ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିଛି କିଛି ନୂଆ ନିୟମବଳୀ l ୟୁଟ୍ୟୁବ୍ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ଏବଂ ଏପରି ଚ୍ୟାନେଲଗୁଡ଼ିକୁ ମଧ୍ୟ ଡିମନିଟାଇଜ୍ କରାଯାଇପାରେ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ଲାଟଫର୍ମରେ ମୌଳିକ ଏବଂ ସୃଜନଶୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ।ଏହା ସହିତ, ୟୁଟ୍ୟୁବ୍ "ଥମ୍ବନେଲ୍" ଏବଂ "ଟାଇଟଲ୍"କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ । ଦର୍ଶକଙ୍କୁ ଭ୍ରମିତ କରୁଥିବା ଏଭଳି କ୍ଲିକ୍ବେଟ୍ କଣ୍ଟେଣ୍ଟ ଉପରେ ୟୁଟ୍ୟୁବ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାହାଦ୍ୱାରା ଦର୍ଶକମାନେ ସଠିକ୍ ସୂଚନା ପାଇପାରିବେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟକୁ ନେଇ । ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ "ଲେବଲ୍" ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଇବ ଯେ ସେମାନେ ଦେଖୁଥିବା କଣ୍ଟେଣ୍ଟ ବାସ୍ତବ ନୁହେଁ, ବରଂ ଏଆଇ ଦ୍ୱାରା ନିର୍ମିତ । ଏହି ନିୟମର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ ଏବଂ ଗୁଜବକୁ ରୋକିବା ।ଏହିସବୁ ପରିବର୍ତ୍ତନ ବ୍ୟତୀତ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।
No comments yet.
Politics,State
ଦ କୁଇଭର ବ୍ୟୁରୋ :- ବିଜେଡ଼ିକୁ ତାରି ଚାଲରେ ଫସେଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ସରକାରରେ ପ୍ରତି ବିବାଦୀୟ ଅପରାଧ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରି ବିରୋଧୀଙ୍କୁ ଜବାବ ଦେଉଥିବା ବିଜେଡିକୁ ସେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଛନ୍ଦିଛନ୍ତି ମୋହନ । ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ମୋହନ ।
ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲାକୁ ନେଇ ବିଜେଡି ଆକ୍ରାମକ ହୋଇଛି । ବନ୍ଦ ଡାକରା ଦେଇ ହୁଲୁସ୍ତୁଲ କରୁଛି । ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି । ପୂରା ହାଙ୍ଗାମା କରୁଛି । ଏଭଳି ସ୍ଥିତିରେ ମୋହନ ସରକାର ବିଜେଡି ମୁହଁକୁ ଶକ୍ତ ଚାପୁଡ଼ାଟିଏ ମାରିଛନ୍ତି । ମନେ ପକାଇ ଦେଇଛନ୍ତି ନବୀନଙ୍କ ଏକଛତ୍ରବାଦ କଥା । ଏହିଠାରେ କହି ରଖୁଛୁ, ନବୀନ ସରକାରଙ୍କ ସମୟରେ ଅନେକ ବିବାଦୀୟ ଅପରାଧ ମାମଲା ହୋଇଥିଲା । ବିରୋଧୀ ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ଦାବି କରନ୍ତି ।ଆନ୍ଦୋଳନ ବି କରନ୍ତି, ହେଲେ ନବୀନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇ ବିରୋଧୀଙ୍କୁ ଲଲିପପ ଧରାଇ ଦିଅନ୍ତି । ସେ ପିହୁ ହେଉ କି ପରୀ, କୁନ୍ଦୁଲି ହେଉ କି ବେବିନା... ସବୁ ମାମଲାରେ କ୍ରାଇମବ୍ରାଞ୍ଚକୁ ନେଇ ଆସିଛନ୍ତି । ଏପରିକି ନବ ଦାସ ହତ୍ୟା କାଣ୍ଡ ବି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ।
କ୍ରାଇମବ୍ରାଞ୍ଚକୁ ଢାଲ କରି ବିଜେଡି ସରକାର ଅନେକ ଅପରାଧ ମାମଲାରେ ଆଜି ବି ବିବାଦରେ ଛନ୍ଦି ହୋଇଛନ୍ତି । ଏବେ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି କୁ ନେଇ ଚାଲିଛି ରାଜନୀତି । ବିଜେପି ସରକାରକୁ ଚାରିପଟୁ ଘେରି ଗଲେଣି । ଆଜି ବିଜେଡି ଘେରିଛି, କାଲି ରାସ୍ତାକୁ ଓଲ୍ହେଇବ କଂଗ୍ରେସ । ସବୁ ବନ୍ଦ କରିଦେବ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଇଛନ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ।
ବିଜେଡିର କ୍ରାଇମବ୍ରାଞ୍ଚ ଚାଲ ବିଜେଡି ଉପରେ ହିଁ ପକାଇଛନ୍ତି । ଘୋଷଣା କରିଛନ୍ତି ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ । ଏହାର ତଦନ୍ତ କରିବା ପାଇଁ ଡିଏସପିଙ୍କୁ ଦେଇଛନ୍ତି । ଏଣେ ମହିଳା ଥାନା IIC ତାଙ୍କୁ ସହଯୋଗ କରିବ । ଏବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା । ତଦନ୍ତ ପରେ ଯାହା ହେବ । ସରକାର ଏବେ ସ୍ପଷ୍ଟ କଲେ ଯେ ସରକାର କଠୋର ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଅଭିଯୁକ୍ତ ଆଧ୍ୟାପ ଓ ଅଧ୍ୟକ୍ଷଙ୍କୁ ଜେଲରେ ପୁରାଇ ସାରିଛନ୍ତି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ଦେଖାଯାଉ ଏହି ମାମଲା ଆଗକୁ କି ରୂପ ନେଉଛି ?
