ଦ କୁଇଭର ବ୍ୟୁରୋ :- ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲ୍କୁ ଯିବାରୁ ବଞ୍ଚିତ ହୁଅନ୍ତି। ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲ୍କୁ ଯାଇପାରନ୍ତି ନାହିଁ। ହେଲେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ । ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ l
No comments yet.
State
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସହରରେ ସୁଧୁରିବ ଟ୍ରାଫିକ ସମସ୍ୟା । ଟ୍ରାଫିକ ସମସ୍ୟା ସୁଧାରିବା ନେଇ ବିଇଏମସି ନେଇଛି ନୂଆ ପଦକ୍ଷେପ । ସହରରେ ଅଧିକାଂଶ ଉଠା ଦୋକାନୀ ଓ ଠେଲା ଗାଡ଼ିକ ଗୁଡ଼ିକ ରାସ୍ତା ଉପରେ ଆସି ବିଭିନ୍ନ ସାମଗ୍ରୀ ବିକ୍ରିବଟା କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ବିଇଏମସି ପକ୍ଷରୁ ନୂତନ ଭାବେ ୬ଟି ଏନଫୋସ୍ମେଣ୍ଟ ଟିମ୍ ଗଠନ କରାଯାଇଛି । ପ୍ରଥମେ କିଛି ଦିନ ଧରି ଏହି ୬ଟି ଟିମ ଏକାଠି ହୋଇ ସହରର ସମସ୍ତ ସାହି ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ରହିଥିବା ଉଠା ଦୋକାନୀ ଓ ଠେଲା ଗାଡ଼ି ବ୍ୟବସାୟୀଙ୍କୁ ରାସ୍ତା ଉପରେ ବ୍ୟବସାୟ ନ କରିବା ନେଇ ସଚେତନ କରିବେ । ଏହାର କିଛି ଦିନ ପରେ ତିନୋଟି ଟିମ୍ ସକାଳ ଓ ଆଉ ତିନୋଟି ଟିମ୍ ସନ୍ଧ୍ୟା ସମୟରେ ସହରରେ ବୁଲି ବୁଲି ବ୍ୟବସାୟୀଙ୍କୁ ସଚେତନ କରାଇବେ । କିଛି ଦିନ ଧରି ସଚେତନ କରାଯିବା ପରେ ମଧ୍ୟ ଯଦି ବ୍ୟବସାୟୀ ମାନେ ନିୟମକୁ ପାଳନ କରିବେ ନାହିଁ । ତେବେ ସେହି ଅମାନିଆ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହାଛଡ଼ା ଏହି ୬ଟି ଟିମ୍ କିଭଳି କାମ କରୁଛନ୍ତି ସେମାନଙ୍କର କାର୍ଯ୍ୟକୁ ଅନୁଧ୍ୟାନ କରିବା ନିମନ୍ତେ ସ୍ବତନ୍ତ୍ର ଭାବେ ଅଫିସର ମଧ୍ୟ ନିଯୁକ୍ତ ଅଛନ୍ତି । ଦୁଇଟି ନୂତନ ଭାବେ ଏନଫୋସମେଣ୍ଟ ଅଧିକାରୀ ମଧ୍ୟ ନିଯୁକ୍ତି ହୋଇଥିବା ବେଳେ ଏନଫୋସମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା ଏକ ମାସ ସୁଦ୍ଧା ଠେଲା ଗାଡ଼ି ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ନେଇ ହେଉଛି ଟ୍ରାଫିକ ସମସ୍ୟାରୁ ସହରବାସୀଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ବିଇଏମସି କମିଶନର ।
National,International
ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।
State,Education
ଦ କୁଇଭର ବ୍ୟୁରୋ :- ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ସୂତ୍ରରୁ ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ I
State
ଦ କୁଇଭର ବ୍ୟୁରୋ :- କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ । ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍ ବ୍ୟାକ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସୁଭଦ୍ରା ଟଙ୍କା ମହିଳାମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି । ଏହା ସହ ୨୧ ବର୍ଷ ହେବା ପରେ ନୂଆ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଯୋଜନାର ତୃତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଅଗଷ୍ଟ ୯ ତାରିଖରେ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର ।ସୂଚନା ଥାଉ କି ରାଜ୍ୟର ବିଜେପି ସରକାର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତି ୬ ମାସରେ ୫ ହଜାର ଟଙ୍କା ପାଉଛନ୍ତି । ଯାହା ରାଜ୍ୟର ମହିଳା ମାନଙ୍କ ବିକାଶରେ ସହାୟକ ହେଉଥିବା ସରକାର କହୁଛନ୍ତି ।
