ଦ କୁଇଭର ବ୍ୟୁରୋ :- ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍ଡେଟ୍ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍ଡେଟ୍।ଖବର ଅନୁଯାୟୀ, ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି । ଜାନୁଆରି ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍ଡେଟ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
No comments yet.
State
ମୟୁରଭଞ୍ଜ( ଦ କୁଇଭର ):- ମୟୂରଭଞ୍ଜ ଜିଲ୍ଲା ରେ ନିଶା ବେପାର ଏବଂ ଚୋରା ଚାଲାଣ କ୍ରମଶ ବୃଦ୍ଧି ପାଉଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଅଫିମ ଚାଷ ହେବା ଭଳି ଖବର ମିଳିଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୬୦ଲକ୍ଷ ଟଙ୍କାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି।ତେବେ ଅଫିମ ଚାଷ ବାବଦରେ କୌଣସି ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି । ଆଜି ଶିମିଳିପାଳ ଵନାଞ୍ଚଳର ବରେହି ପାଣି ପଞ୍ଚାୟତ ବନ୍ଦିରାବାସ ଗ୍ରାମ ଇଲାକାର ୫୩ ଡିସିମିଲ ଜମି ରେ ଚାଷ ହୋଇଥିଵା ୪୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଅସନ୍ ବଣୀ ଗ୍ରାମ ଅଞ୍ଚଳ ରେ ୮୫ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୨୫ ହଜାର ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି । ତେବେ ଦୁଇଟି ସ୍ଥାନରୁ ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ପୋସ୍ତ ଚାଷ କହି ଅଫିମ ମାଫିଆ ଅଫିମ ଚାଷ କରାଉଛନ୍ତି। ଏଥିରେ ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାର ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ। ଯଶିପୁର ପୋଲିସ ପକ୍ଷରୁ ପୃଥକ୍ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି। ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛନ୍ତି।
State
ଭୁବନେଶ୍ୱର( ଦ କୁଇଭର ):- ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।
State,Politics
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ ମନ୍ତବ୍ୟ ସାରା ଦେଶବାସୀଙ୍କ ପ୍ରତି ଅପମାନ ବୋଲି କହିଛି ବିଜେପି।ଏହା ଦ୍ୱାରା ପବିତ୍ର ଗୃହର ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ତୁରନ୍ତ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ଅନୀଲ କୁମାର l ଶୁକ୍ରବାର ସନ୍ଧ୍ୟାରେ ଏହାର ପ୍ରତିବାଦରେ ବହୁ ବିଜେପି କର୍ମୀ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉଭୟ ସୋନିଆଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ଅବସରରେ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମିନତୀ ଦାସ, ଅଶୋଲ ଶୁକ୍ଳା, ସଞ୍ଜୟ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ିଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍ଡେଟ୍ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍ଡେଟ୍।ଖବର ଅନୁଯାୟୀ, ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପ୍ଡେଟ୍ କରିଛନ୍ତି । ଜାନୁଆରି ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍ଡେଟ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
