Join Us To Make A Difference

The Drops💧

ଭାଗବତ ଟୁଙ୍ଗିର ହେବ ପୁନରୁଦ୍ଧାର

ଭାଗବତ ଟୁଙ୍ଗିର ହେବ ପୁନରୁଦ୍ଧାର
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଘରେ ଘରେ ପହଞ୍ଚିବ ଭାଗବତ । ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗିର ହେବ ପୁନରୁଦ୍ଧାର । ଶ୍ରୀମଦ ଭାଗବତ ମହୋତ୍ସବ ଭକ୍ତି, ସମ୍ମାନ ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ । ଯୁବ ବର୍ଗଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରର କଟକ ରୋଡ ତେରାପନ୍ଥ ଭବନରେ ଆୟୋଜିତ ଶ୍ରୀମଦ ଭାଗବତ ମହୋତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଶ୍ରୀମଦ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ । ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ ଭାଗବତ ଗ୍ରନ୍ଥରେ ବର୍ଣ୍ଣିତ ପାଞ୍ଚଟି ମୂଳତତ୍ତ୍ୱ ଇଶ୍ବର, ଜୀବ, ପ୍ରକୃତି, କାଳ ଏବଂ କର୍ମକୁ ନେଇ ଏ ବିଶ୍ବ ସଞ୍ଚାଳିତ । ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା ହୋଇଥାଏ । ଏଥିପାଇଁ ସମସ୍ତେ ପ୍ରତ୍ୟହ ଭାଗବତ ପାଠ କରନ୍ତୁ । କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଥାଏ । ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ । ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସମସ୍ତଙ୍କ ଜୀବନରେ ନୀତିମୂଳକ, ଧର୍ମୀୟ ଓ ସାମାଜିକ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।"

Comments

Leave a Comment

Comments

No comments yet.

State

ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠାରେ ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଯେତେବେଳେ ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିଲା, ସେହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଅଜ୍ଞତାର ଅନ୍ଧକାର ଓ ଅସମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏଭଳି ଜଣେ ସନ୍ଥ ଥିଲେ, ଯିଏ ଅନ୍ଧ ବିଶ୍ୱାସ, ଜାତିପ୍ରଥା ଓ ସାମାଜିକ କୁସଂସ୍କାରକୁ ଚ୍ୟାଲେଞ୍ଜ କରିବାକୁ ସାହସ କରିଥିଲେ। ଶିକ୍ଷା, ମହିଳା ସଶକ୍ତୀକରଣ ଓ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା। ସ୍ୱାମୀ ଦୟାନନ୍ଦଙ୍କ ଦିଗ୍‌ଦର୍ଶନରେ ବାଲ୍ୟ ବିବାହକୁ ବିରୋଧ, ମହିଳା ଶିକ୍ଷାକୁ ଗୁରୁତ୍ୱ, ବିଧବା ପୁନଃବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆର୍ଯ୍ୟ ସମାଜ ଏକ ନୂଆ ବାର୍ତ୍ତା ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ରେଳ ପ୍ରେକ୍ଷାଳୟରେ ଆୟୋଜିତ ମହାସମ୍ମେଳନ-୨୦୨୫ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ୧୫୦ ବର୍ଷର ଇତିହାସକୁ ଦେଖିଲେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ। ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ବରଂ ଏହା ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ। ଆଜି ଆମେ ମହିଳାଙ୍କ ବିକାଶ ପାଇଁ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ତୃଣମୂଳସ୍ତରରେ ମହିଳାଙ୍କ ନେତୃତ୍ୱ ବିଷୟରେ ଯେଉଁ କାର୍ଯ୍ୟ କରୁଛୁ ତାହା ହେଉଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ମାର୍ଗଦର୍ଶନ। ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ଏବଂ ନିଜ ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ସମାଜସେବୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା, ଆର୍ଯ୍ୟ ପ୍ରତିନିଧି ସଭା ନୂଆଦିଲ୍ଲୀର ଉପସଭାପତି ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

