Banner Ad

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ସମାଧାନ ହେଲା ୧୦,୬୩୩ ମାମଲା

 ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ସମାଧାନ ହେଲା ୧୦,୬୩୩ ମାମଲା
Published by : Jyotshna Kumari
#State
May 11, 2025, 9:12 AM

ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦେଶ ଏବଂ ଓଡିଶା ପ୍ରାଧିକରଣ ସହ‌ଯୋଗରେ ଗଞ୍ଜାମ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଜିଲା କୋର୍ଟ ପରିସରରେ ଚଳିତବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଦୌରା ଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧକ୍ଷ ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୫ଟି ବେଞ୍ଚରେ ମୋଟ ୧୦ ହଜାର ୬୩୩ଟି ବିଭିନ୍ନ ମାମଲାର ସମାଧାନ କରାଯାଇ ୭କୋଟି ୭୨ ଲକ୍ଷ ୬୨ହଜାର ୪୧୪ ଟଙ୍କା ପ୍ରଦାନ ପାଇଁ ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିଙ୍କୁ ନିର୍ଦେଶ ଦିଆଯାଇଛି। ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ସମେତ ଅନ୍ୟାନ୍ୟ ଅଦାଲତ ପରିସରରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୩୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ କ୍ଷତିପୂରଣ ବାବଦକୁ ୨ କୋଟି ୧ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ ପାଇଁ ବିଭିନ୍ନ ବୀମା କମ୍ପାନୀଙ୍କୁ ନିର୍ଦେଶ ଦିଆଯାଇଥିଲା । ୨୬ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୧ କୋଟି ୭୧ ଲକ୍ଷ ୧୦ ହଜାର ୮୩୦ ଟଙ୍କା ପୁନରୁଦ୍ଧାର କରାଯାଇଥିଲା । ସେହିପରି ୬୩ଟି ବିବାହ ସମ୍ପର୍କିତ ମାମଲାର ଆପୋଷ ବୁଝାମଣା କରାଯାଇଥିଲା । ଏଠାରେ ବହୁ ଦମ୍ପତି ପୁଣି ଥରେ ନିଜର ବୈବାହିକ ଜୀବନ ସୁଚାରରୂପେ ନିର୍ବାହ ପାଇଁ ରାଜି ହୋଇଥିଲେ । ୨୬୦ଟି ବ୍ୟାଙ୍କ ଲିଟିଗେସନ କେସ ର ସମାଧାନ କରାଯାଇ ୨ କୋଟି ୧୩ ଲକ୍ଷ ୮ ହଜାର ୧୯୮ ଟଙ୍କା ଆଦାୟ କରାଯାଇଥିଲା।


ସେହିପରି ଅନ୍ୟାନ୍ୟ ୬୯ଟି ଦେୱାନୀ ମାମଲାର ସମାଧାନ ହୋଇ ୧ କୋଟି ୪୮ଲକ୍ଷ ୯୮ ହଜାର ଟଙ୍କା ଆଦାୟ କରାଯାଇଥିଲା । ୩୯ଟି କ୍ରିମିନାଲ କମ୍ପାଉଣ୍ଡବେଲ ମାମଲାର ସମାଧାନ କରାଯାଇଥିବା ବେଳେ ୯୪୮୩ଟି ରାଜସ୍ବ ମାମଲାର ସମାଧାନ କରାଯାଇ ୪ ଲକ୍ଷ ୯୩ ହଜାର ୨୬୮ ଟଙ୍କା ଆଦାୟ ହୋଇଥିଲା । ଲୋକ ଅଦାଲତରେ ଜିଲ୍ଲା ଜଜଙ୍କ ସମେତ ଦ୍ଵିତୀୟ ଏମଏସିଟି ରାମଶଙ୍କର ହୋତା, ଅତିରିକ୍ତ ଜିଲା ଦୌରା ଜଜ-୧ ଡ.ଇନ୍ଦୁ ଶର୍ମା, ଏଡିଜେ-୨ ଆୟୁସ୍ନାନ ମହନ୍ତ, ଏଡିଜେ-୩ ବିଭଶ୍ୱତ ଗୌତମ ପ୍ରମୁଖ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମାମଲା ସମାଧାନରେ ଅଂଶ ଗ୍ରହଣ କରିଥିବା ବେଳେ ରେଜିଷ୍ଟ୍ରାର ସୌଦାମିନୀ ସିଂ ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ତେବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ତତ୍ତ୍ଵାବଧାନରେ ଲୋକ ଅଦାଲତ ପରିଚାଳିତ ହୋଇଥିଲା । ଜିଲା ଜଜ କୋର୍ଟର ସମସ୍ତ ବିଚାରପତି ଏବଂ ଆଇନଜୀବୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave a Comment

Comments

No comments yet.

