ଦେଇ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧ ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଏହାପରେ ୨ରୁ ବର୍ଷାର ପରିମାଣ କମିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ। ୨୮ରୁ ୧ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି।
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗର ଠାରେ ଥିବା ଏକ ସସ୍ ଫ୍ୟାକ୍ଟ୍ରି ଉପରେ ପୋଲିସର ରେଡ୍ | ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ରେଡ୍ରେ ଏଠା ରୁ ବହୁ ପରିମାଣ ର ସସ ସହ ଅନ୍ୟାନ୍ୟ ସାମଗ୍ରୀ ଜଦତ କରାଯାଇଛି I ତେବେ ଏହି ସସ୍ ଗୁଡ଼ିକରେ ଆଳୁ ପାଉଡର, କିଛି ରାସାୟନିକ ପଦାର୍ଥ ମିଶି ତିଆରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ୧୦ ବର୍ଷ ହେଲା ସହରରେ ବିକ୍ରି ହେଉଥିବା ଅଭି ଯୋଗ ହୋଇଛି I ଆଗକୁ ଏହି ଫ୍ୟାକ୍ଟ୍ରିର ସିଜ୍ ହୋଇଥିବା ଜିନିଷ ଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବା ସହ ଅପମିଶ୍ରଣ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାତି ହେଲେ ସହରରେ ବିଭିନ୍ନ ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜଳଖୁଆ ଦୋକାନରେ ବିକ୍ରି ହେଉଥିବା ସସ କୁ କିଭଳି ତିଆରି କରୁଛନ୍ତି ଦେଖନ୍ତୁ,ଏହି ପ୍ଲାଷ୍ଟିକ୍ ଜାରଗୁଡ଼ିକ ଓ ବଡ଼ ହଣ୍ଡା ଟିକୁ I ଏଥିରେ ନାଲି ନାଲି ହୋଇ ରହିଛି ସସ୍ ଗୁଡ଼ିକା,ଏଥ୍ରେ ଆଳୁ ପାଉଡର, ଷ୍ଟାର୍ଚ, ଟମାଟୋ ପେଷ୍ଟ ପକାଇ ତିଆରି ହେଉଥିଲା । କିନ୍ତୁ ଫୁଡ୍ ବିଭାଗ ଖୋଜୁ ଖୋଜୁ ସେଠାରୁ ମିଳିଥିଲା ବହୁ ପ୍ରକାର କଲର୍ ଓ ଅନ୍ୟାନ୍ୟ ସାମଗ୍ରୀ I ଏସବୁକୁ ମିଶାଇ ତିଆରି ହେଉଥିଲା ଟମାଟୋ ସସ୍ । ଏହା ଜାଣିବା ପରେ ଫୁଡ୍ ବିଭାଗ ପକ୍ଷରୁ ରେଡ୍ କରା ଯାଇ ବିଭିନ୍ନ ଜିନିଷ ସିଜ୍ କରା ଯାଇଛି I ତେ ବେ ଏଗୁଡ଼ିକର ଲାଇସେନ୍ସ ଥିବା ଓ ସେଗୁଡ଼ିକୁ ରୀତିମତ ସାଂଚ କରୁଥିବା କହିଛନ୍ତି ଦୋକାନୀ|ଅନ୍ୟପକ୍ଷରେ ଏହି ଫ୍ୟାକ୍ଟ୍ରିରୁ ମିଳିଥିବା ସସ୍ ଗୁଡ଼ିକରେ କଲର ମିଶାଯାଉଥିବା କହିଛନ୍ତି । ସିନ୍ଥେଟିକ୍ କଲର୍ ମିଶାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପକ୍ଷେ ହାନୀ କାରକ ହୋ ଇଥାଏ । ଏଣୁ ଏଗୁଡ଼ିକର ଯାଚ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଏହି ଫ୍ୟାକ୍ଟ୍ରି ମଧ୍ୟରେ ସସ୍ ସମେତ ଭି ନେଗାର, ସୋୟା ସସ୍, ଚିଲି ସସ୍ , ସୋୟା ଚ ଙ୍କ ରିପ୍ୟାକିଂ, ଆଚାର ମସଲା ମଧ୍ଯ ତିଆରି କରାଯାଉଥିବା ଦେଖା ଦେଇଥିଲା | ଏଗୁଡ଼ିକ କେତେ ଠିକ୍ ସେଗୁଡ଼ିକୁ ସାଂଚ କରିବା ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧୁକାରୀ ଅନ୍ୟପକ୍ଷରେ ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି ବଡ଼ବଜାର ଅଂଚଳରେ ହେଉଛି I ଏହା ଉପରେ ରୀତିମତ ଚଢ଼ାଉ କରି କାର୍ଯ୍ୟା ନୁଷ୍ଠାନ ନିଆଯିବା ଆବଶ୍ୟକ | ନଚେତ୍ ଏହା ଲୋକଙ୍କୁ ରୋଗରେ ପକାଇବା ସହ ଦୁରା ରୋଗ୍ୟ ବ୍ୟାଧି ସୃଷ୍ଟି କାରକ ହେବ ବୋଲି କହିଛନ୍ତି ସାଧାରଣ ଲୋକେ | ତେବେ ଏହି ସସ ଫ୍ୟାକ୍ଟ୍ରି ମାଲିକ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
Shree Jagannath
