Join Us To Make A Difference

The Drops💧

ମରଣଯନ୍ତା ସାଜିଥିବା ଜାଗାରେ ହେବ ଓଭରବ୍ରିଜ : ପ୍ରଦୀପଙ୍କୁ ପ୍ରଶଂସା

ମରଣଯନ୍ତା ସାଜିଥିବା ଜାଗାରେ ହେବ ଓଭରବ୍ରିଜ : ପ୍ରଦୀପଙ୍କୁ ପ୍ରଶଂସା
Published by:Jyotshna Kumari
#state

ବ୍ରହ୍ମପୁର( ଦ କୁଇଭର ):- ବାରମ୍ବାର ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ଠାରେ ଦୁର୍ଘଟଣା ଘଟି ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ୁଥିବାରୁ ଲାଞ୍ଜିପଲ୍ଲୀ ବାସିନ୍ଦା ଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କୁ ଡାକି ସମୀକ୍ଷା କରି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରକଳ୍ପ ନିର୍ଦେଶକ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ଏବଂ ସମୀକ୍ଷା କରିବାର ୧୦ ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିଛି ।


ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ସଂସଦୀୟ କ୍ଷେତ୍ରର ଦାଇତ୍ୱ ନେବା ସଂଗେ ସଂଗେ ଜାତିୟ ରାଜପଥ ନମ୍ବର-୧୬ ( ପୁଇଁତୋଳା ଠାରୁ ଗିରିସୋଲା ) ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ବିଗତ ଦିନରେ ବହୁ ଦୁର୍ଘଟଣା ଘଟିଥିବା ଅନୁଭବ କରି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ (ଭାରତ ସରକାର), ରୋଡ ଟ୍ରାନ୍ସପୋର୍ଟ ହାଇୱେ ମନ୍ତ୍ରଣାଳୟ (ଭାରତ ସରକାର) ଓ ସ୍ଥାନୀୟ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦର୍ଶି ପ୍ରକାଶଙ୍କ ସହ ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ। ଯାହାର ଫଳ ସ୍ୱରୂପ ତା. ୨୭/୧୧/୨୦୨୪ରେ ଅର୍ଥାତ ବୁଧବାର ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବା ସହ ସେହି ଦୁର୍ଘଟଣା ସ୍ଥଳମାନଙ୍କରେ ଓଭରବ୍ରିଜ ନିର୍ମାଣ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ବିଭାଗ ଟେଣ୍ଡର ବାହାର କରିଛନ୍ତି I ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ହେବା ସହ ବ୍ରହ୍ମପୁର ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଆମ ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରି , ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

State,Shree Jagannath

ଆଜି ବିଶ୍ୱକର୍ମା ପୂଜା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନେରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ । ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।


ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।

State

କଟିବ ଧନୀ ଲୋକଙ୍କ ରାସନ କାର୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଲକ୍ଷାଧିକ ମୃତକ (ଭୂତ)ଙ୍କ ନାଁରେ ଉଠୁଥିଲା ରାସନ ଚାଉଳ। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ମାଗଣା ଚାଉଳ ନେଉଥିଲେ। ଯୋଗାଣ ବିଭାଗ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ପରେ ଭୂତ କାର୍ଡ କେଳେଙ୍କାରୀ ଧରାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫.୭୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ଶ୍ରୀ ପାତ୍ର କହିଛନ୍ତି ଯେ ଅଧିକ ରୋଜଗାର କରୁଥିବା ବର୍ଗର ବ୍ୟକ୍ତିଙ୍କୁ ରାସନ କାର୍ଡ ନିଜ ଆଡ଼ୁ ଫେରାଇ ଦେବା ଲାଗି ରାଜ୍ୟ ସରକାର କହିଥିଲେ। ଏହାଭିତରେ ୧ଲକ୍ଷ ୫ହଜାର ଆୟକରଦାତା କାର୍ଡ ଫେରାଇ ସାରିଲେଣି। ବିଗତ ୩-୪ବର୍ଷ ହେବ ରାଜ୍ୟର ୧୪ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବଦେନ କରି କାର୍ଡ ଅପେକ୍ଷାରେ ରହିଥିଲେ। ସେଥିରୁ ୬ ଲକ୍ଷ ଗରିବ ଲୋକଙ୍କୁ କାର୍ଡ ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଅତି ଦରିଦ୍ର ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ କାର୍ଡ ଜରିଆରେ ମାଗଣା ୩୫ କେଜି ଚାଉଳ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଯାଞ୍ଚ ବେ‌ଳେ ଗୋଟିଏ ପରିବାରର ୩ଜଣ ଲୋକ ଏହି କାର୍ଡ ହାତେଇଥିବା ଜଣାପଡ଼ିଥିଲା। ଏଭଳି ତଞ୍ଚକତା କରିଥିବା ଲୋକଙ୍କ କାର୍ଡ କାଟି ଦିଆଯାଇଛି। ଯେଉଁଠାରେ ଧନୀ ଲୋକମାନେ ଗରିବ ଲୋକଙ୍କ ଅଧିକାରକୁ ମାଡ଼ି ବସିଛନ୍ତି ସେଥିରୁ ବେଦଖଲ କରିବା ଲାଗି ଯୋଗାଣ ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ଦୀର୍ଘମାସ ଧରି ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ହେଲେ ସେପ୍ଟେମ୍ବର ପହିଲା ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୭ ଲକ୍ଷ, ମୟୂରଭଞ୍ଜରେ ୧ ଲକ୍ଷ, କଳାହାଣ୍ଡିରେ ୯୮ ହଜାର, କଟକରେ ୯୫ ହଜାର, ବଲାଙ୍ଗୀରରେ ୯୧ ହଜାରଙ୍କୁ ମିଶାଇ ୧୭ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହାଭିତରେ କେନ୍ଦ୍ର ସରକାର ଇ-କେୱାଇସି ଅବଧିକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି ଅନେକ ଭୂତ ହିତାଧିକାରୀ ଚିହ୍ନଟ ହୋଇପାରନ୍ତି।