International
ଦ କୁଇଭର ବ୍ୟୁରୋ :- ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଟ୍ରମ୍ପ୍ ଖପ୍ପା । ଭାରତ ଉପରେ 25% ଟାରିଫ୍ ଲଗାଇଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ଖପ୍ପା । ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି । ରୁଷିଆ ସହ ଭାରତ ବାଣିଜ୍ୟିକ ସମ୍ପର୍କ ପାଇଁ ଟାରିଫ୍ ବୋଲି ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ । ଟ୍ରମ୍ପ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି, ଭାରତ ସବୁବେଳେ ରୁଷଠୁ ସାମରିକ ଉପକରଣର ଏକ ବଡ଼ ଅଂଶ କିଣୁଛି । ଏହାସହ ଭାରତ ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଟ୍ରମ୍ପ ପୁଣି କହିଛନ୍ତି ଯେ, ଭାରତ ଆମର ବନ୍ଧୁ, କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ କିଛି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭିନ୍ନ ନୀତି ଗ୍ରହଣ କରିଆସୁଛି । "ମନେରଖ, ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ଏବଂ ସେମାନଙ୍କର ଯେକୌଣସି ଦେଶ ତୁଳନାରେ ସବୁଠାରୁ କଠିନ ଏବଂ ଅଣ-ଆର୍ଥିକ ବାଣିଜ୍ୟ ବାଧା ଅଛି," ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଭାରତ, ଋଷ ସହିତ ବାଣିଜ୍ୟ କରୁଛି । ଏହା ସହିତ ସାମରିକ ଏବଂ ଶକ୍ତି ସହଯୋଗ ରହିଛି । ଏହା ସହିତ, ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ସମୟରେ, ବିଶ୍ୱ ସ୍ତରରେ ମସ୍କୋକୁ ଅଲଗା କରିବା ପାଇଁ ଭାରତର ଦୃଷ୍ଟିକୋଣ ଭିନ୍ନ ରହିଛି ।"
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆସି ହିନସ୍ତା ହେଉଛନ୍ତି ରୋଗୀ । ଏଠାରେ ରହିଥିବା ଲିଫ୍ଟ ଗୁଡ଼ିକ କାମ କରୁନଥିବା ବେଳେ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏମକେସିଜି ମେଡ଼ିକାଲରେ ୩୦ରୁ ଅଧିକ ବିଭାଗ ରହିଥିବା ବେଳେ ୧୦ରୁ ଅଧିକ ବଡ଼ କୋଠା ରହିଛି । ଆଉ ଏଥିରେ ମୋଟ ୨୯ଟି ଲିଫ୍ଟ ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି । ଯାହାଫଳରେ ଚାରି ମହଲା କୋଠାକୁ ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ସିଢ଼ି ଚଢ଼ି ଯାଉଛନ୍ତି । ସେପଟେ ଲୋକଙ୍କ ଅସାବଧାନତା ଓ ଭୁଲ ଯୋଗୁଁ ଲିଫ୍ଟ ଗୁଡ଼ିକ ଖରାପ ହୋଇଯାଉଛି । ଏନେଇ ବାରମ୍ବାର ମରାମତି କରାଗଲେ ମଧ୍ୟ ଖରାପ ହେଉଥିବା ବେଳେ ବର୍ତ୍ତମାନ ଅଚଳ ହୋଇ ପଡ଼ି ରହିଥିବା ଲିଫ୍ଟ ଗୁଡ଼ିକୁ ସଚଳ କରିବା ନିମନ୍ତେ କାର୍ଯ୍ୟ ଜାରୀ ରହିଥିବା କହିଛନ୍ତି ମେଡ଼ିକାଲର ଅଧିକ୍ଷକ ।
ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା । ଯାହାକୁ ନେଇ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ । ଏମକେସିଜି ମେଡ଼ିକାଲରେ ପ୍ରାୟ ୩୦ରୁ ଅଧିକ ବିଭାଗର ରହିଛି ୧୦ରୁ ଅଧିକ ବଡ଼ ବଡ଼ କୋଠା । ଆଉ ଏହି ୧୦ଟି କୋଠାରେ ଲାଗିଛି ମୋଟ ୨୯ଟି ଲିଫ୍ଟ । ଏହି ୨୯ଟି ଲିଫ୍ଟ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୦ଟି ଲିଫ୍ଟ ଗତ କିଛି ମାସ ହେଲା ଅଚଳ ହୋଇ ପଡ଼ିରହିଛି । ୫ ମହଲା ବିଶିଷ୍ଟ ସର୍ଜରୀ ବିଭାଗ କୋଠାରେ ମୋଟ ୪ଟି ଲିଫ୍ଟ ରହିଥିବା ବେଳେ ଏଥିରୁ ୨ଟି ଲିଫ୍ଟ ବନ୍ଦ, ପିଏମଏସଏସଓ୍ବାଇ କୋଠାରେ ୫ଟି ଲିଫ୍ଟ ରହିଥିବା ବେଳେ ୩ଟି ଲିଫ୍ଟ ଅଚଳ, ନୂତନ କ୍ୟାବିନ ବ୍ଲକରେ ୨ଟି ଲିଫ୍ଟ ଖରାପ, ଆଇସିୟୁ କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ, ନିଶା ନିବାରଣ କେନ୍ଦ୍ରର ନୂତନ କୋଠାରେ ୨ଟି ଲିଫ୍ଟ ଅଚଳ, ୪ ମହଲା ବିଶିଷ୍ଟ ପିଏମଆର କୋଠାରେ ୨ଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଅଚଳ ହୋଇପଡ଼ିଛି । ମାସ ମାସ ଧରି ଏଭଳି ଲିଫ୍ଟ ଗୁଡ଼ିକ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ରୋଗୀଙ୍କୁ କେତେବେଳେ ସିଢ଼ିରେ ନିଆଯାଇଥାଏ ତ ଆଉ କେତେବେଳେ ରୋଗୀର ସମ୍ପର୍କୀୟ ମାନେ ଷ୍ଟ୍ରେଚରରେ ସୁଆଇ ରାମ୍ପରେ ନେବାକୁ ପଡ଼ିଥାଏ । ଲିଫ୍ଟ ଅଚଳ ହୋଇ ପଡ଼ିରହିଥିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ବେଳେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ଲିଫ୍ଟକୁ ସଚଳ କରିବା ନିମନ୍ତେ ଦାବି କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ।
ଏମକେସିଜି ମେଡ଼ିକାଲକୁ ୧୦ଟି ଜିଲ୍ଲା ରୋଗୀ ସମେତ ପୋଡ଼ଶୀ ଆନ୍ଦ୍ରପ୍ରଦେଶର ମଧ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇଁ ଆସିଥାନ୍ତି । ଉତ୍ତମ ଚିକିତ୍ସା ସେବା ପାଇବା ଅପେକ୍ଷା ଏଠାରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇ ଯିବାକୁ ପଡ଼ୁଛି । ରୋଗୀ ଓ ରୋଗୀର ସମ୍ପର୍କୀୟ ମାନଙ୍କ ସୁବିଧା ନିମନ୍ତେ ମେଡ଼ିକାଲର ବିଭିନ୍ନ କୋଠାରେ ଲିଫ୍ଟ କରାଯାଇଥିବା ବେଳେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାଛଡ଼ା ପରବର୍ତ୍ତୀ ସମୟରେ ଲିଫ୍ଟ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସୁବିଧା ନା ରୋଗୀ ପାଉଛନ୍ତି ନା ତାଙ୍କ ସମ୍ପର୍କୀୟ । ଲିଫ୍ଟ ମରାମତି ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଭାବେ କର୍ମଚାରୀ ମଧ୍ୟ ରଖାଯାଇଥିବା ବେଳେ କେହି ମଧ୍ୟ ଏହାର ମରାମତି କରିବା ନିମନ୍ତେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆଉ ଏହି ଲିଫ୍ଟ ମରାମତି ନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବଧିକାର କର୍ମଚୀ ରବୀନ୍ଦ୍ର ମିଶ୍ର । ସେପଟେ ମେଡ଼ିକାଲର କିଛି କୋଠାରେ ଲିଫ୍ଟ ଗୁଡ଼ିକ ଅଚଳ ହୋଇଥିବା ବେଳେ ଏହାକୁ ମରାମତି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଯଦିଓ କିଛି ଲିଫ୍ଟ ସ୍ଥାନୀୟ ଇଞ୍ଜିନିୟର ଦ୍ବାରା ମରାମତି ହୋଇପାରୁନାହିଁ ତେଣୁ କିଛି ବାହାରୁ ଇଞ୍ଜିନିୟରଙ୍କୁ ମଧ୍ୟ ଡ଼କାଯାଇଛି । ଯାହାଫଳରେ କିଛି ଲିଫ୍ଟକୁ ମରାମତି କରିବା ନିମନ୍ତେ ବିଳମ୍ବ ହେଉଛି । ଏହାଛଡ଼ା ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ଲିଫ୍ଟର ବ୍ୟବହାର ସଠିକ୍ ଭାବେ କରୁନଥିବା ଯୋଗୁଁ ମଧ୍ୟ ଅନେକ ଲିଫ୍ଟ ଖରାପ ହୋଇପଡ଼ୁଛି ବୋଲି କହିଛନ୍ତି ମେଡ଼ିକାଲର ଅଧିକ୍ଷକ।
