Banner Ad

ବାଇକ ଚୋରା ରାକେଟର ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ସହ ୬ ଗିରଫ, ୫ଟି ଚୋରା ବାଇକ ଉଦ୍ଧାର

ବାଇକ ଚୋରା ରାକେଟର ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ସହ ୬ ଗିରଫ, ୫ଟି ଚୋରା ବାଇକ ଉଦ୍ଧାର
Published by : Jyotshna Kumari
#State
Feb 2, 2025, 12:12 PM

ଯୋଡ଼ା( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରି ଏଥିରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ଚୋରା ବାଇକ ଉଦ୍ଧାର କରିଛି। ସୂଚନାନୁସାରେ ଯୋଡା ସହରର ଆମବାଗାନଠାରେ ରହୁଥିବା ବି. ଜୟ ରାମ ରେଡ୍ଡୀଙ୍କ ଘରୁ ବାଇକ ଚୋରି ହୋଇଥିବା ବେଳେ ଯୋଡାରୁ ଚୋରି ବାଇକ ଚମ୍ପୁଆ ଥାନାରେ ଜବତ ହୋଇ ଥିଲା। ଏହି ବାଇକ ଚୋରା ରାକେଟର ମାଷ୍ଟର ମାଇଣ୍ଡ ଯୋଡା ଵାଚୁ ହାଟିଂରୁ ଗିରଫ ହେବା ପରେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଯୋଡା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ବାଇକ ସହ ମୋଟ ୫ଟି ଚୋରା ବାଇକ ମଧ୍ୟ ଉଦ୍ଧାର କରିଛି। ଏହି ଚୋରମାନେ ଚୋରା ବାଇକରେ ଜାଲ ନମ୍ବର ଲଗାଇ ରାଜ୍ୟ ବାହାରେ କମ୍ ଦାମରେ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

କାଲିଠୁ ବଜେଟ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବଜେଟ୍‌ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ପହଞ୍ଚି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ ହୋଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ବୋଧନରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।ସେପଟେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ଆରମ୍ଭ ହୋଇଛି । ଶାସକ-ବିରୋଧୀ ଦଳର ନେତାମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶୃଙ୍ଖଳିତ ଗୃହକାର୍ଯ୍ୟ ସହ ଫଳପ୍ରଦ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅନୁମତି ଦେବାକୁ ଦାବି କରିବେ ବିରୋଧୀ ।

Politics,National

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

Blog Thumbnail

ମଣିପୁର( ଦ କୁଇଭର ):- ଅଶାନ୍ତ ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ। ରାଜ୍ୟପାଳଙ୍କ ସୁପାରିସ କ୍ରମେ ଗୁରୁବାର ଠାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମଣିପୁର ହିଂସାକୁ ନେଇ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଥିଲା ଶେଷରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମଣିପୁରରେ ମୈତାଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ମଣିପୁର । ଏହି ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହିଂସା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳିଥିଲା । ସଡକଠୁ ସଂସଦ ସବୁଠି ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦୀର୍ଘ ଦିନରୁ ଦାବି ହୋଇଆସିୁଥିଲା । ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ ।