State

ସିଲ୍ ହେଲା ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ କୋଠା

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ ଆଲିସାନ ଘରକୁ ଯାଇ ପୋଲିସ ମାଧ୍ଯମରେ ରହୁଥିବା ଘର ଲୋକଙ୍କୁ ଓ ବ୍ୟବହାର କରୁଥିବା ଆସବାବ ପତ୍ରକୁ ବାହାର କରି ସିଲ୍ କରିଛି ଲଟକା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଘର‌ ବାହାରେ ଲଗାଯାଇଥିବା ନୋଟିସ ମୁତାବକ, PMLA act 2002 ମୁତାବକ । ୦୩ ଜୁଲାଇ ୨୦୨୩ର OC 1895 ଆଧାରରେ ସତ୍ୟ ବିହାରରେ ୧୩୩୮/୧୫୧୦୫ରେ ଥିବା ଘରକୁ ସିଲ୍ କରାଯାଇଛି । ଧାରା ୮(୪)ଇଡିର ହେପାଜତରେ ରହିଥିବା ଉଲ୍ଲେଖ କରାଯାଇଛି । ଏନେଇ ଇଡି ଅଧିକାରୀ ଓ ପୋଲିସ ଉପସ୍ଥିତିରେ ସିଲ୍ ସମୟରେ ଅର୍ଚ୍ଚନାଙ୍କ ବାପା ଓ ଭଉଣୀ ବିରୋଧ କରିଥିଲେ । କିନ୍ତୁ ନିର୍ଦ୍ଦେଶ କପି ଆଧାରରେ ଘରକୁ ସିଲ୍ କରିଥିଲେ ଇଡି ଅଧିକାରୀ । ସେପଟେ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନଥିବା ବେଳେ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି," ଦିଦି ଘରେ ନଥିବା ସମୟରେ ଏଭଳି ଘରକୁ ସିଲ୍ କରାଯାଉଛି । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ ।"


ସୂଚନା ପ୍ରକାରେ,ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଏକ ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଓ ମିଡିଲମ୍ୟାନ ଖଗେଶ୍ବର ଗିରଫ ହୋଇଥିଲେ । ବେଆଇନା ଭାବରେ ଅର୍ଥ ରୋଜଗାର କରିବା ଓ ସେହି ଟଙ୍କାରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ନେଇ ପ୍ରିଭେସନ ଅଫ ମନି ଲଣ୍ଡରି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ଋଜୁ କରି ତାନାଘନା କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ ଗାଡ଼ି ଜବତ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ସିଲ କରିଛି ଇଡି ।