ଲିଫ୍ଟ ଅଚଳ ହେବା ସମସ୍ୟା ଏମକେସିଜି ମେଡ଼ିକାଲରେ ମାସ ମାସ ଧରି ଲାଗି ରହିଥିବା ବେଳେ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉଛି ତାହାକୁ ହିଁ ଅପେକ୍ଷା କରିଛନ୍ତି ରୋଗୀ ଓ ରୋଗୀର ସମ୍ପର୍କୀୟ ମାନେ ।
State
ଦ କୁଇଭର ବ୍ୟୁରୋ :- ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୨୪ଘଣ୍ଟା ରାଜ୍ୟରେ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା। ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି। ସକ୍ରିୟ ଘୁର୍ଣ୍ଣିବଳୟ ସହ ବାୟୁମଣ୍ଡଳରେ ଥିବା ମାତ୍ରାଧିକ ଜଳୀୟବାଷ୍ପ ଯୋଗୁ ସକାଳ ଅପେକ୍ଷା ଅପରାହ୍ନରେ ଅଧିକ ବର୍ଷା ରହୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ବର୍ଷାରେ ଘଡଘଡି ବା ବଜ୍ରପାତର ସମ୍ଭାବନା ଅଧିକ ରହୁଛି । ତେବେ ଆସନ୍ତା ୨୪ଘଂଟାରେ କେନ୍ଦୁଝର ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଦେଇଛି ପାଣିପାଗ ବିଭାଗ I ଯାହାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା କାଲି ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ଝଟକାପବନ 30-40 କିଲୋମିଟର ବେଗରେ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଥିପାଇଁ ଏହି ସବୁ ଜିଲ୍ଲା କୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I ପୁଣି ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକାପବନର ବେଗ 30-40 କିଲୋମିଟର ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି I
State
ଦ କୁଇଭର ବ୍ୟୁରୋ :- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।
ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ‘ବନକଲାଗି ନୀତି’ କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ‘ଦତ୍ତମହାପାତ୍ର’ କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ମୁଖ ଶୃଙ୍ଗାର କରିବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ ‘ବନକଲାଗି ନୀତି’ରେ ବ୍ୟବହାର ହୁଏନାହିଁ । ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତରବେଢାର ଉତ୍ତର ପାର୍ଶ୍ବରେ ଏକ ବିଶେଷ କୋଠରୀ ମଧ୍ୟ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।
Shree Jagannath