State

ଅଙ୍ଗନବାଡି ଦିଦିଙ୍କ ଖାମଖିଆଲି,ଶିଶୁ ଗୁରୁତର

Blog Thumbnail

ଗଜପତି( ଦ କୁଇଭର ):- ଶିଶୁଙ୍କୁ ଘରୁ ଆଣିବା ଓ ଛାଡିବା ଦାଇତ୍ୱ ହେଉଛି ଅଙ୍ଗନବାଡି ଦିଦି ଏବଂ ସହାୟିକାଙ୍କର l କିନ୍ତୁ ତାହା ନ କରି ଶିଶୁଙ୍କୁ ମନ ଇଚ୍ଛା କେନ୍ଦ୍ରରୁ ଛାଡିଦେଇଥିବାରୁ ଶିଶୁ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବା ଜଣାପଡିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବ୍ଲକ ନିକଟରେ ଥିବା ମାଣିକେଶ୍ବରୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ରେ ପିଲା ମାନେ ଖାଇବା ପରେ ଅଙ୍ଗନବାଡି ଦିଦି ଶିଶୁ ମାନଙ୍କୁ ଛାଡି ଦେଇଥିଲେ, ଯାହା ଦ୍ୱାରା ୩ବର୍ଷ ର ଶିଶୁ କନ୍ୟା ଘରକୁ ଚାଲି ଯିବା ବେଳେ ଅଜଣା ବାଇକ ଧକ୍କା ଦେଇଥିଲା,ସ୍ଥାନୀୟ ଅଗ୍ନିଶମ ବିଭାଗ ଦେଖି ରକ୍ତାକ୍ତ ଶିଶୁ କନ୍ୟାକୁ ମୋହନା ମେଡିକାଲରେ ଭର୍ତ୍ତୀ କରିଛନ୍ତି,ଶିଶୁ କନ୍ୟାଟି କଥା କହିପାରୁନି କି ତାକୁ ଶୁଣା ଯାଉନଥିବା ଡାକ୍ତର ସୂଚନା ଦେଇଛନ୍ତି l ସାମାନ୍ୟ ଅଙ୍ଗନବାଡି ଦିଦିଙ୍କ ଭୁଲ ପାଇଁ ଶିଶୁଟି ଏଭଳି ଦୁର୍ଘଟଣା ର ଶିକାର ହେଲା ବୋଲି ଅଭିଭାବକ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଥାନା ଅଧିକାରୀ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି l

State

ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ହେଲେ ୧୨ ହଜାର

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି‌ ଯୋଜନା ଲାଗୁ ହେବ। କନ୍ୟା ସନ୍ତାନକୁ ପ୍ରୋତ୍ସାହନ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ମିଳିବ। ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହା ଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ।

State

ଛାଡପତ୍ର ରୋକିବାକୁ ବିଭିନ୍ନ ଯାଗାରେ ଖୋଲାଯିବ କାଉନସେଲିଂ ସେଣ୍ଟର : ରାଜ୍ୟ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ବଢୁଥିବା ବିବାହ ବିଚ୍ଛେଦ ସଂଖ୍ୟାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍‌ରେ କରାଯିବ କେଉନସେଲିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ଖୋଲାଯିବ ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ । ମାନସିକ ସ୍ଵାସ୍ଥ୍ୟ କୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହ କୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ।' ମଦରସ କୋର୍ଟ' କିମ୍ବା 'ମା ର ଛାଟ' ନାମରେ ଏହାକୁ ନାମିତ କରାଯିବ । ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Education

ଅନ୍ବେଷା ଛାତ୍ରୀବାସରୁ ଆସିଛି ସାଙ୍ଘାତିକ ଅଭିଯୋଗ

Blog Thumbnail

ଗଜପତି( ଦ କୁଇଭର ):- ଅନ୍ବେଷା ଛାତ୍ରୀବାସରୁ ଆସିଛି ସାଙ୍ଘାତିକ ଅଭିଯୋଗ , ଅନ୍ତେବାସୀଙ୍କୁ ଅସଦାଚରଣ ଭଳି ଦାୟିତ୍ଵରେ ଥିବା ସୁପରିନଟେଣ୍ଡେଣ୍ଟଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଛାତ୍ରୀଙ୍କୁ ନିଜ କୋଠରୀକୁ ଡ଼ାକି ଅସଦାଚରଣ କରିବା ପୁଣି ଅଧିକାଂଶ ସମୟରେ ମଦ ପିଇ ପିଲାଙ୍କୁ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳି ଗୁଲଜ ଓ ଦୁର୍ବ୍ୟବହାର କରି ଆସୁଥିବା ନେଇ ସମ୍ପୃକ୍ତ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି l


