ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ ।ଏଥିସହ VRF କାମ ବାବଦକୁ ପାରିଶ୍ରମିକ ୫ ହଜାରଓ TA/ DA ବାବଦକୁ ୩ ହଜାର ଟଙ୍କା ମିଶି ମାସକୁ ମୋଟ୍ ୧୮ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ । ଅନଲାଇନ କାମ ପାଇଁ ସିଆରପି-ସିଏମଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଉ । ସିଆରପି-ସିଏମଙ୍କୁ ପରିଚୟପତ୍ର ପ୍ରଦାନ ସହ ବେତନ ଆକାଉଣ୍ଟ ଜରିଆରେ ଦେବାକୁ ସଂଘ ଦାବି ରଖିଛି । ସେହିପରି ମାସିକ ଦୁଇଟି ଏସଏଚଜି ବୈଠକ ପାଇଁ ଦାବିରେ ବିଶାଳ ପ୍ରତିବାଦ କରାଯାଇଛି ।
No comments yet.
State
ଦ କୁଇଭର ବ୍ୟୁରୋ :- ଗିରଫ ହେଲେ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ ପଣ୍ଡା । ଆୟଠୁ ୨୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅଶୋକ । ଗତ ୪ ଦିନ ଧରି ଅଶୋକ ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଯାଞ୍ଚ ବେଳେ ମିଳିଛି ୩ ଟି ବିଲ୍ଡିଂ, ୭ଟି ଫ୍ଲାଟ, ୪ ଟି କମରସିଆଲ ଆଉଟଲେଟ, ୯ ଟି ମୂଲ୍ୟବାନ ପ୍ଲଟ । ବିଭିନ୍ନ ବ୍ୟାଙ୍କରେ ୨ କୋଟି ୪୩ ଲକ୍ଷ ଟଙ୍କାର ଡିପୋଜିଟ ରହିଛି । ନଗଦ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ ହୋଇଛି । ତା ସହ ୧୨୬ ଗ୍ରାମ ସୁନା ଗହଣା ଜବତ ହୋଇଛି । ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ ୩ ର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ ପଣ୍ଡାଙ୍କୁ ଗିରଫ ପରେ କରିଛି କୋର୍ଟ ଚାଲାଣ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବେ ଅଶୋକ ପଣ୍ଡା ।
ଭୁବନେଶ୍ବର R&B ଡିଜିଜନ-୩ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି । ରେଡ୍ ବେଳେ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା । ଇଞ୍ଜିନିୟରଙ୍କ ମାଳ ମାଳ ପ୍ଲଟ୍ ଆଉ ପୁଳାପୁଳା ଫ୍ଲାଟ୍ । ତାଙ୍କର ୨ ବିଲଡିଂ ଏବଂ ୯ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । DLF, ଗ୍ୟାଲେରିଆ, ସିମ୍ଫନୀ ମଲରେ ରହିଛି ୪ଟି ଦୋକାନ ଘର । ଯାଞ୍ଚ ବେଳେ ଦାମୀ ଆପାର୍ଟମେଣ୍ଟରେ ୭ଟି ଫ୍ଲାଟ ଠାବ ହୋଇଛି । ରାଜଧାନୀରେ ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ରହିଛି ଇଂଜିୟର ପଣ୍ଡାଙ୍କ ଫ୍ଲାଟ୍ । ଜଟଣୀ ରୟାଲ ହେବିଟାଟ, ଗ୍ରେସ୍ ଆପାର୍ଟମେଣ୍ଟ, ଫୁଲନଖରା ସ୍ଥିତ ଗ୍ରାଣ୍ଡ ଆୱାସ, ଭିପୁଲ ଗାର୍ଡେନ ଆଦି ଆପାର୍ଟମେଣ୍ଟରେ ରହିଛି ଫ୍ଳାଟ୍ । ସାଇବର ସିଟିରେ ବ୍ୟବସାୟ ପ୍ରତିଷ୍ଠାନ ଠାବ ହୋଇଛି ।ସେହିଭଳି ତାଙ୍କର ୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ବରରେ ୭ଟି ଏବଂ ପୁରୀରେ ଗୋଟିଏ ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି । ୩୭ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ ହୋଇଛି । ବାବୁଙ୍କର ୨୧ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି । ଗୋଟିଏ ୪ ଚକିଆ ଗାଡ଼ି ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ସହକାରୀ ଇଂଜିନିୟର ରାଜକିଶୋର ଜେନାଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ଇଂଜିନିୟର ଅଶୋକ ପଣ୍ଡା । କସମୋପଲିସ ଆପାର୍ଟମେଣ୍ଟରେ ସର୍ଚ୍ଚ ଭୟରେ ଇଂଜିନିୟର ପଣ୍ଡା ଝରକା ପଟେ ଫିଙ୍ଗି ଦେଇଥିବା ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଗତକାଲି ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଝରକା ପାଖରେ ଝୁଲିଥିବା ଏହି ବ୍ୟାଗରୁ ନଗଦ ଲକ୍ଷେ ଟଙ୍କା, ରୁପା ମୁଦ୍ରା, ୬୦ ଗ୍ରାମର ସୁନା ଅଳଙ୍କାର, ଜମି ପଟ୍ଟା, ଆପଲ ଆଇ-ଫୋନ୍ ଏବଂ ଗାଡ଼ି ଚାବି ମିଳିଥିଲା ।
State,Health & lifestyle
ଦ କୁଇଭର ବ୍ୟୁରୋ :: ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ । ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସ୍ପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ ଆଉ ସେବା ମିଳୁନି । ଏକ ପ୍ରକାର ହଲାପଟା ହେବାକୁ ପଡ଼ୁଛି । ଅନେକ ହସ୍ପିଟାଲ ଏବେ ଆୟୁଷ୍ମାନ ଭାରତ କାର୍ଡ଼ ଦେଖିବା ମାତ୍ରେ ଡରିଯାଉଛନ୍ତି । ରୋଗୀଙ୍କୁ ରେଫର କରିଦେଉଛନ୍ତି ଅନ୍ୟ ହସ୍ପିଟାଲକୁ । ରୋଗୀ ବିଚରା ଦହଗଞ୍ଜ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲୁଛି ।
ତେଣେ ସ୍ୱାସ୍ଥ୍ୟମନ୍ତ୍ରୀ ଲମ୍ବା ଲମ୍ବା କଥା କହୁଛନ୍ତି । ଯେ ଆମେ ୩ ମାସରେ ୨.୭ ଲକ୍ଷ ଲୋକଙ୍କୁ ଚିକିତ୍ସା ଦେଲୁଣି । ବାସ୍ତବ ସ୍ଥିତି କିନ୍ତୁ ଆୟୁଷ୍ମାନ ଭାରତରେ ପୂରା ଢିଲା । ହସ୍ପିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତ ଚିକିତ୍ସା ବାବଦ ପାଣ୍ଠି ମିଳୁନଥିବାରୁ ସେମାନେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି । ରୋଗୀ ଆୟୁଷ୍ମାନ କାର୍ଡ଼ ଧରି ଆସିଲେ ଚିକିତ୍ସା ନକରି ସରକାରୀ ହସ୍ପହସ୍ପିଟାଲକୁ ପଠାଉଛନ୍ତି, ନଚେତ ଚିକିତ୍ସା ପାଇଁ ମନାକରିଦେଉଛନ୍ତି । ସେଥିପାଇଁ ଲୋକେ କହିଲେଣି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଲ ଥିଲା । ଏମିତି କିଛି ବାଦବିବାଦ ବଢିବାରେ ଲାଗିଲାଣି ।
ନଜର ପକାଇବା ଆୟୁଷ୍ମାନ ଭାରତର କାର୍ଡ଼ ଉପରେ । ଆୟୁଷ୍ମାନ ଭାରତର କାର୍ଡ଼ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଦେଉଛି । କିନ୍ତୁ ବାସ୍ତବରେ ହସ୍ପିଟାଲ ଗୁଡିକୁ ଆୟୁଷ୍ମାନ ଭାରତ କାର୍ଡ଼ରେ ଯେଉଁ ବିଧିବ୍ୟବସ୍ଥା ରହିଛି ସେଥିରେ ଧନ୍ଦି ହେଉଛନ୍ତି । ସେଥିପାଇଁ ଏହି କାର୍ଡ଼ ଧାରିଙ୍କୁ ଚିକିତ୍ସା ଦେବାକୁ ପଛାଉଛନ୍ତି । ଇତି ମଧ୍ୟରେ ଅନେକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ଼ର ହିତାଧିକାରୀଙ୍କୁ ଚିକିତ୍ସା ଦିଆଯାଉନାହିଁ । ସିଧାସଳଖ ଫେରାଇଲେ ସରକାରଙ୍କ ରୋଷ ହେବ ବୋଲି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଯାହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରୋଗୀମାନେ ।
ଭୁବନେଶ୍ୱର ହେଉ କି କଟକ । ଘରୋଇ ହସ୍ପିଟାଲର ସ୍ଥିତିକୁ ଦେଖିଲେ ପ୍ରତ୍ୟେକ ଦିନ ପ୍ରାୟ ୫୦ ଭାଗ ଆୟୁଷ୍ମାନ ଭାରତର ହିତାଧିକାରୀ ଦହଗଞ୍ଜ ହେଉଛନ୍ତି । କିଛି ବଡ଼ ବଡ଼ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ପଇସା ଅଧିକ ନେବେ ବୋଲି ଚିକିତ୍ସା କରୁଛନ୍ତି । ମାତ୍ର ଚିକିତ୍ସା କମ୍ ଶୋଷଣ ଅଧିକ ହେଉଛି । ଏଭଳି ସ୍ଥିତି ଉପରେ ସରକାରଙ୍କର ନଜର ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ନିଜର ବାହାବାହା ଦେଖାଇବା ପାଇଁ ଗଣମାଧ୍ୟମକୁ କଥା କହି ରହିଯାଉଛନ୍ତି । ଥରେ ବାସ୍ତବ ସ୍ଥିତି ଦେଖନ୍ତୁ ସରକାର । ତା'ପରେ ଜଣାପଡ଼ିବ ଯେ ଆୟୁଷ୍ମାନ ଭାରତ କାର୍ଡ଼ରେ ଚିକିତ୍ସା ମିଳୁଛି ନା ଦଣ୍ଡ?