National

ଆଜି ମୋଦୀ ଙ୍କ ଜନ୍ମଦିନ

Blog Thumbnail

ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ, ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ।ବିଜେପି ତାଙ୍କ ଜନ୍ମଦିନକୁ 'ସେବା ପକ୍ଷ' ଭାବରେ ପାଳନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ, ଏହାର ବିଷୟବସ୍ତୁ 'ସୁସ୍ଥ ମହିଳା, ସଶକ୍ତ ପରିବାର' ରଖାଯାଇଛି । ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ଭାଡନଗରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତି ପାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଛି, ତାହା ଅର୍ଥନୈତିକ କ୍ଷେତ୍ର ହେଉ, ଅନ୍ତର୍ଜାତୀୟ କୂଟନୀତି, ସାମରିକ ସଶକ୍ତିକରଣ କିମ୍ବା ଡିଜିଟାଲ୍ ବିପ୍ଳବ। ଆଜି ସକାଳ ଠାରୁ ସମର୍ଥକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି।

State,Weather

କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

Entertainment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌; ବଲିଉଡ୍‌ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍‌କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍‌ର ମଉଡ଼ମଣି। ସେ ଆଜି ଅସୁସ୍ଥ ‌ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

Crime

ଅବକାରୀ କବଜାରେ ଗଞ୍ଜେଇ ମାଫିଆ,୬ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟ ବାହାରକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ,୧ ସ୍କୁଟି, ୩ଟି ଚାରି ଚକିଆ ଗାଡି, ୮ଟି ମୋବାଇଲ ଫୋନ ଜବତ ସହ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି l


ସୂଚନା ପ୍ରକାରେ,କନ୍ଧମାଳରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଖଲ୍ଲିକୋଟ ଘାଟି ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ l ବିହାର,ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ(୨ଜଣ ପେଶାଗତ ଗଞ୍ଜେଇ ଚାଲାଣକାରୀ) ମୋଟ ୬ ଜଣଙ୍କୁ କାବୁ କରିଛି ଅବକାରୀ ଗୁଇନ୍ଦା ବିଭାଗ l ଏସବୁ ଗଞ୍ଜେଇ, ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି କରାଯାଇଥିଲା l ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନରୁ ଗଂଜେଇ ମାଫିଆଙ୍କ ଟେର ମିଳିଥିବା ବେଳେ ଅଧିକ ତଦନ୍ତ କରୁଛି ଅବକାରୀ ଗୁଇନ୍ଦା ବିଭାଗ l ଯେଉଁଥିରେ ବ୍ରହ୍ମପୁର, କୋଦଳା ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଜଣା ପଡ଼ିଥିବା ବେଳେ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୁର୍ତିକାନ୍ତ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

Shree Jagannath

୧୯ରୁ ଆରମ୍ଭ ହବିଷିଆଳିଙ୍କ ପଞ୍ଜୀକରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି କାର୍ତ୍ତିକ l ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ l ଧର୍ମର ମାସ ମହା କାର୍ତିକରେ ମାସ ସାରା ହବିଶିଆଳିଙ୍କ ପୂଜା ଭଜନ ଜଣାଣ ଜପ ତପ ବିଭିନ୍ନ ଜାଗାରେ ଦେଖିବାକୁ ମିଳିବ l ପୂର୍ବରୁ ଅନେକ ହବିଶିଆଳି ମା ମାନେ ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପାଖରେ ହବିଷ କରୁଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଏହି ବ୍ୟବସ୍ଥାକୁ ପ୍ରଶାସନ ନିଜ ହାତକୁ ନେଇଛି l ତେଣୁ ବଡ଼ ଜୋର ସୋର ରେ ଚଳିତ ବର୍ଷ ମଧ୍ୟ ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଥର ୨୫ ଶହ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ୪ଟି ସ୍ଥାନରେ ହେବ ହବିଷିଆଳି କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଥମ କରି ଆବେଦନ କରିଥିବା ମାଆ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯିବ । ହବିଷିଆଳିଙ୍କ ରହଣି, ପ୍ରସାଦ ସେବନ ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ, ଶୁକ୍ରବାର ପୂର୍ବାହ୍ନ ୧୦ ଠାରୁ ହବିଷିଆଳିଙ୍କ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। https://edistrict.odisha.gov.inରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା'ମାନେ ହିଁ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।


ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା , ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା’ ମାନଙ୍କର ରହଣିର ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ଦେଇଛନ୍ତି l

