ଗଜପତି( ଦ କୁଇଭର ):- ମୃତ୍ୟୁ ପୂର୍ବରୁ ମୋ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଦାନ କରିଦେବାକୁ ନେଇ ମାଁଙ୍କୁ ବୁଝାଇଥିଲେ, ପୁଅର କଥା ପ୍ରକାରେ ଆଜି ସେହିଦିନ ଦେଖିବାକୁ ମିଳିଛି, ପୁଅକୁ ହରାଇବା ଦୁଃଖରେ ମାଁ ହୃଦୟ ଫାଟି ପଡୁଥିଲେ ସୁଦ୍ଧା ପୁଅର ପୁଣ୍ୟ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟକି ଗୈାଡ ସାହିର ସନ୍ତୋଷ ମହାରଣା ଓରଫ୍ ନୃସିଂହ ପ୍ରସାଦ ମହାରଣାଙ୍କ ମାଁ ସୁବାସିନୀ ମହାରଣା। ଦୁଇ ଦିନ ପୂର୍ବେ ହଠାତ ମୁହଁ ବୁଲେଇ ତଳେ ପଡି ମସ୍ତିଷ୍କରେ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ ସନ୍ତୋଷ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ଶ୍ରୀକାକୁଲମ ଜେମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କର ବଞ୍ଚିବା ସମ୍ଭାବନା କମ ଥିବା ଡ଼ାକ୍ତର କହିବା ପରେ ତାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସନ୍ତୋଷ। ଶରୀରର ଦୁଇଟି ଚକ୍ଷୁ, କିଡନୀ ଦ୍ବୟ , ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ସହମତି ଜଣାଥିଲେ ସ୍ତ୍ରୀ ଓ ପରିବାର ଲୋକେ। ପରିବାର କହିଲେ ବୃଦ୍ଧାମା ସ୍ତ୍ରୀ ସହ ଛୋଟ ପୁଅଟିଏ ଓ ଝିଅ ଟିଏ। ନିଜ ବାସଗୃହ ବିକ୍ରି କରି ପିତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ ନିଜର ଘର ବା ସମ୍ପତ୍ତି ବୋଲି କିଛି ନାହଁ। ଭଡ଼ା ଘରେ ଅତିବାହିତ ହେଉଛି ଜୀବନ। ମାଁ ସୂବାସିନୀ କହନ୍ତି ସନ୍ତୋଷଙ୍କ ପିତା ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ମନରେ ରୋଗୀଙ୍କ ପ୍ରତି ଅନୁକମ୍ପା ବଢ଼ି ଥିଲା। ସ୍କୁଲରେ ପାଠ ପଢା ସମୟରୁ ଅନେକ ଥର ରକ୍ତଦାନ କରି ଆସୁଥିଲେ ସନ୍ତୋଷ। କାହାର ଦୁଃଖ ଦେଖିଲେ ସହି ପାରୁ ନଥିଲେ। ଆଜି ସେ ଅଙ୍ଗ ଦାନ କରି ଅନ୍ୟର ଜୀବନରେ ବ୍ୟବହୃତ ହୋଇ ପାରିବ। ଅଙ୍ଗ ଦାନ କରି ଏକ ଉଦାହରଣ ସୃଷ୍ଟି କରିିଛନ୍ତି ସନ୍ତୋଷ। ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ।
No comments yet.
State
କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନସ୍ଥ ବଲାଣି ଶାନ୍ତିନଗରସ୍ଥିତ ଏକ ଘରୁ ଲକ୍ଷାଧିକ ଟଙ୍କାର କାଠ ସହ କାଠ ନିର୍ମିତ ଫର୍ଣିଚର୍ ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ଶାନ୍ତିନଗରରେ ଥିବା ଉକ୍ତ ଘରେ ଜଣେ ବ୍ୟକ୍ତି ବେଆଇନ ଫର୍ଣିଚର୍ କାରଖାନା କରି ନିକଟସ୍ଥ ଜଙ୍ଗଲରୁ ଗଛ କାଟି ଆସବାବ ପତ୍ର ତିଆରି କରି ବିକ୍ରୀ କରୁଥିଲେ। ଏନେଇ ବନ ବିଭାଗ ଜାଣିବାକୁ ପାଇ ସେଠାରେ ଚଢାଉ କରି କାଠ ସହ ଫର୍ଣିଚର୍ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରି ବନ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଲୋକଙ୍କୁ ଖୋଜାଖୋଜି ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Politics,State
ଦ କୁଇଭର ବ୍ୟୁରୋ :- ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗରେ ବିକ୍ଷୋଭ କରିବ ଦଳ । ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ବିଧାନସଭାରେ ଦୁଇ ଦିନ କଂଗ୍ରେସ ହଙ୍ଗାମା କରିବା ପରେ ଶନିବାର ମହିଳା ଦିବସରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା । ଆଜି ଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ । ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରିବା ସହ ମହିଳାଙ୍କ ପାଇଁ ନ୍ୟାୟ ମାଗିବାକୁ କଂଗ୍ରେସ ବିକ୍ଷୋଭ କରିବ । ଏନେଇ ପିସିସି ସଭାପତି କହିଛନ୍ତି, ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି ସଭାପତି । କଂଗ୍ରେସ କହିଛି ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଦାବି କରୁଥିବା ଦଳ ମହିଳା ନିର୍ଯାତନାକୁ ରୋକିବାରେ ବିଫଳ। ବିଗତ ୮ ମାସରେ ୧୬୦୦ ଜଣ ମହିଳା ନିର୍ଯାତିତା ହୋଇଥିବା ଦଳ ପକ୍ଷରୁ ଅଭିଯୋଗ ଆସିଛି l ଏହି ଅଭିଯୋଗକୁ ଭିତ୍ତି କରି ଦଳ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ l
State
ଦ କୁଇଭର ବ୍ୟୁରୋ :- ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ।ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର l ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିବ ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ପଗଡି ଭିଡିବା, ଛତା ଧରି ଯିବା, ସୂତା କପଡା ପିନ୍ଧିବା, ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରିବା ନାହିଁ... ଆଦି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
Politics
ଭୁବନେଶ୍ୱର( ଦ କୁଇଭର ):- ଆଜି ବି ସରଗରମ ରହିବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ । ସେପଟେ ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼ । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।
ଅନ୍ୟପଟେ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିରୋଧୀ ବିଜେଡି ପ୍ରଶ୍ନ କରିଛି ।
Education
ରାୟଗଡା( ଦ କୁଇଭର ):- ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ହଷ୍ଟେଲ୍ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି। ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣୀ, ଉଥାପା ଶବର ଅଷ୍ଟମ ଶ୍ରେଣୀ, ପବିତ୍ର ଶବର ଅଷ୍ଟମ ଶ୍ରେଣୀଙ୍କୁ କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି | ଏହି ଭିଡିଓ ଦେଖୁଲେ ଲୋମ ଟାଙ୍କୁରି ଉଠିବ । ହଷ୍ଟେଲ୍ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ରଖ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରି ଶିକ୍ଷାଦାନ ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଭିଡ଼ିଓ ଦେଖୁଲେ କିଭଳି ଅବ୍ୟବସ୍ଥା ଚାଲିଛି ସ୍ପଷ୍ଟ ଅନୁମେୟ ହେଉଛି। ଛାତ୍ରମାନେ ହଷ୍ଟେଲ୍ରେ କେତେ ସୁରକ୍ଷିତ, ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ କିଭଳି ଛାତ୍ରମାନଙ୍କୁ ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିବ। ଭିଡିଓ ଭାଇରଲ ପରେ ହଷ୍ଟେଲ୍ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ରମାନଙ୍କୁ ଗୁଣୁପୁର ମେଡିକାଲ୍ରେ ଚିକିତ୍ସା କରାଯାଇଛି। ସ୍ବାସ୍ଥ୍ୟ ଠିକ୍ ଥିବା ସୂଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ। ତେବେ ଜିଲ୍ଲା ପ୍ରଶାସନ ଏଥିରେ କ’ଣ ପଦକ୍ଷେପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର | ଏନେଇ ଜିଲ୍ଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କୁ ପଚାରିବାରୁ ଘଟଣାଟି ଗତ ୩/୪ ଦିନ ତଳର ର ହୋଇଥିବା ବେଳେ ଖବର ମିଳିବାପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି Iହଷ୍ଟେଲ ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ସହ ସେ ହଷ୍ଟେଲ ସମ୍ଭାଳି ପାରୁନଥିବାରୁ ତାଙ୍କୁ ଉକ୍ତ ଦାୟିତ୍ବରୁ ମୁକ୍ତ କରିବାକୁ ସ୍ଥାନୀୟ ବିଡ଼ିଓଙ୍କ ସମେତ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଚିଠି କରିଛୁ ବୋଲି କହିବା ସହ ମାଡ଼ ମାରିଥିବା ଛାତ୍ରମାନଙ୍କୁ କାଉନ୍ସେଲିଂ କରାଯାଇଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆଲୋଚନା କରାଯିବ ବୋଲି କହିଛନ୍ତି।
