ଶିମିଳିପାଳ( ଦ କୁଇଭର ):- ଶିମିଳିପାଳ ଅଭୟାରଣ୍ୟକୁ ଆସିଛି ନୂଆ ଅତିଥି । ମହାରାଷ୍ଟ୍ରରୁ ବାଘୁଣୀ ଅଣାଯାଇଛି । ପିସିସିଏଫ ସୁଶାନ୍ତ ନନ୍ଦ, ଶିମିଳିପାଳ ପିଡି ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଶିମିଳିପାଳ ଅଭୟାରଣ୍ୟର ବନ ଅଧିକାରୀ ମାନଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘକୁ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶରୁ ୨ଟି ବାଘ ସାତକୋଶିଆକୁ ଅଣାଯାଇଥିଲା । ତତ ମଧ୍ୟରୁ ଗୋଟେ କୁ ଫେରେଇ ନିଆଯାଇଥିଲା ଓ ଅନ୍ୟଟି ମରିଯାଇଥିଲା ।
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ନିମନ୍ତେ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ଏନେଇ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ପିସିସିଏଫ ଶ୍ରୀ ନନ୍ଦଙ୍କ ସମେତ ଟିମ ଶନିବାର ସକାଳ ୯ଟା ସମୟରେ ମହାରାଷ୍ଟ୍ର ଜଙ୍ଗଲରୁ ୨.୫ବର୍ଷର ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏଥିସହିତ ଆଇନତଃ କାର୍ଯ୍ୟ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଛି ।
ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଁଚିଥିଲା। ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ରବିବାର ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ପୂର୍ବରୁ କରଯାଇଥିବା ଏକ ଏନକ୍ଲୋଜର ମଧ୍ୟରେ ଛଡାଯାଇଛି ବୋଲି ସୂଚନା ମିଳିଛି । ଏନକ୍ଲୋଜର ମଧ୍ୟରେ ସପ୍ତାହକ ଧରି ତାହାର ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ବାଘୁଣୀ ନୂତନ କରି ଶିମିଳିପାଳକୁ ଆସିଥିବାରୁ ଏଠାକାର ପରିବେଶ ବାତାବରଣ ମଧ୍ୟରେ କିପରି ରହୁଛି ସେନେଇ କର୍ତ୍ତୃପକ୍ଷ ଗତିବିଧି ଯାଞ୍ଚ କରୁଛନ୍ତି । ଏଥି ସହିତ ପର୍ଯ୍ୟାୟ କ୍ରମରେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇ ସପ୍ତାହେ ପରେ ପିସିସିଏଫଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପ ଚିପ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ।
ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘ ଆସିବାକୁ ଥିବା ବେଳେ ବର୍ତ୍ତମାନ ଗୋଟିଏ ବାଘ ଆସିଛି, ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ ଅଟେ । ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ସଂଖ୍ୟା ଥିବା ବେଳେ ତାହା ବୃଦ୍ଧି ପାଇବ।