National
ଦ କୁଇଭର ବ୍ୟୁରୋ :- ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲ୍କୁ ଯିବାରୁ ବଞ୍ଚିତ ହୁଅନ୍ତି। ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲ୍କୁ ଯାଇପାରନ୍ତି ନାହିଁ। ହେଲେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ । ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ l
National,Politics,State
ଦ କୁଇଭର ବ୍ୟୁରୋ :- ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ ଗାନ୍ଧୀ । ନିଜେ ଟ୍ବିଟ କରି ସୂଚନା ଦେଲେ ରାହୁଲ । ଯାହା ଘଟିଥିଲା ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି କହିଲେ ରାହୁଲ ଗାନ୍ଧୀ। ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ। ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ତେବେ ବାଲେଶ୍ୱର ଘଟଣା ପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି ।
ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
State
ବ୍ରହ୍ମପୁର ( ଦ କୁଇଭର ):- ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ମିଡିଆ ଏସୋସିଏସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି ଘଟଣା ନେଇ ଏସୋସିଏସନ୍ର କର୍ମକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରିବା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା। ବିଭିନ୍ନ ଦାବିନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଭାପତି କୃଷ୍ଣଚନ୍ଦ୍ର ପାଳ, ସମ୍ପାଦକ ସଂଜୟ କୁମାର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଥ, ଶକ୍ତିଧର ରାଜଗୁରୁ, ସୁଦୀପ ସାହୁ ,ରାଜେଶ ସାହୁ, ପଦ୍ମ ଚରଣ ଦାସ, ବାଳକୃଷ୍ଣ ସାହୁ, ଜଟ ସାହୁ, ସୁରେଶ ବେହେରା, ହୃଷିକେଶ ପଣ୍ଡା, ଗୋପାଳକୃଷ୍ଣ ରେଡୀ, ଭି.କେ ବିଶାରଦ, ମାନସ ରଜନ ପଟନାୟକ, ରାକେଶ ପାତ୍ର, ଅଜୟ କୁମାର ସ୍ବାଇଁ, କୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତା ଉପସ୍ଥିତ ଥିଲେ ।
State
ବ୍ରହ୍ମପୁର( ଦ କୁଇଭର ):- ବାଘଲଟି ଗ୍ରାମର ବଳରାମ ଗୌଡ଼ ଏକ ସାମାନ୍ଯ ଶଡକ ଦୃଘଟଣାରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିବା ବେଳେ ଡାକ୍ତର ଦିଲ୍ଲୀପ ପ୍ରଧାନ ତାଙ୍କୁ ପ୍ରବର୍ତ୍ତାଇ ବ୍ରହ୍ମପୁର ରେ କୋର୍ଟ ପେଟା ଛକ ଠାରେ ଥିବା ଏକ ଘରୋଇ ବିନାୟକ ନାମକ ହସ୍ପିଟାଲକୁ ନେବାକୁ କହିଥିଲେ। ଏପରିକି ବିନାୟକ ନାମକ ଘରୋଇ ମେଡିକାଲ ରେ ଗୋଡର ଭୁଲ ଚିକିତ୍ସା କରି ହତ୍ଯା କରା ଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକ ଙ୍କ ପରିବାର ଲୋକେ ଡାକ୍ତର ଦିଲ୍ଲୀପ ପ୍ରଧାନ ଓ ବିନାୟକ ମେଡିକାଲ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଆଜି ବାଘଲଟିଗ୍ରାମ ବାସି ଏକ ଶୋଭାଯାତ୍ରା ରେ କମାପଲ୍ଲୀଛକ ଠାରୁ ବାହାରି ବ୍ରହ୍ମପୁର ଏସପିଙ୍କକାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରହ୍ମପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଦକ୍ଷିଣାଞ୍ଚଳରାଜସ୍ବ କମିଶନର କାର୍ଯ୍ୟାଳୟ ଓ ବ୍ରହ୍ମପୁର ଏମକେସିଜି ସୁପରଟେଣ୍ଟ କାର୍ଯ୍ୟଳୟ ଠାରେପହଞ୍ଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଗୋଇଲୁଣ୍ଡି ସ୍ଥିତ ବିନାୟକହସ୍ପିଟାଲ ଠାରେ ପହଞ୍ଚି ନିରବ ପ୍ରାଥନାକରାଯାଇଥିଲା। ଏହି ସଭାଯାତ୍ରା ରେ ବହୁସମାଜ ସେବି ସହ ବାଘଲଟି ଗ୍ରାମର ବହୁ ଜନ ସାଧାରଣ ଯୋଗ ଦେଇଥିଲେ।
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।
ଅନ୍ୟପଟେ ଛକ ଛକ ସ୍ଥାନରେ ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ । ଗାଡି ଚଳାଚଳ ଠପ । ଚାଲି ଚାଲି ଯାଉଛନ୍ତି ଅନେକ ଯାତ୍ରୀ । । ଖାଁ ଖାଁ ରାଜ୍ୟର ପ୍ରାୟ ବସଷ୍ଟାଣ୍ଡ । ଗାଡି ଚଳାଚଳ କରୁନଥିବାରୁ ନିରାଶ ଯାତ୍ରୀ l ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l
State
ଗଞ୍ଜାମ ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗାଁରେ ଗତ ୬ ତାରିଖ ରାତିରେ ଦିଲୀପ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଗାଁର ପୀତବାସ ସାହୁଙ୍କୁ ପୁଲିସ ଗିରଫ କରିଥିବାବେଳେ ମଙ୍ଗଳବାର ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସିଙ୍ଗାବାଡ଼ି ଗାଁର ମାନସ ଓରଫ କାମନା ଗୌଡ଼ଙ୍କୁ ଚେନ୍ନାଇରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡ଼ା ଓ ଗୋଟିଏ ମୋବାଇଲ୍ ଜବତ କରିଛି।
ସୂଚନାଯୋଗ୍ୟ ମୃତ ଦିଲୀପ ପାତ୍ର ସିଙ୍ଗାବାଡି ଗ୍ରାମରେ ହାର୍ଡୱାର୍ ବ୍ୟବସାୟ କରୁଥିବା ବେଳେ ଏକାକୀ ରହି ଆସୁଥିଲେ | ଗତ କିଛି ଦିନ ପୂର୍ବେ କନିଷି ହାଟରେ ଦିଲୀପଙ୍କ ବାଇକ୍ ସହ ପୀତବାସଙ୍କ ବାଇକ୍ ଧକ୍କା ହୋଇଥିଲା। ଏଥର ପୀତବାସଙ୍କ ଗାଡି ଭାଙ୍ଗି ଯିବା ସହ ଆଘାତ ଲାଗିଥିଲା I ପୀତବାସ କ୍ଷତି ପୂରଣ ଦାବି କରିଥିବା ବେଳେ ଦିଲୀପ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମଯରେ ପୀତବାସ କ୍ଷତି ପୂରଣ ମାଗିବାରୁ ଦିଲୀପ କୁଆଡେ ମନା କରିବାରୁ ଏଭଳି କାଣ୍ଡ ଘଟି ଥିବା ପୁଲିସ ସୂଚନା ଦେଇଛି l
State