ଦ କୁଇଭର ବ୍ୟରୋ :-: ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟଣା । ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦେଇଛି । ଉନ୍ନୟନ କମିସନର ଅନୁ ଗର୍ଗ ନେତୃତ୍ୱରେ ଗଠନ ହୋଇଥିବା କମିଟି ଆଜି ସନ୍ଧ୍ୟାରେ ରିପୋର୍ଟ ଦାଖଲ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ତଥା ତଦନ୍ତ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ତଦନ୍ତ ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଜୁନମାସ ୨୯ ତାରିଖ ଭୋର ସମୟରେ ଶରଧାବାଲିରେ ଅଟକି ଥିବା ମହାପ୍ରଭୁଙ୍କ ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା । ଏହି ଦୁଃଖଦ ଘଟଣାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ଗଠନ ହୋଇଥିଲା । କମିଟିରେ ୪ ଜଣ ଓଏଏସ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମି ରଞ୍ଜନ ନାୟକ, ପୁର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁଙ୍କୁ କମିଟିରେ ସାମିଲ କରାଯାଇଥିଲା । ସେମାନେ ନିଜର ଦାଇତ୍ୱ ସହ ତଦନ୍ତରେ ସହଯୋଗ ପାଇଁ ଅପରାହ୍ନ ୩ରୁ ୫ ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ ଅଫିସରେ ଉପସ୍ଥିତ ରହୁଥିଲେ ।
State
ଦ କୁଇଭର ବ୍ୟୁରୋ :- କଙ୍କଡାହାଡ଼ ଥାନା କନ୍ଧରା ଗାଁ କାଜୁ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ନବବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତକ ଜଣକ ହେଲେ କନ୍ଧରା ଗ୍ରାମର ଦିପାଲି ମହାରଣା l ଚାରିଦିନ ତଳେ ଘରୁ ଲୁଚି ପରଜଙ୍ଗ ଥାନା ହାତୀଲୁଚାଣୀ ଗ୍ରାମର ବିରେନ ନାୟକଙ୍କୁ ପ୍ରେମବିବାହ କରିଥିଲେ ନାବାଳିକା l ଗତକାଲି ବାପାଘରକୁ ଆସିଥିବା ବେଳେ ଆଜି ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ l ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜର୍ଜ ପରିସରରେ ନବନିର୍ମିତ ବିଭିନ୍ନ ଗୃହର ଶୁଭ ଉଦଘାଟନ ହୋଇଛି।ବୁଧବାର ମଧ୍ୟାହ୍ନ ସମୟରେ ଜିଲ୍ଲା ଓ ଦୌରା ଜର୍ଜ ଡ଼ା.ଭାଗ୍ୟଲକ୍ଷ୍ମୀ ରଥ ଶୁଭ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଦୁଇ ବରିଷ୍ଠ ଆଇନଜୀବି ଶିଶିର ପାଢ଼ୀ ଓ କିଶୋର ବିଷୋୟୀ ରିବନ୍ କାଟିଥିଲେ।କୋର୍ଟ ପରିସରକୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ତିନୋଟି ବର୍ଗଙ୍କ ପାଇଁ ଶୌଚାଳୟ, ମାଆ- ଶିଶୁ କକ୍ଷର ଶୁଭ ଉଦଘାଟନ ହୋଇଛି। ଏହାଦ୍ଵାରା କୋର୍ଟ ପରିସରର ପରିମଳ ପରିଚ୍ଛନ୍ନତା ରହିବା ସହ ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଇନଜିବୀ ମାନେ କହିଛନ୍ତି। ଶୁଭ ଉଦଘାଟନରେ କୋର୍ଟର ସମସ୍ତ ଜର୍ଜଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାସହ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ଟି. ଭେଙ୍କଟ ରାଓ, ଉପ ସଭାପତି ଟି.କେ ରେଡ୍ଡୀ, ସହ ସଂପାଦକ ଅସିତ କୁମାର ସାବତଓ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜୀବ ପାଣିଗ୍ରାହିଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ରହି ସହଯୋଗ କରିଛନ୍ତି।
State,Farming
ଭୁବନେଶ୍ୱର( ଦ କୁଇଭର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଚଳିତ ବନ୍ୟାରେ ୩ ଜିଲ୍ଲାର ୮ଟି ବ୍ଲକ, ୮୧ଟି ଗାଁ, ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଞ୍ଚଳରେ ଫସି ରହିଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ୩ଟି ଜିଲ୍ଲାରେ ୨୯ଟି ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଚଳିତ ବନ୍ୟା ଦ୍ୱାରା ୩ଟି ଜିଲ୍ଲାର ୮୧ ଗାଁ'ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାର ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।"
