ହିଞ୍ଜିଳି( ଦ କୁଇଭର ):- ହିଞ୍ଜିଳି ଥାନାର ପୋଲିସ ଅଧିକାରୀଙ୍କ ମାଡ ପ୍ରତିବାଦରେ ଥାନା ଭିତରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ।ଗତରାତିରେ ନଗର ବିଜେପି ସମ୍ପାଦକ ନିତେଶ ପଣ୍ଡା ଓ ଅନ୍ୟ ସାଥୀ ମାନେ ଥାନାକୁ ଆସିଥିବା ବେଳେ ହିଞ୍ଜିଳି ଥାନାର ASI ସୁବାଷ ମିଶ୍ର ନାମକ ଜଣେ ପୋଲିସ ଅଧିକାରୀ ତାଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହିତ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି।ଜୁଲୁମକାରୀ ଅଫିସରକୁ ବଦଳି ପ୍ରତିବାଦ ରେ ଥାନା ଭିତରେ ନାରାବାଜି କରିବା ସହିତ ପ୍ରତିବାଦ କରିଛନ୍ତି,ଆଇଆଇସିଙ୍କ ସହିତ ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଛି।
No comments yet.
State
ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l
State
ଗଞ୍ଜାମ( ଦ କୁଇଭର ):- ରେଳ ବିଭାଗ ରେ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ କୁକୁଡାଖଣ୍ଡି ଅଂଚଳର ବିଗ୍ନେଶ୍ୱର ରାଓ ଦୋରାଙ୍କୁ ଗିରଫ କରିବା ସହ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ l
ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ କଂସlମାରି ଗ୍ରାମର ଅଭିଯୋଗକାରୀ ଏସ୍. କୃଷ୍ଣ ଚନ୍ଦ୍ର ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ,ସେ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ. ବିଘ୍ନେଶ୍ୱର ରାଓ ଦୋରାଙ୍କୁ ଭେଟି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ବିଘ୍ନେଶ୍ୱର ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସେମାନଙ୍କୁ ଜଣାଇଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ। କିଛି ଦିନ ପରେ ଅଭିଯୁକ୍ତ ଏ. ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇଗଲେ ଏବଂ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଲେ।ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍ରେ ଟିଟିଇ ଭାବରେ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ ଏବଂ ପୂର୍ବ ରେଳବାଇର ଜିଏମ୍ର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଘ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ ୬୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ତାଲିମ ପାଇଁ କୋଲକାତା ନିଆଯିବ।ଅଭିଯୋଗକାରୀ ଏବଂ ବନ୍ଧୁମାନେ ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଟ୍ରେନ୍ ଯୋଗେ କୋଲକାତା ଯାଇଥିଲେ ଏବଂ ସେମାନଙ୍କର ସିଆଲଡାର ବି.ଆର.ସିଂହ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଯୋଗକାରୀ ଏବଂ ବନ୍ଧୁମାନେ ସେମାନଙ୍କ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ଡାକ୍ତରୀ ପରୀକ୍ଷା ଫଳାଫଳ ପାଇଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେମାନେ କହିଲେ ଯେ ସେମାନେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି। ଅଭିଯୋଗକାରୀ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେ କୁକୁଡାଖଣ୍ଡି ଅଞ୍ଚଲରେ ନଥିଲେ।