ସରକାରୀ ଛାତ୍ରୀ ବାସର ଦାୟିତ୍ଵରେ ଥିବା ଅଧିକାରୀ ଯଦି ନିର୍ଯ୍ୟାତନା ଦେବେ , ତେବେ ଅଭିଭାବକ ଭରସା କରିବେ କାହାକୁ। ଛାତ୍ରୀ ବାସରେ ସୁରକ୍ଷିତ ନାହାଁନ୍ତି ଛାତ୍ରୀ ତେବେ ପିଲା ପଢ଼ିବେ କେଉଁଠି। ସୁରକ୍ଷା ଦେବ କିଏ ? ଛାତ୍ରୀ ବାସ ଏକ ଦଣ୍ଡମୁକ୍ତ ଓ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ଵେ ଏଠି ଅନ୍ତେବାସୀ ମାନସିକ ଓ ଶାରିରୀକ ଅତ୍ୟାଚାରର ଶିକାର ହେଉଛନ୍ତି , ଯାହା ଏବେ ଅଭିଭାବକଙ୍କ ଚିନ୍ତାକୁ ବଢାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡାରେ ଥିବା ଅନ୍ଵେଷା ହଷ୍ଟେଲ ଭିତରେ ହେଉଥିବା ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ କିଛି ଦିନ ତଳେ ଏହି ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ମାଡ ମାରିବା ସହ ଧମକ ଦେଇ ଅସଦ୍ ବ୍ୟବହାର କରାଯାଇଥିବା ନେଇ ହୋଷ୍ଟେଲ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବ ଆଇନଜୀବୀ ମୋଜେଶ ଦଳ ବେହେରା । ଏଥିସହ ଗତ କିଛିଦିନ ପୂର୍ବେ ସୁପରିନଟେଣ୍ଡେଣ୍ଟଙ୍କ ନିର୍ଯ୍ୟାତନା ସହ୍ୟ କରି ନପାରି ଚାକିରି ଛାଡ଼ି ଚାଲି ଆସିଥିବା ମହିଳା ଓ୍ବାଡେନ ଜଣକ ମଧ୍ୟ ହୋଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କ କାରନାମାର ଖୁଲାସା କରିଛନ୍ତି। ଏନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତର ରିପୋର୍ଟ ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ସୁପରିଟେଣ୍ଡେଣ୍ଟ ଦୀର୍ଘବର୍ଷ ଧରି ସେଠାରେ କାର୍ଯ୍ୟ କରି ଆସୁଥିଲେ । ଏତେଦିନ ଧରି ପୁଣି ଜଣେ ପୁରୁଷ କର୍ମଚାରୀ ଛାତ୍ରୀବାସର ସୁପରିନଟେଣ୍ଡେଣ୍ଟ ଦାୟିତ୍ଵରେ ଗୋଟିଏ ଜାଗାରେ କିପରି ରହିଲେ ? ଏହା ଏବେ ସବୁଠାରୁ ବଡ ପ୍ରଶ୍ନ ।


ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ ଓ ଦୁର୍ବ୍ୟବହାର କରିଆସୁଛନ୍ତି। ଏ ନେଇ ଯେଉଁମାନେ ପ୍ରତିବାଦ କରୁଥିଲେ ସେମାନଙ୍କୁ ହୋଷ୍ଟଲରୁ ବାହାର କରିଦେବାର ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଆଇନଜୀବୀ । ତେବେ ପ୍ରାଥମିକ ସ୍ତରରେ ତଦନ୍ତର ଦିଗ ଆରମ୍ଭ ହେବା ପୂର୍ବରୁ ରାଜେନ୍ଦ୍ରଙ୍କୁ ସେହି ହୋଷ୍ଟଲ ଦାୟିତ୍ବରୁ ହଟାଇ ଦିଆଯାଇଥିବା ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଗଜପତି ଜିଲ୍ଲାରେ ପୂର୍ବରୁ ଅନେକଥର ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ର , ଛାତ୍ରୀଙ୍କୁ ଅସାଦ ଆଚରଣ କିମ୍ବା ଦୃବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜେଲ ପଠାଇବା ମଧ୍ୟ ନଜର ରହିଛି , ତେବେ ଏ କ୍ଷେତ୍ରରେ ପ୍ରଶାସନ ଘଣ୍ଟା ଘୋଡଉଚୁ ନାଁ ଜେଲ ପଠାଉଛି ତାହା ଦେଖିବାର କଥା |