Best Biofloc Fish Farming

ad
Read more

National,State

ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ହିମାଞ୍ଚଳ ପ୍ରଦେଶରେ ଆୟୋଜିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ମଙ୍ଗଳବାର ବ୍ରହ୍ମପୁର ଷ୍ଟାଡିୟମ ରେ ସ୍ବାଗତ କରି ଏକ ସମ୍ବର୍ଦ୍ଧନା ସହ ବାଇକ ଶୋଭlଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ବାଇକ ଶୋଭାଯାତ୍ରା ବ୍ରହ୍ମପୁର ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଶଙ୍କରପୁର ସାହି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶେଷ ହୋଇଥିଲା l ତେବେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ବରେ , ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

State

ବର୍ଷାରୁ ମିଳିବ ଆସ୍ବସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନ‌ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି‌ ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି ‌। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"

State

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି : ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା,ଏଣିକି ୩୨ ନୁହେଁ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ

Blog Thumbnail

ଦ କୁଇଭର ବ୍ୟୁରୋ:- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍‌ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା‌ ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍‌ସି, ଏସ୍‌ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।

State

ସୃଷ୍ଟି ହେଲା ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ:- ଚଳିତ ଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସଅଳ ସ୍ପର୍ଶ କରିବ। ଗୁରୁବାର ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ଓଡ଼ିଶା ଉପକୂଳସ୍ଥ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମେଘୁଆ ପାଗ ଜାରି ରହିବା ସହ ଅଳ୍ପବହୁତ ବର୍ଷା ହୋଇଛି। ଲଘୁଚାପ କ୍ଷେତ୍ରଟି ଧୀରେଧୀ‌ରେ ଉତ୍ତର ଦିଗକୁ ଗତି କରିବ ଓ ଆସନ୍ତା ୪୮ ଘଣ୍ଟାରେ ଅଧିକ ସ୍ପଷ୍ଟ ରୂପ ନେବ। ଫଳରେ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅନ୍ୟପକ୍ଷରେ ଚଳିତ ବର୍ଷ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କେବଳ ସଅଳ ଅଗମନ ନାହିଁ ଏହା ପ୍ରଭାବରେ ଦେଶରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଫଳରେ ଦେଶରେ ସର୍ବୋଚ୍ଚ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌ ରବିଚନ୍ଦ୍ରନ ଓ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ମୁତାବକ, ଆସନ୍ତା ଜୁନ୍‌ରେ ସାରା ଦେଶରେ ୧୬୬.୯ ମିମିରୁ ଅଧିକ ବର୍ଷା ହେବ ଯାହାକି ଦୀର୍ଘଅବଧି ହାରଠାରୁ ୧୦୮% ଅଧିକ। ଏହି ଆକଳନ ଅନୁଯାୟୀ, ପୂର୍ବ ଭାରତରେ ବି ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବାରୁ ଓଡ଼ିଶାରେ ମଧ୍ୟ ଜୁନ୍‌ରେ ଅଧିକ ବର୍ଷିବ ବୋଲି ଆଶା କରାଯାଉଛି।


ପାଣିପାଗ କେନ୍ଦ୍ରର ସୂଚନ‌ା ମୁତାବକ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବ‌ାୟୁ କେନ୍ଦ୍ରୀୟ ଆରବ ସାଗର‌ର ଅବଶିଷ୍ଟ ଅଂଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ,ଛତିଶଗଡ଼ ଓ ଓଡ଼ିଶାର କିଛି କିଛି ଅଂଶ, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଅଂଶ ଓ ଉତ୍ତର ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହେବ। ତେବେ ଆଜି ସୃଷ୍ଟ ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ‘ସେଣ୍ଟର ଫର ଏନ୍‌ଭାଇରନ୍‌ମେଣ୍ଟ୍‌ ଆଣ୍ଡ୍‌ କ୍ଲାଇମେଟ୍‌ (ସିଇସି)’ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବୃଷ୍ଟିପାତ ହୋଇପାରେ। ବିଶେଷ କରି ଉପକୂଳ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସିର ବୁଲେଟିନ୍‌ରେ କୁହାଯାଇଛି। ବୁଲେଟିନ୍ ଅନୁଯାୟୀ, ମେ ୨୮ରୁ ୩୦ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇପାରେ। ଏହି ବୃଷ୍ଟିପାତ ବିଶେଷ କରି ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଅବବାହିକା ଅଞ୍ଚଳରେ ଅନୁଭୂତ ହେବ। ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଏଥିରେ ପ୍ରକାଶ କରାଯାଇଛି। ଏହା ପରେ ଜୁନ ୧ ରୁ ୩ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ଉତ୍ତାପ ବୃଦ୍ଧି ପାଇପାରେ, ମାତ୍ର ଏହାପରେ ବୃଷ୍ଟିପାତର ପରିମାଣ ବୃଦ୍ଧିପାଇବ।