ଏତେ ଯୋଗାଯୋଗ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ କୋଲକାତା ସହର କେନ୍ଦ୍ରରେ ବସନ୍ତ ସିଂହଙ୍କୁ ଭେଟିଲେ ଏବଂ ସେମାନେ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କୁ ଅଧିକ ବେକାର ବ୍ୟକ୍ତିଙ୍କୁ ପରିଚିତ କରାଇବାକୁ ଜଣାଇଲେ, ତା’ପରେ ସେମାନେ ସେମାନଙ୍କୁ ସ୍ଥାୟୀ ଚାକିରି ଦେବେ। ଏତେ ସବୁ ପରେ ଅଭିଯୋଗ କାରୀ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହେଲେ l ତେବେ ଉପରୋକ୍ତ ତମାମ ଘଟଣା କୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି ବ୍ରହ୍ମପୁର ସଦର ପୋଲିସ l
State
ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।
କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।
National,Politics
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ ମିଳିଛି । ଏହା ପରେ, କେନ୍ଦ୍ରମନ୍ତ୍ରୀ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ପାଟନାରେ ଅଭିଯୋଗ କରିଛନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।ପୂର୍ବରୁ, ଛାପ୍ରାରେ ଆୟୋଜିତ ‘ନବ ସଂକଳ୍ପ ମହାସଭା’କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ। ଏପରି ପରିସ୍ଥିତିରେ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବି ।ସେହି ସମୟରେ, ସେ ସ୍ପଷ୍ଟ କରିଥିଲେ ଯେ ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, ‘‘ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଆଜି, ସାରଣର ଏହି ପବିତ୍ର ଭୂମିରୁ, ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ କହୁଛି ଯେ ହଁ, ମୁଁ ନିର୍ବାଚନ ଲଢ଼ିବି । ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା’ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।”
Health & lifestyle,State,National
ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
State
ଭଞ୍ଜନଗର( ଦ କୁଇଭର ):- ଭଞ୍ଜନଗର ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଗୋଟିଏ ଦିନ ଏବେ ବି କାରଣ ଅସ୍ଵଷ୍ଟ ।ଖବରରୁ ଜଣାଯାଏ ଯେ ଭଞ୍ଜନଗର ଥାନା ବାଇବାଲି ଗାଁର ମୁନିଆକଣ ଜଙ୍ଗଲ ମଧ୍ଯ ଭାଗରେ ମାଟି ତଳେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ ପ୍ରଶାସନ । ଗତକାଲି ଦିନ 12 ଘଣ୍ଟ ସମୟରେ ଉଦ୍ଧାର ହୋଇଥିଲେ ମଧ୍ଯ ଘଟଣାକୁ ଗୋଟିଏ ଦିନ ବିତିଗଲା ତଥାପି ଯୁବକଙ୍କ ପରିଚୟ ମିଳୁନଥିବା ବେଳେ ପରିଚୟ ସଂଗ୍ରହ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ଖୁବଶୀଘ୍ର ଜଣାପଡିବ ବୋଲି ଆଜି ଦିନ ଦୁଇଘଣ୍ଟ ସମୟରେ ଭଞ୍ଜନଗର SDPO ସୂଚନା ଦେଇଛନ୍ତି ।
Farming,State
ଦ କୁଇଭର ବ୍ୟୁରୋ : ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କ'ଣ। ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । ନିତ୍ୟଦିନ ପରିବା ଆକାଶ ଛୁଆଁ ହୋଇଥିବାରୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ଅନ୍ୟପକ୍ଷରେ ନିଜେ କ୍ଷତି ସହି କେମିତି କମ ଦାମରେ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବା ବ୍ୟବସାୟୀ ।ସେପଟେ ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି । ପୋଟଳ କିଲୋ ୮୦ଟଙ୍କା ଏବଂ ଜହ୍ନି, କଲରା, ଭେଣ୍ଡି, ଗାଜର ଆଦି ପରିବାର କିଲୋ ପ୍ରତି ୫୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ, ଖମ୍ବଆଳୁ, ସାରୁ, ଟମାଟୋ ଆଦି ପରିବା କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି ।
