ବ୍ରହ୍ମପୁର( ଦ କୁଇଭର ):- ଭୁବନେଶ୍ୱର ପରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପରିଧାନ କରିବେ ବଡ଼ି କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ୫ ଟି ବଡ଼ି କ୍ୟାମେରା କୁ କାର୍ଯ୍ୟକାରୀ କରାଯାଇଛି । ଏ ନେଇ ବ୍ରହ୍ମପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଛନ୍ତି ଏସପି ଡ଼ା,ଶ୍ରବଣା ବିବେକ ଏମ୍ । ଆଜି ଠାରୁ ଗୋପାଳପୁର ରେ ଗୋଟିଏ ଏବଂ ବ୍ରହ୍ମପୁର ସହରର ୪ ଗୋଟି ସ୍ଥାନରେ ପର୍ଯ୍ୟାୟ କ୍ରମେ କ୍ୟାମେରା ପରିଧାନ କରିଥିବା ଟ୍ରାଫିକ ପୋଲିସ ଯାଞ୍ଚ୍ କରିବ । ଏହି କ୍ୟାମେରା ୧୨୦ ଡିଗ୍ରୀ ପରିସୀମା ମଧ୍ୟରେ ଭିଡିଓ ରେକର୍ଡ କରିବା କ୍ଷମତା ରଖିଛି । ଏହି କ୍ୟାମେରା ରେ ୬ ଘଣ୍ଟା ପର୍ଯ୍ୟନ୍ତ ରେକର୍ଡ ହୋଇପାରିବ ଏବଂ ପ୍ରତି ୩ ଘଣ୍ଟାରେ ଏହାକୁ ଚାର୍ଜ କରିବାକୁ ପଡ଼ିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି । ଯାଞ୍ଚ୍ ସମୟରେ ସ୍ବଚ୍ଛତା ରଖିବାକୁ ବ୍ରହ୍ମପୁର ପୋଲିସ ର ଏହି ପ୍ରୟାସ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
No comments yet.
Farming
ନୂଆପଡା( ଦ କୁଇଭର ):- ନୂଆପଡା ଜିଲ୍ଲା ଦୁର୍ନୀତି ର ଗନ୍ତା ଘର ସାଜି ସାଜିଥିବାବେଳେ ସାଧାରଣ ଅଭିଯୋଗ କାରୀ କେବଳ ବିକ୍ଷୋଭ ଓ ଆନ୍ଦୋଳନ କୁ ଏକ ମାଧ୍ୟମ ଭାବି ନେଇଛନ୍ତି । ହେଲେ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଜିଲ୍ଲା ରେ ଅଶାନ୍ତ ଦେଖା ଦେଉଥିବା ବେଳେ ବିଶେଷ କରି ଶିକ୍ଷା ବିଭାଗର ଏଫ୍.ଏଲ୍. ଏନ ପାଣ୍ଠି ରୁ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ପ୍ରଶାସନ ର ନିରବତା ବିଶେଷକରି ଆଦିବାସୀ ମାନଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ବାରମ୍ୱାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ଆଦିବାସୀ ସଂଘ । ଏଫ୍.ଏଲ.ଏନ ଦୁର୍ନୀତି ସହ ଆହୁରି ଏକୋଇଶି ଦଫା ଦାବି ନେଇ ମଙ୍ଗଳବାର ଜିଲ୍ଲା ଆଦିବାସୀ ସଂଘ୍ ରାଜ ରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି ।
ନୂଆପଡ଼ା ଜିଲ୍ଲା ରେ ଶିକ୍ଷା ବିଭାଗ ର ଏଫ୍.ଏଲ. ଏନ. ଦୁର୍ନୀତି ହାଟରେ ପଡି ଦାଣ୍ଡ ରେ ଗଡୁଛି। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଘଣ୍ଟ ଗୋଡ଼ାଇ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏହା ସହ ବିଶେଷ କରି ଆଦିବାସୀ ଙ୍କ ବିଭିନ୍ନ ହକ ଓ ଅଧିକାର ପାଇଁ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ନୂଆପଡ଼ା ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଓ ଜିଲ୍ଲା ସଭାପତି ଭାନୁପ୍ରତାପ ମାଝୀ ଙ୍କ ନେତୃତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ହଜାର ଆଦିବାସୀ ଯୋଗ ଦେଇଥିଲେ । ଏଫ୍.ଏଲ.ଏନ ରେ ଚାରି କୋଟି ଟଙ୍କା ର ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ର ତିନି ମାସ ବିତି ଯାଇଥିଲେ ହେଁ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ । ଯଦି ଏହାର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନ କାରି ଆଦିବାସୀ ମାନେ ଚେତବନୀ ଦେଇଛନ୍ତି ।