Health & lifestyle,National

ଦେଶରେ ୨୭ ଶହ କରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ୨୨

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ମେ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ୧୦୦୦ ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ ମାମଲା ରେକର୍ଡ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ୧୧୬ ମାମଲା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ ହୋଇଛି। ତଥାପି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

State

ଆଜି ସୃଷ୍ଟି ହେବ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ସୃଷ୍ଟି ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପାସଗର ଉପରେ ଲୋ ପ୍ରେସର ସୃଷ୍ଟି ହେବା ସମ୍ଭାବନା । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିଛି ।ପ୍ରବଳ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ପାଇଁ ଆଜି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ଜାରି ରହିଛି । କିନ୍ତୁ ସୋସିଆଲ ମିଡିଆରେ ଚାଲିଥିବା ବାତ୍ୟା ସୃଷ୍ଟିର କୌଣସି ସମ୍ଭାବନା ନାହିଁ । IMD କୌଣସି ବାତ୍ୟା ସୃଷ୍ଟିର ପୂର୍ବାନୁମାନ କରିନାହିଁ ।

State

ଠିକାଦାରଙ୍କ ମନମାନି, ବର୍ଷାରେ ହେଉଛି ପିଚୁ ରାସ୍ତା କାମ

Blog Thumbnail

ପାରଳାଖେମୁଣ୍ଡି ( ଦ କୁଇଭର):-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଠିକାଦାରଙ୍କ ମନମାନି ଦେଖିବାକୁ ମିଳିଛି । ସହରରେ ଅପରାହ୍ନ ଠାରୁ ବର୍ଷା ଲାଗି ରହିଛି । ସେପଟେ ଲାବଣ୍ୟଗଡ ଠାରୁ ରାୟଗଡ ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର କାମ ମଧ୍ୟ ଜାରି ରହିଛି । ତେବେ ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ଛକରେ ବର୍ଷା ସମୟରେ ପିଚୁ ରାସ୍ତା କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମନା କରିଲା ପରେ ମଧ୍ୟ ଠିକାଦାର ନାଲି ଆଖି ଦେଖାଇ କାମ ଜାରୀ ରଖିଥିବାର ଜଣାପଡିଛି । ଏପରି ପରିସ୍ଥିତିରେ ରାସ୍ତା ନିର୍ମାଣ କରାଯାଉଥିବାରୁ ଏହି ରାସ୍ତାର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

State

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନୁଗୁଳ, ପୁରୀ, କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଉଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୨ କୋଟି ଟଙ୍କା ଜବତ କରିଛି। ତାଙ୍କ ଅନୁଗୁଳ ଘରୁ ୯୦ ଲକ୍ଷ ଓ ରାଜଧାନୀ ବାସଭବନରୁ ୧ କୋଟି ୧୦ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାଯାଇଛି।ଭିଜିଲାନ୍ସ ଡିଏସପି ଅନୁଷ୍କା ସେନାପତିଙ୍କ ତତ୍ତ୍ଵାବଧାନରେ ଚଢ଼ଉ ଚାଲିଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

National

ପାକ୍‌ ଏଥର ଉସୁକାଇଲେ ନୌସେନା କରିବ ଉଦ୍‌ଘାଟନ: ରାଜନାଥ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର):- ଆଇଏନଏସ୍ ବିକ୍ରାନ୍ତରୁ ରାଜନାଥଙ୍କ ରଣହୁଙ୍କାର । ପ୍ରତିରକ୍ଷା ମନ୍ତ୍ରୀ କହିଲେ, ପଡ଼ୋଶୀ ଦେଶ ପୁଣିଥରେ ନିଜ ଭୁଲ ଦୋହରାଇଲେ ବଞ୍ଚିବାକୁ ଦେବୁନାହିଁ ସୁଯୋଗ। କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା । ‘ଅପରେସନ ସିନ୍ଦୂର’ରେ ଟାର୍ଗେଟରେ ଥିଲା କରାଚୀ ବନ୍ଦର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ୍ କରି କହିଛନ୍ତି, ‘‘ଏଥର ଯଦି ପାକିସ୍ତାନ କିଛି ଭୁଲ କରେ, ତେବେ ଆମେ ଆତଙ୍କବାଦ ବିରୋଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା ଶତ୍ରୁ ଦେଶ ଚିନ୍ତା ମଧ୍ୟ କରିପାରିବ ନାହିଁ । ଏଥର ଯଦି ପାକିସ୍ତାନ କୌଣସି ପଦକ୍ଷେପ ନିଏ, ତେବେ ଆମର ନୌସେନା ଏହାର ଉଦଘାଟନ କରିବ।’’ ଅପରେସନ୍ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏହା କେବଳ ଏକ ବିରତି । ଯଦି ପାକିସ୍ତାନ ପୁଣିଥରେ ସମାନ ଭୁଲ କରେ, ତେବେ ଭାରତର ପ୍ରତିକ୍ରିୟା ଆହୁରି କଠୋର ହେବ ଏବଂ ଏଥର ନିଜକୁ ସୁଧାରିବା ପାଇଁ ସୁଯୋଗ ବି ଦିଆଯିବନି । ପାକିସ୍ତାନ ଏହା ମନେରଖୁ ଯେ ଯଦି ଗୋଟିଏ ପଟେ ଆମର ନୌସେନା ସମୁଦ୍ର ପରି ଶାନ୍ତ ହୋଇଥାଏ, ଅନ୍ୟପଟେ ଏହା ସମୁଦ୍ର ପରି ସୁନାମୀ ମଧ୍ୟ ଆଣିପାରେ।" ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଥରେ କଳ୍ପନା କରି ଦେଖନ୍ତୁ। ଯିଏ ଜଣେ ଚୁପ ରହିବି ଅନ୍ୟ ଦେଶର ସୈନ୍ୟଙ୍କୁ ବୋତଲରେ ବନ୍ଦି କରି ରଖିପାରେ, ସେ ଯଦି କେବେ ମୁହଁ ଖେଲିବ ତେବେ କଣ ହେବ? ପାକିସ୍ତାନ ଯଦି ନସୁଧୁରେ ତେବେ ଏଥର ନା ସ୍ଥଳ ସେନା ନା ବାୟୁସେନା, ଏଥର ଉଦଘାଟନ ଆମର ନୌସେନା କରିବ।"