State,Politics,National
ଦ କୁଇଭର ବ୍ୟୁରୋ :- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ଶିବିର । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ରାହୁଲଙ୍କ ଗସ୍ତ ଓ ସଭାକୁ ଆଖିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ । ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଯଦିଓ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି, ହେଲେ କିଛି ସମାଧାନ ବାହାରି ପାରିନି ନାହିଁ । ଫଳରେ ଗତ ତିନି ଦିନ ଧରି ଡ୍ରାଇଭର ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ଚତୁର୍ଥ ଦିନ । ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡା ହୋଇ ରହିଛି । କେବଳ ଜରୁରୀକାଳିନ ଓ ଘରୋଇ ଗାଡିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଲୋକେ ହିନସ୍ତା ହେଉଛନ୍ତି । ଏନେଇ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି । ତଥାପି ସମାଧାନର ବାଟ ବାହାରିପାରିନି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୯ଟି ଜେଲ୍ । ୩ଟି ଜେଲ ବନ୍ଦ ହୋଇସାରିଥିବା ବେଳେ ଖୁବ୍ଶୀଘ୍ର ଆଉ ୬ଟି ବନ୍ଦ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଜେଲରେ ହାତଗଣତି କଏଦୀ ଓ ବିଚାରିଧିନ କଏଦୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ନିଷ୍ପତ୍ତି ଅନୁସାରେ, ନୟାଗଡର ଖଣ୍ଡପଡା ସବ୍ ଜେଲ୍, ବାଲେଶ୍ଵରର ନୀଳଗିରି ସବ୍ ଜେଲ୍ ଓ ବଡ଼ଗଡ଼ ଜିଲ୍ଲାର ସୋହେଲା ସବ୍ ଜେଲ୍କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ ସରକାର । ଯାହାକି ଏବେ କାର୍ଯ୍ୟକ୍ଷମ ନାହିଁ କହିଲେ ଚଳେ । ଏହି ୩ଟି ଜେଲ୍ରେ ଅଳ୍ପ ସଂଖ୍ୟକ କଏଦୀ ଓ କର୍ମଚାରୀ ଥିଲେ । ଏଥିରେ ରହିଥିବା କଏଦୀ ଓ କର୍ମଚାରୀ ଜିଲ୍ଲା ଜେଲକୁ ସ୍ଥାନାନ୍ତର ସହ ସେମାନଙ୍କ ସହ ମିଶ୍ରଣ କରାଯାଇଛି । ତେବେ ବନ୍ଦ ଜେଲ୍ କୋଠାକୁ ସ୍କୁଲ,କଲେଜ ଭଳି ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆଉ ବନ୍ଦ ହେବାକୁ ଥିବା ଆଉ ଛ'ଟି ଜେଲ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ପାତ୍ରପୁର ସବ୍ ଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସବ୍ ଜେଲ, ମାଲକାନଗିରିର ଏମ୍ଭି-୭୯ ଓ ରାୟଗଡ଼ା ଜିଲ୍ଲାରେ ଥିବା କାଶିପୁର ସବ୍ ଜେଲ୍ । ତା' ସହିତ ଆଠଗଡ଼ ସବ୍ ଜେଲ୍ ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସବ୍ ଜେଲକୁ ମଧ୍ୟ ବନ୍ଦ କରିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ବନ୍ଦ ପାଇଁ ଜେଲ ବିଭାଗରେ ସହମତି ରହିଛି । ରାଜ୍ୟରେ ମୋଟ ୯୧ଟି ଜେଲ୍ ଥିଲା । ସେଥିମଧ୍ୟରୁ ୧୭ଟି ଜିଲ୍ଲା ଜେଲ୍, ୭ଟି ମଣ୍ଡଳ ଜେଲ୍ ୨ଟି ସ୍ପେଶାଲ୍ ଜେଲ, ୬ଟି ସବ୍ ସ୍ପେଶାଲ୍ ଜେଲ, ୧ଟି ମହିଳା କାରାଗାର, ୧ଟି ମୁକ୍ତାକାଶ ଜେଲ୍, ବାକି ୫୭ଟି ସବ୍ ଜେଲ୍ ରହିଥିଲା । ୫୭ଟି ସବ୍ ଜେଲ୍ ମଧ୍ୟରୁ ୪ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ । ମୋଟ ୮୭ଟି ଜେଲ ଏବେ କାର୍ଯ୍ୟକ୍ଷମ । ଯେଉଁଥିରେ ପାଖାପାଖି ୨୪୦୫୯ଜଣ କଏଦୀ କ୍ଷମତା ରହିଛି । ଏବେ ୧୭୫୨୯ ଜଣ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୩୦୦୦ କେବଳ କଏଦୀ ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ୪ ଦିନ ପରେ ଗଡ଼ିଲା ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ନେଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି ।ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ଧରି ଯାତ୍ରୀ ପରିବହନ ଠପ ହୋଇ ଯାଇଥିଲା । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।ଅନ୍ୟପଟେ ସମ୍ବଲପୁର ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସବୁ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ଜାରି ରହିଛି । ବସ୍ କିଏ ଚଲାଇବ ? ସେପଟେ ଘରୋଇ ବସ୍ ମାଲିକ ସଂଘର ଘୋଷଣା ପରେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ଶ୍ରୀମତି ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ | ଟାଟା ଷ୍ଟିଲ ଫାଉଂଡେସନର CRS ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ନାୟକ, ଛତ୍ରପୁର ଆଇନଜିବି ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପାଢି ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଂଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ |
ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା I ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ I ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ବର୍ଧନା କରିଥିଲେ I
State
ଦ କୁଇଭର ବ୍ୟୁରୋ :- ଅପରେସନ ଶୁଦ୍ଧି ରେ ନୂଆପଡ଼ା ଜିଲ୍ଲା ପୋଲିସ ନିଶା ବେପାରୀ ଙ୍କ ଉପରେ ଚଡ଼କ ଛାଡିଥିବା ବେଳେ । ଦୈନନ୍ଦିନ ମଦ ଓ ଗଞ୍ଜେଇ ସହ ନିଶା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ନୂଆପଡ଼ା ର ବିଭିନ୍ନ ଥାନା ପୋଲିସ । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତି ଙ୍କ ସହ ବାର ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ କୁ ଜବତ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।
ସୂଚନା ଅନୁସାରେ ଗତକାଲି ଦିନ ୧୨.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆ ଙ୍କ ନେତୃତ୍ଵ ରେ ଏକ ଆଇ-20 କାର କୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତା ର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତି ଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶ ରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀ ଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରି ଥିଲା । ଏହି ମାମଲା ରେ ବର୍ତ୍ତମାନ ୧୨ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କା କୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବା ରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
Education,State
ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।
Sports,State
