ଦ କୁଇଭର ବ୍ୟୁରୋ :- ଆପଣ ଆପଣଙ୍କ ଵାଡ଼ିରେ କିମ୍ବା ଛାତରେ ଥିବା କୁଣ୍ଡରେ ପୋଦିନା ଗଛ ରଖିଛନ୍ତି କି ? ଯଦି ରଖିନାହାନ୍ତି ତେବେ, ତୁରନ୍ତ ଏହି ଉପକାରୀ ଗଛକୁ ଆଣି ନିଜ ଘର ପାଖରେ ରଖନ୍ତୁ । ଏହାକୁ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟରେ ବ୍ୟବହାର କରିପାରିବେ। ପୋଦିନା ପତ୍ର ଚଟଣିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସରବତରେ ବି ଆପଣ ଏହାକୁ ବ୍ୟବାହାର କରିପାରିବେ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । କେବଳ ଯେ ପାଟି ସୁଆଦ ପାଇଁ, ତାହା ନୁହେଁ । ଏହି ପତ୍ରର ଗୁଡ଼ାଏ ସୁଫଳ ରହିଛି ।
- ପୋଦିନା ପତ୍ର ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ପେଟ କାଟିବା, ଝାଡ଼ା ନହେବା, ପେଟ ପୋଡ଼ାଜଳା ହେବା ଆଦି ସମସ୍ୟା ହ୍ରାସ ପାଇଥାଏ।
- ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବାସ ରୋଗ ଆୟତ୍ତରେ ରହିଥାଏ।
- ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।
- ଏହାକୁ ଖାଇଲେ ମୁଣ୍ଡବିନ୍ଧା ମଧ୍ୟ କମ୍ ହୋଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।
- ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପୋଦିନା ପତ୍ର ଖାଇପାରନ୍ତିି। ଏହା ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିଥାଏ।
- ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।
ପୋଦିନାରେ ଥାଏ ଭିଟାମିନ୍ ସି, ଏ ଓ ବି କମ୍ଲେକ୍ସ । ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ଆଇରନ , ପୋଟାସିୟମ ଓ ମାଙ୍ଗାନିଜ ପରି ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।ଖରା ଦିନେ ପୋଦିନା ପେଟକୁ ଥଣ୍ଡା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ , ପେଟ ବ୍ୟଥା, ଓ ଛାତିରେ ଜ୍ୱଳ ପରି ସମସ୍ୟା ଦୂର ହୁଏ ।ପୋଦିନା ପତ୍ର ସେବନ ଦ୍ୱାରା ଶ୍ୱାସ ପାୀ ସମସ୍ୟାରୁ ଉପଶମ ମିଳେ । ଏହା ବ୍ୟତୀତ ଏଥିରେ ଥିବା ମେନ୍ଥଲ ଶ୍ୱାସ ନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ନିଃଶ୍ୱାସ - ପ୍ରଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ । ମୁଣ୍ଡ ବିନ୍ଧା ହେଲେ ମଧ୍ୟ ପୋଦିନା ପତ୍ରର ତେଲ ବେଶ ଲାଭଦାୟୀ ।ଏହାସହ ଥାଇରଏଡ୍ ସମସ୍ୟା ପାଇଁ ପୋତିନା ପତ୍ର ବେଶ ଉପକାରୀ । ପ୍ରତିଦିନ ଖାଲି ପେଟରେ ୨ ଚାମଚ ପୋଦିନା ପତ୍ରର ରସକୁ ସେବନ କଲେ ଥାଇରଏଡ ସମସ୍ୟା ଲାଘବ ହୋଇଥାଏ । ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର ରସ । ଏହି ସମୟରେ ପେଟରେ ଯନ୍ତ୍ରଣା ହୁଏ ଓ ମାସପେଶୀ ଟାଇଟ୍ ହୋଇଯାଏ । ଏହି କାରଣୁ ମହିଳାମାନେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏଥିରୁ କିଛି ମାତ୍ରାରେ ଯନ୍ତ୍ରଣାକୁ କମ୍ କରେ ପୋଦିନା । ଏହା ବ୍ୟତୀତ ଚର୍ମ ପାଇଁ ମଧ୍ୟ ପୋଦିନା ଲାଭକାରୀ ।