State

ବ୍ରହ୍ମପୁର ରେ ଉପଖଣ୍ଡସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ , ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର , ପ୍ରୋବେସନ ପ୍ରଶାସନିକ ଅଧିକାରୀ ମ୍ରିନାଲିକା ରାଠୋର ଙ୍କ ଉପସ୍ଥିତିରେ ଆଜିର ଏହି ଅଭିଯୋଗ ଶୁଣାଣି ହୋଇଥିଲା।ସମୁଦାୟ ୩୫ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା l ବ୍ୟକ୍ତିଗତ ଅଭିଯୋଗ ୩୨ଟି ଥିବାବେଳେ ସାମୁହିକ ଅଭିଯୋଗ ୨ଟି ରହିଥିଲା ଏବଂ ତ୍ୱରିତ ଦୁଇଟି ଅଭିଯାଗର ଫଇସଲା ହୋଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠି ତରଫରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା l ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଶିକ୍ଷା ,ସ୍ଵାସ୍ଥ୍ୟ,ସୁଭଦ୍ରା,ଜଳ ସମସ୍ୟା ଇତ୍ୟାଦି ବିଷୟରେ ରହିଥିଲା l ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ରେ ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ , ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର ଏଵଂ ବିଡ଼ିଓ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହିଥିଲେ

State

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡ

Blog Thumbnail

ପାଟଣାଗଡ଼( ଦ କୁଇଭର ):- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌। ମୃତ୍ୟୁ ଯାଏ ସେ ଜେଲରେ ରହିବେ ବୋଲି ସରକାରୀ ଓକିଲ କହିଛନ୍ତି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା ବି କରାଯାଇଛି। ସୂଚନା ଯୋଗ୍ୟ,୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Farming,State

ଧାନ ଏମ୍ଏସ୍‌ପି ୬୯ ଟଙ୍କା ବଢ଼ିଲା

Blog Thumbnail

ଦ କୁଇଭର ବ୍ୟୁରୋ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସ‌ମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍‌କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଭୟ ସାଧାରଣ ମାନର ଓ ‘ଏ’ ଗ୍ରେଡ୍‌ ଧାନର ଏମ୍ଏସ୍‌ପି କ୍ବିଣ୍ଟାଲ୍ ପିଛା ୬୯ ଟଙ୍କା ବଢ଼ିଛି। ଫଳରେ ସାଧାରଣ ମାନ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ୍ ପିଛା ୨୩୬୯ ଟଙ୍କା ହୋଇଛି। ‘ଏ’ ଗ୍ରେଡ୍‌ ଧାନର ଏମ୍ଏସ୍‌ପି ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇବ୍ରିଡ୍‌ ଯଅର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୩୨୮ ଟଙ୍କା ବୃଦ୍ଧି ପାଇ ୩୬୯୯ ଟଙ୍କା ଏବଂ ମାଲଦାଣ୍ଡି ମାନର ଯଅ ମୂଲ୍ୟ ୩୭୪୯ ଟଙ୍କାକୁ ବୃଦ୍ଧି ପାଇଛି। ବାଜାରା ଏମ୍‌ଏସ୍‌ପି ୧୫୦ ଟଙ୍କା ବଢ଼ି ୨୭୭୫ ଟଙ୍କା, ମାଣ୍ଡିଆ ଦାମ୍ ୫୯୬ ଟଙ୍କା ବୃଦ୍ଧି ପାଇ ୪୮୮୬ ଟଙ୍କା ହୋଇଛି। ମକା ଏମ୍ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୧୭୫ ଟଙ୍କା ବୃଦ୍ଧି ସହ ୨୪୦୦ ଟଙ୍କା ହୋଇଛି।