National

ନିର୍ବାଚନ ପରେ ସରକାରୀ ଚାକିରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଏଠି ଚାକିରୀ କମ, ଆଶାୟୀ ବେଶି... ଇମାନ୍ଦରୀ କମ, ବେଈମାନ ବେଶି...ଏଠି ପାଠ ପଢି ଚାକିରୀ କରିବା ନୁହଁ, ମୋଟା ଅଙ୍କ ଦେଇ ଚାକିରୀ ହାତାଓ ନୀତି... କେତେବେଳେ ପ୍ରଶ୍ନପତ୍ର ଲିକ ତ ଆଉ କେତେବେଳେ ପଦବୀ ଉଭାନ...ସତେ ଯେମିତି ସରକାରୀ ଚାକିରୀ ସାତ ସପନ 


ଦର୍ଶକ ବନ୍ଧୁ,ଗ୍ରାଉଣ୍ଡ ଜିରୋ ଠୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି/ ଭ୍ରଷ୍ଟାଚାର/ ହିଂସା/ ଅରାଜକତା /ଅପରାଧ, ଏଠି ଅପରାଧୀକୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଫୁଲମାଳ ପକାଇ ବଡ଼ ବଡ଼ ଆସନ ଦିଆଯାଉଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୫ ମାସର ବିଜେପି ସରକାର ଆସିଲାଣି ତଥାପି ଉନ୍ନତି ସତେ ଯେମିତି ସାତ ଦରିଆ ପାରିରେ l ଲୋକଙ୍କ ପାଦ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିଦେବେ , ଲମ୍ବା ଲମ୍ବା ପଏଣ୍ଟ ଇସ୍ତାହାରରେ ରଖି,ଭୋଟ ଦିଅନ୍ତୁ ଆଉ ଦେଖନ୍ତୁ ଏ ସରକାର ଆପଣଙ୍କ ପାଇଁ କ'ଣ କରୁଛି,ଏସବୁ ଫିଲ୍ମ ଡ୍ରାମା ଭଳି ଲାଗିଲେ ମଧ୍ୟ ନିରାଟ ସତ୍ୟ କଥା l ଏଠି କୁଜିନେତା ଠୁ ଆରମ୍ଭ କରି ବଡ଼ ବଡ଼ ନେତା ଓ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ କେବଳ ଆଉ କେବଳ ବାହାସ୍ପଟ ମାରିବାରେ ବ୍ୟସ୍ତ କିନ୍ତୁ କାମ..... ଜିରୋ l


ଵିକାଶର ଆର ପାରିରେ ସତେ ଯେମିତି ଭାରତ ଆଉ ବିଶେଷ କରି ଓଡିଶା l ଦିନ କେଇଟାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ, ଯେପରିକି ବିହାରରେ ଏବଂ ଓଡିଶାର ନିମାପଡାରେ l 'ଭୋଟ ଚୋର, ଗଦି ଛୋଡ' ନାରା ଦେଉଥିବା କଂଗ୍ରେସ ବିହାରରେ ନିଜ କାୟା ବିସ୍ତାର କରିଥିବା ବେଳେ ବିଜେପି ମଧ୍ୟ ତୁହାକୁ ତୁହା ବିହାରକୁ ଆପଣଇବାପାଇଁ ସବୁ ରଣନୀତି,କଳ ବଳ କୌଶଳ ଲଗାଇବାରେ ଲାଗିଛି l


 ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ଲାଲୁ ନନ୍ଦନ ତେଜସ୍ୱୀ ଯାଦବ,ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବିହାରର ପ୍ରତ୍ୟେକ ପରିବାର ଯାହାଙ୍କ ପାଖରେ ସରକାରୀ ଚାକିରି ନାହିଁ,ସେମାନଙ୍କୁ ସରକାରୀ ଚାକିରି ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ ଏବଂ ୨୦ ମାସ ଭିତରେ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି l