ହକ ଓ ଅଧିକାର ପାଇଁ ମାନେ ଆଦିବାସୀ ବାରମ୍ୱାର ରାଜରାସ୍ତାରେ, ହେଲେ ପ୍ରଶାସନ ନୀରବଦ୍ରଷ୍ଟା । ମଙ୍ଗଳବାର ଆୟୋଜିତ ଆନ୍ଦୋଳନ ରେ ବାଇଶି ହଜାର ଆଦିବାସୀ ଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ରାଜସ୍ବ ମାଓ ପ୍ରବଣ ଗାଁ ମାନଙ୍କ ର ବନ୍ଦ ଥିବା ସ୍କୁଲ ଗୁଡ଼ିକ ପୁନଃ ଖୋଲା ଯାଉ, ଆଦିବାସୀ ବହୁଳ ନୂଆପଡ଼ା ବିଧାନସଭା ମଣ୍ଡଳୀ ରେ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି ତେଣୁ ନୂଆପଡ଼ା ବିଧାନସଭା କୁ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ କରାଯାଉ, ନୂଆପଡ଼ା ଆଦିବାସୀ ବହୁଳ ଗାଁ ମାନଙ୍କୁ ପେଶା ଆଇନ ଲାଗୁ କରାଯାଉ ବୋଲି ଦୀର୍ଘ ସମୟ ଧରି ଅଡି ବସିଥିଲେ । ଏମିତି କି ଦୀର୍ଘ ପାଞ୍ଚ ଘଣ୍ଟା ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଏମିତି କି ନୂଆପଡ଼ା ଏସପି ନିଜ କାର୍ଯ୍ୟାଳୟ ରୁ ବାସଭବନ ଯାଉଥିବା ସମୟ ରେ ଆଦିବାସୀ ଏସପିଙ୍କ ଗାଡ଼ି ତଳେ ଶୋଇ ପଡି ବିକ୍ଷୋଭ ପ୍ରଦର୍ଶନ କରି ଏସପି ଙ୍କୁ ଫେରିବା ପାଇଁ ବାଧ୍ୟ କରିଦେଇଥିଲେ । ଶେଷ ରେ ନୂଆପଡ଼ା ଏସପି ମଧ୍ୟ ବାଧ୍ୟ ହୋଇ ଫେରିବା ପାଇଁ ବାଧ୍ୟ ହୋଇଥିଲେ । ଦୀର୍ଘ ପାଞ୍ଚ ଘଣ୍ଟା ପରେ ଆନ୍ଦୋଳନ ସ୍ଥଳ କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଆଦିବାସୀ ମାନଙ୍କ ସହ ଆଲୋଚନା କରି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ଏଫ୍.ଏଲ. ଏନ. ଦୁର୍ନୀତି ଅଭିଯୋଗ ର ତଦନ୍ତ ଚାଲିଛି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଅନ୍ୟ ଦାବି ସମୂହ କୁ ରାଜ୍ୟ ସରକାର ଙ୍କୁ ଜଣାଇ ଦିଆଯିବ ବୋଲି ଉଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲା ଆଦିବାସୀ ମହାସଂଘ ର ବାରମ୍ଵାର ଆନ୍ଦୋଳନ ହେଉଥିଲେ ହେଁ ପ୍ରଶାସନ କେବଳ ପ୍ରତିଶ୍ରୁତି ହିଁ ଏକ ମାଧ୍ୟମ ପାଲଟିଛି । ବର୍ତ୍ତମାନ ର ଆନ୍ଦୋଳନ ରେ ମଧ୍ୟ ଦୀର୍ଘ ପାଞ୍ଚ ଘଣ୍ଟା ର ଆନ୍ଦୋଳନ ସାଙ୍ଗ କୁ ନୂଆପଡ଼ା ଏସପି ହଟହଟା ହେବା ଘଟଣା ପରେ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି ସତ ହେଲେ ପ୍ରତିଶ୍ରୁତି କେବେ ପୂରଣ ହୋଇ ଆଦିବାସୀ ଙ୍କୁ ନିଜ ଅଧିକାର ମିଳୁଛି ସେ ଉପରେ ରହିଛି ସମସ୍ତଙ୍କ ନଜର।
State
ଦ କୁଇଭର ବ୍ୟୁରୋ :- କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଆହୁରି ୨୪ ଘଣ୍ଟା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଲି ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ ।ସେପଟେ ଆସନ୍ତା ୩ ଘଣ୍ଟା ପାଇଁ ୧୫ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ରାୟଗଡାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅନ୍ୟପଟେ ବର୍ଷା ଯୋଗୁ ବଡ଼ ଦିନ ମାହୋଲ କିଛିଟା ଫିକା ପଡ଼ିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଆସିପାରିନଥିଲେ । ଛତା ଧରି ଓ ରେନକୋଟ ପିନ୍ଧି ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଆସିଛନ୍ତି । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ରଙ୍ଗୀନ ଆଲୋକମାଳାରେ ଝଲସୁଛି । ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
State