State
ଦ କୁଇଭର ବ୍ୟୁରୋ:- ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ ।
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଗତ ଶୁକ୍ରବାର ସଂଧ୍ୟା ସମୟରେ ବୋମାମାଡ ସହିତ ଗୁଳିମାଡ ଘଟଣା ଘଟିଥିଲା । ଏହି ଘଟଣାର ପୁଲିସ ତଦନ୍ତ କରି ସଂପୃକ୍ତ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ (୪୨), କୁଲାଗଡ ଗ୍ରାମର କମେଶ୍ୱର ଗୌଡ଼ (୫୬), ଆଲାରିଗଡ ଗ୍ରାମର ଅମିତାଭ ବିଷୋୟୀ (୪୨), ବାଳିଗଡ ଗ୍ରାମର ସିମାଞ୍ଚଳ ବିଷୋୟୀ (୬୩), ବାଲିପଡ଼ା ଗ୍ରାମର ବଂଶୀଧର ବିଷୋୟୀ (୩୫) ଓ ଧରାକୋଟ ଗ୍ରାମର ସୁରିଆ ନାଇକ (୨୪)। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଛଅ ଗୋଟି ମାଉଜର, ଅଫୁଟା ଗୁଳି ଏବଂ ମୋବାଇଲ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନା ପ୍ରକାରେ, ସଂଧ୍ୟା ସମୟରେ ଶେରଗଡ଼ ଅଞ୍ଚଳର ସମାଜସେବୀ ନିରଞ୍ଜନ ଜେନା (କାଳିଆ) ସୁନାନ୍ତର ସ୍ଥିତ ନିଜ ଘର ସମ୍ମୁଖ ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଶେରଗଡ ପଟୁ ୩ଟି ବାଈକରେ କିଛି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନ ଙ୍କୁ ଲକ୍ଷ୍ୟ କରି ୫ ରୁ ୬ଟି ବୋମାମାଡ କରିଥିଲେ। ବୋମାମାଡ ଦେଖି ନିରଞ୍ଜନ ଦୌଡିବା ଫଳରେ ପଛରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଗୁଳିମାଡରେ ନିରଞ୍ଜନ ଆହତ ହୋଇଥିଲେ । ତେବେ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ ବିବରଣୀ ପ୍ରଦାନ କରିଛି ଶେରଗଡ ପୁଲିସ l
National,State
ଦ କୁଇଭର ବ୍ୟୁରୋ :- ପୁଷ୍କରା' ଫିଲ୍ମ,ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅନେକ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ l ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ 'ପୁଷ୍କରା'କୁ ଜାତୀୟ ପୁରସ୍କାର । ସେହିପରି 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଓ 'ମୋ ବୋଉ, ମୋ ଗାଁ' ନାଁ ବି ମନୋନୀତ ହୋଇଛି । 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମରେ ମନୋନୀତ ହୋଇଥିବା ବେଳେ 'ମୋ ବୋଉ, ମୋ ଗାଁ' ପାଇଁ ପାଇବ ଜାତୀୟ ପୁରସ୍କାର । ଏଥିସହ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହା ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ।
State
ଦ କୁଇଭର ବ୍ୟୁରୋ :- ନିଜ ଦେହରେ ନିଆଁ ଲଗାଇ ଦେଲେ ପୁରୁଷ ଓ ମହିଳା । ଜୀଅନ୍ତା ଜଳିଗଲେ ମହିଳା, ପୁରୁଷ ଗୁରୁତର । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜର କରଞ୍ଜିଆରେ ଶନିବାର ଘଟିଛି । ମୃତକ ହେଲେ ଭାରତୀ ପାତ୍ର ।
ସୂଚନା ଅନୁସାରେ ଖିଚିଂ କଲେଜ ସମ୍ମୁଖରେ ଏହି ଜୀବନ ହରିବାକୁ ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହରିବା ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ପୁୁରୁଷ ଜଣଙ୍କ ଏଥିରେ ଗୁରୁତର ହୋଇଛନ୍ତି । ତାଙ୍କ ନାମ ଶୁକ୍ରୁଳି ବୋଲି ଜଣାପଡିଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମହିଳା ଓ ପୁରୁଷ ଖିଚିଂ ଗାଁର । ଜୀବନ ହାରିବା ଉଦ୍ୟମର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।
State,Farming,National
ଦ କୁଇଭର ବ୍ୟୁରୋ :- ଚାଷୀ ପାଇଲେ ପିଏମ କିଷାନ ଟଙ୍କା l ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ପିଏମ କିଷାନର ୨୦ ତମ କିସ୍ତି ଚାଷୀଙ୍କ ଖାତାକୁ ଗଲା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।
State
ଦ କୁଇଭର ବ୍ୟୁରୋ :- ବଳଙ୍ଗା ଘଟଣାରେ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ବିସ୍ଫୋରକ ସୂଚନା ପ୍ରଦାନ କରାଯାଇଛି। ପୁଲିସ କହିଛି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି।ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି।ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଥିବା ଅଭିଯୋଗ ହୋଇଥିଲା । ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।