City

ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଦୈନିକ ଖବର କାଗଜ ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ଶିଳ୍ପାଞ୍ଚଳ ସ୍ଥିତ ଅନୁପମ ଭାରତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଲେଖିକ ହୟଗ୍ରୀବ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ । ସୁଦାମ ଦାସ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ପରିଚାଳକ କୁରେଶ ପଣ୍ଡା, ସହ ସମ୍ପାଦକ ହରିଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ। ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଏହି ଅବସରରେ ଅନୁପମ ଭାରତ ରେ ନିଜର ଦୀର୍ଘ ଜୀବନ ର କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଜଗନ୍ନାଥ ଙ୍କ ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁପମ ଭାରତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Crime

ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫଟୋ ପୋଷ୍ଟ କରି ଯୁବକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ନାବାଳିକାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଏକାଉଣ୍ଟ ଖୋଲି ଆପତ୍ତିଜକନ ଫୋଟ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଗିରଫ ଯୁବକ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଦୁର୍ବନ୍ଧ ଗାଁର ଶିବାନନ୍ଦ ରାଉଳ । ଗିରଫ ଶିବାନନ୍ଦ ଠାରୁ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ପୋଷ୍ଟ କରିବା ସହ ମୋବାଇଲ ନମ୍ୱର ବ୍ୟବହାର କରି ବିଭିନ୍ନ ମେସେଜ୍ ପଠାଉଥିଲା । ଏଥିଲାଗି ବହୁ ସମୟରେ ନାବାଳିକାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ପଡୋଶୀ ଯୁବକ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Crime

ଦେହ ବ୍ୟବସାୟ ଅଭିଯୋଗରେ ପୋଲିସର ଚଢ଼ାଉ, ମ୍ୟାନେଜର ସମେତ ଚାରି ଜଣ ଗିରଫ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗୁରୁବାର ବ୍ରହ୍ମପୁର ସହରର ଏକ ହୋଟେଲରେ ଦେହ ବ୍ୟବସାୟ ରାକେଟ ଚଳାଇବା ଅଭିଯୋଗରେ ଜଣେ ହୋଟେଲ ପରିଚାଳକଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ ପୋଲିସ ଏସଆଇ ସୁଜାତା କନହୋରଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ଏଥିରେ ଚାରି ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଜଣେ ପୀଡିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ ।

ବ୍ରହ୍ମପୁର ସହରର ସ୍ଥାନୀୟ ଖଲିକୋଟ କଲେଜ ରୋଡ ସ୍ଥିତ ହୋଟେଲ ମିଡିଟାଉନ୍‌ରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ କରିଥିବା ଏବଂ ଉକ୍ତ ହୋଟେଲରୁ ଜଣେ ପୀଡିତାଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡ଼ା.ଶ୍ରବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି । ଗୁରୁବାର ହୋଟେଲ ମିଡିଟାଉନ୍‌ର କେତେକ କର୍ମଚାରୀ ଓ ମାଲିକ ଦେହ ବ୍ୟବସାୟ ଚଳାଇଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ୍‌ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ହୋଟେଲର ଗୋଟିଏ ରୁମରେ ଜଣେ ଯୁବତୀ ଦେହ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ଏବଂ ବେଆଇନ୍ ଦେହ ବ୍ୟବସାୟରେ ଲିପ୍ତ ଥ‌ିବା ଅଭିଯୋଗରେ ହୋଟେଲ ମ୍ୟାନେଜର ଜି.କ୍ରିଷ୍ଣା ପାତ୍ରଙ୍କ ସମେତ ବଡବଜାର ଅଞ୍ଚଳର ଆକାଶ ବିଶୋୟୀ, ଅଜୟ ବେହେରା ଓରଫ ମଣ୍ଡୁ, ଲାଞ୍ଜିପଲ୍ଲୀ ଅଞ୍ଚଳର ଚିନ୍ମୟ ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ୍, ଭାଏଗ୍ରା ଟାବଲେଟ ଆଦି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇ ଥିବା ସୂଚନା ମିଳିଛି ।