ଖଡ଼ିଆଳ( ଦ କୁଇଭର ):- ପୁଣି ଖଡ଼ିଆଳ ବନ ବିଭାଗକୁ ସଫଳତା । ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ଖଡ଼ିଆଳ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ ଗଠନ କରି ସୋମବାର ସନ୍ଧ୍ୟା ସମୟ ରେ କିରକିଟା ପଞ୍ଚାୟତ ର ଜୁନାପାନି ଛକ ଠାରେ ବଜ୍ରକାପ୍ତା କୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ତିନିଜଣ ଙ୍କୁ ଗିରଫ କରିଥିଲା ବନ ବିଭାଗ । ସେମାନଙ୍କ ଠାରୁ ୧କେ. ଜି ୮୦୦ଗ୍ରାମ ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପଚରା ଉଚରା ସହ ଆଜି ସିନ ର କ୍ରିଏସନ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଲନି ଜରିଆରେ ଖଡ଼ିଆଳ DFO ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଛି ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମ ର ଜଣେ ବ୍ୟକ୍ତି ବୋଲି ଜଣାପଡଛି l ତଦନ୍ତ ଚାଲିଥିବା ରୁ ଅଭିଯୁକ୍ତ ଙ୍କ ନାମ ଗୋପନ ରଖା ଯାଇଥିବା ଖଡ଼ିଆଲ DFO ଅଜିଜ ଖାନ କହିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ଆଉ କିଛି ମୁହୂର୍ତର ଅପେକ୍ଷା ପରେ ଧରାପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁ l ଏଥି ପାଇଁ ଖ୍ରୀଷ୍ଟିଆନ ଧର୍ମ ଅଵଲମ୍ବି ମଧ୍ୟ୍ୟରେ ବେଶ ଉତତ୍ସାହ ପରିଲକ୍ଷିତ ହେଲାଣି। ଏଥି ପାଇଁ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଚର୍ଚ୍ଚରେ ସାଜସଜା ହେଲାଣି। ମଧ୍ୟ ରାତ୍ରିରେ ଯେତେ ବେଳେ ଧରା ଅବତରଣ କରିବେ ସେହି ସମୟରେ ବାଇବେଲ ପାଠ ସାଙ୍ଗ କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଚର୍ଚ୍ଚ ଫାଦର ସୂଚନା ଦେଇଛନ୍ତି l
State
ଭୁବନେଶ୍ୱର( ଦ କୁଇଭର ):- ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ । ଭୁବନେଶ୍ୱର, ପୁରୀ, କଟକ ଗଡିବ 3ଟି ବସ୍ । ଏନେଇ ଏନଟିପିସି ଓ ଗ୍ରୀଡ୍କୋ ସହ ଚୁକ୍ତି କଲା କ୍ରୁଟ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଖର୍ଚ୍ଚ କମ ସାଙ୍ଗକୁ ଏହା ହେବ ପରିବେଶ ଲାଗି ଉପଯୋଗୀ ।ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ, ଶକ୍ତି ବିଭାଗର ଗ୍ରିଡ଼ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ଼ ବା ଗ୍ରିଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଗତକାଲି ଲୋକସେବା ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ । ଆସନ୍ତା 5 ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ହାଇଡ୍ରୋଜେନ୍ ଚାଳିତ ବସର ସୁପରିଚାଳନା ଦାୟିତ୍ୱ କ୍ରୁଟକୁ ଦିଆଯାଇଛି । ଏନଟିପିସି ହାଇଡ୍ରୋଜେନ ଉତ୍ପାଦନ ଓ ଗ୍ରିଡ଼କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ।ପ୍ରାଥମିକ ଭାବେ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।
ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଗୋଟିଏ ବସର ଦାମ ପ୍ରାୟ ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ବସର 58 କେଜି ଇନ୍ଧନ କ୍ଷମତା ରହିଛି । ଥରେ ହାଇଡ୍ରୋଜେନ ଟ୍ୟାଙ୍କ ଭର୍ତ୍ତି ହେଲେ 6 ଶହ କିମି ଯାଇ ପାରିବ ବସ । ଗୋଟିଏ ଅତ୍ୟାଧୁନିକ ବସରେ 42 ଜଣ ଯାତ୍ରା କରି ପାରିବେ । ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ । ଏନ୍ଟିପିସି କ୍ରୁଟର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କ୍ରୁଟ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସଟିପି ପ୍ଲାଣ୍ଟକୁ ବ୍ୟବହାର କରି ଏନଟିପିସି ହାଇଡ଼୍ରୋଜେନ ଗ୍ୟାସ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନଟିପିସିକୁ 2 ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼କୋ ନିକଟସ୍ଥ ସବଷ୍ଟେସନକୁ 2 ମେଗାୱାଟ ବିଦ୍ୟୁତ ଯୋଗାଇବ ।