National,Farming,State
ଦ କୁଇଭର ବ୍ୟୁରୋ :- ହିନ୍ଦୋଳରେ ପୁଣି ମାତିଲା ଦନ୍ତା । ହାତୀ ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁର ସୁଧାକର ସାମଲ । ସେ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।ସେହିପରି ହିନ୍ଦୋଳରେ ଗୁରୁବାର ଦିନ ହାତୀ ଆକ୍ରମାଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ ହେଲେ କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ । ସେପଟେ ପ୍ରତିବାଦରେ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ। ଫଳରେ ଅନୁଗୁଳ -ଭୁବନେଶ୍ବର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।
State
ଦ କୁଇଭର ବ୍ୟୁରୋ :- ସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି । ଖାସ୍ ସେମାନଙ୍କ ଅବଦାନକୁ ମନେ ପକେଇବା ପାଇଁ କିଛି କଲେଜ୍ ଛାତ୍ରୀ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ଭାରତ ସୀମାରେ ରହି ଶତ୍ରୁଙ୍କ ସହ ଲଢ଼େଇ କରି ଆମକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ କରିଛନ୍ତି ଏମିତି ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଛନ୍ତି ରାକ୍ଷୀ । ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ କରିଥାଏ । ଏହି ପବିତ୍ର ଅବସରକୁ ଆଖି ଆଗରେ ରଖି ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଭାରତ ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାକ୍ଷୀ ପଠାଇଛନ୍ତି । ଏହା ସହ ସେମାନଙ୍କ ସୁରକ୍ଷା ପାଇଁ ଠାକୁରଙ୍କ ପ୍ରାର୍ଥନା କରିଛନ୍ତି ।ଏହା ମହାବିଦ୍ୟାଳୟର ଏକ ପରମ୍ପରା , ଯେଉଁଥିରେ ଛାତ୍ରୀମାନେ ପ୍ରତିବର୍ଷ ଯବାନ ଭାଇମାନଙ୍କୁ ରାକ୍ଷୀ ପଠାନ୍ତି । ଯାହା ଦେଶପ୍ରେମ ଓ ଭାଇଚାରାର ଏକ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରୁଛି ।
ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସୈନିକମାନଙ୍କୁ ପଠାଇବା ସହ ସେମାନଙ୍କ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପ୍ରାର୍ଥନା ଜଣାଇଥିଲେ ।ଛାତ୍ରୀମାନଙ୍କ ଏହି ଉଦ୍ୟମ କେବଳ ରାକ୍ଷୀ ପଠାଇବାରେ ସୀମିତ ନରହି ଦେଶପ୍ରେମ, ସାମାଜିକ ସଚେତନତା ଓ ଭାଇଚାରାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀମାନେ ନୂଆପିଢ଼ିଙ୍କ ମଧ୍ୟରେ ଦେଶ ପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି ।ଛାତ୍ରୀମାନଙ୍କ କହିବା ଅନୁଯାୟୀ ଦେଶର ସୁରକ୍ଷା ପାଇଁ ସୈନିକମାନେ ଦିନ ରାତି ବୋର୍ଡରରେ ରହି ଶତ୍ରୁମାନଙ୍କ କବଳରୁ ଆମକୁ ରକ୍ଷା କରୁଛନ୍ତି । ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ମଧ୍ୟ ସେମାନେ ନିଜ ଭଉଣୀ ଠାରୁ ଦୂରରେ ରହୁଛନ୍ତି । ତେଣୁ ଆମେ ସେହି ବୀର ଭାଇମାନଙ୍କୁ ଆହୁରି ସାହସୀ, ନିର୍ଭୀକ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ସୁରକ୍ଷା କବଚ ଭାବେ ରାକ୍ଷୀ ପଠାଉଛୁ । ଦେଶର ବୀର ଯବାନଙ୍କ ପାଇଁ ଛାତ୍ରୀମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
State
ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ ।ଏଥିସହ VRF କାମ ବାବଦକୁ ପାରିଶ୍ରମିକ ୫ ହଜାରଓ TA/ DA ବାବଦକୁ ୩ ହଜାର ଟଙ୍କା ମିଶି ମାସକୁ ମୋଟ୍ ୧୮ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ । ଅନଲାଇନ କାମ ପାଇଁ ସିଆରପି-ସିଏମଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଉ । ସିଆରପି-ସିଏମଙ୍କୁ ପରିଚୟପତ୍ର ପ୍ରଦାନ ସହ ବେତନ ଆକାଉଣ୍ଟ ଜରିଆରେ ଦେବାକୁ ସଂଘ ଦାବି ରଖିଛି । ସେହିପରି ମାସିକ ଦୁଇଟି ଏସଏଚଜି ବୈଠକ ପାଇଁ ଦାବିରେ ବିଶାଳ ପ୍ରତିବାଦ କରାଯାଇଛି ।
State