City

ହାରିଗଲେ ସୁରଜ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ପୁରୁଣା ବ୍ରହ୍ମପୁରର ସୁରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୯ଟା ବେଳେ ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି l ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଗତ ବୁଧବାର ସନ୍ଧ୍ୟାରେ ସୁରଜ ସାହୁ କୌଣସି କାରଣକୁ କେନ୍ଦ୍ର କରି ନିଜ ଦେହରେ ‌ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ବଡ଼ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ତାଙ୍କୁ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂରଜଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ ପ୍ରବଳ ଉଦ୍ୟମ ମଧ୍ୟ କରିଥ‌ିଲେ, କିନ୍ତୁ ଶୁକ୍ରବାର ଶେଷର ଆଖି ବୁଜିଲେ ସୁରଜ l ସୂଚନାଯୋଗ୍ୟ, ବଡ଼ ପଦକ୍ଷେପ ନେବା ପୂର୍ବରୁ ସୁରଜ ଦୁଃଖଭରା ପୋଷ୍ଟ ମଧ୍ୟ କରିଥିଲେ ନିଜ ସୋସିଆଲ ମିଡିଆର ଷ୍ଟାଟସରେ ଯେ, ମୋର କିଛି ହେଇଗଲେ କେହି ଦାୟୀ ହେବେ ନାହିଁ ବୋଲି ମଧ୍ୟ କହିଥିଲେ। ତେଵେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଡିକାଲରେ ସମସ୍ତ ପ୍ରକ୍ରିୟା ସରିବା ପରେ ସୂରଜଙ୍କ ପାର୍ଥିବ ଶରୀର ପୁରୀ ଯିବ,ସେଠାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି l



Weather

ସୃଷ୍ଟି ହେଲା ଲଘୁଚାପ,ଆଲର୍ଟରେ ୩ ଜିଲ୍ଲା

Blog Thumbnail

ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।


State,Farming

ରାଜ୍ୟରେ ନାହିଁ ସାର ଅଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ ତଥା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସାରର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ । କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି । ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇ ଦେବା ପାଇଁ" କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ l ସେହିଭଳି ମାର୍କଫେଡ଼ର ଅଧିକାରୀଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରତ୍ୟେକ ଜିଲ୍ଲାରେ Crop Diversification ଏବଂ Integrated Farming System କୁ ଅଧିକ ଗୁରୁତ୍ୱ, ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷ କାର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ସଫଳ ହୋଇ ପାରିବ ।

District,City

୧୯ ରେ ଗଡିବ ତୀର୍ଥଯାତ୍ରୀ ଟ୍ରେନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୯ତାରିଖରେ ଅଯୋଧ୍ୟା ଓ ବାରଣାସୀକୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଗଡ଼ିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନମ୍ବର ପ୍ଲାଟଫର୍ମ ପହଞ୍ଚି ସେଠାରେ ଜିଲ୍ଲାର ବରିଷ୍ଟ ଅଧିକାରୀ, ରେଳବାଇ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ। ଏହାପରେ ଦିନକୁ ପୂର୍ବରୁ ବରିଷ୍ଠ ନାଗରିକମାନେ ରହିବା ପାଇଁ ଆୟୋଜିତ ହୋଇଥିବା ସ୍ଥାନ ବୁଲି ଦେଖୁଥିଲେ। ବରିଷ୍ଠ ନାଗରିକ କିପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇବେ ଏବଂ ସୁଚାରୁ ରୂପେ ଯାତ୍ରା କରି ଫେରିବେ। ସେ ନେଇ ସମସ୍ତ ଅଧିକାରୀମାନେ ଧ୍ୟାନ ଦେବାକୁ ବିଭାଗୀୟ ଅଧୁକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବିଏମ୍‌ସି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଓ ଆଶୀର୍ବ।ଦ ପରିଡ଼ା, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହଂସଦା, ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗ। ପ୍ରସାଦ ବ୍ରହ୍ମା, ଆର୍‌ପିଏଫ୍‌ ଥାନା ଅଧିକାରୀ ସି. ଭେଙ୍କଟ ରମଣା ଓ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

State

ସରିଲା ସର୍ବଦଳୀୟ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ। ‌ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିବା, ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଏଥର ମାଳମାଳ ପ୍ରସଙ୍ଗ ଧରିକି ବସିଛନ୍ତି। ହେଲେ ବିଧାନସଭା ଯେପରି ସୁରୁଖୁରରେ ଚାଲିବ, ଗୃହ କାର୍ଯ୍ୟ ପରିଚାଳନାରେ ସବୁ ଦଳ ସହଯୋଗ କରିବାକୁ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ଏହି ଅଧିବେଶନର ଅବଧି ମାତ୍ର ୭ଦିନ ଥିବାରୁ କେଉଁ ଦିନ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେନେଇ ବାଚସ୍ପତି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