ଏପରି ବଡ଼ ବଡ଼ ଇସ୍ତାହାର ପ୍ରତିଶୃତି ଓଡିଶା ସମେତ ସବୁ ରାଜ୍ୟ ଶୁଣିଛି ଆଉ ପରବର୍ତୀ ମୁହୂର୍ତ୍ତରେ କ'ଣ କ'ଣ ହେଉଛି, ଇତିହାସ ସାକ୍ଷୀ ଅଛି l ନିର୍ବାଚନ ସରିବା ପରେ ଯଦି ସରକାର ଗଢନ୍ତି ତାହେଲେ ମନେ ରଖିବେ ତ ନିଜ ପ୍ରତିଶୃତି ନା ପୂର୍ବର ସବୁକିଛି ଭଳି ପାଣିର ଗାର କରିଦେବେ,ନା ଖାଲି ନିର୍ବାଚନୀ ବୈତରଣୀ ପାର ହେବାକୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତେଜସ୍ୱୀ ଯାଦବ l ତେବେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହେବ, ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ ରେ ଅନୁଷ୍ଠିତ ହେବ,ଆଉ ଏହାର ଫଳାଫଳ ଘୋଷଣା ହେବ ଆସନ୍ତା ନଭେମ୍ବର ୧୪ ରେ, ପରେ ସବୁ ସ୍ପଷ୍ଟ ହୋଇଯିବ ଯେ ବିହାରରେ କାହାର ଚାଲୁଛି ଶାସନ l

State

ଦିଲ୍ଲୀରୁ ଫେରିଲେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ସେ ଗତ କିଛିଦିନ ଧରି ଦିଲ୍ଲୀରେ ରହିଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଦଳର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ନବୀନ ଦିଲ୍ଲୀରେ ଫେରିବା ପରେ ଏବେ ନୂଆପଡ଼ା ଉପନିର୍ବାଚନ ଓ ପଦଯାତ୍ରା କାର୍ଯ୍ୟକ୍ରମ ଆଗକୁ ସରଗରମ ହେବ l ପ୍ରାୟ ଦେଢ ମାସ ତଳେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ଅପରେସନରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ । କିଛି ଦିନ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ କିଛି ଦିନ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସହ ପରିବାର ସହ ରହିଥିଲେ । ଦିଲ୍ଲୀରେ ଥିବା ସମୟରେ ସେ ବିକାନେର ହାଉସରେ ଆୟୋଜିତ ୱାଇଲ୍ଡ ଲାଇଫ ଚାରିଟି ଏକଜିବିସନ ବୁଲି ଦେଖିଥିଲେ । ଦିଲ୍ଲୀରୁ ସେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଦେବା ସହ ରାଜ୍ୟର ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ମତ ରଖୁଥିଲେ ।