Sports
ଦ କୁଇଭର ବ୍ୟୁରୋ :- ପୁଣି ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ସୁପର ସଣ୍ଡେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଲେସିଆର ବାୟୁମାସ ଓଭାଲରେ ଆଇସିସି ମହିଳା ଅଣ୍ଡର-୧୯ ଟି ୨୦ ଓ୍ବାର୍ଲ୍ଡ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି ଭାରତୀୟ ମହିଳା ଟିମ୍ । ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।ଭାରତର ଏହି ବିଜୟୀରେ ହିରୋ ସାଜିଛନ୍ତି ଅଲରାଉଣ୍ଡର ତ୍ରିଶା ଗୋଙ୍ଗାଡି । ସେ ଏହି ମ୍ୟାଚରେ ୩ଟି ଓ୍ବିକେଟ ହାସଲ କରିବା ସହ ୮୩ ରନକୁ ଲକ୍ଷ୍ୟ କରି ୪୪ରନ ସଂଗ୍ରହ କରି ଭାରତର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତ୍ରିଶାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ମ୍ୟାଚ କରାଯାଇଛି । ଏଥିସହ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ୩୦୯ ରନ ସଂଗ୍ରହ କରିଥିବା ବେଳେ ୭ଟି ଓ୍ବିକେଟ ହାସଲ କରିଛନ୍ତି ।
State
ଦ କୁଇଭର ବ୍ୟୁରୋ :- 'ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଯାଜପୁରରେ ବଣ୍ଟନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଫେବ୍ରୁଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍ କରିପାରିବେ । ଛୋଟଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
State
ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
State
ମୋହନା ( ଦ କୁଇଭର ):-- ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୋଡିପତର ଗାଁରେ l ମୃତକ ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ଦଳବେହେରା l ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି l କ୍ଷତିପୂରଣ ଦାବିରେ ଚାନ୍ଦିପୁଟ ରେ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ବିଦ୍ୟୁତ ବିଭାଗ ପକ୍ଷରୁ ନୂଆ କରି ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ସଂଯୋଗ କରିଥିଲେ l ତେବେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଜମିରେ ପଡିଥିଲା l ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ନିଜ ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ l ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ କୃଷ୍ଣ ଙ୍କ ମୃତ୍ୟୁ ଘଟିଛି l ରାସ୍ତା ଅବରୋଧ ଯୋଗୁଁ ଚାନ୍ଦିପୁଟ - ଲୁହାଗୁଡ଼ି ଯାତାୟାତ ଠପ ହୋଇଯାଇଛି l
Politics
