ବ୍ରହ୍ମପୁର( ଦ କୁଇଭର ):- ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଏନକାଉଣ୍ଟର କରିଛି ଗୋଳନ୍ଥରା ପୋଲିସ । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କବିସୂର୍ଯ୍ୟନଗର ଆଇବି ରୋଡ୍ର ସୁନୀଲ ନାହାକ ଓରଫ୍ ମଲ୍ଲ ଭାବରେ ପରିଚିତ ରହିଥିବା ବେଳେ ତାଙ୍କ ନାମରେ ପୂର୍ବରୁ ୨୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଦୁଇଟି ହତ୍ୟା ମାମଲା ସମେତ ହତ୍ୟା ଉଦ୍ୟମ, ଗୁଳିମାଡ଼, ଚୋରି,ଡକାୟତି ଭଳି ଅନେକ ମାମଲା ରହିଛି । ଏହି ଅପରାଧୀକୁ ଧରିବା ପାଇଁ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ସୁନିଲକୁ ଗିରଫ କରିବା ପାଇଁ ଉପାୟ ପାଞ୍ଚିଥିଲେ l ଯୋଜନା ପ୍ରକାରେ, ଶନିବାର ସକାଳେ ହୋଇଥିବା ଏନକାଉଣ୍ଟର ରେ ପୋଲିସ ଉପରକୁ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳେଇଥିବା ଏବଂ ତାହା ପୋଲିସର ଗାଡିକୁ ବାଜିଥିବା ସୂଚନା ମିଳିଛି l ତେବେ ବର୍ତ୍ତମାନ ପୋଲିସ କୁ ଏନକାଉଣ୍ଟର ପାଇଁ ଅନୁମତି ମିଳିଥିବା ବେଳେ ଅପରାଧୀଙ୍କ ଲମ୍ବା ତାଲିକା ପୋଲିସ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି l ତେବେ ଏସମସ୍ତ ଘଟଣା ଉପରେ ମତ ରଖିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l
ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷ କହିଛନ୍ତି, "ଗୋପାଳପୁର-ଗୋଳନ୍ଥରା-ନିମଖଣ୍ଡି ପୋଲିସ ଷ୍ଟେସନ ଭିତରେ ପୂର୍ବରୁ ଚେନ ଚୋରି ଅଭିଯୋଗ ହୋଈଥିଲା । ମହିଳାଙ୍କୁ ଟାର୍ଗେଟ କରାଯାଇ କିଛି ଅସମାଜିକ ବ୍ୟକ୍ତି ବାଇକରେ ଆସି ଚେନ ଝାମ୍ପିକି ନେଇଯାଉଥିଲେ, ଏମିତି କି ବନ୍ଧୁକରେ ଗୁଳିକାଣ୍ଡ କରାଯାଇଛି । ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କୁ ଟ୍ୟୁସନରୁ ଧରି ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା,ଏହାପରେ ଚେନ ଝାମ୍ପିକି ନେଇଯାଇଥିଲେ । ଏନେଇ ଆମର ଏକ ଟିମ୍ ଗଠନ କରାଯାଇଥିଲା । ସୁନୀଲ ବିଷୟରେ ଆମର ଟିମ୍ ସୂଚନା ପାଇବା ପରେ ସେଠାରେ ଚଢାଉ କରାଯାଇଥିଲା । ଏହି ସମୟରେ ପୋଲିସ ଟିମ୍ ଉପରେ ଅପରାଧୀ ଜଣଙ୍କ ଗୁଳିମାଡ କରିଥିଲା । ଏହାପରେ ପୋଲିସ ସୁନୀଲ ଉପରକୁ ଗୁଳିମାଡ କରିବାରୁ ତାର ବାମ ଗୋଡରେ ଗୁଳି ବାଜିଥିଲା । ତାଠାରୁ ବନ୍ଧୁକ, ଖୋକା ଓ କିଛି ଟଙ୍କା ଜବତ ହୋଇଛି । ବିଏନଏସ ଧାରାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ଖୁବଶୀଘ୍ର କୋର୍ଟ ପରଓ୍ବାଡ କରାଯିବ । "
ତେବେ ଉକ୍ତ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି l ତେବେ ଦେଖାଯାଉ ବ୍ରହ୍ମପୁର ପୋଲିସର ଏନ କାଉଣ୍ଟର ତାଲିକାରେ ଆଗକୁ କେଉଁ ଅପରାଧୀ ବଳି ପଡୁଛି l
No comments yet.