State

ଡିଜିଟାଲ୍‌ ହେଲା ବିଧାନସଭା: ଆଜି ରାଜ୍ୟପାଳଙ୍କ ଅଭିଭାଷଣ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ ଡିଜିଟାଲ୍‌ ହାଉସ୍‌ର ଶୁଭାରମ୍ଭ କରିଛନ୍ତି। ଇ-ବିଧାନସଭା ଆପ୍ଲିକେସନ୍‌ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଧାନସଭା ଏକ ଡିଜିଟାଲ୍‌ ଯୁଗକୁ ଆଉ ଏକ ପାଦ ଆଗେଇଛି। ଆଜିଠାରୁ ବିଧାନସଭା ନେଭା ଡିଜିଟାଲ୍‌ ହାଉସ୍‌ ଭାବେ ପରିଗଣିତ ହେବ। ଏଣିକି ବିଧାନସଭାରେ ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ୍‌ ମାଧ୍ୟମରେ କରାଯିବ। ଏହାଦ୍ବାରା ବିଧାନସଭାର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଭାଇସରେ ରିଅଲ ଟାଇମ୍ ତଥ୍ୟ ପାଇପାରିବେ। ଗୃହର କାର୍ଯ୍ୟକ୍ରମର ଯେକୌଣସି ସମୟର ତଥ୍ୟ ସେହି ସମୟରେ ମିଳିପାରିବ। ଏକ ପେପରଲେସ୍ ହାଉସ ଭାବେ ଗୃହର ଗୌରବ ବୃଦ୍ଧି ହେବ। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ, ଓଡ଼ିଶା ବିଧାନସଭା ପାଇଁ ଆଜି ଏକ ସ୍ମରଣୀୟ ଦିନ। ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ର ଶୁଭାରମ୍ଭ ହୋଇଛି। ସମସ୍ତ କାଗଜପତ୍ରର ଇ-ଲେୟିଙ୍ଗ, ଇଲେକଟ୍ରୋନିକ୍‌ ପ୍ୟାଡ୍‌ ବ୍ୟବହାର ଜରିଆରେ ବାଚସ୍ପତି ଓ ସଚିବଙ୍କ ମଧ୍ୟମରେ ଯୋଗାଯୋଗ ରକ୍ଷା, ଗୃହକାର୍ଯ୍ୟ ସମୟରେ ନୋଟ୍‌ ବିନିମୟ ପାଇଁ ମନ୍ତ୍ରୀ ଓ ସଚିବଙ୍କ ଭିତରେ ଯୋଗାଯୋଗ ହୋଇପାରିବ। ବକ୍ତା ଓ ସଦସ୍ୟଙ୍କ ଆଲୋଚନା ସମୟ ପରିଚାଳନା ଆଦି ଅନେକ କାର୍ଯ୍ୟ ସମ୍ଭବ ‌ହୋଇପାରିବ ବୋଲି ସେ କହିଥିଲେ।ନେଭା’ ସଫ୍‌ଟୱେୟାର ଆପ୍ଲିକେସନ୍‌ କାର୍ଯ୍ୟକାରୀ ହେବା ସହ ଓଡ଼ିଶା ବିଧାନସଭା କାଗଜପତ୍ର ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଫଳରେ ଓଡ଼ିଶା ବିଧାନସଭାକୁ ସମ୍ମାନଜନକ ସିଏସ୍‌ଆଇ, ଇ-ଗଭର୍ଣ୍ଣାସ୍‌ ଆୱାର୍ଡ ଅଫ୍‌ ଏକ୍ସେଲେନ୍‌ସ (ସୁନା) ପୁରସ୍କାର ମଧ୍ୟ ମିଳିଛି। ୨୦୨୧ ବିଧାନସଭାରେ ‘ନେଭା’ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନ ଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକବୃନ୍ଦ, କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବ ଉମଙ୍ଗ ନରୁଲା, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ନୂଆଦିଲ୍ଲୀସ୍ଥିତ ‘ନେଭା’ର ମୁଖ୍ୟ ସଞ୍ଜୀବ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Sports

୧୪୨ରନ୍‌ରେ ହାରିଲା ଇଂଲଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍‌ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍‌ ୩୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୧୪ ରନ୍‌ କରିପାରିଛି। ଏଥି ସହିତ ଭାରତୀୟ ଟମ୍‌ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି। ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ୱାସିଂଟନ୍‌ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା।

State

ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର

Blog Thumbnail

ଦ କୁଇଭର ବ୍ୟୁରୋ :- ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି କରିବେ। ଏହା ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ। ୨ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି। ବିଦ୍ୟୁତ୍ ଦର ବଢ଼ାଇବାକୁ କେତେକ କମ୍ପାନୀ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି

State

ହଳଦିଆପଦର ଆକ୍ରମଣ ଘଟଣାରେ ଦୁଇ ବିଜେଡି ନେତା ହେଲେ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଗତ ୭ ତାରିଖ ସନ୍ଧ୍ୟାାରେ ହଳଦିଆପଦରଠାରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ୨ ବିଜେଡ଼ି ନେତାଙ୍କୁ ବାନ୍ଧିଲା ପୁଲିସ । ଗତ ଶୁକ୍ରବାର ସନ୍ଧ୍ୟାରେ ୪ଜଣ ଯୁବକ ୨ଟି ମୋଟର ସାଇକେଲରେ ଆସି ବିଜେପି ନେତା ସନତ ନାୟକ ଓ ସଲିପ ପାତ୍ରଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ନିକଟରେ ଥିବା ଫାଷ୍ଟଫୁଡ଼ ଦୋକାନୀ ଏବଂ ପରେ ଆଉ ଦୁଇଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ । ଗୁରୁତରମାନଙ୍କୁ ଆହତମାନଙ୍କୁ ଏମ୍କେସିଜି ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଏନେଇ ୫ଟି ମାମଲା ରୁଜୁ ହୋଇଥିଲା ଗୋଳନ୍ଥରା ଥାନାରେ । ପୁଲିସ ମାମଲା ରୁଜୁ କରି ଏହି ସଂକ୍ରାନ୍ତରେ ହଳଦିଆପଦର ହରିଜନ ସାହିର ସୁବାଷ ଦାସ,କିନିଷି ଗ୍ରାମ ଭଗବତି ନଗରର ଆଶିଷ ଦଳେଇ ଏବଂ ହଳଦିଆପଦରର ସଦାନନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିଜେଡ଼ି ନେତା ଅଜିତ ରାଉଳ ଓ ସୁବାଶିଷ ସାହୁ(ବଂଟି)କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା ବିବେକ ଏମ୍ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ଘଟଣାରେ ଘଟିଥିବା ବେଳେ ଦୁଇ ବିଜେଡ଼ି ନେତା ଏହାର ମାଷ୍ଟର ମାଇଣ୍ଡ ଥିଲେ ବୋଲି ଏସ୍ପି କହିଛନ୍ତି । ଏଭଳି ଅପରାଧିକ ଏବଂ ଆତଙ୍କରାଜ ଘଟଣା ଘଟାଇବା ପଛରେ ସୁବାଶିଷ ସାହୁ ଏବଂ ଅଜିତ ରାଉଳଙ୍କ ବିଶେଷ ଭୂମିକା ରହିଥିଲା ବୋଲି ଏସ୍ପି କହିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ରହିଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ବିବେକ ଏମ୍ ସୂଚନା ଦେଇଛନ୍ତି ।

State

କାଲି ଯାଏଁ ବିଧାନସଭାକୁ ମୁଲତବୀ, ଘୋଷଣା କଲେ ବାଚସ୍ପତି

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଥିଲା ବଜେଟ ଅଧିବେଶନର ପ୍ରଥମ ଦିନ। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖିଥିଲେ। ‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, ଓଡ଼ିଆ ଅସ୍ମିତା ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ହୋଇ ରହିଛି। ଓଡ଼ିଶା ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ।‘ମୋ ସରକାର ଧାନର ଏମଏସପି ୮୦୦ ଟଙ୍କା ବଢ଼ାଇଛନ୍ତି। ୧.୩୬ ଲକ୍ଷ ପଞ୍ଜିକୃତ କୃଷକଙ୍କ ପାଇଁ ଚାଷବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି। ଏଣେ ‘ସୁଭଦ୍ରା’ଯୋଜନାରେ କୋଟିଏ ମହିଳା ଲାଭବାନ ହୋଇଛନ୍ତି।ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ।

State

ଓଡ଼ିଶାରେ କମିବ ଖରାର ପ୍ରକୋପ

Blog Thumbnail

ଦ କୁଇଭର ବ୍ୟୁରୋ :- ତାତିରୁ ମିଳିବ ଆସ୍ବସ୍ତି । ଗତ କିଛିଦିନ ହେବ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପାରଦ ତଳମୁହାଁ ହୋଇଛି । ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି । ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଗରମ ମଧ୍ୟ କମ ହେବ ।

