ଦ କୁଇଭର ବ୍ୟୁରୋ :- ରାସନ କାର୍ଡ ହିତାଧିତାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା e-KYC ଅବଧି । ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି । ଏହାସହ ଅଦ୍ୟାବଧି e-KYC କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ e-KYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ଯଦି ଏ ପର୍ଯ୍ୟନ୍ତ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ e-KYC କରିନାହାନ୍ତି, ତାହାଲେ ସେମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ e-KYC କରାଇପାରିବେ । ଯାହାକୁ ନେଇ ଗତ କିଛି ଦିନ ହେଲା ଦ୍ୱନ୍ଦ୍ବରେ ଥିଲେ ହିତାଧିକାରୀ l ଗତ ୧୪ ତାରିଖ ସୁଦ୍ଧା ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀ e-KYCରୁ ବଞ୍ଚିତ ଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗତ ୧୫ ଦିନ ଭିତରେ ମାତ୍ର ୭୩ ହଜାର ୧୦୬ ଜଣଙ୍କ e-KYC କରିଛନ୍ତି ।