State
ଦ କୁଇଭର ବ୍ୟୁରୋ :- ବାୟୁ ମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ ନେଇ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବ । ଆସନ୍ତା ୫ ତାରିଖ ଯାଏଁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗି ରହିବ । ଯାହାକୁ ନେଇ ପାଣିପାଗ ବିଭାଗ ୟେଲୋ ଚେତାବନୀ ଜାରି କରିଛି । ଆଜି ଓ ଆସନ୍ତାକାଲି ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ।
State
ମାଲକାନଗିରି (ଦ କୁଇଭର ):- ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଠାରେ ଜିଲ୍ଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପିରାମଲ ଫାଉଣ୍ଡେସନ ରାଜ୍ୟ ପ୍ରୋଗ୍ରାମ ଡାଇରେକ୍ଟର ଗୋମତୀ ଶଙ୍କର କ୍ରିଷ୍ଣନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ସଂପୂର୍ଣ୍ଣତା ଅଭିଯାନରେ ଜିଲ୍ଲା ୪ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାର ଶ୍ରେୟ ଜିଲ୍ଲାବାସୀଙ୍କର । ସମସ୍ତଙ୍କ ମିଳିତ ସହଭାଗିତାରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆମେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢ଼ି ତୋଳିବାର ସଂକଳ୍ପ ନେବାକୁ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନେ ଏହି ବିରାଟ ସଫଳତା ରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସମସ୍ତେ ମିଳିମିଶି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବା। ସୂଚନା ଥାଉ କି ଆକାଂକ୍ଷା ହାଟ ୭ ଦିନ ପର୍ଯ୍ୟନ୍ତ ରହିବ। ଏହି ହାଟ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ଗୁଡ଼ିକୁ ବ୍ରାଣ୍ଡିଂ କରି ଅନଲାଇନ ପ୍ଲାଟଫର୍ମରେ ସାମିଲ୍ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କର ଆର୍ଥିକ ବିକାଶ ହେବ । ଏହି ହାଟ ରେ ଆଦିମ ବଣ୍ଡା ଜନଜାତିଙ୍କ ବିଡ୍ ୱାର୍କ ମାଳି, ସ୍ବାଭିମାନ ଅଞ୍ଚଳର ହଳଦୀ ଗୁଣ୍ଡ ଓ ପଣସ ଚିପ୍ସ ସ୍ଥାନ ପାଇଛି। ନୀତି ଆୟୋଗ ଅଧୀନରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଳକ୍ କାର୍ଯ୍ୟକ୍ରମରେ ୬ ଗୋଟି ବର୍ଗରେ ଜିଲ୍ଲାକୁ ସ୍ୱର୍ଣ୍ଣ ପଦକ ମିଳିଛି। ମାଲକାନଗିରି କୁ ଜିଲ୍ଲା ସ୍ତରରେ ଗୋଟିଏ ସ୍ୱର୍ଣ୍ଣ ଓ ଆକାଂକ୍ଷୀ ବ୍ଲକ୍ ଭାବେ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକ୍ କୁ ତିନି ଗୋଟି ସ୍ୱର୍ଣ୍ଣ ପଦକ ମିଳିଛି। ସମଗ୍ର ଦେଶରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ବିରଳ କୃତିତ୍ୱ ହାସଲ କରିବାରେ ମାଲକାନଗିରି ଏକମାତ୍ର ଜିଲ୍ଲା ଅଟେ। ଆକାଂକ୍ଷୀ ଜିଲ୍ଲା ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ୯ ରୁ ୧୧ ବର୍ଷର ଶିଶୁଙ୍କ ଟୀକାକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ ଓ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଆକାଂକ୍ଷୀ ବ୍ଲକ୍ ଅଧୀନରେ ଗର୍ଭବତୀ ମାଆ ମାନଙ୍କର ପ୍ରଥମ ଟୀକାକରଣ ପଞ୍ଜୀକରଣ, ମଧୁମେହ ରୋଗୀ ଚିହ୍ନଟ, ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟା, ସମ୍ପୂର୍ଣ୍ଣତା ପୋଷଣ ଅଭିଯାନ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପୂର୍ଣ୍ଣ ଚଳନ ରାଶି ପ୍ରଦାନ ରେ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି। ସେହିପରି ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବିଡିଓ, ସିଡିପିଓ, ଏମଓ, ଏମଓଆଇସି, ବିଏଓ ଓ ବିପିଏମଙ୍କୁ ପୁରସ୍କୃତ କରାଯାଇଛି। ଏହି ତିନି ଗୋଟି ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ, କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ, ଆଶା, କୃଷକ ସାଥି, ଭିଏଡବ୍ଲୁ, ଏଓ, ସିଆରପିସିଏମ ଓ ଏମବିକେଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଡି ଡିପିଏମୟୁ ଗୋଲକ ଚନ୍ଦ୍ର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
State