ଅନ୍ୟପଟେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଶୋଧିତ ସୁଧ ରିହାତି ଯୋଜନାକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି)ରେ ଚାଷୀମାନେ ୭ ପ୍ରତିଶତ ସୁଧରେ ଓ ୧.୫ ପ୍ରତିଶତ ସୁଧ ରିହାତି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଯେଉଁ ଚା‌ଷୀମାନେ ତ୍ବରିତ ଋଣ ପରିଶୋଧ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଫଳରେ କେସିସି ଋଣରେ ସେମାନଙ୍କ ପାଇଁ ସୁଧ ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ। ପଶୁପାଳନ ଓ ମତ୍ସ୍ୟଚାଷ ଉଦ୍ଦେଶ୍ୟରେ ନିଆଯାଉଥିବା ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଲେ, ସେଥିରେ ସୁଧ ରିହାତି ଲାଗୁ ହେବ।

Shree Jagannath

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।


ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।

State

ଓଡ଼ିଶା ଛୁଇଁଲା ମୌସୁମୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ । ପାଗ ଅନୁକୂଳ ଥିବାରୁ ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ମେ' ୨୪ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମୀ । ଆଜି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ପ୍ରଦାନ କରିଛି । ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗୋଟିଏ ପଟେ ବଙ୍ଗୋପ ସାଗରରେ ଲଘୁଚାପ ବଳ ଗୋଟାଉଥିବା ବେଳେ ଓଡିଶାରେ ମୌସୁମୀ ପ୍ରବେଶ କରିଛି । ଲଘୁଚାପ ବପର୍ତ୍ତମାନ ଓ୍ୱେଲ ମାର୍କରେ ପରିଣତ ହୋଇଛି । ଜୁନ ମାସରେ ସାଧାରଣତଃ ମୌସୁମୀ ଆସୁଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିଛି । ଦକ୍ଷିଣ ପଶ୍ଚିମ ମୋସୁମୀ ବାୟ ଦକ୍ଷିଣ ଓଡିଶାର କିଛି ଅଞ୍ଚଲରେ ପ୍ରବେଶ କରିଛି ।


ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକା ମନୋରମା ମହାନ୍ତି ସୂଚନା‌ ଦେଇ କହିଛନ୍ତି, "ଓଡିଶାକୁ ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସମ୍ପୂର୍ଣ୍ଣ ମାଲକାନାଗିରି, କୋରାପୁଟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ସମ୍ପୁର୍ଣ୍ଣ ଅନୁଗୁଳ ରହିଛି ।"ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିଛି।ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଝଟକା ଝଟକା ପବନ ମଧ୍ୟ ବହିବା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି ।

Health & lifestyle,State

ନିଃଶୁଳ୍କ ସେର୍ଭିକାଲ କ୍ୟାନ୍ସର ପ୍ରତିଷେଧକ ଟୀକା ପ୍ରଦାନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବ୍ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଅର୍ଥାତ ଗାନ୍ଧୀ ମାର୍କେଟ୍ ସ୍ଥିତ ସ୍ନେହମ୍ ଠାରେ ୯ ବର୍ଷ ବୟସଠାରୁ ୨୬ ବର୍ଷ ବୟସର ୧୦୦ ଜଣ ଝିଅଙ୍କୁ ଗର୍ଭାଶୟ ଗ୍ରୀବା ବା Cervical Cancer ରୁ ରକ୍ଷା କରିବା ପାଇଁ ପ୍ରତିଷେଧକ ଟୀକା HPVର ପ୍ରଥମ ମାତ୍ରା ନିଃଶୁଳ୍କ ଭାବେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ନଗର ନିଗମର ମେୟର ସଂଘମିତ୍ରା ଦଳାଇ ଉଦ୍ଘାଟନ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡ.ଭବାନୀ ଶଙ୍କର ମିଶ୍ର, N.H.M.ଗଂଜାମ ଜିଲ୍ଲାର ସ୍ମୃତିବର୍ଦ୍ଧନ ଦାସ, M.C.W. ସେଣ୍ଟରର ଡ.ଜୟନ୍ତୀ ରାଓ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ।