ତ୍ୱଚାର କୁଞ୍ଚନକୁ ହ୍ରାସ କରିଥାଏ। ଆଲ୍କହଲରେ ପୋଦିନାର ରସକୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ।କୋଡ଼ିଏଟି ପୋଦିନା ପତ୍ର ଏବଂ କୋଡ଼ିଏଟି ତୁଳସୀ ପତ୍ର ନେଇ ସେଥିରେ ଦୁଇକପ୍ ପାଣି ମିଶାଇ ତାକୁ ଫୁଟାନ୍ତୁ। ପାଣି ମରି ମରି ଏକ କପ୍ ହେଇଗଲେ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏହି କାଢ଼ାକୁ ଦିନକୁ ଦୁଇଥର ପିଇବା ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳିଥାଏ।ବିଛା କିମ୍ବା କୌଣସି ବିଷାକ୍ତ କୀଟ ଦଂଶନ କରିଥିଲେ ବିଷ ହରଣ ପାଇଁ ଦଂଶନ ସ୍ଥାନରେ ପୋଦିନା ରସ କିମ୍ବା ଚଟଣି ଲଗାଇ ଦିଅନ୍ତୁ ଏବଂ ତିନି ଚାମଚ ପୋଦିନା ରସ ମିଶ୍ରି ମିଶାଇ ପିଇବାକୁ ଦିଅନ୍ତୁ।
No comments yet.
International,National
ଦ କୁଇଭର ବ୍ୟୁରୋ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକୀୟ ସ୍ପେଶ ଏଜେନ୍ସି (NASA) ସଫଳତାର ସହିତ ଐତିହାସିକ ଲଞ୍ଚ ଭାବେ ଆଜି NASA-ISRO ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ଉପଗ୍ରହକୁ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଇସ୍ରୋର ଜିଓସିଙ୍କ୍ରୋନିସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV-F16) ସାହାଯ୍ୟରେ ଆଜି ସନ୍ଧ୍ୟା 5.40ଟାରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ 20 ମିନିଟ୍ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି । ଏହି ଉପଗ୍ରହଟି 743 କିଲୋମିଟର ଉପରେ ରହି ପୃଥିବୀ ଉପରେ ତୀକ୍ଷ୍ଣ ନଜର ରଖିବ । ଦୁଇଟି ମହାକାଶ ସଂସ୍ଥା ଦ୍ବାରା ମିଳିତ ଭାବରେ ବିକଶିତ, ଏହି ଅନନ୍ୟ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ 98.40 ଢଳାଇବା ସହିତ 743 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ (SSO)ରେ ପ୍ରବେଶ କରାଯିବ । ଏହି ଉପଗ୍ରହଟି ଦିନକୁ 14 ଥର ପୃଥିବୀ ପରିକ୍ରମା କରିବ ଏବଂ ପ୍ରତି 12 ଦିନରେ ଦୁଇଥର ପ୍ରାୟ ସମସ୍ତ ଗ୍ରହର ଭୂମି ଏବଂ ବରଫ ପୃଷ୍ଠକୁ ସ୍କାନ କରିବ ।
State
ଦ କୁଇଭର ବ୍ୟୁରୋ :- ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି । ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର ।
ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି । ସୁଭଦ୍ରା ପୋର୍ଟାଲକୁ ମଧ୍ୟ ଅଗଷ୍ଟ ୯ରେ ପୁଣି ଖୋଲିବାକୁ ଯାଉଛି । ଏବେ ସୁଦ୍ଧା ୨ ଲକ୍ଷ ରିଜେକ୍ସନ୍ ଆସିଛି। ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ୍ ଥିଲେ ଆଉ ମିଳିବ ନାହିଁ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ପ୍ରଭାତୀ ପରିଡା । ଆହୁରି ମଧ୍ୟ ୯୩ ହଜାର ମହିଳା, ଯାହାକୁ ୬୦ ବର୍ଷ ହୋଇସାରିଛି ସେମାନେ ସିଧାସଳଖ SSEPD (Social Security & Empowerment of Persons with Disabilities) ଜରିଆରେ ଭତ୍ତା ପାଇଁ ବିବେଚିତ ହୋଇଛନ୍ତି। ତେଣୁ ସେମାନେ ମଧ୍ୟ ଏହି ସରକାରୀ ଯୋଜନାରୁ ବାଦ ପଡିବେ । ନୂଆ ଆବେଦନକାରୀ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ବି ନାଁ କାଟିଦେବେ ସରକାର । ଅତି ସହଜରେ ବୁଝିବାକୁ ଗଲେ, ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ ୩ଟି କିସ୍ତିର ସୁଭଦ୍ରା ଟଙ୍କା ଅର୍ଥାତ ୧୫ ହଜାର ଟଙ୍କା ସିଧାସଳଖ ଖାତାକୁ ଆସିବ । ଏକାବେଳେ ୩ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ । ଏମିତି ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଥାଉକି, ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇ ଥର ୫ ହଜାର ଟଙ୍କା ଲେଖାଏ ପଠାଉଛନ୍ତି ରାଜ୍ୟ ସରକାର । ଏହି ଭଳି ଭାବେ ଜଣେ ହିତାଧିକାରୀ ମୋଟି ୧୦ଟି କିସ୍ତି ପାଇବେ । ମୋଟ ୫୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ସରକାର ।