State

କରଞ୍ଜିଆରେ ଶିକ୍ଷକଙ୍କୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ

Blog Thumbnail

କରଞ୍ଜିଆ( ଦ କୁଇଭର ):- କରଞ୍ଜିଆ ଥାନା ଅଧୀନ କୁଆଁରିଆପାଲି ନିକଟରୁ ଫେବୃଆରୀ ୧୦ ତାରିଖ ଅପରାହ୍ନରେ ଯଶିପୁର ବ୍ଲକ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର ନାଥ ସିଙ୍କୁ ଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ଏହି ଘଟଣା ବାବଦକୁ ପରିବାର ଲୋକ କରଞ୍ଜିଆ ଥାନାରେ ଅଭିଯୋଗ କରିବା ପରେ ୪୫/୨୫ ନମ୍ବର କେଶ୍ ରୁଜ୍ଜୁ କରାଯାଇ ଥିଲା। ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏହି ଘଟଣାକୁ ଗୁରୁତର ସହକାର ନେଇଥିଲେ। କରଞ୍ଜିଆ ଥାନା ସବ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଭାର ସବ୍ ଇନ୍ସପେକ୍ଟର ଭାରତୀ ବାରିକଙ୍କୁ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରୀ ଟୋଲ ଗେଟ ର ସିସି ଟିଭି ଫୁଟେଜ ଓ ଫୋନ୍ ଟ୍ରାକିଙ୍ଗ ମାଧ୍ୟମରେ ପୋଲିସ ତାଳଚେର ନିକଟସ୍ଥ ଏକ ଜଙ୍ଗଲରୁ ଅପହରଣ ହୋଇଥିବା ଶିକ୍ଷକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ଅପହରଣରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କରଞ୍ଜିଆ ପୋଲିସ୍।ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ତାଳଚେର କିଶୋରୀପାଳ ଗାଁର ସୈାଭାଗ୍ୟ କୁମାର ଦାସ,ନାଲୋକୋ ଅମାତପୁର ବଳରାମ ପ୍ରସାଦ ଗାଁର ବ୍ରହ୍ମାନନ୍ଦ ନାଏକ, ତାଳଚେର ଥାନା, ବଡ଼ଦାଣ୍ଡ ସାହି ପ୍ରଭାତ କୁମାର ମହାନ୍ତିଙ୍କ ସହିତ ଜଣେ ନାବାଳକ ଥିବା ଜଣାପଡିଛି। ସେମାନଙ୍କ ସହ ଅପହରଣ ପାଇଁ ବ୍ୟବହୃତ ମାରୁତି କାର ନମ୍ବର ଓଡି ୧୯ ୱାଇ ୨୭-୯୦ ଗାଡ଼ି ମଧ୍ୟ ଜବତ କରାଯାଇଛିା ପ୍ରାଥମିକ ଶିକ୍ଷକ ଶ୍ରୀ ସିଂଙ୍କୁ ୟୁନିଟି ମେଟାର ଟୋକେନ, ଅନଲାଇନ ନେଟୱର୍କି°, କ୍ରିପ୍ଟୋ ଆଦି ଜରିଆରେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ପ୍ରାରମ୍ଭିକ ତଦନ୍ତ ରୁ ଜଣାଯାଇଛି। ଏହି ଘଟଣାକୁ ନେଇ ଜିଲ୍ଲା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା କରଞ୍ଜିଆ ଥାନାରେ ଆଜି ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀରେ ଜରିଆରେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି।