ଭୁବନେଶ୍ୱର( ଦ କୁଇଭର ):- ଦିଗପହଣ୍ଡି ବିଧାୟକ ତଥା ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମା'ଙ୍କ ଆଜି ଦେହାନ୍ତ ହୋଇଛି l ଏହି ଦୁଃଖଦ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଦ୍ଧାନ୍ତଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
State
ଦ କୁଇଭର ବ୍ୟୁରୋ :- ତିନି ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଶ୍ରାବଣ ମାସର ଦ୍ବିତୀୟାର୍ଦ୍ଧରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ କିଚିରି ମିଚିରି ଶବ୍ଦ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଆନନ୍ଦ ଆଣିଦେବ ବୋଲି ଆଶା କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କନିକା ରେଞ୍ଜ ଅଧିନରେ ମଠ ଆଡ଼ିଆ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆର ଅରଣ୍ୟ ଏବଂ ବୃକ୍ଷଲତାରେ ପର୍ଯ୍ୟାପ୍ତ ପରିମାଣର ଦେଶୀୟ ପକ୍ଷୀ (Country Bird) ବାସ କରନ୍ତି। ଗେଣ୍ଡାଳିଆ,ବଗ,ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ବାସ କରିଥାନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ କିଟ ପତଙ୍ଗ ସମେତ ଉଦ୍ୟାନକୁ ଲାଗିଥିବା ଚାଷ ଜମି ଏବଂ ଚିଙ୍ଗୁଡ଼ି ଘେରି ଗୁଡିକରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଥିପାଇଁ ଏହି ପକ୍ଷୀ ଗୁଡିକ ଅନ୍ୟ କୌଣସି ସ୍ଥାନକୁ ନଯାଇ ଜାତୀୟ ଉଦ୍ୟାନକୁ ନିଜର ବାସସ୍ଥାନ ଭାବେ ବାଛି ନେଇଛନ୍ତି। ୨୦୨୪ ମସିହାରେ ଦେଶୀୟ ପକ୍ଷୀ ମାନଙ୍କ ପାଇଁ ଏକ ନୂତନ ସ୍ଥାନ ବାଲିଡ଼ିଆ ଠାବ କରାଯାଇ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଜାତୀୟ ଉଦ୍ୟାନ ମଧ୍ୟରେ ଚିହ୍ନଟ ହୋଇଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଦେଶୀୟ ପକ୍ଷୀ ଗଣନା ଅନୁଯାୟୀ,ଜାତୀୟ ଉଦ୍ୟାନ ମଧ୍ୟସ୍ଥ ବିଭିନ୍ନ ସ୍ଥାନରୁ ୨୬,୧୧୮ଟି ବସା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ମୋଟ ୧,୨୩,୮୬୭ ଟି ଦେଶୀୟ ପକ୍ଷୀଙ୍କୁ ଗଣନା କରାଯାଇଥିଲା ଯାହାକି ୨୦୨୨ ମସିହା ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଠାରୁ ୭୭୯୭ଟି ଅଧିକ ଥିଲେ। ୨୦୨୨ ଦେଶୀୟ ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ,୨୪୬୬୪ ଟି ବସାରୁ ମୋଟ ୧,୧୬,୦୭୦ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା।
State
ଦ କୁଇଭର ବ୍ୟୁରୋ - କଥାରେ ଅଛି ଗାଲୁଆଙ୍କ ବାରବାଟି ଚାଷ । ଅର୍ଥାତ ଡ଼ାହା ମିଛ କହିଦେଇ ଚାଲି ଯାଉଥିବା ଲୋକଙ୍କୁ ଏହା କୁହଯାଏ । ଏବେ କାଳେ ଆସିଲାଣି ମହିଳା ଓ ଯୁବତୀଙ୍କ ମିଛର ବାରବାଟୀ ଚାଷ । ଆମେ ଏଠି ସମୂହ ମହିଳାଙ୍କ କଥା କହୁ ନାହୁଁ । ଆମେ କହୁଛୁ ସେହି ମହିଳା ମାନଙ୍କ କଥା ଯେଉଁମାନେ ମିଛ କହି ସମାଜ ଓ ଆଇନରୁ ଅନୁକମ୍ପା ନେବାକୁ ଲାଗିଛନ୍ତି । ନିଜେ ଭୁଲ କରୁଛନ୍ତି, କିନ୍ତୁ ଦୋଷ ଲଦୁଛନ୍ତି ସ୍ୱାମୀ ବା ପୁରୁଷ ମାନଙ୍କ ଉପରେ ।
ଏଫଏମ କଲେଜର ଅତି ଜଘନ୍ୟ ଘଟଣାରେ ନାରୀ ଯେ ନିର୍ଯ୍ୟାତିତ ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ରାଜଧାନୀରେ ଜଣେ ଓଏଏସ ଅଫିସରଙ୍କ କଥା ଦେଖେଇ ଦେଉଛି, ଯେ ଜଣେ ନାରୀ କିଭଳି ତାଙ୍କ ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇ ପାରନ୍ତି । ଘଟଣା କେତେ ଦୂର ସତ ବା ଓଏଏସ ଅଫିସରଙ୍କ କଥା କେତେ ଠିକ ତାହା ତ ତଦନ୍ତ ସାପେକ୍ଷ । କିନ୍ତୁ ଏହି କଥାକୁ ଯଦି ତର୍ଜମା କରିବା ତାହେଲେ ଜଳ ଜଳ ହୋଇ ଦିଶିବ, ମହିଳା ହିଁ ନିର୍ଯ୍ୟାତନା ଦେଉଛନ୍ତି ।
ଭୁବନେଶ୍ୱରର ହାଇପ୍ରୋଫାଇଲ ଘଟଣା । ଜଣେ ଓଏଏସ ଅଫିସର ଜଣେ ଯନ୍ତ୍ରୀଙ୍କୁ ବିବାହ କରିଥିଲେ । ବାହାଘର ବି ବେଶୀ ଦିନ ନୁହେଁ । ବାହାଘର ପରେ ପିଲା ହେଲା । ହସ୍ପିଟାଲରେ ଡିସଚାର୍ଜ ହେବା ପାଇଁ ପ୍ରସ୍ତୁତ ଥିବା ବେଳେ ମା\' ଓ ଛୁଆକୁ ଛାଡି ସ୍ୱାମୀ ହଠାତ ଚାଲିଗଲେ । ଚାଲିଗଲେ ଯେ ଆଉ ଫେରିବାକୁ ମଙ୍ଗିଲେନି ବୋଲି ଓଏଏସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ କେତେ କ\'ଣ ଅଭିଯୋଗ କରିଛନ୍ତି ।
ଓଏଏସ ଅଫିସର ଜଣଙ୍କ ତାଙ୍କ ପତ୍ନୀ ଆଉ ପିଲାଙ୍କୁ ନ ନେବାକୁ ଆସିବାରୁ କଥା ସାମ୍ନାକୁ ଆସିଥିଲା । ତାପରେ ମହିଳା ଥାନା ପର୍ଯ୍ୟନ୍ତ କଥା ଗଲା । ଅଭିଯୋଗ ଆସିଛି ଯେ ଅଫିସର ଜଣଙ୍କ ତାଙ୍କ ପତ୍ନୀ ଆଉ ପିଲାକୁ ଛାଡ଼ିଦେଇଛନ୍ତି । ଦିନେ ଦୁଇଦିନ ନିରବ ରହିବା ପରେ ଏବେ ଓଏଏସ ଅଫିସର ଖୋଲିଛନ୍ତି ମୁହଁ । ଆଉ ଓଏଏସ ଅଫିସରଙ୍କ କଥା ଶୁଣିଲେ ଯେ କେହିବି ଦରଦ ପ୍ରକାଶ କରିବେ ।