ତେବେ ଗର୍ଭାଶୟ ଗ୍ରୀବା କର୍କଟର ମୁଖ୍ୟ କାରଣ ହେଉଛି ଏକ ପ୍ରକାରର ଭୁତାଣୁ ଯାହାକି HPV ବ(Human Papilloma virus) । ଏହି ମାରାତ୍ମକ କର୍କଟରୁ ରକ୍ଷାପାଇବା ପାଇଁ ପ୍ରତିଷେଧକ HPV ଟୀକା ନେବାବ୍ୟତୀତ ଅନ୍ୟପନ୍ଥା ନାହିଁ। ବର୍ତ୍ତମାନ୍ ୯ ବର୍ଷରୁ ୧୪ ବର୍ଷର ଟୀକା ନେଇଥିବା ଝିଅ ମାନଙ୍କୁ ଠିକ୍ ଦୁଇମାସରେ ଏହାର ଦ୍ଵିତୀୟ ଟୀକା ଦିଆଯିବ ଓ ସେହିପରି ଯେଉଁ ୧୫ ବର୍ଷରୁ ୨୬ ବର୍ଷର ଯେଉଁ ଝିଅମାନେ ଟୀକା ନେଇଛନ୍ତି ସେମାନଙ୍କୁ ଠିକ୍ ୨ ମାସରେ ଦ୍ଵିତୀୟ ଟୀକା ଓ ୬ ମାସରେ ୩ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି।


ଏହି ଟିକାଦାନ ପାଇଁ ଟୀକାନେବାକୁ ଉପସ୍ଥିତଥିବା ଇଛୁକ ଝିଅ ଓ ସେମାନଙ୍କ ପିତାମାତା ମାନଙ୍କୁ ଏହି ଟିକାର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ସଚେତନ କରାଯାଇଥିଲା ଓ ଝିଅ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଯୋଗ୍ୟ ହିତାଧିକାରୀ ବଛାଯାଇଥିଲା।


ତେବେ ଶିଶୁ ବିଶେଷଜ୍ଞ ଡ.T.ପ୍ରକାଶ ରାଓଙ୍କ ନେତୃତ୍ୱରେ , ଶିଶୁ ବିଶେଷଜ୍ଞ ଡ. ଏସ.କେ.ବର୍ମା, ଡ. ରୋଶନ କୁମାର, U.S.ମୂର୍ତ୍ତି, ଡ.ଚକ୍ରଧର ରାଜୁ, ଡ.J.ନାରାୟଣ ରାଓ ଟୀକା ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଶ୍ରୀମତୀ ତନୁଜା ବନାଙ୍ଗୀ,ମହିଳା କର୍ମୀ ଉଷାରାଣୀ ପାଢ଼ି, ସହାୟକ ଏଲିଶା ଓ ନୀଳାଞ୍ଚଳ ପାଢି ସାହାଯ୍ୟ କରିଥିଲେ। ତେବେ ବହୁତ ଖୁସିର କଥା ଏହି ମୂଲ୍ୟବାନ କାର୍ଯ୍ୟପାଇଁ ଇପ୍ପିଲି କେଶବ ରାଓ ଓ ତାଙ୍କ ସହଧର୍ମିଣୀ ଇପ୍ପିଲି ବିଶାଲା ସେମାନଙ୍କ ୭୫ ତମ ବିବାହ ଦିବସ ଉପଲକ୍ଷେ ସମସ୍ତ ଟୀକାର ଖର୍ଚ୍ଚ ପ୍ରଦାନ କରି କିମ୍ବଦନ୍ତୀ ସୃଷ୍ଟି କରିଛନ୍ତି।


ଏହି କାର୍ଯ୍ୟକ୍ରମକୁ କ୍ଳବର ସଭାପତି M.ବିଦ୍ୟାସାଗର, ସମ୍ପାଦକ ସତ୍ୟକାମ୍ ପାତ୍ର, ଉପସଭାପତି ଜମ୍ମୁଲା ସୁରେଶ, କୋଷାଧ୍ୟକ୍ଷ କିରଣ କୁମାର, ପୂର୍ବତନ ସଭାପତି ଇଞ୍ଜିନିୟର. ପ୍ରଶାନ୍ତ କୁମାର ପାତ୍ର , ଏହି ପ୍ରୋଜେକ୍ଟର ଅଧ୍ୟକ୍ଷ Asn ଗୁପ୍ତା , ସଭ୍ୟ ଏ.ରଘୁନାଥମ, ପି.ପ୍ରବୀଣ କୁମାର, ମୋନିଙ୍ଗ ପ୍ରବୀଣ, ପ୍ରଭାକର ଚୌଧୁରୀ, A.ରାମଚନ୍ଦ୍ର ରାଓ, ପି.ଶ୍ରୀନିବାସ ରାଓ, ଇ.ଜଗଦୀଶ୍ୱର ରାଓ ଓ କ୍ଳବର ଶକ୍ତି ବିଭାଗର