କେନ୍ଦ୍ରାପଡ଼ା(ଦ କୁଇଭର): କ୍ଷମତା ହାତରୁ ଖସି ଖସି ଯାଉଛି । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ବିଜେଡି ପାଖରୁ ଦୂରେଇବାରେ ଲାଗିଛି । ପଞ୍ଚାୟତ ହାତରୁ ଗଲେ ବିଜେଡିର ଘପଲତି ଧରାପଡ଼ିଯିବ । ତୃଣମୂଳ ସ୍ତରରେ ଯୋଡ଼ି ହୋଇ ରହିବା ବି କଷ୍ଟକର ହେବ । ତେଣୁ ବିଜେଡିର ଅନେକ ନେତା ବିକିଳିଆ ହୋଇ ପଡ଼ିଛନ୍ତି । ଏମିତି ସ୍ଥିତି ହେଲାଣି ଯେ, କ୍ଷମତା ଜାବୁଡ଼ି ଧରିବାକୁ ବିଷ ପିଆ ପିଇ ପର୍ଯ୍ୟନ୍ତ କଥା ଗଲାଣି । ଏମିତି ଘଟଣା ଘଟିଛି ରାଜନଗର ନିର୍ବାଚନ ମଣ୍ଡଳୀର ବାଲିସାହି ପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କୁ ଅନାସ୍ଥାରୁ ବଞ୍ଚାଇବା ପାଇଁ ଜଣେ ୱାର୍ଡ ମେମ୍ବରଙ୍କ ପୁଅ ହାତରେ ବିଷ ବୋତଲ ଧରାଇ ଦିଆଗଲା । ସେ ବିଷ ପିଇ ଏବେ ଡାକ୍ତରଖାନାରେ । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଏପରି କାଣ୍ଡ କରିଥିବା କୁହାଯାଉଛି । ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ପୋଲିସ ଉପରେ ଦୋଷ ଲଦି ଦେଇ ବିଜେଡି ସମର୍ଥକମାନେ ଖସିଯିବାକୁ ଯୋଜନା କରିଛନ୍ତି । ଫଳରେ ସ୍ଥିତି ଗୋଳମାଳିଆ ହେବାରେ ଲାଗିଛି ।
ଏବେ ଆସିବା ପ୍ରସଙ୍ଗକୁ । ବାଲିସାହି ପାଟଣା ସରପଞ୍ଚ ବିଜେଡି ସମର୍ଥିତ ଥିଲେ । ସେ କାଳେ ବ୍ୟାପକ ଦୁର୍ନୀତି କରିଥିଲେ । ତାଙ୍କ ବିରୋଧରେ ୮ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତାଙ୍କ ଉପରେ ଆସ୍ଥା ନଥିବା ଦର୍ଶାଇଥିଲେ । ହେଲେ ସରପଞ୍ଚ ବାବୁ ବିଧାୟିକ ଧ୍ରୁବ ଚରଣ ସାହୁଙ୍କ ବାହୁଛାୟା ତଳେ ରହି ଦୁର୍ନୀତି କରି ଚାଲିଥିଲେ । ଅନାସ୍ଥା ସପକ୍ଷରେ ଭୋଟ ନଦେବାକୁ ୱାର୍ଡ ସଦସ୍ୟ ମାନଙ୍କୁ ଧମକ ଚମକ ଦିଆଯାଉଥିଲା । କାଳେ ବିଧାୟକଙ୍କ ସମର୍ଥକମାନେ ଚାପ ପକାଇବେ, ତେଣୁ ସମସ୍ତ ୱାର୍ଡ ସଦସ୍ୟ ଅଞ୍ଚଳ ଛାଡ଼ି ବାହାରେ ରହୁଥିଲେ । ଇତିମଧ୍ୟରେ ୧୧ ନଂ ୱାର୍ଡ ସଦସ୍ୟ ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ସେ ନିଖୋଜ ଥିବା ମାମଲା ରୁଜୁ କରିଥିଲେ । ଆଜି ରବିନ୍ଦ୍ର ଅନାସ୍ଥା ଉପରେ ଭୋଟ ଦେବାକୁ ପଞ୍ଚାୟତ ଅଫିସ ଯିବା ବେଳେ ପୋଲିସ ତାଙ୍କୁ ଠାବ କରିଥିଲା । ପୂର୍ବ ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ ଗାଡ଼ିରେ ବସାଇ ଅନାସ୍ଥା ଭୋଟ ଦେବାକୁ ନେଇଥିଲା । ମାତ୍ର ତାକୁ ବିରୋଧ କରିଥିଲେ ତାଙ୍କ ପୁଅ । ପ୍ରଥମେ ସେମାନେ ତାଙ୍କ ବାପାଙ୍କୁ ଘରକୁ ନେବେ ବୋଲି ଜିତ କରି ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ ପୋଲିସଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ନିୟମ ଅନୁଯାୟୀ ପ୍ରଥମେ ଅନାସ୍ଥା ଓ ପରେ ଅନ୍ୟ କାମ ବୋଲି ଦର୍ଶାଇଥିଲା ପୋଲିସ ।
ଏଥିରେ ଏକମତ ହେଲେ ନାହିଁ ତାଙ୍କ ପୁଅ । ପୋଲିସ ଗାଡ଼ିରୁ ଦୌଡ଼ି ଯାଇ ବିଜେଡି ସମର୍ଥକମାନଙ୍କ ମଧ୍ୟରେ ପଶିଗଲେ । ଖାଲି ହାତରେ ଯାଇଥିବା ରବିନ୍ଦ୍ରଙ୍କ ପୁଅ ବିଜେଡି ତଥା ବିଧାୟକ ଧ୍ରୁବଙ୍କ ସମର୍ଥକ ମାନଙ୍କ ପାଖରୁ ଫେରିବା ବେଳେ ହାତରେ ବିଷ ବୋତଲ ଧରିଥିଲେ । ପୋଲିସକୁ ଧମକାଇବା ଓ ଅନାସ୍ଥା ଭୋଟ ରୋକିବାକୁ ଚେତାବନୀ ଦେଇ ଶେଷରେ ସେହି ବିଷକୁ ପିଇଥିଲେ । ତତ୍କାଳ ପୋଲିସ ତାଙ୍କୁ ହସ୍ପିଟାଲକୁ ନେଇଥିଲା । ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ପୁଅ ବିଷ ଖାଇଥିବା ନେଇ ବିଜେଡି ସମର୍ଥକମାନେ ପୋଲିସକୁ ଦାୟୀ କରିଥିଲେ । ଇତିମଧ୍ୟରେ ଅନାସ୍ଥା ଭୋଟ ସରିଥିଲା । ସରପଞ୍ଚଙ୍କ ଅନାସ୍ଥା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା । ଭୋଟ ପରେ ରବିନ୍ଦ୍ର ସିଧା ସଳଖ କହିଥିଲେ, ତାଙ୍କ ପୁଅକୁ ବିଷ ନିର୍ଦ୍ଧିଷ୍ଟ ଗୋଷ୍ଠି ପିଇବାକୁ ବାଧ୍ୟ କରିଛନ୍ତି । ଏହା ବିରୋଧରେ ସେ ଆବଶ୍ୟକ ଫୋରମକୁ ଯିବେ ।