ଘରେ ବିଧବା ମା\' ଆଉ ସ୍ତ୍ରୀ । ମା\' ଓ ସ୍ତ୍ରୀ ଭିତରେ ସନ୍ତୁଳନ ରଖିବାକୁ ଯାଇ ବଡ଼ ନିର୍ଯ୍ୟାତିତ ହୁଅନ୍ତି । ମା\' ପ୍ରତି କର୍ତ୍ତବ୍ୟ କରିବାରେ କାଳେ ବାଧା ଦିଅନ୍ତି ସ୍ତ୍ରୀ । ସ୍ତ୍ରୀଙ୍କୁ ସବୁଦିନ ଦରକାର ଜୋମାଟରେ ଖାଇବା । ହୋଟେଲର ଖାଇବା ଖାଇ ଗର୍ଭସ୍ତ ଶିଶିକୁ ବି ଦୁର୍ବଳ କରିଦେଲେ । ତାହା ସତ୍ୱେ ବି କହୁଛନ୍ତି ନିର୍ଯ୍ୟାତନା କଥା । ପତ୍ନୀଙ୍କ ଗୋଡ଼ ଘସିବା ଠୁ ନେଇ ରୋଷେଇ କରିବା ପର୍ଯ୍ୟନ୍ତ ସବୁ ପ୍ରକାର କାମ କରନ୍ତି ଓଏଏସ ବାବୁ ଜଣଙ୍କ । ତା\'ପରେ ବି ଘରେ ସେ ଶାନ୍ତି ପାଆନ୍ତିନି । ସେଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଠିକ କି ଭୁଲ ତାହାତ କୋର୍ଟ କହିବେ, ଆଇନ କହିବ, ସମାଜ କହିବ । କିନ୍ତୁ ଥରେ ଭାବନ୍ତୁ ମହିଳା ଓ ଯୁବତି ମାନେ ଯଦି ଏଭଳି ମିଛ ଅଭିଯୋଗ ଆଣିବେ, ତାହେଲେ ଏଫଏମ କଲେଜ ଭଳି ଅନେକ ଘଟଣା ଘଟିବ ଯାହାକୁ କିଛିଦିନ ପରେ ବିଶ୍ୱାସ ବି କରାଯାଇ ପାରିବ ନାହିଁ । ସତ କହିଲେ ସବୁ ଠିକ ଚାଲିବ । ନ ହେଲେ ସବୁ ବିଗିଡିବ । ଦେଖାଯାଉ ଏହି ଘଟଣାର ଅନ୍ତିମ ପର୍ଯ୍ୟାୟ କ\'ଣ ହେଉଛି ? ଓଏଏସ ବାବୁ ଜଣଙ୍କ ଦଣ୍ଡ ପାଉଛନ୍ତି ନା ନିର୍ଯ୍ୟାତନାରୁ ମୁକ୍ତି ପାଉଛନ୍ତି?
National,State
ଦ କୁଇଭର ବ୍ୟୁରୋ :- ପୁଷ୍କରା' ଫିଲ୍ମ,ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅନେକ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ l ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ 'ପୁଷ୍କରା'କୁ ଜାତୀୟ ପୁରସ୍କାର । ସେହିପରି 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଓ 'ମୋ ବୋଉ, ମୋ ଗାଁ' ନାଁ ବି ମନୋନୀତ ହୋଇଛି । 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମରେ ମନୋନୀତ ହୋଇଥିବା ବେଳେ 'ମୋ ବୋଉ, ମୋ ଗାଁ' ପାଇଁ ପାଇବ ଜାତୀୟ ପୁରସ୍କାର । ଏଥିସହ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହା ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ।
State
ଦ କୁଇଭର ବ୍ୟୁରୋ :- ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ । ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ । ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ବ୍ୟୟ ହେବ ହେବ ୨ ହଜାର ୭୩୮ କୋଟି ଟଙ୍କା । ୫୭ ହଜାର ୫୨୫ ୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୪୧ ହଜାର ୭୨୫ ହେକ୍ଟର ଜମିକୁ ପୁନଃ ବ୍ୟବସ୍ଥା କରାଯିବ ।ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ । ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ msme ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଓଡ଼ିଶା ଦ୍ରବ୍ୟର ସେବା ଅଧିନିୟମ ସଂଶୋଧନ । ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁବିଧା ପାଇଁ ଉଦ୍ୟମ ।
ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧୁନିୟମ, ଭଳି ୩ ନୂଆ ଆଇନ ଅନୁସାରେ ଯାହା ସଂଶୋଧନ ଆବଶ୍ୟକ ଥିଲା କରାଯାଇଛି । ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ କରାଯାଇଛି । ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ, ୧୯୭୧ ସଂଶୋଧନ କରାଯାଇଛି । ରାଜ୍ୟରେ ପଡ଼ି ରହିଥିବା ମାମଲା ଗୁଡିକର ଭାର କମିବା ସହ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ । ଏହା ସହ ଜିଲ୍ଲା ମୁଖ୍ୟାଳୟ କୋର୍ଟ ଓ ଏହା ଅଧିନସ୍ତ ଅଫିସରେ ଲ ଅଫିସର ନିଯୁକ୍ତ କରାଯିବ।
State,Health & lifestyle
ଦ କୁଇଭର ବ୍ୟୁରୋ :: ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ । ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସ୍ପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ ଆଉ ସେବା ମିଳୁନି । ଏକ ପ୍ରକାର ହଲାପଟା ହେବାକୁ ପଡ଼ୁଛି । ଅନେକ ହସ୍ପିଟାଲ ଏବେ ଆୟୁଷ୍ମାନ ଭାରତ କାର୍ଡ଼ ଦେଖିବା ମାତ୍ରେ ଡରିଯାଉଛନ୍ତି । ରୋଗୀଙ୍କୁ ରେଫର କରିଦେଉଛନ୍ତି ଅନ୍ୟ ହସ୍ପିଟାଲକୁ । ରୋଗୀ ବିଚରା ଦହଗଞ୍ଜ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲୁଛି ।