ପୁରୀ ( ଦ କୁଇଭର ):- ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ ।ସୂଚନା ଅନୁସାରେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ସେହିପରି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା । ଯଦିଓ ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେପୋଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।ଏହା ପର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚିଥିଲା ।
State
ଭୁବନେଶ୍ୱର ( ଦ କୁଇଭର ):- BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ ହୋଇଥିବା ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲିବାରେ ଲାଗିଛି । BMC ଅଫିସ୍ ଭିତରେ ସୋମବାର ଜନଶୁଣାଣି ଚାଲିଥିବା ବେଳେ ୬ ରୁ ୭ ଜଣ ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏପଟେ ଘଟଣା ପରେ ରତ୍ନାକର ସାହୁ ଥାନାରେ ଏତଲା ଦେଇଛନ୍ତି। ଖାରବେଳ ନଗର ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଘଟଣାର ଅନୁସଂଧାନ କରୁଛି l
ସୂଚନା ଅନୁସାରେ,ସମୟ ଦିନ ପ୍ରାୟ ସାଢ଼େ ୧୧ଟା। ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ଅଫିସ ଭିତରେ ଚାଲିଥିଲା ଜନଶୁଣାଣି। ଏହି ସମୟରେ ହଠାତ ଅଫିସ ଭିତରକୁ ପଶିଆସି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ୫ରୁ ୬ ଜଣ ଦୁର୍ବୃତ୍ତ। ଧଳା ସାର୍ଟ୍ ପିନ୍ଧା ଯୁବକମାନେ ସଂଘବଦ୍ଧ ଆକ୍ରମଣ ବେଳେ ଏତେ ହିଂସ୍ର ହୋଇ ପଡ଼ିଥିଲେ ଯେ, ଜଣେ ଓଏଏସ୍ ଅଧିକାରୀଙ୍କୁ ତଳେ ପକାଇ ତାଙ୍କ ମୁହଁକୁ ଗୋଇଠା ମାରିବାକୁ ବି ପଛାଇ ନଥିଲେ। ଲୋକସେବା ଭବନଠୁ ଅଳ୍ପ ଦୂର ଆଉ ଖାରବେଳ ନଗର ଥାନାଠୁ ମାତ୍ର କେଇ ମିଟର ଦୂରରେ ଥିବା ବିଏମସି ଅଫିସ ଭିତରେ ସବୁ ହିତାହିତ ଜ୍ଞାନ ଭୁଲି ଜଣେ ସରକାରୀ ଅଧିକାରୀଙ୍କୁ ଅମଣିଷ ଭଳି ପିଟି ଚାଲିଥିଲେ। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଦର୍ଶାଇଛନ୍ତି, ୬ରୁ ୭ ଜଣ ଅଜଣା ବ୍ୟକ୍ତି ହଠାତ୍ ଅଫିସ୍ ଭିତରକୁ ପଶିଆସି, ଜଗନ୍ନାଥ ପ୍ରଧାନଙ୍କ ସହ କଥା ହୋଇଥିଲେ କି ବୋଲି ବଡ଼ ପାଟିରେ ପଚାରିଥିଲେ। ସେ ଟେଲିଫୋନ୍ରେ କଥା ହୋଇଥିବା କହିବା ପରେ, ହଠାତ୍ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସାମ୍ନାରେ ସେମାନେ ତାଙ୍କୁ ପିଟିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରୁଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି l
ଅନ୍ୟପଟେ ଅତିରିକ୍ତ କମିଶନରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ। ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛନ୍ତି। ସେପଟେ ସ୍ଥିତିକୁ ଦେଖି ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l
ତେବେ ପୋଲିସ ବର୍ତମାନ ୩ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି l
Shree Jagannath