State
ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
Politics,State
ଭୁବନେଶ୍ୱର( ଦ କୁଇଭର ):- ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖାଦେଇଛି । ଆଜି ସାମ୍ବାଦିକ ମାନଙ୍କର ମୋବାଇଲକୁ ବାରଣ କରାଯାଇଛି । ବିଧାନସଭାର ସାମ୍ବାଦିକ ଗ୍ୟାଲେରୀ କୁ ଯିବା ବାଟରୁ ସିକ୍ୟୁରୀଟି ଚେକ ନାମରେ ମୋବାଇଲକୁ ରଖି ଦିଆଯାଇଛି । ଏହାକୁ ନେଇ ତାତିଛନ୍ତି ସାମ୍ବାଦିକ ମାନେ । ଗାନ୍ଧୀମୂର୍ତ୍ତି ପାଖରେ ଧାରଣା ବି ଦେଇଛନ୍ତି । ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା ବି କରିଛନ୍ତି ।
ପ୍ରସଙ୍ଗ ହେଉଛି, ଆମ ଜନପ୍ରତିନିଧି ମାନଙ୍କର ଇଜତକୁ ଲାଗିବା । ଗତକାଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ମାନେ ଧସ୍ତାଧସ୍ତି ହୋଇଥିଲେ, ମାଡ଼ପିଟ ବି ହୋଇଥିଲା, ବିରୋଧୀଙ୍କ ଆଡ଼ୁ ସରକାରଙ୍କ ଟ୍ରେଜେରୀ ବେଞ୍ଚ ଉପରକୁ ଫାଇଲ ଫିଙ୍ଗାଫୋପଡ଼ା ବି ହୋଇଥିଲା । ପୁରା ରଣକ୍ଷେତ୍ର ପାଲଟି ଯାଇଥିଲା ବିଧାନସଭା । କେହି କାହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥିତିରେ ମୋବାଇଲରେ ରେକର୍ଡ କରିନେଇଥିଲେ ସାମ୍ବାଦିକ ମାନେ । ସାମ୍ବାଦିକ ଗ୍ୟାଲେରୀରୁ ସବୁ ରେକର୍ଡ ହୋଇ ଖବର ବାଜିଲା । ଏହାକାଳେ ଆମ ଜନପ୍ରତିନିଧିମାନଙ୍କର ଇଜତକୁ ଲାଗିଯାଇଛି ।
ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ପବିତ୍ର ଗୃହରେ ବା ଆଇନର ମନ୍ଦିରରେ ମାଡ଼ପିଟ ହବା, ଔଦ୍ଧତ୍ୟାମୀ ଦେଖାଇବା, ଅଭାଦ୍ରାମୀ କରିବା । ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କ ମାଡ଼ପିଟ, ତାଙ୍କ ମୂର୍ଖାମୀ, ତାଙ୍କ ଔଦ୍ଧତ୍ୟତା ଜନସାଧାରଣଙ୍କ ପାଖରେ ପହଞ୍ଚିଯିବା । ସେଥି ପାଇଁ ସମସ୍ତେ ଉତକ୍ଷିପ୍ତ ।ଏହାପରେ ନିଜ କାରନାମା ଲୁଚାଇବା ପାଇଁ ସରକାରୀ ଭାବେ ନିର୍ଦେଶ ଦେଇ ମୋବାଇଲ ବନ୍ଦ କରିଦିଆଯାଇଛି । ତେଣୁ ଏ ଜନ ପ୍ରତିନିଧିମାନେ ବିଧାନସଭା ଭିତରେ ମାଡ଼ପିଟ ଲାଗନ୍ତୁ ବା ଗଡ଼ାତଡ଼ା ଲାଗନ୍ତୁ ଆଉ କିଛି ପଦାକୁ ଯିବନି । ନା ମୋବାଇଲ ଥିବ ନା ପଦାକୁ ଯିବ ।
ଏଠି ଆମେ ଆଇନ କଥା କହୁଛୁ । ବିଧାନସଭାର ପ୍ରତେ୳କଟି କାର୍ଯ୍ୟକୁ ସାମ୍ବାଦିକ ମାନେ ଯଦି ରେକର୍ଡ କରିବା ପାଇଁ ଅନୁମତି ଅଛି । କିନ୍ତୁ ଏ ଅନୁମତି ସତ୍ୱେ, ଯଦି ସାମ୍ବାଦିକମାନେ ରେକର୍ଡ କଲେ ତାହେଲେ ଅସୁବିଧା କେଉଁଠି ରହିଲା । ବିଧାସଭା ଭିତରେ ଏମାନଙ୍କ ଅପକର୍ମ, କୁକର୍ମକୁ ଯଦି ସାମ୍ବାଦିକ ମାନେ ଲୋକଙ୍କ ସାମ୍ନାକୁ ଆଣିଲେ, ଏହା କଣ ସାମ୍ବାଦିକ ମାନଙ୍କର ଅପରାଧ । ଏମାନେ ଜନସାଧାରଣଙ୍କ ସମସ୍ୟାକୁ ଛାଡ଼ି ମାଡ଼ପିଟ ଲାଗିଯାଉଛନ୍ତି ରାଜନୀତି କରିବା ପାଇଁ ।
ସରକାର ଏହାକରି ଗଣତନ୍ତ୍ରର କେବଳ କଣ୍ଠରୋଧ କରିନାହାନ୍ତି, ମୌଳିକ ଅଧିକାର କହିବାର ସ୍ୱାଧୀନତା ଉପରେ ବି ହସ୍ତକ୍ଷେପ କରିଛନ୍ତି । ବାକ ସ୍ୱାଧୀନତାକୁ ତାଲା ପକାଇବା ପାଇଁ ଆରମ୍ଭ କରିଛନ୍ତି ମୋହନ ସରକାର । ମୋହନସରକାରଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତତ୍କାଳ ବିଧାସଭାର ପ୍ରତେକଟି କାର୍ଯ୍ୟକୁ ଲାଇଭ କରାଯାଉ ଏବଂ ବିଧାନସଭାରେ ତାଙ୍କ ଲୋକମାନଙ୍କର ପ୍ରତିନିଧିମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସାମ୍ନାକୁ ଅଣାଯାଉ । ଅନ୍ୟଥା ମୋହନସରକାର, କଳଙ୍କିତ ଅଧ୍ୟାୟ ଲେଖିବାର ପ୍ରଥମ ଲେଖକ ହିଁ ହେବେ ।