ଇପାରି ପ୍ରବୀଣା, ପି.ଅନୁରାଧା, ଇନ୍ଦିରା ଚୌଧୁରୀ, ଭାନୁପ୍ରିୟା, ରେଖା, ଶ୍ରାବଣୀ ଜମ୍ମୁଲା ସାଇଲଜା, ଵି.ବୀଣା, ପି.ଲଷ୍ମୀ, ସହଯୋଗ କରିଥିଲେ l

National,State

ଆଜି ସଂଧ୍ୟାରେ ହେବ ମକ୍‌ଡ୍ରିଲ୍‌

Blog Thumbnail

ଦ କୁଇଭର ବ୍ୟୁରୋ:- ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍‌ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ ।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ ।

State

ଭଞ୍ଜନଗର ପୁଲିସ ଦ୍ୱାରା ୫ଟି ବନ୍ଧୁକ ଜବତ,୯ ଗିରଫ

Blog Thumbnail

ଗଞ୍ଜାମ, ଭଞ୍ଜନଗର ( ଦ କୁଇଭର ):- ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ଆଜି ୯ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ବିଭିନ୍ନ ପ୍ରକାରର ୧୬ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଗୋଟିଏ ଲେଖାଏଁ କାନ୍ତି ଓ ଖଣ୍ଡା ସମେତ ୫ମୋବାଇଲ ଆଦି ଜବତ ହୋଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଭଞ୍ଜନଗର ପୁଲିସ ପକ୍ଷରୁ ଏଭଳି ବେଆଇନ ବନ୍ଧୁକ ଧରିବା ଦିଗରେ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହ ଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଁଚିବା ପରେ ସେମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀର ସରୋଜ ଦାସ, ବେଲଗୁଣ୍ଠା ଥାନା ଅଞ୍ଚଳର ବ୍ରଜ ମୋହନ ସାହୁ,କଇଣ୍ଡି ଗ୍ରାମର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କୁ ପଚରାଉଚରା କରିବା ବେଳେ ଆଉ ୫ଜଣ ଲଣ୍ଡେଇ ସାହିର ଏକ ଭଡ଼ା ଘରେ ରହିଥିବା ସେମାନେ କହିଥିଲେ।ଏହାପରେ ପୁଲିସ ଲଣ୍ଡେଇସାହି ସ୍ଥିତ ଭଡ଼ାଘରେ ଚଢ଼ଉ କରି ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ, ଜାମପଲିର ସୁନୀଲ ସାବତ, ଲଣ୍ଡେଇ ସାହିର ସଂଗ୍ରାମ କିଶୋର ଭୂୟାଁ, ଜିଲୁଣ୍ଡିର ବାଦଲ ସାହୁ ଓ ବିଂଝିଗିରୀର ଟୁକୁନା ପାତ୍ରକୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତକୁ ଯାଞ୍ଚ କରିବା ସମୟରେ ବନ୍ଧୁକ ଗୁଳି ଓ ମାରଣାସ୍ତ୍ର ଆଦି ମିଳିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଏଥିରେ ଅତିରିକ୍ତ ଏସପି ଶ୍ରୀ ଦେଙ୍କ ସମେତ ଏସଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି,ଲିପିନା ବିଶ୍ୱାଳ,ଏଏସଆଇ ସତ୍ୟ ନାରାୟଣ ମଳିକ, ଶରତ ଚନ୍ଦ୍ର ପଣ୍ଡାଙ୍କ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