Entertainment

ବିଦେଶୀ ପକ୍ଷୀଙ୍କ କଳାରାବରେ ଫାଟିବ ଚିଲିକା

Blog Thumbnail

ଦ କୁଇଭର ବ୍ୟୁରୋ :- ଚିଲିକାକୁ ଆସିଲେଣି ବିଦେଶୀ ବିହଙ୍ଗ । କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ମରାଳମାଳିନୀ ନିଳାମ୍ବୁ ଚିଲିକା । ଶୀତର ଆଗମନ ପୂର୍ବରୁ ହଜାର ହଜାର ମାଇଲ ଅତିକ୍ରାନ୍ତ କରି ଚିଲିକାରେ ପହଞ୍ଚିବାରେ ଲାଗିଛନ୍ତି ବିଦେଶୀ ପକ୍ଷୀ । ଆଗକୁ ଆହୁରି ବିଦେଶୀ ପକ୍ଷୀଙ୍କ ଆଗମନ ହେବାକୁ ଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା । ନୀଳଜଳ ରାଶି ସଭିଁଙ୍କୁ କରେ ଆନମନା । ତେବେ ଚିଲିକାର ଆଉ ଏକ ସୌନ୍ଦର୍ଯ୍ୟ ହେଉଛି ବିଦେଶୀ ପକ୍ଷୀଙ୍କ ସମାଗମ । ଯାହା ପକ୍ଷୀବିହାର ଚିଲିକା ଭାବରେ ଜଣାଶୁଣା । ତେବେ ଶୀତ ଋତୁ ସମୟରେ ଚିଲିକାକୁ ଛୁଟି ଆସନ୍ତି ବିଦେଶୀ ପକ୍ଷୀ । ଚିଲିକା ଜଳରାଶି ଓ ଚତୁଃପାର୍ଶ୍ବରେ ଭଳିକି ଭଳି ବିଦେଶୀ ପକ୍ଷୀଙ୍କ କଳାରବରେ ଫାଟିବ ଚିଲିକାର ସୁନ୍ଦର ପରିବେଶ । ଦୀର୍ଘ 3-4 ମାସ ଧରି ଚିଲିକାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାନ୍ତି ଏହି ବିଦେଶୀ ପକ୍ଷୀ ।ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର କିଲୋମିଟର ଦୂରରୁ ଆସିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ହଜାର ହଜାର ବିଦେଶୀ ପକ୍ଷୀ । ତେବେ ବିଦେଶୀ ପକ୍ଷୀଙ୍କ ଓ ସେମାନଙ୍କ ଶାବକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଏକାଧିକ ପଦକ୍ଷେପ ଗ୍ରହଣ କରୁଛି । ତେବେ ବର୍ତ୍ତମାନ ସମୟରେ ପକ୍ଷୀ ଆସିବା ଆରମ୍ଭ କରିଛନ୍ତି, ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କିନ୍ତୁ ଏହା ସହିତ ସେମାନଙ୍କ ସୁରକ୍ଷା ଓ ସେମାନଙ୍କର ସେବକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଦିଗ ପ୍ରତି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଚିଲିକା ଡ଼ିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି l

Politics

SI ଦୁର୍ନୀତି ନେଇ ଗର୍ଜୁଛି ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ପୁଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ,ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଛି। ଏହି ଅବସରରେ ଶୁକ୍ରବାର ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଈପ୍‌ସିତା ସାହୁଙ୍କ ଆହ୍ବାନରେ ଗଞ୍ଜାମ ଜିଲ୍ଲା ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ବ୍ରହ୍ମପୁର ଠାରେ ପ୍ରତିବାଦ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ବ୍ରହ୍ମପୁର ସହର ସ୍ଥିତ ରାମଲିଙ୍ଗମ ପାର୍କରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ଖଲ୍ଲିକୋଟ କଲେଜ ଛକରେ ପହଞ୍ଚିଥିଲା,ସେଠାରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।


ଏହି ଅବସରରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ପୁଲିସ ଏସ୍‌ଆଇ ଚାକିରି ଜାଲିଆତି ଘଟଣାରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ୧୧୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯଦିଓ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି, କିନ୍ତୁ ଏହା ପଛରେ ଥିବା ମୁଖ୍ୟ ଅଭିଯୁକ୍ତମାନେ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ଫେରାର୍ ଥିବା ଶଙ୍କର ପୃଷ୍ଟିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି, ଯାହା ସ୍ପଷ୍ଟ କରୁଛି,ଯେ ବିଜେପି ସରକାର ଏହି ଜାଲିଆତି ଘଟଣାରେ ସମ୍ପୃକ୍ତ ରହିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ରାଜରାସ୍ତାରେ ଗର୍ଜନ କରିବା ସହ ଦାବି କରିଥିଲେ । ଏପରି କରି ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଉଥିବା ଅଭିଯୋଗ କରି ଛାତ୍ର ଓ ଯୁବ ବିଜେଡି ନେତାମାନେ ଭୀଷଣ ବର୍ଷିଥିଲେ | ବିକ୍ଷୋଭ ବେଳେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ସୁବାସ ବେହେରା, ପୂର୍ଣଚନ୍ଦ୍ର ସ୍ବାଇଁ, ମେୟର୍ ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.ବିବେକ ରେଡ଼ୀ, ଦେବାନନ୍ଦ ମହାପାତ୍ର, ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ଛାତ୍ର ବିଜେଡି ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ସୋସିଆଲ ମିଡିଆ କୋର୍ଡିନେଟର୍ ଦୁର୍ଗାପ୍ରସାଦ ପଣ୍ଡା, ଅଜୟ ମହାରଣା, ନଚିକେତା ସ୍ବାଇଁ, ଦୁର୍ଗା ନାୟକ, ଜିଲ୍ଲା ଯୁବ ସଭାପତି ଭବାନୀ ସାହୁ, ବ୍ରହ୍ମପୁର ଯୁବ ସଭାପତି ଅଜିତ ପଣ୍ଡା, ବ୍ରହ୍ମପୁର ଛାତ୍ର ସଭାପତି ଶୋଭନ ନାୟକଙ୍କ ସମେତ ବହୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