ମାଲକାନଗିରି (ଦ କୁଇଭର ):- ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଠାରେ ଜିଲ୍ଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପିରାମଲ ଫାଉଣ୍ଡେସନ ରାଜ୍ୟ ପ୍ରୋଗ୍ରାମ ଡାଇରେକ୍ଟର ଗୋମତୀ ଶଙ୍କର କ୍ରିଷ୍ଣନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ସଂପୂର୍ଣ୍ଣତା ଅଭିଯାନରେ ଜିଲ୍ଲା ୪ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାର ଶ୍ରେୟ ଜିଲ୍ଲାବାସୀଙ୍କର । ସମସ୍ତଙ୍କ ମିଳିତ ସହଭାଗିତାରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆମେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢ଼ି ତୋଳିବାର ସଂକଳ୍ପ ନେବାକୁ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନେ ଏହି ବିରାଟ ସଫଳତା ରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସମସ୍ତେ ମିଳିମିଶି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବା। ସୂଚନା ଥାଉ କି ଆକାଂକ୍ଷା ହାଟ ୭ ଦିନ ପର୍ଯ୍ୟନ୍ତ ରହିବ। ଏହି ହାଟ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ଗୁଡ଼ିକୁ ବ୍ରାଣ୍ଡିଂ କରି ଅନଲାଇନ ପ୍ଲାଟଫର୍ମରେ ସାମିଲ୍ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କର ଆର୍ଥିକ ବିକାଶ ହେବ । ଏହି ହାଟ ରେ ଆଦିମ ବଣ୍ଡା ଜନଜାତିଙ୍କ ବିଡ୍ ୱାର୍କ ମାଳି, ସ୍ବାଭିମାନ ଅଞ୍ଚଳର ହଳଦୀ ଗୁଣ୍ଡ ଓ ପଣସ ଚିପ୍ସ ସ୍ଥାନ ପାଇଛି। ନୀତି ଆୟୋଗ ଅଧୀନରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଳକ୍ କାର୍ଯ୍ୟକ୍ରମରେ ୬ ଗୋଟି ବର୍ଗରେ ଜିଲ୍ଲାକୁ ସ୍ୱର୍ଣ୍ଣ ପଦକ ମିଳିଛି। ମାଲକାନଗିରି କୁ ଜିଲ୍ଲା ସ୍ତରରେ ଗୋଟିଏ ସ୍ୱର୍ଣ୍ଣ ଓ ଆକାଂକ୍ଷୀ ବ୍ଲକ୍ ଭାବେ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକ୍ କୁ ତିନି ଗୋଟି ସ୍ୱର୍ଣ୍ଣ ପଦକ ମିଳିଛି। ସମଗ୍ର ଦେଶରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ବିରଳ କୃତିତ୍ୱ ହାସଲ କରିବାରେ ମାଲକାନଗିରି ଏକମାତ୍ର ଜିଲ୍ଲା ଅଟେ। ଆକାଂକ୍ଷୀ ଜିଲ୍ଲା ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ୯ ରୁ ୧୧ ବର୍ଷର ଶିଶୁଙ୍କ ଟୀକାକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ ଓ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଆକାଂକ୍ଷୀ ବ୍ଲକ୍ ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ମଧୁମେହ ରୋଗୀ ଚିହ୍ନଟ, ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟା, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପୂର୍ଣ୍ଣ ଚଳନ ରାଶି ପ୍ରଦାନ ରେ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି। ସେହିପରି ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବିଡିଓ, ସିଡିପିଓ, ଏମଓ, ଏମଓଆଇସି, ବିଏଓ ଓ ବିପିଏମଙ୍କୁ ପୁରସ୍କୃତ କରାଯାଇଛି। ଏହି ତିନି ଗୋଟି ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ, ଆଶା, କୃଷକ ସାଥି, ଭିଏଡବ୍ଲୁ, ଏଓ, ସିଆରପିସିଏମ ଓ ଏମବିକେଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଡି ଡିପିଏମୟୁ ଗୋଲକ ଚନ୍ଦ୍ର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
National,State
ଦ କୁଇଭର ବ୍ୟୁରୋ :- ଉପୋଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ନିୟମରେ ବଡ ପରିବର୍ତ୍ତନ । ୟୁପିଆଇ ଟ୍ରାଞ୍ଜକ୍ସନକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ନୂତନ ନିୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା, ଅଟୋ ପେମେଣ୍ଟ୍, ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ପାଇବା ଏବଂ ପେମେଣ୍ଟ୍ ସ୍ଥିତି ଯାଞ୍ଚ କରିବା ଭଳି ସେବା ଉପରେ ନୂଆ ନିୟମ ହୋଇଛି । NPCI କହିଛି ଯେ, UPIର ସ୍ଥିରତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ ନିୟମ ଅଣାଯାଇଛି।