Politics
ଭୁବନେଶ୍ୱର(ଦ କୁଇଭର): ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ପ୍ରସଙ୍ଗରେ ପୂରା ଚୁପ ରହିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହା ଉପରେ ଉପମୁଖ୍ୟମନ୍ତ୍ରୀ କହିବେ ବୋଲି କହି ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବାକୁ ଯାଇ ଦିନରେ ଲ ଣ୍ଠନ ଲଗାଇ ଖୋଜିଥିଲା । ଆଜି ଦିନ ସାରା ଜୟନାରାୟଣଙ୍କ ତାତି ପୂରା ବିଧାନସଭାକୁ ଅଚଳ କରିଦେଲା । ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ହାନୀ, ପାଣିର ଅଭାବ, ବର୍ଜ୍ୟ ବୋଝ, ଶିକ୍ଷକ ଓ ଅନ୍ୟ ମାନଙ୍କ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତର ପ୍ରସଙ୍ଗ ଥିଲେ ମଧ୍ୟ ତାକୁ ଧ୍ୟାନ ନଦେଇ ପାଲା ଚାଲିଛି । ଓଡ଼ିଶାରୁ ପରିଚୟ ପାଇଥିବା ଜୟନାରାୟଣ ଏବେ ଓଡ଼ିଶା ପିଠିରେ ଚୁରୀ ମାରିବାକୁ ବସିଛନ୍ତି । ତାଙ୍କର ଏହି ଆଭିମୁଖ୍ୟରେ ବିଜେପି ନୀରବ ରହିବା ହିଁ ବିତର୍କର କାରଣ ହୋଇଛି ।
ବିଧାନସଭାରେ ଚାଲିଛି ଫୁଲ ତାମସା । ଗୋଟେ ପ୍ରହସନ ଚଳାଇଛନ୍ତି ସରକାର । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବାସ୍ତବରେ ତର୍ଜମା ସାପେକ୍ଷ । ତାଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ବିଧାୟକ ପ୍ରସ୍ତାବ ନଦେଇ ସିଧା ଅସମ୍ମାନ କରିବା ବା ବିରୋଧ କରିବା ଆଦୌ ଗ୍ରହଣୀୟ ନୁହେଁ । ଆଇନରେ ତ୍ରୁଟି ଥିଲେ ଅପରାଧ କରାଯାଏ ନାହିଁ । ଏ ଜ୍ଞାନ ଜୟନାରାୟଣଙ୍କର ନିଶ୍ଚିତ ଥିବ । ଆଇନ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଏ । ହେଲେ ସରକାରୀ ଦଳର ବିଧାୟକ ରାଜ୍ୟ ସଂଗୀତକୁ ଅସମ୍ମାନ କରିବା ଓ ରାଜ୍ୟ ବିରୋଧରେ ବିଦ୍ରୋହ କରିବା ଭଳି କଥା କହି ଅପରାଧ ତ ନିଶ୍ଚିତ କରିଛନ୍ତି । ହଁ ହୁଏତ ତାଙ୍କ କଥାରେ ଯଥାର୍ଥତା ଥାଇ ପାରେ । ମାତ୍ର ତାଙ୍କ କଥା କହିବାର ରାସ୍ତା ଠିକ ନୁହେଁ ।
ରାଜ୍ୟ ସରକାର ବା ବିଜେପି ସରକାର ଏହାକୁ ଧ୍ୟାନ ଦେଇ ପାରିଥାନ୍ତା । ଗୃହରେ ହେଉ କି ଗୃହ ବାହାରେ ହେଉ ଦଳ ଏପରି କିଛି କହି ପାରିଥାନ୍ତା । ଏହାକୁ ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହି ପାରିଥାନ୍ତା । ଜୟନାରାୟଣ ମନ୍ତ୍ରୀ ନୁହନ୍ତି ଯେ, ସମସ୍ୟା ହୋଇଥାନ୍ତା । ଜଣେ ବିଧାୟକଙ୍କ କଥାକୁ ଏକପାଖିଆ କରାଯାଇ ପାରିଥାନ୍ତା । ମାତ୍ର ତାହା କରୁନାହିଁ ବିଜେପି । ଏହାଦ୍ୱାରା ପଶ୍ଚିମ ଓ ଉପକୂଳ ମଧ୍ୟରେ ବିଭେଦ ବଢ଼ୁଛି । ସବୁଠାରୁ ବଡ଼ କଥା ହେଉଛି ଏପରି ଏକ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବି ଆଡ଼େଇ ଯାଇଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ସେ ହିଁ କହିବେ । ହେଲେ ଉପମୁଖ୍ୟମନ୍ତ୍ରୀ ବି ନୀରବ ବସିଛନ୍ତି । ଗୃହରେ ଏତେ ହୋ ହଲ୍ଲା ହେଲାଣି, ମୁଖ୍ୟମନ୍ତ୍ରୀ ବି ମୁହଁ ଖୋଲୁ ନାହାନ୍ତି । ଫଳରେ ବିଧାନସଭା ଚାଲି ପାରୁ ନାହିଁ କି ଲୋକଙ୍କ ପ୍ରସଙ୍ଗ ଆସି ପାରୁନାହିଁ ।
ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ରଙ୍କର ରାଜ୍ୟ ବରୋଧୀ ଆଭିମୁଖ୍ୟକୁ ଯଥାର୍ଥ କହିଛନ୍ତି ତାଙ୍କ ଝିଅ । ସେ ବି ବାପାଙ୍କ ଭଳି ରୋକଠୋକ କହିଛନ୍ତି, ଯଦି ଉକ୍ରଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ହେଲା, ତେବେ ରାଜ୍ୟ ସଂଗୀତରେ କେବଳ ଉକ୍ରଳ କାହିଁକି ରହିବ? କାହିଁକି କୋଶଳ ଓ କଳିଙ୍ଗର ନାମ ରହିବ ନାହିଁ । ତାଙ୍କର ଯୁକ୍ତି ଅକାଟ୍ୟ । ହେଲେ ଏହା ଏକ ବିରାଟ ପ୍ରସଙ୍ଗ । ଏହା ଉପରେ ତର୍ଜମା କରାଯିବା ଆବଶ୍ୟକ । ସମୀକ୍ଷା ଓ ତର୍କବିତର୍କ ପରେ ହିଁ ଏଦିଗରେ ପଦକ୍ଷେପ ନିଆଯିବା କଥା । ମାତ୍ର ଓଡ଼ିଶା ବିରୋଧରେ ବିଦ୍ରୋହ, ବା ଓଡ଼ିଶାରେ ମିଶିବା ଭୂଲ ବୋଲି କହି ବିଭେଦ ସୃଷ୍ଟି କରିବାକୁ ନାପସନ୍ଦ କରାଯାଉଛି । ଯେଉଁ ଓଡ଼ିଶା ଜୟନାରାୟଣଙ୍କୁ ପରିଚୟ ଦେଇଛି, ସେହି ଓଡ଼ିଶା ପିଠିରେ ଛୁରୀ ମାରି ଜୟନାରାୟଣ ନିଜକୁ ବଡ଼ ନେତା କହିବାକୁ ଚାହୁଁଥିଲେ ତାହା କେବେ ହେବନାହିଁ । ଜୟନାରାୟଣଙ୍କ ପ୍ରସଙ୍ଗରେ ବିଜେପି ଚୁପ ରହି ତାଙ୍କ କଥାକୁ ସମର୍ଥନ ଦେଉଥିବା ସ୍ପଷ୍ଟ ହେଉଛି । ଏଦିଗରେ ବିଜେପି ତାର ଆମୁଖ୍ୟକୁ ସ୍ପଷ୍ଟ ନକଲେ ବିଜେଡି ଓ କଂଗ୍ରେସର ଅଭିଯୋଗ ମିଥ୍ୟା ନୁହେଁ ବୋଲି କୁହାଯିବ ନାହିଁ କି? ଦେଖାଯାଉ ବିଜେପି ଜୟନାରାୟଣଙ୍କ ପ୍ରସଙ୍ଗରେ ମୁହଁ ଖୋଲି ରାଜ୍ୟ ସ୍ୱାର୍ଥକୁ ଦେଖୁଛି ନା ଗୃହରେ ଏପରି ତାମସା ଚାଲୁ ରହୁଛି?
Sports
ଦ କୁଇଭର ବ୍ୟୁରୋ :-:୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି ୧୪୦ କୋଟି ଭାରତୀୟ । ଟିମ୍ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି । ମ୍ୟାଚ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, '' ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଅବସର ନେଉନାହିଁ । ଦୟାକରି କେହି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ ।'' ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଶେଷ ହେବା ପରେ ରୋହିତ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । କାହିଁକିନା ଟି-20 ବିଶ୍ବକପ ଭାରତ ଜିତିବା ପରେ ରୋହିତ ସେହି ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।
ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । ୨ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ ୨ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ICC ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ l ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି । ରୋହିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା ।
State
ଦ କୁଇଭର ବ୍ୟୁରୋ :- ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଆନନ୍ଦପୁର ମହାବିଦ୍ୟାଳୟ ୬୧ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିବା ପାଇଁ ହେଲିକପ୍ଟର ଯୋଗେ ଆନନ୍ଦପୁର ଟିଭିଷ୍ଟାଡିୟମ ଠାରେ ଅପରାହ୍ନ ୧୨ ଘଣ୍ଟିକା ସମୟରେ ପହଞ୍ଚିବା ଥଲେ। ଆନନ୍ଦପୁର ଷ୍ଟାଡିୟମ ଠାରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ, ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ବିଜେପି ବରିଷ୍ଠ ନେତା ଶ୍ରୀ ରାମଚନ୍ଦ୍ର ସାହୁ, ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ଓକିଲ ସଂଘ ସଭାପତି ଚିତ୍ତରଂଜନ ଦାଶ, କ୍ରୀଡା ସଂସଦ ସଂପାଦକ ନବରଞ୍ଜନ ପଟ୍ଟନାୟକ, ନିରାକାର ଦଳେଇ, ଦୀପକ କୁମାର ଜେନା, ଶ୍ରୀଧର ସାହୁ, ଆନନ୍ଦପୁର ମୁନିସିପାଲିଟି ନଗରପାଳ ସୁଶ୍ରୀ ରଜନୀରାନୀ ଖଟୁଆ,ଉପନଗରପାଳ ଦୁର୍ଗା ଦଲେଇ,ଶ୍ରୀମତୀ ଅସିମା ମିଶ୍ର, ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ଦୀପ୍ତି ଖୁଣ୍ଟିଆ, ବବିତା ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ସରୋଜ କୁମାର ସାହୁ, ବିନୋଦ କୁମାର ମିଶ୍ର, ମୁରଲୀଧର ମିଶ୍ର, ଗଗନ ସିଂ, ରମେଶ ସିଂ, ସନଦ କର, ବନମାଳୀ ସେଠୀ, ସୁରେଶ ସାହୁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଡିଆର ଚାରିକଡରେ ବୁଲି ଉପସ୍ଥିତ ହଜାର ହଜାର ଜନସାଧାରଣ କୁଂ ଅଭିବାଦନ ଜଣାଇଥିଲେ। ହଜାର ହଜାର ନରନାରୀ ହୁଲହୁଲି ଓ ମୋହନ ଚରଣ ମାଝି ଜିନ୍ଦାବାଦ ରେ ପ୍ରକମ୍ପିତ ହେଇଥିଲା। ପରେ ଏକ ସୁସଜ୍ଜିତ ଜିପ୍ ରେ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ କୁଂ ଆନନ୍ଦପୁର ମହାବିଦ୍ୟାଳୟ ପଯ୍ୟନ୍ତ ନିଆଯାଇଥିଲା।
Politics
ଭୁବନେଶ୍ୱର( ଦ କୁଇଭର ):- ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନିଲମ୍ବନର ପ୍ରତିବାଦରେ, ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ମଧ୍ୟ ନିଲମ୍ବନର ପ୍ରତିବାଦ କରି ୱାକଆଉଟ୍ କରିଥିଲା।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ। ଏହି ସମୟରେ, ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ। ବାଚସ୍ପତି ତାଙ୍କୁ ସାତ କାର୍ଯ୍ୟ ଦିବସ ପାଇଁ ବିଧାନସଭାରୁ ବାହାରେ ରଖିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
State,Politics
ଛତ୍ରପୁର( ଦ କୁଇଭର ):-:ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର କଥା ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ରାଜ୍ୟରେ ୨୪ ବର୍ଷର କୁଶାସନ ଯିବା ପରେ ଏବେ ଦୁଃଶାସନ ଯୋଗୁ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି l ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା' ହେବା ଘଟଣା ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା' ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି, ଏହି ସମସ୍ତ ମାମଲାରେ ଅଧିକ ଘଟଣାର ଯାଞ୍ଚ ତଥା ପୀଡିତlଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ କୌଣସି କଠୋର ତଥା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୫ବର୍ଷ ମଧ୍ୟରେ ଓଡିଶାରେ ୩୬, ୪୨୦ ମହିଳା ଏବଂ ୮୪୦୩ ଶିଶୁ ନିଖୋଜ ହୋଇଯାଇଛନ୍ତି ଏବଂ ୪୨୧ ଜଣ ମହିଳା ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭ ବେଳେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ମହିଳା କମିଟି ସଭାପତି ସୁବାସିନୀ ପଟନାୟକ, ପୂର୍ବତନ ଏମପି ନକୁଳ ନାୟକ, ରାମଚନ୍ଦ୍ର ବେହେରା, କ୍ରିଷ୍ଣା ରେଡି, ଅଶୋକ ପଟ୍ଟନାୟକ, ରଞ୍ଜନ ପଟନାୟକ , ଗଣପତି ବାରିକ, ସlକା ସୁଜିତଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ l
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପୃଥ୍ବୀରାଜ ମଣ୍ଡଳ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ।ପରିଡ଼ା ଗ୍ରାମ ପଞ୍ଚାୟତ ସମେତ ଗାଇବା,ବୃଷଭ ଓ ବାଇଝାଲ ପଞ୍ଚାୟତର ସମୁଦାୟ ମୋଟ ୭୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୭ଟି ଓ ଗ୍ରାମ ଭିତ୍ତିକ ସମସ୍ୟା- ୪୪ଟି ଅଭିଯୋଗ ରହିଥିବା ବେଳେ ସେଥିମଧ୍ୟରୁ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ,ରାସନ୍ କାର୍ଡ,ଶିକ୍ଷା,ଜଳ ସେଚନ,ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ନେଇ ଅଭିଯୋଗ ଆସିଥିଲା।ସେହିପରି ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି,ତହସିଲଦାର ଦେବୀ ପ୍ରସନ୍ନ ସ୍ୱରସ୍ୱତ,ଜିଲ୍ଲା ମୁଖ୍ୟ ଚିକିତ୍ସା,ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Politics
ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।
ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।
ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l
State
ମୋହନା( ଦ କୁଇଭର ):- ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l
State
ନୂଆପଡା ( ଦ କୁଇଭର ):- ଜମିବାଡ଼ି ପାଇଁ ନିଜ କାକା କୁ ହତ୍ୟା କଲା ପୂତୁରା ଶେଷ ରେ ମାତ୍ର ପାଞ୍ଚ ଦିନ ମଧ୍ୟରେ ଧରା ପଡି ଗଲା ଜେଲ । ସୂଚନା ଅନୁସାରେ ଗତ ଦୁଇ ତାରିଖ ଭୋର ଚାରି ଟା ସମୟରେ ନୂଆପଡ଼ା ଏସପି ଙ୍କ ବାସଭବନ ସମ୍ମୁଖ ରେ ସିରତୋଲ ର ଜଣେ ଅଶି ବର୍ଷୀୟ ବୃଦ୍ଧା ସୁକୁଲାଲ ସାହୁ ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳ ରେ ହିଁ ସୁକୁଲାଲ୍ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡଗସ୍କ୍ୟୁର୍ଡ ଟିମ ସହ ତଦନ୍ତ ଆରମ୍ଭ କରିଥିଲା। ପାଞ୍ଚ ଦିନ ପରେ ଘଟଣା ର ସତ୍ୟତା ପଦାକୁ ଆସିଛି । ହତ୍ୟାକାରୀ ଆଉ କିଏ ନଥିଲେ ମୃତକ ଙ୍କ ପୁତୁରା ଓମକାର ସାହୁ ବୋଲି ଜଣାପଡିଛି । ହତ୍ୟା ର କାରଣ ଜମି ବିବାଦ ବୋଲି ପୋଲିସ ତଦନ୍ତ ରେ ସାମ୍ନା କୁ ଆସିଥିବା ବେଳେ ହତ୍ୟାକାରୀ ନିଜେ ହତ୍ୟା କରିଥିବା ସ୍ବୀକାର କରିଛି । ହତ୍ୟାକାରୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ନୂଆପଡ଼ା ଏସପି ରାଘେବିଂଦ୍ର ଗୁଣ୍ଡାଲା ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି ।
Politics
ଦ କୁଇଭର ବ୍ୟୁରୋ :- ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।
Politics
ଦ କୁଇଭର ବ୍ୟୁରୋ :- ରାହୁଲଙ୍କ ଭାଉରେ ତାଉ ଦେଖାଉଛନ୍ତି ଭକ୍ତ ଦାସ । ଦଳ ଭିତରେ ଥିବା ଦଳ ବିରୋଧୀଙ୍କୁ ସିଧା ଦଳରୁ ଫିଙ୍ଗି ଦବା ପାଇଁ ବୁଲେଇ ବଙ୍କେଇ ଦେଲେଣି ଚେତାବନୀ । ଦଳରେ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ଏପରି କିଟ ପ୍ରସଙ୍ଗରେ କଂଗ୍ରେସ ଦଳର ନେତାଙ୍କ ମନ୍ତବ୍ୟକୁ ସିଧା ସିଧା ବିଶୃଙ୍ଖଳା ବୋଲି କହିଥିଲେ । ଏଭଳି ବିଶୃଙ୍ଖଳା କାରୀଙ୍କୁ ସେ ରୋକ ଠୋକ ଚେତାବନୀ ଦେଇଛନ୍ତି । ନିକଟରେ ଜାତୀୟ ସ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଦଳରେ ଥିବା କର୍ମୀମାନେ ବିଜେପି ସହ ମିସୁଛନ୍ତି । ଯେତେଜଣ ବିଜେପି ସହ ଅଛନ୍ତି ସମସ୍ତଙ୍କୁ ଦଳରୁ ତଡିଦବୁ ।
ସେହି କଥା ଉଦାହରଣ ଭାବେ ଓଡ଼ିଶା କଂଗ୍ରେସ, ରାଜ୍ୟ କଂଗ୍ରେସ କର୍ମୀମାନଙ୍କ ପାଖରେ ପହଞ୍ଚାଇଛି । ଟିକେ ଓଡ଼ିଶାର କଂଗ୍ରେସର ରାଜନୀତିକୁ ଦେଖିବା । ପ୍ରାୟ ବହୁବର୍ଷ ଧରି କଂଗ୍ରେସ ତାର ସ୍ଥିତି ସମ୍ଭାଳିପାରୁନି । ନବୀନ ସରକାର ଥିବା ସମୟରେ ନବୀନଙ୍କ ସହ ପ୍ୟାଚଅପ କରିଚାଲିଥିଲା କଂଗ୍ରେସ । ସେଥି ପାଇଁ ନବୀନ ତ ଉଧୁରୀ ଜାଉଥୁଲେ । କିନ୍ତୁ ତଳକୁ ତଳକୁ ଖସୁଥୁଲେ କଂଗ୍ରେସ । ଏ କଥା ସମସ୍ତେ ଜାଣୁଥୁଲେ । କିନ୍ତୁ ପିସିସି ସଭାପତି ମାନେ କାଳେ ନବୀନଙ୍କ ପାଖରେ ବିକ୍ରି ହୋଇଥିଲେ ବୋଲି ଏଭଳି ସ୍ଥିତି ହୋଇଥିଲା ।