State
ଦ କୁଇଭର ବ୍ୟୁରୋ :- ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।
ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ ସ କହିନଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ଛାତ୍ରୀ Iଫଳରେ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ବି ପ୍ରଶ୍ନ ଉଠିବା ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ ପି କଳ୍ପନାଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଗସ୍ତରେ ଯାଇ ଅନ୍ୟ ପ୍ରମାଣ ସଂଗ୍ରହ ଲାଗି ପଚରାଉଚରା କରାଯାଇଛି । ଏବେ ସ୍ଥାନୀୟ ଲୋକ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ । ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍ ବ୍ୟାକ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସୁଭଦ୍ରା ଟଙ୍କା ମହିଳାମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି । ଏହା ସହ ୨୧ ବର୍ଷ ହେବା ପରେ ନୂଆ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଯୋଜନାର ତୃତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଅଗଷ୍ଟ ୯ ତାରିଖରେ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର ।ସୂଚନା ଥାଉ କି ରାଜ୍ୟର ବିଜେପି ସରକାର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତି ୬ ମାସରେ ୫ ହଜାର ଟଙ୍କା ପାଉଛନ୍ତି । ଯାହା ରାଜ୍ୟର ମହିଳା ମାନଙ୍କ ବିକାଶରେ ସହାୟକ ହେଉଥିବା ସରକାର କହୁଛନ୍ତି ।
State
ଦ କୁଇଭର ବ୍ୟୁରୋ:- ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ ।
State,National,International
ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଆର.ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ଙ୍କୁ ପରିସ୍ରା ପିଆଇବା ଘଟଣାରେ ପୋଲିସର ତଦନ୍ତ । RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ । ଘଟଣାରେ RWSS କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ପାଣିରେ ପରିସ୍ରା ନମୁନା ବାହାରିଥିଲା । ପାଣି ବଦଳରେ ତାଙ୍କୁ ପରିସ୍ରା ଦିଆଯାଇଥିବା ଯନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଘଟଣାରେ କୌଣସି ତଦନ୍ତ କରାଯାଇନଥିଲା । ଏନେଇ ଗତ ବୁଧବାର ଦିନ ଯନ୍ତ୍ରୀ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜର୍ଜ ପରିସରରେ ନବନିର୍ମିତ ବିଭିନ୍ନ ଗୃହର ଶୁଭ ଉଦଘାଟନ ହୋଇଛି।ବୁଧବାର ମଧ୍ୟାହ୍ନ ସମୟରେ ଜିଲ୍ଲା ଓ ଦୌରା ଜର୍ଜ ଡ଼ା.ଭାଗ୍ୟଲକ୍ଷ୍ମୀ ରଥ ଶୁଭ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଦୁଇ ବରିଷ୍ଠ ଆଇନଜୀବି ଶିଶିର ପାଢ଼ୀ ଓ କିଶୋର ବିଷୋୟୀ ରିବନ୍ କାଟିଥିଲେ।