ଅଗଷ୍ଟ 1ରୁ, UPI ଉପଭୋକ୍ତା ପ୍ରତ୍ୟେକ UPI ଆପରେ ଦିନକୁ କେବଳ 50 ଥର ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ। ଏହି ପ୍ରତିବନ୍ଧକଗୁଡ଼ିକ NPCIକୁ ବ୍ୟସ୍ତବହୁଳ ସମୟରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ସିଷ୍ଟମ ଉପରେ ଚାପ କମ୍ କରିବାରେ ସାହାଯ୍ୟ କରିବ। ଯଦିଓ NPCI ବାଲାନ୍ସ ଅନୁରୋଧ ଉପରେ ପ୍ରୟାସ ସଂଖ୍ୟାକୁ ସୀମିତ କରିଛି, ତଥାପି ପ୍ରତ୍ୟେକ ସଫଳ UPI କାରବାର ପରେ ଉପଭୋକ୍ତାମାନେ ଉପଲବ୍ଧ ଆକାଉଣ୍ଟ ବାଲାନ୍ସ ଦେଖିପାରିବେ। ନୂତନ ନିୟମରେ ଦୈନିକ UPI କାରବାର ଉପରେ ବୋଝ କମ କରିବା ପାଇଁ ସ୍ଥିର ସମୟ ମଧ୍ୟରେ ନିର୍ଦ୍ଧାରିତ ବିଲ୍ ପେମେଣ୍ଟ ପ୍ରକ୍ରିୟାକରଣ ମଧ୍ୟ ଅନ୍ତର୍ଭୁକ୍ତ। ବ୍ୟବସାୟୀମାନଙ୍କୁ ଅଟୋ ପେମେଣ୍ଟ କିମ୍ବା OTT, EMI କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ମାସିକ ନିର୍ଦ୍ଧାରିତ ସ୍ଥାନାନ୍ତର ସକାଳ 10ଟା ପୂର୍ବରୁ କିମ୍ବା ରାତି 9:30 ପରେ ଅଣ-ଟ୍ରାଫିକ୍ ଘଣ୍ଟା ମଧ୍ୟରେ ହେବ। ଆଜି ଠାରୁ UPI ଉପଭୋକ୍ତାମାନେ ଦିନକୁ 25 ଥର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇପାରିବେ । ଉପୋଭୋକ୍ତାଙ୍କ ଯଦି କୌଣସି କାରଣରୁ ପେମେଣ୍ଟ ଅଧାରେ ରହିଯାଏ, ତେବେ ଏହାର ଷ୍ଟାଟସ ଦେଖିବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗିବ । ଆପଣ କେବଳ 3 ଥର ହିଁ ପେମେଣ୍ଟର ଷ୍ଟାଟସ୍ ଯାଞ୍ଚ କରିପାରିବେ । ପ୍ରତ ଷ୍ଟାଟସ ଯାଞ୍ଚ ପାଇଁ 90 ସେକେଣ୍ଡର ବ୍ୟବଧାନ ରଖିବାକୁ ହେବ ।
Health & lifestyle
ଦ କୁଇଭର ବ୍ୟୁରୋ :- ଗୁଜୁରାତି ଏକ ଛୋଟ ସବୁଜ ରଙ୍ଗର ମସଲା,ଯେଉଁଥିରେ ଛୋଟ କଳା ମଞ୍ଜି ରହିଥାଏ l ବିଭିନ୍ନ ଖାଦ୍ୟରେ ସୁଗନ୍ଧ ଏବଂ ସ୍ୱାଦ ମିଶାଇବା ପାଇଁ ଗୁଜୁରାତି ବ୍ୟବହାର କରାଯାଏ l ଗୁଜୁରାତି ଏକ ଔଷଧୀୟ ଉଦ୍ଭିଦ ଭାବରେ ମଧ୍ୟ ଜଣାଶୁଣା, ଯାହାକୁ ଅନେକ ପ୍ରକାରର ରୋଗରେ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ | ଗୁଜୁରାତି ଭାରତରେ ମସଲାର ରାଣୀ ଭାବରେ ମଧ୍ୟ ଜଣାଶୁଣା | ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । କାର୍ବୋହାଇଡ୍ରେଟ୍, ଫାଇବର୍, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଲୌହ, ଫସଫସରସ୍ ତତ୍ତ୍ୱ ଥିବା ଏଇ ଗୁଜୁରାତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ l ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତର କମ୍ କରିଥାଏ ବୋଲି କୁହାଯାଏ । ଏହା ସିଷ୍ଟୋଲିକ ଓ ଡାଇଷ୍ଟୋଲିକ୍ କମ୍ କରିବାରେ ସହାୟକ ହୋଇଥାଏ ।ବ୍ଲଡ ପ୍ରେସରରେ ଏହାର ପ୍ରଭାବ ବି ରହିଛି । ଏହାର ପାଉଡର ଖାଇଲେ ଏହା ଶରୀରର ଚର୍ବି ଅଂଶ କମ୍ କରିଥାଏ । ନିୟମିତ ଗୁଜୁରାତି ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି l ଗୁଜୁରାତି ତେଲର ବାମ୍ଫ ନେଲେ ସର୍ଦ୍ଦି, କାଶ ଓ ହୃଦ ସମସ୍ୟା ଦେଖାଦେଇ ନ ଥାଏ । ନିୟମିତ ଗୁଜୁରାତି ଚା’ରେ ବ୍ୟବହାର କଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଖାଇବା ପରେ ନିୟମିତ ଗୁଜୁରାତି ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ । ହଜମ ସମସ୍ୟା ଥିଲେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । ଯେଉଁ ମାନଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥାଏ ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ଗୋଟେ ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନ ଭିତରେ ୨-୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।