ତେଣେ ସ୍ୱାସ୍ଥ୍ୟମନ୍ତ୍ରୀ ଲମ୍ବା ଲମ୍ବା କଥା କହୁଛନ୍ତି । ଯେ ଆମେ ୩ ମାସରେ ୨.୭ ଲକ୍ଷ ଲୋକଙ୍କୁ ଚିକିତ୍ସା ଦେଲୁଣି । ବାସ୍ତବ ସ୍ଥିତି କିନ୍ତୁ ଆୟୁଷ୍ମାନ ଭାରତରେ ପୂରା ଢିଲା । ହସ୍ପିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତ ଚିକିତ୍ସା ବାବଦ ପାଣ୍ଠି ମିଳୁନଥିବାରୁ ସେମାନେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି । ରୋଗୀ ଆୟୁଷ୍ମାନ କାର୍ଡ଼ ଧରି ଆସିଲେ ଚିକିତ୍ସା ନକରି ସରକାରୀ ହସ୍ପହସ୍ପିଟାଲକୁ ପଠାଉଛନ୍ତି, ନଚେତ ଚିକିତ୍ସା ପାଇଁ ମନାକରିଦେଉଛନ୍ତି । ସେଥିପାଇଁ ଲୋକେ କହିଲେଣି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଲ ଥିଲା । ଏମିତି କିଛି ବାଦବିବାଦ ବଢିବାରେ ଲାଗିଲାଣି ।
ନଜର ପକାଇବା ଆୟୁଷ୍ମାନ ଭାରତର କାର୍ଡ଼ ଉପରେ । ଆୟୁଷ୍ମାନ ଭାରତର କାର୍ଡ଼ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଦେଉଛି । କିନ୍ତୁ ବାସ୍ତବରେ ହସ୍ପିଟାଲ ଗୁଡିକୁ ଆୟୁଷ୍ମାନ ଭାରତ କାର୍ଡ଼ରେ ଯେଉଁ ବିଧିବ୍ୟବସ୍ଥା ରହିଛି ସେଥିରେ ଧନ୍ଦି ହେଉଛନ୍ତି । ସେଥିପାଇଁ ଏହି କାର୍ଡ଼ ଧାରିଙ୍କୁ ଚିକିତ୍ସା ଦେବାକୁ ପଛାଉଛନ୍ତି । ଇତି ମଧ୍ୟରେ ଅନେକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ଼ର ହିତାଧିକାରୀଙ୍କୁ ଚିକିତ୍ସା ଦିଆଯାଉନାହିଁ । ସିଧାସଳଖ ଫେରାଇଲେ ସରକାରଙ୍କ ରୋଷ ହେବ ବୋଲି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଯାହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରୋଗୀମାନେ ।
ଭୁବନେଶ୍ୱର ହେଉ କି କଟକ । ଘରୋଇ ହସ୍ପିଟାଲର ସ୍ଥିତିକୁ ଦେଖିଲେ ପ୍ରତ୍ୟେକ ଦିନ ପ୍ରାୟ ୫୦ ଭାଗ ଆୟୁଷ୍ମାନ ଭାରତର ହିତାଧିକାରୀ ଦହଗଞ୍ଜ ହେଉଛନ୍ତି । କିଛି ବଡ଼ ବଡ଼ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ପଇସା ଅଧିକ ନେବେ ବୋଲି ଚିକିତ୍ସା କରୁଛନ୍ତି । ମାତ୍ର ଚିକିତ୍ସା କମ୍ ଶୋଷଣ ଅଧିକ ହେଉଛି । ଏଭଳି ସ୍ଥିତି ଉପରେ ସରକାରଙ୍କର ନଜର ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କେବଳ ନିଜର ବାହାବାହା ଦେଖାଇବା ପାଇଁ ଗଣମାଧ୍ୟମକୁ କଥା କହି ରହିଯାଉଛନ୍ତି । ଥରେ ବାସ୍ତବ ସ୍ଥିତି ଦେଖନ୍ତୁ ସରକାର । ତା'ପରେ ଜଣାପଡ଼ିବ ଯେ ଆୟୁଷ୍ମାନ ଭାରତ କାର୍ଡ଼ରେ ଚିକିତ୍ସା ମିଳୁଛି ନା ଦଣ୍ଡ?
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି ।ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକାନନ୍ଦ ଓ ତାଙ୍କ ଟିମ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିବା ଜଣାପଡ଼ିଛି ।
State,National,International
ଦ କୁଇଭର ବ୍ୟୁରୋ :- ଜାପାନରେ ଆୟୋଜିତ ଏସିଆନ୍ କ୍ଲାସିକ୍ ପେସିଭିକ୍ ଆଫ୍ରିକାନ୍ ପାୱାରଲିଫ୍ଟିଙ୍ଗ୍ ଚାମ୍ପିଆନସିପ୍ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଓଡିଆ ଝିଅ ରଞ୍ଜିତା ମିଶ୍ର । ଶକ୍ତିଉତ୍ତୋଳନ କ୍ଷେତ୍ରରେ ରଞ୍ଜିତା ଜାପାନରେ ଏହି କ୍ରୀଡା କ୍ଷେତ୍ରରେ ରହିଥିବା ସ୍କେର୍ଟ (Squat) ରେ ୧୪୨.୫ କିଲୋ ଉଠାଇଥିବା ବେଳେ ବେଞ୍ଚରେ ୬୫ କିଲୋ ଏବଂ ଡେଡ୍ ଲିଫ୍ଟ (Deadlift) ରେ ୧୬୦ କିଲୋ ଉଠାଇଥବା ବେଳେ ସମୁଦାୟ ୩୬୭.୫ କିଲୋ ଗ୍ରାମ୍ ଉଠାଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରଞ୍ଜିତା ଏଭଳି ପ୍ରଦର୍ଶନୀ କରି ପୂର୍ବରୁ ରହିଥିବା ସମସ୍ତ ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ରଞ୍ଜିତା ଓଭରଅଲରେ ରୌପ୍ୟପଦକ ପାଇଥିଲେ । ତେବେ ୪ଟି ରେକର୍ଡ କରିଥିଲେ ରଞ୍ଜିତା । "ଚାରୋଟି ରେକର୍ଡ କରି ଜଣେ ଓଡିଆ ଝିଅ ତଥା ଭାରତୀୟ ଭାବରେ ବିଦେଶରେ ନିଜର କ୍ରୀଡା ପ୍ରଦର୍ଶନ ପାଇଁ ଗର୍ବିତ । ଏଥିପାଇଁ ବେଶ ଖୁସି ରହିଥିବା ବେଳେ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ," ପ୍ରଦାନ କରିଛନ୍ତି ରଞ୍ଜିତା ମିଶ୍ର । ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ରଞ୍ଜିତା ୫୦ ରୁ ୬୦ ବର୍ଷ ମଧ୍ୟରେ ରହିଥିବା ବୟସ ଗ୍ରୁପରେ ପ୍ରଦର୍ଶନ କରିଥିଲେ । ୮୪ କେଜି ବର୍ଗରେ ସେ ଭାଗ ନେଇଥିଲେ । ଏସିଆନ୍ କ୍ରୀଡାରେ ଓଡ଼ିଆ ଝିଅ ରଞ୍ଜିତାଙ୍କ ସଫଳତା ପାଇବା ପରେ ସେ ବର୍ତ୍ତମାନ କେରଳ ରାଜ୍ୟର କୁଜିକୋଟ ଠାରେ ଆୟୋଜିତ ହେଉଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା -୨୦୨୫ରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୪ ତାରିଖ ଠାରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ସଫଳ ହେଲେ ରଞ୍ଜିତା ଚଳିତବର୍ଷ ଡିସେମ୍ୱରରେ ଆୟୋଜିତ ହେବାକୁ ରହିଥିବା ୱାଲର୍ଡ ଚାମ୍ପିଆନସିପ୍ ଓ ପୁଣି ଏସିଆନ୍ ଚାମ୍ପିଆନସିପରେ ଭାଗନେବା ପାଇଁ ଚୟନ ହୋଇପାରିବେ ବୋଲି କହିଛନ୍ତି ।
State
ଦ କୁଇଭର ବ୍ୟୁରୋ :- ସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି । ଖାସ୍ ସେମାନଙ୍କ ଅବଦାନକୁ ମନେ ପକେଇବା ପାଇଁ କିଛି କଲେଜ୍ ଛାତ୍ରୀ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ଭାରତ ସୀମାରେ ରହି ଶତ୍ରୁଙ୍କ ସହ ଲଢ଼େଇ କରି ଆମକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ କରିଛନ୍ତି ଏମିତି ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଛନ୍ତି ରାକ୍ଷୀ । ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ କରିଥାଏ । ଏହି ପବିତ୍ର ଅବସରକୁ ଆଖି ଆଗରେ ରଖି ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଭାରତ ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାକ୍ଷୀ ପଠାଇଛନ୍ତି । ଏହା ସହ ସେମାନଙ୍କ ସୁରକ୍ଷା ପାଇଁ ଠାକୁରଙ୍କ ପ୍ରାର୍ଥନା କରିଛନ୍ତି ।ଏହା ମହାବିଦ୍ୟାଳୟର ଏକ ପରମ୍ପରା , ଯେଉଁଥିରେ ଛାତ୍ରୀମାନେ ପ୍ରତିବର୍ଷ ଯବାନ ଭାଇମାନଙ୍କୁ ରାକ୍ଷୀ ପଠାନ୍ତି । ଯାହା ଦେଶପ୍ରେମ ଓ ଭାଇଚାରାର ଏକ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରୁଛି ।
ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସୈନିକମାନଙ୍କୁ ପଠାଇବା ସହ ସେମାନଙ୍କ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପ୍ରାର୍ଥନା ଜଣାଇଥିଲେ ।ଛାତ୍ରୀମାନଙ୍କ ଏହି ଉଦ୍ୟମ କେବଳ ରାକ୍ଷୀ ପଠାଇବାରେ ସୀମିତ ନରହି ଦେଶପ୍ରେମ, ସାମାଜିକ ସଚେତନତା ଓ ଭାଇଚାରାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀମାନେ ନୂଆପିଢ଼ିଙ୍କ ମଧ୍ୟରେ ଦେଶ ପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି ।ଛାତ୍ରୀମାନଙ୍କ କହିବା ଅନୁଯାୟୀ ଦେଶର ସୁରକ୍ଷା ପାଇଁ ସୈନିକମାନେ ଦିନ ରାତି ବୋର୍ଡରରେ ରହି ଶତ୍ରୁମାନଙ୍କ କବଳରୁ ଆମକୁ ରକ୍ଷା କରୁଛନ୍ତି । ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ମଧ୍ୟ ସେମାନେ ନିଜ ଭଉଣୀ ଠାରୁ ଦୂରରେ ରହୁଛନ୍ତି । ତେଣୁ ଆମେ ସେହି ବୀର ଭାଇମାନଙ୍କୁ ଆହୁରି ସାହସୀ, ନିର୍ଭୀକ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ସୁରକ୍ଷା କବଚ ଭାବେ ରାକ୍ଷୀ ପଠାଉଛୁ । ଦେଶର ବୀର ଯବାନଙ୍କ ପାଇଁ ଛାତ୍ରୀମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
National,Education
ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୫ ଅଗଷ୍ଟ । ୯ ସେପ୍ଟମ୍ବର ସକାଳ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସଂଖ୍ୟା ୭୮୮ । ଇଲେକ୍ଟୋରାଲ କଲେଜରେ ଅଛନ୍ତି ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ ଓ ୧୨ ମନୋନିତ ସଦସ୍ୟ ଏବଂ ୫୪୩ ଲୋକସଭାର ନିର୍ବାଚିତ ସଦସ୍ୟ ।କିନ୍ତୁ ରାଜ୍ୟସଭାରେ ୫ ଓ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଛି ତେଣୁ ଭୋଟ ଦେବେ ୭୮୨ ଜଣ । ୨୧ ତାରିଖରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ୨୨ ତାରିଖରେ ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିଥିଲେ । ଏହା ପରେ ଖାଲି ପଡିଛି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ୯ ତାରିଖରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଆର.ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ଙ୍କୁ ପରିସ୍ରା ପିଆଇବା ଘଟଣାରେ ପୋଲିସର ତଦନ୍ତ । RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ । ଘଟଣାରେ RWSS କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ପାଣିରେ ପରିସ୍ରା ନମୁନା ବାହାରିଥିଲା । ପାଣି ବଦଳରେ ତାଙ୍କୁ ପରିସ୍ରା ଦିଆଯାଇଥିବା ଯନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଘଟଣାରେ କୌଣସି ତଦନ୍ତ କରାଯାଇନଥିଲା । ଏନେଇ ଗତ ବୁଧବାର ଦିନ ଯନ୍ତ୍ରୀ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