ସେ ଆହୁରି ମଧ୍ୟ କହିଛନ୍ତି, "ଇଭି ଚଳାଇବା ଲାଗି ବିଜୁଳି ଗ୍ରୀଡ଼ରୁ ଆସୁଛି । ବିଜୁଳି ଉତ୍ପାଦନ ଲାଗି କୋଲ, ଜଳ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର ହେଉଛି । ବର୍ତ୍ତମାନ ଡିଜାଇନ ହୋଇଥିବା ଇଭି ବସ ଥରେ ଚାର୍ଜ କଲେ 150 କିମି ଚାଲି ପାରିବ । ଏହା ପରେ ପୁନର୍ବାର ଚାର୍ଜ କରିବାକୁ ପଡିବ । ଚାର୍ଜ କରିବାକୁ ଘଣ୍ଟେରୁ 2 ଘଣ୍ଟା ସମୟ ମଧ୍ୟ ଲାଗିବ । ହାଇଡ୍ରୋଜେନ ବସର 58 କେଜି ଟ୍ୟାଙ୍କି କ୍ଷମତା । ଥରେ ଭର୍ତ୍ତି ହେଲେ 600 କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ । ପ୍ରଚୁର ମାତ୍ରାରେ ଅକ୍ସିଜେନ ନିର୍ଗତ ହେବ । ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା କମିବ । ଶକ୍ତି ସମ୍ପଦ ବଞ୍ଚିବ । ସମୟ ମଧ୍ୟ ବଞ୍ଚିବ ।"
State
ଭୁବନେଶ୍ୱର( ଦ କୁଇଭର ):- ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମା ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ |ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି | ସେହିପରି ଜେନେରାଲ ଭିକେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ସେହିପରି ଅଜୟ କୁମାର ଭଲଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |
National
ଦକୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ଅଣତିରିଶ (୨୯) ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ଦ୍ୱାରା ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ। (କ) ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ, ଏବଂ ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ। ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।
Politics
କରଞ୍ଜିଆ ( ଦ କୁଇଭର ):- ୧୯୯୭ ମସିହାରେ ଗଠନ ହୋଇଥିଲା ପାର୍ଟି । ୨୦୦୦ ମସିହାରୁ ଦଳ ସରକାରରେ ରହି ଆସିଥିଲା । ଆଜି ଡିସେମ୍ବର ୨୬ ଦଳକୁ ୨୭ ପୂରି ୨୮ ଚାଲିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ନବୀନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ।ପ୍ରଥମ ଥର ପାଇଁ ସରକାରରୁ ହଟିିବା ପରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ୨୭ ବର୍ଷର ସେବା ଦେଇଥିବା ବିଜେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପାରିପେଖିରେ କରଞ୍ଜିଆ ନିର୍ବାଚନ ମଣ୍ଡଳ ସ୍ତରୀୟ ୨୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଦିବା ୧୧ଘଟିକା ୩୦ମିନିଟ୍ ସମୟରେ କରଞ୍ଜିଆ ଏନ୍ଏସି କଲ୍ୟାଣୀ ମଣ୍ଡପ ଠାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ପ୍ରଥମେ ଅତିଥି ଗଣ ପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ର ଏବଂ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପୋ ଦିପୋ ଦେଇ ସଭା ଆରମ୍ଭ କରିଥିଲେ। ଆଜି କରଞ୍ଜିଆ NAC କଲ୍ୟାଣୀ ମଣ୍ଡପ ଠାରେ ଯେଉଁ ସମାବେଶ ଅନୁଷ୍ଠିତ ହୋଇଥିଲା ଏହି ସମାବେଶରେ ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା । ତେବେ ସମାବେଶର ଆୟୋଜନ ସହିତ ସଭାମଞ୍ଚରେ ଉପସ୍ଥିତ ନେତାମାନଙ୍କ ଭାଷଣ ବିଜେଡି କର୍ମୀମାନଙ୍କୁ ବେଶ ଉତ୍ସାହିତ କରିଥିଲା ।