ଏହାପରେ ରବିନ୍ଦ୍ରଙ୍କୁ ପୋଲିସ ଥାନାକୁ ନେଇ ମାମଲା ଉପରେ ତାଙ୍କ ବୟାନ ରେକର୍ଡ କରି ଛାଡ଼ିଥିଲା । ତେବେ ଅନାସ୍ଥା ପାଇଁ ଜଣେ ୱାର୍ଡ ସଦସ୍ୟଙ୍କ ପୁଅକୁ ବିଷ ଦେବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କ୍ଷମତା ଭୋକରେ ବିଜେଡି ଏତେ ବିପର୍ଯ୍ୟସ୍ତ ଦିଗକୁ ଚାଲିଯିବ ସେନେଇ ଏବେ ଟୁପୁରୁ ଟାପର ହେଲେଣି । ଦେଖାଯାଉ ବିଜେଡି ସୁପ୍ରିମୋ ଏହାକୁ ବିରୋଧ କରୁଛନ୍ତି ନା କ୍ଷମତା ପାଇଁ ସେ ବି ଅନ୍ଧ ହୋଇଯାଉଛନ୍ତି?
National
ଦ କୁଇଭର ବ୍ୟୁରୋ :- ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସହରୀ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହା କରାଯିବ । ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।
ତେବେ ପ୍ରଥମ ଥର ପାଇଁ ମୋଦୀ ସରକାର ଏହି ଗିଗ୍ ଓ୍ୱାର୍କସଙ୍କ ପାଇଁ ବଡ଼ ଘୋଷଣା କରିଛି । ଦେଶର ଅର୍ଥମନ୍ତ୍ରୀଙ୍କ କହିବା ମୁତାବକ, ଏହି କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ବର୍ତ୍ତମାନ ସମୟରେ ଏହି ଡେଲିଭରୀ ବୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଆଖି ଆଗରେ ରଖି ଗିଗ୍ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ।
State
ଗଞ୍ଜାମ( ଦ କୁଇଭର ):- ଗଂଜାମ ଜିଲ୍ଲାର ୩ ଟି ବନଖଣ୍ଡରେ ଏକକାଳୀନ ହୋଇଛି, କୃଷ୍ଣସାର ମୃଗ ଗଣନା କାର୍ଯ୍ୟ । ସେହି କ୍ରମରେ ଗଂଜାମ ର ଗୈାରବ କୁହାଯାଉଥିବା, ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୪-୨୫ ବର୍ଷ ନିମନ୍ତେ ଶେଷ ହୋଇଛି । ୨୦୧୫ ମସିହା ପର ଠାରୁ, ଏହି ବନଖଣ୍ଡରେ ଦେଖା ଦେଇଥିବା ଏହି ବନ୍ୟପ୍ରାଣୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସେହି ଅନୁସାରେ ଗତ ମୃଗ ଗଣନା ଅନୁଯାୟୀ ଏହି ବନଖଣ୍ଡରେ ୩୫୦ ରୁ ଉର୍ଦ୍ଧ୍ବ କୃଷ୍ଣସାର ମୃଗ ରହିଥିବା ଜଣା ପଡିଥିଲା । ଚଳିତବର୍ଷ ଗଣନା ତଥ୍ୟ ପ୍ରକାଶ ପାଇନଥିବା ବେଳେ, ତଥାପି ଚଳିତବର୍ଷ ଏମାନଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଛି, ବନବିଭାଗ । ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ, ଏମାନଙ୍କ ସଂଖ୍ୟା । ଏହି ବନଖଣ୍ଡର ୧୮ ଟି ଟିମ୍ ଜରିଆରେ ଗଣନା ହୋଇଥିବା ବେଳେ, ୧୦୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ ନନ୍ଦନକାନନରୁ ଆସିଥିବା zoo volunteer ମାନେ ସାମିଲ୍ ହୋଇଥିଲେ ।
State