Education,State
ଦ କୁଇଭର ବ୍ୟୁରୋ :- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ । ଏହି ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମେତ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଶିକ୍ଷକ ଓ ପେଶାଦାର ଭାଇରାଲକାରୀ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରାଲ କରିଥିଲା । ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭରାରାଲ ହୋଇଥିଲା ଏବଂ ବୋର୍ଡ ଅଫିସର ଉପ ସଭାପତି ନିହାର ମହାନ୍ତିଙ୍କ ଲ୍ୟାପଟପରୁ ଏହି ପ୍ରଶ୍ନପତ୍ର ଚୋରି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ।
ଜିତନର ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ବିପୁଳ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବ । ଆବଶ୍ୟକ ପଡିଲେ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା ।
State
ଦ କୁଇଭର ବ୍ୟୁରୋ:- ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ସହ, ହାଇକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଅତି ସାଙ୍ଘାତିକ । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ତେଣୁ ଜାମିନ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଦେଇଥିବା ରାୟର ନକଲ କପିରେ କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଦୁର୍ନୀତିର କ୍ଷମତା ଛାଇ ପରି । କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିବାରୁ ସେ ଖୁବ୍ କ୍ଷମତାଶାଳୀ ।
ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଆବେଦନକାରୀ ଉଚ୍ଚ ପଦବୀରେ ଥିବାରୁ ଅଧିକ ଉତ୍ତରଦାୟୀ ହେବା ଉଚିତ । ଏଭଳି ଗୁରୁତର ମାମଲାରେ ଆବେଦନକାରୀଙ୍କୁ ଆଗୁଆ ଜାମିନ ମିଳିପାରିବନି । ୧୦ ଲକ୍ଷ ଲାଞ୍ଚ କାରବାରରେ ଆବେଦନକାରୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି । ଆବେଦନକାରୀଙ୍କ ଝିଅ ଓ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଛନ୍ତି ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର । ବିଷ୍ଣୁପଦଙ୍କ ଝିଅ ମାକ୍ ବୁକ୍ ଓ ଲଗଜୁରି ଘଣ୍ଟା ଉପହାରରେ ନେଇଥିବା ସିବିଆଇ କହିଛି । ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟସ୍ଆପ୍ ବ୍ୟବହାର କରିଛନ୍ତି । ଅଭିଯୁକ୍ତ ଚଞ୍ଚଲ୍ ମୁଖାର୍ଜୀଙ୍କ ଫୋନରୁ ଦେବଦତ୍ତଙ୍କୁ କଲ୍ କରିଥିଲେ ବିଷ୍ଣୁପଦ ସେଠୀ । ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି । ସିଏଫ୍ଏସ୍ଏଲ୍ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି ।୨୦୨୪ ଡିସେମ୍ବର ୭ ତାରିଖ ରାତିରେ ରାଜଧାନୀର ଏକ ତାରକା ହୋଟେଲ୍ ସମ୍ମୁଖ ରାସ୍ତାରେ ସିବିଆଇ ଟିମ୍ ଦୁଇଟି ଗାଡ଼ିକୁ ଅଟକାଇଥିଲା । ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜେନେରାଲ୍ ମ୍ୟାନେଜର୍ ଚଞ୍ଚଲ୍ ମୁଖାର୍ଜୀ, ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଠିକାଦାର ଦେବଦତ୍ତଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ସେହି ଗାଡ଼ିରେ ଥିଲେ ଚଞ୍ଚଲ୍ ମୁଖାର୍ଜୀ । ନୂଆ ଠିକା କାମ ଓ ପୁରୁଣା କାମର ବିଲ୍ ପାସ୍ କରାଇବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ମାଡ଼ି ବସିଥିଲା ସିବିଆଇ । ବିଷ୍ଣୁପଦ ସେଠୀଙ୍କ ନିର୍ଦ୍ଦେଶରେ ଏହି ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛି ସିବିଆଇ ।
State
ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।
ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।
State
ବ୍ରହ୍ମପୁର( ଦ କୁଇଭର ):- ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ସହରରେ ଟ୍ରାଫିକ ଅବ୍ୟବସ୍ଥା ସମସ୍ତଙ୍କୁ ଜଣା, ଦେଖିବାକୁ ଗଲେ ଏହା ସହରର ଏକ ମୌଳିକ ସମସ୍ୟା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ l କେଉଁଠି ରାସ୍ତାଘାଟ ଖାଲ ଖମାରେ ଭରପୁର ତ, କେଉଁଠି ନିଜ ପୈତୃକ ସମ୍ପତ୍ତି ଭଳି ରାଜ ରାସ୍ତାରେ ଗୋଡି ମାଟି ବାଲି ପକାଇ ରାସ୍ତା ଯାମ, ବିଭିନ୍ନ ଜାଗାରେ ଅନିୟନ୍ତ୍ରିତ ଅବସ୍ଥାରେ ସମସ୍ୟା ମାନ ଦେଖାଦେଉଛି l ତେଣୁ ଏସବୁର ସମାଧାନ ପାଇଁ ଵା ଦୂରୀକରଣ ପାଇଁ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମରେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସହରର ତିନୋଟି ସ୍ଥାନରେ ବିଭିନ୍ନ ଜୋନ ପାଇଁ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ଼ର ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର କମିଶନର ପ୍ରଥମେଶ ଅରବିନ୍ଦ ରାଜଶୀରକେ l ସ୍ୱତନ୍ତ୍ର ହେଲ୍ପ ଲାଇନ ଜାରି କରିବା ସହ ବିଭିନ୍ନ ଟିମ ଗଠନ କରାଯାଇ ଶୃଙ୍ଖଳିତ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ଆଗେଇଛନ୍ତି ମହାନଗର କମିଶନର l ତେବେ ଏହି ପରିପ୍ରେକ୍ଷୀରେ ନିଗମ ପରିସରରେ କମିଶନରଙ୍କ ସହ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଉକ୍ତ ଏନ୍ଫୋର୍ସମେଣ୍ଟ୍ ବାହାନକୁ ପତକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡେପୁଟି କମିଶନର କଲ୍ୟାଣୀ ସଂଘ ମିତ୍ରା, ଆଶ୍ରୀବାଦ ପରିଡ଼ା, ଗୋଷ୍ଠୀ ସଂଗଠିକା ଗୀତାଞ୍ଜଳୀ ସାମନ୍ତ ରାଙ୍କ ସମେତ ବହୁ ବିଭାଗୀୟ ଅଧୂକାରୀ, ଟ୍ରାଫିକ୍ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।
National,Farming,State
ଦ କୁଇଭର ବ୍ୟୁରୋ :- ଅଗଷ୍ଟ ୨ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଉତ୍ତରପ୍ରଦେଶର ବାରଣାସୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିବେ । ଏହି କିସ୍ତି ମାଧ୍ୟମରେ ଦେଶର ୯.୭ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ୨୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଯିବ । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଏହି କିସ୍ତି ଖରିଫ ରୁତୁ ମାଧ୍ୟମରେ ଆସୁଛି । ଯାହା କୃଷକମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସହାୟତା କରିବ । ଏହି ଯୋଜନା ମାଧ୍ୟମରେ ସରକାର ଦେଶର କୃଷି କ୍ଷେତ୍ରରେ ଅର୍ଥନୈତିକ ସ୍ଥିରତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
