ଦ କୁଇଭର ବ୍ୟୁରୋ:- ମନ୍ତ୍ରୀଙ୍କ ବାଇକରେ ବସିଲେ ମୁଖ୍ୟମନ୍ତ୍ରୀ । କ୍ରୀଡା ମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାଇକରେ ବସି ବାଇକ୍ ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରେସନ ସିନ୍ଦୂରର ସଫଳତା ସହ ଭାରତୀୟ ବର ଯବାନଙ୍କ ପରାକ୍ରମ ଓ ସାହସକୁ ସମ୍ମାନ ଜଣାଇ ଦେଶବ୍ୟାପୀ ତ୍ରିରଙ୍ଗ ଶୋଭାଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଏହାକୁ ପରାକ୍ରମ ଶୋଭାଯାତ୍ରା ଭାବେ ପାଳନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଏହାପରେ ବାଇକ୍ ରାଲିରେ ସାମିଲ ହୋଇଥିଲେ । ଯେଉଁଠି ସେ ମନ୍ତ୍ରୀଙ୍କ ବାଇକରେ ବସି ଏକ ଭିନ୍ନ ଅନ୍ଦାଜରେ ଯାଉଥିବା କ୍ୟାମେରାରେ କଏଦ ହୋଇଛି । ହାତରେ ପତାକା, ମୁଣ୍ଡରେ ହେଲମେଟ୍ ପିନ୍ଧି ଟ୍ରାଫିକ ନିୟମକୁ ପାଳନ କରି ବାଇକ୍ ଯାତ୍ରାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବାଇକରେ ବସିଲା ବେଳେ ମନ୍ତ୍ରୀ ସୂର୍ଯ୍ଯବଂଶୀଙ୍କ ସହ କଥା ହୋଇ ହୋଇ ଏବଂ ମଝିରେ ମଝିରେ ତ୍ରିରଙ୍ଗାକୁ ଚାହିଁ ଆଗକୁ ବଢୁଥିଲେ । ନିଜ ସରଳପଣକୁ ନେଇ ସବୁବେଳେ ବାରି ହୋଇପଡୁଥିବା ମୋହନ ମାଝୀ ରାଲି ରେ ମଧ୍ୟ ଭିନ୍ନ ଭଙ୍ଗୀରେ ନଜର ଆସିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବାଇକ୍ ରାଲିରେ ସାମିଲ ହୋଇଥିଲେ ।
ସାରା ଦେଶ ପାଳୁଛି ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି । ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ ଶୋଭାଯାତ୍ରା’ ବାହାରିଛି । ଏହାକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ୍ ଗାଇଡ୍, ସିଆରପିଏଫ୍, ପୁଲିସ ଓ ଟ୍ରାଫିକ୍ ପୁଲିସ୍ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।
No comments yet.
Shree Jagannath
ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।
State
ଦ କୁଇଭର ବ୍ୟୁରୋ:- ମେ’ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ। ତା’ ପୂର୍ବରୁ ମାଡ଼ିବସିଲା ଭିଜିଲାନ୍ସ। ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟର ଆକାର ଦେଖି ଖୋଦ ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି। କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା। ରାଜଧାନୀଠାରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼। ରୋଚକ ବିଷୟଟି ହେଉଛି, ଭିଜିଲାନ୍ସ ଟିମ୍ ଆଜି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍ ବଜାଇବାବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ଫିଙ୍ଗି ଚାଲିଥିଲେ। ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା। ନାକେଦମ୍ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ। ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା। ଭିଜିଲାନ୍ସର ୭ଟି ଟିମ୍ ଆଜି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆସ୍ଥିତ ବାସଭବନ ଓ ଲୋକେଇପଶିସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ଆଦି ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଶୁକ୍ରବାର ଭୋରରୁ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, ପୁରୀ ଓ ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍, ଅନୁଗୁଳରେ ୨ଟି ଦୁଇ ମହଲା କୋଠା, ପୁରୀ ପିପିଲି ଅଞ୍ଚଳରେ ଗୋଟିଏ ଫ୍ଲାଟ୍ ଠାବ ହୋଇଥିଲା। ଭୁବନେଶ୍ବର ଡୁମଡୁମା ଅଞ୍ଚଳରେ ଥିବା ୧୫୩୦ ବର୍ଗଫୁଟରେ ନିର୍ମିତ ଦାମୀ ଫ୍ଲାଟ୍ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ଅନୁଗୁଳରେ ଥିବା ଦୁଇଟି କୋଠାର ମୂଲ୍ୟ ୨ କୋଟିରୁ ଅଧିକ ହେବ। ସେହିପରି ପିପିଲି ଶିଉଳା ଅଞ୍ଚଳରେ ୧୧୦୦ ବର୍ଗଫୁଟରେ ନିର୍ମିତ ଫ୍ଲାଟ୍ର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଆକଳନ କରାଯାଇଛି। ପୁରୀ ଓ ଅନୁଗୁଳର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ୍ ମଧ୍ୟ ଠାବ ହୋଇଛି। ଯେଉଁଥିରେ ପୁରୀରେ ୪ଟି ଓ ଅନୁଗୁଳରେ ୩ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ୨.