State
ଦ କୁଇଭର ବ୍ୟୁରୋ :- ବଳଙ୍ଗା ଘଟଣାରେ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ବିସ୍ଫୋରକ ସୂଚନା ପ୍ରଦାନ କରାଯାଇଛି। ପୁଲିସ କହିଛି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି।ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି।ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଥିବା ଅଭିଯୋଗ ହୋଇଥିଲା । ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।
State
ଦ କୁଇଭର ବ୍ୟୁରୋ :- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର। ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା। ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ। ଆରପାରିକୁ ଚାଲିଗଲେ ବଳଙ୍ଗା ପୀଡ଼ିତା। ହେଲେ ୧୫ ଦିନ ପରେ ବି ଅଭିଯୁକ୍ତଙ୍କର ଟେର୍ ପାଇଲାନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୁଲିସ ଟିମ୍। ଭୁବନେଶ୍ବର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଦିଲ୍ଲୀ ଯାଇ ମଧ୍ୟ ବୟାନ ରେକର୍ଡ କରିଥିଲେ ପୁଲିସ ଅଧିକାରୀ। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି। ତେବେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଯାଏଁ ଘଟଣାର ୧୫ ଦିନ ପରେ ବି ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇନି ପୁଲିସ। ପୀଡ଼ିତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି।
State,National
ଦ କୁଇଭର ବ୍ୟୁରୋ :- ଆଜି ୱାର୍ଲ୍ଡ ଫ୍ରେଣ୍ଡ୍ସିପ୍ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼।
ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍ ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ। ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଉପହାର ଆଦାନ ପ୍ରଦାନ କରି ଏହି ଦିବସକୁ ପାଳନ କରାଯାଏ।
ଜନ୍ମରୁ ପ୍ରତ୍ୟେକଙ୍କ ସମ୍ପର୍କ ବାପାମାଆ ଏବଂ ପରିବାର ସହିତ ଥାଏ। କିନ୍ତୁ ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ, ଯାହାକୁ ତିଆରି କରିବାକୁ ହୋଇଥାଏ। ଏହା ନିଜର ଭାବନା ଉପରେ ଆଧାରିତ ଏକ ସମ୍ପର୍କ। ପିଲାଟି ଦିନରୁ ଏକ ଶିଶୁ ନିଜ ହୃଦୟ ସହିତ ଅନ୍ୟ ପିଲା ସହ ଜଡିତ ହୁଏ ଓ ତା’ ସହିତ ଖେଳିବାକୁ ପସନ୍ଦ କରେ। ଉଭୟ ପରସ୍ପରର ସାଥ୍ ଦେବାକୁ ପସନ୍ଦ କରନ୍ତି, ତେଣୁ ସେମାନେ ପ୍ରତିଦିନ ପରସ୍ପର ସହିତ ଖେଳନ୍ତି।ସେମାନେ ବଡ ହେଲା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଏଭଳି ଭାବନା ଦେଖିବାକୁ ମିଳେ। ଘର ଏବଂ ପଡ଼ୋଶୀ ଠାରୁ ଆରମ୍ଭ କରି ସ୍କୁଲ୍-କଲେଜ ଏବଂ ଅଫିସ୍ ପର୍ଯ୍ୟନ୍ତ ଜଣେ ସବୁବେଳେ ଭଲ ବନ୍ଧୁର ସମର୍ଥନ ପାଇପାରେ। ନିଜର ସବୁ ସୁଖ ଦୁଃଖକୁ ସେ ବନ୍ଧୁ ସହିତ ଶେୟାର କରିପାରେ। ନିଜର ବିଶ୍ୱାସ, ସ୍ୱପ୍ନ ଆଉ ସବୁ ଗୁପ୍ତ କଥାକୁ ସେ ବାଣ୍ଟେ। ଜଣେ ବନ୍ଧୁ ହିଁ ସବୁବେଳେ ଉତ୍ସାହିତ କରିବା ସହ ସବୁବେଳେ ଉଚିତ ପରାମର୍ଶ ଦେଇଥାନ୍ତି।
ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।
ତେବେ ଯଦି ଏହି ବନ୍ଧୁତ୍ୱ ଦିବସର ଇତିହାସ ଦେଖିବା,ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ।
ଅନେକ ଉଦାହରଣ ମଧ୍ୟ ରହିଛି, ଏହି ଦିବସ ଆରମ୍ଭ ହେବା ପଛରେ,ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।