କୋର୍ଟ ପରିସରକୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ତିନୋଟି ବର୍ଗଙ୍କ ପାଇଁ ଶୌଚାଳୟ, ମାଆ- ଶିଶୁ କକ୍ଷର ଶୁଭ ଉଦଘାଟନ ହୋଇଛି। ଏହାଦ୍ଵାରା କୋର୍ଟ ପରିସରର ପରିମଳ ପରିଚ୍ଛନ୍ନତା ରହିବା ସହ ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଇନଜିବୀ ମାନେ କହିଛନ୍ତି। ଶୁଭ ଉଦଘାଟନରେ କୋର୍ଟର ସମସ୍ତ ଜର୍ଜଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାସହ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ଟି. ଭେଙ୍କଟ ରାଓ, ଉପ ସଭାପତି ଟି.କେ ରେଡ୍ଡୀ, ସହ ସଂପାଦକ ଅସିତ କୁମାର ସାବତଓ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜୀବ ପାଣିଗ୍ରାହିଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ରହି ସହଯୋଗ କରିଛନ୍ତି।
State
ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।
State,Education
ଦ କୁଇଭର ବ୍ୟୁରୋ:- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନେଇ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଇନ୍ଫ୍ରା ଆପ୍ ‘ୱସମ୍’ (ଅଙ୍ଗନବାଡ଼ି ୱେଲଫେୟାର୍ ଆଣ୍ଡ୍ ସର୍ଭିସ୍ ଓଭର୍ସାଇଟ୍ ମନିଟରିଂ ଏଭ୍ରିହୋୟାର)କୁ ଲୋକାର୍ପଣ କରିଛନ୍ତି। ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖକୁ ସେ ‘ଆସ ଯିବା ଅଙ୍ଗନବାଡ଼ି’ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡ଼ିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ କୋ-ଅପରେସନ୍ ଆଣ୍ଡ୍ ଚାଇଲ୍ଡ ଡେଭେଲପ୍ମେଣ୍ଟ (ଏନ୍ଆଇପିସିସିଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟ ହେବ ବୋଲି ଏନ୍ଆଇପିସିସିଡିର ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି। ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ, ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ଇତିଶ୍ରୀ ଦାସ ପେନ୍ସନ୍ ରୁଲ୍, ଲିଭ୍ ରୁଲ୍ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।
State
କଟକ( ଦ କୁଇଭର ):- ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି ସୁପାରିସ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରୀ ନିଷ୍ପତ୍ତି ଦ୍ବାରା ଆବେଦନକାରୀ ଶିକ୍ଷକ ପ୍ରଭାବିତ ହୋଇଥିବା ଦର୍ଶାଯାଇଥିଲା। ଏଭଳି ନୀତିଗତ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ। ଏପରି ନିଷ୍ପତ୍ତି ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଦର୍ଶଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।ସାଂସଦ ଓ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବଦଳି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।
State