ବଡ଼ବିଲ( ଦ କୁଇଭର ):- ସରକାରଙ୍କ ଦ୍ଵାରା ସ୍ଥାନୀୟ ଖେଳାଳିଙ୍କ ପାଇଁ ଓମ୍ବାଡ ସି ଫଣ୍ଡରେ ନିର୍ମିତ ବଡବିଲ ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଫାଇନାଲ ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା ଚଳାଇଛି। ଖଣି କାରବାର କରି ଦୈନିକ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଆର୍ସେଲର୍ ମିତ୍ତଲ କମ୍ପାନୀ ମାତ୍ର ୩ ହଜାର ଟଙ୍କା ଫିସ ଦେଇ କୋଟି କୋଟି ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମକୁ ବର୍ବାଦ୍ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏଠାରେ ସୂଚନା ଥାଉ କି ବିଗତ ସରକାରଙ୍କ ଦ୍ଵାରା ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମରେ ବଡବିଲ ତଥା ଆଖପାଖ ଅଞ୍ଚଳର ଖେଳାଳୀ ମାନେ ଆସି ଖେଳ ଅଭ୍ୟାସ କରୁଥିବା ବେଳେ ହଠାତ୍ ଜିଲ୍ଲା ପ୍ରଶାସନ ସ୍ୱଳ୍ପ କ୍ଷମତା ଥିବା ଏହି ଷ୍ଟାଡିୟମ ଭିତରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ସୁରକ୍ଷା କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଲେ କିପରି ? ହଜାର ହଜାର ଲୋକଙ୍କୁ ନେଇ ଯଦି ଏହି କାର୍ଯ୍ୟକ୍ରମ ହୁଏ ହେଲେ ଏହି ଷ୍ଟାଡିୟମର କ୍ଷତି ହେବା ସହ ଖେଳ ଉପଯୋଗୀ ରହିବ ନାହିଁ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଅନ୍ୟ ପକ୍ଷରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଖେଳାଳି ମାନଙ୍କ ସହ କୌଣସି ଆଲୋଚନା ନ କରି ବୁଧବାର ହଠାତ୍ ଷ୍ଟାଡିୟମ୍ ପରିସରରେ କାର୍ଯ୍ୟକ୍ରମ ପାଇଁ ବାଉଁଶ ପକାଉଥିବା ବେଳେ ଖେଳାଳି ମାନେ ଏହାର ବିରୋଧ କରିବା ସହ କମ୍ପାନୀ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମ ଅନ୍ୟତ୍ର କରିବାକୁ କହିଥିଲେ। ଲୋକଙ୍କ ବିରୋଧକୁ ଦେଖି ବାଉଁଶ ବୋଝେଇ ଟ୍ରକ ଷ୍ଟାଡିୟମ୍ ପରିସର ବାହାରକୁ ଚାଲି ଆସିଥିଲା। ଅନ୍ୟ ପକ୍ଷରେ ବୁଧବାର ଅପରାହ୍ନରେ ବଡବିଲ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ବିକାଶ ମହଲଠାରେ ଏକ ବୈଠକ ଆୟୋଜନ କରାଯାଇ ଜିଲ୍ଲା ପ୍ରଶାସନ ଓ ଆର୍ସେଲର୍ ମିତ୍ତଲ କମ୍ପାନୀର ଏପରି ମନୋଭାବକୁ ନିନ୍ଦା କରା ଯାଇଛି। ଯଦି ଆର୍ସେଲର୍ ମିତ୍ତଲ କମ୍ପାନୀର କାର୍ଯ୍ୟକ୍ରମ ଇଣ୍ଡୋର ଷ୍ଟାଡିୟମରେ କରିବାର ଅନୁମତି ପ୍ରତ୍ୟାହାର ନ ହୁଏ ତେବେ ବଡବିଲବାସି ରାଜରାସ୍ତାରେ ଏହାର ବିରୋଧ କରିବେ ବୋଲି ଚେତାବନୀ ଦିଆ ଯାଇଛି। ନିର୍ମାଣ ହେବା ଦିନଠାରୁ ଏହି ଷ୍ଟାଡିୟମର ରକ୍ଷଣା ବେକ୍ଷଣ ଠିକ ଭାବେ ହେଉ ନ ଥିବାରୁ ଭିତରକୁ ବର୍ଷା ପାଣି ଗଳୁଛି। ପ୍ଲାଏ କାଠରେ ନିର୍ମିତ ବ୍ୟାଡମିଣ୍ଟନ ପିଚ୍ ଉଇ ଖାଇ ନଷ୍ଟ ହେବାକୁ ଯାଉଥିବା ବେଳେ ଅଭ୍ୟାସ କରୁଥିବା ଖେଳାଳୀ ମାନେ ଚାନ୍ଦା ଆଦାୟ କରି କାମ ଚଳାଉଛନ୍ତି। ଏତଦ୍ ବ୍ୟତୀତ ପରିସରରେ ଥିବା ବୋରୱେଲରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହଁ ବୋଲି ଅଭିଯୋଗ ହୋଇଛି। ଏହି ଷ୍ଟାଡିୟମର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହ ମରାମତି କରାଇବା ପାଇଁ ସାଧାରଣରେ ଦାବି ହୋଇଛି। ତଦ ସହିତ ଖେଳାଳି ମାନଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମକୁ ଖେଳ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିବାକୁ ଅନୁମତି ନ ଦିଆଯାଉ ବୋଲି ସରକାର, ସ୍ଥାନୀୟ ପ୍ରଶାସନ ଓ କ୍ରୀଡା ବିଭାଗକୁ ଅନୁରୋଧ କରିଛନ୍ତି।
National
ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
State,National
ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।