ଭାରତୀୟ ପରମ୍ପରାରେ ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି। ବନ୍ଧୁମାନେ ଆମ ଜୀବନର ସୁଖ-ଦୁଃଖ ସହିତ ରହିଥାନ୍ତି। ଯେତେବେଳେ ବି ବନ୍ଧୁତାର କଥା ଆସେ ସେତେବେଳେ କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱର ଉଦାହରଣ ଦିଆଯାଏ। କୃଷ୍ଣ-ସୁଦାମାଙ୍କର ବନ୍ଧୁତାରେ ସଚ୍ଚୋଟତା, ବଳିଦାନ ଏବଂ ସମ୍ମାନର ଭାବନା ଦେଖିବାକୁ ମିଳେ। ଏହା ହିଁ ହେଉଛି ପ୍ରକୃତ ବନ୍ଧୁତାର ପ୍ରତୀକ।କୁହାଯାଏ ପରିବାର ଈଶ୍ୱରଙ୍କ ବରଦାନ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣେ ଭଲ ବନ୍ଧୁ ବାଛିବା ପାଇଁ ସୁଯୋଗ ମିଳିଥାଏ। ଜଣେ ପ୍ରକୃତ ବନ୍ଧୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଛାଇ ପରି ରହିଥାଏ। ଏହା କେବଳ ଆମ ଜୀବନକୁ ସଫଳ କରେ ନାହିଁ ବରଂ ଖୁସି ମଧ୍ୟ ବାଣ୍ଟିଥାଏ।
ତେବେ ଏହି ବନ୍ଧୁତ୍ୱ ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଶୁଭକାମନା l
State
ଦ କୁଇଭର ବ୍ୟୁରୋ:- ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ ହୋଇଥିବା ବେଳେ ଘଟଣାରେ ଗତ ୩୦ ତାରିଖରେ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ନିକଟରେ ବୋର୍ଡର ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଅଭିଯୋଗ କରିଥିଲେ ।
State,Farming,National
ଦ କୁଇଭର ବ୍ୟୁରୋ :- ଚାଷୀ ପାଇଲେ ପିଏମ କିଷାନ ଟଙ୍କା l ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ପିଏମ କିଷାନର ୨୦ ତମ କିସ୍ତି ଚାଷୀଙ୍କ ଖାତାକୁ ଗଲା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।
State
ବ୍ରହ୍ମପୁର( ଦ କୁଇଭର ):- ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଏନକାଉଣ୍ଟର କରିଛି ଗୋଳନ୍ଥରା ପୋଲିସ । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କବିସୂର୍ଯ୍ୟନଗର ଆଇବି ରୋଡ୍ର ସୁନୀଲ ନାହାକ ଓରଫ୍ ମଲ୍ଲ ଭାବରେ ପରିଚିତ ରହିଥିବା ବେଳେ ତାଙ୍କ ନାମରେ ପୂର୍ବରୁ ୨୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଦୁଇଟି ହତ୍ୟା ମାମଲା ସମେତ ହତ୍ୟା ଉଦ୍ୟମ, ଗୁଳିମାଡ଼, ଚୋରି,ଡକାୟତି ଭଳି ଅନେକ ମାମଲା ରହିଛି । ଏହି ଅପରାଧୀକୁ ଧରିବା ପାଇଁ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ସୁନିଲକୁ ଗିରଫ କରିବା ପାଇଁ ଉପାୟ ପାଞ୍ଚିଥିଲେ l ଯୋଜନା ପ୍ରକାରେ, ଶନିବାର ସକାଳେ ହୋଇଥିବା ଏନକାଉଣ୍ଟର ରେ ପୋଲିସ ଉପରକୁ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳେଇଥିବା ଏବଂ ତାହା ପୋଲିସର ଗାଡିକୁ ବାଜିଥିବା ସୂଚନା ମିଳିଛି l ତେବେ ବର୍ତ୍ତମାନ ପୋଲିସ କୁ ଏନକାଉଣ୍ଟର ପାଇଁ ଅନୁମତି ମିଳିଥିବା ବେଳେ ଅପରାଧୀଙ୍କ ଲମ୍ବା ତାଲିକା ପୋଲିସ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି l ତେବେ ଏସମସ୍ତ ଘଟଣା ଉପରେ ମତ ରଖିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l
ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷ କହିଛନ୍ତି, "ଗୋପାଳପୁର-ଗୋଳନ୍ଥରା-ନିମଖଣ୍ଡି ପୋଲିସ ଷ୍ଟେସନ ଭିତରେ ପୂର୍ବରୁ ଚେନ ଚୋରି ଅଭିଯୋଗ ହୋଈଥିଲା । ମହିଳାଙ୍କୁ ଟାର୍ଗେଟ କରାଯାଇ କିଛି ଅସମାଜିକ ବ୍ୟକ୍ତି ବାଇକରେ ଆସି ଚେନ ଝାମ୍ପିକି ନେଇଯାଉଥିଲେ, ଏମିତି କି ବନ୍ଧୁକରେ ଗୁଳିକାଣ୍ଡ କରାଯାଇଛି । ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କୁ ଟ୍ୟୁସନରୁ ଧରି ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା,ଏହାପରେ ଚେନ ଝାମ୍ପିକି ନେଇଯାଇଥିଲେ । ଏନେଇ ଆମର ଏକ ଟିମ୍ ଗଠନ କରାଯାଇଥିଲା । ସୁନୀଲ ବିଷୟରେ ଆମର ଟିମ୍ ସୂଚନା ପାଇବା ପରେ ସେଠାରେ ଚଢାଉ କରାଯାଇଥିଲା । ଏହି ସମୟରେ ପୋଲିସ ଟିମ୍ ଉପରେ ଅପରାଧୀ ଜଣଙ୍କ ଗୁଳିମାଡ କରିଥିଲା । ଏହାପରେ ପୋଲିସ ସୁନୀଲ ଉପରକୁ ଗୁଳିମାଡ କରିବାରୁ ତାର ବାମ ଗୋଡରେ ଗୁଳି ବାଜିଥିଲା । ତାଠାରୁ ବନ୍ଧୁକ, ଖୋକା ଓ କିଛି ଟଙ୍କା ଜବତ ହୋଇଛି । ବିଏନଏସ ଧାରାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ଖୁବଶୀଘ୍ର କୋର୍ଟ ପରଓ୍ବାଡ କରାଯିବ । "
ତେବେ ଉକ୍ତ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି l ତେବେ ଦେଖାଯାଉ ବ୍ରହ୍ମପୁର ପୋଲିସର ଏନ କାଉଣ୍ଟର ତାଲିକାରେ ଆଗକୁ କେଉଁ ଅପରାଧୀ ବଳି ପଡୁଛି l