ବ୍ରହ୍ମପୁର, ଗୋଳନ୍ଥରା ( ଦ କୁଇଭର ):- ଚୋରି ମାମଲାରେ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା l ୪ ଅଭିଯୁକ୍ତ ଚି଼ହ୍ନଟ କରିବା ସହ ସୁନା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ସୂର୍ଯ୍ୟ ନାରାୟଣ ଆଚାରି ଗତ ୧୯ ଡିସେମ୍ବର ରେ ଦେଇଥିବା ଚୋରି ମାମଲାର ଆଜି ଗୋଳନ୍ଥରା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି l ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ପରିମାଣରେ ଚୋରି ସାମଗ୍ରୀ ଯଥା ସୁନା ଅଳଙ୍କାର, ମୋବାଇଲ ହ୍ୟାଣ୍ଡସେଟ, ନଗଦ ୧ଲକ୍ଷ ୪୦ ହଜାର ଟଙ୍କା, ଇନଭେଟର ବ୍ୟାଟେରୀ, ଅନେକ ଡେସ୍କଟପ କମ୍ପୁଟର ସହ ସିପିୟୁ ଏବଂ ୟୁପିଏସ, ସ୍କୁଟି ଗାଡି, ଡିଜିଟାଲ ଓଜନ ମେସିନ, ଘର ଭାଙ୍ଗିବା ଉପକରଣ, ଲୁହାବାଡି ଆଦି ଜବତ କରିଛି ଗୋଳନ୍ଥରା ପୋଲିସ l ଗିରଫ ୪ ଅଭିଯୁକ୍ତ ମଧ୍ୟରେ ୨ ଜଣ ଦିଗପହଣ୍ଡି ଅଂଚଳର ହୋଇଥିବା ବେଳେ ଜଣେ କବିସୂର୍ଯ୍ୟନଗର ଏବଂ ଅନ୍ୟଜଣେ ପାଟପୁର ବ୍ଲକର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l
Shree Jagannath,State
ଭୁବନେଶ୍ୱର( ଦ କୁଇଭର ):- ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭିଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।
National
ଦ କୁଇଭର ବ୍ୟୁରୋ :- ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍ରେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କ୍ୟାପିଟାଲ ଗେନ୍ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ । ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।
ସେହିପରି ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବା ବେଳେ,ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଳାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ ।
ସେହିପରି ମେଡିକାଲ ଉପକରଣମୋବାଇଲ, କାର୍ ବ୍ୟାଟେରୀ ଇଲେକ୍ଟ୍ରିକ ଗାଡ଼ି ଏଲଇଡି ଟିଭି ଲିଥିୟମ ଆୟନ ବ୍ୟାଟେରୀ କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍ ବୈଦ୍ୟୁତିକ ଉପକରଣ କ୍ୟାନ୍ସର ଶସ୍ତା୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ lଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ । ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ନେଇ ଘୋଷଣା କଲେ ନିର୍ମଳା । ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ।ମେଡ଼ିକାଲ ପାଠ୍ୟକ୍ରମକୁ ଗୁରୁତ୍ବ । ୫ ବର୍ଷରେ ୭୫ ହଜାର ମେଡ଼ିକାଲ ସିଟ୍ ବୃଦ୍ଧି କରାଯିବ । ଆସନ୍ତାବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି ହେବ । ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ । ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା । ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯିବ ସହିତ ମାଛ ଉତ୍ପାଦନରେ ଭାରତ ଦ୍ବିତୀୟ ବୃହତ୍ତ ଦେଶ । ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯିବ ।ଖାଇବା ତେଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହାସହ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ । ମଖାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ସେପଟେ ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ବୋଲି ଗୃହରେ ଅବଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ । ଭାରତର ଅର୍ଥନୀତି ଗତିଶୀଳ ରହିଛି । ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଲେ ଅର୍ଥମନ୍ତ୍ରୀ ।