State

କୁବେର ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨.୫କୋଟି ନଗଦ ଜବତ

Blog Thumbnail

ଦ କୁଇଭର ବ୍ୟୁରୋ:- ମେ’ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ। ତା’ ପୂର୍ବରୁ ମାଡ଼ିବସିଲା ଭିଜିଲାନ୍ସ। ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟର ଆକାର ଦେଖି ଖୋଦ ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି। କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା। ରାଜଧାନୀଠା‌ରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼। ରୋଚକ ବିଷୟଟି ହେଉଛି, ଭିଜିଲାନ୍ସ ଟିମ୍‌ ଆଜି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍‌ ବଜାଇବାବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍‌ ଫିଙ୍ଗି ଚାଲିଥିଲେ। ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା। ନାକେଦମ୍‌ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ। ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା। ଭିଜିଲାନ୍ସର ୭ଟି ଟିମ୍‌ ଆଜି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆସ୍ଥିତ ବାସଭବନ ଓ ଲୋକେଇପଶିସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ଆଦି ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଶୁକ୍ରବାର ଭୋରରୁ ଭିଜିଲାନ୍ସ ଟିମ୍‌ ଭୁବନେଶ୍ବର, ପୁରୀ ଓ ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌, ଅନୁଗୁଳରେ ୨ଟି ଦୁଇ ମହଲା କୋଠା, ପୁରୀ ପିପିଲି ଅଞ୍ଚଳରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଥିଲା। ଭୁବନେଶ୍ବର ଡୁମଡୁମା ଅଞ୍ଚଳରେ ଥିବ‌ା‌ ୧୫୩୦ ବର୍ଗଫୁଟରେ ନିର୍ମିତ ଦାମୀ ଫ୍ଲାଟ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ଅନୁଗୁଳରେ ଥିବା ଦୁଇଟି କୋଠାର ମୂଲ୍ୟ ୨ କୋଟିରୁ ଅଧିକ ହେବ। ସେହିପରି ପିପିଲି ଶିଉଳା ଅଞ୍ଚଳରେ ୧୧୦୦ ବର୍ଗଫୁଟରେ ନିର୍ମିତ ଫ୍ଲାଟ୍‌ର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଆକଳନ କରାଯାଇଛି। ପୁରୀ ଓ ଅନୁଗୁଳର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଯେଉଁଥିରେ ପୁରୀରେ ୪ଟି ଓ ଅନୁଗୁଳରେ ୩ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ୨.୫କୋଟିରୁ ଊର୍ଦ୍ଧ୍ବ ହେବ। ଏଥିସହିତ ବ୍ୟାଙ୍କଜମା, ବୀମା ଓ ବଣ୍ଡର ସନ୍ଧାନ ମିଳିଛି। ଯାହାର ମୂଲ୍ୟ ୧.୫କୋଟି ଟଙ୍କା ହେବ।ଧରପଗଡ଼ ସମୟରେ ଭୁବନେଶ୍ବର ଡୁମଡୁମା ଘରୁ ନଗଦ ୧.୩୪ କୋଟି ଓ ଅନୁଗୁଳ ଘରୁ ୧.୨୨ କୋଟି ଟଙ୍କା ସହିତ ମୋଟ ୨,୫୬,୦୦୦,୦୦ ଟଙ୍କା ଜବତ କରାଯାଇଛି। ୧୧୪୧ ଗ୍ରାମ୍‌ ସୁନାଗହଣା, ୫୦୦ ଗ୍ରାମର ରୁପା, ବିଦେଶରୁ ଆମଦାନି କରାଯାଇଥିବା ୧୫ଟି ଦାମୀ ହାତଘଣ୍ଟା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ସହିତ ଗୋଟିଏ କାର ଠାବ କରାଯାଇଛି। ଏହାଛଡ଼ା ସେ ସେୟାର ବଜାରରେ ୨.୭ କୋଟିର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ସମ୍ପତ୍ତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପଟେ ମୁଖ୍ୟଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଆଜି ଚଢ଼ଉରେ ୮ ଜଣ ଡିଏସ୍‌ପି, ୧୨ ଜଣ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।

State

୭ ଜଣ କୁଖ୍ୟାତ ଅପରାଧୀ ଗିରଫ, ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ବୋମା ଜବତ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ରାଜ୍ୟରେ ଦିନକୁ ଦିନ ଅପରାଧ ଆଉ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଚଳାଇଛି ଖୁଲମ ଖୁଲା ଅପରାଧ l ଏକ ପ୍ରକାର ପୋଲିସ ପ୍ରଶାସନର ନିଦ ହଜାଇଦେଇଥିବା ବେଳେ ଏ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ସହର ରେ ଅପରାଧୀଙ୍କୁ ଖୋଜି ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ରହ୍ମପୁର ପୋଲିସ ପାଇଁ କିନ୍ତୁ ଏହି ଚ୍ୟାଲେଞ୍ଜ କୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣl ବିବେକ ଏମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧୀମାନଙ୍କ ଚେର କୁ ଗୋଟେ ପରେ ଗୋଟେ କରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ପ୍ରଶାସନ l


ବ୍ରହ୍ମପୁରରେ ଚାଲିଛି ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ l ତେବେ ଏସପି ଙ୍କ ନିର୍ଦେଶ କ୍ରମେ ଗୋଶାଣୀନୂଆଗାଁ ଏବଂ ବୈଦ୍ୟନାଥ ପୁର ପୋଲିସ ର ମିଳିତ ଉଦ୍ୟମରେ ଶନିବାର ବ୍ରହ୍ମପୁର ସହରରେ ୭ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ନଗଦ ୧,୧୧,୫୦୦ ଟଙ୍କା,ଗୋଟିଏ ମହେନ୍ଦ୍ର ଟିୟୁଭି ୩୦୦ ଏବଂ ଅନେକ ବୋମା ଜବତ କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଗୋଶାଣୀନୂଆଗାଁ ଅଞ୍ଚଳରୁ ହୋଇଥିବା ବେଳେ ବଳକା ୨ ଜଣ ଅପରାଧୀ ବୈଦ୍ୟନାଥ ପୁର ଥାନା ଅଂଚଳର ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l