ଦ କୁଇଭର ବ୍ୟୁରୋ :- ଭଙ୍ଗା ଦଦରା ଖୁଣ୍ଟି, ଛିଣ୍ଡା ଯୋଡ଼ା ତାରରେ ଚାଲିଛି ଟାଟା ପାୱାରର ବିଜୁଳି ଯୋଗାଣ । ଦରଦରା ବ୍ୟବସ୍ଥାରେ ବିଜୁଳି ଦେଇ ଭିଡୁଛି ପୁରା ବିଲ । ଟଙ୍କାଟିଏ ବି ବିଲ ଛାଡ଼ୁନି । ସେ ଗରିବ ହେଉ କି ଚାଷୀ ବିଲ ନ ଦେଲେ ସିଧା ତାର କଟ । ଭିର୍ତ୍ତିଭୂମି ନ ସଜାଡ଼ି ପଇସା ଆଦାୟ କରି ଦେଖାଉଛି ମାଫିଆ ଗିରି । ମନ୍ତ୍ରୀ ତ ମନ୍ତ୍ରୀ ପୁରା ସରକାରଟା ଟାଟା ଆଗରେ ବିକ୍ରି ହୋଇଯାଇଛି । ମୁଣ୍ଡ ବିକିଦେଲା ଭଳି ଗରିବଙ୍କ ଶୋଷଣକୁବି ଆଖିବୁଜି ଦେଉଛି । ଏଭଳି ସ୍ଥିତି ହେଉଛି ଟାଟାର ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ।
ଟିକେ ନଜର ପକେଇବା ବ୍ରହ୍ମଗିରି ବିଜୁଳି ବ୍ୟବସ୍ଥା ଉପରେ । କିଭଳି ଭିର୍ତ୍ତିଭୂମିରେ ଟାଟା ଯୋଗାଉଛି ବିଜୁଳି । ବିଲ କମ ନେଉନି । ୟୁନୁଟି ଚାର୍ଜ ପ୍ରାୟ ପ୍ରତିବର୍ଷ ବଢୁଛି । ସବୁ ତ ନେଲା, ସେବା ଯୋଗେଇଲା ବେଳକୁ କୁନ୍ଥଉଛି ଟାଟା । ଅନେକ ଜାଗାରେ ସୋଇପଡିଲାଣି ଖୁଣ୍ଟି । କେଉଁଠି ବଙ୍କୀ ଯାଇଛି ତ ଆଉ କେଉଁଠି ଅଧା ଖାଇ ଗଲାଣି ଖୁଣ୍ଟ । ତାର ଓହଳି ରହୁଛି । କେତେବେଳେ ଛିଣ୍ଡୁଛି, କେତେବେଳେ ଚାଷ ଜମିରେ ପଡ଼ି ରହୁଛି କେହି କହିପାରିବେ ନାହିଁ । କେଉଁଠି ଚାଷୀ ମଲାଣି ତ ଆଉ କେଉଁଠି ରାସ୍ତାରେ ଜାଉଥୁବା ଲୋକଙ୍କ ଉପରେ ଛିଣ୍ଡି ପଡ଼ିଲାଣି ତାର ।
ଏମିତି ଘଟକୁଡି ଗ୍ରାମର ଜଣେ ବାଇକ ଆରୋହୀଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ତାଙ୍କ ଜୀବନ ବିପଦରେ । ସୂଚନା ଅନୁସାରେ ଘଟକୁଡି ଗ୍ରାମର ବିଜୟ ମହାପାତ୍ର ପ୍ରତିଦିନ ଭଳି ଗନ୍ତବ୍ୟ ସ୍ଥଳରୁ ନିଜ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ଗଉଡ଼ିଆଘାଇ ନିକଟରେ ତାଙ୍କ ଉପରେ ବିଜୁଳି ତାର ଛିଣ୍ଡି ପଡିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ବିଜୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ବିଜୟଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଇଞ୍ଜୁଡ଼ ହେବାସହ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ମାତ୍ର ଆଶ୍ଚର୍ଯ୍ୟର କଥା କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମରାମତି କାର୍ଯ୍ୟ ସାରି ଫେରିଥିଲେ ସିନା ମେଡିକାଲକୁ ଲାଗିରହିଥିବା ବିଦ୍ୟୁତ କାର୍ଯ୍ୟାଳୟର କୌଣସି ବି ଅଧିକାରୀ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନଥିଲେ ବିଜୟଙ୍କ ପାଖରେ ।
କେବଳ ଏହି ଗୋଟେ ଘଟଣା ନୁହେଁ । ଏହାପୂର୍ବରୁ ସତ୍ୟବାଦୀରେ ବି ଦୁଇଜଣଙ୍କ ଜୀବନ ଯାଇଛି । ଅବହେଳା ହେଉଛି ଟାଟାର, ଭିର୍ତ୍ତିଭୂମି ସଜାଡୁନି । ଅସଜଡ଼ା ଭିର୍ତ୍ତିଭୂମିକୁ ନେଇ ପଇସା ଆଦାୟ କରିଚାଲିଛି । ଟାଟା ଲାଭ ତ କଲାନି କିନ୍ତୁ ତା ସହ ଦୁର୍ବଳ ଭିର୍ତ୍ତିଭୂମିରେ ଲୋକଙ୍କୁ ମାରୁଛି । ଲୋକଙ୍କ ଜୀବନ ନେଇ ଲାଭ କରୁଛି ଟାଟା । ଆଉ ବିଭାଗୀୟ ମନ୍ତ୍ରୀ, ଅଫିସର ଏବଂ ସରକାର ବି ଟାଟା ଆଗରେ ଚୁପ । ପ୍ରଶ୍ନ ବି କରୁନାହାନ୍ତି ଭିର୍ତ୍ତିଭୂମି କେବେ ସଜାଡ଼ିବ । ଖାଲି ସହରାଞ୍ଚଳରେ ସଜାଡ଼ି ଦେଲେ ହେବ ନାହିଁ, ସହରର ତଳି ଅଞ୍ଚଳ ବି ବଡ଼ ଅବ୍ୟବସ୍ଥାରେ ଅଛି । ଗାଁ କଥା ତ ନ କହିଲେ ଭଲ । ଏଭଳି ସ୍ଥିତି ଶକ୍ତିମନ୍ତ୍ରୀଙ୍କ ଆଖିକୁ ଦେଖାଯିବ ନାହିଁ । ଶକ୍ତିମନ୍ତ୍ରୀ କେବଳ ଦେଖିବେ ବିଜୁଳି ବିଲ କେମିତି ଜଲ୍ଦୀ ଆଦାୟ ହେବ ଆଉ ଟାଟା ଭଲ ଦି ପଇସା ଆୟ କରିବ ।
ଟ୍ରାନ୍ସଫର୍ମର ଅବସ୍ଥା ତ ବଡ଼ ଦୟନୀୟ । ନା ଚାରିପଟେ ଅଛି କିଛି ବାଡ଼ ନା ଅଛି ଆକଟ । କେତେବେଳେ ଗାଈ ଲାଗିଯାଉଛି ତ ଆଉ କେତେବେଳେ ଆଉ କିଏ । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଟାଟା ପାଖରେ କାଳେ ଟଙ୍କା ନାହିଁ । ଏପଟେ ଟାଟାର ବାଲାନ୍ସ ସିଟି କହୁଛି ଯେ ଟାଟା ପାୱାର ଓଡ଼ିଶାରେ ଲାଭ କଲାଣି । ଲାଭ ନେଇ ନିଜ ପକେଟରେ ମାଡି ଦେଇ ଓଡ଼ିଶା ଲୋକଙ୍କ ଜୀବନ ନେଉଥିବା ଟାଟା ବିରୁଦ୍ଧରେ ସରକାର ପଦକ୍ଷେପ ନ ନେଲେ ଆଗକୁ ସରକାରଙ୍କ ବିରୁଦ୍ଧରେ ତେଜିବ ଆନ୍ଦୋଳନ ।
State
ବ୍ରହ୍ମପୁର( ଦ କୁଇଭର ):- କେନ୍ଦ୍ର ଓ ଓଡିଶା ସରକାର ପେନ୍ସନରମାନଙ୍କ ଦାବି ପୂରଣରେ ଅବହେଳା କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଏକ ମୌନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ମୌନ ଶୋଭାଯାତ୍ରା TPSODL କାର୍ଯ୍ୟାଳୟ ରୁ ବାହାରି ନୂଆ BDA, ପୁରୁଣା BDA କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କମାପୋଲ୍ଲୀ ଛକ, ମାଛ ବଜାର ଓ ପରିବା ବଜାର ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସଂଗଠନର ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଓଡ଼ିଶାର ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପଦେଷ୍ଟା ଜେ ନନ୍ଦେଶୁ ସେନାପତି,ସମ୍ପାଦକ ସଂକର୍ଷଣ ପାତ୍ର, ଉପସଭାପତି ଇ.ସତ୍ୟନାରାୟଣ ଗୁପ୍ତା, ଯୁଗ୍ମ ସମ୍ପାଦଳ ମହର୍ଷି ସିଂ, ସହ ସମ୍ପାଦକ ଡି ଗୁରୁମୂର୍ତ୍ତୀ ପାତ୍ର, ନଳିନୀ କାନ୍ତ ମିଶ୍ର, କେ.କୃଷ୍ଣ ମୂର୍ତି, ନାରାୟଣ ପଣିଗ୍ରାହୀ, ବିଜୟ କୁମାର ବେହେରା, ପଞ୍ଚାନନ ଗନ୍ତାୟତ ନାରାୟଣ ପାଣିଗ୍ରାହୀ, ଶ୍ରୀବସ୍ଥା ପ୍ରଧାନ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଥିଲେ ।
Politics,Education,State
ଦ କୁଇଭର ବ୍ୟୁରୋ :- ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।
ଅନ୍ୟପଟେ ଜୁଇରେ ଝିଅର ଚିତା ଜଳିଯିବା ପରେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ଗାଁ ଠୁ ରାଜଧାନୀ, ସବୁଆଡେ କେବଳ ରାଲି, କୁଶପୁତ୍ତଳିକା ଦାହ, ବନ୍ଦ ଡାକରା.... କିନ୍ତୁ ଏସବୁ ସତ୍ୱେ ମଧ୍ୟ ଗୋଟାଏ ପ୍ରଶ୍ନ, ଯିଏ ବଞ୍ଚିଥିବା ବେଳେ ନ୍ୟାୟ ପାଇପାରିଲାଣି,ଆଉ ଏହି ସବୁ ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?
State
ଦ କୁଇଭର ବ୍ୟୁରୋ :- ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଅବପାତ ଦୂର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଦକ୍ଷିଣ ବିହାର ଉପରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି । ୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
State
ବ୍ରହ୍ମପୁର ( ଦ କୁଇଭର ):- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ତାଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅବଞ୍ଛନୀୟ ଆଚରଣ ବିରୋଧରେ ନ୍ୟାୟ ଦାବି କରି ଆତ୍ମହୁତି କରିଥିବା ଘଟଣା ଦୁଃଖଦ, ନିନ୍ଦନୀୟ ଓ ରାଜ୍ୟର ଶିକ୍ଷା, ଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।ଏହି ଘଟଣା ବିରୋଧରେ ଗଞ୍ଜାମ ଯୁବ କଂଗ୍ରେସ ତରଫରୁ ଜୋରଦାର ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଈଛି। ଏହି ଆନ୍ଦୋଳନର ଅଂଶ ଭାବେ ମଙ୍ଗଳବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଉଦ୍ବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ପରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଶାନ୍ତିପୂର୍ଣ୍ଣ ରାଲି ନେଇ ଛାତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଓ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାର ତ୍ୱରିତ ଓ ନିଷ୍ପକ୍ଷ ତଦନ୍ତ,ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କ ପରିବାର ପାଇଁ ଅର୍ଥିକ ସହାୟତା ଓ ପୁନଃସ୍ଥାପନ ସମର୍ଥନ ଓ ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିଶୁ-ନାରୀ ସୁରକ୍ଷା ପାଇଁ ସୁଦୃଢ଼ ନିତି ଓ ଆଇନ ନିର୍ମାଣ କରିବା ପାଇଁ ଯୁବ ଓ ଛାତ୍ର କଂଗ୍ରେସ ଦାବି କରିଛନ୍ତି l
ଯୁବ କଂଗ୍ରେସ ଅଧ୍ୟକ୍ଷ ବିକାଶ ନାୟକ କହିଛନ୍ତି ଯେ,ବିଜେପି ନେତୃତ୍ୱରେ ରାଜ୍ୟ ସରକାର ଏକ ରିମୋଟ କଣ୍ଠେଇ ସରକାର ଭାବରେ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାମମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି, ଯେଉଁଠାରେ ମନ୍ତ୍ରୀମାନେ ଅନେକ ଅନୁଚିତ ଅର୍ଥସଂଗ୍ରହ କାର୍ଯ୍ୟରେ ଲିପ୍ତ ଓ ପୋଲିସ ନୀରବ ଦର୍ଶକ ସାଜିଛନ୍ତି l ସେ ଏହା ମଧ୍ୟ କହିଛନ୍ତି ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ବଢ଼ୁଥିବା ଅପରାଧ ଦର ଏହି ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି l ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ଓ ତାଙ୍କ ନେତାମାନେ ଅପରାଧୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ବାଲି, ଖଣି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ସେମାନେ ଲିପ୍ତ ଥିବାର ଦାବି ମଧ୍ୟ କରାଯାଇଛି। ବ୍ରହ୍ମପୁର ସାଂସଦଙ୍କ ନାଁ ଉଠାଇ ସେ କହିଛନ୍ତି ଯେ ସେ ଏହି ସବୁ ପଛର ନିର୍ଦ୍ଦେଶକ ବୋଲି କଡା ଭାଷାରେ ବର୍ତମାନର ସରକାରଙ୍କୁ ନିନ୍ଦା କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ନରେଶ ଘଡେ଼ଇ, ଅତିଶ ଦଳେଇ, ଜିତେନ୍ଦ୍ର ଘଡେ଼ଇ, ନୀଳମାଧବ ସାହୁ (ଭବାନୀ), ରୁଦ୍ର ପ୍ରସାଦ ଖଟୁଆ ଓ ଅନ୍ୟାନ୍ୟ ଯୁବ ଓ ଛାତ୍ରମାନେ ଯୋଗଦାନ କରିଥିଲେ ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।
State
ଗଞ୍ଜାମ( ଦ କୁଇଭର ):- ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ କଂଗ୍ରେସର ବନ୍ଦ ଡାକରା । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରହିଛି । FM ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ସବୁଠି ଅଖ-ଚକ ବନ୍ଦ । ଯାତ୍ରୀ ହନ୍ତସନ୍ତ ।
ସେହିପରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା । କଂଗ୍ରେସ କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ବାହାରିଥିବା ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରାଙ୍କ ସମେତ, ନଗର କଂଗ୍ରେସ୍ ସଭାପତି ପ୍ରମୋଦ ଜେନା, ଯୁବ କଂଗ୍ରେସ ସଭାପତି ବିକାଶ ନାୟକଙ୍କ ସମେତ କଂଗ୍ରେସର କର୍ମକର୍ତ୍ତା ମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରିଥିବା ଦେଖାଯାଇଛି ।
State
କୁକୁଡାଖଣ୍ଡି( ଦ କୁଇଭର ):- ଆଜି ସାରା ଓମଫେଡ୍ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର ଓମଫେଡ୍ ଡେରି ରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି ,ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ଓମଫେଡ୍ ସଭାପତି ଦାଶରଥି ସେଠି କହିଛନ୍ତି । ଦୀର୍ଘ ୨୫ ବର୍ଷ ହେଲାଣି କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ କୌଶଳ ଦକ୍ଷତାରେ ଓମଫେଡ୍ ଡେରିରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ହୋଇନି ସ୍ଥାୟୀ ନିଯୁକ୍ତି, ଅଣକୁଶଳୀ ଶ୍ରମିକଙ୍କ ପରି ମଜୁରୀ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । ସରକାର ଘୋଷଣା କରିଥିବା ସର୍ବନିମ୍ନ ମଜୁରୀ ପ୍ରଦାନ କରୁନି ଓମଫେଡ୍ ବୋଲି କହିଛନ୍ତି କର୍ମଚାରୀ ମାନେ । ସାରା ଓଡ଼ିଶାରେ ପ୍ରାୟ ୨୦୦ ରୁ ଅଧିକ ନିଯୁକ୍ତି ଓମଫେଡ୍ ରେ ଖାଲି ଅଛି କିନ୍ତୁ ତାହା ପୂରଣ ହେଉନି । ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁଯାଇ ତାଙ୍କୁ ସ୍ଥାୟୀ ନିଯୁକ୍ତିରେ ସାମିଲ କରି ଖାଲି ପଦବୀକୁ ପୂରଣ କରାଗଲେ କିଛି କର୍ମଚାରୀ ଉପକୃତ ହୋଇପାରିବେ । ବାରମ୍ବାର କାର୍ଯ୍ୟ ବନ୍ଦ କରି ଦାବି କରିଆସୁଛନ୍ତି କର୍ମଚାରୀ କିନ୍ତୁ ଫଳ ଶୂନ l ତେଣୁ ଆଜିଠୁ ସାରା ଓଡିଶାରେ ଓମଫେଡ କର୍ମଚାରୀ ସଂଘ ନିଜର ଦାବି ଜଣାଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଥିବା ବେଳେ ଆଙ୍କୁଶପୁର ଓମଫେଡ ଅଫିସ ଆଗର ଧର୍ମଘଟ କରିଥିଲେ କର୍ମଚାରୀ l ଏ ଅବସରରେ ସମ୍ପାଦକ ସତୀଶ ମିଶ୍ର, କୋଷାଧକ୍ଷ କାଁହୁ ମହାରଣା, ଉପସଭାପତି ସନ୍ତୋଷ ପାଣିଗ୍ରାହୀ, ସହ ସମ୍ପାଦକ ଗୁରୁ ନାଥ ରାଉଳ ସମେତ ଅରୁଣ ସାହୁ, ନିଲୁ ସେଠି, ହେମନ୍ତ ମହାରଣା, ବବିତା ଗୌଡ଼, ନାଗଭୂଷଣ ଶତପଥି ସମେତ ବହୁ କାର୍ଯ୍ୟକାରୀ ସଭ୍ୟ ମାନେ ଉପସ୍ଥିତ ଥିଲେ l
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ଓଡ଼ିଶା ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି । ରାସ୍ତାରେ ଯାଉଥିବା ଥିବା ଗାଡିକୁ ଅଟକାଇ ଚକୋଲେଟ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରୁଛନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।
ଅନ୍ୟପଟେ ଛକ ଛକ ସ୍ଥାନରେ ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ । ଗାଡି ଚଳାଚଳ ଠପ । ଚାଲି ଚାଲି ଯାଉଛନ୍ତି ଅନେକ ଯାତ୍ରୀ । । ଖାଁ ଖାଁ ରାଜ୍ୟର ପ୍ରାୟ ବସଷ୍ଟାଣ୍ଡ । ଗାଡି ଚଳାଚଳ କରୁନଥିବାରୁ ନିରାଶ ଯାତ୍ରୀ l ପୁରୀ ରେଳୱେ ଷ୍ଟେସନରେ କଂଗ୍ରେସ କର୍ମୀ ଅଟକାଇଛନ୍ତି ପୁରୀ କଟକ ମେମୁ ଟ୍ରେନ । ଟ୍ରେନ ଆଗରେ ବିକ୍ଷୋଭ କରିଛନ୍ତି । ଟ୍ରେନ ଚଳାଚଳ ବାଧା ଯୋଗୁ ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଛନ୍ତି । ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାଜ୍ୟର ପ୍ରାୟ ଜାଗାରେ ବିକ୍ଷୋଭ କରି ଓଡିଶା ବନ୍ଦ ଡାକରା ସାଫଲ୍ୟ ମଣ୍ଡିତ କରିବା ପାଇଁ କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ ଅନୁରୋଧ କରିଛନ୍ତି l
State
ଦ କୁଇଭର ବ୍ୟୁରୋ :- ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଡ଼ିଏସପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବେ ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଫକୀର ମୋହନ ସ୍ବୟଂଶାସତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଆଇଜି ଏସ. ସାଇନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
State
ଦ କୁଇଭର ବ୍ୟୁରୋ :- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ହେଲ୍ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ । ଯୋଗାଯୋଗ ପାଇଁ ହେଲ୍ପ ଲାଇନ ନଂ- ୦୬୭୪ ୨୫୪୩୫୪୧ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ ଦେଇଛି । ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ କମିଶନରେଟ୍ ପୋଲିସ ବୋଲି କହିଛି ।
କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ । ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ.. ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ.. କେତେ ସମସ୍ୟା ଭୋଗନ୍ତି ଲୋକେ ।
Politics,National,State
ଭୁବନେଶ୍ୱର(ଦ କୁଇଭର): ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣାରେ ବିଜେଡି ଓ କଂଗ୍ରେସ ତାଙ୍କ ସ୍ୱରକୁ ଏକ କରିଛନ୍ତି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧା ସିଧା ବିଜେପି ସରକାରୀ ବ୍ୟବସ୍ଥା ଉପରେ ଦୋଷ ଲଦି ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଉଭୟ ଦଳ ବିଜେପି ବିରୋଧରେ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ଆସନ୍ତା ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ଏହାକୁ ନୀରବ ସମର୍ଥନ କରୁଛି ।
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ବଡ଼ ବିବାଦୀୟ ହୋଇ ପଡ଼ିଛି । ଜଣେ ଛାତ୍ରୀ ନ୍ୟାୟ ପାଇଁ ପୂରା ବ୍ୟବସ୍ଥାର କବାଟ ବାଡ଼େଇଥିଲା । ସବୁଠିକୁ ଗୁହାରୀ କରିଥିଲା । ବିଜେପି ସଂଗଠନର ଅଂଶ ହୋଇ ଏମପିଙ୍କ ଦୁଆରେ ଯାଇ ଭେଟିଥିଲା । ଲଢ଼ିଥିଲା ନିଜର ସମ୍ମାନ ଓ ମର୍ଯ୍ୟାଦା ପାଇଁ । ହେଲେ ସମସ୍ତେ କାନରେ ହାତ ଦେଇଦେଲେ । କେହି ଶୁଣିଲେନି ନ୍ୟାୟ ପାଇଁ ତାଙ୍କ ଆକୁଳ ଚିକ୍ରାର । ବ୍ୟବସ୍ଥା କାଲ ପାଲଟିଥିବା ବେଳେ ନିର୍ଯାତନାକାରୀମାନେ ଦାନ୍ତ ଦେଖାଇ ଅଟ୍ଟହାସ୍ୟ କରୁଥିଲେ । ଏପରି କ୍ରୁର ସ୍ଥିତି ସୌମ୍ୟାଶ୍ରୀଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରିଥିଲା ।
ଅକାଳରେ ଛାତ୍ରୀ ତ ମରିଗଲେ । ହେଲେ ବ୍ୟବସ୍ଥା ଓ ସରକାରଙ୍କ ଉପରେ ଛାଡ଼ିଗଲେ ଅନେକ ପ୍ରଶ୍ନ । ଛାଡ଼ିଗଲେ ନାରୀ ମର୍ଯ୍ୟାଦା ରକ୍ଷା ପାଇଁ ସରକାରୀ ବ୍ୟବସ୍ଥା କେତେ ସବଳ । ନିଜ ଭୁଲକୁ ସରକାର ମାନିବା ପରିବର୍ତ୍ତେ ନାଟକ କରି ଘଟଣାରେ ରାଜନୀତି କଲେ । ଯାହା ବିରୋଧୀଙ୍କୁ ସୁଯୋଗ ଦେଲା । ବିରୋଧୀ ଏବେ ବଳ ପାଇ ମାଡ଼ିଲେଣି । ବିରୋଧୀଙ୍କୁ ଆହୁରି ବଳ ଦେଲା, ଲୁଚାଚୋରା କାମ । ଏହାକୁ ବିରୋଧ ବି କଲେଣି । ସୌମ୍ୟାଶ୍ରୀଙ୍କ ମୃତୁ୍ୟ ମୃତୁ୍ୟ ନୁହେଁ, ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି ନବୀନ । ଏକ୍ସରେ ନିଜର ମତ ଦେଇ ଏପରି କଡ଼ା ସମାଲୋଚନା କରିଛନ୍ତି ।
ସମାନ କଥା ବି କହିଛନ୍ତି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି । ସେ କହିଛନ୍ତି, ଓଡ଼ିଶାରେ ଜଣେ ଛାତ୍ରୀ ନ୍ୟାୟ ପାଇଁ ଲଢ଼ି ଲଢ଼ି ମରିଯାଇଛନ୍ତି । ଏହା ମୃତୁ୍ୟ ନୁହେଁ ବିଜେପି ସରକାରର ବ୍ୟବସ୍ଥା ଦ୍ୱାରା ହତ୍ୟା ବୋଲି କହିଛନ୍ତି । ଏହାକୁ ଉପର ଠାଉରିଆ ଭାବେ ନେଇ ଗଲେ ହେବ ନାହିଁ । କଂଗ୍ରେସ ଏହା ବିରୋଧରେ ଲଢ଼େଇ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହାପରେ ବିଜେଡି ମଧ୍ୟ ନୀରବ ସମର୍ଥନ ଦେବ ବୋଲି ସୂଚନା ମିଳୁଛି । ଦେଖାଯାଉ ରାହୁଲ ନବୀନଙ୍କ ମିଳିତ ସ୍ୱର ବିଜେପି ସରକାରଙ୍କ ଉପରେ କି ପ୍ରଭାବ ପକାଉଛି?