ପୁରୀ( ଦ କୁଇଭର ):- ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ରଥାରୂଢ ହେଲେ ୩ ଠାକୁର । ରଥରେ ଅନ୍ୟାନ୍ୟ ନୀତିକାନ୍ତି ପରେ ରଥଟଣା ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏବେ ଏବେ ପୁରୀ ମହାରାଜା ଗଜପତି ଦିବ୍ୟ ସିଂହ ଦେବ ଶ୍ରୀ ନନ୍ଦିଘୋଷ ରଥ ପାଖେ ପହଂଚି ଛେରା ପହଁରା କାର୍ଯ୍ୟ ଆରମ୍ଭ କରିବେ ଏବଂ କିଛି ସମୟ ପରେ ମାଉସୀ ମା' ଘର ଯିବା ଅଭିମୁଖେ ବାହାରିବେ ମହାବାହୁ l
ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା । ସେ କୋଟି ବ୍ରହ୍ମାଣ୍ଡର ମଉଡମଣି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ରଥ ପଥ ସବୁ କିଛି ପ୍ରସ୍ତୁତ । ଆକାଶରୁ ଝରି ପଡୁଛି ପୁଷ୍ପରୂପି ବର୍ଷା । ଆଉ ମହାପ୍ରଭୁଙ୍କ ଆଗମନ ପାଇଁ ଯେମିତି ଚାହିଁ ରହିଛି ଏ ଜଗତ ହଜାର ହଜାର ଭକ୍ତଙ୍କ ଲାଗିଲାଣି ଗହଳି । ସେପଟେ ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଛି । ଅନେକ ଭକ୍ତ ଭଗବାନ ବିଭିନ୍ନ ସ୍ଵରୂପ ବେଶ ହୋଇ ମହାପ୍ରଭୁଙ୍କ ରଥ ଆଗରେ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
State
ମୟୁରଭଞ୍ଜ( ଦ କୁଇଭର ):- ଆଜି ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ରବିବାର ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡିଛି । ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ବନ୍ଦ ରହିବାକୁ ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l
Shree Jagannath
ପୁରୀ( ଦ କୁଇଭର ):- ଶରଧାବାଲିରେ ପହଂଚିଛି ତିନିରଥ,ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବେ ପହଁଚିଛି | ଆଉ ନନ୍ଦିଘୋଷ ରଥ ଏବେ ପହଂଚିଥିବାବେଳେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଂଚିଥିଲେ | ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ଯାଏଁ ନେଇଯାଇଥିଲେ | ଉଲ୍ଲେଖ ଥାଉ କି ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା । ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲା। ସେହିପରି ସିଂହଦ୍ବାରରେ ଅଟକିଯାଇଥିଲା ମହାବାହୁଙ୍କ ରଥ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଆଉ ବନ୍ଦ ହୋଇଥିଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ଯେ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଆଉ ସେହି ଘୋଷଣା ମୁତାବକ ଆଜି ସକାଳେ ରଥଟଣା ଆରମ୍ଭ ହୋଇଥିଲା | ଆଉ ଏବେ ଶରଧାବାଲିରେ ତିନି ରଥ ପହଞ୍ଚିସାରିଛନ୍ତି |
State,Shree Jagannath
ଦ କୁଇଭର ବ୍ୟୁରୋ:- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିୟମ, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମ୍ପତି ମଧ୍ୟ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ରବିବାର ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ସଫଳତାର ସହ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଆଜି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ବହୁ ଜାତୀୟ ସ୍ତରର ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
State