ଢେଙ୍କାନାଳ( ଦ କୁଇଭର ):- ଢେଙ୍କାନାଳ ହିନ୍ଦୋଳରେ ହାତୀ ଆତଙ୍କ । ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ହିନ୍ଦୋଳ ବାଗଧରିଆ ଗାଁର କରୁଣାକର ଦେହୁରୀ ଏବଂ ଝୁଲଣ ଦେହୁରୀ । ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ମହିଳା ଜଣଙ୍କ ମଧ୍ୟ ସେହି ଗାଁର ଶଶି ସାହୁ । ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତି କରାଯାଇଛି । ଏବେ ବି ଘଟଣା ସ୍ଥଳରେ ପହଂଚିନି ବନବିଭାଗ । ହିନ୍ଦୋଳ ସାତମାଇଲ ଛକରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଅଟକିଛି ଶହ ଶହ ଗାଡ଼ି । କ୍ଷତିପୂରଣ ସହ ହାତୀ ଆତଙ୍କ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତାରୋକ କରାଯାଇଛି । ଫଳରେ କଟକ- ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଛି ।
State
ଦ କୁଇଭର ବ୍ୟୁରୋ :- ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ତଥା ଗୃହହୀନଙ୍କୁ ବାସଗୃହ ଯୋଗାଇବା ଦାବିରେ ଆଜି ଧରାକୋଟ ବ୍ଳକର ଶହ ଶହ ସଂଖ୍ୟାରେ ଗରିବ ଲୋକ ବ୍ଳକ୍ ଅଫିସକୁ ଘେରାଉ କରିଥିଲେ । ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥାନୀୟ ହସ୍ପିଟାଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବ୍ଳକ ଅଫିସ୍ ଠାରେ ପହଞ୍ଚିଥିଲା । ସେଠାରେ ସଂଗଠନର ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟର ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟର ଗରିବ ଲୋକ ବିଶେଷ କରି ଦଳିତ ଓ ଆଦିବାସୀମାନଙ୍କୁ ପ୍ରତାରିତ କରି କେବଳ ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ସେବା କରୁଛି ବୋଲି କହିଥିଲେ । ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣର ଉଦାହରଣ ଦେଇ ସରକାର ଆଦାନୀ ଓ ଟାଟା ପରି ବଡ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ସେ ଅଞ୍ଚଳର ୨୩ଟି ଆଦିବାସୀ ଗାଁକୁ ଉଜାଡିବାକୁ ଯାଉଛନ୍ତି ବୋଲି କହିଥିଲେ । ସେହିପରି ରାଜ୍ୟରେ ଭୂମିହୀନ ଲୋକଙ୍କୁ ଜମି ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ଜଣକୁ ବି ଦେବାରେ ସଫଳ ହୋଇନାହାନ୍ତି ବୋଲି ସମାଲୋଚନା କରିଥିଲେ । ନିକଟରେ ଧରାକୋଟ ବ୍ଳକରେ ଗୋ ସୁରକ୍ଷା ନାଁରେ ବଜରଙ୍ଗ ଦଳର ତଥାକଥିତ ଗୋ ରକ୍ଷକମାନେ ଦୁଇ ଜଣ ଦଳିତ ବ୍ୟକ୍ତିଙ୍କୁ ଅମାନୁଷିକ ଅତ୍ୟାଚାର ଓ ନିର୍ଯ୍ୟାତନା ଦେବା ଘଟଣାରେ ଏଠାକାର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ନୀରବ ରହିବା ଏବଂ ପିଡୀତମାନଙ୍କୁ ଭେଟିବାକୁ ନଯିବା ସେମାନଙ୍କ ଦଳିତ ବିରୋଧି ମାନସିକତାକୁ ଦର୍ଶାଉଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, ଅରକ୍ଷିତ ଗମାଙ୍ଗ, ଦୟାନିଧି ସେଠୀ, ନରସିଂହ ଦଳବେହେରା, ସଞ୍ଜୟ ନାୟକ, ସନ୍ତୋଷ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଂଗଠନ ପକ୍ଷରୁ ୧୪ ଦଫା ସମ୍ବଳିତ ଏକ ସ୍ମାରକପତ୍ର ସେଠାରେ ଉପସ୍ଥିତ ତହସିଲଦାର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା । ଏଥିରେ ଭୂମିହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଅଧିକାର ଆଇନ୍ ଅନୁସାରେ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ, ଗୃହହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା, ଏମଜିଏନଆରଇଜିଏ ବା ମନରେଗା ଯୋଜନାରେ କାମ କରିବାକୁ ଚାହୁଥିବା ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇଦେବା, ରାସନ କାର୍ଡରୁ ବଞ୍ଚିତ ଗରିବ ଲୋକଙ୍କୁ ରାସନ୍ କାର୍ଡ ଦେବା ଆଦି ଦାବି କରାଯାଇଥିଲା ।