ଫାଇବର ତତ୍ତ୍ୱ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ l ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ । ବିଶେଷଜ୍ଞଙ୍କ ମତରେ ଗୁଜୁରାତି ରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ତତ୍ତ୍ୱ ରକ୍ତଚାପ କମ୍ କରିବାରେ ରକ୍ତଚାପ ସାହାଯ୍ୟ କରେ । ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ । ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳ ବେଳା ପିଇଲେ ତାହା କାମ କରେ । କେତେଜଣଙ୍କ ପେଟ ଜ୍ୱାଳାପଡା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଷମ ମିଳେ । ବର୍ତ୍ତମାନ ସମୟରେ ହୃଦଘାତ ବା ହୃଦଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେଣୁ ହୃଦଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଦୁଇଟି ଗୁଜୁରାତି ଖାଇବା ଜରୁରୀ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଭରପୁର ଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରର ପୋଟାସିୟମ୍ ମାତ୍ରା ସନ୍ତୁଳିତ ରହିଥାଏ । ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରରୁ ଥଣ୍ଡା ମଧ୍ୟ କମ୍ ହୋଇଥାଏ । ଗୁଜୁରାତିକୁ ମାଉଥ୍ ଫ୍ରେସନର୍ ମଧ୍ୟ କୁହାଯାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଯଦି କୌଣସି ଯାତ୍ରା କରିବା ବେଳେ ଆପଣଙ୍କୁ ବାନ୍ତି ଲାଗୁଥାଏ ତେବେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ । ସେହି ପରି ଯଦି ଭାବୁଛନ୍ତି ଯାତ୍ରାର ପୁରା ସମୟ ବାନ୍ତି ହେବ ତେବେ ପୁରା ରାସ୍ତା ପାଟିରେ ଗୁଜୁରାତି ପକାଇ ରଖନ୍ତୁ ।
ଗୁଜୁରାତି ଖାଇବା ଦ୍ୱାରା ଏଥିରେ ଥିବା ଗୁଣ ବିବାହ ପରେ ଯୌନ ଜୀବନକୁ ସୁଖମୟ ରଖିଥାଏ । ଏହା ସହ ନଂପୁସକତା ଦୂର ଲାଗି ଏହା ଲାଭଦାୟକ ହୋଇଥାଏ ।ଦାନ୍ତ ଘଷିବା ପରେ ମଧ୍ୟ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମାଉଥ୍ ଫ୍ରେସନର ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳି ନ ଥାଏ । ଏତେ ସବୁ କରିବା ଅପେକ୍ଷା ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ । ଯାହାର ଫାଇଦା ଆପଣମାନେ ଜାଣି ପାରିବେ । ଆଜିକାଲି ଲୋକ ମାନଙ୍କର ପାଖରେ ପାଚକତନ୍ତ୍ରର ସମସ୍ୟା ସାଧାରଣ ହୋଇଗଲାଣି । ଏଭଳି ସମସ୍ୟା ଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହା ଦ୍ୱାରା ପାଚକତନ୍ତ୍ର ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଗଳା ଦରଜ ହେଉଥିଲେ ବା କାଶ ହେଉଥିଲେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି, ଖଣ୍ଡେ ଅଦା,ଗୋଟିଏ ଲବଙ୍ଗ ଏବଂ ୩-୪ଟି ତୁଳସୀ ପତ୍ର ଖାଆନ୍ତୁ । ଏପରି କଲେ ଗଳାର ସମସ୍ୟା ଦୂର ହୋଇଥାଏ l
State
ଭୁବନେଶ୍ୱର( ଦ କୁଇଭର ):- ଦିଗପହଣ୍ଡି ବିଧାୟକ ତଥା ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମା'ଙ୍କ ଆଜି ଦେହାନ୍ତ ହୋଇଛି l ଏହି ଦୁଃଖଦ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଦ୍ଧାନ୍ତଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
National,Education
ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।
State
ଦ କୁଇଭର ବ୍ୟୁରୋ - ବାଂଲାଦେଶୀ ମୁସଲମାନ ମାନଙ୍କୁ ସମର୍ଥନ କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିନ୍ଦୁ ମାନଙ୍କୁ ଗୋଇଠା ମାରିବାକୁ ପଛାଇ ନାହାନ୍ତି । ବାଂଲାଦେଶୀ, ରୋହିଙ୍ଗିଆ ଓ ପାକିସ୍ତାନୀ ମୁସଲମାନ ମାନଙ୍କ ପ୍ରତି ମମତାଙ୍କ ଦରଦ ନେଇ ଏବେ ସବୁଠି ତାତି ଦେଖା ଦେଲାଣି । ପଶ୍ଚିମବଙ୍ଗରେ ତ ହିନ୍ଦୁମାନେ ରାଜ ରାସ୍ତାକୁ ଓହ୍ଲାଇ ପଡ଼ିଲେଣି । ଆନ୍ଦୋଳନ କରିବା ସହ ଏହାକୁ ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରିବାକୁ ପୂରା ଲାଗି ପଡ଼ିଛନ୍ତି ବିଜେପି ସମର୍ଥକମାନେ । ମମତାଙ୍କ ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ଏଥର କାଳେ ପାନେ ଦେବେ ବୋଲି ପଶ୍ଚିମବଙ୍ଗରେ ହିନ୍ଦୁସମୂହ ଏକ ହେଲେଣି । ଏହାର ଜବାବ ଦେବାକୁ ଦେଶରେ ଥିବା ଅଧିକାଂଶ ବାଂଲାଦେଶୀ, ରୋହିଙ୍ଗିଆଙ୍କୁ ମମତା ନିଜ ରାଜ୍ୟକୁ ଫେରି ଆସି ଏକଜୁଟ ହେବାକୁ ବି କହିଲେଣି ।