ଦ କୁଇଭର ବ୍ୟୁରୋ:- ୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି । ୭୯ ଡିଏସପି ଓ ଏସଡିପିଓ ସ୍ତରରେ ଅଦଳବଦଳ । ଭଦ୍ରକ ସିଟି ଡିଏସ୍ ପି ହେଲେ ସୁଧାଂଶୁ ଭୂଷଣ ଜେନା । ଶରତ ଚନ୍ଦ୍ର ପାତ୍ର ହେଲେ ଏସିପି, ପୋଲିସ କମିଶନରେଟ । ସେହିପରି ବିଜୟିନୀ ମଲ୍ଲଙ୍କୁ କମିଶନରେଟ ପୋଲିସରେ ଏସିପି ନିଯୁକ୍ତି ମିଳିଛି । ସତ୍ୟରଞ୍ଜନ ପ୍ରଧାନଙ୍କୁ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି । ବିଶ୍ବଜିତ ମନବୋଧା ମଧ୍ୟ ଏସିପି, ପୋଲିସ କମିଶନରେଟ ନିଯୁକ୍ତ ହୋଇଛନ୍ତି । ଅଭିମନ୍ୟୁ ନାୟକ ହେଲେ ଏସିପି, ପୋଲିସ କମିଶନରେଟ । ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି । ଲକ୍ଷ୍ମୀପୁର ଏସଡିପିଓ ହେଲେ ମନୋଜ କୁମାର ବେହେରା ।
State
ଗଞ୍ଜାମ ( ଦ କୁଇଭର ):-- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା l ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବି ସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୌତ୍ରିକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା ତାଙ୍କର ପୌତ୍ରିକ ଘର ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ବର୍ତମାନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
State,Shree Jagannath
ପୁରୀ( ଦ କୁଇଭର ):- ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା l ଆଜି ପବିତ୍ର ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ରଥଯାତ୍ରାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଏହିପରି ବର୍ଷା ଜୁଲାଇ ୨ ତାରିଖ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
State
ଦ କୁଇଭର ବ୍ୟୁରୋ:- ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଯାଞ୍ଚ ବେଳେ ସୁଶୀଲ ମିଳିଛି ଅମାପ ସମ୍ପତ୍ତି। ଭିଜିଲାନ୍ସ ଯାଞ୍ଚ ବେଳେ ଠାବ ହୋଇଛି ଏକ ବହୁତଳ କୋଠା, ଦୁଇଟି ଫ୍ଲାଟ, ୬ ଟି ବହୁମୁଲ୍ୟ ପ୍ଲଟ, ୧୨୬ ଗ୍ରାମର ସୁନା ଗହଣା ସହ ନଗଦ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା। ଏହା ସହିତ ଏକ କୋଟିର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଜମା ଥିବା ଜବତ କରିଛି ଭିଜିଲାନ୍ସ। ଆଉ ୨ ଦିନ ପରେ ଅବସର ନେଇଥାନ୍ତେ ସୁଶୀଲ ପଣ୍ଡା।
Shree Jagannath,State
ଦ କୁଇଭର ବ୍ୟୁରୋ:- ରତ୍ନବେଦି ଛାଡ଼ି ଜନ୍ମବେଦିରେ ବିରାଜିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥରେ ଗଡ଼ିବା ବେଳେ ବିଳମ୍ବ କଲେ, କିନ୍ତୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଲେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ପହଣ୍ଡି ୬ଟା ୫୦ରେ ଆରମ୍ଭ ହୋଇଥିଲା। ୯ଟା ୩୫ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିସାରିଥିଲେ।ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିରରେ ସୋମବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ବିଳମ୍ବିତ ରାତିରେ ଆଡ଼ପ ମଣ୍ଡପରୁ ଚାରମାଳ ଫିଟାଯାଇଛି।
ଶନିବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ଟାରୁ ୧୧ଟା ୨୦ ମଧ୍ୟରେ ତିନି ରଥରେ ଚନ୍ଦନଲାଗି ହୋଇଥିଲା। ୧୧ଟା ୨୦ରୁ ବଡ଼ସିଂହାର ବେଶ ଆରମ୍ଭ ହୋଇଥିଲା। ରାତି ୧୧ଟା ୪୦ରୁ ବଡ଼ସିଂହାର ବେଶ ଶେଷ ପରେ ୧୨ଟା ମଧ୍ୟରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ପରେ ରାତି ୧୨ଟା ୧୫ରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା।ଆଜି ସକାଳ ୬ଟା ୧୫ରୁ ୬ଟା ୨୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ୩ଟା ୨୫ରେ ଘୋଡ଼ା ଫିଟା ଓ ଚାରବନ୍ଧା ଆରମ୍ଭ ହୋଇଥିଲା। ସାଢ଼େ ୬ଟାରେ ଚାରବନ୍ଧା ଶେଷ ହୋଇଥିଲା। ସେହିପରି ଆଜି ସନ୍ଧ୍ୟା ୬ଟା ୫୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ।
ବୁଧବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ହେବ। ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଜୁଲାଇ ୧ରେ ରେ ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣମୋଡ଼, ୪ ତାରିଖରେ ସନ୍ଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
Shree Jagannath
ପୁରୀ( ଦ କୁଇଭର ):- ଗୁରୁବାର ରାତି ପହୁଡ଼ ହୋଇନଥିଲା। ଏହା ସତ୍ତ୍ବେ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ନୀତି। ସ୍ଥିତିରେ ସୁଧାର ଆଣିପାରିଲେନି। ପରିଣାମ ହେଲା, ଧାର୍ଯ୍ୟ ସମୟଠାରୁ ପାଖାପାଖି ୫୦ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି। ଶେଷରେ ଯାହା ହେଲା ତାହା ଇତିହାସ। ଗତବର୍ଷ ରଥଯାତ୍ରାର ପୁନରାବୃତ୍ତି ହେଲା। ସିଂହଦ୍ବାରରେ ଅଟକିଗଲେ ମହାବାହୁ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ଚକେ ଗଡ଼ିଛି, ଶୁକ୍ରବାର ପାଇଁ ବନ୍ଦ ହେଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କଲେ ଯେ ଏବେ ରଥଟଣା ହେବ ନାହିଁ। ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକ ନିକଟରେ ଅଟକି ରହିଛି। ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। କାହା ଭୁଲ୍ ଲାଗି ଏଭଳି ଘଟଣା ଘଟିଲା, ସେ ନେଇ ତର୍ଜମା ଆରମ୍ଭ ହୋଇଛି। ସେପଟେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା, ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଆଇନମନ୍ତ୍ରୀ କାରଣ ଦର୍ଶାଇବା ସହିତ ରିପୋର୍ଟ ଲେଖା ହେବା ବେଳକୁ ପୁରୀରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି। ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରଥ ବିଶୃଙ୍ଖଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଶ୍ରୀମନ୍ଦିର ପ୍ରଶାସନ ଉପରେ ଭୀଷଣ ବର୍ଷିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ରଥଟଣାରେ ସାମିଲ ହୋଇଥିଲେ। ପାଖାପାଖି ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରୁଛନ୍ତି। ରଥ ଶୃଙ୍ଖଳା ଓ ସମୟାନୁଯାୟୀ ସବୁ କାର୍ଯ୍ୟ ସମାପନ ଲକ୍ଷ୍ୟ ନେଇ ଗତକାଲିଠାରୁ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା। ହେଲେ ଆଜି ମଙ୍ଗଳ ଆଳତି ୬ଟା ପରିବର୍ତ୍ତେ ୭ଟା ୧୫ରେ ହୋଇଥିଲା। ସାଢ଼େ ୭ଟାରେ ମଇଲମ ଓ ତଡ଼ପଲାଗି, ୭ଟା ୪୦ରେ ଅବକାଶ ପୂଜା, ସାଢ଼େ ୮ଟାରେ ସୂର୍ଯ୍ୟପୂଜା, ୮ଟା ୪୦ରେ ଦ୍ବାରପାଳ ପୂଜା, ୯ଟାରେ ସକାଳ ଧୂପ ପୂଜା, ପୂର୍ବାହ୍ଣ ୧୦ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା। ପୂର୍ବରୁ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଠାକୁରଙ୍କ ଏହି ବିଶେଷ ଦର୍ଶନ ପାଇଁ ଚାହି ବସିଥିଲେ। ହେଲେ ୧୦ଟା ୨୦ରେ ଆରମ୍ଭ ହେଲା ପହଣ୍ଡି। କିନ୍ତୁ ଏହା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେବକମାନେ ସଅଳ ନୀତି କରିଥିଲେ। ଫଳରେ ସାଢ଼େ ୧୨ଟା ସୁଦ୍ଧା ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଯାଇଥିଲେ। ୧୨ଟା ୫୦ରେ ମଦନମୋହନ ଓ ରାମକୃଷ୍ଣ ବିଜେ, ୧୨ଟା ୫୦ରେ ରୁନ୍ଧା ଶେଷ, ଦିନ ୨ଟାରେ ଚିତାଲାଗି ସମ୍ପନ୍ନ ହୋଇଥିଲା। ଶଙ୍କରାଚାର୍ଯ୍ୟ ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ସହିତ ଗଜପତି ମହାରାଜା ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ତୁରନ୍ତ ଚାର ଫିଟାଯାଇ ଘୋଡ଼ା ଓ ସାରଥି ଲାଗିଥିଲା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା।
ଖରାର ଦାଉ ନଥିଲା, କି ଗୁଳୁଗୁଳିର ଯନ୍ତ୍ରଣା ନଥିଲା। ବରଂ ଦିନତମାମ ଝିପିଝିପି ବର୍ଷା ହେଉଥିଲା। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିଲା। ହେଲେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସୁଭଦ୍ରାଙ୍କ ରଥ ଅଟକି ରହିଲା। ବିଳମ୍ବରେ ହେଲା ରଥଟଣା। ଯେବେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ହେଲା, ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଲା। ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଫଳରେ ସନ୍ଧ୍ୟାରେ ୬ଟା ୩୫ରେ ରଥଟଣା ଆରମ୍ଭ ହୋଇଥିଲା। ଏହା ସତ୍ତ୍ବେ ପ୍ରଶାସନ ଚେତିଲା ନାହିଁ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସାମନାରେ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲା। ୭ଟା ୪୫ରେ ବିଧିରକ୍ଷା ପାଇଁ ଚକେ ଗଡ଼ି ଅଟକିଗଲେ ମହାବାହୁ। ରାତିରେ ରଥଟଣା ବିଧିବିରୁଦ୍ଧ ଥିଲେ ହେଁ କେବଳ ବିଧିରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଗଲା।
International,National
ଦ କୁଇଭର ବ୍ୟୁରୋ:- କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଆକ୍ସିଅମ୍-୪ ଦଳକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ସ୍ୱାଗତ କରାଯାଇଥିଲା। ଭାରତର ପ୍ରଥମ ମହାକାଶଚାରୀ ଶୁଭାଂଶୁ ତାଙ୍କ କ୍ରୁ ସହିତ ଅପରାହ୍ନ ୪:୧୦ରେ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶ ଯାନରେ ସଫଳତାର ସହ ଡକିଂ କରିଥିଲେ ।ସେମାନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରାଯାଇଥିଲା, ଯାହା ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା । ଡକିଂ ପରେ, ୧-୨ ଘଣ୍ଟାର ସୁରକ୍ଷା ଯାଞ୍ଚ ସମାପ୍ତ ହେବା ପରେ ହ୍ୟାଚ୍ ଖୋଲାଯାଇଥିଲା ।ଶୁଭାଂଶୁ ଏବଂ ତାଙ୍କ ଦଳକୁ ଆଲିଙ୍ଗନ କରି ସ୍ୱାଗତ କରାଯାଇଥିଲା। ପେଗି ହ୍ୱିଟସନ ଶୁଭାଂଶୁଙ୍କୁ ଆଲିଙ୍ଗନ କରି କହିଥିଲେ ଯେ ଆମର ନୂତନ ବନ୍ଧୁଙ୍କୁ ସ୍ୱାଗତ । ସେ ଶୁଭାଂଶୁଙ୍କୁ ମହାକାଶ କେନ୍ଦ୍ରକୁ ଆସିବା ପାଇଁ ମହାକାଶଚାରୀ ସଂଖ୍ୟା ୬୩୪ର ବ୍ୟାଜ୍ ଦେଇଥିଲେ। ISS କ୍ରୁ ତାଙ୍କୁ ପାଣି ପାଉଚ୍ ଏବଂ ସ୍ୱାଦଯୁକ୍ତ ପାନୀୟ (ଯେପରିକି ଲେମ୍ବୁ ପାଣି) ପ୍ରଦାନ କରିଥିଲେ, ଯାହା ମାଇକ୍ରୋଗ୍ରାଭିଟିରେ ଏକ ଷ୍ଟ୍ର ମାଧ୍ୟମରେ ପିଇ ଦିଆଯାଇଥିଲା ।