ଏବେ ସ୍ଥିତି ବଦଳିଛି, ନବୀନ ନାହାନ୍ତି, ଆଞ୍ଚଳିକ ଦଳ ନାହିଁ, ଏବେ ଜାତୀୟ ଦଳ ବିଜେପି । ଜାତୀୟ ସ୍ତରରେ କଂଗ୍ରେସର କଟର ବିରୋଧୀ ବିଜେପି ଏବେ ରାଜ୍ୟରେ ଶାସନ କରୁଛି । ଏଭଳି ସ୍ଥିତିରେ ପିସିସି ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ଭକ୍ତ ଚରଣ ଦାସଙ୍କୁ । କଂଗ୍ରେସର ସଂଗଠନ ବୁଡ଼ି ବୁଡ଼ି ଜାଉଥୁବା ବେଳେ, ଭକ୍ତ ଏବେ ମଲାଘୋଡାରେ ଜୀବନ ଦେବା ଭଳି ସଂଜୀବନୀ ପାଣି ଛିଞ୍ଚିବାକୁ ଉଦ୍ୟମ କରିଛନ୍ତି । ଭକ୍ତଙ୍କର ଏହି ଆଭିମୁଖ୍ୟକୁ ଅନେକ ପସନ୍ଦ ବି କରିଛନ୍ତି । କାରଣ ବିଜେପିର ବିରୋଧୀ ରହିବା ଉଚିତ । ବିଜେଡି ଉପଯୁକ୍ତ ବିରୋଧୀ ହୋଇ ନ ପାରେ, କାରଣ ପୂର୍ବରୁ ବିଜେପି ସହ ବିଜେଡି ସାଣ୍ଠଗାନ୍ଠ କରି ଚାଲିଥିଲା । ଯଦି କେହି ବିରୋଧୀ ହୋଇପାରନ୍ତି, ତାହା ହେଉଛି କଂଗ୍ରେସ ।
ହେଲେ ନିକଟରେ କିଟ ଘଟଣାରେ କଂଗ୍ରେସ ନେତାଙ୍କ ମନ୍ତବ୍ୟ, ବିଜେପି ସରକାର ପାଇଁ ଶୁଭ ଥିଲା । ତାକୁ ଭକ୍ତ ଦାସ କଠୋର ଭାବରେ ବିରୋଧ କରିଥିଲେ । ଚେତାବନୀ ବି ଦେଇଥିଲେ ସମ୍ପୃକ୍ତ ନେତାଙ୍କୁ, ଯେ ଏଭଳି ନ କରିବା ପାଇଁ । କେହି ପିସିସି ବିନା କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ମଧ୍ୟ କଟକଣା ଲଗେଇଥିଲେ । ଏବେ ରାହୁଲ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁ ମାନେ କଂଗ୍ରେସରେ ରହି ବିଜେପି ପାଇଁ କାମ କରୁଛନ୍ତି ସେମାନଙ୍କୁ ହଟେଇ ଦବୁ । ୩୦,୪୦ ଯେତେଜଣ ବି ଥାନ୍ତୁ ସମସ୍ଥଙ୍କୁ ହଟେଇ ଦବୁ । ଦଳକୁ ନୂଆ ଭାବେ ତିଆରି କରିବୁ । ରାହୁଲଙ୍କ ଏ ଚେତାବନୀ, ଭକ୍ତ ଓଡ଼ିଶା କଂଗ୍ରେସରେ ଶୁଣେଇ ଦେଇଛନ୍ତି । ଦେଖାଯାଉ ଓଡ଼ିଶା କଂଗ୍ରେସର ନେତାମାନଙ୍କୁ ଏଇ ଚେତାବନୀ କେତେକାଟୁ କରୁଛି, ଆଉ କଂଗ୍ରେସ ତାର ସ୍ଥିତିକୁ କେତେ ସୁଧାରି ପାରୁଛି ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି,ଯଡିବିଲ ଗ୍ରାମରେ ଥିବା ଆୟୁଷମାନ ଆରୋଗ୍ୟ କେନ୍ଦ୍ରରୁ ଜଣେ କାର୍ଯ୍ୟରତ ମହିଳା କମୁନିଟି ହେଲଥ ଅଫିସରଙ୍କୁ ଜଣେ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ବେକରେ ପିନ୍ଧିଥିବା ସୁନା ଚେନକୁ ଲୁଟି ଫେରାର ହୋଈ ଯାଇଥିବା ଜଣା ପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଜିଆଣି ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ମହିଳା ସିଏଚଓ କାର୍ଯ୍ୟରତ ଥିବା ବେଳେ ଦିନ ପ୍ରାୟ ୧୧ ଘଟିକା ୩୦ ମିନିଟ୍ ସମୟରେ ଜଣେ ଯୁବକ ବାଇକ ଯୋଗେ ରୋଗି ହୋଇ ଆସି ତାଙ୍କୁ ପେନ କ୍ଲିୟର ଇଂଜେକସନ ମାଗିଥିଲେ। ଉଭୟଙ୍କ ମଧ୍ୟରେ ଆଲେଚନା ଚାଲିଥିବା ବେଳେ ସେହି ସମୟର ଭିତରେ ଦୁର୍ବୁତ୍ତ ଜଣକ ଟେବୁଲରେ ଥିବା ସିଏଚଓ ଙ୍କ ମୋବାଇଲକୁ ନେଇ ଯାଇ ତାଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଧମକାଇ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ଦେବାକୁ କହିଥିଲା।ଭୟଭୀତ ହୋଈ ମହିଳା ସିଏଚଓ ଟ୍ୱିଙ୍କିଲ ବେହେରା ପିନ୍ଧିଥିବା ସୁନା ଚେନକୁ ଦୁର୍ବୁତ୍ତ ଜଣକୁ ଦେଇ ଦେଇଥିଲେ।ସୁନା ଚେନକୁ ନେବା ପରେ ଦୁର୍ବୁତ୍ତ ଜଣକ ନେଇଥିବା ତାଙ୍କ ମୋବାଇଲ କୁ ବାହାରେ ଫୋପାଡ଼ି ଦେଇ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ।ପରେ ସିଏଚଓ ଜଣକ ଲୁଟ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କୁ ଆଧାର କରି ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୨୨/୨୫ ଅନୁଯାୟୀ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କରଞ୍ଜିଆ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହେବା ସହିତ ଅଭିଯୁକ୍ତ ମାନଙ୍କ କୌଣସି ଟେର ପାଉନି ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜର ଧରିଛି।ଅନ୍ୟ ପକ୍ଷରେ ଏହି ଘଟଣା ପରେ ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳି ଯାଇଛି।