State

ଦିନିକିଆ ନୂଆପଡା ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

Blog Thumbnail

ନୂଆପଡା( ଦ କୁଇଭର ):- ଓଡିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦିନିକିଆ ଗସ୍ତରେ ଆସି ଗୁରୁକୂଳ ଆଶ୍ରମ ଆମସେନା ର ୫୮ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିଛନ୍ତି। ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ପ୍ଲେନ ରେ ଗୌତମା ଏୟାର ଷ୍ଟ୍ରୀପ ରେ ଅବତରଣ କରି ସଡ଼କ ପଥରେ ସେ ଆମସେନା ଠାରେ ଯୋଗ ଦେଇଥିଲେ। ଗତ ତିନିଦିନ ବ୍ୟାପୀ ଅନୁଷ୍ଠିତ ୨୦୧ କୁଣ୍ଡିଅ ଯଜ୍ଞ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ଦ୍ଵାରା ଏହି ଯଜ୍ଞ ଓ ସମ୍ମିଳନୀ ର ପୂର୍ଣ୍ଣାହୁତି ହୋଇଥିଲା l ଏହି ଉପଲକ୍ଷେ ଏକ ଛାତ୍ରା ବାସ ଭୂମିପୂଜନ ହୋଇଅଛି। ସ୍ବାମୀ ଧର୍ମାନନ୍ଦ ସରସ୍ବତୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଙ୍କ ୨୦୧ ତମ ଜନ୍ମ ବାର୍ଷିକୀ, ବିଦ୍ୱାନ ସମ୍ମିଳନୀ ମହିଳା ଆଚାର୍ଯ୍ୟ ସମ୍ମିଳନୀ ଓ ଧର୍ମ ସଂସ୍କୃତିର ଉତଥାନ ପାଇଁ ୨୦୧ କୁଣ୍ଡିୟ ସମାବେଶ ରେ ଉପସ୍ଥିତ ଅତିଥି ମାନେ ଗୁରୁକୁଳ ଆଶ୍ରମ ହେଉଛି ମଣିଷ ତିଆରି କାରଖାନା, ଏଥିରେ ହିନ୍ଦୁ ସନାତନ ଧର୍ମ ର ନୈତିକ ଶିକ୍ଷା ସହ ଆଧୁନିକ ଶିକ୍ଷା ପ୍ରଦାନ କରି ଏକ ସୁନ୍ଦର ଭାରତ ଗଠନ ର ଉଦ୍ଦେଶ୍ୟ ରଖା ଯାଇଛି । ବିଶେଷ କରି ଆର୍ଯ୍ୟ ସମାଜ ର ନୀତି ଆଦର୍ଶ ରେ ଏହି ଆଶ୍ରମ ରେ ପରିଚାଳିତ ହେଉଥିବା ବେଳେ ଅସହାୟ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର , ମାଁ ବାପା ଛେଉଣ୍ଡ ପିଲା ମାନେ ଭବିଷ୍ୟତ ଗଢ଼ିବା ରେ ଗୁରୁକୁଳ ଆଶ୍ରମ ଏକ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷ ରେ ଆଗାମୀ ଦିନ ରେ ସରକାରୀ ସ୍ତରରେ ସବୁ ପ୍ରକାର ସାମ୍ଭାବ୍ୟ ସୁବିଧା ସୁଯୋଗ ଏହି ଆଶ୍ରମ କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଅତିଥି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।



Education,State

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର : ୧୧ ହଜାରରୁ ବଢ଼ି ୧୬ ହଜାର ହେଲା ଦରମା

Blog Thumbnail

ଦ କୁଇଭର ବ୍ୟୁରୋ :- କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର ଶିକ୍ଷକମାନଙ୍କ ମାସିକ ଦରମାରେ ୪,୯୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୧୨ ତାରିଖରେ ଏକ ପ୍ରସ୍ତାବରେ, ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସେମାନଙ୍କର ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି, ସରକାର ସତର୍କତାର ସହିତ ବିଚାର କରିବା ପରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି।ଏନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ)ଙ୍କ ଦରମା ୧୧,୦୦୦ ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ।

Education

ନିଲମ୍ବନ ହେଲେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ

Blog Thumbnail

ପାରଳାଖେମୁଣ୍ଡି( ଦ କୁଇଭର ):-:ଅନ୍ୱେଷା ଛାତ୍ରୀ ନିବାସର ଛାତ୍ରୀ ଙ୍କୁ ନିର୍ଯାତନା କେଳେଙ୍କାରି ଘଟଣାରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ। ହଷ୍ଟେଲ ପରିଚାଳନା ଗତ ତୃଟି ସାଙ୍ଗକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ତାକୁ ଭିତ୍ତିକରି ନିଲମ୍ବନ ଆଦେଶ ଦିଆଯାଇଛି।ସୁଚନା ଥାଉକି ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ୱେସା ଛାତ୍ରଛାତ୍ରୀ ଓ ସେଠାକାର କର୍ମଚାରିଙ୍କ ଉପରେ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗକୁ ଭିତ୍ତିକରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ତ୍ୱର ହୋଇ ଉଠିଛି ପ୍ରଶାସନ ।ପ୍ରଥମେ ରାଜେନ୍ଦ୍ର ସାହୁଙ୍କୁ ଅନ୍ୱେସା ଦାୟିତ୍ବରୁ ହଟାଯାଇ ବଦଳି କରାଯାଇଥିଲା । ଏହାପରେ ଜନ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଦୁଇ ଟି ଟିମ ଗଠନ କରି ପୃଥକ ପୃଥକ ଭାବେ ବିଭିନ୍ନ ଦିଗକୁ ନେଇ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ତଦନ୍ତ କରିଥିଲେ । ଗତକାଲି ତଦନ୍ତ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।