State

୧୧୦୦ ଜଣ ମହିଳାଙ୍କୁ କାର କିଣିବାକୁ ୫ ଲକ୍ଷ ଋଣ ଦେବେ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି,ମହିଳାଙ୍କ ରୋଜଗାର ବଢ଼ାଇବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆମ ସୁବାହକ’ ଯୋଜନା । ଏହି ଯୋଜନାରେ 1100 ଜଣ ମହିଳାଙ୍କୁ କାର୍‌(ଟ୍ୟାକ୍ସି) କିଣିବାକୁ 10 ଲକ୍ଷ ଋଣ ଦେବେ ସରକାର । ଯେଉଁଥିରେ ଲୋନରେ କାର କିଣିବେ ମହିଳା, ସୁଧ ସୁଝିବେ ସରକାର । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।


ଏହି ଯୋଜନାରେ ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇଦେବେ ସରକାର ।ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ,ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ ।ରାଜ୍ଯରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ମହିଳା ଡ୍ରାଇଭରଙ୍କ ସମେତ ସୁଭଦ୍ରା ହିତାଧିକାରୀ, କ୍ରୁଟ, ବସ୍‌ ଡ୍ରାଇଭର, SHG ସଦସ୍ୟାଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ସର୍ବାଧିକ 10 ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ଯୋଗାଇବେ ସରକାର । ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର ।


ରାଜ୍ଯରେ ଥିବା 4ଟି ଡ୍ରାଇଭିଂ ଟ୍ରେନିଂ ପ୍ରତିଷ୍ଠାନରେ 6216 ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇସାରିଛନ୍ତି lସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ lପ୍ରଥମ ବର୍ଷରେ 200, ଦ୍ବିତୀୟ ବର୍ଷରେ 250, ତୃତୀୟ ବର୍ଷରେ 300 ଏବଂ ଚତୁର୍ଥ ବର୍ଷରେ 350 ଜଣ ମହିଳାଙ୍କୁ କାର୍‌ କିଣିବାକୁ 10 ଲକ୍ଷ ଟଙ୍କାର ଋଣ ଦିଆଯିବ lଯେଉଁ ମାନଙ୍କର ବୟସ 21 ରୁ 40 ହେଇଥିବ ଏବଂ ବାର୍ଷିକ ଆୟ ଯାହାର 3 ଲକ୍ଷ ଥିବ ସେମାନେ ଲାଭ ଉଠାଇ ପାରିବେ l ସେହିପରି ଯେଉଁମାନେ କ୍ରୁଟ କିମ୍ବା OSRTCରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ l ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ମାନଙ୍କୁ ଅଗ୍ରାଧିକାର ମଧ୍ୟରେ ସୁଯୋଗ ଦିଆଯିବ lସରକାର ତରଫରୁ ତିନି ଜଣ ସୁବାହକଙ୍କୁ ଜାପାନ ପଠାଯିବ lରାଜ୍ୟରେ ମହିଳା ବାହକ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି lଯେଉଁ ମହିଳା ଡ୍ରାଇଭର ମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଳାଇବାରେ ପ୍ରତିଶ୍ରୁତିବଦ୍ଧ ହେବେ ସେମାନଙ୍କୁ ଜାପାନ ପଠାଯିବ ।ତେବେ ଏହି ଯୋଜନାରେ ଗାଡି କିଣା ବାବଦକୁ 110 କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି l