କଟକ( ଦ କୁଇଭର ):- ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍ କ୍ରୀଷ୍ଣାମୂର୍ତ୍ତି, ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଧାୟକ ପ୍ରକାଶ ସେଠୀ ବାଲିଯାତ୍ରା ଉଦଘାଟନୀରେ ଉପସ୍ଥିତ ଥିଲେ । ତେବେ 12 ତାରିଖ ଯାଏଁ ଉଠିବ ପଡିବ ବାଲିଯାତ୍ରା ପଡିଆ । ଏବର୍ଷର ବାଲିଯାତ୍ରା ଥିମ୍ ରହିଛି 'ଆମ ଭାଷା ଆମ ସାହିତ୍ୟ' । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟା 5ଟାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଅତିଥିମାନେ ବୋଟ୍ କ୍ଲବରୁ ଡଙ୍ଗା ଯୋଗେ ମେଳା ପଡିଆକୁ ଆସିଥିଲେ । 'କଟକରେ କଟକ' ଏବଂ ORMAS ଷ୍ଟଲ ଉଦଘାଟନ କରିବା ପରେ, ମୁଖ୍ୟମନ୍ତ୍ରୀ ବାଲିଯାତ୍ରା 2025କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏପଟେ ଆଗାମୀ 12 ତାରିଖ ଯାଏଁ ପ୍ରତିଦିନ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ "ମହାନଦୀ ଆଳତୀ" ପରିବେଷଣ କରାଯାଇଥିଲା । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।