Politics,State
ଦ କୁଇଭର ବ୍ୟୁରୋ :- ଆଜି ବିଜେଡି ପାଳୁଛି ୨୮ ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେଡିରେ ବଡ଼ କଣା କରୁଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ତାଙ୍କର ଆକ୍ସନ ରାଜଧାନୀ ବିଜେଡିକୁ ଖଣ୍ଡଖଣ୍ଡ କରିବାକୁ ବସିଲାଣି । ରାଜଧାନୀର ଗୋଟେ ବଡ଼ ଗୋଷ୍ଠୀ ବିଜେପି ଦୁଆର ମୁହଁରେ ପହଞ୍ଚିଲେଣି । ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁରକ୍ଷା ପାଇଁ ରାଜଧାନୀ ବିଜେଡିକୁ ଭାଙ୍ଗି ଦେବାକୁ ଯୋଜନା କରାଯାଇଛି । ବୁନୁ ଓ ଅଶୋକଙ୍କ ସପକ୍ଷରେ ଯାଇ ଦଳର ଏକ ପ୍ରମୁଖ ଗୋଷ୍ଠୀଙ୍କୁ କୈଫିୟତ ମାଗି ସେମାନଙ୍କୁ ଦଳ ଠାରୁ ଦୂରେଇଥିବା କୁହାଯାଉଛି । ଏହା ପଛରେ ବିଜେଡିକୁ ଦୁର୍ବଳ କରି ବିଜେପିକୁ ବଳ ଯୋଗାଇବା ଚାଲ ଓ ତାହା ବଦଳରେ ବେଆଇନ ରିୟଲ ଇଷ୍ଟେଟ ବେପାରର ସୁରକ୍ଷା ଯୋଜନା ଥିବା ଚର୍ଚ୍ଚା ହେଉଛି ।
ବିଜେଡିରେ ବାଦ ବିବାଦ ପ୍ରାୟ ସବୁଠି ରହିଛି । ଅନେକ ସ୍ଥାନରେ ଗଡ଼ାତଡ଼ା ତ ଲାଗିଲେଣି । କିଛି ଦଳ ଛାଡ଼ି ବିଜେପିକୁ ଡେଇଁ ପଡ଼ିଲେଣି । ସେହିଭଳି ବିବାଦ ରାଜଧାନୀ ବିଜେଡିରେ ରହିଛି । ରାଜଧାନୀ ବିଜେଡିରେ ବୁନୁ ଓ ଅଶୋକ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ଅପର ଗୋଷ୍ଠୀରେ ରହିଛନ୍ତି ଅମରେଶ ଜେନା ଓରଫ ବାଇଁଆ ଓ ତାଙ୍କ ସହଯୋଗୀମାନେ । ସେମାନେ ଖୋଲାଖୋଲି ବୁନୁ ଓ ଅଶୋକଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ଅଶୋକ କାଳେ ଅଣ ବିଜେଡି ନେତାଙ୍କୁ ଧରି ଶଙ୍ଖ ଭବନ ପଶିଥିଲେ । ସେଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଏହାପରେ ଭୁବନେଶ୍ୱର ବିଜେଡି ସଭାପତି ବିଧାୟକ ସୁଶାନ୍ତ ରାଉତ କେବଳ ବାଇଁଆ ଗୋଷ୍ଠୀଙ୍କୁ ନୋଟିସ ଜାରି କରିଥିଲେ । କୈଫିୟତ ମାଗିଥିଲେ । ହେଲେ ବୁନୁ ଓ ଅଶୋକଙ୍କ ଗୋଷ୍ଠୀଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ପଛରେ ନିଶ୍ଚିତ ଦଳର ନିଦେ୍ର୍ଦଶ ଥାଇ ପାରେ । ମାତ୍ର ଦଳରୁ ବାଇଁଆ ଗୋଷ୍ଠୀ ଅଲଗା ହେଉଥିବା ସ୍ପଷ୍ଟ ଦିଶୁଥିଲା । ହେଲେ କୌଣସି ପ୍ରକାର ଏକଥାକୁ ପ୍ୟାଚ ପକାଇ ରଖାଯାଇଥିଲା । କୌଣସି ସ୍ଥିତିରେ ଏକଥା ପଦାକୁ ନଆସୁ ବୋଲି ଚହୁଁଥିଲେ ସମସ୍ତେ । ଦଳ ବାଇଁଆଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାରୁ ବାଇଁଆ ବି ବିଜେପି ମୁହାଁ ହୋଇଛନ୍ତି ।
ଇତିମଧ୍ୟରେ ବାଇଁଆ ଏକ ସଭାରେ ବିଜେପି ବିଧାୟକ ବାବୁ ସିଂଙ୍କ ସହ ଏକ ହୋଇଛନ୍ତି । ତାଙ୍କ ସମର୍ଥକ ଗୋଷ୍ଠୀ ବି ସାମିଲ ହୋଇଛନ୍ତି । ଏହିଠାରୁ ବାଇଁଆଙ୍କର ବିଜେପି ପ୍ରବେଶ ରାସ୍ତା ଖୋଲିଯାଇଛି । ବାଇଁଆ ଆଗକୁ ତାଙ୍କ ଗୋଷ୍ଠୀ ସହ ବିଜେପି ମୁହାଁ ହେବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ବାଇଁଆ ତାଙ୍କ ସମର୍ଥକଙ୍କ ସହ ବିଜେପିକୁ ଗଲେ ରାଜଧାନୀରେ ବିଜେଡିର ସ୍ଥିତି ପୁଣି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଉଛି । ଗଲେ ରାଜଧାନୀ ବିଜେଡି ଧୂଳିସାତ ହୋଇଯିବ ବୋଲି ସୂଚନା ମିଳିଛି । ବାଇଁଆଙ୍କ ଦଳ ଛାଡ଼ିବା ପଛରେ ସୁଶାନ୍ତ ଦାୟୀ ବୋଲି କୁହାଯାଉଛି ।
State,National