State
ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ OAS ବାବୁ । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ । ଅଭିଯୋଗ ବାବଦରେ ତାଙ୍କୁ ପଚରାଉଚରା ଚାଲିଛି । ତାଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।
Health & lifestyle
ଦ କୁଇଭର ବ୍ୟୁରୋ :- ଗୁଜୁରାତି ଏକ ଛୋଟ ସବୁଜ ରଙ୍ଗର ମସଲା,ଯେଉଁଥିରେ ଛୋଟ କଳା ମଞ୍ଜି ରହିଥାଏ l ବିଭିନ୍ନ ଖାଦ୍ୟରେ ସୁଗନ୍ଧ ଏବଂ ସ୍ୱାଦ ମିଶାଇବା ପାଇଁ ଗୁଜୁରାତି ବ୍ୟବହାର କରାଯାଏ l ଗୁଜୁରାତି ଏକ ଔଷଧୀୟ ଉଦ୍ଭିଦ ଭାବରେ ମଧ୍ୟ ଜଣାଶୁଣା, ଯାହାକୁ ଅନେକ ପ୍ରକାରର ରୋଗରେ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ | ଗୁଜୁରାତି ଭାରତରେ ମସଲାର ରାଣୀ ଭାବରେ ମଧ୍ୟ ଜଣାଶୁଣା | ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । କାର୍ବୋହାଇଡ୍ରେଟ୍, ଫାଇବର୍, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଲୌହ, ଫସଫସରସ୍ ତତ୍ତ୍ୱ ଥିବା ଏଇ ଗୁଜୁରାତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ l ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତର କମ୍ କରିଥାଏ ବୋଲି କୁହାଯାଏ । ଏହା ସିଷ୍ଟୋଲିକ ଓ ଡାଇଷ୍ଟୋଲିକ୍ କମ୍ କରିବାରେ ସହାୟକ ହୋଇଥାଏ ।ବ୍ଲଡ ପ୍ରେସରରେ ଏହାର ପ୍ରଭାବ ବି ରହିଛି । ଏହାର ପାଉଡର ଖାଇଲେ ଏହା ଶରୀରର ଚର୍ବି ଅଂଶ କମ୍ କରିଥାଏ । ନିୟମିତ ଗୁଜୁରାତି ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି l ଗୁଜୁରାତି ତେଲର ବାମ୍ଫ ନେଲେ ସର୍ଦ୍ଦି, କାଶ ଓ ହୃଦ ସମସ୍ୟା ଦେଖାଦେଇ ନ ଥାଏ । ନିୟମିତ ଗୁଜୁରାତି ଚା’ରେ ବ୍ୟବହାର କଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଖାଇବା ପରେ ନିୟମିତ ଗୁଜୁରାତି ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ । ହଜମ ସମସ୍ୟା ଥିଲେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । ଯେଉଁ ମାନଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥାଏ ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ଗୋଟେ ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନ ଭିତରେ ୨-୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।
ଫାଇବର ତତ୍ତ୍ୱ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ l ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ । ବିଶେଷଜ୍ଞଙ୍କ ମତରେ ଗୁଜୁରାତି ରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ତତ୍ତ୍ୱ ରକ୍ତଚାପ କମ୍ କରିବାରେ ରକ୍ତଚାପ ସାହାଯ୍ୟ କରେ । ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ । ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳ ବେଳା ପିଇଲେ ତାହା କାମ କରେ । କେତେଜଣଙ୍କ ପେଟ ଜ୍ୱାଳାପଡା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଷମ ମିଳେ । ବର୍ତ୍ତମାନ ସମୟରେ ହୃଦଘାତ ବା ହୃଦଜନିତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେଣୁ ହୃଦଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଦୁଇଟି ଗୁଜୁରାତି ଖାଇବା ଜରୁରୀ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଭରପୁର ଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରର ପୋଟାସିୟମ୍ ମାତ୍ରା ସନ୍ତୁଳିତ ରହିଥାଏ । ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଜୁରାତି ଖାଇବା ଦ୍ୱାରା ଶରୀରରୁ ଥଣ୍ଡା ମଧ୍ୟ କମ୍ ହୋଇଥାଏ । ଗୁଜୁରାତିକୁ ମାଉଥ୍ ଫ୍ରେସନର୍ ମଧ୍ୟ କୁହାଯାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଯଦି କୌଣସି ଯାତ୍ରା କରିବା ବେଳେ ଆପଣଙ୍କୁ ବାନ୍ତି ଲାଗୁଥାଏ ତେବେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ । ସେହି ପରି ଯଦି ଭାବୁଛନ୍ତି ଯାତ୍ରାର ପୁରା ସମୟ ବାନ୍ତି ହେବ ତେବେ ପୁରା ରାସ୍ତା ପାଟିରେ ଗୁଜୁରାତି ପକାଇ ରଖନ୍ତୁ ।
ଗୁଜୁରାତି ଖାଇବା ଦ୍ୱାରା ଏଥିରେ ଥିବା ଗୁଣ ବିବାହ ପରେ ଯୌନ ଜୀବନକୁ ସୁଖମୟ ରଖିଥାଏ । ଏହା ସହ ନଂପୁସକତା ଦୂର ଲାଗି ଏହା ଲାଭଦାୟକ ହୋଇଥାଏ ।ଦାନ୍ତ ଘଷିବା ପରେ ମଧ୍ୟ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମାଉଥ୍ ଫ୍ରେସନର ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରୁ ମଧ୍ୟ କୌଣସି ଲାଭ ମିଳି ନ ଥାଏ । ଏତେ ସବୁ କରିବା ଅପେକ୍ଷା ଗୋଟିଏ ଗୁଜୁରାତି ଖାଇ ନିଅନ୍ତୁ । ଯାହାର ଫାଇଦା ଆପଣମାନେ ଜାଣି ପାରିବେ । ଆଜିକାଲି ଲୋକ ମାନଙ୍କର ପାଖରେ ପାଚକତନ୍ତ୍ରର ସମସ୍ୟା ସାଧାରଣ ହୋଇଗଲାଣି । ଏଭଳି ସମସ୍ୟା ଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହା ଦ୍ୱାରା ପାଚକତନ୍ତ୍ର ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଗଳା ଦରଜ ହେଉଥିଲେ ବା କାଶ ହେଉଥିଲେ ଗରମ ପାଣି ସହିତ ଗୋଟିଏ ଗୁଜୁରାତି, ଖଣ୍ଡେ ଅଦା,ଗୋଟିଏ ଲବଙ୍ଗ ଏବଂ ୩-୪ଟି ତୁଳସୀ ପତ୍ର ଖାଆନ୍ତୁ । ଏପରି କଲେ ଗଳାର ସମସ୍ୟା ଦୂର ହୋଇଥାଏ l
Education,National
ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।
State
ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ହୋମିଓ ପାଥି ମେଡ଼ିକାଲ କଲେଜ ସମ୍ମିଳନୀ କକ୍ଷରେ 'ହରିଜନ ଓ ଆଦିବାସୀ ନିର୍ଯାତନା ମାମଲାର ନିରାକରଣ ତଥା ପ୍ରତିକାର' ସଂପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି ଶିବିରରେ ନିର୍ଯ୍ୟାତନା ଆଇନ ନେଇ ପ୍ରତିଷେଧକ ମୂଳକ ବ୍ୟବସ୍ତା ସମ୍ପର୍କରେ ଆଲୋଚନା ସହ ମହିଳାଙ୍କ କ୍ଷେତ୍ରରେ ଯୌନ ହିଂସା, ସୁରକ୍ଷା ଓ ଅନ୍ୟାନ୍ୟ ଆଇନ ସଂପର୍କରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନସେବା ପ୍ରାଧିକରଣ ସଦସ୍ୟ ଟିକେ ରେଡ୍ଡୀ, ସଦସ୍ୟା ଡ଼ା ମିନାକ୍ଷୀ ଦେବି,ସବିତା ସାହୁକାରଙ୍କ ସମେତ କଲେଜ ଅଧ୍ଯକ୍ଷା ଗୀତାଞ୍ଜଳି ପଟ୍ଟନାୟକ, ବୈଜୟନ୍ତମାଳା ପାଢ଼ୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମହିଳାଙ୍କ କ୍ଷେତ୍ରରେ ଯୌନହିଂସା, ଆଦିବାସୀ ଓ ହରିଜନ ନିର୍ଯ୍ୟାତନା ସଂପର୍କିତ ପ୍ରତିଷେଧକ ମୂଳକ ଆଇନରେ ପୀଡ଼ିତାଙ୍କ ପ୍ରତି ରହିଥିବା ବିଭିନ୍ନ ଆଇନ, ସୁରକ୍ଷା କ୍ଷତି ପୂରଣ ଆଦି ସଂପର୍କ ରେ ଆଲୋକପାତ କରି ଥିଲେ I
State