୫କୋଟିରୁ ଊର୍ଦ୍ଧ୍ବ ହେବ। ଏଥିସହିତ ବ୍ୟାଙ୍କଜମା, ବୀମା ଓ ବଣ୍ଡର ସନ୍ଧାନ ମିଳିଛି। ଯାହାର ମୂଲ୍ୟ ୧.୫କୋଟି ଟଙ୍କା ହେବ।ଧରପଗଡ଼ ସମୟରେ ଭୁବନେଶ୍ବର ଡୁମଡୁମା ଘରୁ ନଗଦ ୧.୩୪ କୋଟି ଓ ଅନୁଗୁଳ ଘରୁ ୧.୨୨ କୋଟି ଟଙ୍କା ସହିତ ମୋଟ ୨,୫୬,୦୦୦,୦୦ ଟଙ୍କା ଜବତ କରାଯାଇଛି। ୧୧୪୧ ଗ୍ରାମ୍ ସୁନାଗହଣା, ୫୦୦ ଗ୍ରାମର ରୁପା, ବିଦେଶରୁ ଆମଦାନି କରାଯାଇଥିବା ୧୫ଟି ଦାମୀ ହାତଘଣ୍ଟା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ସହିତ ଗୋଟିଏ କାର ଠାବ କରାଯାଇଛି। ଏହାଛଡ଼ା ସେ ସେୟାର ବଜାରରେ ୨.୭ କୋଟିର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ସମ୍ପତ୍ତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପଟେ ମୁଖ୍ୟଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଆଜି ଚଢ଼ଉରେ ୮ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୬ ଜଣ ଏସ୍ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।
State,National
ଦ କୁଇଭର ବ୍ୟୁରୋ:- ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ ।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ ।
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
National,Health & lifestyle
ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।
Health & lifestyle
ଦ କୁଇଭର ବ୍ୟୁରୋ :- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି।
ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
Education,Farming,Health & lifestyle,State
ଭଦ୍ରକ( ଦ କୁଇଭର ):- ଭଦ୍ରକରେ ଖୁବ୍ଶୀଘ୍ର ସରକାରୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏଥିସହିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୈଷୟିକ ବୟନ ଶିଳ୍ପ କମ୍ପ୍ଲେକ୍ସ,ଏମ୍ପିସିଆଇ ପକ୍ଷରୁ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଭଦ୍ରକ ବ୍ଲକ୍ ରମ୍ଭିଳା ପଞ୍ଚାୟତ ଆରଡ଼ିପଦାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଘୋଷଣା କରିଛନ୍ତି। ଯାହା ଭଦ୍ରକବାସୀଙ୍କ ମନରେ ଉତ୍ସାହ ଭରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭୪ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଦ୍ରକ ମାଟିର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ସହ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଇରମ ଓ ସହିଦନଗରର ଲୁଣିଆ ମାଟିକୁ ମନେପକାଇ କହିଥିଲେ, ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଉନ୍ନତି ପାଇଁ ସ୍କୁଲ୍ରେ ଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀମାନଙ୍କପାଇଁ ଆମର ବଡ଼ ଅବଦାନ ହେଉଛି; ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମାଆମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛୁ। ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବିକାଶଧାରା ତ୍ବରାନ୍ବିତ ହେବ। ସଂଗ୍ରାମ ପୀଠରେ ବିକାଶମୂଳକ କାର୍ଯ୍ୟ କରାଯିବ। ବହୁ ପ୍ରତୀକ୍ଷିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ୬ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଫଳରେ ୫ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ନିଯୁକ୍ତି ପାଇବେ। ଜିଲ୍ଲାବାସୀଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ୍ଶୀଘ୍ର ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ସହ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯିବ। ସମ୍ମାନିତ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଦେଉଥିବା ପ୍ରତିଶ୍ରୁତି ପୂରା କରିବୁ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଜେପି ସରକାର ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରାଣୀତାଲ ରାସ୍ତାରେ ରେଳ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଧନ୍ୟବାଦ ଦେଇଥିଲେ।