ଶୁଭାଂଶୁ କହିଛନ୍ତି ଯେ ମୋ କ୍ରୁ ଏବଂ ISS ଦଳର ଏଭଳି ସ୍ୱାଗତ ଦେଖି ମୁଁ ବହୁତ ଖୁସି । ଏହା ମୋ ଏବଂ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଡକିଂ ପରେ, ଶୁଭାଂଶୁ ଏବଂ ତାଙ୍କ ଦଳ ୧୪ ଦିନ ପାଇଁ ISS ରେ ରହିବେ। ଶୁଭାଂଶୁ କହିଛନ୍ତି ଯେ ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ଆଶୀର୍ବାଦରେ, ମୁଁ ଏଠାରେ ସୁରକ୍ଷିତ ଭାବରେ ପହଞ୍ଚିଛି ।ଶୁଭାଂଶୁ ଭାସିବାରୁ ରକ୍ଷା ପାଇବା ପାଇଁ କାନ୍ଥର ହ୍ୟାଣ୍ଡେଲ ଏବଂ ପାଦ ଲୁପ୍ ବ୍ୟବହାର କରିବେ । ସେ ଭେଲ୍କ୍ରୋ ଷ୍ଟ୍ରାପ୍ ସହିତ ଏକ ସ୍ଲିପିଂ ବ୍ୟାଗରେ ଶୋଇବେ । ସେ ଜିମ୍ରେ ଟ୍ରେଡମିଲ୍ ଏବଂ ପ୍ରତିରୋଧ ମେସିନ୍ ବ୍ୟବହାର କରି ତାଙ୍କର ମାଂସପେଶୀକୁ ଶକ୍ତିଶାଳୀ ରଖିବେ। ଶୁଭାଂଶୁ କହିଛନ୍ତି ଯେ ଏଠାକୁ ଆସିବା ସହଜ ଦେଖାଯାଉଛି କିନ୍ତୁ ତାହା ନୁହେ । ମୁଣ୍ଡ ଟିକେ ଭାରୀ । କିନ୍ତୁ ଏହି କାମ ପାଇଁ ଏହା ବହୁତ ଛୋଟ ଜିନିଷ।ଶୁଭାଂଶୁ ତାଙ୍କ ସହିତ ଆମରସ, ଗଜର ହାଲୱା ଏବଂ ମୁଗ ଡାଲ ହାଲୱା ଆଣିଛନ୍ତି, ଯାହାକୁ ସେ କ୍ରୁ ସହିତ ବାଣ୍ଟିବେ। ଫ୍ରିଜ୍-ଶୁଖିଲା ମାଂସ, ଫଳ ଏବଂ ପନିପରିବା ମଧ୍ୟ ISS ରେ ଉପଲବ୍ଧ ହେବ। ଶୁଭାଂଶୁ ଏବଂ ତାଙ୍କ ଦଳ ୭ଟି ଭାରତୀୟ ପରୀକ୍ଷଣ ସମେତ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ।ଶୁଭାଂଶୁ ବିହନ ଚାଷ କରି ମହାକାଶରେ ଚାଷ କରିବାର ସମ୍ଭାବନା ଉପରେ ଅନୁସନ୍ଧାନ କରିବେ। ସେ କଠୋର ପରିସ୍ଥିତିରେ ବଞ୍ଚି ରହିଥିବା କ୍ଷୁଦ୍ର ଜୀବମାନଙ୍କର ଅଧ୍ୟୟନ କରିବେ । ଶୁଭାଂଶୁଙ୍କ ପରୀକ୍ଷଣ ଭାରତର ମହାକାଶ ଭବିଷ୍ୟତକୁ ସୁଦୃଢ଼ କରିବ । ଏଥି ସହ ସେ କିବୋ ଲ୍ୟାବ (ଜାପାନୀ ମଡ୍ୟୁଲ୍)ରେ ମାଇକ୍ରୋସ୍କୋପ୍ ଏବଂ ବାୟୋରିଆକ୍ଟର ବ୍ୟବହାର କରିବେ।
State
ଦ କୁଇଭର ବ୍ୟୁରୋ:- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କୁ ଯେପରି ଦିବ୍ୟ ଅନୁଭୂତି ମିଳିବ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ହେଲେ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ଅସମ୍ଭାଳ ଭିଡ଼ ଓ ଠେଲାପେଲାରେ ୩ଜଣ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଲା। ବହୁ ଭକ୍ତ ଆହତ ହେଲେ। ସରକାରଙ୍କ ସବୁ ପ୍ରସ୍ତୁତି ସତ୍ତ୍ବେ ଏଭଳି ଅଘଟଣ ଘଟିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବ୍ୟଥିତ କରିଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ନିଜେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭଳି ଅଘଟଣ ବିରଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଖୋଲାଖୋଲି କ୍ଷମା ପ୍ରାର୍ଥନା କରି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହାସହ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଳାଚକଟାରେ ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।