Entertainment,Education,City

ଜାଭିୟର୍ସ ହାଇ ସ୍କୁଲରେ ହିନ୍ଦୀ ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):-ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶନିବାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହିନ୍ଦୀ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ଡିଏଭି ପବ୍ଲିକ ସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ପାଳନ ସଂପର୍କରେ ସୂଚନା ଦେଇ,ଆଜିର ଯୁଗରେ ହିନ୍ଦୀ ଶିକ୍ଷାର ଆବଶ୍ୟକତା ନେଇ ଆଲୋକ ପାତ କରିଥିଲେ । ପ୍ରତି କ୍ଷେତ୍ରରେ ହିନ୍ଦୀ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିବା ସହ ସମସ୍ତେ ମାତୃଭାଷା ସହ ହିନ୍ଦୀ ଭାଷା ପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ କେ.ସି ପଣ୍ଡାଙ୍କ ସମେତ ବିଦ୍ୟାଳୟ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

District

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ କୋର୍ଟରେ ୨୦୨୫ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧ ହଜାର ୩୪୬ଟି ମାମଲାର ସମାଧାନ ହୋଇଥିବାବେଳେ ୧୨ କୋଟି ୮୫ ଲକ୍ଷ ୭୧ ହଜାର ୯୭୯ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଜାରି କରାଯାଇଛି। ଗଞ୍ଜାମ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ୭୫ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ସମାଧନ କରାଯାଇ ବୀମା କମ୍ପାନି ଗୁଡ଼ିକୁ ମୋଟ ୫ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା,୯୭ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୧ କୋଟି ୫୧ ଲକ୍ଷ ୭୧ ହଜାର ୮୫୯ ଟଙ୍କା ପୁନରୁଦ୍ଧାର ହୋଇଥିଲା, ମୋଟ ୮୫ଟି ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା, ମୋଟ ୨୨୦ଟି ବ୍ୟାଙ୍କ ସଂପର୍କିତ ମାମଲାର ସମାଧାନ କରାଯାଇ ୨ କୋଟି ୩୩ ଲକ୍ଷ ୧୧ ହଜାର ୧୩ ଟଙ୍କା ଆଦାୟ କରାଯାଇଥିଲା,ଅନ୍ୟାନ୍ୟ ଦେୱାନି ମାମଲା ୧୦୧ଟି ସମାଧାନ କରାଯାଇ ୨ କୋଟି ୧୪ ଲକ୍ଷ ୪୦ ହଜାର୧୫୧ ଟଙ୍କା ଆଦାୟ କରାଯାଇଥିଲା, ସେହିପରି ମୋଟ ୯୫୬୮ଟି ରେଭେନ୍ୟୁ ମାମଲାର ସମାଧାନ କରାଯାଇ ୭୨ ହଜାର ୭୨୬ ଟଙ୍କା ଆଦାୟ କରାଯାଇଥିଲା, ୫୦ଟି ଅପରାଧିକ ମାମଲାର ସମାଧାନ କରାଯାଇଥିବାବେଳେ ୨୩୨ଟି ଟିପିଏସଓଡ଼ିଏଲ୍ ମାମଲାର ସମାଧାନ ହୋଇ ୩୦ ଲକ୍ଷ ୪୨ ହଜାର ୪୦୨ ଟଙ୍କା ଆଦାୟ କରାଯାଇଥିଲା, ମୋଟ ୧୭ଟି ପିୟୁଏସ୍ ମାମଲାରେ ୫୯ ଲକ୍ଷ ୫୮ ହଜାର ୮୩୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ କରାଯାଇଥିଲା। ଏଥିରେ ଦ୍ବିତୀୟ ଏମଏସିଟି ବିଶ୍ବଜିତ୍ ଦାଶ, ପ୍ରଥମ ଏଡିଜେ ନରେଶ ମହାନ୍ତି, ଦ୍ଵିତୀୟ ଏଡିଜେ ଆୟୁଷମାନ ମହାନ୍ତ, ତୃତୀୟ ଏଡିଜେ ବିବଶ୍ବତ ଗୌତମ ପ୍ରମୁଖ ଦୁର୍ଘଟଣା ସଂପର୍କିତ ମାମଲାରେ ଅଂଶ ଗ୍ରହଣ କରିଥିଲେ । ରେଜିଷ୍ଟ୍ରର ସୌଦାମିନୀ ସିଂ ନୋଡାଲ ଅଫିସର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।