Sports
ଦ କୁଇଭର ବ୍ୟୁରୋ:- ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଅନ୍ୟପଟେ ଆଜିର ପରାଜୟ ସହ ଗୁଜରାଟ ଟାଇଟେଲ ଦୌଡରୁ ବାଦ ପଡ଼ିଛି । ୨୨୯ ରନର ପିଛା କରିଥିବା ଗୁଜରାଟ ୨୦ ଓଭରରେ ୨୦୮ ରନ ହିଁ କରିପାରିଥିଲା ।ଦଳ ପକ୍ଷରୁ ସାଇ ସୁଦର୍ଶନ ୮୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ରୋହିତ ଶର୍ମା ବ୍ୟାଟିଂ ଓପନ କରିଥିଲେ । ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ରୋହିତ ଟିକିଏ ସତର୍କତାର ସହ ବ୍ୟାଟିଂ କରିଥିଲେ । ବେୟାରଷ୍ଟୋ ମାତ୍ର ୨୨ ବଲରେ ୪୭ ରନ କରି ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସୂର୍ଯ୍ୟକୁମାର ଯାଦବ । ରୋହିତ ମାତ୍ର ୫୦ ବଲରେ ୮୧ ରନ କରିଥିବାବେଳେ ସୂର୍ଯ୍ୟକୁମାର ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ସାଇକିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ
Health & lifestyle,National
ଦ କୁଇଭର ବ୍ୟୁରୋ:- ଦେଶରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ମେ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ୧୦୦୦ ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ ମାମଲା ରେକର୍ଡ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ୧୧୬ ମାମଲା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ ହୋଇଛି। ତଥାପି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
State
ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"
National
ଦ କୁଇଭର ବ୍ୟୁରୋ :- ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଜଳ ପ୍ରଳୟ ଆଣିଛି । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ଆଉ ପାଣି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତା ନଈ ପାଲଟିଛି, ରାସ୍ତାରେ ଡଙ୍ଗା ଚାଲୁଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଆଉ ଏହି ବନ୍ୟାରେ ଆସାମରେ ଭୟାବହ ସ୍ଥିତି ଉପୁଜିଛି । ଆସାମର ଅନେକ ଗାଁ ଏବେବି ଜଳମଗ୍ନ । ବାହ୍ୟ ଜଗତ ଠାରୁ ସେସବୁ ଗାଁ ପୂରା ବିଚ୍ଛିନ୍ନ ହୋଇଛି । ପ୍ରାୟ ସାଢେ ୩ ଲକ୍ଷ ଲୋକ ଜଳବନ୍ଦୀ ଥିବା କୁହାଯାଉଥିବା ବେଳେ ସବୁଠାରୁ ବଡ଼ ଓ ଦୁଃଖର କଥା ଏଯାଏଁ ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିନି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି ।
State,Farming
ଦ କୁଇଭର ବ୍ୟୁରୋ:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଦେବଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି । ଏଥିସହିତ ଦେବଗଡ଼ ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଆମ ସରକାର ଆସିବା ପରେ ଆମେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ’’। ସେ ଆହୁରି ମଧ୍ୟ କହିଛନ୍ତି, "ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଆମ ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ l
କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋୖସୁମୀ ଆସିବା ସତ୍ତ୍ବେ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପାଗ ଶୁଖିଲା ରହିବା ସହ ବର୍ଷାର ଦେଖା ଦର୍ଶନ ନାହିଁ । କେବଳ ମୟୂରଭଞ୍ଜକୁ ଛାଡିଦେଲ ଆଉ ସମସ୍ତ ଜିଲ୍ଲାରେ ଶୁଖିଲା ପାଗ । ବର୍ଷା ବଦଳରେ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ମୌସୁମୀ ଜନିତ ବର୍ଷା ଏବେ ଆରମ୍ଭରୁ ନିରାଶ କରିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ କହିଛନ୍ତି ‘‘ଆସନ୍ତା ୧୦ଦିନ ଧରି ମୋସୁମୀ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନିଷ୍କ୍ରିୟ ରହିବ। ରାଜ୍ୟକୁ ପଶ୍ଚିମ ପବନ ବହୁଥିବାରୁ ମୋସୁମୀର ଏକ ଚାଦର ଓଡିଶା ଉପରେ ଘେରି ହୋଇଛି। ଆସନ୍ତା ୧୦ ତାରିଖରୁ ବା ୧୨ତାରିଖ ଆଡକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେତେବେଳକୁ ପ୍ରାୟ ୪ରୁ ୫ଦିନ ଯାଏ ବର୍ଷା ଲାଗି ରହିବ । ଅର୍ଥାତ୍ ଏଭଳି ଗରମ ଓ ଗୁଳୁଗୁଳି ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୫ ତାରିଖ ପର୍ଯନ୍ତ ତାପମାତ୍ରା ଏଇ ଭଳି ଭାବେ ବୃଦ୍ଧି ରହିବ’’।
ସେହିପରି ଆସନ୍ତା ସାତ ଦିନ ପାଇଁ ଟ୍ବିନି ସିଟିରେ ହିଟ୍ ଓ୍ବେଭ ଆଲର୍ଟ। ସର୍ବାଧିକ ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ତାପମାତ୍ରା । ଭୁବନେଶ୍ୱରରେ ଆସନ୍ତା ସାତ ଦିନ ପାଇଁ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ । ଦୁଇ ତିନି ଦିନ ଯାଏଁ ୪୦ରୁ ୪୧ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେହିପରି କଟକରେ ୩୯ ଡିଗ୍ରି ତଥା ୪୦ ପର୍ଯ୍ୟନ୍ତ ତାପମାତ୍ରା ଆଗାମୀ ଦୁଇ ତିନ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨ ରୁ ୬ ଯାଏଁ ଏହ ସବୁ ଜିଲ୍ଲାରେ ପାରଦ ଉପରମୁହାଁ ରହିବ । ୧୧ ଜିଲ୍ଲାରେ ତାତି ବଢିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ଜୁନ 1ରୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୪ଡିଗ୍ରୀ ସେଲସିୟସ ଡିଗ୍ରୀ ରେକର୍ଡ କରଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜରେ ୬୦ପ୍ରତିଶତରୁ କମ ବର୍ଷା ହୋଇଥିବା ବେଳେ ବାକି ସାରା ରାଜ୍ୟର ସମସ୍ତ ଜିଲ୍ଲା ପୁରା ଶୁଖିଲା ରହିଛି। ଅର୍ଥାତ୍ ସାରା ରାଜ୍ୟରେ ୧୦୦ ପ୍ରତିଶତ ବିନା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗର ରେକର୍ଡ କହୁଛି।
Sports,State
ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍ପି ଅଫିସ୍ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।
State
ଦ କୁଇଭର ବ୍ୟୁରୋ:- ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆଜିଠୁ ପୁଣି ବଢିବ ତାତି । ୫ରୁ ୬ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି । ତଥାପି ସଂପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳ ଉପରେ ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି ।ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Farming,Business,State
ଦ କୁଇଭର ବ୍ୟୁରୋ:- ଓମଫେଡ଼ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ହୋଇଛି ।ଏଥିରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିଛନ୍ତି ।ଏହା ସହ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ନେଇ ମଧ୍ୟ ଘୋଷଣା କରିଛନ୍ତି ।ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-2ମିଲ୍କ, ଏ-2ଘିଅର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ,ମଇଁଷି ଉଦ୍ୟୋଗ ବିକାଶ,ମାଈ ବାଛୁରୀ ପାଳନ,ଗୋ-ମଇଁଷିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,"ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ । ଏହା କେବଳ ଏକ ଆୟର ଉତ୍ସ ନୁହେଁ,ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ । ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି,‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’।"ସେ ଆହୁରି ମଧ୍ୟ କହିଛନ୍ତି,"‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି । ପ୍ରାଣୀ କଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ।ସହାନୁଭୂତି,ସମ୍ବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି । ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ।"