National,State
ଦ କୁଇଭର ବ୍ୟୁରୋ :- ଆସନ୍ତା ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ଶୁକ୍ରବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀର ଚାହିଦା ଦୁର୍ବଳ ରହିବା ଏବଂ ଦେଶ ଭିତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ କାରଣ ପାଇଁ ଅଭିବୃଦ୍ଧି କମ୍ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରିପୋର୍ଟ କହୁଛି, ୨୦୪୭ ସୁଦ୍ଧା ଭାରତ ବିକଶିତ ହେବାକୁ ହେଲେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ। ଏହାକୁ ହାସଲ ପାଇଁ ଅର୍ଥାତ୍ ଦ୍ରୁତ ବିକାଶ ଲାଗି ଭାରତକୁ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିବାକୁ ପଡ଼ିବ। କେବଳ ସରକାର ଚାହିଲେ ସବୁ କାମ ହୋଇପାରିବ ନାହିଁ। ଘରୋଇ ସଂସ୍ଥାଗୁଡ଼ିକୁ ସହଯୋଗିତାର ହାତ ବଢ଼ାଇବାକୁ ପଡ଼ିବ। ଉଚ୍ଚ ଅଭିବୃଦ୍ଧି ଲାଗି ବିନିୟନ୍ତ୍ରଣ (ଡିରେଗୁଲେସନ୍)କୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପକେଟ୍ରୁ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ କମ୍ କରିବ ବୋଲି ରିପୋର୍ଟରେ ଦାବି କରାଯାଇଛି। ସର୍ଭେରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। କର୍ମ-ଜୀବନ ସନ୍ତୁଳନକୁ ନେଇ ଲାଗିରହିଥିବା ବିତର୍କ ସମ୍ପର୍କରେ କୁହାଯାଇଛି ଯେ ସପ୍ତାହକୁ ୬୦ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ।
ସେହିଭଳି ଡାକ୍ତରୀ ପାଠପଢ଼ା ଲାଗି ଦରକାର ହେଉଥିବା ମୋଟା ଫି’କୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଫି’ ୧ କୋଟି ଟଙ୍କାକୁ ହ୍ରାସ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି। ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କାମ ଚାପ ଓ କମ୍ ବ୍ୟାୟାମ ଲୋକମାନଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି। ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଶସ୍ୟଜାତୀୟ ଖାଦ୍ୟ, ଡାଲି ଓ ଖାଇବା ତେଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ବିକ୍ରି ହେଉଥିବା ଅତି ପ୍ରକ୍ରିୟାକରଣ ଖାଦ୍ୟ ସାମଗ୍ରୀ ଉପରେ ‘ସ୍ବାସ୍ଥ୍ୟ’ ଟିକସ ଲଗାଇବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ଦେଶର ବିକାଶର ଲାଭ କେଉଁ କ୍ଷେତ୍ରକୁ କିଭଳି ମିଳୁଛି ତାହାର ଚିତ୍ର ଉପସ୍ଥାପନ କରିବା ଲାଗି ସର୍ଭେରେ କୁହାଯାଇଛି ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭ ଗତ ୧୫ ବର୍ଷରେ ସର୍ବାଧିକ ହୋଇଛି। କିନ୍ତୁ ଗରିବ ଲୋକମାନେ ପାଉଥିବା ମଜୁରି ଯେଉଁଠିଥିଲା, ଏବେ ବି ସେଇଠି ସ୍ଥିର ହୋଇ ରହିଯାଇଛି। ଗତ ତିନି ବର୍ଷରେ ସିଷ୍ଟମେଟିକ୍ ଇନ୍ଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସ୍ଆଇପି)ରେ ନିବେଶ ଦ୍ବିଗୁଣିତ ହୋଇଛି। କାରଖାନାରେ ଅଧିକ ସଂଖ୍ୟାରେ ମହିଳା ଯେଭଳି କାମ କରିପାରିବେ ସେଥିପାଇଁ ରାଜ୍ୟଗୁଡ଼ିକ ନିୟମ କୋହଳ କରିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି। ଆର୍ଥିକ ସୁବିଧାକୁ ମାତ୍ରାଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଋଣ ବୋଝ ବଢ଼ିବା ଆଶଙ୍କା ରହିଥିବାର ସର୍ଭେ ସତର୍କ କରାଇଛି। ଏଆଇର ଖରାପ ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।