Health & lifestyle

ମହାଧନ ଏଗ୍ରିଟେକ ଲିମିଟେଡ଼ ପକ୍ଷରୁ ମାଗଣା ସ୍ୱସ୍ଥ୍ୟ ଶିବିର

Blog Thumbnail

ବ୍ରହ୍ମପୁର( ଦ କୁଇଭର ):-:ମହାଧନ ଏଗ୍ରିଟେକ ଲିମିଟେଡ଼ ପକ୍ଷରୁ ଏକ ମାଗଣା ସ୍ୱସ୍ଥ୍ୟ ସେବା ଓ ସଚେତନତା ଶିବିର ଏମକେସିଜି ମେଡିକାଲ କଲେଜ ର ସୁନାମଧନ୍ୟ ଡାକ୍ତରଙ୍କ ଦ୍ୱାରା କାଲିପଲି ଗ୍ରାମରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦୩ ଜଣ ରୋଗୀ ଙ୍କୁ ମେଡିସନ, ଏଣ୍ଡକୋଲୋଜିଷ୍ଟ, ସ୍ତ୍ରୀ ରୋଗ ଓ ଦାନ୍ତ ବିଶେସଜ୍ଞ ଯୋଗ ଦେଇ ଚିକିତ୍ସା ସହ ଔଷଧ ବିତରଣ କରିଥିଲେ l କାଲିପଲି ଗ୍ରାମ ସରପଞ୍ଚ ଓ ଯୁବକ ମାନେ ସୁନ୍ଦର ଭାବେ ପରିଚାଳନା କରିବା ସହ ଚକ୍ଷୁ ଓ ରକ୍ତ ଦାନ ଶିବିର ଆୟୋଜନ ନିମନ୍ତେ ଅନୁରୋଧ କରିଥିଲେ l

State

ଜିନ୍ନତ ପାଇଁ ବଢ଼ିବ ଏନକ୍ଲୋଜର୍‌ ପରିସୀମା

Blog Thumbnail

ଶିମିଳିପାଳ( ଦ କୁଇଭର ):- ଶିମିଳିପାଳ ସୀମା ଡେଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ, ଏବେ ସ୍ୱତନ୍ତ୍ର ଏନକ୍ଲୋଜର୍‌ରେ ରହିଛି। ଜିନ୍ନତ ଦେହରେ ଲାଗିଥିବା କଲାର ଡିଭାଇସ୍ ଓ ଏନକ୍ଲୋଜର୍‌ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ତା ଗତିବିଧି ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ବନ ବିଭାଗ। ଏନକ୍ଲୋଜର ପରିସୀମାକୁ ବଢ଼ାଇ ଶିମିଳିପାଳର ଜଳବାୟୁ ସହିତ ଜିନ୍ନତକୁ ଖାପ ଖୁଆଇବା ପାଇଁ ଉଦ୍ୟମ କରାଯାଇଛି। ୧ ଏକର ବିଶିଷ୍ଟ ଏନ୍‌କ୍ଲୋଜର ପରିସୀମା ୮ ଏକର କରାଯିବ। ଜୀନ୍ନତକୁ କେବେ ଏନକ୍ଲୋଜର୍ ବାହାରକୁ ଛଡ଼ାଯିବ ତାହା ଏନ୍‌ଟିସିଏ ଏବଂ ମନିଟରିଂ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଶିମିଳପାଳରେ ମହାବଳଙ୍କ ବଂଶ ବୃଦ୍ଧି ଏବଂ ଜେନେଟିକ୍ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ରରୁ ଜିନ୍ନତ ଓ ଯମୁନାକୁ ଅଣାଯାଇଥିଲା।

State

ଟାଣଖରାରେ କଲବଲ ରାଜ୍ୟବାସୀ, ୩ ଦିନ ପରେ ପୁଣି ପୁଣି ବଢିବ ତାତି

Blog Thumbnail

ଦ କୁଇଭର ବ୍ୟୁରୋ :- ଫେବୃଆରୀରେ ଟାଇଁ ଟାଇଁ ଖରା l ଆସନ୍ତା ୩ ଦିନ ପରେ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିବା ବେଳେ ଦିନରେ ଡହ ଡହ ଖରାରେ ସିଝୁଛନ୍ତି ଲୋକେ । ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ନୂଆପଡା, ଗଜପତି ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ସମେତ ଅନୁଗୋଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି । ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି । ଗୁରୁବାର ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।