National
ଦ କୁଇଭର ବ୍ୟୁରୋ:- ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ, କିପରି ସତର୍କ ରହିବେ, ନିଜକୁ କିପରି ସୁରକ୍ଷିତ ରଖିବେ, ଏନେଇ ଅଭ୍ୟାସ କରାଯିବ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି, ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସୂଚନା ପ୍ରକାରେ,୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା ଭାରତୀୟ ବାୟୁସେନା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ତେବେ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।
State
ବ୍ରହ୍ମପୁର( ଦ କୁଇଭର):- ରାଜ୍ୟରେ ଦିନକୁ ଦିନ ଅପରାଧ ଆଉ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଚଳାଇଛି ଖୁଲମ ଖୁଲା ଅପରାଧ l ଏକ ପ୍ରକାର ପୋଲିସ ପ୍ରଶାସନର ନିଦ ହଜାଇଦେଇଥିବା ବେଳେ ଏ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ସହର ରେ ଅପରାଧୀଙ୍କୁ ଖୋଜି ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ରହ୍ମପୁର ପୋଲିସ ପାଇଁ କିନ୍ତୁ ଏହି ଚ୍ୟାଲେଞ୍ଜ କୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣl ବିବେକ ଏମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧୀମାନଙ୍କ ଚେର କୁ ଗୋଟେ ପରେ ଗୋଟେ କରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ପ୍ରଶାସନ l
ବ୍ରହ୍ମପୁରରେ ଚାଲିଛି ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ l ତେବେ ଏସପି ଙ୍କ ନିର୍ଦେଶ କ୍ରମେ ଗୋଶାଣୀନୂଆଗାଁ ଏବଂ ବୈଦ୍ୟନାଥ ପୁର ପୋଲିସ ର ମିଳିତ ଉଦ୍ୟମରେ ଶନିବାର ବ୍ରହ୍ମପୁର ସହରରେ ୭ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ନଗଦ ୧,୧୧,୫୦୦ ଟଙ୍କା,ଗୋଟିଏ ମହେନ୍ଦ୍ର ଟିୟୁଭି ୩୦୦ ଏବଂ ଅନେକ ବୋମା ଜବତ କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଗୋଶାଣୀନୂଆଗାଁ ଅଞ୍ଚଳରୁ ହୋଇଥିବା ବେଳେ ବଳକା ୨ ଜଣ ଅପରାଧୀ ବୈଦ୍ୟନାଥ ପୁର ଥାନା ଅଂଚଳର ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l
Sports
ଦ କୁଇଭର ବ୍ୟୁରୋ:- ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆର୍ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ । ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍ ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍ ମାରିଛି ପଞ୍ଜାବ ଦଳ । ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଙ୍ଗାଲୁରୁ ଦଳର ଓପନିଂ ଯୋଡ଼ି ଦଳ ପାଇଁ ୧୮ ରନ୍ କରିଥିଲେ । ଫିଲ୍ ସଲ୍ଟ ପ୍ରଥମେ ନିଜ ୱିକେଟ୍ ହରାଇଥିଲେ । ଏହାପରେ ମୟଙ୍କ ଅଗ୍ରାୱାଲ୍ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ତେବେ ୫୬ ରନ୍ ଦଳୀୟ ସ୍କୋର୍ ବେଳେ ମୟଙ୍କ ଅଗ୍ରୱାଲ ନିଜ ୱିକେଟ୍ ହରାଇଥିଲେ । ମୟଙ୍କଙ୍କ ୱିକେଟ୍ ପରେ ରଜତ ପଟିଦାର ଓ ବିରାଟଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଯାହା ବଡ଼ ସ୍କୋର୍ କରିବାରେ ସହାୟକ ହୋଇଥିଲା । ଏହାରି ମଧ୍ୟରେ ବିରାଟ କୋହଲି ୪୩ ରନ୍ କରି ନିଜ ୱିକେଟ ହରାଇଥିଲେ । ପାଳି ଶେଷ ବେଳକୁ ରୋମାରିଓ ସେଫର୍ଡ ୯ ବଲ୍ରୁ ୧୭ ରନ୍ କରିଥିବା ବେଳେ ଜିତେଶ ଶର୍ମା ୧୦ ବଲ୍ରେ ୨୪ ରନ୍ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋର୍ ୧୯୦ ରନ୍ରେ ପହଞ୍ଚି ପାରିଥିଲା । ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ ଦଳ । ଶଶାଙ୍କ ସିଂ ୬୧ ରନ୍ର ପାଳି ଖେଳି ଦଳକୁ ବିଜୟ ଦେବାକୁ ସମସ୍ତ ପ୍ରୟାସ କରିଥିଲେ । ଆର୍ସିବି ବୋଲର ଆଜି ଜବରଦସ୍ତ ବୋଲିଂ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଯଶ ଦୟାଲ, ଜୋସ ହେଜେଲଉଡ୍ ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଆର୍ସିବିକୁ ଚାମ୍ପିୟନ କରାଇଛନ୍ତି ।