ପଶ୍ଚିମବଙ୍ଗ ହେଉଛି ଅନୁପ୍ରବେଶକାରୀଙ୍କ ସ୍ୱର୍ଗ । ସେଠାରେ ବାଂଲାଦେଶୀ, ରୋହିଙ୍ଗିଆ ଓ ପାକିସ୍ତାନୀମାନେ ବର୍ଷବର୍ଷରୁ ଆସି ବେଆଇନ ଭାବେ ରହୁଛନ୍ତି । ଟଙ୍କା ଦେଇ ସୀମାରେ ପଶୁଛନ୍ତି । ଏହାପରେ ମମତାଙ୍କ ଭୋଟ ବ୍ୟାଙ୍କ ହୋଇ ଭୋଟର କାର୍ଡ ଠାରୁ ଆଧାର ଆଉ ସରକାରୀ ସୁବିଧା ବି ପାଉଛନ୍ତି । ପଶ୍ଚିମବଙ୍ଗ ପରେ ସାରା ଦେଶକୁ ଏମାନେ ବ୍ୟାପି ଯାଉଛନ୍ତି । ସବୁଠି ତାଙ୍କ ସଂଖ୍ୟା ବଢ଼ାଉଛନ୍ତି । ଦୃତଗତିରେ ବଂଶବୃଦ୍ଧି କରିବା ସହ ଅନୁପ୍ରବେଶ ବି କରୁଛନ୍ତି । ପଶ୍ଚିମବଙ୍ଗକୁ ପେଣ୍ଠ କରିଛନ୍ତି । ଏବେ ସାରା ଦେଶରେ ଧରପଗଡ଼ ଚାଲିଛି । ଯେଉଁଠି ଅନୁପ୍ରବେଶକାରୀ ରହିଛନ୍ତି, ସେମାନଙ୍କୁ ତଡ଼ି ଦିଆଯାଉଛି । ଅନେକଙ୍କ ପାଖରେ ପଶ୍ଚିମବଙ୍ଗର ପ୍ରମାଣପତ୍ର ରହିଛି । ସେହି ପ୍ରମାଣପତ୍ରକୁ ଦେଖାଇ ବଙ୍ଗାଳୀ ବୋଲି କହୁଥିବା ବେଳେ ପ୍ରମାଣପତ୍ରର ଜାଲିଆତି ଧରାପଡ଼ିଯାଉଛି ।
ଏମାନଙ୍କୁ ଧରି ତଡ଼ିବା ମାତ୍ରେ ମମତାଙ୍କର କାଳେ ପିଡ଼ା ହେଉଛି । ସେ ଓ ତାଙ୍କ ଦଳର ନେତ୍ରୀମାନେ ବିଭିନ୍ନ ରାଜ୍ୟକୁ ଚିଠି ଲେଖି ଏହା ନକରିବାକୁ ବାରଣ କରୁଛନ୍ତି । ଏପରିକି ମମତା ଦିଲ୍ଲୀ ପୋଲିସ ନାମରେ ଏକ ମିଛ ଅଭିଯୋଗ ଆଣି ସାରା ଦେଶରେ ଲୋକହସା ହୋଇ ସାରିଲେଣି । ମମତାଙ୍କ ଅଭିଯୋଗ ମିଛ ବୋଲି ଦିଲ୍ଲୀ ପୋଲିସ କମିଶନର କହିଛନ୍ତି । କେବଳ ସେତିକି ନୁହେଁ, ସାରା ଦେଶରେ ଯେତେବେଳେ ବାଂଲାଦେଶୀ, ରୋହିଙ୍ଗିଆ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ମାନଙ୍କୁ ହଟାଯାଉଛି, ସେଠାରେ ମମତା ତାଙ୍କୁ ରଖିବାକୁ ଜିଦ କରୁଛନ୍ତି ।
ଏପରିକି ସମସ୍ତଙ୍କୁ ପଶ୍ଚିମବଙ୍ଗ ପଳାଇ ଆସିବାକୁ କହୁଛନ୍ତି । ସେଠାରେ ସେ ସମସ୍ତ ସୁବିଧା ଦେବେ । କୌଣସି ଲୋକଙ୍କୁ ସେ ବିତାଡ଼ିତ କରିବେ ନାହିଁ ବୋଲି କହୁଛନ୍ତି । ଏପରିକି ସେ କ୍ଷୀର ଦେଉଥିବା ଗାଈଙ୍କୁ ତଡ଼ି ଦେଇ ପାରନ୍ତି, ମାତ୍ର ମୁସଲମାନ ମାନଙ୍କୁ ତଡ଼ିବେ ନାହିଁ । ଏକଥା କହିବା ପରେ ଏବେ ପଶ୍ଚିମବଙ୍ଗରେ ବିଦ୍ରୋହ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ହିନ୍ଦୁ ଜନସାଧାରଣ ମମତାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଜେପି ଏହାକୁ ସମର୍ଥନ କରୁଛି । ହିନ୍ଦୁ ସେନା ବି ପଛରେ ରହି କାଳେ ମମତା ବିରୋଧୀ ଆନ୍ଦୋଳନକୁ ତୀବ୍ର କରୁଛି । RSS ଓ ବିଶ୍ୱହିନ୍ଦୁ ପରିଷଦ ଏହାକୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଜାରି ରଖି ମମତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଯୋଜନା କରିଛନ୍ତି । ଦେଖାଯାଉ ମମତାଙ୍କ ଅଣଭାରତୀୟ ପ୍ରେମ ତାଙ୍କ ଉପରେ କେତେ ଭାରି ପଡ଼ୁଛି ?
State,National,International
ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।
State
ମାଲକାନଗିରି(ଦ କୁଇଭର):- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର କାର୍ଯ୍ୟନ୍ୱୟନ, ଭବିଷ୍ୟତ ପନ୍ଥା, ଆଗାମୀ ପାଞ୍ଚ ବର୍ଷର ଭିଜନ ବିଷୟରେ ଜାଣିବା ପାଇଁ ଜିଲ୍ଲାପାଳ ଏହି ବୈଠକ କରିଥିଲେ। ପ୍ରଶାସନିକ ବ୍ୟବସ୍ଥାରେ ସବୁବେଳେ ସୁଶାସନ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ତେଣୁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ସମସ୍ତଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମଞ୍ଚାସୀନ ଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ରାସ୍ତା ଓ କୋଠାବାଡ଼ି ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଚାଲିଥିବା ଜନଜାତି ଉନ୍ନୟନ କାର୍ଯ୍ୟ, ସ୍ବାସ୍ଥ୍ୟ ବିଭାଗର ଭିତ୍ତିଭୂମି ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା, ଶିକ୍ଷା ବିଭାଗର ଭିତ୍ତିଭୂମି ଓ ବିଭିନ୍ନ ଯୋଜନା ବିଷୟରେ ଜିଲ୍ଲାପାଳ ଅବଗତ ହୋଇଥିଲେ। ଏତଦ୍ ବ୍ୟତୀତ ବିଭିନ୍ନ ବିଭାଗରେ ରହିଥିବା ସମସ୍ୟା ସଂପର୍କରେ ଜିଲ୍ଲାପାଳ ଅବଗତ ହୋଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଉପସ୍ଥିତ ଥିଲେ।