ପାରାଦ୍ୱୀପ( ଦ କୁଇଭର ):- ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ , ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।
ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। ଦୁଇ ପାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅବଜର୍ଭେସନରେ ରଖାଯାଇଛି ବୋଲି କୁଜଙ୍ଗ ରେଞ୍ଜ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ। ତେବେ ପାରା ଉଦ୍ଧାର ହୋଇଥିବା ଜାହାଜଟି ଚିତାଗଙ୍ଗରୁ ଆସିଛି। ଏହି ଜାହାଜ ଷ୍ଟିଲ ସ୍ଲାବ ନେଇ ବ୍ରିଷ୍ଟଲ ବନ୍ଦରକୁ ଯିବ ବୋଲି ଜଣାପଡ଼ିଛି।ବର୍ଷକ ତଳେ ଏହି PICT ବର୍ଥରେ ଲାଗିଥିବା ‘ଏମଭି ଦେବୀ’ ଜାହାଜରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍। ଜାହାଜଟି ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ନଭେମ୍ବର ୨୮ରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସହାୟକାରେ ଜାହାଜରେ ଯାଞ୍ଚ କରିଥିଲେ। ଜାହାଜରୁ ୨୨ ପ୍ୟାକେଟ କୋକେନ୍ ଜବତ କରାଯାଇଥିଲା। ଜବତ କୋକେନର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବାବେଳେ ଏଥିରେ ଥିବା କ୍ରିଉ ସଦସ୍ୟମାନେ ମଧ୍ୟ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଘଟଣାକୁ ବର୍ଷେରୁ ଅଧିକ ସମୟ ପୂରିଥିଲେ ହେଁ ତଦନ୍ତ ଏବେ ସୁଦ୍ଧା ଚାଲିଛି।
National
ଦକୁଇଭର ବ୍ୟୁରୋ :- ଆସନ୍ତା ୨୮ ତାରିଖରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମ୍ବଲପୁରରେ ପହଞ୍ଚିବା ପରେ ମା’ ସମଲେଇଙ୍କ ଦର୍ଶନ କରିବେ । ବିଏମ୍ କଲେଜ ଅଡିଟୋରିୟମ୍ରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ କରିବେ । କିଛି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି l
State
ଦ କୁଇଭର ବ୍ୟୁରୋ :- ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ସମସ୍ତ ପୋଲିସ କର୍ମଚାରୀଙ୍କୁ SOP ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ଓଡ଼ିଆ ଭାଷାରେ SOPକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ପୋଲିସ ADG ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୋଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି କୋର୍ଟ ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
International
ଦକୁଇଭର ବ୍ୟୁରୋ :- ବୁଧବାର କଜାକିସ୍ତାନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ବୁଧବାର ଔଜରବେନରୁ ରୁଷ ଯାଉଥିବେଳେ କଜାକିସ୍ତାନରେ ଦୁର୍ଘଟଣାର ଶିକାର ହୋଇଛି ଏହି ଯାତ୍ରୀବାହୀ ବିମାନ । ଆକାଶରେ ବିମାନ ନିୟନ୍ତ୍ରଣ ହରାଇ ତଳମୁହାଁ ମାଡି ଆସୁଥିଲା ସେହି ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକାଶ କରି ଚିତ୍କାର କରିଥିଲେ ସେଠାରେ ଥିବା ଲୋକମାନେ । ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ ହୋଇଥିଲା ଓ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା । ବିମାନରେ ଥିଲେ ଶହେରୁ ଅଧିକ ଯାତ୍ରୀ,ସେଥିମଧ୍ୟରୁ ୫୦ରୁ ଅଧିକ ମୃତ, ଅନେକ ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଉଚ୍ଚ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ । ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା । କେବଳ ସେତିକି ନୁହେଁ କିଛି ସମୟଧରୀ ବିମାନବନ୍ଦର ଚାରିପଟେ ଘୁରିବୁଲଥିଲା ବିମାନ । ତେବେ ଖରାପ ପାଣିପାଗ ପାଇଁ ଅବତରଣ ପାଇଁ ଅନୁମତି ନମିଳିବାରୁ ଶେଷରେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରୁ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି । ଅଧିକାଂଶଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଋଷିଆ ଓ କଜାକିସ୍ତାନ ସରକାର ମିଳିତ ଭବେ ଉଦ୍ଧାର କାର୍ଯ୍ୟ କରିଛନ୍ତି ।ତେବେ କଜାକିସ୍ତାନ ଦୁର୍ଘଟଣା ପଛର କାରଣ ହେଉଛି ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍ ଟ୍ୟାଙ୍କ୍ । ବେହୋସ ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା l
National
ରାଜସ୍ଥାନ ( ଦ କୁଇଭର ):- ଘର ବାହାରେ ହସଖୁସିରେ ଖେଳୁଥିଲା ୩ ବର୍ଷର ଶିଶୁ କନ୍ୟା। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ। ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା । ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି। ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା। ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ସେମାନେ ପୁଲିସ୍ ଓ ପ୍ରଶାସନକୁ ଖବର ଦେଇଥିଲେ, ଅନେକ ସମୟ ବିତିଗଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଟିମ୍ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ ।
State
ଭୁବନେଶ୍ୱର(ଦ କୁଇଭର): ଡବଲ ଇଞ୍ଜିନ ସରକାରରେ ଜୋରସୋର ହେଲାଣି ଖାଉଟୀ ଶୋଷଣ । ଖୋଲାଖୋଲି ଲୁଟ କରୁଛନ୍ତି ଗ୍ୟାସ ବିତରକମାନେ । ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଗ୍ୟାସ ସଟେଜ ନାମରେ ଗ୍ରାହକଙ୍କୁ ଭୂଆଁ ବୁଲାଉଛନ୍ତି । ଅଧିକ ମୂଲ୍ୟ ନେଇ ଗ୍ୟାସ ବିକୁଛନ୍ତି । ଅନ୍ୟଥା ଘର ଦୂଆରେ ଗ୍ୟାସ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଖାଉଟୀଙ୍କୁ ଗୋଦାମରୁ ଯାଇ ଆଣିବାକୁ ବାଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଗ୍ୟାସ ବୁକିଂର ୪/୫ଦିନ ଯାଏ ଗ୍ୟାସ ନଦେଇ ଖାଉଟୀଙ୍କୁ ହନ୍ତସନ୍ତ କରୁଛନ୍ତି । ପ୍ରଶ୍ନ କଲେ ଲୋଡ଼ ଆସିନାହିଁ, ଗ୍ୟାସ ସଟେଜ ଏମିତି ନାନା ବାହାନା ଦେଖାଉଛନ୍ତି । ଭୁବନେଶ୍ୱର ଯୋଗାଣ ବିଭାଗର ବାବୁମାନେ ଗ୍ୟାସ ବିତରକମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଗ୍ରାହକ ଶୋଷଣ ପାଇଁ ବାଟ ଖୋଲିଥିବା ଅଭିଯୋଗ ହେଉଛି । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗ ବୋଲା ଯୋଗାଣ ମନ୍ତ୍ରୀଙ୍କ ନୀରବତା ତାଙ୍କ ସାଧୁତା ନେଇ ପ୍ରଶ୍ନ ଉଠାଇଲାଣି ।
ନିଳାଦ୍ରୀ ବିହାର ସ୍ଥିତ ବୀରସଚି ଗ୍ୟାସ ବିତରକଙ୍କ ନିକଟରେ ଗତ ଶୁକ୍ରବାରରୁ ଗ୍ୟାସ ବୁକିଂ ହୋଇଥିଲା । ନିୟମ ଅନୁଯାୟୀ ରବିବାର ମଧ୍ୟରେ ଏହି ଗ୍ୟାସ ସିଲିଣ୍ଡର ଦିଆଯିବା କଥା । ମାତ୍ର ମଙ୍ଗଳବାର ଯାଏ ଗ୍ୟାସ ମିଳିଲା ନାହିଁ । ଏନେଇ ବିତରକ ନିବେଦିତା ମଲ୍ଲିକଙ୍କୁ ଯୋଗାଯୋଗ କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବିତରକଙ୍କର ଅଭିଯୋଗ ତାଙ୍କ ପାଖକୁ ଲୋଡ଼ ଆସୁନାହିଁ । ହେଲେ ଯେଉଁ ଗ୍ରାହକ ଅଧିକ କିଛି ପଇସା ଦେଉଛନ୍ତି, ତାଙ୍କୁ ଗ୍ୟାସ ମିଳୁଛି କେମିତି? ଗୋଦାମରୁ ଯାଇ ଆଣିବାକୁ କୁହାଯାଉଛି କେମିତି?