State
ଦ କୁଇଭର ବ୍ୟୁରୋ :- ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ନାହାନ୍ତି ମହାବଳ ବାଘ । ଦେବ୍ରିଗଡ ବାଘ ପକଳ୍ପକୁ ଆଗକୁ ବଢାଇବା ପାଇଁ ଯୋଜନା କରାଯାଉଛି । କେବଳ ଶିମିଳିପାଳ ବାଘ ଅଭୟାରଣ୍ୟ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି । ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସମୟରେ ଏଠାରେ ହାତଗଣତି ବିରଳ କଳା ବାଘ ରହିଥିବା ବେଳେ ମହାବଳ ସଂଖ୍ୟା ବୃଦ୍ଧି ହେଲାଣି । ଯମୁନା ଓ ଜୀନତ ଦୁଇ ବାଘୁଣୀର ଯୋଜନା ସଫଳ ହେଲେ ଆସନ୍ତା ବର୍ଷକୁ ଆହୁରି ବାଘ ଆସିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, "ଶିମିଳିପାଳକୁ ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ସମୟରେ ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆସିବା ନେଇ ଯୋଜନା କରାଯାଉଛି । ଯେହେତୁ ଯମୁନା ଓ ଜୀନତ ଦୁଇ ବାଘୁଣୀ ରହିଛନ୍ତି, ସେମାନଙ୍କର ବ୍ୟବହାର ଓ ପରିବେଶ ସହିତ କିପରି ଖାପ ଖୁଆଇଲା ଭଳି ଆଚରଣ କରୁଛନ୍ତି ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ବାଘଙ୍କୁ ଦେଖି ଆଗକୁ ଆହୁରି ଶିମିଳିପାଳକୁ ବାଘ ଆସିବାର ମଧ୍ୟ ଯୋଜନା କରାଯାଉଛି । ଯଦି ଏହା ସଫଳ ହୁଏ ତେବେ ପ୍ରାଥମିକ ପକ୍ରିୟାରେ ଆସନ୍ତା ବର୍ଷ ଗୋଟିଏ ମାତ୍ର ପୁରୁଷ ବାଘ ଆସିବା ନେଇ ଯୋଜନା ରହିଛି । ଏହି ବାଘ ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଉତ୍ତରାଖଣ୍ଡରୁ ଆସିବା ନେଇ ଯୋଜନା କରାଯାଉଛି ।"
State
ମୋହନା( ଦ କୁଇଭର ):- କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା l ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକର RWSS କାର୍ଯ୍ୟାଳୟରେ l ଅଭିଯୋଗ ପ୍ରକାରେ ଗତ 23 ତାରିଖ ରାତିରେ ଆର -ଉଦୟଗିରି ବ୍ଲକ RWSS ର କନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି କାର୍ଯ୍ୟାଳୟ ର ପିଅନ ଶିବ ନାରାୟଣ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ ହେଲେ ସେହି ପାଣି ବଦଳରେ ଥିଲା ପରିସ୍ରା ।ଆଉ ପରିସ୍ରା ପିଇବା ପରେ କନିଷ୍ଠଯନ୍ତ୍ରୀ ଜଣକ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ପରବର୍ତୀ ମୁହୁର୍ତରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ l ତେବେ ଜାଣିବାକୁ ପାଇଲେ ଯେ ସେହି ବୋତଲରେ ପରିସ୍ରା ମିଶାଯାଇଥିଲା l ତେବେ ଏନେଇ ସମ୍ପୃକ୍ତ ପିଅନଙ୍କ ବିରୁଦ୍ଧରେ ଆର - ଉଦୟଗିରି ଥାନାରେ ଏତଲା ଦେଇଥିଲେ l ଏନେଇ ଆର. ଉଦୟଗିରି ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସତ୍ୟାସତ୍ୟ ପଦାକୁ ଆସିବବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।