National
ଦ କୁଇଭର ବ୍ୟୁରୋ :- ତ୍ରିବେଣୀ ସଂଗମରେ ଗତକାଲି ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି। ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ।ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
Shree Jagannath
ପୁରୀ ( ଦ କୁଇଭର ):- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି । ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚି ସାରିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି ୫୧ ଖଣ୍ଡ କାଠ । ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ୧୦୧ ଖଣ୍ଡ ଧଉରା ଓ ଅସନ କାଠ ଆସିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ।
Politics,State
ଦ କୁଇଭର ବ୍ୟୁରୋ :- ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି l ଗତ ନିର୍ବାଚନରେ ବିଜେଡି ହାରିଥିବା ଆସନ ମଧ୍ୟରୁ ୨୭ଟି ଆସନ ବିଷୟରେ ଚିନ୍ତା କରୁଛି ଦଳ । ଏହି ୨୭ଟି ଆସନରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ୯ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଗତ ନିର୍ବାଚନରେ ଜିତିଥିବା ନେତା । ଅନ୍ୟମାନେ ନିର୍ବାଚନରେ ଜିତି ପାରିନଥିଲେ । ଗତ ନିର୍ବାଚନରେ ବିଜେଡି ୯୬ଟି ଆସନରେ ପରାଜିତ ହୋଇଥିଲେ ମଧ୍ୟ ୨୭ଟି ଆସନରେ ଦଳକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନେଇଛି ।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତେଲକୋଇ, ପାଟଣା, ଚମ୍ପୁଆ, ପାରାଦୀପ ଓ ହିନ୍ଦୋଳ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ବିଜୟ କୁମାର ନାୟକ ସହାୟତା କରିବେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକ - ବାରବାଟୀ, କଟକ – ସଦର ଓ ନିଆଳି କଥା ବୁଝିବେ । ନିମାପଡ଼ା, ପିପିଲି ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର କାର୍ଯ୍ୟକ୍ରମକୁ ଆଗେଇ ନେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ଆସନ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବେ । ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ବଣେଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ । ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଭଟଲିରେ ସଂଗଠନକୁ ସକ୍ରିୟ କରିବେ । ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ବୁଝିବାକୁ କୁହାଯାଇଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ଡିଗ୍ରୀ ପାର କଲା ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।