ଇଏ ତ ଗଲା ଇଣ୍ଡେନ ଗ୍ୟାସ କଥା । ସେହିପରି ଏଚପି ଗ୍ୟାସରେ ମଧ୍ୟ ସମାନ ଶୋଷଣ । ଖଣ୍ଡଗିରିରେ ଥିବା ଲିଙ୍ଗରାଜ ଗ୍ୟାସ ଏଜେନ୍ସିରେ ଗ୍ୟାସ ବୁକ କରିବାର ୭ ଦିନ ପର୍ଯ୍ୟନ୍ତ ଗ୍ୟାସ ମିଳୁନାହିଁ । ପ୍ରଶ୍ନ କଲେ ଉତ୍ତର ମିଳୁଛି, ଗ୍ୟାସ ଲୋଡ଼ ଆସୁନାହିଁ । ଏଥିରୁ ସ୍ପଷ୍ଟ ଯେ, ବାସ୍ତବରେ ଗ୍ୟାସ ଲୋଡ଼ ବିତରକଙ୍କୁ ଦିଆଯାଉ ନାହିଁ । ଯାହାଦ୍ୱାରା ଶୋଷଣ ବଢ଼ୁଛି । କେନ୍ଦ୍ରୀୟ କମ୍ପାନୀ ଗୁଡ଼ିକ ଗ୍ୟାସ ଯୋଗାଣରେ ମନମାନୀ କରୁଥିବାରୁ ଶୋଷଣ ବଢ଼ିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରୁନାହିଁ ।
ଗ୍ୟାସ କମ୍ପାନୀର ଏହି କଳାବଜାରୀକୁ ଦେଖିବା ଦାୟିତ୍ୱ ଯୋଗାଣ ବିଭାଗର । ମାତ୍ର ଏହି ବିଭାଗ ଆଳୁ ଓ ଚାଉଳ ଭିତରେ ରହିଛି । ତେଣେ ହଜାର ହଜାର ଗ୍ରାହକ ହନ୍ତସନ୍ତ ହୁଅନ୍ତୁ ସେଥିରୁ ଯାଏ କେତେ ନା ଆସେ କେତେ? ବିଭାଗୀୟ ମନ୍ତ୍ରୀ ପ୍ରତି ଦିନ ଆଳୁ ନହେଲେ ଚାଉଳ କଥା କହୁଛନ୍ତି, ସରକାରୀ ବାବୁମାନେ ବି ସେଥିରେ ବୁଲୁଛନ୍ତି । ଏପଟେ ଗ୍ୟାସ ବିତରକଙ୍କ ଠାରୁ ଚାନ୍ଦା ନେଇ ସରକାରୀ ବାବୁମାନେ ବସିଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରୁନଥିବାରୁ ସମସ୍ୟା ସାଧାରଣ ଖାଉଟୀର ହେଉଛି । ଦେଖାଯାଉ ଯୋଗାଣ ବିଭାଗ ଗ୍ୟାସ ବିତରକ ମାନଙ୍କ ମନମାନୀକୁ ରୋକି ପାରୁଛି ନା ଶୋଷଣକୁ ପ୍ରୋତ୍ସାହିତ କରୁଛି ।
Politics
ଗଞ୍ଜାମ( ଦ କୁଇଭର ):- ବିଜେପିରେ ସାମିଲ ହେବେ ବୁଗୁଡ଼ା ଅଧ୍ୟକ୍ଷା କେ.ପ୍ରୀୟଦର୍ଶନୀ ଆଚାରୀ । ସେ ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ସନ୍ଧ୍ୟାରେ ବିଜେପିରେ ସାମିଲ ହେବେ ବୋଲି ସୂଚନା ରହିଛି । ଆଜି ବୁଗୁଡ଼ା ଠାରେ ବିଜେପି ପକ୍ଷରୁ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡ଼ି ଦଳ ତ୍ୟାଗ କରି ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
State
ବ୍ରହ୍ମପୁର( ଦ କୁଇଭର ):- ବୁଧବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବ୍ରହ୍ମପୁର ମହାନଗର ରାମଲିଙ୍ଗେଶ୍ୱର ପାର୍କ ଠାରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଶୁଭ ଉନ୍ମୋଚନ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ନାୟକ,ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ ଓ ଭାରତୀୟ ଜନତା ପାର୍ଟି ର ବହୁ ବରିଷ୍ଠ ସଦସ୍ୟ ସଦସ୍ୟା ଓ ବ୍ରହ୍ମପୁରର ଜନସାଧାରଣ ଉପସ୍ଥିତ ଥିଲେ।
State
ଭୁବନେଶ୍ୱର( ଦ କୁଇଭର ):- ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ଏନେଇ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ । ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ମାନସମନ୍ଥନ ଚାଲିଛି । ଏହାସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହେନ । ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା । କିନ୍ତୁ ତାହା ସେମାନେ କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ । ଏସବୁ ଭିତରେ ଦୀର୍ଘଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦେଇଥିବା ସତ୍ୟପାଠରେ ଏବେ ଉଇ ଲାଗିଥିବା ବେଳେ କେବେ ଜମାକାରୀଙ୍କୁ ଆଶ୍ବସ୍ତି ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।