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସହରରେ ସୁଧୁରିବ ଟ୍ରାଫିକ ସମସ୍ୟା । ଟ୍ରାଫିକ ସମସ୍ୟା ସୁଧାରିବା ନେଇ ବିଇଏମସି ନେଇଛି ନୂଆ ପଦକ୍ଷେପ । ସହରରେ ଅଧିକାଂଶ ଉଠା ଦୋକାନୀ ଓ ଠେଲା ଗାଡ଼ିକ ଗୁଡ଼ିକ ରାସ୍ତା ଉପରେ ଆସି ବିଭିନ୍ନ ସାମଗ୍ରୀ ବିକ୍ରିବଟା କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ବିଇଏମସି ପକ୍ଷରୁ ନୂତନ ଭାବେ ୬ଟି ଏନଫୋସ୍ମେଣ୍ଟ ଟିମ୍ ଗଠନ କରାଯାଇଛି । ପ୍ରଥମେ କିଛି ଦିନ ଧରି ଏହି ୬ଟି ଟିମ ଏକାଠି ହୋଇ ସହରର ସମସ୍ତ ସାହି ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ରହିଥିବା ଉଠା ଦୋକାନୀ ଓ ଠେଲା ଗାଡ଼ି ବ୍ୟବସାୟୀଙ୍କୁ ରାସ୍ତା ଉପରେ ବ୍ୟବସାୟ ନ କରିବା ନେଇ ସଚେତନ କରିବେ । ଏହାର କିଛି ଦିନ ପରେ ତିନୋଟି ଟିମ୍ ସକାଳ ଓ ଆଉ ତିନୋଟି ଟିମ୍ ସନ୍ଧ୍ୟା ସମୟରେ ସହରରେ ବୁଲି ବୁଲି ବ୍ୟବସାୟୀଙ୍କୁ ସଚେତନ କରାଇବେ । କିଛି ଦିନ ଧରି ସଚେତନ କରାଯିବା ପରେ ମଧ୍ୟ ଯଦି ବ୍ୟବସାୟୀ ମାନେ ନିୟମକୁ ପାଳନ କରିବେ ନାହିଁ । ତେବେ ସେହି ଅମାନିଆ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହାଛଡ଼ା ଏହି ୬ଟି ଟିମ୍ କିଭଳି କାମ କରୁଛନ୍ତି ସେମାନଙ୍କର କାର୍ଯ୍ୟକୁ ଅନୁଧ୍ୟାନ କରିବା ନିମନ୍ତେ ସ୍ବତନ୍ତ୍ର ଭାବେ ଅଫିସର ମଧ୍ୟ ନିଯୁକ୍ତ ଅଛନ୍ତି । ଦୁଇଟି ନୂତନ ଭାବେ ଏନଫୋସମେଣ୍ଟ ଅଧିକାରୀ ମଧ୍ୟ ନିଯୁକ୍ତି ହୋଇଥିବା ବେଳେ ଏନଫୋସମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା ଏକ ମାସ ସୁଦ୍ଧା ଠେଲା ଗାଡ଼ି ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ନେଇ ହେଉଛି ଟ୍ରାଫିକ ସମସ୍ୟାରୁ ସହରବାସୀଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ବିଇଏମସି କମିଶନର ।
State
ବ୍ରହ୍ମପୁର ( ଦ କୁଇଭର ):- ବୁଧବାର ବିଏମସି ଅସ୍ଥାୟୀ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖା ତରଫରୁ ବିଭିନ୍ନ ଦାବି ନେଇ ବିଏମସି କାର୍ଯ୍ୟାଳୟ ଘେରାଉ କରାଯିବା ସହ କମିସନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।ଅସ୍ଥାୟୀ କର୍ମଚାରୀଙ୍କ ଇପିଏଫ୍ ସମ୍ପର୍କିତ ସମସ୍ୟାର ସମାଧାନ, ସ୍ବାସ୍ଥ୍ୟ ବିଭାଗରେ ଅବସର ପରେ ପୁନଃ ଥଇଥାନ ନିଯୁକ୍ତି ପାଇଥିବା ବରିଷ୍ଠ କିରାଣିଙ୍କୁ ବହିଷ୍କାର ଓ ଆଉଟସୋସିଂ କର୍ମଚାରୀଙ୍କ ଭଳି ଦୀର୍ଘବର୍ଷ ଧରି ନିଗମରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ରବିବାର ଦିନର ମଜୁରୀ ପ୍ରଦାନ ଭଳି ୩ଦଫା ଦାବିରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ସଂଘ ପକ୍ଷରୁ ବିଇଏମ୍ସି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କମିଶନରଙ୍କୁ ଭେଟି ଆଲୋଚନା କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି | ସଂଘର ଦାବି ସମ୍ପର୍କରେ ସମୀକ୍ଷା କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବାକୁ କମିଶନର ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି I ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ଡି. ସୂର୍ଯ୍ୟ ପ୍ରକାଶ ରାଓ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ସୁନ୍ଦର ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।